Tuesday, July 23, 2024

ବଜେଟ ପ୍ରତିକ୍ରିୟା - କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ନୈରାଶ୍ୟଜନକ ବଜେଟ


 

ବଜେଟ ପ୍ରତିକ୍ରିୟା

କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ  ନୈରାଶ୍ୟଜନକ ବଜେଟ

୨୨ଜୁଲାଇ ୨୦୨୪ରେ ସରକାର ପୁରୁଣା ପେନସନ ଯୋଜନାର ପୁନଃପ୍ରଚଳନ ଓ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ ନକାରାତ୍ମକ ଉତ୍ତର କରିସାରିଲା ପରେ ୨୩ ଜୁଲାଇରେ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ କର୍ମଚାରୀମାନଙ୍କ ସପକ୍ଷରେ ହେବନାହିଁ ବୋଲି ସ୍ପଷ୍ଟ ଜଣାପଡ଼ିଥିଲା। କେବଳ ଆୟକର ଦାଖଲ ପାଇଁ ଥିବା ଷ୍ଟାଣ୍ଡାର୍ଡ ଡିଡକ୍ସନରେ ପଚିଶ ହଜାର ଏବଂ  ଫାମିଲି ପେନସନ ଡିଡ‌କ୍ସନରେ ଦଶ ହଜାର ଟଙ୍କା ବୃଦ୍ଧି କରି ସରକାର କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁସି କରିବାକୁ ଚେଷ୍ଟା କରିବା ବ୍ୟତୀତ, ଚଳିତ ବଜେଟ ଉଭୟ ଶ୍ରମିକ-କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ସମ୍ପୂର୍ଣ୍ଣ ନୈରାଶ୍ୟଜନକ କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶର ସମସ୍ତ ଶ୍ରମିକ-କର୍ମଚାରୀମାନଙ୍କର ଏକ ବଡ଼ ଆଶା ଥିଲା ସରକାର ନିଶ୍ଚିତ ଭାବେ ଅଷ୍ଟମ ବେତନ ଆୟୋଗ ଗଠନ ପାଇଁ ଚଳିତ ବଜେଟରେ ଘୋଷଣା କରିବା ସହ ପେନସନ ଯୋଜନାରେ ପରିବର୍ତ୍ତନ ତଥା କୋଭିଡ ସମୟରୁ କାଟି ନେଇଥିବା ୧୮ମାସର ବକେୟା ମହଙ୍ଗା  ଭତ୍ତାକୁ ଫେରେଇ ଦେବା ପାଇଁ ପ୍ରାବଧାନ କରିବେ। କିନ୍ତୁ କର୍ମଚାରୀଙ୍କର ଏହି ତିନୋଟି ମୂଖ୍ୟ ଦାବି ଉପରେ ଚଳିତ ବଜେଟ ସମ୍ପୂର୍ଣ୍ଣ ନୀରବ। କର୍ମଚାରୀଙ୍କ ସର୍ବନିମ୍ନ  ବେତନ ନିର୍ଦ୍ଧାରଣ ଓ ପେନସନରେ ସୁଧାର ଆଣିବା ଏବଂ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ମାସିକ ନ'ହଜାର ଟଙ୍କା ସର୍ବନିମ୍ନ ପେନସନ ଘୋଷଣା ବିଳମ୍ବିତ ହେଉଥିବା ବେଳେ, ଚଳିତ ବଜେଟରେ ନାବାଳକଙ୍କ  ପାଇଁ 'ବାତ୍ସଲ୍ୟ' ପେନସନ ଯୋଜନାର ପ୍ରଚଳନ ନିହାତି  ହାସ୍ୟାସ୍ପଦ। ଅଧିକନ୍ତୁ, ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଫେବୃଆରୀ ୨୦୨୪ରେ ସେମାନଙ୍କର ୧୫୫ତମ ରିପୋର୍ଟ ଦାଖଲ କଲାବେଳେ ମହଜୁଦା ସର୍ତ୍ତାବଳୀକୁ କୋହଳ କରି କେନ୍ଦ୍ର ସରକାରୀ ସ୍ୱାସ୍ଥ୍ୟ ଯୋଜନା(ସିଜିଏଚ୍ଏସ୍)ରେ ଅଧିକ ସଂଖ୍ୟକ ସ୍ବାସ୍ଥ୍ୟ ମଙ୍ଗଳ କେନ୍ଦ୍ର ଖୋଲିବା ପାଇଁ ସୁପାରିଶ କରିଥିଲେ ବି ଚଳିତ ବଜେଟରେ ସେଭଳି କିଛି ପ୍ରାବଧାନ ନାହିଁ କିମ୍ବା ଔଷଧପତ୍ର ଓ ବିଭିନ୍ନ ମେଡିକାଲ ସରଂଜାମର ଦରବୃଦ୍ଧିକୁ ଆଖିରେ ରଖି ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ଧାର୍ଯ୍ୟ ସିଜିଏଚ୍ଏସ୍ ପ୍ୟାକେଜରେ ମଧ୍ୟ କୌଣସି ପରିବର୍ତ୍ତନ କରିନାହାନ୍ତି। ତେଣୁ ଚଳିତ ବଜେଟକୁ କର୍ମଚାରୀ ବିରୋଧୀ କହିଲେ ଭୁଲ ହେବନାହିଁ।

- ବୃହସ୍ପତି ସାମଲ -

ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି,  ଭୁବନେଶ୍ୱର
ମୋବାଇଲ : ୯୪୩୭୦୨୨୬୬୯

No comments:

Post a Comment