Sunday, June 15, 2025

ଡିଜିପିନ: ଆଶୀର୍ବାଦ ନା ଆପଦ?

ଡିଜିପିନ: ଆଶୀର୍ବାଦ ନା ଆପଦ?

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର 

     ଭାରତ ସରକାର ୨୭ ମେ ୨୦୨୫ରେ ଏକ ଦଶ-ଅକ୍ଷର ବିଶିଷ୍ଟ ଅଲଫାନ୍ୟୁମେରିକ କୋଡ୍ ଭାବରେ ଡିଜାଇନ ହେଇଥିବା ଡିଜିପିନ (ଡିଜିଟାଲ ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ବା DIGIPIN) ନାମରେ ଏକ ନୂଆ ଡିଜିଟାଲ ପ୍ରୟାସର ଉନ୍ମୋଚନ କରିଛନ୍ତି, ଯାହା ଦେଶର ପ୍ରତ୍ୟେକ ୪×୪ ମିଟର ଅଞ୍ଚଳକୁ ଦ୍ରାଘିମା ଓ ଅକ୍ଷାଂଶ ଭିତ୍ତିରେ ସଠିକ୍ ଭାବେ ଚିହ୍ନଟ କରିବା ପାଇଁ ବ୍ୟବହୃତ ହୋଇପାରିବ। ଭାରତୀୟ ଡାକ ବିଭାଗ ଏବଂ ଆଇଆଇଟି ହାଇଦ୍ରାବାଦ ଓ ଇସ୍ରୋ ଅନ୍ତର୍ଗତ ଜାତୀୟ ରିମୋଟ୍ ସେନ୍ସିଂ କେନ୍ଦ୍ରଙ୍କ ସହଯୋଗରେ ବିକାଶିତ ଏହି ଡିଜିପିନକୁ ଭାରତର ଡିଜିଟାଲ ଢାଞ୍ଚାରେ ଏକ ପରିବର୍ତ୍ତନକାରୀ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ଏହାକୁ ଏକ ଗୋପନୀୟତାକେନ୍ଦ୍ରିକ ଓ ଜିଓକୋଡିଂ ଭିତ୍ତିକ ଉପାୟ ଭାବରେ ଉପସ୍ଥାପନ କରାଯାଇଛି, ଯାହା ଭାରତୀୟ ଡାକ ବିଭାଗ ଦ୍ୱାରା ୧୯୭୨ରୁ ପ୍ରଚଳିତ ହୋଇ ଆସୁଥିବା ପିନ୍ କୋଡ୍ ବ୍ୟବସ୍ଥାକୁ ଏକ ଆଧୁନିକତାର ସ୍ପର୍ଶ ଦେଇ ସହଯୋଗୀ ଭାବେ କାର୍ଯ୍ୟ କରିବ। ଡିଜିପିନର ଏହି ସଠିକ ଭୌଗୋଳିକ ଟ୍ୟାଗିଂ ଦ୍ୱାରା ଲଜିଷ୍ଟିକ୍ସ, ଆପାତକାଳୀନ ସେବା, ଗ୍ରାମୀଣ ସେବା ପ୍ରଦାନ ଓ ଡିଜିଟାଲ ଶାସନ ପ୍ରଣାଳୀରେ ଲାଭ ମିଳିବ ବୋଲି କୁହାଯାଉଛି। ଅରଣ୍ୟ, ନଦୀ କୂଳ, ପାହାଡ଼ ଅଞ୍ଚଳ ଭଳି ସଠିକ୍ ଠିକଣା ନଥିବା ସ୍ଥାନଗୁଡିକୁ ଡିଜିପିନ୍ ଦ୍ୱାରା ଏବେ ଡିଜିଟାଲ ଭାବେ ଚିହ୍ନଟ କରାଯାଇପାରିବ। 

