Wednesday, April 9, 2025

ତୁ ପରା‌ ବୋଲାଉ ସଂଗ୍ରାମୀ ସାଥୀ


       ଆକାଶଛୁଆଁ ଦରବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ସର୍ବନିମ୍ନ ମଜୁରୀ, ପେନସନ ଓ ବେତନ ଆୟୋଗ ସୁପାରିଶ ଲାଗୁରେ ଘୋର ପାତରଅନ୍ତର, ଶ୍ରମ ଆଇନ ଉଚ୍ଛେଦ କରି ଶ୍ରମ କୋଡର ଏକତରଫା ଲାଗୁ ଇତ୍ୟାଦି ଅନ୍ୟାୟ ବିରୋଧରେ ଆଗାମୀ ଦିନରେ ଶ୍ରମିକ ସଂଗଠନ ଓ ସ୍ୱାଧୀନ ମହାସଂଘମାନଙ୍କ ଦ୍ଵାରା ଆୟୋଜିତ ହେବାକୁ ଯାଉଥିବା ମହାସଂଗ୍ରାମରେ ସାମିଲ୍ ହେବା ପାଇଁ ସମସ୍ତ ସଂଗ୍ରାମୀ ସାଥୀମାନଙ୍କୁ "ତୁ ପରା‌ ବୋଲାଉ ସଂଗ୍ରାମୀ ସାଥୀ" କବିତା ମାଧ୍ୟମରେ ‌ଏକ ବିନମ୍ର ପ୍ରତିବେଦନ।

      ସଂଗ୍ରାମ ଜାରିରହୁ, ଶ୍ରମିକ-କର୍ମଚାରୀ ଏକତା ମଜବୁତ ହେଉ।
         ଇନକିଲାବ, ଜିନ୍ଦାବାଦ।
             🙏🚩🤝🚩👊🚩✊🚩🙏

