Wednesday, August 21, 2024

ଧର୍ମନିରପେକ୍ଷତାରେ ପକ୍ଷପାତିତା


ଧର୍ମନିରପେକ୍ଷତାରେ ପକ୍ଷପାତିତା

(ମୂଳ ଲେଖା)

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର 

ମୋବାଇଲ: ୯୪୩୭୦୨୨୬୬୯

          ଦେଶର ବିଭିନ୍ନ ସମସାମୟିକ ପ୍ରସଙ୍ଗ ସହ ଧର୍ମ ଆଧାରରେ ଦେଶକୁ ଭାଗଭାଗ କରୁଥିବା ତଥା ଭେଦଭାବକୁ ପ୍ରଶ୍ରୟ ଦେଉଥିବା ନିୟମଗୁଡିକର ଆଧୁନିକ ସମାଜରେ କୌଣସି ସ୍ଥାନ ନାହିଁ ବୋଲି କହି ଲାଲକିଲ୍ଲାରୁ ଅଠସ୍ତରୀତମ ସ୍ୱାଧୀନତା ଦିବସର ଅଭିଭାଷଣ ରଖିବା ଅବସରରେ ମାନନୀୟ  ପ୍ରଧାନମନ୍ତ୍ରୀ ପ୍ରଚଳିତ ନାଗରିକ ସହିଂତାକୁ ଏକ ଭେଦଭାବ ପୂର୍ଣ୍ଣ ସାମ୍ପ୍ରଦାୟିକ ସହିଂତା ଭାବେ ଅଭିହିତ କରି ଦେଶକୁ ଧାର୍ମିକ ବିଦ୍ୱେଷରୁ ଦୁରେଇ ରଖିବାକୁ ଏକ ଧର୍ମନିରପେକ୍ଷ ନାଗରିକ ସହିଂତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ସମାନ ନାଗରିକ ସହିଂତା ଉପରେ ବହୁବାର ନିଜର ଟିପ୍ପଣୀ ରଖିଛନ୍ତି। ତେଣୁ, ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏଭଳି ପରିବର୍ତ୍ତନର ଆବଶ୍ୟକତା ଉପରେ ସମ୍ପ୍ରସାରିତ ଆଲୋଚନା ପାଇଁ ଦେଶବାସୀଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଥରେ ଏହି ପରିବର୍ତ୍ତନ ହୋଇଗଲେ ଏହା ସମସ୍ତ ଧର୍ମୀୟ ଭେଦଭାବକୁ ଦୁର କରିବା ସହ ସାଧାରଣ ନାଗରିକଙ୍କ ମଧ୍ୟରେ ଥିବା ଦୂରତାକୁ କମେଇବାରେ ସହାୟକ ହେବ। 

