Wednesday, June 21, 2023

Latest news on NPS : Changes on NPS soon

ସମସ୍ତ ସରକାରୀ କର୍ମଚାରୀ,  ବିଭିନ୍ନ ସଂଗଠନର ନେତୃମଣ୍ଡଳୀ ଓ ବିଶେଷଭାବେଏନପିଏସ ଉପଭୋକ୍ତା ବନ୍ଧୁଗଣ,

ନମସ୍କାର।

ଆପଣମାନେ ସମସ୍ତେ ଅବଗତ ଅଛନ୍ତି ଯେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନଜେସିଏ) ଏନପିଏସ ଉଚ୍ଛେଦ ଓ ଓପିଏସର ପୁନଃ ପ୍ରଚଳନ ପାଇଁ କେନ୍ଦ୍ରୀୟ ସଂଗଠନର ନିର୍ଦ୍ଦେଶ କ୍ରମେ ସର୍ବଭାରତୀୟ ସ୍ତରରେ ଡିସେମ୍ବର ୨୦୨୨ରୁ ତାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରିରଖିଛି। ତଦନୁଯାୟୀ ଏନଜେସିଏ ଓଡ଼ିଶା ଶାଖା ଗତ କାଲି ରାଜଭବନ ସମ୍ମୁଖରେ ଏକ ଧାରଣା ଆୟୋଜନ କରି ଏହି ସର୍ବଭାରତୀୟ ଆନ୍ଦୋଳନର ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସଫଳତାର ସହ ସମାପନ କଲା। ହୁଏତ ମୋ କଥାରେ କେହି ଦ୍ୱିମତ ହେଇ ନ ପାରନ୍ତି ଯେ କର୍ମଚାରୀମାନଙ୍କର ଏହି ଲଗାତାର ଆନ୍ଦୋଳନ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ଆନ୍ଧ୍ରପ୍ରଦେଶ ସରକାର ଶେଷ ଦରମାର ୩୩ ପ୍ରତିଶତ ପେପସନ ଆକାରରେ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ  ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି ଏବଂ ମହାରାଷ୍ଟ୍ର ସରକାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପାଇଁ  ୧୪ ମାର୍ଚ୍ଚ ୨୦୨୩ରେ ଏକ କମିଟି ନିଯୁକ୍ତି କରିଛନ୍ତି। ସର୍ବୋପରି କେନ୍ଦ୍ର ସରକାର ଅନନ୍ୟୋପାୟ ହୋଇ ଏନପିଏସ ନୀତିରେ ପରିବର୍ତ୍ତନ ଆଣିବା ସକାଶେ ୬ ଏପ୍ରିଲ ୨୦୨୩ରେ ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି  ଗଠନ କଲେ ଯାହାର ପ୍ରଥମ ବୈଠକ ୯ ଜୁନ ୨୦୨୩ରେ କର୍ମଚାରୀ ପକ୍ଷଙ୍କ ସହ ଅନୁଷ୍ଠିତ ହୋଇଯାଇଛି।

ଆପଣମାନେ ଯଦି ଆଜିର (୨୨.୦୬.୨୦୨୩)ର ଖବରକାଗଜ ପଢିଥିବେ ତେବେ ନିଶ୍ଚୟ ଅବଗତ ଥିବେ ଯେ ବର୍ତ୍ତମାନ କେନ୍ଦ୍ର ସରକାର ଶେଷ ଦରମାର ୪୦ - ୪୫% ପେନସନ ରାଶି ପ୍ରଦାନ କରିବା ସକାଶେ ଏନପିଏସ ନୀତିରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପାଇଁ ମାନସମନ୍ଥନ କରୁଛନ୍ତି ତ ଅନ୍ୟପକ୍ଷରେ ଓପିଏସ ଲାଗୁ କରିବା ସପକ୍ଷରେ ନାହାନ୍ତି। ଆଦୌ ପରିବର୍ତ୍ତନ ଆଣିବାକୁ ଚାହୁଁ ନଥିବା ସରକାର ଏବେ ଶେଷ ଦରମାର ୪୦ - ୪୫% ପେନସନ ରାଶି ଆକାରରେ ଦେବାପାଇଁ ଚିନ୍ତା କରୁଛନ୍ତି। ଏସବୁ ଆପଣମାନଙ୍କର କଠିନ ପରିଶ୍ରମ ଓ ଲଗାତାର ଆନ୍ଦୋଳନର ଫଳାଫଳ ବ୍ୟତୀତ ଅନ୍ୟ କିଛି ନୁହେଁ। ସେଥିପାଇଁ ସମସ୍ତ ସହଯୋଗୀଙ୍କୁ ଗଭୀର କୃତଜ୍ଞତା। ଏନଜେସିଏର ଏହି ଆନ୍ଦୋଳନକୁ ଆମେ ଆହୁରି ତୀବ୍ରତର କରିପାରିଲେ ଓପିଏସ ଭଳି  ଶେଷ ଦରମାର  ୫୦% ପେନସନ ରାଶି ପାଇବା ଆଉ ବେଶୀ ଦୁର ନୁହେଁ।

