Saturday, August 24, 2024

ପେନସନ ଆନ୍ଦୋଳନରେ ସାମିଲ ସମସ୍ତ କର୍ମଚାରୀ ଓ ନେତୃମଣ୍ଡଳୀଙ୍କୁ କ୍ରାନ୍ତିକାରୀ ଅଭିନନ୍ଦନ

 ପ୍ରିୟ ସାଥୀଗଣ,

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟେଇ ଆଜି (୨୪ ଅଗଷ୍ଟ ୨୦୨୪) କେନ୍ଦ୍ର କ୍ୟାବିନେଟ ପୁରୁଣା ପେନସନ ଯୋଜନା (ଓପିଏସ୍) ଓ ଜାତୀୟ ପେନସନ ଯୋଜନା(ଏନପିଏସ୍) ବଦଳରେ ଏକୀକୃତ ପେନସନ ଯୋଜନା (ୟୁନିଫାଏଡ୍ ପେନସନ ସ୍କିମ୍ ବା ୟୁପିଏସ୍) ନାମରେ ଏକ ନୂଆ ପେନସନ ଯୋଜନାକୁ ମଂଜୁରୀ ପ୍ରଦାନ‌ କରିଛନ୍ତି। ପ୍ରାରମ୍ଭିକ ତଥ୍ୟରୁ ମୋଟାମୋଟି ଯାହା ଜଣା ପଡ଼ୁଛି, ଓପିଏସ୍ ଭଳି ଏହି ଯୋଜନାରେ କର୍ମଚାରୀମାନେ ଶେଷ ୧୨ମାସ ହାରାହାରି ମୂଳ ଦରମାର ୫୦% ପେନସନ ଆକାରରେ ପାଇବେ। ପୁରା ପେନସନ ପାଇବା ପାଇଁ ସର୍ବନିମ୍ନ ୨୫ ବର୍ଷର ଚାକିରୀ ଆବଶ୍ୟକ। ନହେଲେ ସମୟ ଯେଉଁ  ଅନୁପାତରେ କମିବ, ସର୍ବନିମ୍ନ ୧୦ ବର୍ଷରୁ ଉର୍ଦ୍ଧ ଚାକିରୀ ପାଇଁ ପେନସନ ସମାନୁପାତିକ ହାରରେ କମିଯିବ।  ଫାମିଲି ପେନସନ ୬୦% ରହିବା ସହ ୧୦ ବର୍ଷ ଚାକିରୀ କରିଥିଲେ ସର୍ବନିମ୍ନ ପେନସନ ୧୦୦୦୦ ଟଙ୍କା ହେବ। ମହଙ୍ଗା ଭତ୍ତା ମଧ୍ୟ ପୂର୍ବ ଭଳି ବଳବତ୍ତର ରହିବ। ପ୍ରତି ୬ ମାସ ଚାକିରୀ ପାଇଁ ଅବସର ଗ୍ରହଣ ମାସର‌ ମୂଳ ଦରମା ଓ ମହଙ୍ଗା ଭତ୍ତାର ଏକ ଦଶାଂଶ ଗ୍ରାଚୁଇଟି ଆକାରରେ ମିଳିବ  ଯାହା ମୂଳ ପେନସନକୁ ପ୍ରଭାବିତ କରିବ ନାହିଁ।