     ଏକ ଡିଜିପିନ୍ ତିଆରି ପାଇଁ, ବ୍ୟବହାରକାରୀଙ୍କୁ ନିଜର ରିଅଲ୍-ଟାଇମ୍ ଅବସ୍ଥାନ ତଥ୍ୟକୁ ଆକ୍ସେସ୍ କରିବା ଅନୁମତି ଦେବାକୁ ପଡ଼ିଥାଏ। ଯଦିଓ ଭାରତୀୟ ଡାକ ବିଭାଗ ଦାବି କରୁଛି ଯେ ଏହି ତଥ୍ୟ ସଂରକ୍ଷିତ ହେବନାହିଁ ଏବଂ କେବଳ କୋଡ୍ ସୃଷ୍ଟି ପାଇଁ ବ୍ୟବହୃତ ହେବ, ତଥାପି ଏହି ତଥ୍ୟ ଆକ୍ସେସ୍ କରିବା ଅଭିକ୍ରିୟା ଏକ ଭବିଷ୍ୟତ ତଥ୍ୟ ଚ୍ୟୁତିର ଦ୍ୱାର ଖୋଲିଦେଇପାରେ। ଏହି ନୂତନ ପଦକ୍ଷେପକୁ ଏକ ଡିଜିଟାଲ ଉନ୍ନତି ନାମରେ ପ୍ରଚାର କରାଯାଉଥିଲେ ବି, ଦେଶରେ ଇନ୍‌ଟରନେଟ ଆଧାରିତ ଅପରାଧ ବା ସାଇବର‌ କ୍ରାଇମ୍ ଚମତ୍କାର ହାରରେ ବୃଦ୍ଧି ପାଉଥିବା ବେଳେ ଏହା ବ୍ୟକ୍ତିଗତ ତଥ୍ୟର ଗୋପନୀୟତା, ନିରୀକ୍ଷଣ ଓ ଦୁର୍ବ୍ୟବହାର ବିଷୟରେ ଚିନ୍ତା ବୃଦ୍ଧି କରିଛି। 

     ଭାରତର ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ତଥ୍ୟ ଅନୁସାରେ, ୨୦୨୩ ମସିହାରେ ଭାରତରେ ୧.୫୫ ଲକ୍ଷରୁ ଅଧିକ ସାଇବର ଅପରାଧ ଘଟିଛି, ଯାହା ୨୦୨୦ର ୫୦,୦୩୫ ଘଟଣା ଠାରୁ ଅନେକ ଗୁଣା ବେଶି। ଏମାନଙ୍କ ମଧ୍ୟରୁ ଅନେକଟି ଅର୍ଥ ଠକେଇ, ଫିସିଂ, ପରିଚୟ ଚୋରି ଓ ସିମ୍ କ୍ଲୋନିଂ ସ‌ହିତ ସଂପୃକ୍ତ, ଯେଉଁଥିରେ ଆଧାର, ମୋବାଇଲ ନମ୍ବର, ବ୍ୟାଙ୍କ ଖାତା ଓ ସରକାରୀ ଯୋଜନା ସ‌ହିତ ଜଡିତ ବ୍ୟକ୍ତିଗତ ତଥ୍ୟ ଦୁର୍ବ୍ୟବହାରର ମୁଖ୍ୟ ଭୂମିକା ନେଇଥିଲା। ଆଧାର, ପ୍ୟାନ୍, ଫୋନ୍ ଓ ଅର୍ଥ ବିବରଣୀକୁ ବାଧ୍ୟତାମୂଳକ ଭାବେ ଯୋଡିବା ଦ୍ୱାରା ପ୍ରତ୍ୟେକ ଭାରତୀୟ ଏବେ ଏକ ଡିଜିଟାଲ ତଥ୍ୟ କ୍ଷେତ୍ରରେ ପରିଣତ ହୋଇଥିବା ଯୋଗୁଁ ବ୍ୟକ୍ତିଗତ ପ୍ରଦତ୍ତ ତଥ୍ୟର ଦୁରୁପଯୋଗ ହେବାର ସମ୍ଭାବନା ଯଥେଷ୍ଟ ବଢ଼ି ଯାଇଛି। ଏପରି ପରିବେଶରେ, ବ୍ୟକ୍ତିଙ୍କ ନିଜସ୍ୱ ଅବସ୍ଥାନକୁ ସଠିକ ଭାବରେ ଚିହ୍ନଟ କରି ଡିଜିପିନ୍ ଲୋକମାନଙ୍କୁ ଏକ ନୂଆ ସ୍ତରର ବିପଦ‌ ଭିତରକୁ ଟାଣି ନେବାକୁ ଉଦ୍ୟମରତ। 

