ପ୍ରେସ ଇସ୍ତାହାର ୨୧ ଜୁନ, ୨୦୨୩
ପୁରୁଣା ପେନସନ ଦାବିରେ ଭୁବନେଶ୍ବରରେ ବିଶାଳ ଶିକ୍ଷକ-କର୍ମଚାରୀ ଏକ ଦିବସୀୟ ଧାରଣା
କେନ୍ଦ୍ର ସରକାରଙ୍କ ପେନସନ ନୀତିରେ ପରିବର୍ତ୍ତନ ଯୋଗୁଁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର କୋଟି କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀ ବୟସର ଅପରାହ୍ନରେ ଆଶାବାଡ଼ି ସାଜିଥିବା ପେନସନର ଭବିଷ୍ୟତକୁ ନେଇ ଅନେକ ସନ୍ଦେହ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ ଆନ୍ତର୍ଜାତୀୟ ମୂଦ୍ରା ପାଣ୍ଠି ଓ ବିଶ୍ବ ବ୍ୟାଙ୍କର ପ୍ରରୋଚନାରେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାରଙ୍କ ଜିଦଖୋର ମନୋବୃତ୍ତି ଯୋଗୁଁ ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ପୁରାତନ ପେନସନ ଯୋଜନା (ଓପିଏସ) ବାତିଲ ହୋଇ ନୂତନ ପେନସନ ଯୋଜନା ଅଥବା ଜାତୀୟ ପେନସନ ଯୋଜନା (ଏନପିଏସ)ର ପ୍ରଚଳନ ହେଲା ଓ ପରେ ୨୦୧୩ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ସମୟରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁହେଲା। ଓଡିଶା ଭଳି ରାଜ୍ୟ ୧ ଜାନୁୟାରୀ ୨୦୦୫ରୁ ଏନପିଏସ ଲାଗୁ କରିଥିବା ବେଳେ, ପଶ୍ଚିମ ବଙ୍ଗ ଓ ତାମିଲନାଡୁ ଭଳି ରାଜ୍ୟରେ ଏ ପର୍ଯ୍ୟନ୍ତ ଏହା ଲାଗୁ ହୋଇ ନାହିଁ। ୨୦୦୩ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ଆନ୍ଧ୍ରପ୍ରଦେଶ ସରକାର ଶେଷ ଦରମାର ୩୩ ପ୍ରତିଶତ ପେପସନ ଆକାରରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପାଇଁ ୧୪ ମାର୍ଚ୍ଚ ୨୦୨୩ରେ ଏକ କମିଟି ନିଯୁକ୍ତି କରିଛନ୍ତି। ଫଳରେ ୨୦୦୩ରୁ ଏଯାବତ ଗୋଟିଏ ପଟେ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ ଓ ଶିକ୍ଷକଙ୍କ ସହ ସମସ୍ତ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଅନ୍ୟପକ୍ଷେ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଓପିଏସ ମୁହାଁ ହେଉଥିବା ଯୋଗୁଁ କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆଣିବା ସକାଶେ ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେଏକ କମିଟି ବସେଇବେ ବୋଲି ୨୪ ମାର୍ଚ୍ଚ ୨୦୨୩ରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରି ୬ ଏପ୍ରିଲ ୨୦୨୩ରେ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଶ୍ରମିକ କର୍ମଚାରୀଙ୍କ ମଙ୍ଗଳ ସକାଶେ ସରକାର ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଗତ ବଜେଟ ଅଧିବେଶନରେ ଏକ ବିଧିବଦ୍ଧ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। ହେଲେ କମିଟି ଗଠନ କରି ସରକାର କର୍ମଚାରୀଙ୍କ ଆନ୍ଦୋଳନରେ ବିରାମ ଲଗେଇବାକୁ ଚେଷ୍ଟା କରିଛନ୍ତି ହୃଦବୋଧ କରି କମିଟିର କାର୍ଯ୍ୟକାରିତାକୁ ନେଇ କର୍ମଚାରୀ ମହଲରେ କମ ଆଶା ଏବଂ ଅନେକ ଆଶଙ୍କା ଓ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।
