Tuesday, April 25, 2023

ଅସହିଷ୍ଣୁତାହୀନ ସହାବସ୍ଥାନ ସମ୍ଭବ



        ବିଭିନ୍ନତା ମଧ୍ୟରେ ଏକତା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ବୈଶିଷ୍ଟ୍ୟ। ଜାତି, ଧର୍ମ, ବର୍ଣ୍ଣର ଉର୍ଦ୍ଧରେ ଅସହିଷ୍ଣୁତାହୀନ  ଏକତ୍ର ସହାବସ୍ଥାନ କାର୍ହିଁ କେଉଁ ଆଦିମ କାଳରୁ ଏହି ମହାନ ଦେଶର  ପରମ୍ପରା ରହିଆସିଛି। ବୈଦିକଯୁଗରୁ 'ବସୁଧେବ କୁଟୁମ୍ବକମଂ'ର କାଳଜୟୀ ବାର୍ତ୍ତା ସହ ଏ ଦିଗରେ ଆମର ଗୌରବମୟ ଇତିହାସ ସ୍ୱୟଂସମୃଦ୍ଧ। କିନ୍ତୁ ଏହି ବିଶାଳ ଗଣତନ୍ତ୍ରରେ ସମ୍ବିଧାନ ସମ୍ମତ ଧର୍ମନିରପେକ୍ଷତାର ପରିଭାଷା ରାଜନୀତିର ପଶାପାଲିରେ ଏବେ ଯେମିତି ଧିରେ ଧିରେ ବଦଳିଯିବାକୁ ବସିଲାଣି।  ଛୋଟ ଛୋଟ କଥାରେ ଆମେ କେମିତି ଅସହିଷ୍ଣୁ ହେଇପଡୁଛୁ। ପରିବାର, ଗାଁଗଣ୍ଡା, ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସବୁଠି ଏକ କୋଳାହଳମୟ ପରିସ୍ଥିତି। ହିଂସା, ଇର୍ଷା, ପରଶ୍ରୀକାତରତାରେ ସମାଜ ଘାଣ୍ଟିଚକଟି ହେଉଛି। କଥା କଥାରେ ଆକ୍ରମଣ, ପ୍ରତିଆକ୍ରମଣ, ହତ୍ୟା, ଅପରାଧ, ଧର୍ଷଣ, ଲୁଣ୍ଠନ, ଯୁଦ୍ଧର ବିଭୀଷିକା। 'ବସୁଧେବ କୁଟୁମ୍ବକମଂ' ତାର ଅସ୍ତିତ୍ଵ ହରେଇବାକୁ ବସିଛି ଯେମିତି। ବିଶ୍ୱଗୁରୁ ବେଦଭୂମି ଭାରତ ତାର ମହାନ ପରମ୍ପରାକୁ ହାତେଇବ କି ହରେଇଦେବ ଏବେ ଏକ ବିରାଟ ପ୍ରଶ୍ନବାଚୀ।


