Tuesday, January 23, 2024

ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ, ଓଡିଶାର ମିଳିତ ସର୍କୁଲାର

 ସଂଯୁକ୍ତ କିଷାନ ମୋର୍ଚ୍ଚା,କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ,ଓଡିଶା 

---------------------------------------------------------

                  ମିଳିତ ସର୍କୁଲାର 

ଭୁବନେଶ୍ୱର                      ତାରିଖ: 23 ଜାନୁଆରୀ 2024


ପ୍ରିୟ ସାଥିଗଣ;

ଅଭିନନ୍ଦନ ଗ୍ରହଣ କରିବେ l 

ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ, ଓଡିଶା ଶାଖାର ଏକ ରାଜ୍ୟ ସ୍ତରୀୟ ବୈଠକ ଭୁବନେଶ୍ୱରସ୍ଥିତ ଆଇଏନଟିୟୁସି  ଅଫିସ ଠାରେ ଜାନୁଆରୀ 20 ତାରିଖରେ ଅନୁଷ୍ଠିତ ହୋଇଯାଇଛି  l


ସର୍ବ ଭାରତୀୟ ଡାକରାକୁ ଓଡିଶା କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ବୈଠକରେ ନିମ୍ନମତେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି l


ବୈଠକରେ ଗୃହୀତ ନିଷ୍ପତ୍ତି:

 

👍କର୍ପୋରେଟ ଲୁଣ୍ଠନକାରୀ, ସମାଜ ବିଭାଜନକାରୀ  କୃଷକ-ଶ୍ରମିକ ବିରୋଧୀ, ଜନ ବିରୋଧୀ, ଜାତୀୟତା ବିରୋଧୀ ଏବଂ ଗଣତନ୍ତ୍ର ବିପନ୍ନକାରୀ ମୋଦି ସରକାରଙ୍କ ନିତୀ ବିରୋଧରେ "କର୍ପୋରେଟ ଲୁଣ୍ଠନ ବନ୍ଦ କର - ଦେଶ ବଞ୍ଚାଅ - ଶ୍ରମିକ ବଞ୍ଚାଅ - କୃଷକ ବଞ୍ଚାଅ" ଆହ୍ୱାନରେ 16 ଫେବୃଆରୀ 2024ରେ  ଦେଶଵ୍ୟାପୀ ହରତାଳ / ଧର୍ମଘଟ /ଗ୍ରାମୀଣ ଭାରତ ବନ୍ଦ ସଂଗଠିତ କରାଯିବ l


(କ) 16 ଫେବୃଆରୀ 2024 ପାଇଁ ଓଡିଶାର କାର୍ଯ୍ୟକ୍ରମ:


ଓଡିଶାରେ ରାଜଧାନୀ ସମେତ ସମସ୍ତ ଜିଲ୍ଲା ହେଡ଼ କ୍ୱାର୍ଟର /ସହରାଞ୍ଚଳ (ମହାନଗର ନିଗମ, ମୁନିସିପାଲିଟି ଏବଂ ଏନଏସି), ବ୍ଳକ ହେଡ଼ କ୍ୱାର୍ଟର / ଗ୍ରାମ ପଞ୍ଚାୟତ / ସୋସାଇଟି / ଧାନମଣ୍ଡି କେନ୍ଦ୍ର ଇତ୍ୟାଦି ସମ୍ମୁଖରେ କୃଷକ, ଶ୍ରମିକ, କର୍ମଚାରୀ, ସ୍କିମ ଶ୍ରମିକ, କୃଷି ଶ୍ରମିକ, ଗ୍ରାମୀଣ ମଜଦୁର, ମହିଳା, ଯୁବ, ଛାତ୍ର, ଆଦିବାସୀ, ଦଳିତ ତଥା ସକଳ ସ୍ତରର ନାଗରିକ ମାନେ ମିଳିତ ଭାବେ ପଟୁଆର/ଧାରଣା/ବିକ୍ଷୋଭ ପ୍ରଦର୍ଶନ ଏବଂ ସଭା ଇତ୍ୟାଦି ବହୁବିଧ କାର୍ଯ୍ୟକ୍ରମ ସଂଗଠିତ କରିବେ l ଯେଉଁଠି ସମ୍ଭବ ଧର୍ମଘଟ/ବନ୍ଦ ଭଳି ପରିସ୍ଥିତି ପାଇଁ ଉଦ୍ୟମ ରହିବ l

ଏହାକୁ ସଫଳ କରିବା ପାଇଁ ନିମ୍ନମତେ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିଷ୍ପତ୍ତି ହୋଇଛି l


