Wednesday, April 12, 2023

ପେନସନ କମିଟି : ଆଶା କମ, ଆଶଙ୍କା ବେଶୀ


 

ପେନସନ କମିଟି : ଆଶା କମ, ଆଶଙ୍କା ବେଶୀ

ବୃହସ୍ପତି ସାମଲ
କେନ୍ଦ୍ର ସରକାରଙ୍କ ପେନସନ ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର  କୋଟି କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀ ବୟସର ଅପରାହ୍ନରେ ଆଶାବାଡ଼ି ସାଜିଥିବା ପେନସନର ଭବିଷ୍ୟତକୁ ନେଇ ଅନେକ ସନ୍ଦେହ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି ଓ ବିଶ୍ବ ବ୍ୟାଙ୍କର ପ୍ରରୋଚନାରେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଜିଦଖୋର ମନୋବୃତ୍ତି ଯୋଗୁଁ  ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ପୁରାତନ ପେନସନ ଯୋଜନା (ଓପିଏସ) ବାତିଲ ହୋଇ ନୂତନ ପେନସନ ଯୋଜନା ଅଥବା ଜାତୀୟ ପେନସନ ଯୋଜନା (ଏନପିଏସ)ର ପ୍ରଚଳନ ହେଲା  ଓ ପରେ ୨୦୧୩ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ସମୟରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁହେଲା। ଓଡିଶା ଭଳି ରାଜ୍ୟ ୧ ଜାନୁୟାରୀ ୨୦୦୫ରୁ ଏନପିଏସ  ଲାଗୁ କରିଥିବା ବେଳେ, ପଶ୍ଚିମ ବଙ୍ଗ ଓ ତାମିଲନାଡୁ ଭଳି ରାଜ୍ୟରେ ଏ ପର୍ଯ୍ୟନ୍ତ ଏହା ଲାଗୁ ହୋଇ ନାହିଁ। ୨୦୦୩ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ଆନ୍ଧ୍ରପ୍ରଦେଶ ସରକାର ଶେଷ ଦରମାର ୩୩ ପ୍ରତିଶତ ପେପସନ ଆକାରରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ  ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପାଇଁ  ୧୪ ମାର୍ଚ୍ଚ ୨୦୨୩ରେ ଏକ କମିଟି ନିଯୁକ୍ତି କରିଛନ୍ତି। ଫଳରେ ୨୦୦୩ରୁ ଏଯାବତ ଗୋଟିଏ ପଟେ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ ଓ ଶିକ୍ଷକଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଅନ୍ୟପକ୍ଷେ  ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଓପିଏସ ମୁହାଁ ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆଣିବା ସକାଶେ ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେଏକ କମିଟି ବସେଇବେ ବୋଲି ୨୪ ମାର୍ଚ୍ଚ ୨୦୨୩ରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରି ୬ ଏପ୍ରିଲ ୨୦୨୩ରେ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶ୍ରମିକ କର୍ମଚାରୀଙ୍କ ମଙ୍ଗଳ ସକାଶେ ସରକାର ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଗତ ବଜେଟ ଅଧିବେଶନରେ ଏକ  ବିଧିବଦ୍ଧ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। ହେଲେ  କମିଟି ଗଠନ କରି ସରକାର କର୍ମଚାରୀଙ୍କ ଆନ୍ଦୋଳନରେ ବିରାମ ଲଗେଇବାକୁ ଚେଷ୍ଟା କରିଛନ୍ତି ହୃଦବୋଧ କରି କମିଟିର କାର୍ଯ୍ୟକାରିତାକୁ ନେଇ କର୍ମଚାରୀ ମହଲରେ କମ ଆଶା ଏବଂ ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।ଏଭଳି ଆଶଙ୍କାର କେତେକ ମୂଖ୍ୟ କାରଣ ନିମ୍ନମତେ ଆଲୋଚନା କରାଯାଇପାରେ।

