ପ୍ରିୟ ସାଥୀଗଣ
ଆଜି ୫ ଜୁନ୍ ୨୦୨୫ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ମୋ ଲେଖା ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ ଓଡ଼ିଆ ଦୈନିକ ଖବରକାଗଜ #ନିତିଦିନ ଦୃଷ୍ଟିକୋଣ ପୃଷ୍ଠାରେ ସ୍ଥାନିତ ହୋଇଥିବାରୁ ନିତିଦିନର ସମ୍ପାଦକ ଓ ସମ୍ପାଦନା ମଣ୍ଡଳୀର ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ।
ଆସନ୍ତୁ, ସମସ୍ତେ ମିଳିମିଶି ଏକ ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ ଗଠନ ପାଇଁ କାମ କରିବା।
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି
ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ
ମନୁଷ୍ୟ ଜୀବନଯାତ୍ରାର ଏକ ଅଭିନ୍ନ ସହଯାତ୍ରୀ ଭାବେ ପ୍ଲାଷ୍ଟିକ୍ ଏବେ ଶୌଚାଳୟର ମଗ ଓ ବାଲତିରୁ ଆରମ୍ଭ କରି ଚିକିତ୍ସାଳୟର ସୂତା ଓ ସିରିଞ୍ଜ ପର୍ଯ୍ୟନ୍ତ, କୃଷି ସରଂଜାମରୁ କମାଣ ପର୍ଯ୍ୟନ୍ତ, ମୋବାଇଲରୁ ମିଜାଇଲ , ସାଇକେଲରୁ ଉଡାଜାହାଜ, ଶିଶୁର ଛୋଟ ଛୋଟ ଖେଳନାରୁ ବଡ଼ ବଡ଼ ଗାଡ଼ିର ଯନ୍ତ୍ରାଂଶ, ଜୋତାରୁ ଛତା, ଘରକରଣା ଜିନିଷପତ୍ର ଠାରୁ ବୃହତ ଶିଳ୍ପୋଦ୍ୟୋଗର ଆବଶ୍ୟକୀୟ ସଂରଜାମ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଗଭୀର ଭାବେ କବଳିତ କରିଛି ଯାହା ବିନା ଆଜିର ଆଧୁନିକତା କଳ୍ପନା କରିବା ଅସମ୍ଭବ। ବିଶ୍ୱରେ ପ୍ରତି ବର୍ଷ ପ୍ରାୟ ୪୦ କୋଟି ଟନ୍ ପ୍ଲାଷ୍ଟିକ୍ ଉତ୍ପାଦିତ ହୁଏ, ଯାହାର ୪୦% କେବଳ ଖାଦ୍ୟ, ପାନୀୟ ଓ ଅନ୍ୟାନ୍ୟ ଘରୋଇ ଉପକରଣର ପ୍ୟାକେଜିଂ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ। ଭାରତରେ ପ୍ରତିବର୍ଷ ପ୍ରାୟ ୩୫ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି। ଗୋଟିଏ ମଧ୍ୟମ ବର୍ଗୀୟ ଘରେ ବାର୍ଷିକ ଆନୁମାନିକ ୮୦ରୁ ୧୦୦ କିଲୋଗ୍ରାମ ପ୍ଲାଷ୍ଟିକ୍ ବ୍ୟବହାର ହେଇଥାଏ । ଚିକିତ୍ସା କ୍ଷେତ୍ର ଓ ଆପାତ୍କାଳୀନ ସେବାରେ ପ୍ଲାଷ୍ଟିକ୍ ଅନ୍ୟତମ ମୂଳ ଉପାଦାନ । ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୬୦୦ କୋଟି ସିରିଞ୍ଜ, ଲକ୍ଷ ଲକ୍ଷ ଗ୍ଲୋଭ୍ସ, ଡ୍ରିପ୍ ଓ ମେଡିସିନ୍ ବୋତଲ ପ୍ଲାଷ୍ଟିକ୍ରେ ତିଆରି ହୁଏ। ଯାନବାହନ ଶିଳ୍ପରେ ପ୍ଲାଷ୍ଟିକ୍ ବ୍ୟବହାର ଗାଡ଼ିର ଓଜନ କମାଇ ଇନ୍ଧନ ସଞ୍ଚୟ ଓ ପରିବେଶ ପାଇଁ ଏକ ସୁଦୃଢ଼ ଭୂମିକା ନିବାହ କରେ।ଇଲେକ୍ଟ୍ରୋନିକ୍ ଉପକରଣ ଯଥା ଟିଭି, ଫ୍ରିଜ୍, ଲାପଟପ୍, ମୋବାଇଲ୍ ଓ ଘରୋଇ ଯନ୍ତ୍ରାଦିର ଅନେକାଂଶ ଅଂଶ ପ୍ଲାଷ୍ଟିକ୍ରେ ତିଆରି । ବିଶ୍ୱ ଇଲେକ୍ଟ୍ରୋନିକ୍ ଶିଳ୍ପର ଅନୁମାନିକ ୫୦% ଉପାଦାନ ପ୍ଲାଷ୍ଟିକ୍ ଆଧାରିତ ।
ଏମିତି ଭାବରେ ପ୍ଲାଷ୍ଟିକ୍ ଆମ ଜୀବନର ଏକ ଅଭିନ୍ନ ଅଂଶ ହେବା ସତ୍ତ୍ୱେ ଏହାର ଅନିୟନ୍ତ୍ରିତ ବ୍ୟବହାରଏବେ ପରିବେଶ, ପ୍ରାଣୀ ଓ ମାନବ ସ୍ୱାସ୍ଥ୍ୟ ଉପରେ ଘାତକ ପ୍ରଭାବ ପକାଇ ଆସୁଛି । ଏହି କାରଣରୁ ୨୦୨୫ ଜୁନ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଶ୍ୱର ବିଭିନ୍ନ ଦେଶ ଆମ ସମୟର ସବୁଠାରୁ ଜଟିଳ ପରିବେଶୀୟ ସମସ୍ୟା ଏହି ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଦ୍ୱାରା ଆୟୋଜିତ ବିଶ୍ୱ ପରିବେଶ ଦିବସ ୨୦୨୫ର ବିଷୟବସ୍ତୁ ହେଉଛି “ପ୍ଲାଷ୍ଟିକ ପ୍ରଦୂଷଣର ବିନାଶ”। କୋରିଆ ଗଣତନ୍ତ୍ର ଏହି ବାର୍ଷିକ କାର୍ଯ୍ୟକ୍ରମର ଆୟୋଜକ ହେବା ସହ, ଏହା ଗୋଟିଏ ଆନ୍ତର୍ଜାତୀୟ ମିଳିତ ପ୍ରତିକ୍ରିୟା ପାଇଁ ଆହ୍ୱାନ ଜଣାଇଛି। ଏହି ବିଷୟବସ୍ତୁ କେବଳ ପ୍ରତୀକାତ୍ମକ ନୁହେଁ, ବରଂ ସରକାର, ଶିଳ୍ପାନୁଷ୍ଠାନ ଏବଂ ବ୍ୟକ୍ତିମାନଙ୍କ ପାଇଁ ପ୍ଲାଷ୍ଟିକ ଉତ୍ପାଦନ, ବ୍ୟବହାର ଓ ଅବ୍ୟବସ୍ଥିତ ପରିଚାଳନାରୁ ସୃଷ୍ଟ ହେଉଥିବା ବିପଦର ସମ୍ମୁଖୀନ ହେବା ପାଇଁ ଏକ ଦୃଢ଼ ଆହ୍ୱାନ।
