ପେନସନ୍ ବ୍ୟବସ୍ଥାରେ ବିଷମତା
ଭାରତର ସାମ୍ପ୍ରତିକ ପେନସନ୍ ବ୍ୟବସ୍ଥା ନିଯୁକ୍ତିଦାତା, ପେଶା, କେନ୍ଦ୍ର, ରାଜ୍ୟ, ନିଯୁକ୍ତି ତାରିଖ ଓ ସାମାଜିକ ସ୍ଥିତି ଅନୁଯାୟୀ ଭିନ୍ନ ଭିନ୍ନ। ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ୧ ଜାନୁଆରୀ ୨୦୦୪ ପୂର୍ବରୁ ପୁରୁଣା ପେନସନ ଯୋଜନା (ଓପିଏସ୍) କିମ୍ବା ତାପରେ ଜାତୀୟ ପେନସନ ଯୋଜନା (ଏନପିଏସ୍) ଅଧୀନରେ ଥାଇପାରନ୍ତି, ଯେତେବେଳେକି ନୂଆ ନିଯୁକ୍ତ କର୍ମଚାରୀ ୧ ଏପ୍ରିଲ ୨୦୨୫ଠାରୁ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଏକିକୃତ ପେନସନ୍ ଯୋଜନାକୁ (ୟୁପିଏସ୍) ଇଛାକୃତ ଭାବେ ବାଛିପାରନ୍ତି। ରାଜ୍ୟ ସରକାରୀ କର୍ମଚାରୀମାନେ ସମ୍ପୃକ୍ତ ରାଜ୍ୟ ଓ ନିଯୁକ୍ତି ତାରିଖ ଅନୁସାରେ ଓପିଏସ୍, ଏନପିଏସ୍ କିମ୍ବା ରାଜ୍ୟର ନିର୍ଦ୍ଦିଷ୍ଟ ପେନସନ୍ ବ୍ୟବସ୍ଥାରେ ଥାଇପାରନ୍ତି। ପ୍ରତିରକ୍ଷା ବାହିନୀର କର୍ମଚାରୀଙ୍କ ପାଇଁ ୱାନ୍ ରାଙ୍କ୍ ୱାନ୍ ପେନସନ୍ (ଓଆରଓପି) ଭଳି ଏକ ସ୍ୱତନ୍ତ୍ର ପେନସନ୍ ବ୍ୟବସ୍ଥା ରହିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ଇପିଏଫ୍, ଇପିଏସ୍ ଓ ଅନ୍ୟାନ୍ୟ ଅବସରକାଳୀନ ବ୍ୟବସ୍ଥା ରହିଛି। ଘରୋଇ କ୍ଷେତ୍ର ଓ ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ଏନପିଏସ୍, ଅଟଳ ପେନସନ ଯୋଜନା (ଏପିୱାଇ) କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍ଓ) କିମ୍ବା ନିଜସ୍ୱ ସଞ୍ଚୟ ଉପରେ ନିର୍ଭର କରନ୍ତି। ଗରିବ ବରିଷ୍ଠ ନାଗରିକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସହାୟତା ପେନସନ୍ ଉପରେ ନିର୍ଭରଶୀଳ। ଏପରିକି ସାଂସଦ ଓ ବିଧାୟକମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଆଇନଗତ ପେନସନ୍ ବ୍ୟବସ୍ଥା ରହିଛି। ଅର୍ଥାତ୍ ଭାରତର ସାମ୍ପ୍ରତିକ ପେନସନ୍ ବ୍ୟବସ୍ଥାସମୂହ ଆମ ଦେଶର ସାମାଜିକ ସୁରକ୍ଷା ଯୋଜନାଗୁଡିକର ଏକ ଅତ୍ୟନ୍ତ ଜଟିଳ ଓ ରାଜନୈତିକ ଭାବେ ସମ୍ବେଦନଶୀଳ ବିଷମତାକୁ ପରିପ୍ରକାଶ କରେ।