ପ୍ରଥମତଃ, ଏନପିଏସ ଉପରେ କର୍ମଚାରୀ ପକ୍ଷ ସହ ବାରମ୍ବାର ଆଲୋଚନା ପରେ ଶେଷରେ ଜଏଣ୍ଟ କସଲଟେଟିଭ ମେସିନାରୀ ଜାତୀୟ ପରିଷଦର ୧୪ ଡିସେମ୍ବର ୨୦୦୭ର ଷ୍ଟାଣ୍ଡିଂ କମିଟି ବୈଠକରେ କେନ୍ଦ୍ର ସରକାର ଏକ ଲିଖିତ ପ୍ରତିଶ୍ରୁତି ଦେଇ କହିଥିଲେ,"For the employees who have entered with effect from 01.01.2004 are not likely to be worse off vis-a-vis the current pension system in force, as the replacement rate would match to the present one. Thus, NPS is a win-win situation for the employees and the Govt."  କିନ୍ତୁ ଏବେ ଯେତେବେଳେ ଏନପିଏସ ଉପଭୋକ୍ତାମାନେ ଅବସରନେବା ଆରମ୍ଭ କଲେ, ସେତେବେଳେ ଜଣାପଡିଲା ଯେ  ପ୍ରତିଶ୍ରୁତିରୁ ବାସ୍ତବତା ପ୍ରକୃତରେ ବହୁ ଦୁରରେ। ଆଶା କରିଥିଲି ତୋତେ, କାଉକୁ ଯେମନ୍ତେ କୋଇଲି ଭଣ୍ଡାଏ ସେହିପରି କଲୁ ମୋତେ। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ।ଉଦାହରଣ ସ୍ୱରୁପ କୁହାଯାଇପାରେ ଶେଷ ଦରମା ୫୬୯୦୦ ଥାଇ ଗୋଳାବାରୁଦ କାରଖାନାର କର୍ମଚାରୀ ଶ୍ରୀ ଶିବଶଙ୍କରନ ୧୭ବର୍ଷ ୬ମାସ ଚାକିରୀ କରି ଅବସର ଗ୍ରହଣ କଲେ। ଓପିଏସରେ ମାସିକ ପେନସନ ଯାହା ୨୮୪୫୦ ମିଳିଥାନ୍ତା, ଏନପିଏସରେ ତାହା ମାତ୍ର ୪୯୦୦ ମିଳିଲା। ସେହିପରି ଶ୍ରୀ ରାମଚନ୍ଦ୍ରନ ୧୩ ବର୍ଷ ୫ ମାସ ଚାକିରୀ କରି ଶେଷ ଦରମା ୩୦୫୦୦ ଥାଇ ଅବସର ନେଲେ। ଓପିଏସରେ ମାସିକ ପେନସନ ଯାହା ୧୫୨୫୦ ମିଳିଥାନ୍ତା, ଏନପିଏସରେ ତାହା ମାତ୍ର ୨୪୧୭ ମିଳିଲା। ଏହିଭଳି ଉଦାହରଣ ଅନେକ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଲାପରେ ପରିବାର ପ୍ରତିପୋଷଣ ପାଇଁ କେହି ପରିବା ବିକୁଛି, କେହି ଦିନ ମଜୁରିଆ ଭାବେ କାମ କରୁଛି ତ ଆଉ କେହି ପାନ ଦୋକାନ ଖଣ୍ଡେ କରି ଗୁଜୁରାଣ ମେଣ୍ଟଉଛି। କେହି କେହି ସ୍ୱାଭିମାନୀ ଆର୍ଥିକ ବୋଝ ମୁଣ୍ଡେଇ ନପାରି ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏମିତି ଖବର ଅସରନ୍ତି।ଏଭଳି ପରିସ୍ଥିତିରେ, କୌଣସି ପ୍ରତିଶ୍ରୁତିକୁ ଭରଷା ନ କରି କର୍ମଚାରୀମାନେ ନିଜର ତଥା ପରବର୍ତ୍ତୀ ପିଢିର ଭବିଷ୍ୟତ ଉଜୁଡିଯିବା ଆଶଙ୍କାରେ ଏନପିଏସ ଉଚ୍ଛେଦ ଆନ୍ଦୋଳନକୁ ତୀବ୍ରତର କରିବାରେ ଲାଗିପଡିଛନ୍ତି।