1) ରାଜ୍ୟ ସ୍ତରର ବୈଠକ ଭଳି ଅନୁରୂପ ଭାବେ ଜିଲ୍ଲା/ସହର/ ବ୍ଲକ ସ୍ତରରେ ଶ୍ରମିକ, କର୍ମଚାରୀ ଏବଂ କୃଷକ ସଂଗଠନମାନଙ୍କର ମିଳିତ ପ୍ରସ୍ତୁତି ବୈଠକ ଜାନୁଆରୀ 31ତାରିଖ ସୁଦ୍ଧା ଶେଷ କରିବା ପାଇଁ ଉଦ୍ୟମ ନେବେ l ବୈଠକ ପରେ ଗଣ ମାଧ୍ୟମରେ ବିବୃତ୍ତି ଦିଆଯିବ l 


2) ଏକ ଦାବି ଭିତ୍ତିକ ନମୁନା ପ୍ରଚାର ପତ୍ର ଖୁବ ଶୀଘ୍ର ପଠାଯିବ l ଏହାକୁ ପ୍ରତ୍ୟେକ ଅଂଶୀଦାର ସଂଗଠନ ବହୁ ସଂଖ୍ୟାରେ ଛାପି ବଣ୍ଟନ କରିବେ l

ସ୍ଥାନୀୟ ଭାବେ ହାତଲେଖା ପୋଷ୍ଟର କରି ମାରିବେ l ସାମାଜିକ ଗଣ ମାଧ୍ୟମରେ ପୋଷ୍ଟର, ଅଡିଓ ଏବଂ ଭିଡିଓ କରି ପ୍ରଚାର କରିବା ପାଇଁ ଉଦ୍ୟମ ରହିବ l


3) ଫେବୃଆରୀ 1 ତାରିଖ ଠାରୁ 15 ତାରିଖ ପର୍ଯ୍ୟନ୍ତ ଗାଁ,  ଧାନ ମଣ୍ଡି କେନ୍ଦ୍ର, ସହରର ବସ୍ତି ଅଞ୍ଚଳ, ବଜାର ଛକ, ବସ ଷ୍ଟାଣ୍ଡ, ରେଳ ଷ୍ଟେସନ, ହାଟ, ଶିଳ୍ପାଞ୍ଚଳ, କର୍ମଚାରୀଙ୍କ ଅଫିସ  ଏବଂ କାରଖାନାର ଗେଟ ସମ୍ମୁଖ ଇତ୍ୟାଦିକୁ ପ୍ରଚାରର କେନ୍ଦ୍ର ଭାବେ ପଥ ପ୍ରାନ୍ତ ସଭା, ସାଧାରଣ ବୈଠକ, ମାଇକ ପ୍ରଚାର, ପଟୁଆର ଇତ୍ୟାଦି ସୁନିର୍ଦ୍ଦିଷ୍ଟ  ଏବଂ ସୁନିଶ୍ଚିତ ଭାବେ ସଂଗଠିତ କରିବେ l

ଘରକୁ ଘର ଯାଇ ପ୍ରଚାର ପତ୍ର ବାଣ୍ଟିଲେ ଲୋକଙ୍କ ସହିତ ସମ୍ପର୍କ ଆହୁରି ଜୀବନ୍ତ ହୋଇ ପାରିବ l

14 ଫେବୃଆରୀ  15 ଫେବୃଆରୀରେ ସ୍ଥାନୀୟ ପରିସ୍ଥିତି ଆଧାରରେ ମଶାଲ ପଟୁଆର ସଂଗଠିତ କରିବା ପାଇଁ ପ୍ରଚେଷ୍ଟା ରହିବ l


4) ଓଡିଶାର ସହରାଞ୍ଚଳ / ଶିଳ୍ପାଞ୍ଚଳରେ ଏହି ଆନ୍ଦୋଳନକୁ  କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କର ମିଳିତ ମଞ୍ଚ ପ୍ରମୁଖ ଭୂମିକା ଗ୍ରହଣ କରି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କର୍ମଚାରୀ ସଂଗଠନମାନଙ୍କ ସହିତ ସମନ୍ୱୟ / ଯୋଗାଯୋଗ ରଖି କାମ କରିବେ l


