Friday, June 6, 2025

ବୁଝି ବିଚାରି ଖାଇବା

ପ୍ରିୟ ସାଥୀଗଣ,

      ଆଜି ଜୁନ୍ ୭, ୨୦୨୫, ବିଶ୍ୱ‌ ଖାଦ୍ୟ ନିରାପତ୍ତା ଦିବସ।

    ଆସନ୍ତୁ ଆମେ ଏକ ଗମ୍ଭୀର ସଂକଳ୍ପ କରିବା,  ବୁଝି ବିଚାରି ଖାଇବା, ସୁରକ୍ଷିତ ଭାବରେ ବଞ୍ଚିବା ଏବଂ ଖାଦ୍ୟ, ବିଜ୍ଞାନ ଓ ଆତ୍ମା ମଧ୍ୟରେ ଥିବା ପବିତ୍ର ବନ୍ଧନକୁ ସମ୍ମାନ ଦେବା। କାରଣ, "ଆହାରଶୁଦ୍ଧୌ ସତ୍ତ୍ୱଶୁଦ୍ଧିଃ, ସତ୍ତ୍ୱଶୁଦ୍ଧୌ ଧ୍ରୁବସ୍ମୃତିଃ”।

ବୃହସ୍ପତି ସାମଲ 

ସାଧାରଣ ସମ୍ପାଦକ 

                           ବୁଝି ବିଚାରି ଖାଇବା

     ଭାରତୀୟ ପାରମ୍ପରିକ ଦୃଷ୍ଟିକୋଣରେ ଖାଦ୍ୟ କେବଳ ଶରୀର ପାଇଁ ଆବଶ୍ୟକ ଉର୍ଜା ନୁହେଁ, ବରଂ ଏହା ଏକ ପବିତ୍ର ଅନୁଭୂତି, ଏକ ଧାର୍ମିକ ଚିନ୍ତନ ଭାବରେ ଗ୍ରହଣ କରାଯାଇଥାଏ। ତୈତ୍ତିରୀୟ ଉପନିଷଦରେ ଉଲ୍ଲେଖ ଅଛି,  "ଅନ୍ନମ୍ ବ୍ରହ୍ମ", ଅର୍ଥାତ୍ ଖାଦ୍ୟ ହିଁ ବ୍ରହ୍ମ। ଏହି କଥା କେବଳ ଖାଦ୍ୟର  ଆଧ୍ୟାତ୍ମିକତା ବ୍ୟକ୍ତ କରେନାହିଁ, ବରଂ ଏହାର ଶାରୀରିକ ଓ  ମାନସିକ ପ୍ରାଧାନ୍ୟକୁ  ବୁଝାଏ। କୁହାଯାଏ,  “ଆହାରଶୁଦ୍ଧୌ ସତ୍ତ୍ୱଶୁଦ୍ଧିଃ, ସତ୍ତ୍ୱଶୁଦ୍ଧୌ ଧ୍ରୁବସ୍ମୃତିଃ”। ଅର୍ଥାତ,  ଆହାରର  ପବିତ୍ରତାରୁ ମନର ପବିତ୍ରତା ଆସେ ଏବଂ ମନ‌ର ପବିତ୍ରତାରୁ ନିରନ୍ତର ସ୍ମୃତି ଉଦ୍ଭବ ହୁଏ। 

       ପ୍ରାଚୀନ ଭାରତରେ ଖାଦ୍ୟ ସେବନର ଏକ ନିୟମିତ ଓ ଋତୁ ଅନୁଯାୟୀ ପ୍ରଣାଳୀ ଥିଲା। ଆୟୁର୍ବେଦ ଖାଦ୍ୟକୁ ତିନୋଟି ଶ୍ରେଣୀରେ ବିଭାଜିତ କରେ, ଯଥା ସାତ୍ତ୍ୱିକ (ପବିତ୍ର), ରାଜସିକ (ଉତ୍ତେଜନାକାରୀ), ଏବଂ ତାମସିକ (ବିକୃତ)। ଏଠାରେ ବିରୁଦ୍ଧ ଆହାର ବିଷୟରେ ମଧ୍ୟ ଉଲ୍ଲେଖ ଅଛି, ଯେପରିକି ଫଳ ଓ ଦୁଧ, ମାଂସ ଓ ଦହି ଏକାସାଥିରେ ଖାଇବା ମନା। ପ୍ରଭାତ ଭୋଜନ ସାଧାରଣତଃ ହାଲୁକା ଏବଂ ମିଷ୍ଟାନ୍ନ ଧରଣର, ଫଳ, ଦୁଧ, ଓ ଅନ୍ନ ଆଧାରିତ ଥିଲା। ମଧ୍ୟାନ୍ନ ଭୋଜନ ସବୁଠାରୁ ଭାରି, ଯାହା ଅଗ୍ନି ତତ୍ତ୍ୱ (ପିତ୍ତ) ଶରୀରରେ ଅଧିକ ଥିବା ସମୟରେ ଗ୍ରହଣ କରାଯାଉଥିଲା। ସନ୍ଧ୍ୟା ଭୋଜନ ସବୁଠାରୁ ହାଲୁକା ଏବଂ ବିଶେଷତ‍ଃ ସୂର୍ଯ୍ୟାସ୍ତ ପୂର୍ବରୁ ସେବନ କରାଯାଉଥିଲା। ଏହି ନିୟମଗୁଡ଼ିକ କେବଳ ଆନୁଷ୍ଠାନିକ ନଥିଲା, ବରଂ ଆୟୁର୍ବେଦ ଓ ପୃଥିବୀର ଗତିବିଧିକୁ ଧ୍ୟାନରେ ରଖି ନିର୍ଦ୍ଧାରଣ କରାଯାଇଥିଲା। ଋତୁ ଅନୁସାରେ ଖାଦ୍ୟ ଯଥା, ଗ୍ରୀଷ୍ମରେ କଞ୍ଚା ଆମ୍ବ, ଶୀତରେ ତିଳ, ବସନ୍ତରେ ନିମ୍ବ,  ସବୁ ଶରୀରକୁ ରୋଗମୁକ୍ତ ଓ ସନ୍ତୁଳିତ ରଖିବା ପାଇଁ ଚୟନ କରାଯାଉଥିଲା। ସ୍ୱାମୀ ବିବେକାନନ୍ଦ କହିଥିଲେ, “ଆପଣ ଯାହା ଖାଆନ୍ତି, ଆପଣ ସେହିଭଳି ହୋଇଯାନ୍ତି। ଆହାର ଆମର ମନ ଉପରେ ପ୍ରଭାବ ପକାଇଥାଏ।” ଏହି କଥା ଅନେକ ସାଧୁସନ୍ଥମାନଙ୍କ ଦ୍ୱାରା କୁହାଯାଇଥିଲେ ମଧ୍ୟ, ବର୍ତ୍ତମାନ ବିଜ୍ଞାନ ଏହି ତଥ୍ୟକୁ ପ୍ରମାଣିତ କରିଛି। ଦୁଇଟି ନୋବେଲ ପୁରସ୍କାର ବିଜେତା ଲିନସ୍ ପଲିଂ କହିଥିଲେ, “ପ୍ରତ୍ୟେକ ରୋଗ, ପ୍ରତ୍ୟେକ ଅସୁସ୍ଥତା ଓ ଦୁର୍ବଳତାର ମୂଳ କାରଣ ହେଉଛି ଆହାରରେ ଖଣିଜ ତତ୍ତ୍ୱର ଅଭାବ।” ଏହା ସ୍ପଷ୍ଟ କରିଦିଏ ଯେ, ଆମ ଖାଦ୍ୟପାତ୍ରରେ ଥିବା ଖାଦ୍ୟପଦାର୍ଥ ବଞ୍ଚିବା ଏବଂ ସୁସ୍ଥ ରହିବାର ମୂଳ ଅଧାର। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ସମ୍ପ୍ରତି ଯେତେବେଳେ ପୃଥିବୀର ଅନ୍ୟୁନ ୧୬ କୋଟି ଲୋକ ଅସୁରକ୍ଷିତ ଖାଦ୍ୟ ଖାଇ ଦୈନିକ ରୋଗଗ୍ରସ୍ତ ହେଉଛନ୍ତି, ସେତେବେଳେ ସୁରକ୍ଷିତ ଖାଦ୍ୟ ଆହାର ଉପରେ ଧ୍ୟାନ କେନ୍ଦ୍ରୀତ କରିବାର ଆବଶ୍ୟକତା ରହିଛି।