ଦ୍ୱିତୀୟତଃ, ସପ୍ତମ ବେତନ ଆୟୋଗ ପରିପ୍ରେକ୍ଷୀରେ ସର୍ବନିମ୍ନ ବେତନକୁ ୧୮୦୦୦ରୁ ୨୬୦୦୦କୁ ବୃଦ୍ଧି ଏବଂ ବେତନ ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ପାଇଁ  ୧୧ ଜୁଲାଇ ୨୦୧୬ରୁ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ କରିବେ ବୋଲି ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରଷଦ ତରଫରୁ ଯେତେବେଳେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ୬ ଜୁଲାଇ ୨୦୧୬ରେ ଏକ ପ୍ରେସ୍ ଇସ୍ତାହାର ଜାରି କରି  ଏକ ଉଚ୍ଚସ୍ତରୀୟ କମିଟି ଜରିଆରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ ସହ ଚାରିମାସ ଭିତରେ ନିଷ୍ପତ୍ତି ନେବାପାଇଁ ଘୋଷଣା କଲେ। ଲିଖିତ ପ୍ରତିଶ୍ରୁତି ପାଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଯିବା ପରେ ସେସମୟର ଅର୍ଥମନ୍ତ୍ରୀ  ୧୯  ଜୁଲାଇ ୨୦୧୬ରେ ରାଜ୍ୟସଭାର ପ୍ରଶ୍ନୋତ୍ତର କାଳରେ ଉତ୍ତର ରଖିଲେ ଯେ ସେଭଳି କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ନାହିଁ। କି ବିଚିତ୍ରକଥା! ୪ମାସ ଯାଇ ୭ ବର୍ଷ ଅତିବାହିତ ହେବାକୁ ବସିଲାଣି, ଉଚ୍ଚସ୍ତରୀୟ କମିଟି ଗଠନ ତ ଦୁରର କଥା, ସରକାର କର୍ମଚାରୀଙ୍କର କୌଣସି କଥା ଶୁଣିବା ଅବସ୍ଥାରେ ନାହାନ୍ତି। ସରକାରଙ୍କ ତରଫରୁ କର୍ମଚାରୀଙ୍କୁ ଦିଆଯାଇଥିବା ଏଭଳି ଅନେକ ନିଷ୍ଫଳ ପ୍ରତିଶ୍ରୁତିର ଅବତାରଣା କରଯାଇପାରେ। ତେଣୁ  ଏନପିଏସ କମିଟିର ଫଳାଫଳକୁ ନେଇ  କର୍ମଚାରୀ ମହଲରେ ଅନେକ ସଂଶୟ।

ତୃତୀୟତଃ, ଏନପିଏସ କମିଟିର ଲିଖିତ ନିର୍ଦ୍ଦେଶନାମାରେ ବିଚାର ନିମନ୍ତେ ଯେଉଁସବୁ ସର୍ତ୍ତାବଳୀ ନିହିତ ଅଛି, ସେଥିରେ କମିଟିର କାର୍ଯ୍ୟକାଳ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇ ନାହି କିମ୍ବା କର୍ମଚାରୀ ପକ୍ଷର ପ୍ରତିନିଧିମାନଙ୍କୁ ନିଜର ପକ୍ଷ ରଖିବା ପାଇଁ କୌଣସି ପ୍ରାବଧାନ ନାହିଁ। ଅଧିକନ୍ତୁ, ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ, ବ୍ୟୟ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସଭ୍ୟ ରହିଥିବା ବେଳେ ଏଥିରେ କର୍ମଚାରୀ ପ୍ରତିନିଧିମାନଙ୍କର ସ୍ଥାନ ନାହିଁ। ଏଭଳି ପରିସ୍ଥିତିରେ କମିଟିର ସୁସ୍ଥ କାର୍ଯ୍ୟକାରିତାକୁ ନେଇ ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ।

