Friday, April 4, 2025

ଆଶଙ୍କାରେ ପେନସନଭୋଗୀ


ଆଶଙ୍କାରେ ପେନସନଭୋଗୀ 

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର 

     ବିତ୍ତ ବିଧେୟକ ୨୦୨୫ର ଅଂଶ ବିଶେଷ ଭାବେ ୨୫ ମାର୍ଚ୍ଚ ୨୦୨୫ରେ କେନ୍ଦ୍ରୀୟ ବେସାମରିକ ସେବା (ପେନସନ୍) ନିୟମ ତଥା ଭାରତ ସରକାରଙ୍କ ସଞ୍ଚିତ ପାଣ୍ଠିରୁ ପେନସନ୍ ଦେୟ ବୈଧକରଣ ସମ୍ବନ୍ଧୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭାରତର ସମସ୍ତ ପେନସନଭୋଗୀମାନେ ଭୟଭୀତ ହେବା ସହ ପେନସନର ଭବିଷ୍ୟତ ସ୍ଵରୁପକୁ ନେଇ ଅନେକ ଆଶଙ୍କା ପ୍ରକଟ କରିଛନ୍ତି। ବୈଧକରଣର ଏହି ସିଦ୍ଧାନ୍ତ ଅନୁଯାୟୀ ପେନସନ୍ ନିୟମ ପ୍ରତି କୌଣସି ପୂର୍ବାଗ୍ରହ ବିନା କେନ୍ଦ୍ର ସରକାର ପେନସନଭୋଗୀଙ୍କ ଅବସର ଗ୍ରହଣ ତାରିଖକୁ ନେଇ ସେମାନଙ୍କ ଭିତରେ‌ ଏକ ପ୍ରଭେଦ ସୃଷ୍ଟି କରି ପାରିବେ ଯାହା କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ସମୟରୁ ଆରମ୍ଭ ହେବ। ଏହି‌ ବୈଧକରଣ ୧ ଜୁନ୍ ୧୯୭୨ରୁ ଲାଗୁ ହେବ ଯାହା ଦ୍ୱାରା ସମ୍ବିଧାନର ଅନୁଚ୍ଛେଦ ୩୦୯ ଆଧାରରେ ସମୟାନୁସାରେ ହୋଇଥିବା କେନ୍ଦ୍ରୀୟ ବେସାମରିକ ସେବା (ପେନସନ୍) ନିୟମ, ୧୯୭୨ ଓ ୨୦୨୧ ଏବଂ କେନ୍ଦ୍ରୀୟ ବେସାମରିକ ସେବା (ଅସାଧାରଣ ପେନସନ୍) ନିୟମ ୨୦୨୩ ଅନ୍ତର୍ଗତ ସମସ୍ତ ସଂଶୋଧିତ ନିୟମଗୁଡିକୁ ମାନ୍ୟତା ପ୍ରଦାନ କରିବ।

