Friday, February 2, 2024

ସାମ୍ପ୍ରତିକ ପେନସନ ଆନ୍ଦୋଳନ


ସୌଜନ୍ୟ : ଧରିତ୍ରୀ, ୦୩-୦୨-୨୦୨୪

(ସ୍ଥାନାଭାବରୁ ମୂଳଲେଖାରୁ କିଛି ଅଂଶ ସମ୍ପାଦିତ ହୋଇଥିବାରୁ, ସମ୍ପୂର୍ଣ୍ଣ  ଲେଖାଟି ତଳେ ଦିଆଯାଇଛି)

ସାମ୍ପ୍ରତିକ ପେନସନ ଆନ୍ଦୋଳନ

 ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର

 ମୋବାଇଲ: ୯୪୩୭୦୨୨୬୬୯

         ଏକକ ଭାବେ ନିଜ ନିଜ ସଂଗଠନ ଜରିଆରେ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଶ୍ରମିକ ଓ କର୍ମଚାରୀମାନେ ସମସ୍ତଙ୍କ ପାଇଁ ମାସିକ ସର୍ବନିମ୍ନ ନ’ ହଜାର ଟଙ୍କାର ପେନସନ ବ୍ୟବସ୍ଥା, ନୂତନ ପେନସନ ଯୋଜନା ଅଥବା ଜାତୀୟ ପେନସନ ଯୋଜନା (ଏନପିଏସ)କୁ ବାତିଲ କରି ପୁରାତନ ପେନସନ ଯୋଜନା (ଓପିଏସ)ର ପୁନଃ ପ୍ରଚଳନ ସହ ଅନ୍ୟାନ୍ୟ ଯଥାର୍ଥ ସମସ୍ୟାର ସମାଧାନ ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କୌଣସି ସୁଫଳ ନ ମିଳିବାରୁ, ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ଅନ୍ତର୍ଭୁକ୍ତ ରେଳବାଇ କର୍ମଚାରୀ ମହାସଂଘ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ ଅନୁବନ୍ଧିତ ସମସ୍ତ ସଂଘ ଓ ମହାସଂଘ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଓ ଶିକ୍ଷକ ମହାସଂଘ ଅନୁବନ୍ଧିତ ସମସ୍ତ ସଂଘ ଏବଂ ପାରାମିଲିଟାରୀ ପେନସନର୍ସ ଆସୋସିଏସନର ନୂଆଦିଲ୍ଲୀରେ ୮ ଡିସେମ୍ବର ୨୦୨୨,  ୭ ଓ ୨୧ ଜାନୁୟାରୀ ୨୦୨୩ରେ ‌ତିନି ତିନୋଟି ମିଳିତ ବୈଠକ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ୨୦୨୩ ପାଇଁ  ବର୍ଷସାରାର ଏକ ଆନ୍ଦୋଳନାତ୍ମକ ଚିଠା ପ୍ରସ୍ତୁତ କଲେ। ବିଶେଷ ଭାବେ 'ଜଏଣ୍ଟ ଫୋରମ ଫର୍ ରେଷ୍ଟୋରେସନ ଅଫ୍ ଓଲ୍ଡ ପେନସନ ସ୍କିମ୍' ଭଳି ଏକ ମିଳିତ ମଞ୍ଚ ଦ୍ୱାରା ୨୧ ଫେବୃଆରୀ ୨୦୨୩ରୁ  ମଣ୍ଡଳ, ପରିମଣ୍ଡଳ ସ୍ତରରୁ  କ୍ରମାଗତ ଭାବେ ପ୍ରତ୍ୟେକ ମାସ ଆୟୋଜିତ କର୍ମଚାରୀଙ୍କର ସଂଗଠିତ ଆନ୍ଦୋଳନ ଉଗ୍ର ରୁପ ନେଇ ବିଭିନ୍ନ ପର୍ଯ୍ୟାୟରେ ୧୦ ଅଗଷ୍ଟ, ୧ ଅକ୍ଟୋବର ଏବଂ ୩ ନଭେମ୍ବରରେ ଦିଲ୍ଲୀରେ ବିଶାଳ ଧାରଣା ଓ ପଦଯାତ୍ରା ସହ ସମାପ୍ତ ହୋଇ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ବି ଏନପିଏସର ଉଚ୍ଛେଦ କଥାକୁ ଏଡେଇ ଯାଇ କିଛିଟା ପରିବର୍ତ୍ତନ ଆଣିବା ସକାଶେ କେନ୍ଦ୍ର ସରକାର ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ, ବ୍ୟୟ ବିଭାଗର ସ୍ୱତନ୍ତ୍ର ସଚିବ ଓ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ସଭ୍ୟ ଭାବେ ମନୋନୀତ କରି ଏକ ପେନସନ କମିଟି ଗଠନ କଲେ । ଏହାରି ଭିତରେ  ପେନସନ କମିଟି ସହ କର୍ମଚାରୀ ପକ୍ଷର ଦୁଇ ଦୁଇ ଥର ବୈଠକ ବସିସାରିଥିଲେ ବି କୋୖଣସି ସୁଫଳ ନମିଳିବାରୁ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହ ପ୍ରତ୍ୟେକ ରାଜ୍ୟ ରାଜଧାନୀରେ ୨୬ରୁ ୨୮ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ୭୨ ଘଣ୍ଟାର ଅହୋରାତ୍ର ଧାରଣା ଏବଂ ୮ରୁ ୧୧ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ସମସ୍ତ ସରକାରୀ ଦପ୍ତର ସମ୍ମୁଖରେ ଚାରିଦିନର କ୍ରମାଗତ ଅନଶନ କାର୍ଯ୍ୟକ୍ରମ ଆୟୋଜିତ ହେଲା ଯାହା ମଧ୍ୟ କେନ୍ଦ୍ର ସରକାରଙ୍କୁ ସେଭଳି ପ୍ରଭାବିତ କରିପାରିଲା ନାହିଁ।