ଚତୁର୍ଥ କାରଣ ହେଲା, ୨୦୨୪ ସାଧାରଣ ନିର୍ବାଚନର ବର୍ଷ ହେଇଥିବା ଯୋଗୁଁ ୨୦୨୩ ପ୍ରାରମ୍ଭରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କଲାଭଳି ନିଜ ନିଜର ନିର୍ବାଚନୀ ଇସ୍ତାହାରକୁ  ରୋଚକ ଓ ମନଲୋଭା କରିବାରେ ବ୍ୟଗ୍ରତା ଦେଖାଉଛନ୍ତି। ଏବେ ଯେଉଁ କେତୋଟି କଂଗ୍ରେସ ଶାସିତ ରାଜ୍ୟ ଓପିଏସକୁ ଫେରିବାକୁ ପ୍ରତିଶ୍ରୁତି ଦେଉଛନ୍ତି, କେନ୍ଦ୍ରରେ ଯେତେବେଳେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେହି କଂଗ୍ରେସ ନେତୃତ୍ବାଧୀନ ସରକାର ଚାଲିଥିଲା, ସେମାନେ ଏନପିଏସ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନ ନେଇ ବରଂ  ୨୦୧୩ରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁକରେଇ ଏନପିଏସର ଚେରକୁ ମଜଭୁତ କରେଇଲେ। ଏନପିଏସରେ ପରିବର୍ତ୍ତନ ଆଣିବା ନୁହେଁ ବରଂ ସମ୍ପୂର୍ଣ୍ଣ ଉଚ୍ଛେଦ କର୍ମଚାରୀଙ୍କର ଦାବି। ତେଣୁ, ପେନସନ କମିଟି ଗଠନ ଏବର କେନ୍ଦ୍ର ସରକାରଙ୍କର ଏକ ନିର୍ବାଚନୀ ଚାଲ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କୁ ଦିଆଯାଇଥିବା  ଅନେକ ପ୍ରତିଶ୍ରୁତି ପାଣିର ଗାର ହେଇ ରହିଯାଇଛି। ଲୋକେ ଆଜି ବି ବେରୋଜଗାରୀ, ଦରବୃଦ୍ଧି, ଦୁର୍ନୀତି ତଥା କଳାବଜାରୀ ସହ ଜୁଝୁଛନ୍ତି। ଏନପିଏସ ଉଚ୍ଛେଦ ପ୍ରସଙ୍ଗ ୨୦୦୩ରୁ ଆରମ୍ଭ ହେଇ ୨୦ବର୍ଷରେ ପଦାର୍ପଣ କରି ଚାରି ଚାରିଟି ସରକାରର ସାମନା କଲାଣି।  ତଥାପି ସଂଘର୍ଷ ଚାଲିଛି। ରାଜନୈତିକ ଦଳମାନଙ୍କର କୌଣସି ନିର୍ବାଚନୀ  ପ୍ରତିଶ୍ରୁତିରେ ବିଶ୍ୱାସ କଲାଭଳି ମାନସିକତା କର୍ମଚାରୀଙ୍କର ଆଉ ଆଦୌ ନାହିଁ। ଏ ସନ ମଳୁ, ଆର ସନକୁ ବଇଦ ନ୍ୟାୟରେ କର୍ମଚାରୀମାନେ ବି ଢେର ଅଭିଜ୍ଞତା ଗୋଟେଇଲେଣି।

ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ  ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମୋଦିତ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ଦେଶର ଜନ ପ୍ରତିନିଧିମାନେ ମାତ୍ର  ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ   ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ। ତେଣୁ ସାରା ଦେଶର ଶ୍ରମିକ କର୍ମଚାରୀ ଆନ୍ଦୋଳନ ଶିଖରରେ ପହଞ୍ଚିବା ଆଗରୁ ଉପରୋକ୍ତ କମିଟି ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ଜରୁରୀ ବୋଲି ଆଶା କରାଯାଉଛି।

ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତି, ଭୁବନେଶ୍ୱର
ମୋବାଇଲ ନଂ: ୯୪୩୭୦୨୨୬୬୯
ଇମେଲ:bsamalbbsr@gmail.com
*******


No comments:

Post a Comment