ଓପିଏସ୍-ଏନପିଏସ୍-ୟୁପିଏସ୍ ବିବାଦ ନିଜେ ଏହି ବିରୋଧାଭାସକୁ ସ୍ପଷ୍ଟ କରେ। ୩୧ ଡିସେମ୍ବର ୨୦୦୩ ସୁଦ୍ଧା କେନ୍ଦ୍ର ସରକାରୀ ଚାକିରିରେ ଥିବା କର୍ମଚାରୀଙ୍କୁ ପାରମ୍ପରିକ ଓପିଏସ୍ ଅଧୀନରେ ଅବସର ପରେ ଯୋଗ୍ୟତାଭିତ୍ତିକ ସେବାକାଳ ଓ ବେତନ ସହିତ ସଂପୃକ୍ତ ଏକ ନିର୍ଦ୍ଧାରିତ ଓ ନିଶ୍ଚିତ ପେନସନ୍ ମିଳେ, ଯାହା ସହିତ ପ୍ରଚଳିତ ନିୟମ ଅନୁଯାୟୀ ପରିବାର ପେନସନ୍ ଓ ମହଙ୍ଗାଭତ୍ତା ମଧ୍ୟ ରହିଥାଏ। ୧ ଜାନୁଆରୀ ୨୦୦୪ ପରଠାରୁ ଏନପିଏସ୍ ଏହା ବଦଳରେ ଏକ ନିର୍ଦ୍ଧାରିତ ଅବଦାନ ଓ ବଜାର-ନିର୍ଭରଶୀଳ କର୍ପସ୍ ଆଧାରିତ ବ୍ୟବସ୍ଥା ଆଣିଲା। ୧ ଏପ୍ରିଲ ୨୦୨୫ରୁ ଯୋଗ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏନପିଏସ୍ ଢାଞ୍ଚା ମଧ୍ୟରେ ଆସିଥିବା ୟୁପିଏସ୍ ଅବସରକାଳୀନ ଆୟରେ ନିଶ୍ଚିତତାର ଏକ ଅଂଶ ପୁନଃସ୍ଥାପନ କରିବାକୁ ଚେଷ୍ଟା କରିଛି। ୨୫ ବର୍ଷର ଯୋଗ୍ୟତାଭିତ୍ତିକ ସେବା ସମ୍ପୂର୍ଣ୍ଣ କରିଥିବା କର୍ମଚାରୀଙ୍କ ପାଇଁ ଶେଷ ୧୨ ମାସର ହାରାହାରି ମୂଳ ବେତନର ୫୦% ନିଶ୍ଚିତ ପେଆଉଟ୍ ବ୍ୟବସ୍ଥା ସହ କମ୍ ସେବାକାଳ ପାଇଁ ଆନୁପାତିକ ସୁବିଧା ଓ ପରିବାର ପାଇଁ ପେନସନ୍ ବ୍ୟବସ୍ଥା ମଧ୍ୟ ରହିଛି।
ଏହି ପରିପ୍ରେକ୍ଷୀରେ, ଜନପ୍ରତିନିଧିମାନଙ୍କ ପ୍ରତି ହେଉଥିବା ବ୍ୟବହାରକୁ ଦେଖିଲେ ପ୍ରଶ୍ନଟି ଆହୁରି ତୀବ୍ର ହୋଇଯାଏ। ସାଂସଦମାନଙ୍କ ପାଇଁ ଦରମା, ଭତ୍ତା ଓ ନିର୍ଦ୍ଦିଷ୍ଟ ଅଧିନିୟମ ଅନୁଯାୟୀ ସ୍ୱତନ୍ତ୍ର ପେନସନ୍ ବ୍ୟବସ୍ଥା ରହିଛି ଏବଂ ରାଜ୍ୟ ବିଧାୟକମାନଙ୍କ ପାଇଁ ସମ୍ପୃକ୍ତ ରାଜ୍ୟ ଆଇନ ଅନୁଯାୟୀ ମଧ୍ୟ ପେନସନ୍ ଦିଆଯାଉଛି। ସେମାନଙ୍କ ପେନସନ୍ ବ୍ୟବସ୍ଥା, ୧ ଜାନୁଆରୀ ୨୦୦୪ରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଚଳିତ ଏନପିଏସ୍ ଅଥବା ୧ ଅପ୍ରେଲ ୨୦୨୫ରୁ ପ୍ରଚଳିତ ୟୁପିଏସ୍ ଭଳି କଟ୍-ଅଫ୍ ତାରିଖ ଅଧୀନରେ ନାହିଁ। ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଯଦି ୧ ଜାନୁଆରୀ ୨୦୦୪ ପରେ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଅବଦାନଭିତ୍ତିକ ପେନସନ୍ ଆବଶ୍ୟକ ବୋଲି କୁହାଯାଏ ଏବଂ ଅନୁଦାନବିହୀନ ପେନସନ୍ର ଆର୍ଥିକ ଭାରକୁ ଅସହ୍ୟ ବୋଲି ଦର୍ଶାଯାଏ, ତେବେ ସେହି ଆର୍ଥିକ ସତର୍କତାର ମାପଦଣ୍ଡ ସେହି ତାରିଖ ପରେ ସଂସଦ କିମ୍ବା ବିଧାନସଭାକୁ ପ୍ରବେଶ କରିଥିବା ଜନପ୍ରତିନିଧିମାନଙ୍କ ପାଇଁ କାହିଁକି ପ୍ରୟୋଗ ହେବ ନାହିଁ? ପ୍ରଶ୍ନଟି ବିଧାୟକ କିମ୍ବା ସାଂସଦମାନେ ଆଇନଗତ ଭାବେ ପେନସନ୍ ପାଇବାର ଅଧିକାରୀ କି ନୁହେଁ, ସେନେଇ ନୁହେଁ। ପ୍ରଶ୍ନଟି ହେଉଛି, ଯେତେବେଳେ କର୍ମଚାରୀଙ୍କ ବିରୋଧରେ ସରକାର ଆର୍ଥିକ ସତର୍କତାକୁ ଏକ ମୁଖ୍ୟ ଯୁକ୍ତି ଭାବେ ଉପସ୍ଥାପନ କରୁଛନ୍ତି, ସେତେବେଳେ ଜନପ୍ରତିନିଧିମାନଙ୍କ ପାଇଁ ଭିନ୍ନ ମାପଦଣ୍ଡ କାହିଁକି?
ଏଠି କହି ରଖିବା ଉଚିତ୍ ହେବ ଯେ କର୍ମଚାରୀଙ୍କ ପେନସନ୍ ବିଷୟରେ କଥା ଉଠିଲେ ସରକାର ଆର୍ଥିକ ସୁବିଚାରକୁ କଠୋରତାର ସହିତ ବିଚାର କଲାବେଳେ ଅନ୍ୟ କ୍ଷେତ୍ରରେ ଆର୍ଥିକ ଶୃଙ୍ଖଳାକୁ ବେଶ୍ ନମନୀୟତାର ସହ ଗ୍ରହଣ କରନ୍ତି। ବିତ୍ତ ଅଧିନିୟମ ୨୦୨୫ ଜରିଆରେ କେନ୍ଦ୍ରୀୟ ବେସାରିକ ସେବା ପେନସନ୍ ନିୟମାବଳୀ ସମ୍ପର୍କିତ କିଛି ବ୍ୟବସ୍ଥା ଓ ପେନସନ୍ ଦାୟିତ୍ୱ ସମ୍ବନ୍ଧୀୟ ନୀତିକୁ ୧୯୭୪ରୁ ବୈଧତା ପ୍ରଦାନ କରାଯିବା ଏବଂ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗର ସର୍ତ୍ତାବଳୀରେ ଦେଶର ଆର୍ଥିକ ପରିସ୍ଥିତି ଓ ଆର୍ଥିକ ସତର୍କତାର ଆବଶ୍ୟକତାକୁ ବିଚାର କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା, ସରକାରୀ କର୍ମଚାରୀଙ୍କ ପେନସନ ପ୍ରତି ସରକାରଙ୍କ କଠୋର ମନୋଭାବର ସ୍ପଷ୍ଟ ପ୍ରମାଣ। ଅଧିକନ୍ତୁ, ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ଲାଗୁହେବା