ନିଯୁକ୍ତି ଓ ବେକାରି: ପରିସଂଖ୍ୟାନ ବନାମ ବାସ୍ତବତା
ଭାରତର ସାମ୍ପ୍ରତିକ ନିଯୁକ୍ତି ଓ ବେକାରି ପରିସ୍ଥିତି ଏକ ଅଦ୍ଭୁତ ବିଡ଼ମ୍ବନାକୁ ପ୍ରକାଶ କରୁଛି। ଗୋଟିଏ ପଟେ ସରକାରୀ ପରିସଂଖ୍ୟାନରେ ସାମଗ୍ରିକ ବେକାରି ହାରରେ ଉଲ୍ଲେଖନୀୟ ହ୍ରାସ ଏବଂ ଶ୍ରମଶକ୍ତିରେ ଅଂଶଗ୍ରହଣ ବୃଦ୍ଧି ପରିଲକ୍ଷିତ ହେଉଥିଲା ବେଳେ ଅନ୍ୟପଟେ, ଯୁବପିଢ଼ି, ସ୍ନାତକ, ମହିଳା ଓ ଶିକ୍ଷିତ ବର୍ଗଙ୍କ ମଧ୍ୟରେ ବେକାରି, ବ୍ୟାପକ ସ୍ୱ-ନିଯୁକ୍ତି, ଅନୌପଚାରିକ ନିଯୁକ୍ତି ଏବଂ ଶିକ୍ଷା ଓ ନିଯୁକ୍ତି ମଧ୍ୟରେ ଗଭୀର ଅସମନ୍ୱୟ ଏକ ଗୁରୁତର ସମସ୍ୟା ହୋଇ ରହିଛି। ତେଣୁ ପ୍ରକୃତ ପ୍ରଶ୍ନ କେବଳ ବେକାରି ହାର କମିଛି କି ନାହିଁ ନୁହେଁ; ବରଂ ଭାରତ ତାହାର ବଢ଼ୁଥିବା କର୍ମକ୍ଷମ ଜନସଂଖ୍ୟା ପାଇଁ ପର୍ଯ୍ୟାପ୍ତ, ଉତ୍ପାଦନଶୀଳ, ସମ୍ମାନଜନକ, ଉଚିତ ଦରମା ଓ ସାମାଜିକ ସୁରକ୍ଷା ସହିତ ନିଯୁକ୍ତି ସୃଷ୍ଟି କରିପାରୁଛି କି ନାହିଁ। ଏହି ପରିପ୍ରେକ୍ଷୀରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ନିୟମିତ ଶ୍ରମଶକ୍ତି ସର୍ବେକ୍ଷଣ ବାର୍ଷିକ ରିପୋର୍ଟ ୨୦୨୫ ଭାରତର ନିଯୁକ୍ତି ପରିସ୍ଥିତିର ସବୁଠାରୁ ପ୍ରାମାଣିକ ଚିତ୍ର ପ୍ରଦାନ କରେ। ଏହି ରିପୋର୍ଟ ଅନୁସାରେ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କ ପାଇଁ ବେକାରି ହାର ୨୦୨୪ର ୩.୨% ତୁଳନାରେ ୨୦୨୫ରେ ୩.୧% ଥିଲା। ସେହିଭଳି ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀଙ୍କ ମଧ୍ୟରେ ବେକାରି ହାର ୧୦.୩%ରୁ ୯.୯%କୁ ହ୍ରାସ ପାଇଛି। କିନ୍ତୁ ସହରାଞ୍ଚଳର ଯୁବ ବେକାରି ହାର ଏବେ ବି ୧୩.୬% ରହିଛି। ଏଥିରୁ ବେକାରି ସମସ୍ୟାରେ କିଛି ଉନ୍ନତି ପରିଲକ୍ଷିତ ହେଉଥିଲେ ମଧ୍ୟ ଭାରତର ନିଯୁକ୍ତି ସମସ୍ୟା ସମାଧାନ ହୋଇଗଲା ବୋଲି କୁହାଯାଇପାରିବ ନାହିଁ।