     ସାଇବର ସୁରକ୍ଷା ବିଶେଷଜ୍ଞମାନଙ୍କ ମତରେ ସାଧାରଣ ଠିକଣା ତୁଳନାରେ ଡିଜିପିନ ବ୍ୟକ୍ତିଗତ ଗୋପନୀୟତାକୁ ପ୍ରାୟ ଶୂନ୍ୟ କରିଦେଇଥାଏ। ଯଦି ଏହା ଭୋଟର ତାଲିକା, ସ୍ୱାସ୍ଥ୍ୟ କାର୍ଡ, ଟେଲିକମ୍ ତଥ୍ୟ ତଥା ଆଧାର ଲିଙ୍କ କ୍ଷେତ୍ର ଭଳି ଅନ୍ୟ ତଥ୍ୟ ସହ ଯୋଡି ଦିଆଯାଏ, ତେବେ ଏହା ଏକ ବ୍ୟକ୍ତିକୁ ନିର୍ଦ୍ଦିଷ୍ଟ ଭାବେ ଖୋଜି ବାହାର କରିବାର ଏକ ମଜବୁତ ହତିଆର ହୋଇପାରେ। ଯେଉଁ ପ୍ରତିରକ୍ଷା ସ୍ତର ଦିନେ ନାଗରିକଙ୍କୁ ଟ୍ରାକିଂରୁ ବଞ୍ଚାଉଥିଲା, ବର୍ତ୍ତମାନ ସେହି ସୁରକ୍ଷା ଭାଙ୍ଗିଯିବ, ଯାହା ଫଳରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ସହ ନିର୍ଦ୍ଦିଷ୍ଟ ସ୍ଥାନ‌ ନିରୁପଣ‌ (ଲୋକେସନ୍ ଟ୍ରେସିଂ) ପାଇଁ ଅତ୍ୟାଧୁନିକ ଡିଜିଟାଲ କୌଶଳ ଅବଲମ୍ବନ କରୁଥିବା ସାଇବର ଅପରାଧୀମାନେ ଡିଜିପିନକୁ ଏକ ଅପରାଧୀକ ଅସ୍ତ୍ର ଭାବରେ ବ୍ୟବହାର କରିପାରିବେ। ଅଧିକନ୍ତୁ, ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ୍ ୨୦୨୩ର ଦୁର୍ବଳ ଓ‌ ଅସ୍ପଷ୍ଟ ଧାରା ଏହି ସମସ୍ୟାକୁ ଆଉ ଗମ୍ଭୀର କରୁଛି ।