ତୁ ପରା‌ ବୋଲାଉ ସଂଗ୍ରାମୀ ସାଥୀ
ତୁ ପରା‌ ବୋଲାଉ ସଂଗ୍ରାମୀ ସାଥୀଟେ ତେବେ କିଆଁ ଏତେ ଡରୁ,
ସଂଗ୍ରାମ କରିଣ ସବୁ ତୁ ଆଣିଛୁ କାହାକୁ ବା ଭୟ‌ କରୁ।୧।
ଯାଚି ଦେଇ ନାହିଁ କେହି ତୋତେ କିଛି ଏ କଥା ଭଲରେ ଜଣା,
ନିଜ ହକ୍ ଯାହା‌ ଲଢିକି‌ ପାଇଛୁ ଏବେ କିଆଁ ବାଟ ବଣା।୨।
ରକ୍ତାତ ସଂଘର୍ଷେ ତୋ ପୂର୍ବ‌ପୁରୁଷ ପ୍ରାଣ ବଳି ଦେଇଛନ୍ତି,
କାରାଗାରେ ରହି ଲାଠି ମାଡ଼ ଖାଇ ତୋ' ପାଇଁ ଲଢ଼ିଛନ୍ତି।୩।
ଚାକିରୀ‌ ହରେଇ ହନ୍ତସନ୍ତ  ହେଇ ଅନାହାରେ ମରିଛନ୍ତି,
ସଂଗ୍ରାମ ଆଗରେ ଇଂରେଜ ଶାସକ ମୁଣ୍ଡ ବି ନୁଆଇଁଛନ୍ତି।୪।
ଇଂରେଜ ଶାସନେ ତୋ ପୁର୍ବ ପୁରୁଷ ଗଢିଥିଲେ ସଂଗଠନ,
କର୍ମଚାରୀ ଶ୍ରମିକର ସ୍ୱାର୍ଥ ପାଇଁ ଲଢ଼ୁଥିଲେ ରାତ୍ର ଦିନ।୫।
ଦିନକୁ ଖଟିବୁ ଆଠ ଘଣ୍ଟା ତୁହି ସପ୍ତାହାନ୍ତେ ଛୁଟି ଦିନ
ବେତନ ଆୟୋଗ ଭତ୍ତା  ଓ ବୋନସ ପେନସନ୍ ତାଙ୍କରି‌ ଦାନ।୬।
କର୍ମଚାରୀ ଭାବେ ଯାହା‌ତୁ ପାଉଛୁ ତାଙ୍କରି ସଂଗ୍ରାମ ଫଳେ,
ଭୁଲୁଛୁ କେମିତି ସେ ସଂଗ୍ରାମ କଥା ତୋ ଅସ୍ତିତ୍ବ ଯାହା ବଳେ।୭।
ସଂଗ୍ରାମ ବଳରେ ପାଇଥିଲୁ ଯାହା ପରାଧୀନ ଭାରତରେ,
ଅଧିକାର ତୋର ସ୍ୱାଧୀନ ଭାରତ ସରକାର‌ କ୍ଷୁର୍ଣ୍ଣ କରେ।୮।
ନିର୍ବାଚିତ କରି‌ ଯାହା ହାତେ ଦେଲୁ ଏ ଦେଶ ଶାସନ ଭାର,
ତା ଚଉକି କଥା ସିଏ ତ ବୁଝିଲା ତୋ କଥା ପାଣିର‌ ଗାର।୯।
ଦେଶ‌ ସେବା‌ ନାମେ ଚାକିରୀ ନକରି ପାଆନ୍ତି ଭତ୍ତା ବେତନ,
ବିଧାୟକ ମନ୍ତ୍ରୀ ସାଂସଦ ନାଁରେ ଏକାଧିକ ପେନସନ।୧୦।
ଦେଶ ଗଠନରେ ଉତ୍ସର୍ଗ କରିଲୁ ତୋର ଜୀବନ ଯୌବନ,
ଦଶନ୍ଧି ଦଶନ୍ଧି ଚାକିରୀ ପରେ ବି ନାହିଁ ତୋର ପେନସନ।୧୧।
ସର୍ବନିମ୍ନ ମଜୁରୀର‌‌ ବୃଦ୍ଧି ପାଇଁ କରନ୍ତି ଫନ୍ଦୀଫିକର,
ଶ୍ରମ ସମ୍ମିଳନୀ ରାଜିନାମା କଥା ଭୁଲିଯାନ୍ତି ସରକାର।୧୨।
ଆଠ ଘଣ୍ଟା ଏବେ ଚୁଲିକୁ ଗଲାଣି ଖଟୁଛୁ ତୁ ବାର ଘଣ୍ଟା,
ମୁଣ୍ଡବୁଲା କିଛି ଯୁକ୍ତି ବାଢିଲେଣି ଖଟିବୁ ଅଠର ଘଣ୍ଟା।୧୩।
ଯେ ଶ୍ରମ ଆଇନ ତୋ ସ୍ୱାର୍ଥ ସବୁକୁ ସୁରକ୍ଷିତ କରୁଥିଲା,
ପୁଞ୍ଜିପତି ସ୍ୱାର୍ଥେ ସରକାର ତାକୁ ଆଇନରୁ ବିଧି କଲା।୧୪।
କର‌ ବୋଝ ସହ ଦରଦାମ  ବୃଦ୍ଧି ଅତିଶୟ ଦିନୁଦିନ,
ତିଳେ ନିଘା ନାହିଁ ସରକାରଙ୍କର ଭୋଟ ବାକ୍ସରେ ମନ।୧୫।
ରାଜନୀତି ପରିଭାଷା ବଦଳୁଛି ଜାତି ଧର୍ମ ଆଧାରରେ,
