ବୟସ୍କଙ୍କ ବିଡମ୍ବନା
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର
ସଂସ୍କୃତରେ କୁହାଯାଇଛି “ଅଭିବାଦନଶୀଳସ୍ୟ ନିତ୍ୟଂ ବୃଦ୍ଧୋପସେବିନଃ, ଚତ୍ବାରି ତସ୍ୟ ବର୍ଦ୍ଧନନ୍ତ୍ୟେ ଆୟୁର୍ବିଦ୍ୟା ଯଶୋ ବଳମ୍।” ଅର୍ଥାତ, ଯେଉଁ ବ୍ୟକ୍ତି ସଦାସର୍ବଦା ଅଭିବାଦନ ପୂର୍ବକ ବୟସ୍କଙ୍କ ସେବା କରିଥାଏ, ତା'ର ଆୟୁ, ବିଦ୍ୟା, ଯଶ ଓ ବଳ ବୃଦ୍ଧି ଘଟିଥାଏ। ହେଲେ ଆଜିର କଟୁ ସତ୍ୟ ଓ ବିଡମ୍ବନା ଏହି ଯେ ଉଭୟ ସରକାର ଓ ସାମ୍ପ୍ରତିକ ଯୁବପିଢି ଭାରତୀୟ ଅସ୍ମିତାର ମୂଳମନ୍ତ୍ରକୁ ଅଣଦେଖା କରି ମାତାପିତା ଓ ବୟସ୍କଙ୍କ ପ୍ରତି ଯେଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ଗୋଟିଏ ପଟେ ସରକାରଙ୍କର ଦେଶର ବୟସ୍କ ନାଗରିକଙ୍କ ପ୍ରତି ଦିନକୁଦିନ ବୈମାତୃକ ମନୋଭାବ ବଢି ବଢି ଯାଉଥିବା ବେଳେ, ଆଜିର ଯୁବସମାଜ ଯୌଥ ପରିବାରରୁ ମୁହଁ ଫେରେଇ ଏକକ ପରିବାରକୁ ପସନ୍ଦ କରୁଥିବାରୁ ବୃଦ୍ଧ ମାତାପିତା ଓ ବୟସ୍କ ଗୁରୁଜନମାନେ ଘୋର ଅବହେଳା ଓ ନିର୍ଯାତନାର ଶିକାର ହେଉଛନ୍ତି।
ତଥ୍ୟ ଅନୁଯାୟୀ, ଭାରତରେ ୧୮.୭% ବୟସ୍କଙ୍କ କୌଣସି ରୋଜଗାର ନଥିବା ବେଳେ, ୪୦%ଙ୍କ ରୋଜଗାର ଅତି ନଗଣ୍ୟ। ୪୭% ବୟସ୍କ, ପରିବାର ଉପରେ ନିର୍ଭରଶୀଳ ରହୁଥିବା ବେଳେ, ୩୪% ପେନସନ୍ ଉପରେ ନିର୍ଭର କରି ଜୀବନ ଅତିବାହିତ କରନ୍ତି। ୨୩% ବୟସ୍କ ଏକାଧିକ ସ୍ଥାୟୀ ରୋଗରେ ପୀଡିତ ଥିବା ବେଳେ, ୨୪% ସ୍ୱାଧୀନ ଭାବେ ନିଜର ଦୈନନ୍ଦିନ ନିତ୍ୟକର୍ମ କରିବାକୁ ଅକ୍ଷମ। ଦାରିଦ୍ର୍ୟ, ସ୍ୱାସ୍ଥ୍ୟଗତ ସମସ୍ୟା ଓ ନିଃସଙ୍ଗ ଜୀବନକୁ ନେଇ ୩୦%ରୁ ୫୦% ବୟସ୍କ ମାନସିକ ଅବସାଦଗ୍ରସ୍ତ ଥିବାର ପରିଲକ୍ଷିତ ହୁଏ। ସବୁଠାରୁ କ୍ଷୋଭ ଓ ପରିତାପର କଥା ହେଉଛି ୨୫% ବୟସ୍କ ନିଜ ପରିବାର ଲୋକ ଓ ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଥାନ୍ତି। ତଥ୍ୟାନୁଯାୟୀ, ୪୩.୮% ଘଟଣାରେ ପୁଅମାନେ, ୨୭.୮% ଘଟଣାରେ ବୋହୂମାନେ ଏବଂ ୧୪.୨% ଘଟଣାରେ ଝିଅମାନେ ନିଜ ନିଜର ବୟସ୍କ ମାତାପିତା କି ଶାଶୁଶଶୁରଙ୍କୁ ନିର୍ଯାତନା ଦେଇଥାନ୍ତି। ୧୬% ବୟସ୍କ ମହିଳା ନିର୍ଯ୍ୟାତନାର ଶୀକାର ହେଉଥିବାବେଳେ, ୩୩% ଘଟଣାରେ ନିଜ ପୁଅ ମୂଖ୍ୟ ଖଳନାୟକ ସାଜିଥାଏ। ୪୫.୬% ଘଟଣାରେ ବୟସ୍କମାନେ ଅପମାନିତ ହୋଇଥାନ୍ତି, ୨୩.୧% ଘଟଣାରେ ମାଡଗାଳି ସହ ଶାରୀରିକ ନିର୍ଯାତନାର ଶିକାର ହୋଇଥାନ୍ତି, ୫୧% ଘଟଣାରେ ବୟସ୍କ ମହିଳାମାନେ ଅବହେଳିତ ହୋଇଥାନ୍ତି ଓ ୨୫% ଘଟଣାରେ ଆର୍ଥିକ ନିର୍ଯାତନାର ଶିକାର ହୋଇଥାନ୍ତି।