ବିଶ୍ୱରେ ପ୍ରାୟ ବିଂଶ ଶତାବ୍ଦୀର ମଧ୍ୟଭାଗରୁ ପ୍ଲାଷ୍ଟିକ ଉତ୍ପାଦନ ଦ୍ରୁତ ଗତିରେ ବଢ଼ି ବର୍ତ୍ତମାନ ପ୍ରତିବର୍ଷ ଅନ୍ୟୁନ ୪୩୦ ମିଲିଅନ୍ ଟନ୍ ପ୍ଲାଷ୍ଟିକ ଉତ୍ପାଦିତ ହେଉଛି, ଯାହାର ଦୁଇ-ତୃତୀୟାଂଶ ଅସ୍ଥାୟୀ ଓ ନିଷ୍କାସନ ଯୋଗ୍ୟ। ଏହି ସବୁ ପ୍ଲାଷ୍ଟିକର ଏକ ବୃହତ ଅଂଶ ଅତି ଦ୍ରୁତଗତିରେ ଆବର୍ଜନାରେ ପରିଣତ ହୋଇ ଉଭୟ ଜଳଚର ଓ ଭୂଚର ପ୍ରଜାତିଙ୍କୁ ଆକ୍ରାନ୍ତ କରିଥାଏ। ୟୁଏନଇପି ଅନୁସାରେ, ପ୍ରତିବର୍ଷ ୧୯ ରୁ ୨୩ ମିଲିଅନ୍ ଟନ୍ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ନଦୀ ହ୍ରଦ ଓ ସମୁଦ୍ରକୁ ପ୍ରଦୁଷିତ କରିବା ସହ ଖାଦ୍ୟ ପ୍ରଣାଳୀ ଓ ମାନବ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ସାମୁଦ୍ରିକ ଉତ୍ପାଦ ଯଥା ମାଛ, ଲୁଣ, ବୋତଲ ଜଳ ଆଦିରେ ଏବଂ ଏସବୁର ବ୍ୟବହାର ଯୋଗୁଁ ମାନବ ରକ୍ତରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକ ଚିହ୍ନଟ ହୋଇଛି। ପ୍ଲାଷ୍ଟିକ ଓ ମାଇକ୍ରୋପ୍ଲାଷ୍ଟିକ ଆବର୍ଜନା ଦେହରେ ପ୍ରବେଶ କରି ବିଭିନ୍ନ ଗୁରୁତର ରୋଗ ସୃଷ୍ଟି କରେ। ଏହାର ବିଷାକ୍ତ ରାସାୟନିକ ଉପାଦାନ ହରମୋନ ବିକୃତି, କ୍ୟାନ୍ସର, ଫୁସଫୁସ ଓ ପାଚନତନ୍ତ୍ର ରୋଗ, ମନୋଚିକିତ୍ସା ସମସ୍ୟା ଓ ଦୀର୍ଘକାଳୀନ ଜୀବନଘାତି ଅସୁଖ ସମସ୍ୟା ସୃଷ୍ଟି କରେ। ଖାଦ୍ୟ ଓ ପାନୀୟ ମାଧ୍ୟମରେ ମାଇକ୍ରୋପ୍ଲାଷ୍ଟିକ ଶରୀରରେ ପ୍ରବେଶ କରି ଅନ୍ତ୍ର ଓ ଅନ୍ୟାନ୍ୟ ଅଙ୍ଗକୁ କ୍ଷତିଗ୍ରସ୍ତ କରେ। ତେଣୁ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ଏହି ଭଳି ଏକତ୍ରୀକରଣ, କ୍ରମାଗତ ବୃଦ୍ଧି ଓ ଜୈବମଣ୍ଡଳ ଉପରେ ଏହାର କୁପ୍ରଭାବ ଏବେ ସାରା ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଇ ଦେଇଛି।