ଦିନକୁ ଏକ କଟ୍-ଅଫ୍ ତାରିଖ ଭାବେ ଗ୍ରହଣ କରି ପୂର୍ବ ଓ ପର ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ନିର୍ଦ୍ଧାରଣ ଓ ସଂଶୋଧନକୁ ନେଇ ବିତ୍ତ ଅଧିନିୟମ ୨୦୨୫ ଧାରା ୧୪୬ ରୁ ୧୫୦ ମଧ୍ୟରେ ସରକାରଙ୍କ କ୍ଷମତା ମଧ୍ୟ ସନ୍ଦେହଜନକ ଯାହା ଗୋଟିଏ ଶ୍ରେଣୀ ଭିତରେ ଆଉ ଗୋଟିଏ ଶ୍ରେଣୀ ସୃଷ୍ଟିକରି ପେନସନଭୋଗୀମାନଙ୍କୁ ଭାଗଭାଗ କରିବ। ଜନପ୍ରତିନିଧିମାନେ ଏଭଳି ନିୟମରୁ ଉର୍ଦ୍ଧରେ। ଆର୍ଥିକ ସତର୍କତା ନିଶ୍ଚିତ ଭାବେ ଆବଶ୍ୟକ। କିନ୍ତୁ ଏହା କେବଳ କର୍ମଚାରୀଙ୍କ ଅବସରକାଳୀନ ସୁରକ୍ଷା ପାଇଁ ପ୍ରୟୋଗ ହେଉଥିବା ଏକପାଖିଆ ନୀତି ହେବା ଉଚିତ୍ ନୁହେଁ। ତେଣୁ ପେନସନ୍ରେ ଏହି ବିଷମ ବ୍ୟବହାର ସମ୍ବିଧାନ ପ୍ରଦତ୍ତ ସମାନତାର ଉଲଂଘନ କହିଲେ ଅତ୍ୟୁକ୍ତି ହେବନାହିଁ।
ଅନ୍ୟପକ୍ଷରେ ସରକାରଙ୍କ ଆର୍ଥିକ ପ୍ରାଥମିକତାକୁ ଦେଖିଲେ ଏହି ପ୍ରଶ୍ନ ଆହୁରି ଗମ୍ଭୀର ହୋଇଯାଏ। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକର ଋଣର କୋଟି କୋଟି ଟଙ୍କା ରାଇଟ୍-ଅଫ୍ କିମ୍ବା ସେଟଲମେଣ୍ଟ କରାଯାଉଛି; ନିବେଶ ଓ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କର ରିହାତି ଓ ବିଭିନ୍ନ ସହାୟତା ଦିଆଯାଉଛି; ଏବଂ ଭୋଟବ୍ୟାଙ୍କକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ମାଗଣା ଯୋଜନା ଓ ଲୋଭନୀୟ କାର୍ଯ୍ୟକ୍ରମ ମଧ୍ୟ ଚାଲୁଛି। ଏପରି କର୍ପୋରେଟ୍ ପୁନର୍ଗଠନ, କର ପ୍ରୋତ୍ସାହନ କିମ୍ବା ଜନକଲ୍ୟାଣ ଯୋଜନାର ନିଜସ୍ୱ ଅର୍ଥନୈତିକ ଓ ସାମାଜିକ ଯୁକ୍ତି ଥାଇପାରେ। କିନ୍ତୁ ପ୍ରଶ୍ନ ହେଉଛି ପ୍ରାଥମିକତା ଓ ସମାନ ମାପଦଣ୍ଡର। ଯଦି ଅର୍ଥନୈତିକ ସ୍ୱାର୍ଥ, ନିବେଶ କିମ୍ବା ରାଜନୈତିକ ସମର୍ଥନ ପାଇଁ ସରକାରୀ ଅର୍ଥ ବ୍ୟବହାର କରାଯାଇପାରେ, ତେବେ ଦଶନ୍ଧି ଦଶନ୍ଧି ଧରି ସରକାରୀ ସେବା କରିଥିବା କର୍ମଚାରୀଙ୍କ ଅବସରକାଳୀନ ଅଧିକାରକୁ ଅସହ୍ୟ ଆର୍ଥିକ ଭାର ବୋଲି କାହିଁକି ଦେଖାଯିବ? ଆର୍ଥିକ ସତର୍କତାର ଅର୍ଥ କର୍ମଚାରୀଙ୍କ ପାଇଁ କଠୋରତା ଓ ଅନ୍ୟ କ୍ଷେତ୍ରରେ ଆର୍ଥିକ ଉଦାରତା ହୋଇପାରେ ନାହିଁ। ସର୍ବସାଧାରଣ ଅର୍ଥବ୍ୟୟର ପ୍ରତ୍ୟେକ କ୍ଷେତ୍ରରେ ଏକପ୍ରକାରର ମାପଦଣ୍ଡ ପ୍ରୟୋଗ ହେବା ଆବଶ୍ୟକ।
