Friday, January 5, 2024

ଶ୍ରମିକର ଦୈନିକ କାର୍ଯ୍ୟ ସମୟ


ସୌଜନ୍ୟ: ଧରିତ୍ରୀ, ୦୬-୦୧-୨୦୨୪

ଶ୍ରମିକର ଦୈନିକ କାର୍ଯ୍ୟ ସମୟ

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର

ମୋବାଇଲ:୯୪୩୭୦୨୨୬୬୯

ଇମେଲ: bsamalbbsr@gmail.com 


         ନିଜ ଦେଶପ୍ରତି ଉତ୍ତରଦାୟିତ୍ୱର ନିଦର୍ଶନ ସ୍ବରୂପ ଯୁବପିଢ଼ି ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ ବୋଲି ନିକଟ ଅତୀତରେ ଇନଫୋସିସର ସହସଂସ୍ଥାପକ ୭୭ ବର୍ଷୀୟ ନାରାୟଣ ମୂର୍ତ୍ତି ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ମତ ରଖିବା ପରେ ଯେଉଁ ବିବାଦ ସୃଷ୍ଟି ହେଇଥିଲା, ପରବର୍ତ୍ତୀ ସମୟରେ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ୬୮ ବର୍ଷୀୟ ବିଲ୍ ଗେଟ୍ସଙ୍କର ସପ୍ତାହକୁ ତିନି ଦିନ କାମ ଠିକ ରହିବ ବୋଲି ମତ ଦେବାପରେ ଶ୍ରମିକ ଓ କର୍ମଚାରୀମାନଙ୍କର ଦୈନିକ କାର୍ଯ୍ୟ ନିର୍ଘଣ୍ଟକୁ ନେଇ ଏବେ ଅନେକ ଆଲୋଚନା ପର୍ଯ୍ୟାଲୋଚନା।   ଶ୍ରମିକ ଓ କର୍ମଚାରୀଙ୍କ ଦୈନିକ କାର୍ଯ୍ୟ ନିର୍ଘଣ୍ଟର ଅବଧି ସମ୍ପର୍କରେ ବିଶେଷ ଆଲୋଚନାକୁ ଯିବା ପୂର୍ବରୁ ଐତିହାସିକ ମେଁ ଦିବସର କଥା ଆଲୋଚନା  ହେବା ସ୍ୱାଭାବିକ। ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଯେତେବେଳେ ଆମେରିକାର ଚିକାଗୋ ସହର ଏକ ଶିଳ୍ପ ନଗରୀ ଭାବେ ଗଢିଉଠୁଥିଲା, ପୁଞ୍ଜିପତି ମାଲିକମାନଙ୍କର ଦାଉରେ ଶ୍ରମିକମାନେ ୧୬ରୁ ୨୦ ଘଣ୍ଟା ଖଟୁଥିଲେ। ଗୋଟିଏ  ପଟେ ପୁଞ୍ଜିବାଦୀ ମାଲିକାନାର ଅକଥନୀୟ ଅତ୍ୟାଚାର ଓ ଅନ୍ୟ ପକ୍ଷରେ କାର୍ଯ୍ୟସ୍ଥଳୀରେ ଶ୍ରମିକମାନଙ୍କର ଦୀର୍ଘ ସମୟ ଖଟଣିରୁ ସୃଷ୍ଟ ସାମାଜିକ ଅସ୍ଥିରତା ଜନମାନସକୁ ବିଚଳିତ କରୁଥିଲା ବେଳେ, ଶ୍ରମିକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେରିକାନ ଫେଡେରେସନ ଅଫ୍ ଲେବର ୧୮୮୬ ମେଁ ପହିଲାରୁ ଦିନକୁ ସର୍ବାଧିକ ଆଠ ଘଣ୍ଟା କାମ କରିବାର ଦାବି କରି ଅନିର୍ଦ୍ଦିଷ୍ଟକାଳୀନ ଆନ୍ଦୋଳନ ଆରମ୍ଭ କଲା। ୪ ମେଁ ୧୮୮୬ରେ ଚିକାଗୋ ସହରର ହେମାର୍କେଟ୍ ସ୍କୋୟାରରେ ଗଣହତ୍ୟାର ଯେଉଁ ରକ୍ତରଞ୍ଜିତ ଘଟଣା ଘଟିଗଲା, ତାହା ସମଗ୍ର ବିଶ୍ବର ଶ୍ରମିକଶ୍ରେଣୀ ପାଇଁ ଇତିହାସ ରଚିଲା। ଦୈନିକ ଆଠ ଘଣ୍ଟା କାମ କରିବାର ଦାବି କରି ଆଠଜଣ ମୃତ୍ୟୁ ବରଣ କଲେ ଯାହାଙ୍କ ଭିତରୁ ଚାରି ଜଣ ଫାଶୀ ପାଇଥିଲେ, ସତୁରୀରୁ ଉର୍ଦ୍ଧ ବିକ୍ଷୋଭକାରୀ କ୍ଷତାକ୍ତ ହେବା ସହିତ ଶହେରୁ ଉର୍ଦ୍ଧଙ୍କୁ ବନ୍ଦୀ କରାଯାଇଥିଲା। ପୁଞ୍ଜିବାଦୀ ପ୍ରୋତ୍ସାହିତ ପୁଲିସ ଜୁଲମକୁ ବେଖାତିର କରି ଏହି ଆନ୍ଦୋଳନ ପୃଥିବୀର ଅନ୍ୟାନ୍ୟ ଦେଶକୁ ବ୍ୟାପିଗଲା। ଆଠଘଣ୍ଟିଆ କାର୍ଯ୍ୟ ଦିବସ ପାଇଁ ବିଶ୍ୱବ୍ୟାପୀ ଦାବି କ୍ରମଶଃ ଜୋରଦାର ହେଲା ଏବଂ ୧୯୮୯ରେ ଫ୍ରାନ୍ସ ବିପ୍ଳବର ଶତବାର୍ଷିକୀ ଅବସରରେ ମେଁ ପହିଲାକୁ ବିଶ୍ଵ ଶ୍ରମିକ ଦିବସ ଭାବେ ପାଳନ କରିବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆଗଲା। ଦିନକୁ ସର୍ବାଧିକ ଆଠ ଘଣ୍ଟା କାମ କରିବାର ଦାବିକୁ ମନେପକାଇ ସେବେଠାରୁ ଯଦିଓ ମେଁ ଦିବସ ପାଳିତ ହେଉଛି, ଏ ପ୍ରସଙ୍ଗ ଆଜି ବି ବିବାଦୀୟ। ୧୯୪୨ରେ ଭାଇସରାୟଙ୍କ ପରିଷଦରେ ବାବା ସାହେବ୍ ଆମ୍ବେଦକର ଭାରତରେ ପ୍ରଥମେ ଏହି ଆଠ ଘଣ୍ଟିଆ କାର୍ଯ୍ୟଦିବସ କଥା ଉଠାଇଥିଲେ। ପରିଶେଷରେ, ଭାରତୀୟ କାରଖାନା ଅଧିନିୟମ ୧୯୪୮ ଏକ ଶ୍ରମ ଆଇନ ହିସାବରେ ଗୃହୀତ ହେଲାପରେ ଭାରତରେ ଆଠ ଘଣ୍ଟିଆ କାର୍ଯ୍ୟଦିବସ ଯଦିଓ ଲାଗୁହୋଇଛି, ବହୁ କ୍ଷେତ୍ରରେ ଆଜି ବି ଶ୍ରମିକମାନେ ଆଠ ଘଣ୍ଟାରୁ ବହୁ ଅଧିକ ସମୟ କାମ କରୁଛନ୍ତି। ଉଭୟ ସରକାରୀ କାର୍ଯ୍ୟାଳୟର ସଂଗଠିତ ଶ୍ରମିକ-କର୍ମଚାରୀ ଓ ବେସରକାରୀ ଏବଂ ଘରୋଇ କ୍ଷେତ୍ରର ଅସଂଗଠିତ ଶ୍ରମିକମାନଙ୍କ ଦୁର୍ଦ୍ଦଶା ଆଜି ପ୍ରାୟ ସମାନ।


