Tuesday, April 22, 2025

ସଂଗ୍ରାମ କରିବି କାହାପାଇଁ?



ପ୍ରିୟ ବନ୍ଧୁଗଣ,

ଆକାଶଛୁଆଁ ଦରବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ ଶ୍ରମ ସମ୍ମିଳନୀ ରାଜିନାମାର ଉଲଂଘନ, ପେନସନ ଓ ବେତନ ଆୟୋଗ ସୁପାରିଶ ଲାଗୁରେ ଘୋର ପାତରଅନ୍ତର, ଶ୍ରମ ଆଇନ ଉଚ୍ଛେଦ କରି ଶ୍ରମ କୋଡର ଏକତରଫା ଲାଗୁ ଇତ୍ୟାଦି ଅନ୍ୟାୟ ବିରୋଧରେ ଆଗାମୀ ଦିନରେ ଶ୍ରମିକ ସଂଗଠନ ଓ ସ୍ୱାଧୀନ ମହାସଂଘମାନଙ୍କ ଦ୍ଵାରା ଆୟୋଜିତ ହେବାକୁ ଯାଉଥିବା ମହାସଂଗ୍ରାମରେ ସାମିଲ୍ ହେବା ପାଇଁ ସମସ୍ତ ସଂଗ୍ରାମୀ ସାଥୀମାନଙ୍କୁ "ସଂଗ୍ରାମ କରିବି କାହାପାଇଁ?" କବିତା ମାଧ୍ୟମରେ ‌ମୋର ବିନମ୍ର ପ୍ରତିବେଦନ।

ସଂଗ୍ରାମ ଜାରିରହୁ, ଶ୍ରମିକ-କର୍ମଚାରୀ ଏକତା ମଜବୁତ ହେଉ।

ଇନକିଲାବ, ଜିନ୍ଦାବାଦ।

🙏🚩🤝🚩👊🚩✊🚩🙏

ସଂଗ୍ରାମ କରିବି କାହାପାଇଁ?

