Monday, July 29, 2024

ସାମ୍ପ୍ରତିକ ଶ୍ରମିକ କର୍ମଚାରୀ ସମସ୍ୟା

 



ସାମ୍ପ୍ରତିକ ଶ୍ରମିକ କର୍ମଚାରୀ ସମସ୍ୟା

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ 
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର 
ମୋବାଇଲ: ୯୪୩୭୦୨୨୬୬୯

          ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ବିଜେପି ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) କେନ୍ଦ୍ରରେ ତୃତୀୟ ଥର ପାଇଁ ୯ ଜୁନ ୨୦୨୪ରୁ ଯଦିଓ ସରକାର ଗଢିଲେ, ସେମାନଙ୍କର ବିଗତ ଏକ ଦଶନ୍ଧିର ଶାସନ କାଳରେ କ୍ରମାଗତ ସଂଘର୍ଷ ପରେ ମଧ୍ୟ ଶ୍ରମିକ କର୍ମଚାରୀଙ୍କ ମୂଖ୍ୟ ସମସ୍ୟା ସମୂହ ଅଣଦେଖା ହୋଇ ରହିଗଲା। ବିଶେଷ ଭାବରେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭାରତ ବର୍ଷର ସମସ୍ତ ରାଜ୍ୟ ଓ‌ କେନ୍ଦ୍ର ସରକାରୀ କର୍ମଚାରୀଙ୍କ‌ ସହ ଶିକ୍ଷକମାନଙ୍କୁ ନେଇ ସର୍ବଭାରତୀୟ ସ୍ତରରେ ଗଠିତ  ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନଜେସିଏ) ଭଳି ଏକ ମିଳିତ ମଞ୍ଚ ଦ୍ୱାରା ବିଭିନ୍ନ ଦାବିରେ ୨୦୨୩ରେ ବର୍ଷସାରା କର୍ମଚାରୀଙ୍କର ସଂଗଠିତ ଆନ୍ଦୋଳନ ଉଗ୍ର ରୁପ ନେଇ ପର୍ଯ୍ୟାୟକ୍ରମେ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବା ସତ୍ତ୍ୱେ କୋୖଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ୧୯ ମାର୍ଚ୍ଚ ୨୦୨୪ରେ ନୋଟିସ ଦେଇ ୧ ମଇ ୨୦୨୪ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟକୁ ଓହ୍ଲାଇବାକୁ ଏନଜେସିଏ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରେଇବା ପରେ କର୍ମଚାରୀ ପକ୍ଷର ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି ଏବଂ ଖୁବ୍ ଶୀଘ୍ର ସରକାର ଏସଂକ୍ରାନ୍ତରେ ବିଦ୍ଧିବଧ ନିଷ୍ପତ୍ତି ନେବେ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବାରୁ ପ୍ରସ୍ତାବିତ ଧର୍ମଘଟକୁ ସାମୟିକ ସ୍ଥଗିତ ରଖାଯାଇଛି। ତୃତୀୟ ପାଳିର ଏନଡିଏ ସରକାରଙ୍କ ସଦ୍ୟ ସମାପ୍ତ ପ୍ରଥମ କ୍ୟାବିନେଟ ବୈଠକରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ରଖିବା ସହ ବିଭିନ୍ନ ଜାତୀୟ ସମସ୍ୟା ଆଲୋଚନା କରିବାକୁ ଯାଇ ଏଥରର ଶକ୍ତିଶାଳୀ ବିରୋଧୀଦଳ ଇଣ୍ଡିଆ ମେଣ୍ଟର ଅନେକ ସାଂସଦ ଶ୍ରମିକ କର୍ମଚାରୀଙ୍କ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ସ୍ଥିତି ଓ ଆଭିମୁଖ୍ୟକୁ ଲକ୍ଷ୍ୟ ରଖି ୨୩ ଜୁଲାଇ ୨୦୨୪ରେ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଶ୍ରମିକ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଉପରେ ଜାତୀୟ ପରିଷଦ ଯୁଗ୍ମ ପରାମର୍ଶଦାତା କମିଟି କର୍ମଚାରୀ ପକ୍ଷ ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ମିଳିତ ମଞ୍ଚ ତରଫରୁ ଯଥାକ୍ରମେ ୨୧ ଓ ୨୪ ଜୁନ ୨୦୨୪ରେ ମାନନୀୟା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ପ୍ରସଙ୍ଗ କ୍ରମେ କେତୋଟି ମୂଖ୍ୟ ଦାବି ଉପରେ ଆଲୋକପାତ କରିବା ଯୁକ୍ତିଯୁକ୍ତ ମନେହୁଏ।