        ଉଦାହରଣ ଛଳରେ ଡାକ କର୍ମଚାରୀଙ୍କ କଥା ଆଲୋଚନା କରାଯାଇପାରେ। ପ୍ରାରମ୍ଭରୁ ଡାକସେବାକୁ ଜନସେବାର ଆଖ୍ୟା ଦେଇ ଭାରତୀୟ ଡାକ ସେବାକୁ ଆପଣେଇ ଥିଲାବେଳେ, ୧୯୯୦-୯୧ରୁ କେନ୍ଦ୍ର ସରକାରଙ୍କ ନବ୍ୟ ଉଦାରବାଦ ନୀତିରେ ଧିରେ ଧିରେ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ବ୍ୟବସାୟୀକରଣକୁ ପ୍ରାଧାନ୍ୟ ଦେଇ ନିଜର ଚିରାଚରିତ ଡାକ କାରବାର, ସଞ୍ଚୟ ଯୋଜନା ଓ ଜୀବନ ବୀମା ବ୍ୟତୀତ ମହଜୁଦା କର୍ମଚାରୀଙ୍କୁ ନେଇ ବିଭିନ୍ନ  ଡିଜିଟାଲ ସେବା ସହ ରେଳ ଯାତ୍ରୀ ପଞ୍ଜିକରଣ, ପେନସନଭୋଗୀଙ୍କୁ ଡିଜିଟାଲ ଜୀବନ ପ୍ରମାଣ ପତ୍ର ପ୍ରଦାନ, ଗଙ୍ଗାଜଳ ବିକ୍ରି, ପାସପୋର୍ଟ ସେବା, ଆଧାର ସଂଶୋଧନ ଓ ପଞ୍ଜିକରଣ ଏବଂ ଗୋଟେ ସାଧାରଣ ସେବା କେନ୍ଦ୍ର ହିସାବରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ), ଶ୍ରମଯୋଗୀ ମନ-ଧନ ଯୋଜନା, ଲଘୁ ବ୍ୟାପାରୀ ମନ-ଧନ ଯୋଜନା, ଫସଲ ବୀମା ଯୋଜନା, ବିଜୁଳି, ପାଣି, ଗ୍ୟାସ ବିଲ ଓ ସାଧାରଣ ବୀମା ପ୍ରିମିୟମ ଅସୁଲି, ଟେଲିଫୋନ, ଡିଟିଏଚ, ଟାଟା ସ୍କାଏ ଭଳି ଟେଲିଭିଜନ କେବୁଲ ରିଚାର୍ଜ, ଉଡାଜାହାଜ, ରେଳ, ବସ ଟିକେଟ୍ ବୁକିଂ ଭଳି ଶହ ଶହ ସେବା ଯୋଗାଇ ଦେବାକୁ ସଂକଳ୍ପବଦ୍ଧ। ଏହାବ୍ୟତୀତ ବେଡି ଉପରେ କୋରଡ଼ା ଭଳି ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନର ଧମକଚମକ ସହ ଏକ ପକ୍ଷରେ ବିଭିନ୍ନ ଯୋଜନାରେ ହାସଲ ନକରିପାରିଲା ଭଳି ଲକ୍ଷ୍ୟ ଧାର୍ଯ୍ୟ କରିବାର ଅହେତୁକ  ମାନସିକ ଚାପ ଓ ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା, ଘର ଘର ତିରଙ୍ଗା, ମୋ ମାଟି ମୋ ଦେଶ ଅମୃତ କଳସ ଯାତ୍ରା ଭଳି ଅନେକ ଯୋଜନାର ପ୍ରଚାର ପ୍ରସାର ପାଇଁ ଡାକ ବିଭାଗର କର୍ମଚାରୀ ବିଶେଷ ଭାବେ ୩ରୁ ୫ଘଣ୍ଟା ପାଇଁ ସମୟାନୁପାତିକ ଭତ୍ତା (ବେତନ ନୁହେଁ) ଭିତ୍ତିରେ ନିୟୋଜିତ ଗ୍ରାମୀଣ ଡାକ ସେବକମାନେ ରବିବାର ଓ ଛୁଟିଦିନ ସହ ଦିନକୁ ୧୨ ଘଣ୍ଟାରୁ ଉର୍ଦ୍ଧ ସମୟ କାମ କରିବାକୁ ବାଧ୍ୟ ହେଉଛନ୍ତି। କ୍ରମାଗତ ୩ ଦିନ ଛୁଟି ପଡିଗଲେ, ମଝି ଦିନଟି ଡାକଘର ଖୋଲାଯିବା ଥୟ । ଏଥିସହ ଆଡମିନିଷ୍ଟ୍ରେଟିଭ ଓ ଅପରେଟିଭ ଅଫିସଗୁଡିକ ଭିତରେ ପାଞ୍ଚ ଦିନିଆ ଓ ଛଅ ଦିନିଆ ସପ୍ତାହର ଅନ୍ତର। ରବିବାର ଓ ଛୁଟିଦିନକୁ ବାଦ ଦେଇ ଅପରେଟିଭ ଅଫିସର କର୍ମଚାରୀ ଦିନକୁ ଆଠ ଘଣ୍ଟା ହିସାବରେ ବର୍ଷକୁ ୨୮୬ ଦିନ ଅର୍ଥାତ ୨୨୮୮ ଘଣ୍ଟା କାମ କରୁଥିବା ବେଳେ, ଆଡମିନିଷ୍ଟ୍ରେଟିଭ ଅଫିସର କର୍ମଚାରୀଟିଏ ଦିନକୁ ସାଢ଼େ ଆଠ ଘଣ୍ଟା ହିସାବରେ ପ୍ରତ୍ୟେକ ଶନିବାର ଛୁଟି ପାଇ ବର୍ଷକୁ ୨୩୪ ଦିନ ଅର୍ଥାତ ୧୯୮୯ ଘଣ୍ଟା କାମ କରେ। ପାଞ୍ଚ ଦିନିଆ ସପ୍ତାହ ଦାବିକୁ ସରକାର ଅଗ୍ରାହ୍ୟ କରିସାରିଥିବା ବେଳେ, ବ୍ୟାଙ୍କ ଓ ବୀମା ଉଦ୍ୟୋଗ ଭଳି ଡାକଘରର କର୍ମଚାରୀମାନଙ୍କୁ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ମଧ୍ୟ ମିଳେ ନାହିଁ। ଏହି ବୈଷମ୍ୟ ଅନେକ କେନ୍ଦ୍ର ସରକାରୀ ଅନୁଷ୍ଠାନରେ ଦୃଶ୍ୟମାନ। ସାମଗ୍ରିକ ଭାବେ ଯଦି କେନ୍ଦ୍ର ସରକାରୀ କାର୍ଯ୍ୟାଳୟର ଅବସ୍ଥା ଆଲୋଚନା କରାଯାଏ, ତେବେ ୧୯୮୩ରୁ ନୂତନ ପଦବୀ ସୃଷ୍ଟିକୁ ବାସନ୍ଦ କରିବା, ଏପ୍ରିଲ ୨୦୦୩ରୁ ମାର୍ଚ୍ଚ ୨୦୦୯ ମଧ୍ୟରେ ସିଧାସଳଖ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ଖାଲି ପଦବୀର ଦୁଇ ତୃତୀୟାଂଶକୁ ଉଚ୍ଛେଦ କରିବା ଏବଂ ସଂପ୍ରତି ଅନ୍ୟୁନ ୧୫ଲକ୍ଷ ଖାଲି ପଡିଥିବା ପଦବୀକୁ ପୁରଣ ନକରିବା ଦ୍ୱାରା ମହଜୁଦା କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକମାନେ ଅତ୍ୟଧିକ କାମର ଚାପକୁ ମୁଣ୍ଡରେ ବୋହି ଦୈନିକ ଆଠ ଘଣ୍ଟା କାମ କରିବାର ଅଧିକାର ହରେଇ ସାରିଲେଣି।


             ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ଅବସ୍ଥା ମଧ୍ୟ ତଦ୍ରୁପ। ଲକ୍ଷ ଲକ୍ଷ ପଦବୀ ଖାଲିପଡ଼ିଥିବା ବେଳେ ଏବେ ନିୟମିତ ଚାକିରୀ କମ୍। ଅନେକ ଦପ୍ତରରେ କଣ୍ଟ୍ରାକଚୁଆଲ ଓ ଆଉଟସୋର୍ସିଂ କର୍ମଚାରୀ ବେଶୀ ଯାହାଙ୍କର ଦୁର୍ବଳ ଚାକିରୀ ସର୍ତ୍ତାବଳୀ ସେମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ସମୟ କାମ କରିବାର ପାଇଁ ବାଧ୍ୟ କରୁଛି। ଆଇଟି ସେକ୍ଟରର କଥା ନ କହିବା ଭଲ। କିଛି ଅଧିକ ଅର୍ଥ ଲୋଭରେ କର୍ମଚାରୀମାନଙ୍କର ଦିନରାତି ଦାଦନ ଖଟଣି। ପାରିବାରିକ ଓ ସାମାଜିକ ଜୀବନ କଥା ଛାଡ଼ନ୍ତୁ, ନିଜର ସ୍ୱାସ୍ଥ୍ୟ ପ୍ରତି ନଜର ଦେବା ବି ଏମାନଙ୍କ ପକ୍ଷେ ଅଧିକାଂଶ ସମୟରେ ଅସମ୍ଭବ ହେଇଯାଏ। କରୋନା ମହାମାରୀ ସମୟରୁ ଘରୁ କାମ କରିବାର ବିଦ୍ଧି ଏବେ ଆଇଟି ସେକ୍ଟରର କର୍ମଚାରୀଙ୍କୁ ୧୮ ଘଣ୍ଟାରୁ ଅଧିକ କାମ କରିବା ପାଇଁ ବାଧ୍ୟ କରୁଛି। ଅତ୍ୟଧିକ କାମର ଚାପ ସହ କର୍ମକ୍ଷେତ୍ରରେ ଦୀର୍ଘ ସମୟ ଉପସ୍ଥିତିରୁ ଏବର ଯୁବପିଢି ଏକ ଅବ୍ୟବସ୍ଥିତ ସାମାଜିକ ଓ ବିଶୃଙ୍ଖଳିତ ପାରିବାରିକ ଜୀବନ ଜିଇଁବାକୁ ବାଧ୍ୟ ହେଉଥିବାରୁ ଛାଡ଼ପତ୍ର ଏବଂ ଆତ୍ମହତ୍ୟା ପ୍ରବଣତାଭଳି ସାମାଜିକ  ବ୍ୟାଧି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ୨୦୨୨ର ଏକ ସର୍ବେକ୍ଷଣ ଅନୁଯାୟୀ ୫୧ ପ୍ରତିଶତ କର୍ମଚାରୀ ଅତ୍ୟଧିକ କାମର ଚାପରେ ବିଚଳିତ ଏବଂ ତନ୍ମଧ୍ୟରୁ ୩୯ ପ୍ରତିଶତର ପାରିବାରିକ ଜୀବନ ନକାରାତ୍ମକ ଭାବେ ପ୍ରଭାବିତ। ଆଇଟି ସେକ୍ଟରର ୫୫ ପ୍ରତିଶତ ଚିଡିଚିଡା ସ୍ୱଭାବର ହେଇଥିଲା ବେଳେ ଅଣଆଇଟି ସେକ୍ଟରର ୪୪ ପ୍ରତିଶତ କର୍ମଚାରୀ ଅବସାଦଗ୍ରସ୍ତ। ଭାରତରେ ଆତ୍ମହତ୍ୟା କରୁଥିବା ବ୍ୟକ୍ତିମାନଙ୍କ ଭିତରେ ୧.୨ ପ୍ରତିଶତ ବୃତ୍ତିଗତ କାରଣରୁ କରିଥାନ୍ତି। ବେଙ୍ଗାଲୁରୁ ଫାମିଲି କୋର୍ଟର ତଥ୍ୟ ଅନୁସାରେ ୭୫ରୁ ୮୦ ପ୍ରତିଶତ ଛାଡ଼ପତ୍ର କେଶ୍ କେବଳ ଆଇଟି ସେକ୍ଟର କର୍ମଚାରୀଙ୍କର।