ସଭା ସମିତିରେ ବକ୍ତବ୍ୟଟି ରଖି ମଞ୍ଚରୁ‌ ଓହ୍ଲାଏ ଯେବେ,

ଅବା ପଢିସାରି‌ ଲେଖାକୁ ମୋହର ପଚାରୁଛି ବନ୍ଧୁ ଏବେ।୧।

ଅବସର‌ ନେଲୁ ଭଲରେ ଭଲରେ ଶାନ୍ତିରେ ଜୀବନ‌ ବିତା,

ପୁରୁଣା ପେନସନ୍ ଯୋଜନାରେ ଅଛୁ କାହିଁ ପାଇଁ ଏତେ ଚିନ୍ତା?୨।

ସ୍ୱାସ୍ଥ୍ୟ କାର୍ଡ ଅଛି ଭତ୍ତା ବି ମିଳୁଛି ଅସୁବିଧା କିଛି ନାହିଁ,

ପାରିଗଲେଣି ତୋ ପିଲାମାନେ ଏବେ କାହିଁକି ହେଉଚୁ ବାଇ?୩।

ଯା'ର ଅସୁବିଧା ସିଏ ଆସି କହୁ ତୋ'ର କାହିଁ ଏତେ ଡର,

ସବୁବେଳେ କାହିଁ ସେଇ ଗୋଟେ କଥା କହୁଅଛୁ ସଂଗ୍ରାମର?୪।

ଯାହା ପାଇଁ ତୁହି କହୁଛୁ ଲେଖୁଛୁ ପାଟି‌ ଚାପି ସେ‌ ବସିଛି,

ଗର୍ଜନ କରୁଛୁ କାହିଁ ପାଇଁ ତୋର କ'ଣ ଯାଏ ଆସେ ଅଛି?୫।

ଜନମଙ୍ଗଳକୁ ଅହିତ ଯେ ନୀତି ସରକାର ଲାଗୁ କରେ,

ଜାଣିଶୁଣି ଶତ୍ରୁ କିଣୁଛୁ କାହିଁକି ପ୍ରଶ୍ନ କରି ତା ଉପରେ?୬।

ସରକାରଙ୍କୁ ଯେ ପ୍ରଶଂସା କରୁଛି ଦେଖୁନୁ‌କି ତା ଉନ୍ନତି,

ତୁଛାଟାରେ କିଆଁ ବିରୋଧ କରିକି‌ ନିଜର କରୁଛୁ କ୍ଷତି?୭।

ନିଜ ହାତେ ଏଠି ଚଉଦପା' ସବୁ କେ କାହାକୁ ମାନୁ ନାହିଁ,

ଯେଝାଯେଝା ଲାଭେ ମାତିଛନ୍ତି ସର୍ବେ ତୋ କଥାର ମୂଲ୍ୟ କାହିଁ?୮।

ଦେହକୁ ଟାଣିକି ତୋଷାମଦିଆଏ  କହୁଛନ୍ତି କେତେ କଥା,

ତୋତେ କାହିଁ ପାଇଁ ଖରାପ ଲାଗୁନି ଘୁରି ଯାଏ ଆମ ମଥା।୯।

ଜାଣେ ମୁଁ ଅଟଇ ନିହାତି ନଗଣ୍ୟ କ୍ଷୁଦ୍ର ଏହି ସମାଜରେ,

ମୋ‌ ଆଲେଖ୍ୟ କିବା ବକ୍ତବ୍ୟର କିଛି ପ୍ରଭାବ ପଡ଼ି ନପାରେ।୧୦।

ତଥାପି ମୋ ପ୍ରଶ୍ନ ଅନ୍ୟାୟ ବିରୁଦ୍ଧେ ସରକାରଙ୍କୁ ରହିବ,

ନିଜ ସ୍ୱାର୍ଥ ସେହି ଲୋକ ଜଗିଥାଏ ନପଚାରି ଯେ ନୀରବ।୧୧।

ଯେ ପ୍ରଶ୍ନ କରିବା କ୍ଷମତା ହରାଏ ଦୃଷ୍ଟି ଥାଇ ଅନ୍ଧ ସିଏ,

ଯା ମନରେ କେବେ ପ୍ରଶ୍ନ ଉଠେ ନାହିଁ ଗୋଲାମରେ ଗଣା‌ହୁଏ।୧୨।

ବାକି ରହିଲା ମୁଁ ଭଲେ ଥାଇ କାହିଁ ସଂଘର୍ଷର କଥା କୁହେ,

କାରଣ କାହାରି ସଂଘର୍ଷ ବଳରେ ସୁଖେ ଅଛି ଆଜିଯାଏ।୧୩।

କର୍ମଚାରୀ ଭାବେ ଯେଉଁ ସବୁ ଲାଭ ମୁଁ ଉପଭୋଗ କରୁଛି,

ମୋ ପୂର୍ବପୁରୁଷ ସଂଗ୍ରାମ କରିଣ ମୋ ହାତେ ଦେଇଯାଇଛି।୧୪।

ଗଛ‌ଲଗେଇବା କାହା ପାଇଁ ଆମେ ପିଲାଦିନେ ପଢିଥିଲେ,

ଆଜି ସେ ନାହାନ୍ତି ମୋ' ପାଇଁ ଯିଏ ବଳିଦାନ ଦେଇଥିଲେ।୧୫।

ବୋନସ ବେତନ ଭତ୍ତା ପେନସନ ସବୁଥି ଲଢେଇ ପାଲା,

ତିଳେ ଯୋଗଦାନ କେଉଁ ସଂଗ୍ରାମରେ ମୋର କେବେହେଁ ନଥିଲା।୧୬।

