ସ୍ୱାସ୍ଥ୍ୟସେବାରେ ପାତରଅନ୍ତର
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ମୋବାଇଲ: ୯୪୩୭୦୨୨୬୬୯
ଭାରତର ଲୋକସଂଖ୍ୟା ଅନୁପାତରେ ଆବଶ୍ୟକ ସଂଖ୍ୟକ ଡ଼ାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଚିକିତ୍ସାଳୟର ଅଭାବ ଯୋଗୁ ଗାଁଗହଳିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ସହରାଞ୍ଚଳର ସୁପରସ୍ପେଶାଲିଟି ଓ ମଲ୍ଟିସ୍ପେଶାଲିଟି ହାସପାତାଳଗୁଡିକ ଉତ୍କୃଷ୍ଟ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ବିଫଳ ହେଉଥିବା ବେଳେ, ବିଭିନ୍ନ ଗୋଷ୍ଠୀ, ଜାତି, ଲିଙ୍ଗ, ଅର୍ଥନୈତିକ ଓ ସାମାଜିକ ପ୍ରତିଷ୍ଠା, ଭୌଗୋଳିକ ଅବସ୍ଥିତି ତଥା ସର୍ବୋପରି ସରକାରୀ ନୀତି ନିୟମର ପରିଧି ଭିତରେ ଉଭୟ ସରକାରୀ ଓ ବେସରକାରୀ ଚିକିତ୍ସାଳୟଗୁଡିକରେ ଲୋକମାନେ ସ୍ୱାସ୍ଥ୍ୟସେବାରେ ଘୋର ଭେଦଭାବର ଶୀକାର ହେବା ଆଜିକାଲି ଏକ ନିତିଦିନିଆ ସାଧାରଣ ଘଟଣା। ଗ୍ରାମାଞ୍ଚଳର ଚିକିତ୍ସା କ୍ଷେତ୍ରରେ ଥିବା ପାତରଅନ୍ତରକୁ ଦୁରକରିବା ପାଇଁ ୨୦୦୫ରେ ଆରମ୍ଭ ହୋଇଥିବା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ପ୍ରଦର୍ଶନ ସନ୍ତୋଷଜନକ ନୁହେଁ। ସ୍ୱାସ୍ଥ୍ୟ ଭିତ୍ତିଭୂମି ଦୃଢ଼ କରିବା ପାଇଁ ବଜେଟରେ ସମ୍ବଳ ବଣ୍ଟନର ପାତରଅନ୍ତର ନୀତି ଯୋଗୁଁ ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟଠାରୁ ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟମାନେ ବହୁ ପଛରେ। ୨୦୨୩ର ଏକ ସର୍ବେକ୍ଷଣ ଅନୁଯାୟୀ, ପାଞ୍ଚ କିଲୋମିଟର ପରିଧି ଭିତରେ ଗ୍ରାମାଞ୍ଚଳର ମାତ୍ର ୩୫% ପରିବାରକୁ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉଥିବା ବେଳେ ସହରାଞ୍ଚଳରେ ତାହା ୮୫%। ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମାତ୍ର ୧୫% ବିଭିନ୍ନ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବେଳେ ଉଚ୍ଚ ଆୟକାରୀ ବର୍ଗର ଲୋକମାନଙ୍କ କ୍ଷେତ୍ରରେ ତାହା ୭୦%। ଅଙ୍ଗପ୍ରତ୍ୟଙ୍ଗ ରୋପଣ ଓ କର୍କଟ ରୋଗ ଆଦି ଚିକିତ୍ସାରେ ତାମିଲନାଡୁ ଓ କର୍ଣ୍ଣାଟକ ଭଳି ଦକ୍ଷିଣ ଭାରତୀୟ ରାଜ୍ୟ ବିହାର ଓ ଉତ୍ତରପ୍ରଦେଶ ଭଳି ଉତ୍ତର ଭାରତୀୟ ରାଜ୍ୟ ଠାରୁ ବହୁ ଆଗରେ। ଭିତ୍ତିଭୂମି ସଂରଚନା ଏବଂ ସମ୍ବଳ ବଣ୍ଟନ ଓ ସାଧନରେ ପାତରଅନ୍ତର ଚିକିତ୍ସା କ୍ଷେତ୍ରରେ ଏକ ଆଞ୍ଚଳିକ ବୈଷମ୍ୟ ସୃଷ୍ଟି କରି ଜନସାଧାରଣଙ୍କୁ ସମାନ ଧରଣର ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅନ୍ତରାୟ ହେଉଛି। ଅକ୍ସଫାମ୍ ଇଣ୍ଡିଆର ଏକ ସର୍ବେକ୍ଷଣ ଅନୁଯାୟୀ ପ୍ରତି ତିନିଜଣରେ ଜଣେ ମୁସଲମାନ, ୨୦%ରୁ ଉର୍ଦ୍ଧ ଦଳିତ ଓ ଆଦିବାସୀ ଏବଂ ଅନ୍ୟାନ୍ୟ ସମ୍ପ୍ରଦାୟର ଅନ୍ୟୁନ ୩୦% ଚିକିତ୍ସା କ୍ଷେତ୍ରରେ ଜାତି ଓ ଧର୍ମକୁ ନେଇ ଭେଦଭାବର ଶୀକାର ହୋଇଥାନ୍ତି। ଭାରତରେ ପ୍ରାୟ ୪୦% ମହିଳା ଜନ୍ମ ସମୟରେ ଯୋଗ୍ୟ ଚିକିତ୍ସା ନପାଇବା ଏବଂ ମୁସ୍ଲିମ୍ ସମ୍ପ୍ରଦାୟରେ ପ୍ରାୟ ୧୫% ଲୋକ ଉଚ୍ଚମାନର ଚିକିତ୍ସାରୁ ବଞ୍ଚିତ ହେବା ଚିକିତ୍ସା କ୍ଷେତ୍ରରେ ଲିଙ୍ଗ ଓ ସମ୍ପ୍ରଦାୟଗତ ଭେଦଭାବକୁ ସ୍ପଷ୍ଟ ପ୍ରତିପାଦିତ କରେ। ସେହିପରି ସାମାଜିକ ଭେଦଭାବରେ, କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବା ଧର୍ମର ଲୋକଙ୍କ ସହ ସମଲିଙ୍ଗୀ ଓ କିନ୍ନରମାନେ ମଧ୍ୟ ଅପେକ୍ଷାକୃତ ଅଳ୍ପ ହାରରେ ଚିକିତ୍ସା ସୁବିଧା ପାଉଥିବା ପରିଲକ୍ଷିତ ହେଉଥିବାବେଳେ, ଭୌଗୋଳିକ ଅବସ୍ଥିତି ଯୋଗୁଁ ନଇନାଳ, ପାହାଡ଼ଜଙ୍ଗଲ ଘେରା ଆଦିବାସୀ ଅଧ୍ୟୁଷିତ ଓ ସୀମାନ୍ତ ଅଞ୍ଚଳର ଲୋକେ ସର୍ବନିମ୍ନ ପ୍ରାଥମିକ ସ୍ବାସ୍ଥ୍ୟସେବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି।
ଗରୀବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅନ୍ୟୁନ ୫୦ କୋଟି ପରିବାରକୁ ପରିବାର ପିଛା ବାର୍ଷିକ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଦେବାପାଇଁ ଭାରତ ସରକାର ୨୦୧୮ରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ) ଯଦିଓ ଆରମ୍ଭ କଲେ, ଓଡ଼ିଶା ଭଳି ରାଜ୍ୟ ନିଜର ସ୍ୱାସ୍ଥ୍ୟସେବା ଯୋଜନା (ପରିବାର ପିଛା ବାର୍ଷିକ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଥାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) ଥିବା