Monday, September 28, 2026

ଅବହେଳିତ ଗ୍ରାମୀଣ ଡାକ ସେବକ

 


ଅବହେଳିତ ଗ୍ରାମୀଣ ଡାକ ସେବକ 

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର

ଭାରତର ଏକ ଅଜବ ବିଡ଼ମ୍ବନା ହେଉଛି ଯେ, କେତେକ ଲୋକ ସାରା ଜୀବନ ସରକାର ପାଇଁ କାମ କରନ୍ତି, କିନ୍ତୁ ସରକାର କେବେ ସେମାନଙ୍କୁ ନିଜର ବୋଲି ସ୍ୱୀକାର କରନ୍ତି ନାହିଁ। ସେମାନେ ସରକାରଙ୍କ ଦାୟିତ୍ୱ ବହନ କରନ୍ତି, ସରକାରୀ ଯୋଜନାକୁ ଗାଁ ଗାଁରେ ପହଞ୍ଚାନ୍ତି, ଲୋକଙ୍କ ବିଶ୍ୱାସର ପ୍ରତୀକ ହୋଇ ରହନ୍ତି, କିନ୍ତୁ ସେମାନଙ୍କ ନିଜ ଜୀବନ ଅନିଶ୍ଚିତତା, ଅବହେଳା ଓ ପ୍ରବଞ୍ଚନାରେ କଟିଯାଏ। ଏହି କାହାଣୀ କୌଣସି ଏକ ବ୍ୟକ୍ତିର ନୁହେଁ; ଏହା ଭାରତର ପ୍ରାୟ ତିନି ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ କାହାଣୀ। ଏହା ସେହି ନିରବ ସୈନିକମାନଙ୍କ କାହାଣୀ, ଯେଉଁମାନେ ଦେଶର ସବୁଠାରୁ ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ଭାରତ ସରକାରର ମୁହଁ ହୋଇ ଠିଆ ହୋଇଛନ୍ତି, କିନ୍ତୁ ଏବର ଠିକା ଓ ସାମୟିକ କର୍ମଚାରୀଙ୍କ ଭଳି ନିଜେ ଆଜି ମଧ୍ୟ ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ସତର ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ନ୍ୟାୟ ପାଇଁ ଅପେକ୍ଷାରତ।

ସମ୍ପ୍ରତି ସଂସଦରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଡଃ ଚନ୍ଦ୍ରଶେଖର ପେମ୍ମାସାନି କହିଥିଲେ ଯେ, ଗ୍ରାମୀଣ ଡାକ ସେବକ ବା ଜିଡିଏସ୍ ବ୍ୟବସ୍ଥା ଏକ ଏପରି ସରକାରୀ ଚାକିରି ଯାହା ସରକାରୀ ଚାକିରିର ନିରାପତ୍ତା ଓ ବେସରକାରୀ ଚାକିରିର ପ୍ରୋତ୍ସାହନ ବ୍ୟବସ୍ଥାର ସମନ୍ୱୟ। ମନ୍ତ୍ରୀଙ୍କ ଏହି ସ୍ୱୀକୃତି ସ୍ୱାଗତଯୋଗ୍ୟ। କିନ୍ତୁ ଏହି ସ୍ୱୀକୃତି ଏକ ଐତିହାସିକ ପ୍ରଶ୍ନକୁ ଆହୁରି ତୀକ୍ଷ୍ଣ କରିଦେଇଛି। ଯଦି ଜିଡିଏସ୍ ଏକ ସରକାରୀ ଚାକିରି, ତେବେ ଜିଡିଏସ୍‌ମାନଙ୍କୁ କେନ୍ଦ୍ର ସରକାରୀ କର୍ମଚାରୀର ମାନ୍ୟତା କାହିଁକି ମିଳୁନାହିଁ? ଯଦି ସେମାନେ ସରକାରୀ କାମ କରୁଛନ୍ତି ଏବଂ  ସେମାନଙ୍କ ଚାକିରୀ ସରକାରୀ ତେବେ ସେମାନଙ୍କୁ ନିୟମିତ କର୍ମଚାରୀ ଭଳି ନିଯୁକ୍ତି (ଆପଏଣ୍ଟମେଣ୍ଟ) ପତ୍ର ମିଳିବା ପରିବର୍ତ୍ତେ ସର୍ବନିମ୍ନ ତିନି ଘଣ୍ଟାରୁ ସର୍ବାଧିକ  ପାଞ୍ଚଘଣ୍ଟା ପାଇଁ ନିୟୋଜିତ (ଏନଗେଜମେଣ୍ଟ) କରାଯାଉଛି କାହିଁକି ତଥା ସେମାନଙ୍କୁ କେନ୍ଦ୍ରୀୟ ବେତନ ଆୟୋଗ ପରିସରରୁ ବାହାରେ ରଖି ନିୟମିତକରଣ, ଛୁଟି, ପେନ୍‌ସନ୍, ଚିକିତ୍ସା ଓ ଏଲଟିସି ସୁବିଧା, ସାମାଜିକ ସୁରକ୍ଷା ଭଳି ସୁବିଧାରୁ ବଞ୍ଚିତ ରଖାଯାଉଛି କାହିଁକି?