         ସାମ୍ପ୍ରତିକ ପରିସ୍ଥିତିରେ କେବଳ ପଶ୍ଚିମବଙ୍ଗ ଓ ତାମିଲନାଡୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀ ଏବଂ ଭାରତବର୍ଷର କେନ୍ଦ୍ରୀୟ ବେସାମରିକ କର୍ମଚାରୀଙ୍କ ପାଇଁ ଜାତୀୟ ପେନସନ ଯୋଜନା (ଏନପିଏସ) ଏକ ପ୍ରମୁଖ ସମସ୍ୟା। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ପୁରୁଣା ପେନସନ ଯୋଜନା(ଓପିଏସ)ରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ତରଫରୁ ମାସିକ ୧୪% ଦେୟ ଥାଇ ମଧ୍ୟ ତାହା ପାଖାପାଖି ୮% ଭିତରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ବିଗତ ବର୍ଷମାନଙ୍କରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶ ଭଳି ଓପିଏସକୁ ଫେରିଥିବା ରାଜ୍ୟ ସରକାରମାନେ ୨୦୦୪ରୁ ଏଯାବତ ଏନପିଏସ ଉପଭୋକ୍ତାଙ୍କ ଜମାରାଶିକୁ ଫେରେଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲାପରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ୨୦୧୩ରେ ସେଭଳି କୌଣସି ପ୍ରାବଧାନ ନାହଁ କହି କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ପ୍ରସ୍ତାବକୁ ଆଡେଇ ଯାଇଛନ୍ତି। ୨୦୧୩ର ଅଧିନିୟମ ଉଚ୍ଛେଦ ନହେଲେ ଏନପିଏସ ଉପଭୋକ୍ତାଙ୍କୁ ପ୍ରକୃତ ନ୍ୟାୟ ମିଳିବା ଅସମ୍ଭବ। ଅଧିକନ୍ତୁ; ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୧୭ ଡିସେମ୍ବର ୧୯୮୨ର ଐତିହାସିକ ରାୟ ଅନୁସାରେ ପେନସନ କାହାରି ବଦାନ୍ୟତା କି ନିଯୁକ୍ତିଦାତାର ଇଛା ମୁତାବକ ଏକ ଅନୁଗ୍ରହ ନୁହେଁ। ନିଜ ଯୌବନର ବହୁମୂଲ୍ୟ ସମୟ ସେବା ଯୋଗାଇଦେଇଥିବା ପରିବର୍ତ୍ତେ କର୍ମଚାରୀର ଅବସର ଜୀବନର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ପାଇଁ ପେନସନ, ନିଯୁକ୍ତିଦାତା ତରଫରୁ ଏକ ଦୃଢ଼ ପ୍ରତିଶ୍ରୁତି। ତେଣୁ କୌଣସି ବାହାନା ନକରି ଉପରୋକ୍ତ  ଅଧିନିୟମକୁ ତୁରନ୍ତ ରଦ୍ଦ କରିବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରସରକାରୀ କର୍ମଚାରୀଙ୍କ ପାଇଁ ଓପିଏସ୍ ଲାଗୁ କରିବାକୁ ଆଗାମୀ ବଜେଟରେ ପ୍ରାବଧାନ କରିବାକୁ ଦୃଢ ଦାବି କରାଯାଇଛି।

        କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ସଂଶୋଧନ ପାଇଁ ପ୍ରତି ଦଶ ବର୍ଷରେ କେନ୍ଦ୍ରୀୟ ବେତନ ଆୟୋଗ ଗଠିତ ହୋଇଥାଏ ଏବଂ ଆୟୋଗଙ୍କ ସୁପାରିଶ ଅନୁସାରେ ଭାରତ ସରକାର କ୍ୟାବିନେଟ ଅନୁମୋଦନ କ୍ରମେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବା ସହ ବେତନ ଓ ଭତ୍ତାର ବୃଦ୍ଧି ନିମିତ୍ତ ନିଷ୍ପତ୍ତି ନିଅନ୍ତି ଯାହା ପରବର୍ତ୍ତୀ ସମୟରେ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରିଥାନ୍ତି। ସପ୍ତମ ବେତନ ଆୟୋଗ  ସରକାରଙ୍କୁ ତାଙ୍କର ବିବରଣୀ ପ୍ରଦାନ କଲାବେଳେ ଅନୁଛେଦ ୧.୨୨ରେ ପରବର୍ତ୍ତୀ ବେତନ ଆୟୋଗ ପାଇଁ ଦଶ ବର୍ଷର ଦୀର୍ଘ ସମୟ ଅବଧିକୁ ଅପେକ୍ଷା ନ କରି ମଝିରେ ମଝିରେ ଦରମା ସାରଣୀକୁ (ପେ ମାଟ୍ରିକ୍ସ) ସମୀକ୍ଷା କରିବାକୁ  ମତାମତ ଦେଇଛନ୍ତି। ଏହି ସମୀକ୍ଷା ଭାରତୀୟ ଶ୍ରମ କାର୍ଯ୍ୟାଳୟ ଅନୁଯାୟୀ ଜଣେ ସାଧାରଣ ମଣିଷର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀସମୂହର ମୂଲ୍ୟ ପରିବର୍ତ୍ତନକୁ ନେଇ କରିବା ପରେ ଡ. ଆକ୍ରୋଏଡ ସୂତ୍ର ଆଧାରରେ ବେତନ ସଂଶୋଧନ କରିବାକୁ ସପ୍ତମ ବେତନ ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏ ପ୍ରସଙ୍ଗରେ ରାଜ୍ୟସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୧୮୦୭ର ଜବାବରେ ଉତ୍ତର ରଖି ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ୨ ଅଗଷ୍ଟ ୨୦୨୨ରେ କହିଥିଲେ ଯେ ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁକରିବା ପାଇଁ ଯେତେବେଳେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଲା, ଉପରୋକ୍ତ ସମୀକ୍ଷା କଥା ବିଚାରକୁ ନିଆଯାଇନଥିବାରୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।  ଧାର୍ଯ୍ୟ ସମୟାନୁସାରେ ଅଷ୍ଟମ ବେତନ ଆୟୋଗର ସୁପାରିଶ ଜାନୁଆରୀ ପହିଲା ୨୦୨୬ରୁ ଲାଗିହେବାକୁ ଥିବାବେଳେ କାଳବିଳମ୍ବ ନକରି ଆଗାମୀ ବଜେଟରେ ସରକାର ତୁରନ୍ତ ଅଷ୍ଟମ ବେତନ ଆୟୋଗଙ୍କ ନିଯୁକ୍ତି ପାଇଁ ପ୍ରାବଧାନ କରିବାକୁ ନିବେଦନ ରହିଛି ।

         ଅବସର ସମୟରେ ୪୦% ପର୍ଯ୍ୟନ୍ତ ପେନସନ ବିକ୍ରି କରି କର୍ମଚାରୀଟିଏ ଯେଉଁ ପରିବର୍ତ୍ତିତ ମୂଲ୍ୟ (କମୁଟେଡ ଭାଲ୍ୟୁ ଅଫ ପେନସନ) ପାଇଥାଏ, ମୂଳ ପେନସନକୁ ଫେରିବା ପାଇଁ ତାକୁ ୧୫ ବର୍ଷ ଅପେକ୍ଷା କରିବାକୁ ପଡ଼ିଥାଏ। କିନ୍ତୁ ବିଗତ ବର୍ଷମାନଙ୍କରେ ସୁଧହାର କ୍ରମାଗତ ନିମ୍ନଗାମୀ ହେଉଥିବାରୁ କର୍ମଚାରୀ ପାଇଥିବା ପରିବର୍ତ୍ତିତ ମୂଲ୍ୟ ଏବେ ୧୨ ବର୍ଷରେ ସମ୍ପୂର୍ଣ୍ଣ ପରିଶୋଧ ହୋଇଯାଉଛି। ତେଣୁ ଅବସରପ୍ରାପ୍ତ କର୍ମଚାରୀମାନେ ୩ବର୍ଷ ପାଇଁ ଅଧିକ ପରିଶୋଧ କରି ଅଯଥାରେ ଅର୍ଥଦଣ୍ଡ ପାଇଥାନ୍ତି। ଅଧିକନ୍ତୁ, ଗୁଜରାଟ ଭଳି ରାଜ୍ୟ ସରକାର ଏହାକୁ ୧୩ ବର୍ଷକୁ କମେଇ ଦେଇଛନ୍ତି। ତେଣୁ ୧୫ ବର୍ଷ ପରିବର୍ତ୍ତେ ୧୨ ବର୍ଷରେ ପେନସନର ପୁନରୁଦ୍ଧାର କରିବା ପାଇଁ କର୍ମଚାରୀ ପକ୍ଷ ଦାବି ରଖିଛି।