ସର୍ବେକ୍ଷଣର ନିର୍ଦ୍ଧାରିତ ପରିଭାଷା ଅନୁସାରେ କେହି କିଛି ସମୟ କାମ କରିଥିଲେ ତାଙ୍କୁ ନିଯୁକ୍ତ ବୋଲି ଗଣନା କରାଯାଇପାରେ, ଯଦିଓ ସେହି କାମର ଦରମା ଅତ୍ୟନ୍ତ କମ୍, କାମ ଅନିୟମିତ, ତାଙ୍କ ଯୋଗ୍ୟତାଠାରୁ ଅନେକ ତଳେ କିମ୍ବା ସେହି କାମ ତାଙ୍କ ଜୀବନଯାପନ ପାଇଁ ପର୍ଯ୍ୟାପ୍ତ ନୁହେଁ। ୨୦୨୫ର ଶ୍ରମଶକ୍ତି ସର୍ବେକ୍ଷଣ ଅନୁସାରେ ୫୬.୨% କର୍ମଜୀବୀ ସ୍ୱ-ନିଯୁକ୍ତ ଥିଲେ ଯାହା ୨୦୨୪ର ୫୭.୫% ତୁଳନାରେ କମ୍। ନିୟମିତ ଦରମାଭୋଗୀ କିମ୍ବା ବେତନଭୋଗୀ ମୋଟ୍ ନିଯୁକ୍ତିର ୨୨.୪%ରୁ ବଢ଼ି ୨୩.୬%ରେ ପହଞ୍ଚି ଥିଲେ ବି ଭାରତର ଏକ ବିଶାଳ ଶ୍ରମଶକ୍ତି ଏବେ ବି ନିୟମିତ ବେତନଭିତ୍ତିକ ନିଯୁକ୍ତି ବା ସମ୍ମାନଜନକ ନିଯୁକ୍ତି ବାହାରେ ରହିଛି। ସଦ୍ୟତମ ଶ୍ରମଶକ୍ତି ସର୍ବେକ୍ଷଣ ଅନୁସାରେ ଯୁବ ବେକାରି ହାର ୯.୯%, ଯାହା ସାମଗ୍ରିକ ବେକାରି ହାରଠାରୁ ତିନିଗୁଣ ଅଧିକ। ସହରାଞ୍ଚଳରେ ଏହା ୧୩.୬%। ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୨୫ରେ ୧୫ରୁ ୨୯ ବର୍ଷ ବୟସର ପ୍ରାୟ ୨୫% ଯୁବକଯୁବତୀ ନିଯୁକ୍ତି, ଶିକ୍ଷା କିମ୍ବା ପ୍ରଶିକ୍ଷଣରେ ନଥିଲେ। ୧୫ରୁ ୨୪ ବର୍ଷ ବୟସରେ ଏହି ଅନୁପାତ ୨୧% ଥିଲା। ଏହା ଦର୍ଶାଉଛି ଯେ ଭାରତର ଏକ ବଡ଼ ଯୁବ ଜନସଂଖ୍ୟା ନା ଶିକ୍ଷା ଗ୍ରହଣ କରୁଛି, ନା ପ୍ରଶିକ୍ଷଣ ନେଉଛି, ନା ଉତ୍ପାଦନଶୀଳ ଭାବେ ଶ୍ରମବଜାରରେ ଅଂଶଗ୍ରହଣ କରୁଛି।
ଆନ୍ତର୍ଜାତୀୟ ଶ୍ରମ ସଂଗଠନ ମାନବ ବିକାଶ ପ୍ରତିଷ୍ଠାନର ଭାରତ ନିଯୁକ୍ତି ରିପୋର୍ଟ ୨୦୨୪ ଏହି ସମସ୍ୟାକୁ ଆହୁରି ଗଭୀର ଭାବେ ଉପସ୍ଥାପନ କରେ। ରିପୋର୍ଟ ଅନୁସାରେ ଭାରତର ବେକାରି ସମସ୍ୟା କ୍ରମଶଃ ଯୁବକ ଓ ଶିକ୍ଷିତ ବର୍ଗ ମଧ୍ୟରେ କେନ୍ଦ୍ରୀଭୂତ ହେଉଛି। ୨୦୨୨ରେ ମୋଟ ବେକାର ଲୋକଙ୍କ ମଧ୍ୟରୁ ୮୨.୯% ଯୁବକଯୁବତୀ ଥିଲେ। ଏହା ସହିତ, ଶିକ୍ଷିତ ଯୁବକମାନେ ମୋଟ୍ ବେକାରଙ୍କ ମଧ୍ୟରୁ ୬୫.୭% ଥିଲେ ଯାହା ୨୦୦୦ରେ ୫୪.୨% ଥିଲା। ତେଣୁ ଏବର ଶିକ୍ଷା, ନିଯୁକ୍ତିର ନିଶ୍ଚିତତା ଦେଇପାରୁନାହିଁ ବୋଲି ଏହି ରିପୋର୍ଟ ସ୍ପଷ୍ଟ କରେ। ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ପରିସ୍ଥିତି ମଧ୍ୟ ଚିନ୍ତାଜନକ। ଉକ୍ତ ରିପୋର୍ଟ ଅନୁସାରେ ୨୦୨୨ରେ ସ୍ନାତକ ଡିପ୍ଲୋମାଧାରୀ ଯୁବକମାନଙ୍କ ମଧ୍ୟରେ ବେକାରି ହାର ୩୧.