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଡାକ ବିଭାଗର ୨୦୨୫-୨୬ ବାର୍ଷିକ ବିବରଣୀ ଅନୁଯାୟୀ ଗ୍ରାମାଞ୍ଚଳର ୧,୪୯,୩୮୫ (୯୦.୪୧%) ଓ ସହରାଞ୍ଚଳର ମାତ୍ର ୧୫,୬୧୪ (୯.୫୯%) ସହ ମୋଟ୍ ୧,୬୪, ୯୯୯ ଡାକଘର (୨୫୦୯୧ ବିଭାଗୀୟ ଡାକଘର ଓ ୧,୩୯,୯୦୮ ଶାଖା ଡାକଘର) ସହ ଭାରତୀୟ ଡାକ ବିଭାଗ  ବିଶ୍ୱର ସର୍ବବୃହତ ଡାକ ସଂସ୍ଥା। ବିଭାଗୀୟ ଡାକଘରଗୁଡିକ ସହ ଡାକ ନିର୍ଦ୍ଦେଶାଳୟରୁ ଆରମ୍ଭ କରି ସମସ୍ତ ଉପମଣ୍ଡଳ, ମଣ୍ଡଳ, ପରିମଣ୍ଡଳ ଓ ଆଞ୍ଚଳିକ ପ୍ରଶାସନିକ କାର୍ଯ୍ୟାଳୟ, ଡାକ ଲେଖା କାର୍ଯ୍ୟାଳୟ, ପୋଷ୍ଟାଲ ଷ୍ଟୋର୍ସ ଓ ଷ୍ଟାମ୍ପ ଡିପୋ, ରେଳ ଡାକସେବା ତଥା ଡାକ ପ୍ରଶିକ୍ଷଣ କେନ୍ଦ୍ର ଇତ୍ୟାଦିରେ ସବୁ ବର୍ଗର ମୋଟ ୧,୯୫,୭୫୪ ଜଣ ବିଭାଗୀୟ କର୍ମଚାରୀ କାମ କରୁଥିବା ବେଳେ, ଏହିସବୁ କାର୍ଯ୍ୟାଳୟ ସହ ସମସ୍ତ ଶାଖା ଡାକଘରଗୁଡିକରେ ମୋଟ୍ ୨,୭୮,୬୩୩ ଜଣ ଗ୍ରାମୀଣ ଡାକ ସେବକ ନିୟୋଜିତ ଅଛନ୍ତି। ଅର୍ଥାତ୍, ଭାରତୀୟ ଡାକ ବିଭାଗର ମୋଟ୍ ୪,୭୪,୩୮୭ କର୍ମଚାରୀଙ୍କ‌ ମଧ୍ୟରେ ବିଭାଗୀୟ କର୍ମଚାରୀ ମାତ୍ର ୪୧.୨୬% ଥିବାବେଳେ ଜିଡିଏସଙ୍କ ସଂଖ୍ୟା ୫୮.୭୪%।  ତେଣୁ ସିଧାସଳଖ ଭାବେ ବିଶ୍ୱର ଏହି ସର୍ବବୃହତ ଡାକ ସଂସ୍ଥାକୁ ଜୀବନ୍ତ ଓ ଗତିଶୀଳ ରଖିବାରେ ଜିଡିଏସମାନଙ୍କର ଭୂମିକା ଓ ଯୋଗଦାନ ଅତୁଳନୀୟ। ଏହି ଜିଡିଏସମାନେ  ହିଁ ପ୍ରତିଦିନ ଲକ୍ଷ ଲକ୍ଷ ଚିଠି, ପାର୍ସଲ, ବ୍ୟାଙ୍କିଙ୍ଗ୍ ସେବା, ବୀମା ସେବା, ପେନ୍‌ସନ୍, ସରକାରୀ ଅନୁଦାନ ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଦୁଆରେ ଦୁଆରେ ପହଞ୍ଚାଉଛନ୍ତି।