ଠିକ ସେହିଭଳି ଓଡିଶାର ଗ୍ରାମାଞ୍ଚଳରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଅର୍ଥାତ କୃଷକ ସଂଗଠନ ମାନେ ପ୍ରମୁଖ ଭୂମିକା ଗ୍ରହଣ କରି ସମସ୍ତ ଶ୍ରମିକ ସଂଗଠନ, ଏଥି ସହିତ ସମ୍ପୃକ୍ତ ସ୍କିମ, ଅସ୍ଥାୟୀ, ଠିକା ଶ୍ରମିକ, କୃଷି ଶ୍ରମିକ, ଗ୍ରାମୀଣ ମଜଦୁର ଇତ୍ୟାଦିଙ୍କ ସହିତ ସମନ୍ୱୟ / ଯୋଗାଯୋଗ ରଖି ଗ୍ରାମୀଣ ବନ୍ଦ ଡାକରାକୁ ସଫଳ କରିବା ପାଇଁ କାମ କରିବାକୁ ହେବ l


5) ଫେବୃଆରୀ  10  ତାରିଖ ବେଳକୁ ରାଜ୍ୟ / ଜିଲ୍ଲା / ବ୍ଳକ ସ୍ତରରେ  ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ ସଂଗଠିତ କରାଯିବ l


6) ଓଡିଶାରେ ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ ବିଜେପି ବ୍ୟତୀତ ସମସ୍ତ ରାଜନୈତିକ ଦଳ ମାନଙ୍କର ସମର୍ଥନ ପାଇଁ ଆମର ନିବେଦନ ରହିବ l ଏହି ସଂକ୍ରାନ୍ତରେ ଏକ ମିଳିତ ଚିଠି ସମ୍ପୃକ୍ତ ରାଜନୈତିକ ଦଳର ମୁଖ୍ୟ ମାନଙ୍କୁ ପ୍ରଦାନ କରାଯିବ l


7) ଉଭୟ ଡାକରାରେ ଯୁବ, ଛାତ୍ର, ମହିଳା, ଶିକ୍ଷକ, ଆଦିବାସୀ, ଦଳିତ, କଳା, ସାହିତ୍ୟ, ସାଂସ୍କୃତିକ  ଇତ୍ୟାଦି ସଂଗଠନ, ବୁଦ୍ଧିଜୀବୀ, ବ୍ୟକ୍ତି ବିଶେଷ ଏବଂ ସକଳ ସ୍ତରର ଗଣତାନ୍ତ୍ରିକ ଶକ୍ତିଙ୍କୁ ରାଜ୍ୟ ସ୍ତରରୁ ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ସାମିଲ କରିବା ପାଇଁ ଆମର ନିଷ୍ଠାପର ଉଦ୍ୟମ ରହିବ l 


(ଖ) 26 ଜାନୁଆରୀ କିଷାନ-ମଜଦୁର ପଟୁଆର:


26 ଜାନୁଆରୀ 2024 ରେ 75ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ  ଅପରାହ୍ନରେ ଅର୍ଥାତ ସରକାରୀ କାର୍ଯ୍ୟକ୍ରମ ପରେ ଜାତୀୟ ପତାକା ଧରି ଓଡିଶାର ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲା ସଦର ମହକୁମା/ସହରାଞ୍ଚଳ / ବ୍ଲକ ସ୍ତରରେ ଟ୍ରାକ୍ଟର ପଟୁଆର / ବାଇକ ପଟୁଆର / ସାଇକେଲ ପଟୁଆର / ପଦଯାତ୍ରା  ଇତ୍ୟାଦି ଜରିଆରେ କିଷାନ-ମଜଦୁର ପଟୁଆର ସଂଗଠିତ  କରାଯିବ l  26 ଜାନୁଆରୀ ପାଇଁ ହାତରେ ସମୟ କମ ରହିଛି l ତଥାପି ଏହାକୁ ସଫଳ କରିବା ପାଇଁ ଉଦ୍ୟମ ନିଆଯାଉ l

              ଭୁବନେଶ୍ୱର କାର୍ଯ୍ୟକ୍ରମ 

👍ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ  ଜାନୁଆରୀ 26 ତାରିଖ ଅପରାହ୍ନ 4ଘଟିକାରେ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ସମସ୍ତେ ସମବେତ ହେବା ପାଇଁ ନିଷ୍ପତ୍ତି ହୋଇଛି l ଗୋଟିଏ ମିଳିତ ବ୍ୟାନର ରହିବ l ପ୍ରତ୍ୟୋକ ସଂଗଠନ ଜାତୀୟ ପତାକା ସାଙ୍ଗରେ ଆଣିବେ l ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ପଟୁଆର ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଯିବ l ସେଠାରୁ ପୁଣି ମାଷ୍ଟର କ୍ୟାଣ୍ଟିନ ଛକ ଆସି ଏକ ସଂକ୍ଷିପ୍ତ ସଭା ସଂଗଠିତ କରି କାର୍ଯ୍ୟକ୍ରମକୁ ସମାପନ କରାଯିବ l