         ଭାରତ ସରକାର ବର୍ତ୍ତମାନ ୪୪ଟି ଶ୍ରମ ଆଇନକୁ ଉଚ୍ଛେଦ ଓ ସଙ୍କୁଚିତ କରି ମାଲିକ ଓ ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି ଦୈନିକ ୧୨ ଘଣ୍ଟାର ଶ୍ରମ ଦାନ ସହ ୪ଟି ଶ୍ରମ କୋଡ଼ ଲାଗୁ କରିବାକୁ ତତ୍ପର। ନେଦରଲ୍ୟାଣ୍ଡ, ଜର୍ମାନୀ, ନରୱେ, ଡେନମାର୍କ, ଫ୍ରାନ୍ସ, ସ୍ଲୋଭେନିଆ, ବେଲଜିୟମ, ସୁଇଜରଲ୍ୟାଣ୍ଡ, ସୁଇଡେନ୍ ଓ ଅଷ୍ଟ୍ରିଆ ଭଳି ପୃଥିବୀର ଅନେକ ଦେଶ ସପ୍ତାହକୁ ଯଥାକ୍ରମେ ମାତ୍ର ୨୭.୫, ୨୭.୭୫, ୨୮, ୨୮.୨, ୨୯.୭, ୩୧, ୩୧.୫, ୩୧.୭୫, ୩୨.୧ ଓ ୩୨.୫ ଘଣ୍ଟା କାମ କରୁଥିବା ବେଳେ ଭାରତର କର୍ମଚାରୀମାନେ ସପ୍ତାହକୁ ୭୦ ଘଣ୍ଟା ଅର୍ଥାତ ଦିନକୁ ଅନ୍ୟୂନ ୧୨ ଘଣ୍ଟା କାମ କରିବାକୁ ନାରାୟଣ ମୂର୍ତ୍ତିଙ୍କ ପରାମର୍ଶ ଭାରତୀୟ କାରଖାନା ଅଧିନିୟମ ୧୯୪୮ର ପରିପନ୍ଥୀ, ମାନବାଧିକାରକୁ କ୍ଷୁର୍ଣ୍ଣ କରିବା ସହ ପୁଞ୍ଜିବାଦକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ  ଯାହା ଅତ୍ୟନ୍ତ ନିନ୍ଦନୀୟ।

***********

No comments:

Post a Comment