ଆଜି ଯେତେବେଳେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ କୋଟି କୋଟି ଗ୍ରାହକଙ୍କ ପାଖରେ ପହଞ୍ଚିଛି, ଯେତେବେଳେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସରକାରଙ୍କ ସବୁଠାରୁ ବଡ଼ ସଫଳତା ଭାବେ ଉପସ୍ଥାପିତ ହେଉଛି, ଯେତେବେଳେ ଗ୍ରାମୀଣ ଭାରତକୁ ଡିଜିଟାଲ୍ ଭାରତ ସହ ଯୋଡ଼ିବାର କଥା କୁହାଯାଉଛି, ସେତେବେଳେ ଏହି ସଫଳତାର ମୂଳରେ ଥିବା ଜିଡିଏସ୍‌ଙ୍କ ଅବଦାନକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଜଣେ ଜିଡିଏସ୍ କେବଳ ଚିଠି ବଣ୍ଟନକାରୀ ନୁହେଁ। ଅଧିକନ୍ତୁ, ସେ ମଧ୍ୟ ଜଣେ ବ୍ୟାଙ୍କର, ବୀମା ପରାମର୍ଶଦାତା, ସାମାଜିକ ସୁରକ୍ଷା ଯୋଜନାର ବାହକ ଓ ସରକାର ଏବଂ ଗ୍ରାମୀଣ ଜନତାଙ୍କ ମଧ୍ୟରେ ଏକ ଜୀବନ୍ତ ସେତୁ। ଗାଁର ଜଣେ ବୃଦ୍ଧ ଯେତେବେଳେ ନିଜ ପେନ୍‌ସନ୍ ପାଆନ୍ତି, ଜଣେ ଚାଷୀ ଯେତେବେଳେ ନିଜ ସଞ୍ଚୟ ଜମା କରନ୍ତି, ଜଣେ ମହିଳା ଯେତେବେଳେ ନିଜ ଖାତାରୁ ଟଙ୍କା ଉଠାନ୍ତି, ସେତେବେଳେ ସେମାନଙ୍କ ଭରସାର ନାମ ହେଉଛି ଜିଡିଏସ୍। କୋଭିଡ୍ ମହାମାରୀ ସମୟରେ ସମଗ୍ର ଦେଶ ଯେତେବେଳେ ଘର ଭିତରେ ବନ୍ଦ ଥିଲା, ସେତେବେଳେ ଏହି ଜିଡିଏସ୍‌ମାନେ ଗାଁ ଗାଁରେ କୋଭିଡ୍ କିଟ୍, ଜୀବନ ରକ୍ଷାକାରୀ ଔଷଧପତ୍ର, ନଗଦ ଅର୍ଥ, ପେନ୍‌ସନ୍ ଓ ଜରୁରୀ ସେବା ପହଞ୍ଚାଇଥିଲେ। ସେମାନେ କୌଣସି ପୁରସ୍କାର କିମ୍ବା ପ୍ରଶଂସା ପାଇଁ ନୁହେଁ, ବରଂ ନିଜ କର୍ତ୍ତବ୍ୟବୋଧ ପାଇଁ ଜୀବନକୁ ବାଜି ଲଗାଇ ଦାୟିତ୍ୱ ନିର୍ବାହ କରିଥିଲେ। କିନ୍ତୁ ଦୁଃଖଦାୟକ ଭାବେ ସେହି କର୍ମଯୋଦ୍ଧାମାନଙ୍କ ଜୀବନ ଆଜି ମଧ୍ୟ ଅନିଶ୍ଚିତତାର ଅନ୍ଧକାରରେ ପରିପୂର୍ଣ୍ଣ।