୧% ଥିଲାବେଳେ, ବୈଷୟିକ ପ୍ରଶିକ୍ଷଣ ଡିଗ୍ରୀଧାରୀଙ୍କ ମଧ୍ୟରେ ଏହା ୨୯.୪% ଥିଲା। ଏହା ଏକ ଗଭୀର ସଂରଚନାତ୍ମକ ବିରୋଧାଭାସକୁ ପ୍ରକାଶ କରେ। ଭାରତ ଉଚ୍ଚ ଓ ବୈଷୟିକ ଶିକ୍ଷାର ବିସ୍ତାର ପାଇଁ ବିପୁଳ ନିବେଶ କରି ମଧ୍ୟ ବହୁ ସଂଖ୍ୟକ ଶିକ୍ଷିତ ଯୁବକଯୁବତୀ ଏବେ ବି ଉପଯୁକ୍ତ ନିଯୁକ୍ତି ପାଇପାରୁନାହାନ୍ତି। ତେଣୁ ସମସ୍ୟା କେବଳ ଦକ୍ଷତାର ଅଭାବ ନୁହେଁ; ଏହା ଉପଯୁକ୍ତ ନିଯୁକ୍ତିର ଅଭାବ ମଧ୍ୟ।
ନୀତି ଆୟୋଗର ସଦ୍ୟତମ “ବିକଶିତ ଭାରତ–୨୦୪୭ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା” ରିପୋର୍ଟ ମଧ୍ୟ ଏହି ସମସ୍ୟାକୁ ସମର୍ଥନ କରେ। ରିପୋର୍ଟରେ ଆର୍ଥିକ ସର୍ବେକ୍ଷଣ ୨୦୨୪–୨୫କୁ ଉଦ୍ଧୃତ କରି କୁହାଯାଇଛି ଯେ କେବଳ ୮.୨୫% ସ୍ନାତକ ନିଜ ଯୋଗ୍ୟତା ସହ ସମ୍ପୃକ୍ତ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି। ଏହା ସହିତ ନୀତି ଆୟୋଗ, ୨୦୨୩–୨୪ର ଶ୍ରମଶକ୍ତି ସର୍ବେକ୍ଷଣ ତଥ୍ୟକୁ ଉଦ୍ଧୃତ କରି କହିଛି ଯେ ଜାତୀୟ ବେକାରି ହାର ୩.୨% ଥିଲାବେଳେ, ୧୩% ସ୍ନାତକ ଏବଂ ୨୦.୪% ସ୍ନାତକ ମହିଳା ବେକାର ଥିଲେ। ଏହା ଭାରତର ଶିକ୍ଷା–ନିଯୁକ୍ତି ଅସମନ୍ୱୟର ଏକ ସ୍ପଷ୍ଟ ପ୍ରମାଣ। ଶିକ୍ଷିତ ଯୁବମାନଙ୍କର ଏକ ବଡ଼ ଅଂଶ ନିଜ ଶିକ୍ଷା ଓ ଯୋଗ୍ୟତା ଅନୁଯାୟୀ କାମ ନପାଇଲେ ଦେଶ ତାହାର ଜନସାଂଖ୍ୟିକ ଲାଭକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିପାରିବ ନାହିଁ। ନୀତି ଆୟୋଗର ୨୦୨୬ର ଅନ୍ୟ ଏକ ଅଧ୍ୟୟନରେ ସ୍ନାତକଙ୍କ ନିଯୁକ୍ତି ଯୋଗ୍ୟତା ୨୦୧୯ର ୪୭.୩%ରୁ ୨୦୨୬ରେ ୫୬.୪%କୁ ବୃଦ୍ଧି ପାଇଥିବା ଦର୍ଶାଯାଇଛି। ଏହା ଏକ ସକାରାତ୍ମକ ପରିବର୍ତ୍ତନ। କିନ୍ତୁ ସାଧାରଣ ଡିଗ୍ରୀଧାରୀଙ୍କ ନିଯୁକ୍ତି ଯୋଗ୍ୟତା ବହୁ ବୃତ୍ତିଗତ ପାଠ୍ୟକ୍ରମ ତୁଳନାରେ କମ୍ ରହିଛି। ଅର୍ଥାତ୍ ବର୍ଷ ବର୍ଷ ଧରି ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ଯୋଗ୍ୟତା ଏବେ ବି ଏପରି ସ୍ତରରେ ରହିଛି ଯେଉଁଠାରେ ଅଧାରୁ ଅଧିକ ଯୁବକଯୁବତୀଙ୍କ ପାଇଁ ଉପଯୁକ୍ତ ନିଯୁକ୍ତି ନିଶ୍ଚିତ ନୁହେଁ।