      ଏବେ ପେନସନଭୋଗୀଙ୍କ ମଧ୍ୟରେ ଆଶଙ୍କା ଉପୁଜିବାର କାରଣ ହେଲା ଯେ ପ୍ରସ୍ତାବିତ ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ଆସନ୍ତା ୧ ଜାନୁଆରୀ ୨୦୨୬ରୁ ଲାଗୁହେବାକୁ ଯାଉଥିବା ସମୟରେ ଯଦି ଅବସର ତାରିଖକୁ ନେଇ ଉପରୋକ୍ତ ବିଜ୍ଞପ୍ତି ଅନୁଯାୟୀ ପେନସନଭୋଗୀଙ୍କୁ ଭାଗ ଭାଗ କରାଯାଏ, ତେବେ ଅନୁମୋଦନ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍ ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ମୁତାବକ ବୃଦ୍ଧି ନହୋଇ କେବଳ ଅନୁମୋଦନ ଲାଗୁ ହେବା ପରେ ଯେଉଁମାନେ ଅବସର‌ନେବେ ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ। ୦୧.୦୧.୧୯୯୬ ଓ ୦୧.୦୧.୨୦୦୬ ପୂର୍ବରୁ ଓ ପରେ ଯେଉଁ କର୍ମଚାରୀମାନେ ଅବସର ଗ୍ରହଣ କରିଥିଲେ ସେମାନଙ୍କ ପାଇଁ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ବେତନ ଆୟୋଗ ଏକ ଅନ୍ତର ସୃଷ୍ଟି କରିଥିଲେ ଯାହା ପ୍ରଥମରୁ ଚତୁର୍ଥ କିମ୍ବା ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ହେବା ବେଳେ ହୋଇ ନଥିଲା। ପ୍ରକୃତରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଅନୁସାରେ କେନ୍ଦ୍ର ସରକାରଙ୍କର କେନ୍ଦ୍ରୀୟ ବେସାମରିକ ସେବା (ପେନସନ୍) ନିୟମରେ ପରିବର୍ତ୍ତନ ଆଣିବାକୁ କ୍ଷମତା ନଥିବାରୁ, ବିତ୍ତ ବିଧେୟକ ୨୦୨୫ରେ ପେନସନଭୋଗୀଙ୍କ‌ ମଧ୍ୟରେ ଅବସର ତାରିଖକୁ ନେଇ ପାତରଅନ୍ତର ନୀତି ଆପଣେଇବାକୁ ଏଭଳି ବୈଧକରଣ ଆଣିବାକୁ ଚାହିଁଛନ୍ତି। ପୁରୁଣା ପେନସନ ଯୋଜନା (ଓପିଏସ୍), ଜାତୀୟ ପେନସନ୍ ଯୋଜନା (ଏନପିଏସ୍) ଏବଂ ଏକୀକୃତ ପେନସନ୍ ଯୋଜନା (ୟୁପିଏସ୍)କୁ ନେଇ ପେନସନଭୋଗୀମାନେ ପୂର୍ବରୁ ବିଭାଜିତ ହୋଇସାରିଥିଲା ବେଳେ ବିତ୍ତ ବିଧେୟକ ୨୦୨୫ ଆଳରେ ଅବସର ତାରିଖକୁ ନେଇ ପୁନଃ ବିଭାଜିତ ହେବା ସହ ପେନସନ ହ୍ରାସ ଓ ବୃଦ୍ଧିକୁ ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନୁହନ୍ତି।

 ଏହି ପରିପ୍ରେକ୍ଷୀରେ, ଉପରୋକ୍ତ ବିଜ୍ଞପ୍ତି ପ୍ରକାଶନର ତୁରନ୍ତ ବାଦ୍ ସମଗ୍ର ଦେଶର ବିଭିନ୍ନ ପେନସନଭୋଗୀ ସଂଘ ତଥା ସେମାନଙ୍କର ଜାତୀୟ ସମନ୍ୱୟ ସମିତି ସରକାରଙ୍କ ପାଖରେ ପ୍ରତିବାଦ ଜଣାଇବା ସହ ରାଜ୍ୟସଭାର ସଦସ୍ୟମାନେ ଏ ବିଷୟରେ ସରକାରଙ୍କୁ ପଚାରିବାରୁ ମାନନୀୟା କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନ ଉତ୍ତର ଦେଇଛନ୍ତି ଯେ ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ଯୋଗୁଁ ୨୦୨୬ରୁ ପେନସନଭୋଗୀଙ୍କ ପେନସନ ସଂଶୋଧନ ଉପରେ ଏହି ବିଲର କୌଣସି ପ୍ରଭାବ ପଡିବ ନାହିଁ। ତଥାପି ଅସନ୍ତୁଷ୍ଟ ପେନସନଭୋଗୀ ସ‍ଂଘମାନେ ଭାରତର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ସାମନାରେ ଧାରଣା ଦେବାପାଇଁ ତଥା ରାଜରାସ୍ତାରେ ଧର୍ମଘଟ କରିବା ସକାଶେ ଆହ୍ୱାନ ଦେବାରୁ କେନ୍ଦ୍ର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ତରଫରୁ ସ୍ୱୀକୃତିପ୍ରାପ୍ତ ପେନସନ ସଂଘମାନଙ୍କ ସହିତ ୨୯ ମାର୍ଚ୍ଚ ୨୦୨୫ରେ ପେନସନ ବିଭାଗ ସଚିବ ଶ୍ରୀ ଭି. ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ ବସିଥିଲା ଯେଉଁଠି ଶ୍ରୀଯୁକ୍ତ ଶ୍ରୀନିବାସ ମାନନୀୟା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉପରୋକ୍ତ ଉତ୍ତରକୁ ଦୋହରେଇବା ସହ ଏହା କେବଳ ବର୍ତ୍ତମାନ ଥିବା ପେନସନ ନିୟମର ମାନ୍ୟକରଣ ଓ ଏହାଦ୍ୱାରା ପେନସନ ନିୟମରେ କୌଣସି ପ୍ରକାର ସଂଶୋଧନ କରାଯାଉନାହିଁ‌ ବୋଲି କହିଛନ୍ତି। ଅଧିକନ୍ତୁ, ବିବାଦୀୟ ବୈଧକରଣ ନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାର‌ ଅନୁରୋଧକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଏ ବିଷୟରେ ଏକ ସ୍ପଷ୍ଟୀକରଣ ରଖି ବିଜ୍ଞପ୍ତି ଜାରି କରିବାକୁ ପେନସନଭୋଗୀ ସଂଘଗୁଡ଼ିକୁ ଉପରୋକ୍ତ ଆଭାସୀ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି।