         ଗୋଟିଏ ଛୋଟିଆ କଥା ମନରେ ଉଙ୍କିମାରେ। ଆମମାନଙ୍କ ପରିବାରରେ ସମସ୍ତଙ୍କର ଖାଇବା, ପିଇବା, ପିନ୍ଧିବା ପସନ୍ଦ ସମାନ ନୁହେଁ। ଏବର ସ୍ୱାସ୍ଥ୍ୟ ସଚେତନ ପିଲାମାନେ ନିଜ ନିଜର ରୁଚି ମୂତାବକ ଖାଦ୍ୟ ଚାହୁଁଥିଲା ବେଳେ, ମଧ୍ୟବୟସ୍କଙ୍କ ପସନ୍ଦ ଟିକେ ଅଲଗା ତଥା ମଧୁମେହ କିମ୍ବା ବାର୍ଦ୍ଧକ୍ୟଜନିତ ଯନ୍ତ୍ରଣାରେ ଛଟପଟ ବୟସ୍କ ନାଗରିକଙ୍କର ନିର୍ଦ୍ଦିଷ୍ଟ ଖାଦ୍ୟ ଚୟନ ଏକ ବାଧ୍ୟବାଧକତା। ତଥାପି ପରିବାରରେ ଜଳଖିଆ, ମଧ୍ୟାହ୍ନ ଓ ରାତ୍ରି ଭୋଜନ ଠିକ ଠିକ ପ୍ରସ୍ତୁତ ହୁଏ ଆଉ ଆମେ ସମସ୍ତେ ପାରସ୍ପରିକ ସ୍ନେହ ଶ୍ରଦ୍ଧାକୁ ସହୃଦୟତାରେ ଆପଣେଇ ଶାନ୍ତିରେ ଏକାଠି ବସି ଭୋଜନ କରୁ। ସେହିପରି ପିନ୍ଧାପିନ୍ଧି, ବୁଲାବୁଲି, ପଢାପଢି, ପୂଜାପୂଜି ସବୁକିଛି। ସପରିବାର କେତେବେଳେ ଗାଡ଼ିରେ ବସି ଏକାଠି ବୁଲି ବାହାରିଲେ ବୟସ୍କମାନେ ସତୁରୀ ଅଶୀ ଦଶକର ପୁରୁଣା ଅଭୁଲା ଗୀତ କିମ୍ବା ଭାବ ଭକ୍ତିର ଭଜନ ଶୁଣି ଗୁଣୁଗୁଣେଇବାକୁ ଇଛା କରୁଥିଲାବେଳେ, ପିଲାମାନେ ଆଜିକାଲିକା ଚଙ୍ଗଚଙ୍ଗିଆ ଗୀତ ଲଗେଇ ଦିଅନ୍ତି। ତଥାପି ଗାଡି ଗଡେ ଗନ୍ତବ୍ୟସ୍ଥଳକୁ ହସଖୁସିରେ, ମଉଜମଜଲିସରେ, ବିନା ଦ୍ୱିଧାରେ। ପିନ୍ଧିବାରେ କାହାର ଜିନ୍ସ ପ୍ୟାଣ୍ଟ ସାର୍ଟ ତ କାହାର ଖଦୀର କୁର୍ତ୍ତା ପାଇଜାମା। କାହାର ଶାଢୀ ତ କାହାର ଶାଲୱର ପଞ୍ଜାବୀ। ଦଉଡିଆ ଖଟରେ ଖୋଲା ଆକାଶ ତଳେ କେହି ଶୋଇବାକୁ ପସନ୍ଦ କଲାବେଳେ, କାହାକୁ ଗଦି ପଲଙ୍କ ସହ ବାତ୍ତାନୁକୁଳ ପରିବେଶ ଦରକାର। ଆମମାନଙ୍କ ଠାକୁର ଘରେ ବି ଭିନ୍ନଭିନ୍ନ ପ୍ରତିମୂର୍ତ୍ତି ଓ ଫଟ ଗୋଟିଏ ଆସ୍ଥାନରେ। ବାପା ଯଦି ଜଗନ୍ନାଥଙ୍କୁ ପୂଜୁଛନ୍ତି, ମା ଏଣେ ଲକ୍ଷ୍ମୀଙ୍କୁ। କିଏ ରାଧେରାଧେ ତ କିଏ ଜୟ ଶ୍ରୀରାମରେ ଖୁସି। କାହାର ବଜରଙ୍ଗବାଲି ତ କାହାର ଓଁ ନମଃ ଶିବାୟ। ଏତେ ଭିନ୍ନତା ସତ୍ତ୍ୱେ ଘରେ କିଛି ଅସୁବିଧା ହୁଏନା କାରଣ ଆମେ କୌଣସି ପରିସ୍ଥିତିରେ ପରିବାରର ଶାନ୍ତି ବ୍ୟାହତ ହେବା ଚାହୁଁନା। ପରିବାରର ସୁଖଶାନ୍ତି ସର୍ବୋପରି। ଜଣକର କାହାରି ଟିକେ ଅସୁବିଧା ବା ମନଦୁଃଖ ହେଲେ, ସାରା ପରିବାର ଦୁଃଖୀ। ସମସ୍ତେ ସମସ୍ତଙ୍କର ପସନ୍ଦ ନାପସନ୍ଦକୁ ସମ୍ମାନ ଦେଲେହିଁ ପରିବାରର ପବିତ୍ର ବନ୍ଧନ ଅତୁଟ ରହେ ଏକଥା ଆମେ ଘରୁ ଶିଖିଥାଉଁ। ଯେଉଁମାନେ ଏହି ପାରିବାରିକ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ଆଗକୁ ବଢିଛନ୍ତି, ଜୀବନରେ ପ୍ରତିଷ୍ଠିତ ହେବା ସହ ଅନେକ ସଫଳତା  ଓ ଲୋକପ୍ରିୟତା ହାସଲ କରିଛନ୍ତି। ଯେଉଁ ପରିବାରରେ ଏଭଳି ପାରସ୍ପରିକ ବୁଝାମଣା ନାହିଁ, ସେ ପରିବାର ନଷ୍ଟ ହେଇଯାଇଛି।