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଦ୍ୱାରା ସ୍ୱାସ୍ଥ୍ୟ ଓ ପରିବେଶ ଜନିତ କ୍ଷତି ଅପେକ୍ଷା ଆର୍ଥିକ ବ୍ୟୟ ଭାର ମଧ୍ୟ ଅତ୍ୟଧିକ। ପ୍ଲାଷ୍ଟିକ ପ୍ରଦୂଷଣ ପ୍ରତିବର୍ଷ ବିଶ୍ୱ ପରିବେଶ ଓ ସାମାଜିକ ଜୀବନରେ ୩୦୦ରୁ ୬୦୦ ବିଲିୟନ୍ ଡଲାର ପର୍ଯ୍ୟନ୍ତ କ୍ଷତି କରିଥାଏ। ଏହା ଜୈବ ବିଭିନ୍ନତା ହ୍ରାସ ଏବଂ ସାମୁଦ୍ରିକ ଓ ଉପକୂଳ ଜୀବମଣ୍ଡଳକୁ କ୍ଷତି ପହଞ୍ଚାଇବା ସହ ମତ୍ସ୍ୟ ଉତ୍ପାଦନ କ୍ଷମତା ହ୍ରାସ ଓ ସଫାଇ କାର୍ଯ୍ୟ ପାଇଁ ବ୍ୟୟ ବୃଦ୍ଧି କରେ। ପ୍ଲାଷ୍ଟିକର ସମ୍ପୂର୍ଣ୍ଣ ଜୀବନ ଚକ୍ର, ନିଷ୍କର୍ଷଣରୁ ଉତ୍ପାଦନ ଓ ବିନିଯୋଗ ପର୍ଯ୍ୟନ୍ତ, ଗ୍ରୀନହାଉସ୍ ଗ୍ୟାସ ନିର୍ଗମନ, ବୈଶ୍ୱିକ ଜଳବାୟୁ ସଙ୍କଟ ଓ ଭଙ୍ଗୁର ପ୍ରାକୃତିକ ପ୍ରଣାଳୀଗୁଡ଼ିକୁ ଅପରିବର୍ତ୍ତନଶୀଳ ଢଙ୍ଗରେ ଅଧିକ କ୍ଷତି କରୁଛି। ଭାରତୀୟ ପରିପ୍ରେକ୍ଷୀରେ, ପ୍ଲାଷ୍ଟିକ ପ୍ରଦୂଷଣ ଏକ ମାତ୍ରାଧିକ ଜଟିଳ ସମସ୍ୟା। ୧.୪ ବିଲିୟନ୍ରୁ ଅଧିକ ଲୋକସଂଖ୍ୟା ସହ ଦ୍ରୁତ ଗତିରେ ସହରୀକରଣ ହେଉଥିବା ଭାରତରେ ପ୍ରତିବର୍ଷ ପ୍ରାୟ ୯.୩ ମିଲିଅନ୍ ଟନ୍ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହେଉଛି। ଏଥିରୁ ପ୍ରାୟ ୫.୮ ମିଲିଅନ୍ ଟନ୍ ଭସ୍ମୀଭୂତ ଆବର୍ଜନା ବିଷାକ୍ତ ବାୟୁ ନିର୍ଗତ କରି ବାୟୁମଣ୍ଡଳକୁ ପ୍ରଦୂଷିତ କରେ ଅଥବା ଅନୁଚିତ ଓ ଅବ୍ୟବସ୍ଥିତ ଢଙ୍ଗରେ ଏଠି ସେଠି ଫୋପଡାଫିଙ୍ଗା ହୋଇ ଭୂଭାଗ, ନଦୀ ଓ ସମୁଦ୍ରକୁ ପ୍ରଦୂଷିତ କରେ। ବିକଶିତ ଦେଶମାନଙ୍କ ତୁଳନାରେ ଭାରତର ବ୍ୟକ୍ତି ପିଛା ପ୍ଲାଷ୍ଟିକ ବ୍ୟବହାର କମ୍ ହେଲେ ବି ଧୀରେ ଧୀରେ ଏହା ବଢି ବର୍ତ୍ତମାନ ବ୍ୟକ୍ତି ପିଛା ବର୍ଷକୁ ପ୍ରାୟ ୧୧ କିଲୋଗ୍ରାମରେ ପହଞ୍ଚିଛି। ଯଦି ଏହାକୁ ତୁରନ୍ତ ନିୟନ୍ତ୍ରଣ କରା ନଯାଏ, ତେବେ ଆସନ୍ତା ଦଶକରେ ଦୁଇଗୁଣ୍ ହୋଇଯିବ। ଯଦିଓ ଏବାବଦରେ ୨୦୧୬ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମରେ ଭାରତର ନୀତି ଓ ଢାଞ୍ଚା ଶକ୍ତିଶାଳୀ, ଲୋକମାନଙ୍କର ଅତ୍ୟଳ୍ପ ସହଯୋଗ ଯୋଗୁଁ ତାହାର ପ୍ରୟୋଗରେ ଯଥେଷ୍ଟ ଆଞ୍ଚଳିକ ବୈଷମ୍ୟ ରହିଛି।
