Sunday, April 30, 2023

ପ୍ରେସ ଇସ୍ତାହାର : ରାଷ୍ଟ୍ରୀୟ ଡାକ କର୍ମଚାରୀ ମହାସଂଘର ମାନ୍ୟତା ପ୍ରତ୍ୟାହାର ନିନ୍ଦନୀୟ

 କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର

ପ୍ରେସ ଇସ୍ତାହାର ୩୦ ଏପ୍ରିଲ ୨୦୨୩

ରାଷ୍ଟ୍ରୀୟ ଡାକ କର୍ମଚାରୀ ମହାସଂଘର ମାନ୍ୟତା ପ୍ରତ୍ୟାହାର ନିନ୍ଦନୀୟ

ଏକ ଅଭାବନୀୟ ଘଟଣାକ୍ରମରେ ଭାରତୀୟ ଡାକ ବିଭାଗ ୨୬ ଏପ୍ରିଲ ୨୦୨୩ରେ  ବିଶ୍ୱର ସର୍ବବୃହତ ଡାକସଂସ୍ଥା ଏହି ଭାରତୀୟ ଡାକର ୭୦ ପ୍ରତିଶତରୁ ଉର୍ଦ୍ଧ ସଭ୍ୟ ସଂଖ୍ୟା ସହ ବୃହତ୍ତମ ସ୍ୱାଧୀନ  କର୍ମଚାରୀ ସଂଗଠନ 'ରାଷ୍ଟ୍ରୀୟ ଡାକ କର୍ମଚାରୀ ମହାସଂଘ' (ନ୍ୟାସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ଲଇଜ ବା ଏନଏଫପିଇ) ଏବଂ ତାର ବୃହତ୍ତମ ଅଂଶୀଦାର 'ଅଖିଳ ଭାରତ ତୃତୀୟଶ୍ରେଣୀ ଡାକ କର୍ମଚାରୀ ସଂଘ'ର ମାନ୍ଯତା ଶାସକଦଳ ପ୍ରୋତ୍ସାହିତ ଓ ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଏକ ଅଣମାନ୍ୟତାପ୍ରାପ୍ତ ସଂଗଠନ 'ଭାରତୀୟ ଡାକ କର୍ମଚାରୀ ମହାସଂଘ' (ବିପିଇଏଫ)ର ଏକ ନିରାଧାର ଆରୋପ ଉପରେ ସିସିଏସ (ଆରଏସଏ) ରୁଲ୍ସ ୧୯୯୩ ଉଲଂଘନ ଆଳରେ ଅତ୍ୟନ୍ତ ଅନ୍ୟାୟ, ଏକତରଫା ଏବଂ ଆକ୍ରୋଶମୂଳକ ଭାବେ ପ୍ରତ୍ୟାହାର କରିନେଇଛନ୍ତି ଯାହା ନିହାତି ଦୁଃର୍ଭାଗ୍ୟଜନକ।  ଅଭିଯୋଗ ହେଲା ଭାରତ ବର୍ଷରେ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନକୁ ଏନଏଫପିଇ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲା ଯାହା ସମ୍ପୂର୍ଣ୍ଣ ଅମୂଳକ। ପ୍ରକୃତ କଥା ହେଉଛି ଏନଏଫପିଇ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ କେନ୍ଦ୍ରୀୟ ସଂଗଠନକୁ ତାର ଆବଶ୍ୟକୀୟ ବାର୍ଷିକ ଦେୟ ପ୍ରଦାନ କରିଥିଲା ଯାହା ଏନଏଫପିଇର ସମ୍ବିଧାନ ସମ୍ମତ। ଏହି ପ୍ରଦତ୍ତ ଦେୟର ଉପଯୋଗ କିଭଳି ହେଲା ତା ପାଇଁ ଉତ୍ତରଦାୟୀ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଏନଏଫପିଇ ନୁହେଁ।