ଲିଙ୍ଗଗତ ବୈଷମ୍ୟ ଏହି ସମସ୍ୟାର ଆଉ ଏକ ଗୁରୁତର ଦିଗ। ୨୦୨୫ର ଶ୍ରମଶକ୍ତି ସର୍ବେକ୍ଷଣ ଅନୁସାରେ ସହରାଞ୍ଚଳର ମହିଳା ବେକାରି ହାର ୬.୭%ରୁ ୬.୪%କୁ ହ୍ରାସ ପାଇଥିବାବେଳେ ଗ୍ରାମାଞ୍ଚଳରେ ଏହା ୨.୧%। କିନ୍ତୁ ତୁଳନାମୂଳକ ଭାବେ କମ୍ ମହିଳା ବେକାରି ହାର ସହିତ ମହିଳାଙ୍କ ଶ୍ରମଶକ୍ତି ଅଂଶଗ୍ରହଣ ପୁରୁଷଙ୍କ ତୁଳନାରେ ଏବେ ବି ଯଥେଷ୍ଟ କମ୍। ନୀତି ଆୟୋଗ ତଥ୍ୟରେ ଶିକ୍ଷିତ ମହିଳାଙ୍କ ମଧ୍ୟରେ ଅତ୍ୟଧିକ ବେକାରି ଏହି ବିରୋଧାଭାସକୁ ଆହୁରି ସ୍ପଷ୍ଟ କରେ। ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଖ୍ୟିକ ପାର୍ଥକ୍ୟକୁ ବୁଝିବା ଆବଶ୍ୟକ। ଜଣେ ବ୍ୟକ୍ତି କାମ ଖୋଜୁନଥିଲେ ତାଙ୍କୁ ବେକାର ବୋଲି ଗଣନା କରାଯାଏ ନାହିଁ। ତେଣୁ ମହିଳା ବେକାରି ହାର କମ୍ ଥିବା ମାତ୍ରରୁ ମହିଳା ନିଯୁକ୍ତି ପରିସ୍ଥିତି ସୁସ୍ଥ ବୋଲି କୁହାଯାଇପାରିବ ନାହିଁ। ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ବୃଦ୍ଧି, ଉପଯୁକ୍ତ କାର୍ଯ୍ୟସ୍ଥଳ, ସୁରକ୍ଷିତ ପରିବେଶ, ଉଚିତ ଦରମା ଓ ସାମାଜିକ ସୁରକ୍ଷାସବୁକୁ ଏକାସାଙ୍ଗେ ବିଚାର କରିବା ଆବଶ୍ୟକ।
ଏହା ସହିତ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ଗୃହସ୍ଥ ପରିବାର ସର୍ବେକ୍ଷଣ ମଧ୍ୟ ଶ୍ରମବଜାରର ଏକ ସ୍ୱାଧୀନ ଚିତ୍ର ପ୍ରଦାନ କରେ। ଏହାର ଆର୍ଥିକ ଦୃଷ୍ଟିକୋଣ ଅନୁସାରେ ଜୁଲାଇ ୨୦୨୬ରେ ଭାରତର ବେକାରି ହାର ୬.୨% ଥିଲା, ଯାହା ୨୦୨୫ର ଶ୍ରମଶକ୍ତି ସର୍ବେକ୍ଷଣର ବାର୍ଷିକ ୩.୧% ତୁଳନାରେ ଯଥେଷ୍ଟ ଅଧିକ। ଏହି ଦୁଇ ତଥ୍ୟର ତଫାତକୁ ଆଧାର କରି କୌଣସି ଗୋଟିଏ ସଂସ୍ଥାକୁ ଭୁଲ୍ ବୋଲି କହିବା ଠିକ୍ ହେବ ନାହିଁ। ଉଭୟ ସର୍ବେକ୍ଷଣର ପଦ୍ଧତି, ନମୁନା, ସମୟସୀମା ଓ ପରିଭାଷାରେ ପାର୍ଥକ୍ୟ ରହିଛି। ବରଂ ଏହି ତଫାତ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ଶିଖାଏ ଯେ ଭାରତର ନିଯୁକ୍ତି ପରିସ୍ଥିତିକୁ କେବଳ ଗୋଟିଏ ବେକାରି ହାର ଦ୍ୱାରା ମାପିବା ଠିକ୍ ନୁହେଁ। ଅଧିକନ୍ତୁ, ସର୍ବେକ୍ଷଣ ପଦ୍ଧତିରେ କିଛି ପରିବର୍ତ୍ତନ ସହ ୨୦୨୫ ଜାନୁଆରୀରୁ ଜୁଲାଇ–ଜୁନ୍ ସର୍ବେକ୍ଷଣ ଚକ୍ର ପରିବର୍ତ୍ତେ ଜାନୁଆରୀ–ଡିସେମ୍ବର ସର୍ବେକ୍ଷଣ ଚକ୍ର ଆରମ୍ଭ ହୋଇଛି ସାଂଖ୍ୟିକୀ ମନ୍ତ୍ରଣାଳୟ ନିଜେ ନୂଆ ଓ ପୁରୁଣା ତଥ୍ୟ ମଧ୍ୟରେ ତୁଳନା କରିବା ସମୟରେ ସତର୍କ ହେବାକୁ କହିଛି।
ସମସ୍ତ ପ୍ରାମାଣିକ ତଥ୍ୟକୁ ଏକାଠି କଲେ ସ୍ପଷ୍ଟ ଅନୁମେୟ ହୁଏ ଯେ ଭାରତ ବେକାରି କମାଇବାରେ କିଛି ସଫଳତା ପାଇଥିଲେ ମଧ୍ୟ ନିଯୁକ୍ତି ସଙ୍କଟର ଗଭୀର ସମସ୍ୟା ଏବେ ବି ସମାଧାନ ହୋଇନାହିଁ। ସମସ୍ୟାଟି କେବଳ “କାମ ନାହିଁ” ଠାରୁ ଧୀରେ ଧୀରେ “କେଉଁ କାମ, କାହା ପାଇଁ, କେତେ ଦରମାରେ ଏବଂ କେତେ ସୁରକ୍ଷିତ ଭାବେ?” ଦିଗକୁ ପରିବର୍ତ୍ତିତ ହେଉଛି ଯେଉଁଠି ନିମ୍ନମାନର ସ୍ୱ-ନିଯୁକ୍ତି, ଅନିୟମିତ ରୋଜଗାର, ସ୍ୱଳ୍ପ ଆୟ, ଶିକ୍ଷା ଓ ନିଯୁକ୍ତିର ଅସମନ୍ୱୟ ଏବଂ ଯୁବ ବର୍ଗର ବହିଷ୍କାର ସହିତ ଏକ ନିମ୍ନ ବେକାରି ହାର ମଧ୍ୟ ସହାବସ୍ଥାନ କରେ। ଏହି ପରିସ୍ଥିତି ଭାରତର ଜନସାଂଖ୍ୟିକ ଲାଭ ପାଇଁ ମଧ୍ୟ ଏକ ବଡ଼ ପରୀକ୍ଷା। ଏକ ବିଶାଳ ଯୁବ ଜନସଂଖ୍ୟା ସେତେବେଳେ ହିଁ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିବ, ଯେତେବେଳେ ଯୁବକମାନେ ଉତ୍ପାଦନଶୀଳ ଓ ସମ୍ମାନଜନକ ନିଯୁକ୍ତି ପାଇବେ। ଯଦି ଶିକ୍ଷିତ ଯୁବକମାନେ ବର୍ଷ ବର୍ଷ ଧରି ଅଳ୍ପ ସଂଖ୍ୟକ ସରକାରୀ ପଦ ପାଇଁ ପ୍ରତିଯୋଗିତା କରିବାରେ ବ୍ୟସ୍ତ ରହନ୍ତି, ବିପଦପୂର୍ଣ୍ଣ କାମ ପାଇଁ ଦେଶାନ୍ତର ହୁଅନ୍ତି, ନିଜ ଯୋଗ୍ୟତା ସହ ସମ୍ପର୍କ ନଥିବା କାମ ଗ୍ରହଣ କରନ୍ତି କିମ୍ବା ନିଯୁକ୍ତି, ଶିକ୍ଷା ଓ ପ୍ରଶିକ୍ଷଣରୁ ବାହାରେ ରହନ୍ତି, ତେବେ ଜନସାଂଖ୍ୟିକ ଲାଭ ଏକ ଜନସାଂଖ୍ୟିକ ବୋଝରେ ପରିଣତ ହୋଇପାରେ।