ଏହି ପରିପ୍ରେକ୍ଷୀରେ, ଓଡ଼ିଶାକୁ ନଜର ଦେଲେ ଜଣାପଡ଼େ ଯେ ବିଭିନ୍ନ ପ୍ରଜାତିର ଉଦ୍ଭିଦ, ପ୍ରାଣୀ ଓ ନିଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ୪୮୦ କିଲୋମିଟର ପରିବ୍ୟାପ୍ତ ବଙ୍ଗୋପସାଗରୀୟ ଉପକୂଳ ଅଞ୍ଚଳ ପ୍ଲାଷ୍ଟିକ ପ୍ରଦୂଷଣରୁ ମୁକ୍ତ ନୁହେଁ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ, ୨୦୨୩ରେ ୧୨୦,୦୦୦ ଟନ୍ ପ୍ଲାଷ୍ଟିକ ଆବର୍ଜନା ଉତ୍ପାଦିତ ହୋଇଥିଲା। ଏହାର ସର୍ବାଧିକ ଅଂଶ ରାଜଧାନୀ ଭୁବନେଶ୍ୱରରୁ ଯେଉଁଠି ପ୍ରତିଦିନ ପ୍ରାୟ ୧୩୫ ଟନ୍ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହୋଇଥାଏ। ପୁରୀ ଓ ପାରାଦୀପ ଭଳି ଉପକୂଳୀୟ ସହରଗୁଡିକ ସହ ଅନ୍ୟାନ୍ୟ ପର୍ଯ୍ୟଟନ ଓ ଶିଳ୍ପ କେନ୍ଦ୍ରଗୁଡିକ ମଧ୍ୟ ଅନେକ ମାତ୍ରାରେ ଅବାଞ୍ଛିତ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି କରି ସମୁଦ୍ରକୂଳିଆ ଅଞ୍ଚଳକୁ ପ୍ରଦୂଷିତ କରାଉଛନ୍ତି। ଉଦାହରଣସ୍ୱରୂପ, ଅସ୍ଥାୟୀ ନିଷେଧାଜ୍ଞା ଓ ସଚେତନତା ଅଭିଯାନ ଆୟୋଜିତ ହେବା ସତ୍ତ୍ୱେ ପ୍ରତ୍ୟେକ ବର୍ଷ ପୁରୀର ରଥଯାତ୍ରା ସମୟରେ, କଟକର ଐତିହାସିକ ବାଲିଯାତ୍ରା ସମୟରେ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଦ୍ୱାରା ମାତ୍ରାଧିକ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହୁଏ, ଯାହା ଉଭୟ ନଗରପାଳିକାକୁ ଅସୁବିଧାରେ ପକାଏ। ଓଡିଶାର କୃଷି ଓ ପାନୀୟ ଜଳ ପାଇଁ ମୁଖ୍ୟ ଜୀବନରେଖା ସାଜିଥିବା ମହାନଦୀ ଓ ତାହାର ଉପନଦୀଗୁଡିକରେ ମଧ୍ୟ ମାଇକ୍ରୋପ୍ଲାଷ୍ଟିକର ପରିମାଣ ଦିନକୁ ଦିନ ବଢ଼ୁଛି। ଏହି କଣିକାଗୁଡ଼ିକ ଜଳଚର ବିବିଧତାକୁ ବିନାଶ କରିବା ସହ, ଏହି ନଦୀମାନଙ୍କର ଜଳକୁ ପାନୀୟଜଳ ଭାବେ ବ୍ୟବହାରକରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଛି।
ଏହି ବୃହତ ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଅନେକ ଉପାୟ ଗ୍ରହଣ କରାଯାଇଛି। ଅତ୍ୟଳ୍ପ ଉପଯୋଗୀ ଓ ଅତ୍ୟଧିକ ପରିବେଶୀୟ କ୍ଷତି ସୃଷ୍ଟିକାରୀ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ଉପରେ ନିଷେଧାଜ୍ଞା ଲାଗୁ କରି ଜାତୀୟ ସ୍ତରରେ, ଭାରତ ୨୦୨୨ ଜୁଲାଇରୁ ଏଭଳି ପ୍ଲାଷ୍ଟିକର ଉତ୍ପାଦନ ଓ ବ୍ୟବହାରକୁ କମେଇବାକୁ ପ୍ରଯତ୍ନ କରିଛି। ବିସ୍ତାରିତ ନିର୍ମାତା ଉତ୍ତରଦାୟିତ୍ୱ ନୀତି ଅନୁଯାୟୀ, ନିର୍ମାତା, ଆମଦାନିକାରୀ ଓ ବ୍ରାଣ୍ଡ ମାଲିକମାନେ ତାଙ୍କ ଦ୍ୱାରା ବଜାରରେ ଆଣାଯାଇଥିବା ପ୍ଲାଷ୍ଟିକ ଉପକରଣର ଅନ୍ତିମ ପର୍ଯ୍ୟାୟ ବ୍ୟବସ୍ଥାପନ ପାଇଁ ଦାୟୀ ରହିବେ। ଓଡ଼ିଶାର ସ୍ଥାନୀୟ ପ୍ରଶାସନ ଓ ନଗରପାଳିକାମାନେ ମଧ୍ୟ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ୨୦୧୯ରୁ ୫୦ ମାଇକ୍ରନରୁ କମ୍ ଥିବା ପ୍ଲାଷ୍ଟିକ ବ୍ୟାଗର ବ୍ୟବହାରକୁ ନିଷିଦ୍ଧ କରାଯାଇ ଉଲ୍ଲଙ୍ଘନକାରୀ ବ୍ୟବସାୟୀମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଉଛି। ବିଭିନ୍ନ ବେସରକାରୀ ଅନୁଷ୍ଠାନମାନଙ୍କ ସାହାଯ୍ୟରେ ନିମ୍ନ ଆୟକାରୀଙ୍କ ଦ୍ୱାରା ଗୋଷ୍ଠୀଗତ ଭାବେ କପଡା ଓ ଝୋଟ ବ୍ୟାଗ ଭଳି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ରର ଉତ୍ପାଦନ ପ୍ଲାଷ୍ଟିକର ବିକଳ୍ପ ପାଇଁ ପ୍ରୋତ୍ସାହିତ କରାଯାଉଛି। ପୁରୀ ନଗରପାଳିକା ପ୍ରାୟତଃ ପ୍ରତି ମାସ ମେଗା ସ୍ବଚ୍ଛତା ଅଭିଯାନ ଚଳାଉଛି ଯେଉଁଥିରେ ସ୍ଥାନୀୟ ବାସିନ୍ଦା ଓ ଦେଶୀବିଦେଶୀ ପର୍ଯ୍ୟଟକ ଅଂଶଗ୍ରହଣ କରୁଛନ୍ତି। ଅଧିକନ୍ତୁ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଡ଼ ସହରଗୁଡିକରେ ପ୍ଲାଷ୍ଟିକ ଆବର୍ଜନାର ଉତ୍ସ ଓ ତାହାର ପ୍ରବାହ ନିର୍ଣ୍ଣୟ କରିବା ପାଇଁ ଏକ ମ୍ୟାପିଂ ପ୍ରକଳ୍ପ ଆରମ୍ଭ କରିଛି। ଏହିସବୁ ପ୍ରଚେଷ୍ଟା ଯଥେଷ୍ଟ ଥିଲେ ମଧ୍ୟ, ସାମୟିକ ହୋଇଥିବାରୁ ଏକ ଦୀର୍ଘକାଳୀନ ତଥା ନୀତିଗତ ନିଷ୍ପତିର ଆବଶ୍ୟକତା ରହିଛି।
ନୀତିଗତ ପଦକ୍ଷେପ ଓ ସାମୁହିକ ପ୍ରୟାସ ମୂଳ ଆଧାର ହେଉଥିବା ବେଳେ, ବ୍ୟକ୍ତିଗତ ଚାଲିଚଳନ, ଶିଳ୍ପ ଭିତ୍ତିକ ଉତ୍ପାଦନ ପ୍ରଣାଳୀ ଓ ଗୋଷ୍ଠୀଗତ ମାନସିକତାରେ ବୈପ୍ଳବିକ ପରିବର୍ତ୍ତନ ଆଣି ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଏକ ଦୀର୍ଘକାଳୀନ ଏବଂ ଗଭୀର ରୂପାନ୍ତରଣର ଆବଶ୍ୟକତା ଜରୁରୀ। ୨୦୨୫ର ବିଶ୍ୱ ପରିବେଶ ଦିବସର ବିଷୟବସ୍ତୁ, “ପ୍ଲାଷ୍ଟିକ ପ୍ରଦୂଷଣର ବିନାଶ” ଏହି ଆବଶ୍ୟକତାକୁ ଅନୁପ୍ରେରଣା ଦେଉଛି। ଏହି ବିଷୟ କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ସମଗ୍ର ପୃଥିବୀ ପାଇଁ ବଞ୍ଚିବାର ଆବଶ୍ୟକତା ଓ ଅଟଳ ସତ୍ୟ। ଏହା ଆମ ଆଚରଣ, ପ୍ଲାଷ୍ଟିକର ବ୍ୟବହାର ଓ ବିନିଯୋଗ ପ୍ରଣାଳୀର ପୁନର୍ବିଚାର କରିବାକୁ ବାଧ୍ୟ କରୁଛି। ଆଗାମୀ ରାସ୍ତା କଠିନ ହେଲେ ମଧ୍ୟ, ଅଗମ୍ୟ ନୁହେଁ। ଦାୟିତ୍ୱ ଓ ଦୃଢ଼ତାର ଏକ ପରମ୍ପରା ସୃଷ୍ଟି କରି, ସମାଜକୁ ପ୍ଲାଷ୍ଟିକ ପ୍ରଦୂଷଣର କୁପ୍ରଭାବରୁ ବଞ୍ଚାଯାଇ ପାରିବ। ବିଶ୍ୱ ପରିବେଶ ଦିବସ ୨୦୨୫ର ପାଳନ ଏକ ପ୍ଲାଷ୍ଟିକ ପ୍ରଦୂଷଣମୁକ୍ତ ପରିବେଶ ଓ ସୁରକ୍ଷିତ ପୃଥିବୀର ଚିନ୍ତନ ନୁହେଁ, ବରଂ ମାନବ ଜାତି ଓ ପ୍ଲାଷ୍ଟିକ ମଧ୍ୟରେ ଥିବା ଅସ୍ୱାସ୍ଥ୍ୟକର ସମ୍ପର୍କର ଏକ ନିର୍ଣ୍ଣାୟକ ବିରାମ ହେବା ଉଚିତ।
******

No comments:
Post a Comment