  ଏନପିଏସର ସମ୍ପୂର୍ଣ୍ଣ  ମୂଳୋତ୍ପାଟନ କରି  ଓପିଏସର ପୁନଃ ‌ପ୍ରଚଳନ କରିବା ପାଇଁ  ସରକାରଙ୍କ ପାଖରେ କର୍ମଚାରୀ ପକ୍ଷର ଦାବି ରହିଥିଲା । କିନ୍ତୁ ସରକାର ଏନପିଏସକୁ ପରିବର୍ତ୍ତିତ କରି ପୁରାତନ ପେନସନ ଯୋଜନା ଭଳି ମୂଳ ଦରମାର ୫୦% ପେନସନ ଦେବା ପାଇଁ ୟୁପିଏସରେ କହିଥିଲେ  ବି ଅନେକ କିଛି ଅସ୍ପଷ୍ଟ ଅଛି। ଏହା ଓପିଏସର ସଠିକ ବିକଳ୍ପ  ନୁହେଁ । ଗେଜେଟ୍ ନୋଟିଫିକେସନ୍ ପରେ ଭଲମନ୍ଦ ସବୁ ଜଣାପଡିବ। ଅଧିକନ୍ତୁ , ପେନସନ କମିଟି ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି କି ନାହଁ, ଏଯାଏଁ ସାର୍ବଜନୀନ ହୋଇନାହିଁ। ତେଣୁ ସରକାରଙ୍କ ଆଜିର ନିଷ୍ପତ୍ତି କେଉଁ ଆଧାରରେ ହେଲା ତାହା ଦ୍ୱନ୍ଦରେ। ତଥାପି,  ନାହିଁ ମାମୁଁ ଠାରୁ କ’ଣା ମାମୁଁ ଭଲ, ଏହି ନ୍ୟାୟରେ‌ ବର୍ତ୍ତମାନ ବୁଝିବାକୁ ପଡିବ। 


  ୨୦୦୪ରୁ ୨୦୨୪, ଦୀର୍ଘ ୨୦ ବର୍ଷର ସଂଘର୍ଷ କିଛି କମ୍‌ କଥା ନୁହେଁ। ବିଶେଷ ଭାବେ ୨୦୨୩ର ବର୍ଷ ତମାମ ସଂଘର୍ଷ ପେନସନ କମିଟି ବସେଇବା ସହ କର୍ମଚାରୀ ପକ୍ଷ ସହ ଏକାଧିକ ଆଲୋଚନା ପାଇଁଁ କେନ୍ଦ୍ର ସରକାରଙ୍କୁ ଏକରକମ ବାଧ୍ୟ କରିଥିଲା ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଏହି ଐତିହାସିକ ସଂଘର୍ଷରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭାଗନେଇଥିବା ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ(ଏନଜେସିଏ) ଓ ଜେଏଫଆରଓପିଏସ ଅନ୍ତର୍ଗତ ସମସ୍ତ ସଂଗଠନ ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ସମସ୍ତ ସଂଗ୍ରାମୀ ସାଥୀ ତଥା ତୃଣମୂଳ ସ୍ତରରୁ କେନ୍ଦ୍ରୀୟ ହେଡକ୍ୱାଟର୍ସ ପର୍ଯ୍ୟନ୍ତ ସମସ୍ତ ନେତୃମଣ୍ଡଳୀଙ୍କୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି ତରଫରୁ କ୍ରାନ୍ତିକାରୀ ଅଭିନନ୍ଦନ ଓ ଗଭୀର କୃତଜ୍ଞତା।


କୌଣସି ସଂଘର୍ଷ କେବେ ସମ୍ପୂର୍ଣ୍ଣ ବିଫଳ ହୁଏନି। ଆଜିର ଏ ଆଂଶିକ ସଫଳତା ତା'ର ପ୍ରମାଣ। ହେଲେ, ଏହା ପେନସନ ଆନ୍ଦୋଳନର ଶେଷ ପର୍ଯ୍ୟାୟ ବୋଲି ବିବେଚନା କରିବା ଆଦୌ ଠିକ୍ ହେବନାହିଁ। ଗେଜେଟ୍ ନୋଟିଫିକେସନ୍ ପ୍ରକାଶିତ ହେଲାପରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କଲେ ଭଲମନ୍ଦ ସବୁ ସାମ୍ନାକୁ ଆସିବ। ସେତେବେଳେ ପୁଣି ଆଗାମୀ ପଦକ୍ଷେପ କ’ଣ ହେବ ଚିନ୍ତାକରିବାକୁ ପଡିବ। ତେଣୁ ସମସ୍ତ ଏନପିଏସ୍ ଉପଭୋକ୍ତାଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବିନମ୍ର ନିବେଦନ।


କର୍ମଚାରୀ ଏକତା ଜିନ୍ଦାବାଦ ।

🙏🤝🌷✊🌷🚩🙏


= ବୃହସ୍ପତି ସାମଲ =

ସାଧାରଣ ସମ୍ପାଦକ 


No comments:

Post a Comment