ତେଣୁ ନୀତିଗତ ପଦକ୍ଷେପ କେବଳ ଅଧିକ ଦକ୍ଷତା ବିକାଶରେ ସୀମିତ ରହିଲେ ଚଳିବ ନାହିଁ। ନିଯୁକ୍ତି ବିନା ଦକ୍ଷତା ବିକାଶ ବେକାରିର ସମାଧାନ କରିପାରିବ ନାହିଁ। ଭାରତକୁ ଶ୍ରମ-ନିର୍ଭର ଉତ୍ପାଦନ, ନିର୍ମାଣ କ୍ଷେତ୍ର, କୃଷି ଓ କୃଷିଭିତ୍ତିକ ପ୍ରକ୍ରିୟାକରଣ, କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ, ସେବା, ପର୍ଯ୍ୟଟନ, ପରିବହନ ଓ ଅନ୍ୟାନ୍ୟ ବହୁଳ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ରରେ ବ୍ୟାପକ ନିବେଶ କରିବା ଆବଶ୍ୟକ। ତା’ସହିତ ଶିକ୍ଷା, ଶିଳ୍ପ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ବାସ୍ତବ ଶ୍ରମବଜାରର ଚାହିଦା ସହିତ ଅଧିକ ଘନିଷ୍ଠ ଭାବେ ଯୋଡ଼ିବା ଦରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଯୁକ୍ତି ନୀତିର ସଫଳତାକୁ କେବଳ ବେକାରି ହାର ଦ୍ୱାରା ମାପିବା ଉଚିତ୍ ନୁହେଁ। ସରକାରଙ୍କୁ ନିୟମିତ ଭାବେ ଯୁବ ବେକାରି, ସ୍ନାତକ ବେକାରି, ନିଯୁକ୍ତି–ଶିକ୍ଷା–ପ୍ରଶିକ୍ଷଣରୁ ବାହାରେ ଥିବା ଯୁବସମାଜ, ମହିଳା ଶ୍ରମଶକ୍ତି ଅଂଶଗ୍ରହଣ, ନିୟମିତ ବେତନଭୋଗୀ ନିଯୁକ୍ତି, ବାସ୍ତବ ମଜୁରୀ, ଅଳ୍ପ-ନିଯୁକ୍ତି, ନିଯୁକ୍ତିର ଗୁଣବତ୍ତା, ସାମାଜିକ ସୁରକ୍ଷା ଏବଂ ଯୋଗ୍ୟତା–ପେଶା ଅସମନ୍ୱୟ ଭଳି ସୂଚକଗୁଡ଼ିକୁ ଏକାସାଙ୍ଗେ ଉପସ୍ଥାପନ କରିବା ଦରକାର।
୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଢ଼ିବାକୁ ଆଶାୟୀ ଏକ ଦେଶ ପାଇଁ ପ୍ରକୃତ ମାପଦଣ୍ଡ କେବଳ “କେତେ ଲୋକ ନିଯୁକ୍ତ ଅଛନ୍ତି?” ହୋଇପାରେ ନାହିଁ। ପ୍ରଶ୍ନ ହେବା ଉଚିତ ଯେ “କେତେ ଭାରତୀୟଙ୍କ ପାଖରେ ଉତ୍ପାଦନଶୀଳ କାମ, ଉଚିତ ଦରମା, ସାମାଜିକ ସୁରକ୍ଷା, ସମ୍ମାନ ଏବଂ ନିଜ ଶିକ୍ଷା ଓ ଯୋଗ୍ୟତା ସହ ସମ୍ପୃକ୍ତ ନିଯୁକ୍ତି ରହିଛି?” ଯେପର୍ଯ୍ୟନ୍ତ ଏହି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ମିଳିନାହିଁ, କେବଳ ବେକାରି ହାର କମିଛି ବୋଲି କହି ଭାରତର ନିଯୁକ୍ତି ସମସ୍ୟା ଶେଷ ହୋଇଗଲା ବୋଲି ଘୋଷଣା କରିବା ଅତ୍ୟନ୍ତ ଅପରିପକ୍ୱ ହେବ।
*****







