ସବୁଠାରୁ ବଡ଼ ଦୁଃଖର ବିଷୟ ହେଉଛି, ଯେଉଁମାନଙ୍କ ଉପରେ ସରକାର କୋଟି କୋଟି ଟଙ୍କାର ଆର୍ଥିକ କାରବାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି, ସେମାନଙ୍କୁ ଆଜି ମଧ୍ୟ ମାତ୍ର ତିନିରୁ ପାଞ୍ଚ ଘଣ୍ଟା ପାଇଁ "ଏନ୍‌ଗେଜ୍"  କରାଯାଉଛି। ବାସ୍ତବରେ ସେମାନେ ଦିନସାରା କାମ କରୁଛନ୍ତି, କିନ୍ତୁ ନିୟମାନୁଯାୟୀ ସେମାନେ ଏପର୍ଯ୍ୟନ୍ତ ପୂର୍ଣ୍ଣକାଳୀନ କର୍ମଚାରୀ ନୁହଁନ୍ତି। ଡାକ ବିଭାଗ‌ ପ୍ରାରମ୍ଭରୁ ଏମାନଙ୍କୁ ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଏଜେଣ୍ଟ (ଇଡିଏ ବା ଅତିରିକ୍ତ ବିଭାଗୀୟ ଏଜେଣ୍ଟ)  ଭାବେ ବିବେଚନା କରୁଥିଲେ ହେଁ ପୋଷ୍ଟ ଆଣ୍ଡ ଟେଲିଗ୍ରାଫ ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଏଜେଣ୍ଟ (କଣ୍ଡକ୍ଟ ଆଣ୍ଡ ସର୍ଭିସ୍) ରୁଲ୍ସ ୧୯୬୪ ଅନୁଯାୟୀ ଏମାନଙ୍କୁ ନିଯୁକ୍ତି ମିଳୁଥିଲା। ପରେ ୨୦୦୧ ମସିହାରେ ଏମାନଙ୍କ ପଦବୀକୁ ଇଡିଏ ବଦଳରେ ଜିଡିଏସକୁ ପରିବର୍ତ୍ତନ କରିବା ସହ ୧୯୬୪ର ନିୟମକୁ ବଦଳେଇ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ ଗ୍ରାମୀଣ ଡାକ ସେବକ (କଣ୍ଡକ୍ଟ ଆଣ୍ଡ ଏମ୍ଲଏମେଣ୍ଟ)  ରୁଲ୍ସ ୨୦୦୧ ଅଧୀନରେ ମଧ୍ୟ ନିଯୁକ୍ତି ମିଳୁଥିଲା। କିନ୍ତୁ ପରେ ପରେ ତାହା ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ ଗ୍ରାମୀଣ ଡାକ ସେବକ (କଣ୍ଡକ୍ଟ ଆଣ୍ଡ ଏନଗେଜମେଣ୍ଟ) ରୁଲ୍ସ ୨୦୧୧ ଓ‌ ୨୦୨୦କୁ ପରିବର୍ତ୍ତିତ ହୋଇ ସରକାରୀ ଶବ୍ଦ ଆପଏଣ୍ଟମେଣ୍ଟ, ଏମ୍ଲଏମେଣ୍ଟ  ଓ ଏନଗେଜମେଣ୍ଟର  ଭିତିରି ଖେଳ ଭିତରେ ଲକ୍ଷ ଲକ୍ଷ ଗ୍ରାମୀଣ ଡାକ ସେବକମାନଙ୍କୁ  ନିଯୁକ୍ତି ବଦଳରେ ନିୟୋଜିତ କରାଗଲା ତଥା ସେମାନଙ୍କୁ ନିୟମିତ କରି କେନ୍ଦ୍ର ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ‌ କରିବାର ରାସ୍ତାକୁ ଏକ କୂଟନୈତିକ ତଥା ଗଣତାନ୍ତ୍ରିକ ଉପାୟରେ ସବୁଦିନ ପାଇଁ ବନ୍ଦ କରି ଦିଆଗଲା। ଏହି ବିରୋଧାଭାସ କେବଳ ପ୍ରଶାସନିକ ତ୍ରୁଟି ନୁହେଁ; ଏହା ଏକ ଗଭୀର ସାମାଜିକ ଅନ୍ୟାୟ।

ଆଇନତଃ ଜିଡିଏସମାନଙ୍କୁ ସାଧାରଣ ବେସରକାରୀ କିମ୍ବା ସାମୟିକ ଶ୍ରମିକ ଭାବେ ଦେଖାଯାଇପାରିବ ନାହିଁ। ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଷ୍ଟ ଅଫିସେସ୍ ବନାମ ପି. କେ. ରାଜମ୍ମା (୧୯୭୭) ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ, ସେତେବେଳର ଏକ୍ସଟ୍ରା-ଡିପାର୍ଟମେଣ୍ଟାଲ୍ ଏଜେଣ୍ଟମାନେ, ଯେଉଁମାନେ ଆଜିର ଜିଡିଏସ୍‌ଙ୍କ ପୂର୍ବସୂରୀ, କେନ୍ଦ୍ର ସରକାରଙ୍କ ଅଧୀନରେ ସିଭିଲ୍ ପୋଷ୍ଟ ବା ସରକାରୀ ପଦବୀ ଧାରଣ କରନ୍ତି ଏବଂ ଉଚିତ ପରିସ୍ଥିତିରେ ସମ୍ବିଧାନର ଧାରା ୩୧୧ର ସୁରକ୍ଷା ପାଇପାରନ୍ତି। ପରବର୍ତ୍ତୀ ସମୟରେ ଛେତ୍‌ ରାମ ବନାମ ଜିତ୍ ସିଂହ (୨୦୦୮) ଏବଂ ବିନୋଦ କୁମାର ସାକ୍ସେନା ଓ ଅନ୍ୟମାନେ ବନାମ ଭାରତ ସରକାର (୯ ଡିସେମ୍ବର ୨୦୧୪) ମାମଲାରେ ମଧ୍ୟ ଜିଡିଏସ୍‌ଙ୍କ ସରକାରୀ ପଦବୀଧାରୀ ସ୍ଥିତିକୁ ନ୍ୟାୟାଳୟ ସ୍ୱୀକାର କରିଥିଲେ। ପେନସନ୍ ପ୍ରସଙ୍ଗରେ ବିନୋଦ କୁମାର ସାକ୍ସେନା ମାମଲାଗୁଡ଼ିକ (କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ, ନୂଆଦିଲ୍ଲୀ, ୧୭ ନଭେମ୍ବର ୨୦୧୬) ଗୁରୁତ୍ୱପୂର୍ଣ୍ଣ। ନ୍ୟାୟାଧିକରଣ ନିୟମିତ ଗ୍ରୁପ୍ ‘ଡି’ରେ ଅବସ୍ଥାପିତ ଜିଡିଏସ୍‌ଙ୍କ ସମ୍ପୂର୍ଣ୍ଣ ଜିଡିଏସ୍ ସେବାକୁ ପେନସନ୍ ପାଇଁ ଗଣନା କରିବାକୁ ଏବଂ ଜିଡିଏସ୍ ଭାବେ ଅବସର ନେଇଥିବା କର୍ମଚାରୀଙ୍କ ପାଇଁ ୧୯୭୨ର କେନ୍ଦ୍ରୀୟ ସିଭିଲ୍ ପେନସନ୍ ନିୟମ ଅନୁଯାୟୀ ୫/୮ ଅଂଶ ସେବା ଗଣନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ସୁପ୍ରିମକୋର୍ଟର ରାୟ ନୁହେଁ। ପରେ ଭାରତ ସରକାର ବନାମ ଗାଣ୍ଡିବ ବେହେରା ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ, ଭିନ୍ନ ନିୟମରେ ପରିଚାଳିତ ଜିଡିଏସ୍ ସେବାକୁ ନିୟମିତ ସରକାରୀ ସେବା ସହ ସ୍ୱତଃ ପେନସନ୍ ପାଇଁ ଯୋଡ଼ାଯାଇପାରିବ ନାହିଁ। ଏହାପରେ ବୁଟା ରାମ ଓ ଅନ୍ୟମାନେ ବନାମ ଭାରତ ସରକାର ଓ ଅନ୍ୟମାନେ (ଦିଲ୍ଲୀ ହାଇକୋର୍ଟ, ୩୧ ଅକ୍ଟୋବର ୨୦୨୫) ମାମଲାରେ ଜିଡିଏସ୍ ଭାବେ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍ ସମ୍ବନ୍ଧୀୟ ୨୦୧୬ର ନ୍ୟାୟାଧିକରଣ ନିର୍ଦ୍ଦେଶକୁ ବାତିଲ କରାଗଲା। ତେଣୁ ଆଇନଗତ ସ୍ଥିତି ଜଟିଳ ହେଲେ ମଧ୍ୟ ଗୋଟିଏ କଥା ସ୍ପଷ୍ଟ ଯେ ଜିଡିଏସ୍‌ମାନେ ସରକାରୀ ପଦବୀରେ ଥାଇ ମଧ୍ୟ ସେମାନଙ୍କୁ ନିୟମିତ କର୍ମଚାରୀଙ୍କ ଭଳି ସମାନ ସାମାଜିକ ସୁରକ୍ଷା ମିଳୁନାହିଁ। ସପ୍ତମ ବେତନ ଆୟୋଗରୁ ଜିଡିଏସ୍‌ଙ୍କୁ ବାଦ ଦିଆଯାଇଥିବା ପରିପ୍ରେକ୍ଷୀରେ, ଅଷ୍ଟମ ବେତନ ଆୟୋଗରେ ସେମାନଙ୍କୁ ସାମିଲ କରିବା ଦାବିକୁ ନ୍ୟାୟ, ସମାନତା ଓ ମର୍ଯ୍ୟାଦାର ଦୃଷ୍ଟିରୁ ପୁନର୍ବିଚାର କରିବା ଅତ୍ୟନ୍ତ ଆବଶ୍ୟକ।