         କିନ୍ତୁ, ସାମ୍ପ୍ରତିକ ପରିସ୍ଥିତିରେ ଯାହା ପରିଲକ୍ଷିତ ହେଉଛି କାହିଁକି କେଜାଣି ଦେଶ  ଓ ଜାତିର କଥା ଉଠିଲେ ଆମର ଉପରୋକ୍ତ ପାରିବାରିକ ମୂଲ୍ୟବୋଧ କୁଆଡ଼େ ପାଣିଫୋଟକା ପରି ମିଳେଇଯାଉଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଆଦର୍ଶରେ ଅନୁପ୍ରାଣିତ ହୋଇ  କିମ୍ବା ନିଜର ସଂକୀର୍ଣ୍ଣତା, ଅଜ୍ଞାନତା ଓ ମୌଳବାଦୀ ଚିନ୍ତାଧାରା ଯୋଗୁଁ ଅନେକ ସମୟରେ ଆମେ ହିତାହିତ ଜ୍ଞାନ ଭୁଲି ଅକର୍ମ କରିବାକୁ ବାଧ୍ୟ ହେଉଛୁ ଯାହା ପରବର୍ତ୍ତୀ କାଳରେ ସମାଜରେ ଅନେକ ବିଶୃଙ୍ଖଳା ଓ ଅସ୍ଥିରତା ସୃଷ୍ଟି କରିବାରେ ସହାୟକ ହେଉଛି। ରାଜନୈତିକ ଦଳମାନେ ବି କମ ଧୂର୍ତ୍ତ ନୁହନ୍ତି! ଏମାନେ ଧର୍ମଭୀରୁ ଭାରତୀୟଙ୍କର ନାଡୀ ଠିକ ଚିପି ଜାଣିଛନ୍ତି। ବିଭିନ୍ନ ଦେବାଦେବୀ ବା ସେମାନଙ୍କର ଆୟୁଧ, ଆଭୁଷଣ ବା ବାହନକୁ ନିଜ ନିଜ ଦଳର ପତାକା ଓ ନିର୍ବାଚନୀ ଚିହ୍ନ କରି ଜନତାଙ୍କ ଧର୍ମାଶକ୍ତି ଓ ଭାବାବେଗ ସହ ଖୁବ ଚତୁରତାର ସହ ଖେଳ ଖେଳୁଛନ୍ତି। ବୁଝିହୁଏନି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ଏଭଳି ସାଙ୍କେତିକ ଚିହ୍ନ ଓ ଦଳୀୟ ପତାକା ବ୍ୟବହାର କରିବା ପାଇଁ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗ କାହିଁକି ପ୍ରଶୟ ଓ ଅନୁମତି ଦେଉଛନ୍ତି। ଧର୍ମୀୟ ଉତ୍ତେଜନା ସୃଷ୍ଟି କରୁଥିବା ଏଭଳି ରାଜନୈତିକ ଦଳୀୟ ପତାକା ଓ ଦଳୀୟ ଚିହ୍ନ ଭାରତ ଭଳି ରାଷ୍ଟ୍ରରେ ନିଷିଦ୍ଧ ହେବା ନିହାତି ଜରୁରୀ। ସୂର୍ଯ୍ୟ, ଚନ୍ଦ୍ର ଭଳି ଦେବତା ବା ଶଙ୍ଖ, ପଦ୍ମ, ଧନୁ, ତୀର, ଲଙ୍ଗଳ,  ହାତୀ, ସିଂହ ଇତ୍ୟାଦି  ଦେବାଦେବୀଙ୍କର ଆୟୁଧ, ଆଭୂଷଣ ବା ବାହନଙ୍କୁ ଆମମାନଙ୍କ ଠାକୁରଘରେ ଗୋଟିଏ ଆସ୍ଥାନରେ ରଖି ବିନା ଭେଦଭାବରେ  ଆମେ ଯଦି ପୂଜାର୍ଚ୍ଚନା କରିପାରୁଛନ୍ତି ଏବଂ ଏସବୁ କେବଳ 'ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ' ପାଇଁ ବିଭିନ୍ନ ଅବତାରଙ୍କ ଦ୍ୱାରା ବ୍ୟବହୃତ ହୋଇଥାନ୍ତି, ତେବେ ଏସବୁକୁ ଢାଲ କରି ଆମ ଆମ ଭିତରେ ଏତେ କନ୍ଦଳ ସୃଷ୍ଟି କରିବା ଆଦୌ ଧର୍ମୀୟ ଭାବନା ବା ପ୍ରକୃତ ଭକ୍ତି ନୁହେଁ। ଏହା କେବଳ ଆମ ଅଜ୍ଞାନତା, ରୁଗ୍ଣ ମାନସିକତା ଓ ହୀନମନ୍ୟତାର ପରିଚୟ ମାତ୍ର।  ଆମ ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବା ସାହେବ ଭୀମରାଓ ଆମ୍ବେଦକର ସେଇଥିପାଇଁ ତ ଅନେକ ଆଗରୁ କହି ଯାଇଛନ୍ତି ଯେ ଧର୍ମରେ ଭକ୍ତି ଭାବ ଆତ୍ମାର ମୋକ୍ଷ ପ୍ରାପ୍ତିର ବାଟ ହେଇପାରେ, ମାତ୍ର ରାଜନୀତିରେ ଭକ୍ତି ବା ବ୍ୟକ୍ତିପୂଜନ ଅଧଃପତନର ଏକ ନିର୍ଣ୍ଣାୟକ ଦ୍ୱାର ଉନ୍ମୁକ୍ତ କରି କେବଳ ଏକଛତ୍ରବାଦକୁ ପ୍ରଶୟ ଦେଇଥାଏ। ଏହାର ଅଗଣିତ ନଗ୍ନ ଓ ଜ୍ୱଳନ୍ତ ଉଦାହରଣ ଏବେ ଆମ ଆଖି ଆଗରେ, ସକାଳୁ ସଞ୍ଜ ଯାଏ। ବିଶ୍ୱାସ ହେଉନି ଯେ ଦେଶଭକ୍ତି ଆମେ ଠିକ ଜାଣିଛନ୍ତି ବୋଲି। 'ସର୍ବଧର୍ମାନ ପରିତେଜ୍ୟ ମାମେକଂ ଶରଣଂ ବ୍ରଜ'ର ପ୍ରକୃତ  ଅର୍ଥ ଆମେ ଠିକ ବୁଝିଛନ୍ତି ବୋଲି।  ଆଜିର ଦିନରେ କେବଳ ଅନ୍ଧଭକ୍ତିକୁ ନେଇ  ରାଜନୀତି ବେଶ୍ ଗତିଶୀଳ। ଧର୍ମୀୟ ଅସହିଷ୍ଣୁତା ଦିନକୁ ଦିନ ବୃଦ୍ଧି ପାଇଁ ଭବିଷ୍ୟତ ବଂଶଧରଙ୍କ ପାଇଁ ନିଶ୍ଚିତ ବିପଦକୁ ଆମନ୍ତ୍ରଣ କରୁଛି।