କିନ୍ତୁ, ଘୋର ପରିତାପର ବିଷୟ ଯେ ଅଧିକାଂଶ ସଂଗଠନ, ବ୍ୟକ୍ତି ବିଶେଷ ଓ ନେତୃମଣ୍ଡଳୀଙ୍କର ଏହି ମହାସଂଗ୍ରାମରେ ପ୍ରତ୍ୟକ୍ଷ ସହଯୋଗର ଅଭାବ ପରିଲକ୍ଷିତ ହେଉଛି। କେହି ଖାମଖିଆଲି ଢଙ୍ଗରେ ତ ଆଉ କେହି ସବୁ ଜାଣିଶୁଣି ବେଖାତିର କରୁଛନ୍ତି। ଯେଉଁମାନଙ୍କର ସଂଖ୍ୟା ବେଶୀ ଏବଂ ଆନ୍ଦୋଳନକୁ ଆହୁରି ମଜଭୁତ କରିବା ପାଇଁ  ଯେଉଁମାନଙ୍କଠାରୁ ଶାରୀରିକ, ମାନସିକ ଓ ଆର୍ଥିକ ସହଯୋଗ  ବେଶୀ ଆଶା କରାଯାଉଛି, ସେମାନେ ବେଶୀ କରଛଡା ଦେଉଛନ୍ତି।  ସର୍ବଭାରତୀୟ ସ୍ତରରେ ସମ୍ପୂର୍ଣ୍ଣ ସଂଗଠନଟି ସାମିଲ ହେଉଥିଲେ ବି କିଛି ଆଞ୍ଚଳିକ ନେତୃମଣ୍ଡଳୀ ସେମାନଙ୍କର ଅହମିକାକୁ ପାଥେୟ କରି ଦୁରେଇ ରହୁଛନ୍ତି ଯାହା ଘୋର ନିନ୍ଦନୀୟ। ସଂଗ୍ରାମ ଚାଲୁଛି, ଚାଲିବ। କିଛି ମୁଷ୍ଟିମେୟଙ୍କ ଅସହଯୋଗରେ ଏହା ଅଟକିବାର ନାହିଁ। ଆଶ୍ୱସ୍ତି ମିଳୁଛି, ମିଳିବ। ପରିବର୍ତ୍ତନ ଆସୁଛି, ଆସିବ। ଏହିଭଳି ଧୀରେ ଧୀରେ ଏନପିଏସ ହଟୁଛି ଓ ସମ୍ପୂର୍ଣ୍ଣ ହଟିବ ଯଦି ଆମ ଆନ୍ଦୋଳନ ସ୍ୱୟଂସମ୍ପୁର୍ଣ ହୋଇ ଆଗକୁ ବଢିବ। କିନ୍ତୁ ଜାଣିଶୁଣି ଯେଉଁମାନେ ଏହି ମହାସଂଗ୍ରାମରେ ଅସହଯୋଗ କରୁଛନ୍ତି ଭବିଷ୍ୟତର ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ନିଜକୁ କ୍ଷମା କରିପାରିବେତ? ନିଜ ସଂଗଠନ, କର୍ମକର୍ତ୍ତା ଓ ସଭ୍ୟମାନଙ୍କ ପାଖରେ ଏ କରଛଡା ନୀତି ପାଇଁ ସଠିକ ଉତ୍ତର ରଖିପାରିବେ ତ? ଏ ପ୍ରସଙ୍ଗରେ ଆମର ଜଣେ ଲଢୁଆ ସାଥୀ କାଲିର ଧାରଣା ସ୍ଥଳରେ ତାଙ୍କର ବକ୍ତବ୍ୟ ମାଧ୍ୟମରେ ଗୋଟେ ସୁନ୍ଦର ଶିକ୍ଷଣୀୟ ଗଳ୍ପର ଅବତାରଣା କରୁଥିଲେ। ଆପଣମାନେ ତାହା ଆଗରୁ ଶୁଣି ଥାଇ ପାରନ୍ତି। ତେବେ ଆଜି ମୋର ଏ ଉପସ୍ଥାପନାରେ ଗଳ୍ପଟିକୁ ଆଉଥରେ ଆପଣମାନଙ୍କୁ ଶୁଣେଇବାକୁ ଯାଉଛି।