ଡାକ ବିଭାଗର ଏଭଳି ଅନ୍ୟାୟକୁ ବିରୋଧ କରି ଭାରତର କିଛି ମାନ୍ୟବର ସାଂସଦ, କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ,  ବ୍ୟାଙ୍କ, ଜୀବନ ବୀମା, ବିଏସଏନଏଲ ଓ ଅନେକ ଭାତୃପ୍ରତିମ ସଂଘ, ମହାସଂଘମାନେ ସର୍ବଭାରତୀୟ ସ୍ତରରେ ନିନ୍ଦା ପ୍ରସ୍ତାବ ଆଗତ କରି ଏ ସଂକ୍ରାନ୍ତରେ ଏନଏଫପିଇକୁ ସମର୍ଥନ କରି ପ୍ରେସ ଇସ୍ତାହାର ଦେବାସହ ପୁନଃ ମାନ୍ୟତା ଫେରିପାଇବାକୁ ଏନଏଫପିଇର ପ୍ରତ୍ୟକ୍ଷ ସଂଗ୍ରାମରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଇ ସହଯୋଗର ହାତ ବଢ଼ାଇଛନ୍ତି।

ଅତ୍ୟନ୍ତ ପରିତାପର ବିଷୟ ଏହିକି ସିସିଏସ (ଆରଏସଏ) ରୁଲ୍ସ ୧୯୯୩ରେ କୌଣସି ସିମୀତ ସାଂଗଠନୀକ ସୁବିଧା ଯୋଗାଇଦେବାର ଆଦୌ ପ୍ରାବଧାନ ନଥିଲେ ବି ଶାସକଦଳର ଚାପରେ ଉପରୋକ୍ତ ଅଣମାନ୍ୟତାପ୍ରାପ୍ତ ସଂଗଠନ ବିପିଇଏଫକୁ ଭାରତୀୟ ଡାକ ବିଭାଗ ସମ୍ପୂର୍ଣ୍ଣ ପକ୍ଷପାତିତା କରି ସମସ୍ତ ସୁବିଧା ସୁଯୋଗ ଦେଇ ଆସୁଛି। ସିସିଏସ (ଆରଏସଏ) ରୁଲ୍ସ ୧୯୯୩  ଅନୁଯାୟୀ ମାନ୍ୟତା ପ୍ରାପ୍ତି ପାଇଁ ସର୍ବନିମ୍ନ ୧୫ ପ୍ରତିଶତ ସଭ୍ୟଙ୍କର ଆବଶ୍ୟକତା ରହିଛି ଯାହା ଅନେକ ପ୍ରଚେଷ୍ଟା ସତ୍ତ୍ୱେ ବିପିଇଏଫ ହାସଲ କରିପାରି ନାହିଁ। ଏ ଯାବତ ତା'ର ସଭ୍ୟ ସଂଖ୍ୟା ୫ ପ୍ରତିଶତ ତଳକୁ ରହିଛି। ତେଣୁ ଡାକ ବିଭାଗର ବୃହତ୍ତମ କର୍ମଚାରୀ ସଂଗଠନ ଏନଏଫପିଇକୁ ବଦନାମ କରି, ତା'ର ମାନ୍ୟତା ପ୍ରତ୍ୟାହାର କରି ବିପିଇଏଫର ସଭ୍ୟ ସଂଖ୍ୟା ବଢେଇ ତାକୁ ମାନ୍ୟତା ପ୍ରଦାନ କରିବାକୁ ଡାକ ବିଭାଗ ଉପରେ ସରକାରୀ କଳର ଅଯଥା ଚାପ ପ୍ରୟୋଗର ଏହା କୁପରିଣତି।

ଦ୍ୱିତୀୟତଃ, ଡାକ ବିଭାଗ ଓ ଡାକ କର୍ମଚାରୀଙ୍କର ମଙ୍ଗଳ ପାଇଁ  ଏନଏଫପିଇ ଏକକ ଭାବେ ସରକାରଙ୍କ କର୍ମଚାରୀମାରଣ ନୀତିର ନିୟମିତ ବିରୋଧ କରିଆସିଛି। ଡାକ ବିଭାଗରେ ବିପିଇଏଫ ସହ ଅନ୍ୟ ସଂଗଠନମାନେ ସରକାରଙ୍କ ହାତବାରିସୀ ସାଜିଥିଲା ବେଳେ,  ଡାକ ବିଭାଗକୁ ଘରୋଇକରଣରୁ ରକ୍ଷା କରିବା, ଡାକଘର ସ୍ୱଳ୍ପ ସଞ୍ଚୟ ଯୋଜନାକୁ ଉଦ୍ୟୋଗୀକରଣରୁ ବନ୍ଦ କରିବା,  କମ୍ପ୍ୟୁଟରୀକରଣରେ ଥିବା ଦୋଷତୃଟିରେ ସୁଧାର ଆଣି ଜନ ସାଧାରଣଙ୍କୁ ଉପଯୁକ୍ତ ତଥା ସମୟୋପଯୋଗୀ ସେବା ପ୍ରଦାନ କରିବାକୁ  ଏନଏଫପିଇ ଏକକ ଭାବେ ସଂଗ୍ରାମ ଜାରି ରଖିଥିବାରୁ ସରକାରଙ୍କ ଦୃଷ୍ଟିକଟୁ ହେବା ସ୍ୱାଭାବିକ। ଆଗରୁ ଶ୍ରମ ଆଇନର ସଂଶୋଧନ ଆଳରେ ଶ୍ରମକୋଡ ପ୍ରଚଳନ କରିବାକୁ ଯାଇ କେନ୍ଦ୍ର ସରକାର ଶ୍ରମିକ ଓ କର୍ମଚାରୀଙ୍କ ଅଧିକାର ଉପରେ ଅଙ୍କୁଶ ଲଗେଇବାକୁ ଚେଷ୍ଟା କରିଛନ୍ତି। ଶ୍ରମକୋଡ ପ୍ରତ୍ୟାହାର ପାଇଁ କର୍ମଚାରୀଙ୍କ ତରଫରୁ ଯେଉଁ ସଂଘର୍ଷ ଚାଲିଛି ସେଥିରେ ଏନଏଫପିଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ତେଣୁ ଏକ ଗୁରୁତ୍ୱହୀନ ଆରୋପ ଆଳରେ ଏନଏଫପିଇ ଭଳି ବୃହତ କର୍ମଚାରୀ ସଂଗଠନର ମାନ୍ଯତା ପ୍ରତ୍ୟାହାର କରି କେନ୍ଦ୍ର ସରକାର ଓ ଭାରତୀୟ ଡାକବିଭାଗ କର୍ମଚାରୀ ସମାଜର କଣ୍ଠରୋଧ କରିବାକୁ ଅପଚେଷ୍ଟା କରିଛନ୍ତି। ଏହା ସର୍ବାଦୌ ନିନ୍ଦନୀୟ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ ଓଡିଶା ରାଜ୍ୟ ସମନ୍ୱୟ ସମିତି ଡାକ ବିଭାଗର ଏହି ମନମୁଖୀ କାର୍ଯ୍ୟକୁ ଦୃଢ ନିନ୍ଦା କରିବା ସହ ଏନଏଫପିଇ ଓ ଅଖିଳ ଭାରତ ତୃତୀୟ ଶ୍ରେଣୀଡାକ କର୍ମଚାରୀ ସଂଘର ମାନ୍ଯତାକୁ ଫେରେଇ ଦେବାକୁ ସରକାରଙ୍କୁ ନିବେଦନ କରିବା ସହ ଚେତାବନୀ ଦେବାକୁ ଚାହେଁ ଯେ ଯଦି ଅବିଳମ୍ବେ ଏମାନଙ୍କୁ ମାନ୍ୟତା ପ୍ରଦାନ ନ କରାଯାଏ ତେବେ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ କେନ୍ଦ୍ରୀୟ ସଂଗଠନ  ଅନୁବନ୍ଧିତ ୧୨୦ରୁ ଉର୍ଦ୍ଧ ସଂଘ ମହାସଂଘମାନେ ନ୍ୟାୟ ପାଇଁ ସର୍ବଭାରତୀୟ ସ୍ତରରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର।
ମୋବାଇଲ - ୯୪୩୭୦୨୨୬୬୯
ଇମେଲ: bsamalbbsr@gmail.com

No comments:

Post a Comment