        କେନ୍ଦ୍ର ସରକାରଙ୍କ ପେନସନ ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର  କୋଟି କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀ ବୟସର ଅପରାହ୍ନରେ ଆଶାବାଡ଼ି ସାଜିଥିବା ପେନସନର ଭବିଷ୍ୟତକୁ ନେଇ ଅନେକ ସନ୍ଦେହ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ୨୨ ଡିସେମ୍ବର ୨୦୦୩ର ଏକ ଅଧ୍ୟାଦେଶ ବଳରେ ଓପିଏସକୁ ବାତିଲ କରି କେନ୍ଦ୍ରୀୟ  ବେସାମରିକ ସେବା (ପେନସନ) ନିୟମ ୧୯୭୨ ଅଧିନସ୍ଥ ସାମ୍ବିଧାନିକ ପ୍ରାବଧାନକୁ ହଟେଇଦେଲେ ଏବଂ ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ଏନପିଏସର ପ୍ରଚଳନ କଲେ।  ପରେ ପରେ ୨୦୦୪ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାର, ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ବିଲ୍ ଆଣି ୨୦୧୩ରେ ଅଧିନିୟମ ଲାଗୁକଲେ। ୨୦୦୪ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି । ଫଳରେ ୨୦୦୪ରୁ ଏଯାବତ ଗୋଟିଏ ପଟେ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଅନ୍ୟପକ୍ଷେ  ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଓପିଏସ ମୁହାଁ ହେଉଥିବା ଯୋଗୁଁ କେନ୍ଦ୍ର ସରକାରଙ୍କ ଉପରୋକ୍ତ କମିଟି ଗଠନ ଏକ ବାଧ୍ୟବାଧକତା ଯାହାର କାର୍ଯ୍ୟକାରିତାକୁ ନେଇ କର୍ମଚାରୀ ମହଲରେ କମ ଆଶା ଏବଂ ଅନେକ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।


       ପ୍ରାରମ୍ଭରୁ, ଏନପିଏସ ଉପରେ କର୍ମଚାରୀ ପକ୍ଷ ସହ ବାରମ୍ବାର ଆଲୋଚନା ପରେ ଶେଷରେ ଜଏଣ୍ଟ କନସଲଟେଟିଭ ମେସିନାରୀ ଜାତୀୟ ପରିଷଦର ୧୪ ଡିସେମ୍ବର ୨୦୦୭ର ଷ୍ଟାଣ୍ଡିଂ କମିଟି ବୈଠକରେ କେନ୍ଦ୍ର ସରକାର ଏକ ଲିଖିତ ପ୍ରତିଶ୍ରୁତି ଦେଇ କହିଥିଲେ,"For the employees who have entered with effect from 01.01.2004 are not likely to be worse off vis-a-vis the current pension system in force, as the replacement rate would match to the present one. Thus, NPS is a win-win situation for the employees and the Govt."  କିନ୍ତୁ ଏବେ ଯେତେବେଳେ ଏନପିଏସ ଉପଭୋକ୍ତାମାନେ ଅବସରନେବା ଆରମ୍ଭ କଲେ, ସେତେବେଳେ ଜଣାପଡିଲା ଯେ  ପ୍ରତିଶ୍ରୁତିରୁ ବାସ୍ତବତା ପ୍ରକୃତରେ ବହୁ ଦୁରରେ। ଆଶା କରିଥିଲି ତୋତେ, କାଉକୁ ଯେମନ୍ତେ କୋଇଲି ଭଣ୍ଡାଏ ସେହିପରି କଲୁ ମୋତେ। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। 