           ଯେଉଁ ସମୟରେ ଭାରତ ସହ ସାରା ବିଶ୍ବରେ ଧାର୍ମିକ ଉତ୍ତେଜନା ବୃଦ୍ଧି ପାଉଛି, ସେହିଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ସର୍ବାଦୌ ଗ୍ରହଣୀୟ ଓ ବହୁତ ପ୍ରଶଂସନୀୟ ମଧ୍ୟ। ସାଧାରଣ ଜନତା ବି ସେଇ କଥା ଚାହାନ୍ତି କି ଦେଶରେ ଧର୍ମନିରପେକ୍ଷତା ସହ ସମ୍ବିଧାନ ପ୍ରଦତ୍ତ ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଭାତୃତ୍ବ ଭଳି ସମସ୍ତ ଗଣତାନ୍ତ୍ରିକ ମୂଲ୍ୟବୋଧ ଚିରକାଳ ଅକ୍ଷୁର୍ଣ୍ଣ ରହୁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏ ବକ୍ତବ୍ୟ ଉପରେ ଦେଶବାସୀଙ୍କ ମତାମତ ଯାହା ରହୁନା କାହିଁକି, ସରକାର ଚାହିଁଲେ ନିକଟ ଅତୀତରେ ବଦଳି ଥିବା  ଅନ୍ୟାନ୍ୟ ନିୟମ କାନୁନ ଭଳି ଏହା ମଧ୍ୟ ବଦଳି ଯିବା କିଛି ଅସମ୍ଭବ ନୁହେଁ। ହେଲେ ଯେଉଁ କଥା କୁହା ଯାଉଛି, ସେହିଭଳି ସହିଂତା ପ୍ରଣୟନ କରିବା ଏବଂ ଧର୍ମନିରପେକ୍ଷତାକୁ ବଜାୟ ରଖି ସବୁ ଗୋଷ୍ଠୀ ଓ ସମ୍ପ୍ରଦାୟ ପାଇଁ ସମାନ ଭାବରେ ତାକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ନେଇ ଅନେକ ସନ୍ଦେହ ତଥା ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବଭାବିକ। କାରଣ, ଅଧିକାଂଶ କ୍ଷେତ୍ରରେ ସରକାରୀ ନିୟମ ଓ ସେସବୁର କାର୍ଯ୍ୟକାରିତାରେ ପାତରଅନ୍ତର ଆଜିକାଲି ଏକ ସାଧାରଣ  ଘଟଣା। ସମାନ ନିୟମକୁ ଭିନ୍ନଭିନ୍ନ ଢଙ୍ଗରେ ଲାଗୁ କରିବା ନେଇ ବହୁ ଉଦାହରଣ ମହଜୁଦ; କେଉଁଠି କିଏ ଫଶିଗଲାଣି  ତ ଆଉ କେଉଁଠି କିଏ ଖସିଗଲାଣି। ସମାନ ନିୟମରେ କେତେବେଳେ କେଉଁ ବ୍ୟକ୍ତି ବା ଅନୁଷ୍ଠାନକୁ ଅଯଥା ଅନୁଗ୍ରହ ପ୍ରାପ୍ତ ହେଉଛି ତ ଅନ୍ୟ କାହାପାଇଁ ଦୃଷ୍ଟିଭଙ୍ଗୀ ବଦଳି ଯାଉଛି। ଧର୍ମନିରପେକ୍ଷତାକୁ ଆଖି ଆଗରେ ରଖି ଗୋଟିଏ ଉଦାହରଣରୁ ଆଲୋଚନାକୁ ଆଗକୁ ନେବା ଉଚିତ୍ ହେବ।

       ଉତ୍ତମ ଆଚରଣ ଓ ଉଚ୍ଚାରଣ ସହ ସରକାରୀ ଚାକିରୀରେ ସତ୍ୟନିଷ୍ଠା, ଶୋଭନୀୟତା, ଶିଷ୍ଟତା, ତତ୍ପରତା, ନିରପେକ୍ଷତା ଓ କର୍ତ୍ତବ୍ୟପରାୟଣତା ଆଦି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ସାମରିକ, ରେଳବାଇ ଏବଂ ସର୍ବଭାରତୀୟ ସେବା ଅନ୍ତର୍ଭୁକ୍ତ ତଥା କିଛି ନିର୍ଦ୍ଦିଷ୍ଟ ଅଧିନିୟମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଅଲଗା ଅଲଗା ଆଚରଣ ବିଧି ପ୍ରଣୟନ କରିଥିବା ବେଳେ, ଅନ୍ୟ ସମସ୍ତ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ବେସାମରିକ ସେବା (ଆଚରଣ) ନିୟମାବଳୀ, ୧୯୬୪ ପ୍ରଣୟନ କରିଛନ୍ତିି। ଯେ କୌଣସି କର୍ମଚାରୀ ତାକୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ କ୍ଷମତାର ପ୍ରୟୋଗ ପୂର୍ବକ ବ୍ୟକ୍ତିଗତ ସ୍ୱାର୍ଥ ଓ ଲିଙ୍ଗଗତ ଭେଦଭାବରୁ ଉର୍ଦ୍ଧରେ ଏବଂ  ଦେଶ ଓ ଦଶର ସ୍ୱାର୍ଥରେ ନିଜ ବିବେକ ଓ ବୁଦ୍ଧିର ସର୍ବୋତ୍ତମ ପ୍ରୟୋଗ ଦ୍ୱାରା ସମ୍ପୂର୍ଣ୍ଣ ଧର୍ମନିରପେକ୍ଷତାର ସହ ପ୍ରତ୍ୟେକଟି ସରକାରୀ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ଯଥା ସମୟରେ ସ୍ୱଚ୍ଛତାର ସହ ସମ୍ପାଦନ କରିବା ଏହି ନିୟମାବଳୀର ଲକ୍ଷ୍ୟ। ସର୍ବୋପରି,  ୧୯୬୪ର ଏହି ନିୟମାବଳୀର ଧାରା - ୫ରେ କୌଣସି ରାଜନୈତିକ ଦଳ ବା ରାଜନୀତିରେ ଭାଗ ନେଉଥିବା କୌଣସି ସଂଗଠନର ସଦସ୍ୟତା ଗ୍ରହଣ କରିବାକୁ ଅଥବା କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗନେବାକୁ କିମ୍ବା ଏଭଳି ଦଳୀୟ ବା ସାଂଗଠନିକ କାର୍ଯ୍ୟକ୍ରମକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବାକୁ କର୍ମଚାରୀମାନଙ୍କୁ ସିଧାସଳଖ ବାରଣ କରାଯାଇଛି। କୌଣସି ଦଳ ରାଜନୈତିକ ଦଳ କି ନୁହେଁ କିମ୍ବା କୌଣସି ସଂଗଠନ ରାଜନୀତିରେ ଭାଗ ନେଉଛି କି ନାହିଁ ବା ଏହାର ଗତିବିଧି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କି ନୁହେଁ, ଏସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିର୍ଣ୍ଣୟ ହିଁ ଅନ୍ତିମ।