ସମ୍ପୂର୍ଣ୍ଣ ଜଙ୍ଗଲଟି ହୁତହୁତ ନିଆଁରେ ଜଳୁଥିଲା ବେଳେ ଏଥିରେ ଆଶ୍ରିତ ସମସ୍ତ ପଶୁପକ୍ଷୀ, କୀଟପତଙ୍ଗ ନିଜକୁ ବଞ୍ଚେଇବା ପାଇଁ ଜଙ୍ଗଲ ବାହାରକୁ ଦୌଡ଼ି ପଳେଇବାକୁ ଉଦ୍ୟମରତ।  ଏହି ସମୟରେ କ୍ଷୁଦ୍ର ପକ୍ଷୀଟିଏ ତା କୁନି କୁନି ଚଞ୍ଚୁରେ ପାଣି ଆଣି ଜଳନ୍ତା ନିଆଁକୁ ଲିଭେଇବାକୁ ଶତଚେଷ୍ଟା କରୁଥାଏ। ଏ ଘଟଣାକୁ ଦୁରରୁ ଥାଇ ଦେଖୁଥିବା ଆଉ ଗୋଟିଏ ବୟସ୍କ ପକ୍ଷୀ ଥଟ୍ଟା କରି କହିଲା, "ତୁ କ'ଣ ତୋ କ୍ଷୁଦ୍ର ଚଞ୍ଚୁର ଏଇ ଟୋପେ ଟୋପେ ଜଳରେ ଏତେ ବଡ ବନାଗ୍ନିକୁ ଲିଭାଇପାରିବୁ? ଦୁରେଇ ରହ, ନ ହେଲେ ଏହି ଅଗ୍ନିରେ ଭଷ୍ମୀଭୁତ ହେଇଯିବୁ।" ବୟସ୍କ ପକ୍ଷୀର କଥା ଶୁଣି, କ୍ଷୁଦ୍ର ପକ୍ଷୀଟି ଯେଉଁ ଜବାବ ରଖିଲା, ତାହା ହିଁ ବିଚାର ଯୋଗ୍ୟ।  କ୍ଷୁଦ୍ର ପକ୍ଷୀଟି ବିନା ଦ୍ୱିଧାରେ କହିଲା, "ଆଜି ନହେଲେ କାଲି ଏ ନିଆଁ ନିଶ୍ଚୟ ଲିଭିବ। ସେତେବେଳେ ମୁଁ ଗର୍ବ ଓ ଆତ୍ମସନ୍ତୋଷରେ କହିପାରିବି ଯେ ଏହି ଦୁର୍ଘଟଣାକୁ ପ୍ରଶମିତ କରିବାରେ ମୋର ପ୍ରତ୍ୟକ୍ଷ ଯୋଗଦାନ ଥିଲା। କିନ୍ତୁ ତମେ କ'ଣ କହିବ?"

ଶେଷରେ ଏତିକି କହିବା ଉଚିତ ହେବ ଯେ ଏ ମହାସଂଗ୍ରାମ କାହାରି ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ଏକ ସାମୁହିକ ମଙ୍ଗଳ କାର୍ଯ୍ୟ। ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ଓ ପରିବାରରେ ସରକାରଙ୍କ ମାରଣନୀତି ଯୋଗୁଁ  ଯେଉଁ ଭୟାବହ ଅଗ୍ନିକାଣ୍ଡ ଘଟିଛି, ତାକୁ ପ୍ରଶମିତ କରିବା ଏ ମହାସଂଗ୍ରାମର ମହତ ଉଦ୍ଦେଶ୍ୟ। ଏଥିରେ କୌଣସି ପ୍ରକାର ଅସହଯୋଗ ସମ୍ପୂର୍ଣ୍ଣ ଆତ୍ମଘାତୀ। ତେଣୁ ଏହି ମହାସଂଗ୍ରାମରେ ଆପୋଷ ଭେଦଭାବ, ଇର୍ଷା ଅସୂୟା ଭୁଲି ସମସ୍ତ କର୍ମଚାରୀ, ନେତୃମଣ୍ଡଳୀ ଓ ସଂଗଠନମାନଙ୍କର ଶାରୀରିକ, ମାନସିକ ଓ ଆର୍ଥିକ ଯୋଗଦାନ ସ୍ୱତଃପ୍ରବୃତ୍ତ ହେବା ବାଞ୍ଛନୀୟ। ନେଡୀଗୁଡ କହୁଣୀକୁ ବୋହିଯିବା ପୂର୍ବରୁ ସତର୍କତା ଅବଲମ୍ବନ ଜରୁରୀ।

ଏନଜେସିଏ ଜିନ୍ଦାବାଦ।
ଶ୍ରମିକ କର୍ମଚାରୀ ଏକତା ଜିନ୍ଦାବାଦ।

- ବୃହସ୍ପତି ସାମଲ -
ସାଧାରଣ ସମ୍ପାଦକ




No comments:

Post a Comment