     ଏହି ପରିପ୍ରେକ୍ଷୀରେ ଆଉ ଏକ ଗଭୀର ଚିନ୍ତା ହେଉଛି ଡିଜିଟାଲ ବ୍ୟବସ୍ଥାର ବାଧ୍ୟବାଧକତାରୁ ସୃଷ୍ଟି ସାମାଜିକ ଅନିଚ୍ଛା। ବିଗତ ଦଶବର୍ଷ ଧରି ବିଶେଷତଃ ବୃଦ୍ଧ, ଗ୍ରାମୀଣ ଜନତା ଓ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ନାଗରିକମାନେ ନିରନ୍ତର ଡିଜିଟାଲ୍ ଉପକରଣ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ସମୟରେ ଆଧାର କାର୍ଡ ତିଆରିରେ ବିଳମ୍ବ, ବାୟୋମେଟ୍ରିକ୍ ଅମେଳ ଓ ପ୍ରକ୍ରିୟାଗତ ଉଦାସୀନତା ଦେଖିବାକୁ ମିଳିଛି। ପାନ୍ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରି ଅନେକବାର ଜମାକାରୀଙ୍କ ଖାତାକୁ ବନ୍ଦ କରିଦେବାର ଭୟ ଦେଖାଯାଇଛି। ଆୟୁଷ୍ମାନ୍ ଭାରତ ଯୋଜନାର ଲାଭ ନେବା ପାଇଁ ବର୍ତ୍ତମାନ ଅନଲାଇନ୍ ପୋର୍ଟାଲ୍, ଓଟିପି ଓ ଜିଓ-ଭେରିଫିକେସନ୍ ଜରୁରୀ, ଯାହା ମିଳିନଥିବା ଲକ୍ଷ-ଲକ୍ଷ ଲୋକଙ୍କ ପାଇଁ ଏକ ଅସମ୍ଭବ ଆହ୍ୱାନ। ଭାରତ ସରକାରଙ୍କ ରେଳ ମନ୍ତ୍ରାଳୟ ତରଫରୁ ଜାରି ସଦ୍ୟତମ ସୂଚନା ଅନୁଯାୟୀ ଜୁଲାଇ ମାସରୁ ତତ୍କାଳ ରେଳ ଟିକେଟର ବୁକିଂ ପାଇଁ ଆଧାର କାର୍ଡ ତଥା ସେଥିରେ ସଂଜୋଜିତ ଟେଲିଫୋନ ନମ୍ବରର ଓଟିପି ବାଧ୍ୟତାମୂଳକ ହେବ। ଯଦି ଡିଜିପିନ୍ ଭବିଷ୍ୟତରେ ଆଧାର ଓ‌ ପ୍ୟାନ ଭଳି ବ୍ୟାଙ୍କିଂ, ଜମିଜମା ପଞ୍ଜୀକରଣ, ବିଦ୍ୟୁତ୍ ସେବା, ରେଳ ଟିକେଟ ବୁକିଂ କିମ୍ବା ସରକାରୀ ଯୋଜନା ଦେବାରେ ଆବଶ୍ୟକ କରାଯିବ, ତେବେ ଏହା ଲୋକଙ୍କ ପାଇଁ ଅଧିକ ବିପଦ ଓ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିବ। ଯେଉଁ ବ୍ୟବସ୍ଥାକୁ ଲୋକଙ୍କର ସୁବିଧା ପାଇଁ ପ୍ରସ୍ତୁତ କରାଯାଉଛି, ତାହା ଶେଷରେ ଏକ ଅନିଚ୍ଛାକୃତ ଆବଶ୍ୟକତା ହୋଇ କେବଳ ଏକ ପ୍ରସାଶନିକ ବୋଝ ହିସାବରେ ଜନସାଧାରଣଙ୍କ ପାଇଁ ଦୁର୍ବିସହ ହୋଇପଡିବ।