ରାଜ୍ୟ ସରକାରୀ ପେନସନ୍ ବ୍ୟବସ୍ଥା ଏହି ବିରୋଧାଭାସକୁ ଆହୁରି ତୀବ୍ର କରିଥାଏ। ଭାରତରେ ଏବେ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପେନସନ୍ ନୀତି ରହିଛି। କେତେକ ରାଜ୍ୟ ଓପିଏସକୁ ପୁନଃ ଲାଗୁ କରିବାକୁ ଘୋଷଣା କରିଛନ୍ତି କିମ୍ବା ସେହି ଦିଗରେ ଯାଇଛନ୍ତି; ଅନ୍ୟମାନେ ଏନପିଏସ୍ ଜାରି ରଖିଛନ୍ତି କିମ୍ବା ବିକଳ୍ପ ବ୍ୟବସ୍ଥା ଖୋଜୁଛନ୍ତି। ଫଳରେ ସମାନ ପ୍ରକାରର କାମ କରୁଥିବା, ସମାନ ପ୍ରକାରର ସେବା କରୁଥିବା ଦୁଇଜଣ କର୍ମଚାରୀ କେବଳ ଦୁଇଟି ଭିନ୍ନ ରାଜ୍ୟରେ କାମ କରୁଥିବାରୁ କିମ୍ବା ଏକ ନିର୍ଦ୍ଦିଷ୍ଟ କଟ୍-ଅଫ୍ ତାରିଖ ପୂର୍ବରୁ କିମ୍ବା ପରେ ନିଯୁକ୍ତ ହୋଇଥିବାରୁ ଅବସର ସମୟରେ ସମ୍ପୂର୍ଣ୍ଣ ଭିନ୍ନ ପେନସନ୍ ସୁବିଧା ପାଇପାରନ୍ତି। ଭୌଗୋଳିକ ସୀମା କିମ୍ବା ନିଯୁକ୍ତି ତାରିଖର ଏକ ଆକସ୍ମିକ ଭିନ୍ନତା କ’ଣ ଜଣେ ବ୍ୟକ୍ତିଙ୍କ ବୃଦ୍ଧାବସ୍ଥାର ସମ୍ମାନ ନିର୍ଦ୍ଧାରଣ କରିବ? ସମ୍ବିଧାନର ଅନୁଚ୍ଛେଦ ୪୧ରେ ରାଜ୍ୟର ଆର୍ଥିକ ସାମର୍ଥ୍ୟ ଓ ବିକାଶର ସୀମା ମଧ୍ୟରେ ବୃଦ୍ଧାବସ୍ଥା, ରୋଗ ଓ ଅକ୍ଷମତା ଭଳି ପରିସ୍ଥିତିରେ ଜନସାଧାରଣଙ୍କୁ ସାମାଜିକ ସହାୟତା ଯୋଗାଇବା ପାଇଁ ପ୍ରଭାବଶାଳୀ ବ୍ୟବସ୍ଥା କରିବାର ନିର୍ଦ୍ଦେଶ ରହିଛି। ଅନୁଚ୍ଛେଦ ୩୮ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ଉପରେ ଆଧାରିତ ସାମାଜିକ ବ୍ୟବସ୍ଥା ଗଠନ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦିଏ। ଅନୁଚ୍ଛେଦ ୩୯ ଜୀବିକାର ପର୍ଯ୍ୟାପ୍ତ ସାଧନ ଓ ସାଧାରଣ ମଙ୍ଗଳ ପାଇଁ ସମ୍ପଦ ବଣ୍ଟନ ଉପରେ ଗୁରୁତ୍ୱ ଦିଏ। ନ୍ୟାୟପାଳିକାର ବ୍ୟାଖ୍ୟା