ଘୃଣା ହିଂସା ଦ୍ୱେଷ ସମାଜ ବିବଶ ଅବ୍ୟବସ୍ଥା ଘରେଘରେ।୧୬।
ଜନତା ବାପୁଡ଼ା ବୁଝି ବି ବୁଝୁନି ଲିପ୍ତ ଯେ ନିଜ ସ୍ବାର୍ଥରେ।
ଆପେ ବଞ୍ଚିଗଲେ ବାପ‌ ନାଁ ହେବ ଏକଥା ଆଣି ମନରେ।୧୭।
ବେକାରୀ ବଢୁଛି ହାତେ କାମ ନାହିଁ ଭେଣ୍ଡିଆ ଖଟେ ଦାଦନ,
ମାଗଣା ଯୋଜନା‌ ଆଣି ସରକାର ବୋଲାଉଅଛି ମହାନ।୧୮।
ଜନତା କୃଷକ ଶ୍ରମିକ ସୈନିକ ସର୍ବେ ପାଉଛନ୍ତି ‌କଷ୍ଟ,
ଧନୀ ହୁଏ ଧନୀ ଗରିବ ଗରିବ ସାମ୍ୟବାଦ ନଷ୍ଟ ଭ୍ରଷ୍ଟ।୧୯।
ସମ୍ବିଧାନ ଖୋଲାଖୋଲି ଉଲଂଘନ ଗଣତନ୍ତ୍ରେ ଉପହାସ,
ମାନୁ ନାହିଁ ଏବେ ସରକାର ନିଜେ ନ୍ୟାୟାଳୟଙ୍କ ଆଦେଶ।୨୦।
ଅନ୍ୟାୟ ବିରୁଦ୍ଧେ ଯେଉଁ ସଂଗଠନ କରୁଅଛି ପ୍ରତିବାଦ,
ତା'ର ଚେର ମୂଳ‌କାଟି ଦେବା ପାଇଁ ଶ୍ରମ ଆଇନ ଉଛେଦ।୨୧।
ପ୍ରଶାସନ ଆଉ ସରକାର ପାଖେ ତୋ‌'କଥା କହିବାକୁ,
ମଞ୍ଚଟିଏ ଲୋଡା ସେମାନଙ୍କ ସାଥେ ମୂଲଚାଲ କରିବାକୁ।୨୨।
ଯୋଡ଼ାକୁ ନୁହଁଇ ଘୋଡ଼ା କାଳେ ସରି ଏକଥା ପରା ଜାଣିଛୁ,
ସଂଗଠନ ତୋର ଦୁର୍ବଳ ହେଉଛି ଜଳକା କାହିଁ ଚାହିଁଛୁ।୨୩।
ଲେଖିଲେ ପଢୁନୁ କହିଲେ ଶୁଣୁନୁ ଡାକିଲେ ଆସୁନୁ ପାଶେ,
ଜଡ‌ ପ୍ରାୟ ତୁହି ଜୀବନ‌ ବଞ୍ଚୁଛୁ ଲାଜ କି ମୁହେଁ ନଆସେ।୨୪।
ପଢ଼ିଲେ ଜାଣିବୁ ଜାଣିଲେ ଯୁଝିବୁ ଯୁଝିଲେ ଜିଣିବୁ ତୁହି,
ଜିଣିଲେ ଜିଇଁବୁ ଜିଇଁଲେ ବଢିବୁ ସଂଘର୍ଷ ଅସ୍ତିତ୍ବ ପାଇଁ।୨୫।
ନେତାଜୀଙ୍କ ତୁହି ଦାୟାଦ ନୋହୁଁ କି ରକ୍ତ ତୋ କିଂପା ଶିଥିଳ,
ମଧୁବାବୁ କଥା ପାଶୋରି ଦେଲୁ କି ସ୍ୱାଭିମାନ ଟଳମଳ।୨୬।
ଭାବିଛୁ କି ନିଜ ସ୍ୱାର୍ଥ ‌ସିଦ୍ଧି ହେଲେ ଭଲରେ ରହିବୁ‌ ତୁହି,
ସମାଜ ମଙ୍ଗଳେ ତୋ ହିତ ଲୁଚିଛି ଏ କଥା ଭୁଲିବୁ ନାହିଁ।୨୭।
ସତ୍ୟ ନ୍ୟାୟ ପାଇଁ ମିଳିତ ସଂଗ୍ରାମ ଏକ ମାତ୍ର ସଦୁପାୟ,
ସମୂହ ସ୍ୱାର୍ଥର ସୁରକ୍ଷା ନିମନ୍ତେ ସଂଗ୍ରାମରେ ଝାସ ଦିଅ।୨୮।
ମିଳିତ ସଂଗ୍ରାମେ ତୋର‌‌ ବଳିଦାନ ସ୍ୱର୍ଣ୍ଣାକ୍ଷରେ ଲେଖା ହେବ,
ବିନ୍ଦୁ ‌ବିନ୍ଦୁ‌ ମିଶି ସିନ୍ଧୁ ହେଲା ଭଳି ତୋ ତ୍ୟାଗ‌ ବ୍ୟର୍ଥ ନ ଯିବ।୨୯।
ଡାକେ ସଂଗଠନ ମାଗେ ବଳିଦାନ ଆସ ହେ ସଂଗ୍ରାମୀ ବନ୍ଧୁ,
ହାତେ ହାତ ଧରି ପାରି ହୋଇଯିବା ସଂଗ୍ରାମର ମହାସିନ୍ଧୁ।୩୦।
******
© ବୃହସ୍ପତି ସାମଲ
ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର -୭୫୮୦୨୧
୯ ଅପ୍ରେଲ ୨୦୨୫

No comments:

Post a Comment