        ଏହି କ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଓ ଜମାତ-ଏ-ଇସ୍ଲାମୀ ଭଳି ଦୁଇଟି ସଂଗଠନର କାର୍ଯ୍ୟକଳାପ ଓ ଗତିବିଧି ଉପରେ କେନ୍ଦ୍ର ସରକାର ସନ୍ଦେହ ପ୍ରକଟ କରି ସରକାରୀ କର୍ମଚାରୀମାନଙ୍କୁ ଏହି ଦୁଇ ସଂଗଠନର ସଦସ୍ୟ ନହେବାକୁ ଏବଂ ଏମାନଙ୍କର କୌଣସି କାର୍ଯ୍ୟକ୍ରମରେ ଭାଗ ନନେବାକୁ ଧାରା-୫ର ଉପଧାରା-୧୨ରେ ସ୍ପଷ୍ଟ ଉଲ୍ଲେଖ କରିବା ସହ ୩୦ ନଭେମ୍ବର ୧୯୬୬ରୁ ଗୃହ ମନ୍ତ୍ରାଳୟ ଦ୍ୱାରା ସବୁ ବିଭାଗକୁ ନିର୍ଦ୍ଦେଶନାମା ଜାରି କରି ପରବର୍ତ୍ତୀ ସମୟରେ (୨୫ ଜୁଲାଇ ୧୯୭୦ ଓ ୨୮ ଅକ୍ଟୋବର ୧୯୮୦) ସେସବୁକୁ ଦୋହରେଇଛନ୍ତି। ସ୍ପଷ୍ଟ ଆଲୋଚନା ମାଧ୍ୟମରେ ସରକାର ଉପଧାରା - ୧୨ରେ ଲିପିବଦ୍ଧ କରିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ପକ୍ଷେ ଧର୍ମନିରପେକ୍ଷ ଦୃଷ୍ଟିକୋଣ ବଜାୟ ରଖିବା ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ। ସାମ୍ପ୍ରଦାୟିକ ଭାବନାର ମୂଳୋତ୍ପାଟନ କରିବା ସରକାରଙ୍କ ଏକମାତ୍ର ଲକ୍ଷ୍ୟ। କୌଣସି ସାମ୍ପ୍ରଦାୟିକ ସଂଗଠନକୁ ପ୍ରୋତ୍ସାହିତ କରିବା କିମ୍ବା  ସାମ୍ପ୍ରଦାୟିକତା ଆଧାରରେ କୌଣସି ଆବେଦନ ନିବେଦନକୁ ଧ୍ୟାନ ଦେବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ତେଣୁ ଉଭୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଜମାତ-ଏ-ଇସ୍ଲାମୀକୁ ପରୋକ୍ଷରେ ସାମ୍ପ୍ରଦାୟିକ ସଂଗଠନର ଆଖ୍ୟା ଦେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି କର୍ମଚାରୀ ଉପରୋକ୍ତ ନିର୍ଦ୍ଦେଶ ବିରୁଦ୍ଧରେ ଯା’ନ୍ତି, ତେବେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଏହି ଆଦେଶନାମା ଅଦ୍ୟାବଧି ବଳବତ୍ତର ଥିଲା।

        କିନ୍ତୁ ୯ ଜୁଲାଇ ୨୦୨୪ରେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଉପରୁ ଉପରୋକ୍ତ ପ୍ରତିବନ୍ଧକ ଉଠେଇ ନେଇଛନ୍ତି। ଅର୍ଥାତ, ଏବେ ସରକାରୀ କର୍ମଚାରୀମାନେ ବିନା ପ୍ରତିବନ୍ଧକରେ ଆରଏସଏସର ସଭ୍ୟ ପଦ ଗ୍ରହଣ କରିବା ସହ ତା’ର ସମସ୍ତ କାର୍ଯ୍ୟକ୍ରମରେ ଭାଗନେଇ ପାରିବେ। ଏଠି ପ୍ରଶ୍ନ ଉଠିବା ସ୍ୱଭାବିକ ଯେ ଏବେ ଜମାତ-ଏ-ଇସ୍ଲାମୀ କ’ଣ ଏକ ସାମ୍ପ୍ରଦାୟିକବାଦୀ ସଂଗଠନ ଓ ଆରଏସେଏସ କ’ଣ ଏକ ଧର୍ମନିରପେକ୍ଷବାଦୀ ସଂଗଠନ?  ଜମାତ-ଏ-ଇସ୍ଲାମୀକୁ ସମର୍ଥନ କରିବା କି ଆରଏସଏସକୁ ବିରୋଧ କରିବା ଲେଖକଙ୍କର ଉଦ୍ଦେଶ୍ୟ ନୁହେଁ। ଏକଥା ଅତି ସ୍ପଷ୍ଟ ଯେ ଉଭୟ ସଂଗଠନ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ଆଦର୍ଶରେ ପ୍ରତିଷ୍ଠିତ ଓ ପରିଚାଳିତ ଯେଉଁଥିରେ ଏଯାଏଁ କୌଣସି ପରିବର୍ତ୍ତନ ହୋଇନାହିଁ। ଆରଏସଏସ ଯେଭଳିଭାବେ ହିନ୍ଦୁତ୍ବ ଏବଂ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ କାମ କରୁଛି, ଜମାତ-ଏ-ଇସ୍ଲାମୀ ସେହିଭଳି ଇସଲାମ ଓ ମୁସଲିମ ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା ପାଇଁ କାର୍ଯ୍ୟରତ। ଅର୍ଥାତ ଉଭୟ ସଂଗଠନ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପାଇଁ ଧର୍ମୀୟ ଭାବନା ଆଧାରରେ କାର୍ଯ୍ୟ କରୁଛନ୍ତି। ଜମାତ-ଏ-ଇସ୍ଲାମୀ ଭଳି ସଂଗଠନ ଉପରୁ ସରକାର ପ୍ରତିବନ୍ଧକ ଉଠେଇ ଦିଅନ୍ତୁ, ଯୁକ୍ତି ସେ ସପକ୍ଷରେ ଆଦୌ ନୁହେଁ। କିନ୍ତୁ, ଆରଏସଏସ ଧର୍ମନିରପେକ୍ଷ କେମିତି ହେଲା? ତେଣୁ ଆରଏସଏସ ଉପରୁ ପ୍ରତିବନ୍ଧକ ଉଠେଇ ସରକାର ଏକତରଫା ଭାବେ ନିଜେ ପ୍ରଣୟନ କରିଥିବା କେନ୍ଦ୍ରୀୟ ବେସାମରିକ ସେବା (ଆଚରଣ) ନିୟମାବଳୀ, ୧୯୬୪ର ଖୋଲା ଉଲ୍ଲଂଘନ କରିବା ସହ ଧର୍ମନିରପେକ୍ଷତାକୁ ନିରୁତ୍ସାହିତ କରୁଛନ୍ତି। ଅତଏବ, ବୁଝିବାକୁ ହେବ ଯେ  ଆରଏସଏସର ନୀତି ଓ ଆଦର୍ଶରେ ପରିଚାଳିତ ଭାରତୀୟ ଜନତା ପାର୍ଟି ସରକାରର ଏହା ଏକ ଉଦ୍ଦେଶ୍ୟଗତ ଉଦବେଗଜନକ କାର୍ଯ୍ୟ! ଏହା ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି। ଏଭଳି ତୋର ମୋର ନୀତିର ଅନେକ ଦୃଷ୍ଟାନ୍ତ ରହିଛି। ଯେଉଁଠି ପ୍ରଚଳିତ ନିୟମକୁ ବେଖାତିର କରି ସରକାରୀ ଆଦେଶନାମାରେ ପକ୍ଷପାତିତା ଅବଲମ୍ବନ କରାଯାଉଛି, ସେହି ପରିପ୍ରେକ୍ଷୀରେ ଧର୍ମନିରପେକ୍ଷ ନାଗରିକ ସହିଂତାର ପ୍ରଣୟନ ଉପରେ ଆଲୋଚନା କରିବା ସମ୍ପୂର୍ଣ୍ଣ ନିରର୍ଥକ ମନେହୁଏ।