ଯୋଗୁଁ ତାହା ଲାଗୁ କଲେ ନାହିଁ। ତଥ୍ୟ ଅନୁଯାୟୀ, ୨୦୨୩ ସୁଦ୍ଧା ମାତ୍ର ୧୦ କୋଟି ପରିବାର ଆୟୁଷ୍ମାନ ଭାରତ ଯୋଜନାରେ ଲାଭାନ୍ବିତ ହୋଇଛନ୍ତି। ଲୋକସଂଖ୍ୟା ଓ ଆଞ୍ଚଳିକ ବୈଷମ୍ୟବାଦର ଶୀକାର ହୋଇ କେରଳ ଭଳି ରାଜ୍ୟର ୭୦% ପରିବାର ଲାଭବାନ ହୋଇଥିବା ବେଳେ ବିହାର ଭଳି ରାଜ୍ୟରେ ଏହି ଯୋଜନାରେ ମାତ୍ର ୨୫% ଉପକୃତ। ଆୟୁଷ୍ମାନ ଭାରତରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାୟ ୨ କୋଟି ଲୋକ ୨୦୨୩ ସୁଦ୍ଧା ଲାଭ ପାଇଛନ୍ତି ଯାହା ଯୋଜନାର ମୋଟ ଲାଭାର୍ଥୀଙ୍କର ମାତ୍ର ୨୦% । ଚିକିତ୍ସା ଖର୍ଚ୍ଚ ନିର୍ଦ୍ଧାରିତ ପାଞ୍ଚ ବା ଦଶ ଲକ୍ଷ ଅତିକ୍ରମ କଲେ, ରୋଗୀମାନେ ଅଯଥା ଅବହେଳାର ଶୀକାର ହେଉଥିବାବେଳେ କାର୍ଡ ଜରିଆରେ ଚିକିତ୍ସା ବାବଦ ଖର୍ଚ୍ଚକୁ ସରକାର ଠିକ୍ ସମୟରେ ନିର୍ଦ୍ଦିଷ୍ଟ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଭରଣା କରୁ ନଥିବାରୁ, ଅନେକ ହାସପାତାଳ ଏସବୁ କାର୍ଡ ଗ୍ରହଣ କରିବାକୁ ଅନିଚ୍ଛୁକ ହେଉଛନ୍ତି। ଏହା ବାଦ୍, ଅନେକ ସରକାରୀ ଡାକ୍ତରଖାନାଗୁଡ଼ିକରେ ସବୁପ୍ରକାରର ଚିକିତ୍ସା ଉପଲବ୍ଧ ନଥିଲା ବେଳେ ସରକାର ଅନେକ ସୁପରସ୍ପେଶାଲିଟି ଓ ମଲ୍ଟିସ୍ପେଶାଲିଟି ଘରୋଇ ହାସପାତାଳକୁ ଏଭଳି ଯୋଜନା କାର୍ଡ ପରିସରଭୁକ୍ତ କରିନାହାନ୍ତି, ଯେଉଁଥିପାଇଁ ସାଧାରଣ ରୋଗୀମାନେ ଉତ୍ତମ ଓ ଉପଯୁକ୍ତ ଚିକିତ୍ସା ପାଇପାରୁନାହାନ୍ତି।
ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ କ୍ଷେତ୍ରରେ ପାତରଅନ୍ତର ଆହୁରି ଅଧିକ। ସପ୍ତମ ବେତନ ଆୟୋଗ ଆଧାରରେ ପେ’ମାଟ୍ରିକ୍ସ ସ୍ତର ୧ରୁ ୫, ସ୍ତର ୬, ସ୍ତର ୭ରୁ ୧୧ ଏବଂ ସ୍ତର ୧୨ରୁ ତଦୁର୍ଦ୍ଧରେ ଥିବା କେନ୍ଦ୍ର ସରକାରୀ କର୍ମଚାରୀମାନେ ମାସିକ ଦରମାରୁ ଯଥାକ୍ରମେ ୨୫୦, ୪୫୦, ୬୫୦ ଓ ୧୦୦୦ ଟଙ୍କା ଉତ୍ସର୍ଗ କରି ଏବଂ ପେନସନଭୋଗୀମାନେ ଯଥାକ୍ରମେ ଏକକାଳୀନ ୩୦୦୦୦, ୫୪୦୦୦, ୭୮୦୦୦ ଓ ୧୨୦୦୦୦ ଟଙ୍କା ଦାଖଲ କରି ଆଜୀବନ ସିଜିଏଚଏସ ଅଧିନରେ ସ୍ୱାସ୍ଥ୍ୟସେବା ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ସମାନ ପ୍ରକାରର ସୁବିଧା ଉପଲବ୍ଧ ନହୋଇ ସପ୍ତମ ବେତନ ଆୟୋଗର ମୂଳ ଦରମା ଆଧାରରେ ଅଲଗା ଅଲଗା ଭାବରେ ସ୍ୱାସ୍ଥ୍ୟସେବା ନିର୍ଦ୍ଧାରିତ ହୁଏ। ମୂଳ ମାସିକ ଦରମା ୩୬୫୦୦, ୩୬୫୦୧ରୁ ୫୦୫୦୦ ଏବଂ ୫୦୫୦୦ରୁ ତଦୁର୍ଦ୍ଧ ଥିବା ସିଜିଏଚଏସ ଉପଭୋକ୍ତାମାନେ ଯଥାକ୍ରମେ ସାଧାରଣ ୱାର୍ଡ଼, ସେମି ପ୍ରାଇଭେଟ୍ ୱାର୍ଡ଼ ଓ ପ୍ରାଇଭେଟ୍ ୱାର୍ଡ଼ରେ ଚିକିତ୍ସିତ ହେବାର ସୁବିଧା ପାଇଥାନ୍ତି ଯାହା ଚିକିତ୍ସା କ୍ଷେତ୍ରରେ ଆର୍ଥିକ ଭେଦଭାବକୁ ସ୍ପଷ୍ଟ କରେ। ଅଧିକନ୍ତୁ; ବିଭିନ୍ନ ବ୍ୟାଧିର ଚିକିତ୍ସା ପାଇଁ ସିଜିଏଚଏସରେ ଯେଉଁ ପ୍ୟାକେଜ ନିର୍ଦ୍ଧାରିତ ହୋଇଛି, ତାହା ପ୍ରକୃତ ଖର୍ଚ୍ଚଠାରୁ ଅଧିକାଂଶ କ୍ଷେତ୍ରରେ ଯଥେଷ୍ଟ କମ୍ ରହୁଥିବାରୁ ଉପଭୋକ୍ତାମାନେ ଆର୍ଥିକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତୀୟ ଡ଼ାକ ବିଭାଗର ଅନ୍ୟୁନ ତିନି ଲକ୍ଷ ଗ୍ରାମୀଣ ଡାକ ସେବକ ଘାସକୁ ମୋଟ ଓ ଗଛକୁ ଛୋଟ ଭଳି ନୀତି ନିୟମର ମାୟା ଜାଲ ଭିତରେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କ କୌଣସି ସ୍ୱାସ୍ଥ୍ୟସେବା ଯୋଜନାରେ ଅନ୍ତର୍ଭୁକ୍ତ ନାହାନ୍ତି।
ଅଧିକନ୍ତୁ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ରମାଗତ ବଜେଟ୍ ହ୍ରାସ ନିମ୍ନମାନର ସ୍ୱାସ୍ଥ୍ୟସେବା ପାଇଁ ବହୁ ପରିମାଣରେ ଦାୟୀ। ୨୦୧୮-୧୯ରୁ ୨୦୨୩-୨୪ଭିତରେ ବିଗତ ପାଞ୍ଚ ବର୍ଷର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟ୍ ଆବଣ୍ଟନ କଥାରୁ ସ୍ପଷ୍ଟ ହୁଏ ଯେ ୨୦୧୮-୧୯ ବଜେଟରେ ମୋଟ ୫୬୨୩୬ କୋଟି ଟଙ୍କା (ଯାହା ମୋଟ ବଜେଟର ୨.୪% ଓ ମୋଟ ଘରୋଇ ଉତ୍ପାଦ ବା ଜିଡିପିର ୦.୩%)ର ବ୍ୟୟ ବରାଦ କରାଯାଇଥିବା ବେଳେ, ୨୦୨୩-୨୪ରେ (ସଂଶୋଧିତ) ୮୩୪୧୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ଯାହା ମୋଟ ବଜେଟର ୧.୯% ଓ ଜିଡିପିର ୦.୨୮%। ଏଠି ଯଦି ସରକାରଙ୍କ ସ୍ୱାସ୍ଥ୍ୟ ଉପକର(ସେସ୍)ରୁ ସଂଗୃହିତ ଆୟକୁ ବିଚାର କରାଯାଏ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟ୍ ଆବଣ୍ଟନ ଆହୁରି କମିଯିବ। ଉଦାହରଣ ସ୍ୱରୂପ ୨୦୨୨-୨୩ରେ ୭୮୧୭୯ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେବଳ ଉପକରରୁ ଆୟ ଥିଲା ୧୮୩୦୦ କୋଟି