ତେଣୁ ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ଓ ଓପିଏସର ପୁନଃ ପ୍ରଚଳନ ପାଇଁ ଦୀର୍ଘ ୨୦ ବର୍ଷ ଧରି ଚାଲିଥିବା ଏହି କର୍ମଚାରୀ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ଓଡ଼ିଶା ଶାଖ ଆନୁକୂଲ୍ୟରେ ଆଜି ୨୧ ଜୁନ ୨୦୨୩ରେ ଭୁବନେଶ୍ବରରେ ରାଜଭବନ ସମ୍ମୁଖରେ ଏକ ଦିବସୀୟ ଧାରଣାର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ଓଡ଼ିଶାର କୋଣ ଅନୁକୋଣରୁ ୧୦୦୦ରୁ ଉର୍ଦ୍ଧ ରେଳବାଇ ସହ କେନ୍ଦ୍ର ସରକାରୀ ଓ ଶିକ୍ଷକଙ୍କ ସହ ରାଜ୍ୟ ସରକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧିତ କରି ଏନଜେସିଏ ଓଡ଼ିଶାର ଆବାହକ ତଥା ପୂର୍ବତଟ ରେଳପଥ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ସାଥୀ ପି କେ ପାଟସାହାଣୀ , କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତିର ସଭାପତି ସାଥୀ ରବୀନ୍ଦ୍ରନାଥ ଧଳ ଓ ସାଧାରଣ ସମ୍ପାଦକ ସାଥୀ ବୃହସ୍ପତି ସାମଲ, ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି ସାଥୀ ପ୍ରଶାନ୍ତ କୁମାର ମହାନ୍ତି ଓ ପ୍ରତିନିଧି ସାଥୀ ଅଶୀଳ ବ୍ରହ୍ମା, ଆଯକର କର୍ମଚାରୀ ମହାସଂଘ ଓଡ଼ିଶାର ସାଧାରଣ ସମ୍ପାଦକ ସାଥୀ ଚିତ୍ତରଞ୍ଜନ ପଟ୍ଟନାୟକ, ସର୍ବଭାରତୀୟ ନିରାପତ୍ତା କର୍ମଚାରୀ ମହାସଂଘର ସାଥୀ ଦେବବ୍ରତ ଜେନା, ଏନଏଫପିଇର ପ୍ରତିନିଧୀ ସାଥୀ ସୁଧୀର କୁମାର ସ୍ୱାଇଂ, ପୂର୍ବତଟ ରେଳବାଇର ସାଥୀ ଈତିଶ୍ରୀ ସାହୁ, ଅଙ୍କିତ ବର୍ଣ୍ଣଲ, ରଣଜିତ ଦାସ, ଅଙ୍ଗନବାଡି ସଂଗଠନରୁ ସାଥୀ କନକଲତା ମିଶ୍ର, ସତ୍ୟଭାମା ସ୍ୱାଇଂ, କୃଷ୍ଣପ୍ରିୟା ରାୟ ଓ ଅନେକ ଏନପିଏସ ଉପଭୋକ୍ତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ମାରଣ ନୀତିକୁ ତୀବ୍ର ନିନ୍ଦା କରିବା ସହ ପୁରୁଣା ପେପସନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ଦାବି କରିଥିଲେ।
କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଇ ପରିବାର ପ୍ରତିପୋଷଣ ପାଇଁ କିଏ ପରିବା ବିକୁଛି ତ କିଏ ପାନ ଦୋକାନ ଖଣ୍ଡେ କରି ଚଳୁଛି। କେହି କେହି ସ୍ୱାଭିମାନୀ ଆତ୍ମହତ୍ୟା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମୋଦିତ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ବୟସର ଅପରାହ୍ନରେ କର୍ମଚାରୀର ଏହା ଏକ ଆଶାବାଡ଼ି ଓ ସାମାଜିକ ସୁରକ୍ଷା। ସାମ୍ପ୍ରତିକ ପରିସ୍ଥିତିରେ ବୟସ୍କ ନାଗରିକମାନଙ୍କ ପ୍ରତି ପରିବାର ସଦସ୍ୟଙ୍କ ବ୍ୟବହାର ନ କହିବା ଭଲ। ଏଇ ପେନସନ ଯୋଗୁଁ ସମାଜରେ ସେମାନଙ୍କର ସ୍ଥିତି କିଛି ପରିମାଣରେ ସୁରକ୍ଷିତ। ସଂସ୍କାର ଆଳରେ ଏହି ଅଧିକାରକୁ କ୍ଷୁର୍ଣ୍ଣ କରିବା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶର ପରିପନ୍ଥୀ। ଦେଶର ଜନ ପ୍ରତିନିଧିମାନେ ମାତ୍ର ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ।
ସପ୍ତମ ବେତନ ଆୟୋଗ ୨୦୧୫ରେ ତାଙ୍କର ରିପୋର୍ଟ ପ୍ରଦାନ କଲାବେଳେ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ସାତ ଲକ୍ଷରୁ ଅଧିକ ନିୟମିତ ପଦବୀ ଖାଲି ପଡିଥିଲା ବୋଲି ଉଲ୍ଲେଖ କରିଥିଲେ ଯାହା ଏବେ ବଢି ବଢି ଏଗାର ଲକ୍ଷ ଟପିଲାଣି। ତାବାଦ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅଧିନରେ ଲକ୍ଷ ଲକ୍ଷ ଚୁକ୍ତିଭିତ୍ତିକ, ସାମୟିକ ତଥା ଠିକା କର୍ମଚାରୀ ଓ ବିଶ୍ୱର ସର୍ବ ବୃହତ ଡାକ ସଂସ୍ଥା ଭାରତୀୟ ଡାକର ୩ଲକ୍ଷ ଗ୍ରାମୀଣ ଡାକ ସେବକ ନିୟମିତ ହେବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷାରତ। କେନ୍ଦ୍ର ସରକାର ତାଙ୍କର ଘରୋଇକରଣ ଓ ଉଦ୍ୟୋଗୀକରଣ ନୀତିକୁ କ୍ଷୀପ୍ରତର କରିବା ପାଇଁ ଡାଉନସାଇଜିଂ ଓ ଆଉଟସୋର୍ସିଂ ନାଁ'ରେ ଦିନକୁ ଦିନ ଏକ ପକ୍ଷରେ ପଦବୀ ସଂଖ୍ୟା ସଂକୁଚିତ କରିଚାଲିଥିବା ବେଳେ, ଅନ୍ୟ ପକ୍ଷରେ ପ୍ରତିଶ୍ରୁତି ମୁତାବକ ଚାକିରୀ ନ ଥାଇ ନିଯୁକ୍ତି ମେଳା ଆୟୋଜନ ଓ ନିଯୁକ୍ତି ପତ୍ର ବଣ୍ଟନ ଏକ ପ୍ରହସନ ଓ ବେକାର ଯୁବକଯୁବତୀମାନଙ୍କ ପ୍ରତି ବିଦ୍ରୁପ ଛଡା ଅନ୍ୟ କିଛି ନୁହେଁ।
କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଆଇନରୁ ୧୫ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି ୪ଟି ଶ୍ରମ କୋଡରେ ପରିଣତ କରିଛନ୍ତି। ଶ୍ରମ କୋଡ ଲାଗୁହେଲେ କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତିଙ୍କୁ ସୁହାଇବ ସିନା, ନିରବଚ୍ଛିନ୍ନ ସଂଘର୍ଷ ଦ୍ୱାରା ପ୍ରାପ୍ତ ଦୈନିକ ନିର୍ଦ୍ଦିଷ୍ଟ ୮ ଘଣ୍ଟା କାର୍ଯ୍ୟର ସମୟ ସୀମା, ସର୍ବନିମ୍ନ ଓ ସମାନ କାମକୁ ସମାନ ମଜୁରି, ବୋନସ, ମହଙ୍ଗା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାର ମାନ ନିର୍ଦ୍ଧାରଣ, ସାମୟିକ ଓ ଅର୍ଜିତ ଛୁଟି, ସାପ୍ତାହିକ କାର୍ଯ୍ୟ ଦିବସ, କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟ ଓ ଜୀବନର ନିରାପତ୍ତା ଇତ୍ୟାଦି ସହ ଶ୍ରମିକ ସଂଗଠନର ହକ୍ ପାଇଁ କଥାବାର୍ତ୍ତାର ଅଧିକାର ସଙ୍କଟାପନ୍ନ ହେବ।
ଏହି ମହାସମାବେଶରେ ଉଭୟ କେନ୍ଦ୍ର ଓ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କର ନିମ୍ନୋକ୍ତ ମୂଖ୍ୟ ଦାବି, ଯଥା, ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ଓପିଏସର ପୁନଃ ପ୍ରଚଳନ, ଅଷ୍ଟମ ବେତନ ଆୟୋଗ ଗଠନ, ସରକାରୀ ଦପ୍ତରରେ ଖାଲି ପଡିଥିବା ସମସ୍ତ ପଦବୀ ପୁରଣ, ସରକାରୀ ସଂସ୍ଥାର ଘରୋଇକରଣ ଓ ଆଉଟସୋରସିଂ ବନ୍ଦ, ସମସ୍ତ ସାମୟିକ, ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସହ ଗ୍ରାମୀଣ ଡାକସେବକମାନଙ୍କର ନିୟମିତୀକରଣ, ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, ଶ୍ରମକୋଡ ପ୍ରତ୍ୟାହାର, ଶ୍ରମିକ ସଂଗଠନର ହକର ସୁରକ୍ଷା ପ୍ରଦାନ, ଓଡ଼ିଶାର ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମାନୁସାରେ ଅନୁଦାନ ପରିସରଭୁକ୍ତ, ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଏକକ ଭାବେ ୦୧.୦୧.୨୦୧୬ରୁ ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକୁ ସରକାରୀକରଣ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି କର୍ମଚାରୀ ପକ୍ଷର ନେତୃମଣ୍ଡଳୀ ସହ ଆଲୋଚନା କରି ଉପରୋକ୍ତ ସମସ୍ୟାର ଆଶୁ ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଏନଜେସିଏ ଓଡ଼ିଶା ଶାଖା ତରଫରୁ ଏକ ମିଳିତ ପ୍ରେସ ବିବୃତିରେ ସରକାରଙ୍କୁ ଦୃଢ ଚେତାବନୀ ଦିଆଯାଇଛି।
ପି କେ ପାଟସାହାଣୀ
ଆବାହକ, ଏନଜେସିଏ ଓଡିଶା ଶାଖା ତଥା
ସାଧାରଣ ସମ୍ପାଦକ, ପୂର୍ବତଟ ରେଳପଥ ଶ୍ରମିକ ସଂଘ
ପ୍ରାପ୍ତେଷୁ:
ସମ୍ମାନୀୟ ବାର୍ତ୍ତା ସମ୍ପାଦକ................................................।ଆପଣଙ୍କ ଦୈନିକରେ ସଦୟ ପ୍ରକାଶନ ନିମନ୍ତେ ବିନମ୍ର ଅନୁରୋଧ।
No comments:
Post a Comment