ମଧ୍ୟ ଏହି ଦୃଷ୍ଟିକୋଣକୁ ଶକ୍ତିଶାଳୀ କରିଛି। ଦେବକୀନନ୍ଦନ ପ୍ରସାଦ ବନାମ ବିହାର ରାଜ୍ୟ ସରକାର ମାମଲାରେ ସୁପ୍ରିମକୋର୍ଟ ପେନସନ୍କୁ ସରକାରଙ୍କ ଦୟା କିମ୍ବା ଅନୁଗ୍ରହ ଭାବେ ଦେଖିବାର ପୁରୁଣା ଧାରଣାକୁ ଅସ୍ୱୀକାର କରି, ଏହାକୁ ପ୍ରଚଳିତ ଆଇନଗତ ବ୍ୟବସ୍ଥାରୁ ଉତ୍ପନ୍ନ ଏକ ମୂଲ୍ୟବାନ ଅଧିକାର ଭାବେ ସ୍ୱୀକାର କରିଥିଲେ। ଡି ଏସ୍ ନାକରା ବନାମ କେନ୍ଦ୍ର ସରକାର ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ପେନସନ୍କୁ ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ଦୃଷ୍ଟିକୋଣରୁ ବିଚାର କରିଥିଲେ। ଏହି ରାୟଗୁଡ଼ିକ ଏକ ମୌଳିକ ନୀତି ସ୍ଥାପନ କରି ସ୍ପଷ୍ଟ କରିଛନ୍ତି ଯେ ପେନସନ୍ କୌଣସି ଦାନ ନୁହେଁ; ଏହା ସରକାର ଓ ତାହାର ସେବା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ସୁରକ୍ଷାର ସମ୍ପର୍କର ଏକ ଅଂଶ।
ତେଣୁ ଏବର ପ୍ରକୃତ ସମସ୍ୟା ହେଉଛି, ପେନସନ୍ ନ୍ୟାୟ ବନାମ ପେନସନ୍ ବିଷମତା। ଭାରତକୁ ଉପରୋକ୍ତ ସମସ୍ତ ବ୍ୟବସ୍ଥାରୁ ଭଲ ଦିଗଗୁଡ଼ିକୁ ନେଇ ଆହୁରି ଉନ୍ନତ ଏକ ବ୍ୟବସ୍ଥା ଗଢ଼ିବାକୁ ହେବ। କେନ୍ଦ୍ର ଓ ରାଜ୍ୟ ସରକାର, କର୍ମଚାରୀ ଓ ପେନସନର୍ସ ସଂଗଠନ, ନିଯୁକ୍ତିଦାତା, ଇପିଏଫ୍ଓ, ପିଏଫ୍ଆରଡିଏ, ଅର୍ଥନୀତିଜ୍ଞ, ଆକ୍ଚୁଆରୀ ଓ ସମ୍ବିଧାନ ବିଶେଷଜ୍ଞମାନେ ଏକାଠି ହୋଇ ଜାତୀୟ ପେନସନ ସୁରକ୍ଷା ଉପରେ ଆଲୋଚନା କରିବା ଉଚିତ। ଭିନ୍ନ କାମ ପାଇଁ ଭିନ୍ନ ପେନସନ୍, ଭିନ୍ନ ସେବା ପାଇଁ ଭିନ୍ନ ସୁବିଧା ଯୁକ୍ତିସଙ୍ଗତ ହୋଇପାରେ। ଭିନ୍ନ ଭିନ୍ନ ରାଜ୍ୟ ନିଜ ସାମ୍ବିଧାନିକ କ୍ଷମତା ରକ୍ଷା କରିପାରନ୍ତି। କିନ୍ତୁ ସମ୍ମାନର ସହିତ ବୃଦ୍ଧାବସ୍ଥା ବିତାଇବାର ଅଧିକାର ନିଯୁକ୍ତିର ତାରିଖ, ନିଯୁକ୍ତିର ରାଜ୍ୟ, ନିଯୁକ୍ତିଦାତାର ପ୍ରକାର ତଥା ଉପଭୋକ୍ତାର ସାମାଜିକ ସ୍ଥିତି ଉପରେ ନିର୍ଭରଶୀଳ ହେବା ଉଚିତ ନୁହେଁ।
*****

No comments:
Post a Comment