      ପରିବାରର ଜଣେ ସଦସ୍ୟ ଭାବେ ଯେତେବେଳେ  ପରିବାରର ସମୂହ ସ୍ୱାର୍ଥ ପାଇଁ ଆମେମାନେ ନିଜ ନିଜର ସୁଖସୁବିଧା ଓ ପସନ୍ଦ ନାପସନ୍ଦକୁ ଜଳାଞ୍ଜଳି ଦେଇପାରୁଛନ୍ତି, ଦେଶର ଜଣେ ଜଣେ ଦାୟିତ୍ୱବାନ ନାଗରିକ ହିସାବରେ  ଦେଶରୁ ଏହି ଅସହିଷ୍ଣୁତା ଦୁର କରିବାରେ ଆମେ ନିଶ୍ଚୟ ସହାୟକ ହେଇପାରିବା। ଧର୍ମୀୟ ସଂକୀର୍ଣ୍ଣତାରୁ ଉର୍ଦ୍ଧକୁ ଯାଇ ଆମ ଘରର ଶୃଙ୍ଖଳା ଓ ଆମ ଠାକୁର ଘରର ମର୍ଯ୍ୟାଦାକୁ ଯେବେ ଆମେ ଆମ ଦେଶ ହିତ ପାଇଁ ଉପଯୋଗ କରି ପାରିବା ତେବେ ଏ ସାମ୍ପ୍ରଦାୟିକ ଭେଦଭାବ ଆପଣାଛାଏଁ ହଟିଯିବ ଓ ବେଦବାଣୀ 'ବସୁଧେବ କୁଟୁମ୍ବକଂ'ର ମହତ୍ତ୍ଵ ପ୍ରତିପାଦିତ ହୋଇ ଅସହିଷ୍ଣୁତାହୀନ ସହାବସ୍ଥାନ ନିଶ୍ଚୟ ସମ୍ଭବ ହେବ।

******

No comments:

Post a Comment