ସମ୍ବିଧାନର ଧାରା ୨୧ ବୟସ୍କଙ୍କ ସହ ସବୁ ନାଗରିକଙ୍କ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନର ଅଧିକାରକୁ ସୁନିଶ୍ଚିତ କରୁଥିବା ବେଳେ, ଧାରା ୧୪ ସମାନତାର ଅଧିକାର ପ୍ରଦାନ ପୂର୍ବକ ବୟସ୍କ ନାଗରିକମାନଙ୍କୁ କୌଣସି ପାତରଅନ୍ତର ବିନା ବଞ୍ଚିବାର କ୍ଷମତା ପ୍ରଦାନ କରିଛି। ଧାରା ୨୩ କୌଣସି ପ୍ରକାର ଶୋଷଣ ବିରୁଦ୍ଧରେ ଅଧିକାର ପ୍ରଦାନ କରିବା ସହ କାହା ଇଛା ବିରୁଦ୍ଧରେ କୌଣସି କାମ କରେଇବାକୁ ଅବୈଧ ଘୋଷଣା କରେ। ସେହିଭଳି ରାଜ୍ୟର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତ (ଡିରେକ୍ଟିଭ୍ ପ୍ରିନ୍ସସିପୁଲ୍ସ ଅଫ ଷ୍ଟେଟ ପଲିସି) ଆଇନତଃ ବାଧ୍ୟତାମୂଳକ ନହେଲେ ବି ଧାରା - ୪୧ ଓ ୪୬ରେ ବୟସ୍କଙ୍କ ସହ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କ ପାଇଁ ଆର୍ଥିକ ଅଭିବୃଦ୍ଧିର ଅଧିକାର ସୁନିଶ୍ଚିତ କରେ। ଧାରା ୪୭ ନାଗରିକଙ୍କ ପୋଷଣ ଓ ଜୀବନ ସ୍ତରରେ ବୃଦ୍ଧି ସହ ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରେ ଯାହା ବୟସ୍କ ନାଗରିକଙ୍କ ପାଇଁ ଅପରିହାର୍ଯ୍ୟ। ହେଲେ ସାମ୍ପ୍ରତିକ ପରିସ୍ଥିତିରେ ଏସବୁ ପ୍ରାବଧାନ କେବଳ ପୋଥି ବାଇଗଣ ଭଳି ଲାଗେ। ପୃଥିବୀର ଅନେକ ଉନ୍ନତ ଦେଶ ବୟସ୍କଙ୍କ ସାମାଜିକ ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରୁଥିଲା ବେଳେ ଭାରତ ବିକାଶର ନାଁ ନେଇ ବୟସ୍କଙ୍କୁ ଘୋର ଅବହେଳା ପ୍ରଦର୍ଶନ କରୁଛି। ଜର୍ମାନୀ, ଫ୍ରାନ୍ସ, ଜାପାନ ଓ କାନାଡା ଭଳି ରାଷ୍ଟ୍ର ବୟସ୍କଙ୍କ ଆର୍ଥିକ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଉଦାହରଣ ସ୍ୱରୂପ, ସାଧାରଣ ପେନସନ୍ ବାବଦରେ ଜର୍ମାନୀ ମୋଟ୍ ଘରୋଇ ଉତ୍ପାଦର ୧୦.୩% ଓ ଫ୍ରାନ୍ସ ୧୩.୮% ଖର୍ଚ୍ଚ କରୁଥିବା ବେଳେ, ଭାରତ ମାତ୍ର ୧.୭% ଖର୍ଚ୍ଚ କରିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଏକ ବ୍ୟବସ୍ଥାଗତ ଉଦାସୀନତା।
ଅନ୍ତଃରାଷ୍ଟ୍ରୀୟ ଜନସଂଖ୍ୟା ବିଜ୍ଞାନ ସଂସ୍ଥାନ ଓ ଜାତିସଂଘ ଜନସଂଖ୍ୟା କୋଷ (ଆଇଆଇପିଏସ୍ ଓ ୟୁଏନପିଏଫ୍) ତରଫରୁ ଇଣ୍ଡିଆ ଏଜିଂ ରିପୋର୍ଟ ୨୦୨୩ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ବୟସ୍କ ଲୋକଙ୍କ ସଂଖ୍ୟା ଅତ୍ୟନ୍ତ ଦ୍ରୁତ ଗତିରେ ବଢ଼ିଚାଲିଛି। ୨୦୨୨ରେ ଯାହା (୬୦ ବର୍ଷରୁ ଅଧିକ) ୧୪.୯ କୋଟି ଥିଲା (ମୋଟ ଜନସଂଖ୍ୟର ୧୦.୫%), ଉପରୋକ୍ତ ରିପୋର୍ଟ ଅନୁଯାୟୀ ତାହା ୨୦୩୬ ସୁଦ୍ଧା ୧୫%, ୨୦୫୦ ସୁଦ୍ଧା ୨୦.୮% (୩୪.୭ କୋଟି) ଓ ୨୧୦୦ ସୁଦ୍ଧା ୩୬% ବୃଦ୍ଧି ପାଇ ୫୫ କୋଟିରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୨ରୁ ୨୦୫୦ ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟାରେ ୨୭୯% ବୃଦ୍ଧି ଘଟିବ ଯାହାର ଏକ ବୃହତ ଅଂଶ ବିଧବା ଓ ଅତ୍ୟନ୍ତ ନିର୍ଭରଶୀଳ ମହିଳାମାନେ ହେବେ। ୬୦ ବର୍ଷ ଅତିକ୍ରାନ୍ତ କରିଥିବା ପୁରୁଷଟିଏ ଆହୁରି ୧୮.୩ ବର୍ଷ ଓ ମହିଳାଟିଏ ୧୯ ବର୍ଷ ଅଧିକ ବଞ୍ଚିବ ବୋଲି ରିପୋର୍ଟରେ କୁହାଯାଇଛି। ଏଭଳି ବୃଦ୍ଧିକୁ ଆଖିରେ ରଖି ବୟସ୍କମାନଙ୍କୁ ଏକ ସୁସ୍ଥ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଜିଇଁବାର ସୁଯୋଗ ପ୍ରଦାନ କରିବାକୁ ଉଭୟ ସାମାଜିକ ଓ ଆର୍ଥିକ ନୀତିରେ ଅନୁକୂଳ ପରିବର୍ତ୍ତନ ଆଣିବା ରାଷ୍ଟ୍ରର ଗୁରୁଦାୟିତ୍ଵ ଥିଲାବେଳେ, ମହଜୁଦା ସରକାରଙ୍କ ଦେଶର ସମସ୍ତ ବୃଦ୍ଧବୃଦ୍ଧାଙ୍କ ପାଇଁ ଏକକ ବାର୍ଦ୍ଧକ୍ୟ ଭତ୍ତା ଓ ଏକକ ପେନସନ ବ୍ୟବସ୍ଥା ଆଣିବାରେ ଆନ୍ତରିକତାର ଅଭାବ, ବୟସ୍କଙ୍କ ପାଇଁ ଜାତୀୟ ନୀତି (୧୯୯୯) ତଥା ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ ୨୦୦୭ର ଦୁର୍ବଳ କାର୍ଯ୍ୟକାରିତା, ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ସହ ସାରା ଦେଶରେ ଅବସରପ୍ରାପ୍ତ ବୟସ୍କ ପେନସନଭୋଗୀଙ୍କ ପ୍ରତି ପାତରଅନ୍ତର ନୀତି, ଜଣେ କର୍ମଚାରୀର ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କଲାବେଳେ ମାତାପିତାଙ୍କୁ ଉପେକ୍ଷା ଆଦି ଚିନ୍ତାର କାରଣ ସାଜିଛି।
ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି, ଗୋଟିଏ ଘଟଣା ଉତ୍ଥାପିତ କରି କୁହାଯାଇପାରେ କି ୨୫ ମାର୍ଚ୍ଚ ୨୦୨୫ରେ ଭାରତ ସରକାର ବିତ୍ତ ବିଧେୟକ ୨୦୨୫ ଜରିଆରେ ବୟସ୍କ ପେନସନଭୋଗୀଙ୍କ ମଧ୍ୟରେ ଏକ ପାତରଅନ୍ତର ସୃଷ୍ଟି କରି ସମ୍ବିଧାନର ଧାରା ୧୪କୁ ସିଧାସଳଖ ଉଲଂଘନ କରିଛନ୍ତି। ୧ ଜୁନ୍ ୧୯୭୨ରୁ କେନ୍ଦ୍ରୀୟ ବେସାମରିକ ସେବା (ପେନସନ) ରୁଲ୍ସ ୧୯୭୨ ଓ ୨୦୨୧ ଏବଂ ଅସାଧାରଣ (ପେନସନ୍) ରୁଲ୍ସ ୨୦୨୩କୁ ବୈଧକରଣ କରି କେନ୍ଦ୍ରୀୟ ବେତନ ଆୟୋଗ ସୁପାରିଶ ଲାଗୁ କରିବାର ତାରିଖ ଏବଂ ସେଇ ତାରିଖ ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନସନ୍ ସଂଶୋଧନର ଅଧିକାର ନିଜ ହାତକୁ ନେଇଛନ୍ତି। ଅର୍ଥାତ ନୂଆ ବିତ୍ତ ବିଧେୟକ ୨୦୨୫ ଅନୁସାରେ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍ ଆଉ ସଂଶୋଧିତ ହେବ ନାହିଁ। ମୋଟ୍ ୬୧% ପେନସନଭୋଗୀ ନିଜ ନାତିନାତୁଣୀଙ୍କ ଦାୟିତ୍ଵ ସମ୍ଭାଳୁଥିବାବେଳେ ଏବଂ ୩୩%ରୁ ଅଧିକ ପେନସନଭୋଗୀ ସମ୍ପୂର୍ଣ୍ଣ ପରିବାରର ବୋଝ ଉଠାଉଥିବା ବେଳେ, ସରକାରଙ୍କର ଏ ପାତରଅନ୍ତର ନୀତି ସମ୍ବିଧାନର ଧାରା ୧୪ ପ୍ରତି ଏକ କ୍ରୁର ଅଟହାସ୍ୟ ତଥା ବୟସ୍କ ପେନସନଭୋଗୀଙ୍କ ପ୍ରତି ଚରମ ଅବହେଳା।
ସେହିଭଳି, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ 'ସର୍ବନିମ୍ନ ମଜୁରୀ ଅଧିନିୟମ, ୧୯୪୮' ସ୍ୱୟ୍ଂ ସମ୍ପୂର୍ଣ୍ଣ ନଥିବା ହୃଦୟଙ୍ଗମ କରି ୧୯୫୭ରେ ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀ ଯେଉଁ ପାଞ୍ଚଟି ମାର୍ଗଦର୍ଶିକା ବ୍ୟବସ୍ଥିତ କରିଥିଲେ ତା’ଭିତରେ ଡ. ୱଲେସ ରୁଡେଲ ଆକ୍ରୋଏଡଙ୍କ ସୂତ୍ର ଆଧାରରେ ପୁରୁଷ କର୍ମଚାରୀ, ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ଯଥାକ୍ରମେ ୧.୦, ୦.୮, ୦.୬ ଓ ୦.୬ ଉପଭୋକ୍ତା ଏକକ ଭାବେ ନେଇ ଗୋଟିଏ ପରିବାରକୁ ୩ ଉପଭୋକ୍ତା ଏକକ ଭାବେ ଗ୍ରହଣ କରାଯାଇଥିଲା ଯେଉଁଥିରେ କର୍ମଚାରୀଙ୍କ ବୃଦ୍ଧ ମାତାପିତା ସରକାରୀ ଭାବେ ପରିବାରର ସଂଜ୍ଞା ବାହାରେ ରହୁଥିଲେ। ଏ ଆମ ସରକାରୀ ବ୍ୟବସ୍ଥାର ବିଡମ୍ବନା ନୁହେଁ ତ ଆଉ କ’ଣ? ବୃଦ୍ଧ ମାତାପିତାଙ୍କର ଭରଣପୋଷଣ ଜଣେ କର୍ମଚାରୀ ଅଥବା ସାଧାରଣ ନାଗରିକର ନୈତିକ ଓ ସାମ୍ବିଧାନିକ କର୍ତ୍ତବ୍ୟ ଯାହା ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ତଥା କଲ୍ୟାଣ ଅଧିନିୟମ ୨୦୦୭, ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୩ର