ଟଙ୍କା। ଅର୍ଥାତ ଏହି ଆୟକୁ ବାଦଦେଲେ ୨୦୨୨-୨୩ର ପ୍ରକୃତ ଆବଣ୍ଟନ ମାତ୍ର ୫୯୮୭୯ ଯାହା ୨୦୧୯-୨୦ର ଆବଣ୍ଟନ (୬୬୦୪୨ କୋଟି)ଠାରୁ ବି କମ୍। ଗ୍ରାମାଞ୍ଚଳର ଗରୀବ ଜନତାଙ୍କ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ୨୦୧୮ରେ ସ୍ୱାସ୍ଥ୍ୟ ଉପକର ଲାଗୁ କଲାବେଳେ ବ୍ୟୟବରାଦ ମୋଟ ବଜେଟର ୨.୪% ଥିଲା। ଅନ୍ତତଃ ଯଦି ସେହି ଅନୁପାତରେ ବ୍ୟୟ ଅଟକଳ କରାଯାଉଥା’ନ୍ତା, ତେବେ ୨୦୨୩-୨୪ର ବଜେଟ୍ ଆବଣ୍ଟନ ୮୩୪୧୮ କୋଟି ଟଙ୍କା ପରିବର୍ତ୍ତେ ୧.୦୭ ଲକ୍ଷ କୋଟି ଟଙ୍କା ହୋଇଥାନ୍ତା। ୨୩ ଜୁଲାଇ ୨୦୨୪ରେ ଆଗତ ୨୦୨୪-୨୫ର ବଜେଟରେ ୯୦୯୫୮.୬୩ କୋଟିର ବ୍ୟୟ ବରାଦ ମଧ୍ୟ ଉତ୍ସାହପ୍ରଦ ନୁହେଁ। ମେଡ଼ିକାଲ ସରଞ୍ଜାମ ଓ ଔଷଧପତ୍ରର କ୍ରମାଗତ ଦରବୃଦ୍ଧିକୁ ବିଚାର କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଜେଟ୍ ଆବଣ୍ଟନକୁ ସମାନୁପାତିକ ହାରରେ ବୃଦ୍ଧି ନକରିବା, ଉଚ୍ଚମାନର ସେବା ପ୍ରଦାନରେ ଘୋର ଅନ୍ତରାୟ ସୃଷ୍ଟି କରିବା ଅତ୍ୟନ୍ତ ସ୍ୱଭାବିକ।
ଚିକିତ୍ସା କ୍ଷେତ୍ରରେ ଭେଦଭାବ ଏକ ପ୍ରମୁଖ ସମସ୍ୟା ଯାହା ବିକାଶର ପରିପନ୍ଥୀ ଏବଂ ଭାରତୀୟ ସମ୍ବିଧାନର ଧାରା ୧୪, ୨୧ ଓ ୪୭ର ଖୋଲା ଉଲ୍ଲଂଘନ। ସ୍ୱାସ୍ଥ୍ୟ ଏବଂ ଚିକିତ୍ସାର ଅଧିକାର, ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ବଞ୍ଚିବାର ଅଧିକାରର ପରିସରଭୁକ୍ତ। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ମତରେ ଜୀବନ ସଂରକ୍ଷଣ ସର୍ବୋପରି। ଜୀବନ ଥରେ ଚାଲିଗଲେ ଆଉ ପୁନର୍ବାର ଫେରିଆସେ ନାହିଁ। କଥାରେ ଅଛି “ଶରୀରମାଦ୍ୟଂ ଖଳୁ ଧର୍ମସାଧନମ୍”। ଏକ ଭେଦଭାବହୀନ ସ୍ୱସ୍ଥ ସମାଜ ଗଠନ ପାଇଁ ସବୁ ଲୋକ ସମାନ ପ୍ରକାରର ଚିକିତ୍ସା ସୁବିଧା ପାଇବା ଆବଶ୍ୟକ। ଚିକିତ୍ସାରେ ଅବହେଳା ଓ ପାତରଅନ୍ତର ପାଇଁ ରାଷ୍ଟ୍ର ଏବଂ ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷ ଓ ଗୋଷ୍ଠୀ ଉତ୍ତରଦାୟୀ। ତେଣୁ ଏଭଳି ଭେଦଭାବର ସମୀକ୍ଷା କରିବା ସହ ତାହାର ସମାଧାନ ପାଇଁ ଉଭୟ ସରକାର ଓ ବିଭିନ୍ନ ସମ୍ପ୍ରଦାୟର ମିଳିତ ଆନ୍ତରିକ ପ୍ରଚେଷ୍ଟା ଅତ୍ୟନ୍ତ ଜରୁରୀ।
*****
No comments:
Post a Comment