        ଏନପିଏସ ଉଚ୍ଛେଦ ପ୍ରସଙ୍ଗ ୨୦୦୪ରୁ ଆରମ୍ଭ ହେଇ ୨୦ବର୍ଷରେ ପଦାର୍ପଣ କରି ଚାରି ଚାରିଟି ସରକାରର ସାମନା କଲାଣି।  ତଥାପି ସଂଘର୍ଷ ଚାଲିଛି। ୨୦୨୪ ସାଧାରଣ ନିର୍ବାଚନର ବର୍ଷ ହେଇଥିବା ଯୋଗୁଁ ୨୦୨୩ ପ୍ରାରମ୍ଭରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କଲାଭଳି ନିଜ ନିଜର ନିର୍ବାଚନୀ ଇସ୍ତାହାରକୁ  ରୋଚକ ଓ ମନଲୋଭା କରିବାରେ ବ୍ୟଗ୍ରତା ଦେଖାଉଛନ୍ତି। ଏବେ ଯେଉଁ କେତୋଟି କଂଗ୍ରେସ ଶାସିତ ରାଜ୍ୟ ଓପିଏସକୁ ଫେରିବାକୁ ପ୍ରତିଶ୍ରୁତି ଦେଉଛନ୍ତି, କେନ୍ଦ୍ରରେ ଯେତେବେଳେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେହି କଂଗ୍ରେସ ନେତୃତ୍ବାଧୀନ ସରକାର ଚାଲିଥିଲା, ସେମାନେ ଏନପିଏସ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନନେଇ ବରଂ  ୨୦୧୩ରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁକରେଇ ଏନପିଏସର ଚେରକୁ ମଜଭୁତ କରେଇଲେ। ୨୦୧୩ର ଅଧିନିୟମ ଉଚ୍ଛେଦ ନହେଲେ ଏନପିଏସ ଉପଭୋକ୍ତାଙ୍କୁ ନ୍ୟାୟ ମିଳିବା ଅସମ୍ଭବ। ଏ ସନ ମଳୁ, ଆର ସନକୁ ବଇଦ ନ୍ୟାୟରେ କର୍ମଚାରୀମାନେ ବି ଢେର ଅଭିଜ୍ଞତା ଗୋଟେଇଲେଣି। ତେଣୁ, ଏନପିଏସରେ ପରିବର୍ତ୍ତନ ଆଣିବା ନୁହେଁ ବରଂ ସମ୍ପୂର୍ଣ୍ଣ ଉଚ୍ଛେଦ କର୍ମଚାରୀଙ୍କର ଦାବି। 


        ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ  ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଅନୁମୋଦିତ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ଦେଶର ଜନ ପ୍ରତିନିଧିମାନେ ମାତ୍ର  ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଏଭଳି ପରିସ୍ଥିତିରେ ଦାବି ହାସଲ ପାଇଁ ଶ୍ରମିକ, କୃଷକ ତଥା କେନ୍ଦ୍ର, ରାଜ୍ୟ ଓ ରାଷ୍ଟ୍ରାୟତ ଉଦ୍ୟୋଗ କର୍ମଚାରୀଙ୍କ ସମିଳିତ ଆନ୍ଦୋଳନ ହିଁ ଏକମାତ୍ର ବିକଳ୍ପ ଯେଉଁଥିପାଇଁ ଭାରତର ସମସ୍ତ ଶ୍ରମିକ ଓ କର୍ମଚାରୀ ସଂଗଠନ  କେବଳ ପେନସନ ପାଇଁ ନୁହେଁ, ବରଂ ଅନ୍ୟାନ୍ୟ ବହୁ ନାର୍ଯ୍ୟ ଦାବି ହାସଲ ପାଇଁ ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆପଣେଇବାକୁ ବାଧ୍ୟ ହେଉଛନ୍ତି। ଶେଷ ଅସ୍ତ୍ର ଭାବେ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟକୁ ଓହ୍ଲାଇବା ପୂର୍ବରୁ ଏବେ ପୁଣିଥରେ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନେ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହ ମିଶି ୧୬ ଫେବୃଆରୀ ୨୦୨୪ରେ ଗ୍ରାମୀଣ ଭାରତ ବନ୍ଦ ଡ଼ାକରା ଜରିଆରେ କେନ୍ଦ୍ର ସରକାରଙ୍କୁ ସାଧାରଣ ନିର୍ବାଚନ ଆଗରୁ ଅନ୍ତିମ ଚେତାବନୀ ଦେବାକୁ ସ୍ଥିର କରିଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କୁ ସର୍ବନିମ୍ନ ମାସିକ ନ'ହଜାର ଟଙ୍କାର ପେନସନ ସୁବିଧା ସହ ପୁରାତନ ପେନସନର ପୁନଃ ପ୍ରଚଳନ ପାଇଁ କେନ୍ଦ୍ର ସରକାର ଏକ ବିଧିବଦ୍ଧ ନିଷ୍ପତ୍ତି ନେବା ଜରୁରୀ।

********

No comments:

Post a Comment