ଜିଡିଏସମାନଙ୍କର ସ୍ୱାର୍ଥରହିତ ନୀରବଚ୍ଛିନ୍ନ ସେବା ପାଇଁ ପ୍ରଧାନମନ୍ତ୍ରୀ ଅନେକବାର‌ ପ୍ରଶଂସା କରିଛନ୍ତି। ମାନ୍ୟବର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦ୍ଵିତ ସିନ୍ଧିଆ ମହୋଦୟ ଏମାନଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣେଇ ନିକଟ ଅତୀତରେ ସଂସଦରେ ସେମାନଙ୍କ ଉଦ୍ଦେଶ୍ୟରେ ମଥାନତ କରିଛନ୍ତି। ହେଲେ ସେଥିରେ କ’ଣ ତାଙ୍କ ପେଟ ପୁରିବ‌ ନା ନିୟମିତ ବିଭାଗୀୟ କର୍ମଚାରୀର ମାନ୍ୟତା ‌ମିଳିବ! ନିଜ ଜୀବନର ତିନିରୁ ଚାରି ଦଶନ୍ଧି ଦେଶ ସେବାରେ ବିତାଇ ଦେଇଥିବା ଜିଡିଏସ୍ ଭାଗ୍ୟରେ ଅବସର ପରେ ନା‌ ଅଛି ନିୟମିତ ପେନ୍‌ସନ୍, ନା ଚିକିତ୍ସା ସୁବିଧା, ନା ଭବିଷ୍ୟତର ସୁରକ୍ଷା। ଯିଏ ସାରା ଜୀବନ ଅନ୍ୟମାନଙ୍କ ଜୀବନରେ ସୁରକ୍ଷା ଓ ନିଶ୍ଚିତତା ପହଞ୍ଚାଇଛନ୍ତି, ଅବସର ପରେ ସେ ନିଜେ ଅସୁରକ୍ଷିତ ହୋଇପଡ଼ୁଛନ୍ତି। ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ'ଣ ହୋଇପାରେ? ଆଜି ଜିଡିଏସ୍‌ମାନେ କୌଣସି ଦୟା ବା ଅନୁଗ୍ରହ ଚାହୁଁନାହାନ୍ତି। ସେମାନେ କେବଳ ନିଜର ନ୍ୟାୟସଙ୍ଗତ ଅଧିକାର ଦାବି କରୁଛନ୍ତି। ନିୟମିତକରଣ, ସରକାରୀ କର୍ମଚାରୀର ମାନ୍ୟତା, ପେନ୍‌ସନ୍, ସାମାଜିକ ସୁରକ୍ଷା ଏବଂ ବେତନ ଆୟୋଗରେ ଅନ୍ତର୍ଭୁକ୍ତି ଯାହା କୌଣସି ଅସ୍ୱାଭାବିକ ବା ଅଯୌକ୍ତିକର ଦାବି ନୁହେଁ। ଏଗୁଡ଼ିକ ସେମାନଙ୍କର ପ୍ରାପ୍ୟ ଓ ନ୍ୟାଯ୍ୟ ଅଧିକାର। ସମୟ ଆସିଛି ଭାରତ ସରକାର ଓ ଡାକ ବିଭାଗ ଉଚିତ୍  ବିଚାର କରି ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଥିବା ଏହି ବୈଷମ୍ୟର ଅବସାନ କରିବାକୁ ହେବ। କାରଣ ଇତିହାସ ସାକ୍ଷୀ, ଯେଉଁ ଶ୍ରମ ଉପରେ ଏକ ବ୍ୟବସ୍ଥା ଠିଆ ହୋଇଥାଏ, ସେହି ଶ୍ରମକୁ ଚିରଦିନ ଅବହେଳା କରି ରଖାଯାଇପାରେ ନାହିଁ। ଆଜି ଜିଡିଏସ୍‌ଙ୍କ ସଂଘର୍ଷ କେବଳ ପେନ୍‌ସନ୍ କିମ୍ବା ଚାକିରିର ମାନ୍ୟତା ପାଇଁ ନୁହେଁ; ଏହା ଶ୍ରମର ମର୍ଯ୍ୟାଦା, ସାମାଜିକ ନ୍ୟାୟ ଓ ସମ୍ବିଧାନ ପ୍ରଦତ୍ତ ସମାନତାର ଆଦର୍ଶ ପାଇଁ ଏକ ସଂଘର୍ଷ। ଦେଶର ଏହି ନିରବ ସୈନିକମାନେ ନିଜ କର୍ତ୍ତବ୍ୟ ପାଳନ କରିସାରିଛନ୍ତି। ଏବେ ଦେଶ ସେମାନଙ୍କ ପ୍ରତି ନିଜର କର୍ତ୍ତବ୍ୟ ପାଳନ କରିବାର ସମୟ ଉପନୀତ।

*****



No comments:

Post a Comment