    ଖାଦ୍ୟ ସୁରକ୍ଷା ପଛର ବିଜ୍ଞାନ ବହୁବିଧ। ଏହା କେବଳ ପରିଷ୍କାର ପରିଚ୍ଛନ୍ନ ଭାବେ ପନିପରିବା ସଫାସଫି ବା  ସୁରକ୍ଷିତ ଭାବେ ରୋଷେଇ କରିବାକୁ ବୁଝେଇ ନଥାଏ, ବରଂ  ସୂକ୍ଷ୍ମ-ଜୀବବିଜ୍ଞାନ ସମ୍ବନ୍ଧୀୟ ମାନକ, ରାସାୟନିକ ବିଶ୍ଳେଷଣ ଓ ଅବଶେଷ ତଥା ସ୍ୱାସ୍ଥ୍ୟକର ଅଭ୍ୟାସ ଏବଂ ପାଚନ ସମ୍ବନ୍ଧୀୟ ଆଇନ ପାଳନ ସ‌ହ ଜଡିତ। ଅସୁରକ୍ଷିତ ଖାଦ୍ୟରେ ବ୍ୟାକ୍ଟେରିଆ, ପାରାସାଇଟ୍, ଭାଇରସ୍, ଏବଂ ବିଷାକ୍ତ ରସାୟନ ଥାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ମଣିଷକୁ ଡାଇରିଆରୁ ଆରମ୍ଭ କରି କ୍ୟାନ୍ସର ପର୍ଯ୍ୟନ୍ତ ଅନେକ ପ୍ରକାରର ରୋଗ  ହୋଇଥାଏ। ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ଏକ ଅଧ୍ୟୟନରୁ ଜଣାପଡ଼େ ଯେ ଭାରତରେ ବିକ୍ରି ହେଉଥିବା ପ୍ୟାକେଟ ଖାଦ୍ୟର ୬୦% ଅଧିକ ସୋଡିଅମ୍, ସୁଗର ବା ଫ୍ୟାଟ୍ ରଖିଥାଏ। ଏହାର ଦୀର୍ଘକାଳୀନ କୁପରିଣାମ  ହେଉଛି ରକ୍ତଚାପ, ହୃଦରୋଗ ଓ ଯକୃତ ଅସୁସ୍ଥତା। ଏହା ସହିତ ରାସ୍ତା କଡର ଖାଦ୍ୟ (ଷ୍ଟ୍ରିଟ୍ ଫୁଡ୍), ପୋଡ଼ା ତେଲ ଓ ବାସି ଭୋଜନ ଉପରେ ନିର୍ଭରଶୀଳ ଲୋକମାନେ ଅଧିକ ସଂଖ୍ୟାରେ ଗ୍ୟାସ୍ ତଥା ପାକସ୍ଥଳୀ  ଓ ଅନ୍ତନଳୀ ରୋଗର ଶିକାର ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ ଭାରତରେ ଏକ ଲକ୍ଷରୁ ଅଧିକ ମୃତ୍ୟୁ ଖାଦ୍ୟ ସଂକ୍ରମଣ ହେତୁ ହୋଇଥାଏ। ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ଭିତରୁ ଅନେକ ଖାଦ୍ୟ ଜନିତ ରୋଗରେ ପ୍ରାଣ ହରାଉଛନ୍ତି। ପ୍ରତିବର୍ଷ ଭାରତରେ ପ୍ରାୟ ୮୦,୦୦୦ ଶିଶୁ କେବଳ ଡାଇରିଆରେ ମୃତ୍ୟୁବରଣ କରନ୍ତି। ଗର୍ଭବତୀ ମହିଳାମାନେ କୁପୋଷଣ ଓ ଅନିୟମିତ ଆହାର ଦ୍ୱାରା ରକ୍ତହୀନତର ଶୀକାର ହେଉଛନ୍ତି। ତେଣୁ ଖାଦ୍ୟ ସୁରକ୍ଷା କେବଳ ଏକ ଆହାର ଶୃଙ୍ଖଳା ନୁହେଁ, ଏହା ଏକ ମାନବିକ ଅଧିକାର।

    ଭାରତରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ଅତ୍ୟନ୍ତ ଲୋକପ୍ରିୟ ହେବା ସତ୍ତ୍ୱେ ଏହା ସ୍ୱାସ୍ଥ୍ୟ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରେ। ଚାଟ୍, ଗୁପଚୁପ, ଦହିବରା, ଚାଓମିନ ଓ ଅନ୍ୟାନ୍ୟ ଖାଦ୍ୟପଦାର୍ଥ ସାଧାରଣତଃ ଖୋଲା ଆକାଶ ତଳେ ଏବଂ ଧୁଳିଧୂସର ପରିବେଶରେ ପ୍ରସ୍ତୁତ ଓ ବିକ୍ରି ହୁଏ। ଏହି ଖାଦ୍ୟଗୁଡ଼ିକ ଏପରି ଅସ୍ୱଚ୍ଛ ପରିବେଶରେ ରହିଥିବାରୁ ବିଭିନ୍ନ ବ୍ୟାକ୍ଟେରିଆ ଓ ଭାଇରସର ଆଶ୍ରୟସ୍ଥଳ ହୋଇଥାଏ, ଯାହା ଲୋକମାନଙ୍କୁ ଗୁରୁତର ରୋଗରେ ପ୍ରଭାବିତ କରିପାରେ। ଭାରତର ଖାଦ୍ୟ ସୁରକ୍ଷା ଓ ମାନକ ସଂସ୍ଥାର ୨୦୨୩ ରିପୋର୍ଟ ଅନୁସାରେ, ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ମଧ୍ୟରୁ ପ୍ରାୟ ୬୦% ବିକ୍ରେତା ହାତ ଧୋଇ ଖାଦ୍ୟ ପ୍ରସ୍ତୁତ କରନ୍ତିନାହିଁ, ଯାହା ଫଳରେ ଖାଦ୍ୟ ପ୍ରଦୂଷିତ ହେବାର ସମ୍ଭାବନା ଅଧିକ ଥାଏ। ଏହି ପ୍ରଦୂଷିତ ଖାଦ୍ୟ ଦ୍ୱାରା ମୁଖ୍ୟତଃ ଅନ୍ତ୍ରଜ୍ୱର, ଫୁଡ୍ ପଏଜନିଂ, ହେପାଟାଇଟିସ୍ ‘ଏ’ ଓ ‘ଇ’, ଓ କଲେରା ଭଳି ରୋଗ ହୁଏ। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୨୨ ଅନୁଯାୟୀ ଭାରତରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅନ୍ତ୍ରଜ୍ୱର ଆକ୍ରାନ୍ତ ଶିଶୁମାନଙ୍କ ମଧ୍ୟରୁ, ୨୮% କ୍ଷେତ୍ରରେ ରୋଗର କାରଣ ଖାଦ୍ୟ ଓ ପାନୀୟ ଦ୍ୱାରା ହୋଇଥିବା ଦେଖାଯାଇଛି। ଏହା ଛଡା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ୨୦୨୩ ଅନୁଯାୟୀ, ଭାରତରେ ପ୍ରତିବର୍ଷ ୧.୫ କୋଟି ଲୋକ ଖାଦ୍ୟ ଜନିତ ରୋଗରେ ପୀଡିତ ହୁଅନ୍ତି। ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ୨୦୨୩ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ, ଆନୁମାନିକ ୪୦% ବିକ୍ରେତାଙ୍କ ପାଖରେ ଖାଦ୍ୟ ସ୍ୱଚ୍ଛତା ଓ ପରିଶୁଦ୍ଧତା ନିମନ୍ତେ ଆବଶ୍ୟକ ପ୍ରମାଣପତ୍ର ନାହିଁ। ଫଳରେ ୨୦୨୨ରେ କେବଳ ଭୁବନେଶ୍ୱରରେ ପ୍ରାୟ ୫,୦୦୦ ଲୋକ ଫୁଡ୍ ପଏଜନିଂ ଓ ଡିହାଇଡ୍ରେସନ୍ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି  ହୋଇଥିଲେ। 