ଏଥିରେ ବହୁ ସଂଖ୍ୟାରେ ଆମ ସଂଗଠନ ମାନଙ୍କର ସଭ୍ୟ, ସମର୍ଥକ ସହିତ ମିଳିତ ଆନ୍ଦୋଳନର ବନ୍ଧୁ ଏବଂ ଶୁଭେଛୁ ମାନଙ୍କ ଯୋଗଦାନ ପାଇଁ ଉଦ୍ୟମ ନେବେ l ଭୁବନେଶ୍ୱର କାର୍ଯ୍ୟକ୍ରମକୁ ମିଳିତ ଟ୍ରେଡ଼ ୟୁନିୟନ ଆନ୍ଦୋଳନ ର ସ୍ଥାନୀୟ ନେତୃବୃନ୍ଦ ସମସ୍ତଙ୍କ ସହିତ ସମନ୍ୱୟ / ଯୋଗାଯୋଗ କରିବା ସହିତ ପଟୁଆରର ସଫଳତା ପାଇଁ ସମସ୍ତ  ଆନୁସଙ୍ଗିକ ବନ୍ଦୋବସ୍ତ / ବ୍ୟବସ୍ଥା ଗ୍ରହଣ କରିବେ l 


ଉଭୟ ଡାକରାରେ ଯୁବ, ଛାତ୍ର, ମହିଳା, ଶିକ୍ଷକ, ଆଦିବାସୀ, ଦଳିତ, କଳା, ସାହିତ୍ୟ, ସାଂସ୍କୃତିକ  ଇତ୍ୟାଦି ସଂଗଠନ, ବୁଦ୍ଧିଜୀବୀ, ବ୍ୟକ୍ତିବିଶେଷ ଏବଂ ସକଳ ସ୍ତରର ଗଣତାନ୍ତ୍ରିକ ଶକ୍ତିଙ୍କୁ ସାମିଲ କରିବା ପାଇଁ ଆମର ନିଷ୍ଠାପର ଉଦ୍ୟମ ରହିବ l 


ସାଥିଗଣ;

ଦେଶର ଅସାଧାରଣ ଏବଂ ଅତି କଠିନ ପରିସ୍ଥିତି ସମ୍ପର୍କରେ ଆମେ ସମସ୍ତେ ଅବଗତ ଅଛନ୍ତି l ପରିସ୍ଥିତିକୁ ବ୍ୟାଖ୍ୟା କରିବା ସହିତ ପରିସ୍ଥିତିକୁ ବଦଳାଇବା ପାଇଁ ଆଜିର ପରିସ୍ଥିତିରେ ମିଳିତ ଆନ୍ଦୋଳନର ଗୁରୁତ୍ୱକୁ ଉପଲବ୍ଧି କରି ଲଗାତାର ଭାବେ ଅଭିଯାନ ଜାରି ରହିଛି l 2024 ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ବିରୋଧରେ ଚାଲିଥିବା ନିରନ୍ତର ସଙ୍ଘର୍ଷର ଏହା ହେବ ବୃହତ ଆନ୍ଦୋଳନାତ୍ମକ ଅଭିଯାନ l ମୋଦି ସରକାରଙ୍କ ଏକଛତ୍ରବାଦୀ-ସାମ୍ପ୍ରଦାୟିକ ଜନ ବିରୋଧୀ ନିତୀକୁ ପରାସ୍ତ କରିବା ହେଉଛି ଆଜିର ଆହ୍ୱାନ l 

"କର୍ପୋରେଟ ଲୁଣ୍ଠନ ଏବଂ ସାମ୍ପ୍ରଦାୟିକ କୂଚକ୍ର"  ବିରୋଧରେ ଫେବୃଆରୀ 16 ତାରିଖର ଏହି ଆନ୍ଦୋଳନ କୁ ସଫଳ କରିବା ପାଇଁ ଆମେ ପ୍ରତ୍ୟେକ ଅଂଶୀଦାର ସଂଗଠନ ଏବଂ ଏହାର ନେତୃବୃନ୍ଦ ନିଷ୍ଠାପର ପ୍ରୟାସ କରିବା ନିମନ୍ତେ ଆହ୍ୱାନ କରୁଛୁ l 


                   ଅଭିନନ୍ଦନ ସହ 

ସଂଯୁକ୍ତ କିଷାନ ମୋର୍ଚ୍ଚା,କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସେନ ସମୁହ, ଓଡିଶା ତରଫରୁ

ତାରିଖ :23.01.2024

No comments:

Post a Comment