            ଉଭୟ କର୍ମଚାରୀ ଓ ପେନସନରଙ୍କ ପାଇଁ ଆୟକର ସୀମା ମଧ୍ୟ ଏକ ସମସ୍ୟା। ଅନ୍ୟ ବର୍ଗର ନାଗରିକଙ୍କ ଭଳି ସେମାନଙ୍କର ବାର୍ଷିକ ଆୟରେ ପରିବର୍ତ୍ତନ କରି ଆୟକର ଫାଙ୍କିବା ସମ୍ଭବ ନୁହେଁ। ନିର୍ଦ୍ଧାରିତ ସୀମା ବାହାରର ବାର୍ଷିକ ଆୟ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ସେମାନେ ବାଧ୍ୟ। କିନ୍ତୁ ବିଗତ ବଜେଟଗୁଡିକରେ ଆୟକର ଛାଡ଼ ସୀମାରେ ଯାହା ପରିବର୍ତ୍ତନ ହୋଇଥିଲା ତାହା କର୍ମଚାରୀଙ୍କ ପାଇଁ ଆଦୌ ଲାଭଦାୟକ ହେଲାନାହିଁ।  ଏହା ବାଦ୍ ଅବସର ପ୍ରାପ୍ତ କର୍ମଚାରୀର ଆୟ ଅଧାରୁ କମ୍ ହୋଇଯିବାରୁ ନିଜର ଆୟ ବୃଦ୍ଧି ପାଇଁ ଗ୍ରାଚୁଇଟି, ପେନସନ ଓ ଛୁଟି ବିକ୍ରି ଅର୍ଥକୁ ସେ ବିଭିନ୍ନ ବ୍ୟାଙ୍କ ଓ ଡାକଘରେ ଜମା କରି ମିଳୁଥିବା ସୁଧରେ ନିଜର ଗୁଜୁରାଣ ମେଣ୍ଟାଇବା ସହ ଅନ୍ୟାନ୍ୟ ସାମାଜିକ ଦାୟିତ୍ଵ ତୁଲାଇଥାଏ। ଅନ୍ୟପକ୍ଷରେ ଜୀବନର ଅପରାହ୍ନରେ ଅନେକ ସ୍ୱାସ୍ଥ୍ୟଗତ କାରଣରୁ ଚିକିତ୍ସା ଏବଂ ଔଷଧପତ୍ରରେ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୁଏ। ଏସବୁକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ଆୟକର ସୀମାରେ ପରିବର୍ତ୍ତନ ଆଣିବାକୁ ଏବଂ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆୟକର ପରିସରଭୁକ୍ତ ନକରିବାକୁ ମଧ୍ୟ ସରକାରଙ୍କୁ‌ ନିବେଦନ ରହିଛି।

      ବିଭାଗୀୟ ଗୃହ ଋଣ ପାଇଁ ଆଜିର ସମୟରେ ବଜେଟରେ ଆବଶ୍ୟକ ମୁତାବକ ପ୍ରାବଧାନ ନରହିବାରୁ କର୍ମଚାରୀ ମାନେ ବାଧ୍ୟ ହୋଇ ବ୍ୟାଙ୍କ ଓ ବିଭିନ୍ନ ଫାଇନାନ୍ସ କମ୍ପାନୀରୁ ଋଣ ନେଉଛନ୍ତି। କିନ୍ତୁ ଏମାନେ ମାସିକିଆ କିସ୍ତିରେ ଆରମ୍ଭରୁ ମୂଳଧନ ସହ ସୁଧ ଯୋଡୁଥିବାରୁ ସୁଧ ବାବଦକୁ ବେଶୀ ଏବଂ ମୂଳଧନ ବାବଦକୁ ଅତି ନଗଣ୍ୟ ଅର୍ଥ ପରିଶୋଧ ହୋଇଥାଏ। କିନ୍ତୁ ବିଭାଗୀୟ ଗୃହ‌‌‌ ଋଣରେ ପ୍ରଥମ ଦଫାରେ ମୂଳଧନ ପରିଶୋଧ ହୋଇଗଲା ପରେ ସୁଧ ଅର୍ଥ ସମାନ କିସ୍ତିରେ ପରେ କରିଥାଏ ଯାହାଦ୍ଵାରା କର୍ମଚାରୀଟିଏ କମ୍ ଆର୍ଥିକ କ୍ଷତି ସହିଥାଏ। ତେଣୁ ବ୍ୟାଙ୍କ ଗୃହ ଋଣର‌ ପରିଶୋଧ ପ୍ରଣାଳୀ ବିଭାଗୀୟ ଗୃହ ଋଣ ଭଳି କରିବାକୁ ଦାବି ରହିଛି।