ଧାରା ୧୨୫ ଆଦିରେ ସ୍ପଷ୍ଟ ଉଲ୍ଲେଖ। ଅଧିକନ୍ତୁ, କେନ୍ଦ୍ର ବେସାମରିକ ସେବା (ଆଚରଣ) ନିୟମ ଏବଂ ମେଡିକାଲ ଓ ଏଲଟିସି ନିୟମ ଗୁଡ଼ିକରେ ପରିବାରର ଯେଉଁ ସଂଜ୍ଞା ନିରୁପିତ ହୋଇଛି, ସେଥିରେ ନିର୍ଭରଶୀଳ ମାତାପିତାମାନେ ଅନ୍ତର୍ଭୁକ୍ତ। ତେଣୁ ବୃଦ୍ଧ ମାତାପିତାମାନେ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଉପରୋକ୍ତ ଆକ୍ରୋଏଡ୍ ସୂତ୍ର ଉଭୟଙ୍କୁ ଏକ ଏକ ଉପଭୋକ୍ତା ଏକକ, ଅର୍ଥାତ ମୋଟ୍ ୨ ଉପଭୋକ୍ତା ଏକକ ଭାବେ ଗ୍ରହଣ କରି ପୁରା ପରିବାରକୁ ୩ ପରିବର୍ତ୍ତେ ୫ ଉପଭୋକ୍ତା ଏକକ ଭାବେ ହିସାବ କରି ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାକୁ ସରକାର ଯଦି ପ୍ରସ୍ତାବିତ ଅଷ୍ଟମ ବେତନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇପାରନ୍ତେ, ତେବେ ବୟସ୍କଙ୍କୁ ପ୍ରକୃତ ନ୍ୟାୟ ମିଳିପାରନ୍ତା। ଏଥିପାଇଁ ସରକାରଙ୍କ ଆନ୍ତରିକତା ଜରୁରୀ।
ଅଧିକନ୍ତୁ, ବୟସ୍କ ନାଗରିକଙ୍କ ପାଇଁ ସରକାରଙ୍କ ତରଫରୁ ଯାହାବି ଯୋଜନା ଓ ପ୍ରୋତ୍ସାହନ ରହିଛି, ଅଧିକାଂଶ ସେ ବାବଦରେ ଅଜ୍ଞ। ଉଦାହରଣ ସ୍ଵରୁପ, ୪୫% ବୟସ୍କଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ୍ ଯୋଜନା ବିଷୟରେ ଓ ୫୬%ଙ୍କୁ ବିଧବା ପେନସନ୍ ଯୋଜନା ବିଷୟରେ ଜଣା ନଥିବା ବେଳେ, ଏସବୁ ବିଷୟରେ ଜାଣିଥିବା ବୟସ୍କଙ୍କ ମଧ୍ୟରୁ ମାତ୍ର ୩୦% ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ୍ ଯୋଜନା ଓ ୨୪% ବିଧବା ପେନସନ୍ ଯୋଜନାର ଲାଭ ପାଇଥାନ୍ତି। ଏ ବାବଦରେ ସେମାନଙ୍କୁ ସଚେତନ କରେଇବାର ଗୁରୁଦାୟିତ୍ଵ ପ୍ରତ୍ୟେକ ବ୍ୟକ୍ତି ବିଶେଷ, ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ରହିଛି। ସର୍ବୋପରି, ଆଜିର ସନ୍ତାନ ସନ୍ତତିମାନେ “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ” କିମ୍ବା ”ପିତା ଧର୍ମଃ ପିତା ସ୍ୱର୍ଗଃ ପିତାହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ” ଖାଲି କଥାରେ କହିଲେ ହେବନାହିଁ, କାର୍ଯ୍ୟରେ ଦେଖେଇଲେ ସମାଜରେ ପ୍ରତ୍ୟେକ ବୟୋଜ୍ୟେଷ୍ଠ ବ୍ୟକ୍ତି ସମ୍ମାନର ସହ ସୁସ୍ଥ ଜୀବନ ଅତିବାହିତ କରିପାରିବେ।
******

No comments:
Post a Comment