     ପ୍ରକୃତ ବିପଦ କେବଳ ଡିଜିପିନ୍ କଣ କରିବ ସେଥିରେ ନାହିଁ, ବରଂ ଏହା ଯାହା ସୂଚିତ କରେ ସେଥିରେ ଅଛି। ଆଇନଗତ ସୁରକ୍ଷା ଓ ସ୍ୱଚ୍ଛତା ନଥାଇ ନାଗରିକଙ୍କ ବିନା‌ ପରାମର୍ଶରେ ସେମାନଙ୍କର ବ୍ୟକ୍ତିଗତ ତଥ୍ୟକୁ ନେଇ ସରକାରଙ୍କର ଏହା ଏକ କ୍ରମବର୍ଦ୍ଧିଷ୍ଣୁ ସମ୍ବେଦନଶୀଳ ଡିଜିଟାଲ ହସ୍ତକ୍ଷେପ। ନିହାତି ଭାବରେ ଏହା ଏକ ଏକତରଫା ଶୀର୍ଷସ୍ତରୀୟ ନୀତି ନିର୍ମାଣ ପ୍ରଣାଳୀକୁ ପ୍ରତିବିମ୍ବିତ କରେ, ଯାହା ଗ୍ରାମାଞ୍ଚଳରେ ରହୁଥିବା ଅଶିକ୍ଷିତ, ଗରିବ ତଥା ଡିଜିଟାଲ ଉପକରଣର ବ୍ୟବହାର ଜାଣି ନଥିବା ଜନସାଧାରଣଙ୍କୁ କିଭଳି ପ୍ରଭାବିତ କରିବ ବୁଝିବା ପୂର୍ବରୁ ସେମାନଙ୍କ ଉପରେ ଜୋରଜବରଦସ୍ତି ଲଦି ଦିଆଯାଉଛି। ଅନେକ ନାଗରିକଙ୍କ ପାଇଁ, ବିଶେଷକରି ସେମାନେ ଯେଉଁମାନେ ଆଧାର ନିବନ୍ଧନ ବିଳମ୍ବ, ବ୍ୟାଙ୍କ ସଂଯୋଜନ ବା ଡିଜିଟାଲ୍ ଦୃଢିକରଣର ବିଫଳତା ଦ୍ୱାରା ପୂର୍ବରୁ ହତାଶ ହୋଇଛନ୍ତି, ସେମାନଙ୍କ ପାଇଁ ଡିଜିପିନ୍ ଏକ ସଶକ୍ତିକରଣର ଉପକରଣ ନୁହେଁ। ଆଶୀର୍ବାଦ ନୁହେଁ, ବରଂ ଏହା ଗୋଟିଏ ସମ୍ଭାବ୍ୟ ଆପଦ, ଏକ ଅତ୍ୟଧିକ ହସ୍ତକ୍ଷେପକାରୀ ଡିଜିଟାଲ୍ ଜାଲର ଅନ୍ୟ ଗୋଟିଏ ନୋଡ୍। 

     ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ବର୍ତ୍ତମାନର ପିନ୍ କୋଡ୍ ପ୍ରଣାଳୀ ଦ୍ୱାରା ଭାରତୀୟ ଡାକ ବିଭାଗ ଡାକ ଡିଲିଭେରୀ, ସ୍ଥାନ ପରିଚୟ ଓ ପ୍ରଶାସନିକ ବିଭାଜନ ପାଇଁ ପର୍ଯ୍ୟାପ୍ତ ଭାବେ ସୁରୁଖୁରୁରେ କାମ କରୁଥିବାବେଳେ, ଭାରତକୁ ଏକ ଅସୁରକ୍ଷିତ ଡିଜିପିନ୍ ବ୍ୟବସ୍ଥାର ଆବଶ୍ୟକତା ଅଛି କି?। ଜର୍ମାନୀ, ଫ୍ରାନ୍ସ ଓ ଜାପାନ ଭଳି ବିକାଶଶୀଳ ଦେଶଗୁଡିକର ଡାକ ବିଭାଗ ଅତ୍ୟଧିକ ସୂକ୍ଷ୍ମ ଜିଓକୋଡିଂ ଯୋଗ କରି ନୁହେଁ, ବରଂ ତାଙ୍କର ପ୍ରଚଳିତ କୋଡ୍ ବ୍ୟବସ୍ଥା ମଧ୍ୟରେ ଜନସାଧାରଭଙ୍କୁ ସୁରକ୍ଷିତ ଡାକସେବା ପ୍ରଦାନ‌ କରୁଛନ୍ତି। ଭାରତୀୟ ଡାକ, ଯାହା ୧.୬୫ ଲକ୍ଷରୁ ଅଧିକ ଡାକଘର ସହିତ ବିଶ୍ୱର ସବୁଠୁ ବଡ଼ ଡାକ ବ୍ୟବସ୍ଥା, ତା’ର ଅନେକ ନିଜସ୍ଵ ସମସ୍ୟା ସମାଧାନ‌ ଅପେକ୍ଷାରେ ଅଟକି ରହିଛି। ଏଭଳି‌ ପରୀକ୍ଷାନିରୀକ୍ଷାରୁ ବିରତ ରହି ସାମ୍ପ୍ରତିକ ତଥା ମୌଳିକ ସମସ୍ୟାଗୁଡିକର ଆଶୁ ସମାଧାନ ପାଇଁ ଡାକ ବିଭାଗକୁ ପ୍ରାଥମିକତା ଦେବାର ଆବଶ୍ୟକ ରହିଛି। ଚିଠି ପ୍ରେରଣରେ ବିଳମ୍ବ, ଡାକଘରଗୁଡିକରେ ବିଶେଷକରି ଗ୍ରାମାଞ୍ଚଳରେ ଉତ୍ତମ ନେଟୱାର୍କ ଓ ଡିଜିଟାଲ୍ ଢାଞ୍ଚାର ଅଭାବ, ଗ୍ରାହକ ଅଭିଯୋଗ ଶୁଣାଣିରେ ଅବ୍ୟବସ୍ଥା ଭଳି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ତୁରନ୍ତ ଧ୍ୟାନ ଦେଇ କର୍ମଚାରୀଙ୍କୁ ସଠିକ୍ ପ୍ରଶିକ୍ଷଣ ଦେବା, ବିତରଣ ବ୍ୟବସ୍ଥାରେ ଉନ୍ନତି ଆଣିବା, ଗ୍ରାମିଣ ବ୍ୟାଙ୍କିଂକୁ ବିସ୍ତାର କରି ଡାକଘର ଠକେଇକୁ ରୋକିବା, ଭଡ଼ା ଓ ଭଙ୍ଗା ଦଦରା ଘରେ ତଥା ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲୁଥିବା ଡାକଘରଗୁଡିକର ଉନ୍ନତିକରଣ ପାଇଁ ଉଚିତ୍ ପଦକ୍ଷେପ ନେଲେ ନାଗରିକମାନେ ଅଧିକ ଭଲ ସେବା ପାଇପାରିବେ। ଏକ ଅବାଞ୍ଛିତ ଡିଜିଟାଲ୍ ଯୋଜନା ଆଣିବା ପରିବର୍ତ୍ତେ, ଏପରି ପଦକ୍ଷେପ ଲୋକମାନଙ୍କର ଭରସାକୁ ମଜବୁତ କରିପାରିବ ଓ ଏହି ପ୍ରତିଷ୍ଠାନର ଐତିହ୍ୟକୁ ପୁନର୍ଜୀବନ ଦେଇପାରିବ।

     ଭାରତ ଏକ ସଙ୍କଟମୟ ସ୍ଥିତିରେ ଅଛି, ଯେଉଁଠାରେ ପ୍ରଯୁକ୍ତିଗତ ନବୋନ୍ମେଷ ଓ ନୈତିକ ଶାସନ ହାତକୁ‌ହାତ ମିଳେଇ ଚାଲିବା ଦରକାର। ସମସ୍ତ ଡିଜିଟାଲ୍ ନବୋନ୍ମେଷ ପ୍ରଗତି ନୁହେଁ। କେବେ କେବେ ସଂଯମ ଓ ସାବଧାନତା ହିଁ ସଠିକ୍ ପଥ ବୋଲି ବିଚାର‌ କରାଯାଏ। ବର୍ତ୍ତମାନ ରୂପରେ‌ ଡିଜିପିନ୍ ଭରସାଯୋଗ୍ୟ ନହୋଇ ଏକ ଗମ୍ଭୀର ସଙ୍କଟ ସୃଷ୍ଟି କରିବାର ଆଗୁଆ ସୂଚନା ପ୍ରଦାନ‌ କରୁଛି। ଯଦି ଶାସନର ଲକ୍ଷ୍ୟ ସୁରକ୍ଷା ଓ ସଶକ୍ତିକରଣ, ତେବେ ଏହି ଡିଜିଟାଲ୍ ପ୍ରଣାଳୀର ପୁନର୍ବିଚାର ହେବା ଉଚିତ୍।

*****

No comments:

Post a Comment