    ଏଠି କହି ରଖିବା ଉଚିତ ହେବ ଯେ ଅଷ୍ଟମ ବେତନ ଆୟୋଗ ଗଠନକୁ ବାରମ୍ବାର ଟାଳି ଦେଉଥିବା କେନ୍ଦ୍ର ସରକାର ହଠାତ୍ ୧୬ ଜାନୁଆରୀ ୨୦୨୫ରେ ବେତନ ଆୟୋଗ ଗଠନକୁ ନେଇ ବିନା କ୍ୟାବିନେଟ ଅନୁମୋଦନରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଘୋଷଣା କଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ କିମ୍ବା ଅର୍ଥ ମନ୍ତ୍ରାଳୟ ତରଫରୁ କୌଣସି ଆନୁଷ୍ଠାନିକ ପ୍ରେସ ଇସ୍ତାହାର ଏପର୍ଯ୍ୟନ୍ତ ଜାରି କରାଯାଇନାହିଁ। କିନ୍ତୁ ତା ସତ୍ତ୍ଵେ ବି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅଷ୍ଟମ ବେତନ ଆୟୋଗ ଗଠନ ପୂର୍ବରୁ ତା'ର ପ୍ରସ୍ତାବିତ ସର୍ତ୍ତାବଳୀ ଉପରେ ମତାମତ ରଖିବା ପାଇଁଁ କର୍ମଚାରୀ ପକ୍ଷକୁ ୨୩ ଜାନୁଆରୀ ୨୦୨୫ରେ ଅନୁରୋଧ କଲାପରେ, କର୍ମଚାରୀ ପକ୍ଷ ତା'ର ମତାମତ ୩ ଫେବୃଆରୀ ୨୦୨୫ରେ ଦାଖଲ କରିଛି ଏବଂ ୧୦ ଫେବୃଆରୀ ୨୦୨୫ରେ କାର୍ମୀକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ କର୍ମଚାରୀ ପକ୍ଷ ସହ ପ୍ରଶାସନିକ ପକ୍ଷର ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମ୍ପୁର୍ଣ୍ଣ ସର୍ତ୍ତାବଳୀ ସହ ଅଷ୍ଟମ ବେତନ ଆୟୋଗ ଗଠନ ସମ୍ପର୍କିତ ରାଜପତ୍ର ବିଜ୍ଞପ୍ତି ପ୍ରକାଶନକୁ ଅପେକ୍ଷା। 

    ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ, ଏବେ ପ୍ରଶ୍ନ ଉଠେ ଯଦି ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ହେବା ଦିନଠାରୁ କର୍ମଚାରୀଙ୍କ ଅବସର ତାରିଖକୁ ନେଇ ପେନସନଭୋଗୀଙ୍କ ମଧ୍ୟରେ କୌଣସି ପାତର‌ଅନ୍ତର ସୃଷ୍ଟି ହେବାର‌ ନାହିଁ, ତେବେ ବିତ୍ତ ବିଧେୟକ ୨୦୨୫ର ଅଂଶ ବିଶେଷ ଭାବେ ଏଭଳି ବୈଧକରଣର କି ଆବଶ୍ୟକତା ଥିଲା? ପେନସନ ନୀତିକୁ ନେଇ ସରକାରଙ୍କର ଆଉ କିଛି ଗୁପ୍ତ କାର୍ଯ୍ୟସୂଚୀ ନାହିଁ ତ? କାରଣ ରାଜକୋଷ ଉପରେ ଆର୍ଥିକ ବୋଝର ଦ୍ୱାହି ଦେଇ ସରକାର କର୍ମଚାରୀ ଓ ପେନସନଭୋଗୀଙ୍କ ଉପରେ ଯଥେଷ୍ଟ ଦାଉ ସାଧୁଛନ୍ତି। ଏହାର ନଗ୍ନ ଉଦାହରଣ ହେଉଛି ଓପିଏସରୁ ଏନପିଏସ୍ (୨୦୦୪) ଏବଂ ପରେ ୟୁପିଏସ୍ (୨୦୨୫)। ବିଗତ ଦୁଇ ଦଶନ୍ଧିରେ ପେନସନ୍ ଉପରେ ହେଉଥିବା ଘନଘନ ଆକ୍ରମଣରେ ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଭୀଷଣ ଭୟଭୀତ। ଆନୁଷ୍ଠାନିକ ଭାବେ ୟୁପିଏସ୍ ଲାଗୁ ହେବା ପୂର୍ବରୁ ଏବଂ ଏନପିଏସ୍ ଉପଭୋକ୍ତାଗଣ ଏନପିଏସରେ ରହିବେ କି ୟୁପିଏସକୁ ଯିବା ପାଇଁ ମତ ବ୍ୟକ୍ତ କରିବାକୁ ଦ୍ୱନ୍ଦରେ ଥିବାବେଳେ, ବେତନ ଆୟୋଗଙ୍କ ସୁପାରିଶ ଓ‌ କର୍ମଚାରୀଙ୍କ ଅବସର‌ ତାରିଖକୁ ନେଇ ପେନସନଭୋଗୀଙ୍କ ମଧ୍ୟରେ ପ୍ରଭେଦ ସୃଷ୍ଟିର ସରକାରଙ୍କ ଏ ହୀନ ଉଦ୍ୟମ ପେନସନର ଭବିଷ୍ୟତ ସ୍ଵରୁପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ କର୍ମଚାରୀଙ୍କ ଆଶଙ୍କାକୁ ଦୃଢ଼ୀଭୂତ କରୁଛି। 

    ସରକାରଙ୍କ ସ୍ପଷ୍ଟୀକରଣ ଓ ବିଜ୍ଞପ୍ତିକୁ ଅପେକ୍ଷା କରିବା ବ୍ୟତୀତ କର୍ମଚାରୀ ଓ ପେନସନଭୋଗୀଙ୍କର‌ ଅନ୍ୟ କୌଣସି ଉପାୟ ନାହିଁ କିମ୍ବା ସେମାନଙ୍କ ସହ ପୂର୍ବରୁ ବାରମ୍ବାର ଯେଭଳି ଘଟଣାମାନ ଘଟିଛି, ସରକାର ଯେ ନିଜର‌ ପ୍ରତିଶ୍ରୁତି ଠିକ୍ ଠାକ୍ ପାଳନ କରିବେ ସେ ବିଶ୍ୱାସ ବି ନାହିଁ। ଉଦାହରଣ ସ୍ୱରୂପ, ୨୪ ଅଗଷ୍ଟ ୨୦୨୪ର ପ୍ରେସ ଇସ୍ତାହାରରେ କେନ୍ଦ୍ର ସରକାର ୟୁପିଏସ୍‌ ଅଧିନରେ ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନ୍‌ସନ୍‌ ଓ ସୁନିଶ୍ଚିତ ସର୍ବନିମ୍ନ ପେନସନ୍‌ ଯୋଗେଇ ଦେବାକୁ କହି ୨୫ ଜାନୁଆରୀ ୨୦୨୫ର ରାଜପତ୍ର ବିଜ୍ଞପ୍ତିରେ ପେନସନ୍ ବଦଳରେ ସୁନିଶ୍ଚିତ ପେଆଉଟ୍ ଶବ୍ଦ ବ୍ୟବହାର‌ କର୍ମଚାରୀଙ୍କ ଉପରେ ଜୋରଜବରଦସ୍ତି ଏକ ଭିନ୍ନ ବ୍ୟବସ୍ଥା ଲଦି ଦେଇଛନ୍ତି। ଅର୍ଥାତ ୟୁପିଏସର ପ୍ରଚଳନ ଦ୍ଵାରା ପେନସନ ବ୍ୟବସ୍ଥା ଉଚ୍ଛେଦ ହୋଇ ଏବେ ପେଆଉଟ୍ ବ୍ୟବସ୍ଥାର ଅୟମାରମ୍ଭ ହେଲା। ଲିଖିତ ପ୍ରତିଶ୍ରୁତି ବି ଅଚାନକ ବଦଳି‌ ଯାଉଛି। ସେହିଭଳି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ‌ ଆୟୋଗ ସୁପାରିଶ କରିଥିବା ସର୍ବନିମ୍ନ ବେତନକୁ ୧୮୦୦୦ରୁ ୨୬୦୦୦କୁ ବୃଦ୍ଧି ଏବଂ ବେତନ ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ପାଇଁ ୧୧ ଜୁଲାଇ ୨୦୧୬ରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ହେବ ବୋଲି କର୍ମଚାରୀମାନେ ଯେତେବେଳେ କେନ୍ଦ୍ର ସରକାରଙ୍କୁ ନୋଟିସ ଦେଲେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୬ ଜୁଲାଇ ୨୦୧୬ରେ ପ୍ରେସ୍ ଇସ୍ତାହାର ଜାରି କରି ଏକ ଉଚ୍ଚସ୍ତରୀୟ କମିଟି ଜରିଆରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ ସହ ଚାରି ମାସ ଭିତରେ ନିଷ୍ପତ୍ତି ନେବା ପାଇଁ ଘୋଷଣା କଲେ। ଲିଖିତ ପ୍ରତିଶ୍ରୁତି ପାଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଯିବା ପରେ ସେସମୟର ଅର୍ଥମନ୍ତ୍ରୀ ୧୯ ଜୁଲାଇ ୨୦୧୬ରେ ରାଜ୍ୟସଭାର ପ୍ରଶ୍ନୋତ୍ତର କାଳରେ ଉତ୍ତର ରଖିଲେ ଯେ ସେଭଳି କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ନାହିଁ। ଇତିମଧ୍ୟରେ, ୪ ମାସ ଯାଇ କାଲି ଭଳି ନଅ ବର୍ଷ ପୁରି ଯିବ ଏବଂ ଅଷ୍ଟମ ବେତନ ଆୟୋଗର ଗଠନ ପାଇଁ ଘୋଷଣା ସରିଗଲା ପଛେ, ଉଚ୍ଚସ୍ତରୀୟ କମିଟି ଗଠନ ତ ଦୁରର କଥା, ଏଯାଏଁ ସରକାର କର୍ମଚାରୀଙ୍କର କୌଣସି କଥା ଶୁଣିବା ଅବସ୍ଥାରେ ନାହାନ୍ତି। 

   ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏକ ନିର୍ବାଚିତ ସରକାର ନିଜେ ନିଜର ଲିଖିତ ପ୍ରତିଶ୍ରୁତିକୁ ଅବମାନନା କରିବା ଗଣତନ୍ତ୍ର ପ୍ରତି ଏକ କଠୋର ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ବିତ୍ତ ବିଧେୟକ ୨୦୨୫କୁ ନେଇ ଏବେ ସରକାର କୋୖଣସି ପାତରଅନ୍ତର ନୀତି ରହିବ ନାହିଁ ବୋଲି ଯେଉଁ ସ୍ପଷ୍ଟୀକରଣ ଦେଇ ବିଜ୍ଞପ୍ତି ଜାରିକରିବା କଥା କହୁଛନ୍ତି, ସେସବୁ ଅଷ୍ଟମ ବେତନ ଆୟୋଗର ନିର୍ଦ୍ଧାରିତ ‌ସର୍ତ୍ତାବଳୀରେ ସ୍ଥାନିତ କରିବାକୁ କର୍ମଚାରୀ ‌ପକ୍ଷରୁ ଦାବି ଜୋରଦାର‌ ହେଉଛି। ତଥାପି ସରକାର ତାଙ୍କର ପ୍ରସ୍ତାବିତ ବିଜ୍ଞପ୍ତି ଓ ସ୍ପଷ୍ଟୀକରଣ ଜରିଆରେ ପୂର୍ବ ଘଟଣାଗୁଡିକ ଭଳି କର୍ମଚାରୀ ଓ ପେନସନଭୋଗୀଙ୍କ ନ୍ୟାୟୋଚିତ ସମୂହ ଆନ୍ଦୋଳନକୁ ଯେ ଭଣ୍ଡୁର‌ କରିବାକୁ ଉଦ୍ୟମ ନ‌କରିବେ ସେଥିପାଇଁ ସମସ୍ତେ ଏବେ‌ ଆଶଙ୍କାରେ।

****

No comments:

Post a Comment