ପୂର୍ବ ପିଢିଙ୍କର ସଂଗ୍ରାମ କାରଣୁ ସବୁ ମୁଁ ପାଇଛି ଯେଣୁ,

ଭବିଷ୍ୟତ ପିଢ଼ି ପାଇଁ ମୋ ସଂଗ୍ରାମ ନୈତିକ ଦାୟିତ୍ବ ତେଣୁ।୧୭।

ଇତିହାସ କହେ ସବୁ ସଂଗ୍ରାମରେ ସଭିଏଁ ଲଢି ନଥାନ୍ତି,

ମହାସଂଗ୍ରାମର ବିଫଳତା ପାଇଁ ଥୋକେ ପ୍ରଚେଷ୍ଟା କରନ୍ତି।୧୮।

ସଫଳତା ପରେ ସେଇ ଗୃହ ଶତ୍ରୁ ଲାଭ‌ ପାଇଁ ଆଗଭର,

ସଂଗ୍ରାମୀଙ୍କ ମୁଣ୍ଡେ ଦୋଷ ଲଦିବାକୁ ତିଳେ ନକରେ ଖାତର।୧୯।

ସ୍ୱାଧୀନତା ସଂଗ୍ରାମରେ ଯିଏ ଦିନେ ଭାଗୀଦାର ହିଁ ନଥିଲା,

ଗାନ୍ଧୀ ନେହେରୁଙ୍କୁ ଦୋଷ‌ ଦେଇ ଏବେ ଦେଶରେ କରୁଛି ପାଲା।୨୦।

ଅନୁଷ୍ଠାନ ଗୋଟେ ନଗଢି ଯା'ଥିଲା ବିକୁଛନ୍ତି ଭାଙ୍ଗୁଛନ୍ତି,

ଜଳ ଜମି ସହ ଜଙ୍ଗଲ ବିକନ୍ତି କିଛି ବି ଛାଡୁନାହାନ୍ତି।୨୧।

ଅକର୍ମା ପୁଅ ସେ ବାପ ସମ୍ପତ୍ତିକୁ ବିକି ଭାଙ୍ଗି ଯିଏ ଚଳେ,

ଘୋଡ଼ାମୁହାଁ ପୁଅ ଜନମ ନିଅନ୍ତି ବଅଁଶ ବୁଡିବା ବେଳେ।୨୨।

ଏସବୁ ଅନ୍ୟାୟ ଅନୀତିକୁ ଦେଖି କେମିତି ହେବୁ ନୀରବ 

କ୍ଷମତାକୁ ପ୍ରଶ୍ନ କରିଣ ସଂଘର୍ଷ କରିବାକୁ ନିଶ୍ଚେ ହେବ।୨୩।

ସଂଘର୍ଷରେ ଅବତୀର୍ଣ୍ଣ ହେବା ପୂର୍ବୁ ପ୍ରଶ୍ନ କରିବା ଜରୁରୀ,

ଅର୍ଜୁନଙ୍କ ପ୍ରଶ୍ନେ ସେଦିନ ଉତ୍ତର ରଖିଥିଲେ ଚକ୍ରଧାରୀ।୨୪।

କର୍ମେ ଅଧିକାର ଅଛି ଯେ ତୋହର ଫଳେ ଅଧିକାର ନାହିଁ,

ଶୋଚନା ନକରି ଧର୍ମଯୁଦ୍ଧେ ଶୀଘ୍ର ଅବତୀର୍ଣ୍ଣ ହୁଅ ତୁହି।୨୫।

ଜନ୍ମ ନେଇଥିଲା ଶ୍ରୀମଦ୍ଭାଗବଦ୍ ଗୀତା ନାମେ ପରିଚୟ,

ଅନ୍ୟାୟ ବିରୁଦ୍ଧେ ଅସ୍ତ୍ର ଉଠି ସତ୍ୟ ଧର୍ମର ହୋଇଲା ଜୟ।୨୬।

ସମାନ ଅବସ୍ଥା ଆଜି ମୋ ଦେଶର ଚୌଦିଗେ କୋକୁଆ ଭୟ,

ଜାତି ଧର୍ମ ନାମେ ହିଂସା ରାଜନୀତି ଦେଶକୁ କରେ ଅଥୟ।୨୭।

ଛାତି ଡେଇଁ ଆସି ପାଟିଏ ହେଲାଣି ଅନ୍ୟାୟ ଅନୀତି ପାଣି,

ନାକ ଆଖି ମୁଣ୍ଡ ବୁଡିବା ଆଗରୁ ସତର୍କ ହୋଇବା ପୁଣି।୨୮।

କେବଳ ସଂଗ୍ରାମ ବଳେ ଯୁଗେ ଯୁଗେ ଅତି ହୋଇଅଛି ଇତି,

ସତ୍ୟ ଧର୍ମ ନ୍ୟାୟ ପ୍ରତିଷ୍ଠିତ ହୋଇ ଫେରି ଆସି ଅଛି ଶାନ୍ତି।୨୯।

ସେ ସଂଗ୍ରାମ ଧାରା‌ ଅବ୍ୟାହତ ରହୁ ଭବିଷ୍ୟ ପିଢିଙ୍କ ପାଇଁ।

ସଂଗ୍ରାମରେ ପରିବର୍ତ୍ତନ ସମ୍ଭବ ଯା' ଲୋଡା ପ୍ରଗତି ପାଇଁ।୩୦।

******

© ବୃହସ୍ପତି ସାମଲ 

ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର -୭୫୮୦୨୧

୨୨ ଅପ୍ରେଲ ୨୦୨୫

No comments:

Post a Comment