         ଏହି ପରିପ୍ରେକ୍ଷିରେ ଜନସାଧାରଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଗ୍ରତ କରିବା‌ ପାଇଁ ପ୍ରତି ବର୍ଷ ୭ ଜୁନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ପାଳିତ ହେଉଥିବା ବେଳେ ଆମେ ଏହି ବର୍ଷର ଥିମ୍ ଉପରେ ଚିନ୍ତା କରିବା ଉଚିତ୍। ବୈଜ୍ଞାନିକ ଜ୍ଞାନ ହେଉଛି ରୋଗ କମେଇବା, ଖର୍ଚ୍ଚ ହ୍ରାସ କରିବା ଓ ଜୀବନ ବଞ୍ଚାଇବାର ଚାବି। ଅସୁରକ୍ଷିତ ଖାଦ୍ୟରୁ ସୁରକ୍ଷିତ ଖାଦ୍ୟକୁ ଯାତ୍ରା କେବଳ ପ୍ରଯୁକ୍ତିଗତ ଉନ୍ନତି ନୁହେଁ, ବରଂ ଆମର ସାଂସ୍କୃତିକ ଓ ପାରମ୍ପରିକ ମୂଳପିଣ୍ଡକୁ ଫେରି ଋତୁକାଳୀନ ଓ ଭରପୁର ପୋଷଣ ଯୁକ୍ତ ଖାଦ୍ୟର ମୂଲ୍ୟ ବୁଝିବା ଓ ଆମେ ଯାହା ଖାଉଛୁ ତା'ର ଉତ୍ତରଦାୟୀଦାୟିତ୍ୱ ଗ୍ରହଣ କରିବା। ଭାରତୀୟ ଚିକିତ୍ସା ବିଜ୍ଞାନର ଜନକ ଆଚାର୍ଯ୍ୟ ଚରକ ଦୁଇ ହଜାର ବର୍ଷ ପୂର୍ବେ କହିଥିଲେ, “ଯିଏ ଉଚିତ୍ ସମୟରେ ଉଚିତ୍ ଭାବରେ ଉତ୍ତମ ଖାଦ୍ୟ ଖାଏ, ସେ ଚିକିତ୍ସକ ଆବଶ୍ୟକ କରେନାହିଁ।” ଏହି କଥାର ମହତ୍ତ୍ଵ ଆଜି ବି ଗଭୀର ଭାବରେ ପ୍ରସଙ୍ଗିକ ଓ ଆବଶ୍ୟକ।  ଆମେ ଯେଉଁ ଖାଦ୍ୟ ଆମ ଥାଳିରେ ରଖୁଛୁ, ସେଥିରୁ ନା କେବଳ ଆମର ସ୍ୱାସ୍ଥ୍ୟ ନିର୍ଣ୍ଣୟ ହୁଏ, ବରଂ ଆମର ଅର୍ଥନୈତିକ ବ୍ୟବସ୍ଥା, ଆଗାମୀ ପିଢି ଓ ଜାତିର ସ୍ଥିରତା ମଧ୍ୟ ନିର୍ଣ୍ଣୟ ହୁଏ। ଏହି ୭ ଜୁନ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଆସନ୍ତୁ ଆମେ ଏକ ଗମ୍ଭୀର ସଂକଳ୍ପ କରିବା,  ବୁଝି ବିଚାରି ଖାଇବା, ସୁରକ୍ଷିତ ଭାବରେ ବଞ୍ଚିବା ଏବଂ ଖାଦ୍ୟ, ବିଜ୍ଞାନ ଓ ଆତ୍ମା ମଧ୍ୟରେ ଥିବା ପବିତ୍ର ବନ୍ଧନକୁ ସମ୍ମାନ ଦେବା। କାରଣ, ଯେଉଁଠାରେ ଖାଦ୍ୟ ଶୁଦ୍ଧ, ସେଠି ଚିନ୍ତା ପବିତ୍ର ଏବଂ ଜୀବନ ସୁସ୍ଥ ଓ ସୁରକ୍ଷିତ।

*****

No comments:

Post a Comment