              ସ୍ୱାଧୀନ ଭାରତର ସରକାର କୋୖଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ଦଳ, ଗୋଷ୍ଠୀ, ସଂଗଠନ ବା ସମ୍ପ୍ରଦାୟର ମାଲିକାନାରେ ନୁହେଁ ବରଂ ସାଧାରଣ ଜନତାଙ୍କର, ଜନତାଙ୍କ ଦ୍ୱାରା ଓ ଜନତାଙ୍କ ପାଇଁ। ତେଣୁ ପ୍ରଧାନମନ୍ତ୍ରୀ ଧର୍ମନିରପେକ୍ଷ ନାଗରିକ ସହିଂତାର ପ୍ରଣୟନ କଥା ଉଠେଇବା ପୂର୍ବରୁ ଧର୍ମନିରପେକ୍ଷତାକୁ ବଜାୟ ରଖିବା ପାଇଁ ଉପରୋକ୍ତ ମହଜୁଦା ନିୟମାବଳୀ କିଭଳି ଏକ ନିର୍ଦ୍ଧିଷ୍ଟ ସଂଗଠନ ଉଦ୍ଦେଶ୍ୟରେ ରାତାରାତି ବଦଳିଗଲା ତାକୁ ସମୀକ୍ଷା କରିବାର ଆବଶ୍ୟକତା ଥିଲା। ନିୟମ ପ୍ରଣୟନ କରିବାରେ କିଛି ବିଚିତ୍ରତା ନାହିଁ। ପ୍ରଗତିର ଅନ୍ୟ ନାମ ପରିବର୍ତ୍ତନ। ତେଣୁ ପରିବର୍ତ୍ତିତ ପରିସ୍ଥିତିକୁ ଲକ୍ଷ ରଖି ଦେଶର ହିତରେ ପୁରୁଣା ନିୟମ ବଦଳିବା ଅତି ସ୍ୱାଗତଯୋଗ୍ୟ। କିନ୍ତୁ ତାହା ଯଦି ଦଳୀୟ ସ୍ୱାର୍ଥରୁ ଉର୍ଦ୍ଧରେ ଦେଶର ହିତ ସାଧନ ନକରି ଏକ ନିର୍ଦ୍ଧିଷ୍ଟ ସଂଗଠନ କି ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷାରେ ଲାଗୁ କରାଯାଏ, ତେବେ ଏହା ଉଭୟ ଗଣତନ୍ତ୍ର ଓ ସମ୍ବିଧାନର ଅମର୍ଯ୍ୟଦା କହିଲେ ଅତ୍ୟୁକ୍ତି ହେବନାହିଁ।

*******

No comments:

Post a Comment