      ଏହାବାଦ୍, ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ଓ ରେଳବାଇ ଡାକ୍ତରଖାନାରେ ଆବଶ୍ୟକୀୟ ସୁବିଧା ଯୋଗାଇଦେବା, କ୍ରମାଗତ ରେଳ ଦୁର୍ଘଟଣାକୁ କମେଇବା ପାଇଁ ପ୍ରତ୍ୟେକ ରେଳରେ ‘କବଚ’ର‌ ପ୍ରାବଧାନ ଏବଂ  ଅଧିକ ରେଳ ଲାଇନ୍ ସହ ଷ୍ଟେସନଗୁଡିକର କ୍ଷମତା ବୃଦ୍ଧି  ପାଇଁ କର୍ମଚାରୀ ପକ୍ଷ ଦାବି ରଖିଥିବା ବେଳେ, ଖାଦ୍ୟ ପଦାର୍ଥ ଓ ଔଷଧପତ୍ର ଉପରୁ ଜିଏସଟି ହ୍ରାସ, କର୍ପୋରେଟ ଟ୍ୟାକ୍ସରେ ବୃଦ୍ଧି, ଅଣସଂଗଠିତ କ୍ଷେତ୍ରରେ  କାର୍ଯ୍ୟରତ ଶ୍ରମିକ କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା ସହ ସର୍ବନିମ୍ନ ମାସିକ ୯ ହଜାର ଟଙ୍କାର ପେନସନ ବ୍ୟବସ୍ଥା, ନୂତନ‌ପଦବୀ ସୃଷ୍ଟି ସହ ସରକାରୀ ଓ ରାଷ୍ଟ୍ରାୟତ ସଂସ୍ଥାରେ ଖାଲିପଡ଼ିଥିବା ସମସ୍ତ ପଦବୀ ପୁରଣ, ମନରେଗାର କାର୍ଯ୍ୟ ଦିବସ ବୃଦ୍ଧି, ପ୍ରସ୍ତାବିତ ଶ୍ରମ କୋଡ଼ ଉଚ୍ଛେଦ, ସରକାରୀ ଓ ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ବନ୍ଦ, ଦରବୃଦ୍ଧି ‌ନିୟନ୍ତ୍ରଣ, ଅଙ୍ଗନବାଡ଼ି, ଆଶା କର୍ମୀଙ୍କ ଭଳି ବିଭିନ୍ନ ସ୍କିମ୍ ଓ୍ୱାର୍କରଙ୍କୁ  ନିୟମିତିକରଣ, ସ୍ୱାମୀନାଥନ କମିଟି ରିପୋର୍ଟ ଆଧାରରେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଇତ୍ୟାଦି ପାଇଁ ଶ୍ରମିକ ସଂଗଠନଗୁଡ଼ିକ ତରଫରୁ ମିଳିତ ଭାବେ ଦାବି କରାଯାଇଛି।

      ଆଶା ସମଗ୍ର ଦେଶରେ ଶ୍ରମିକ କର୍ମଚାରୀମାନଙ୍କ ହିତ ଦୃଷ୍ଟିରୁ ବିରୋଧୀଦଳ ମାନେ ସେମାନଙ୍କର ସ୍ବରକୁ ଆହୁରି ଶାଣିତ କରିବେ ଏବଂ ନୂଆ ସରକାର ସହୃଦୟତାର ‌ସହିତ ଦାବିଗୁଡିକୁ ବିଚାର‌କରି ତାଙ୍କର ପ୍ରଥମ ବଜେଟକୁ ଲୋକାଭିମୁଖୀ କରିବେ।

*****

No comments:

Post a Comment