Tuesday, June 27, 2023

ଋଣ ଖିଲାପକାରୀଙ୍କ ସହ ସନ୍ଧି କାହିଁକି ?


ସୌଜନ୍ୟ: ଧରିତ୍ରୀ, ୨୮ ଜୁନ, ୨୦୨୩

 ଋଣ ଖିଲାପକାରୀଙ୍କ ସହ ସନ୍ଧି କାହିଁକି ?


ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ଇମେଲ: bsamalbbsr@gmail.com
ମୋବାଇଲ : ୯୪୩୭୦୨୨୬୬୯

     ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜୁନ ୮, ୨୦୨୨ରେ  ଜାରିକରିଥିବା ନୂତନ ନିୟମାବଳୀ ଅନୁଯାୟୀ ବ୍ୟାଙ୍କମାନେ ଏବେ ଅନାଦେୟ ଋଣ ପାଇଁ ଋଣ ଖିଲାପକାରୀଙ୍କ ସହ ଆପୋଷ ବୁଝାମଣା ମାଧ୍ୟମରେ ଏକକାଳୀନ ସମାଧାନର ଉପାୟ ସ୍ଥିର କରିପାରିବେ। କିଛି ବ୍ୟାଙ୍କରଙ୍କ କହିବା କଥା ଖିଲାପକାରୀଙ୍କଠାରୁ ଋଣ ଆଦାୟ କରିବା ପାଇଁ ଅଯଥା ସମୟ ନଷ୍ଟ କରିବା, କୋର୍ଟ କଚେରୀ ଦୌଡ଼ି ଖର୍ଚ୍ଚାନ୍ତ ହେବା ଓ ବୃଥା ମାନବୀୟ ଶକ୍ତିର ଅପଚୟ କରିବା ଅପେକ୍ଷା ଆଶୁ ସମାଧାନ ପାଇଁ ଆପୋଷ ବୁଝାମଣା ଅନେକାଂଶରେ ଭଲ। ଏହି ପରିପ୍ରେକ୍ଷୀରେ, ଋଣଗ୍ରାହୀଙ୍କ ବିରୁଦ୍ଧରେ ଚାଲିଥିବା ଅପରାଧୀକ ଓ ଆଇନଗତ ମାମଲା ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ବ୍ୟାଙ୍କମାନେ ସତର୍କ ଦୃଷ୍ଟି ରଖିବା ସହ ପ୍ରତ୍ୟେକ ଇଛାକୃତ ଖିଲାପକାରୀଙ୍କ ଋଣର ଆପୋଷ ସମାଧାନ ପାଇଁ ବ୍ୟାକିଂ ବୋର୍ଡର ଅନୁମୋଦନ ହାସଲ କରିବା ଜରୁରୀ ବୋଲି ଆରବିଆଇ ସତର୍କ କରାଇଛି। କିନ୍ତୁ, ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୪ରୁ ଯୋଗ୍ୟ କର୍ମଚାରୀ କିମ୍ବା ଅଧିକାରୀଙ୍କୁ ବ୍ୟାକିଂ ବୋର୍ଡର ନିର୍ଦ୍ଦେଶକ ପଦରେ ନିଯୁକ୍ତି ନ ଦେଇ, ଭାରତ ସରକାର ଶାସକ ଦଳର ରାଜନୈତିକ ସମର୍ଥକମାନଙ୍କୁ ଏହି ପଦବୀରେ ଥଇଥାନ କରିଛନ୍ତି। ତେଣୁ ଅଧିକାରୀ ଓ କର୍ମଚାରୀଙ୍କ ଭଳି ଉତ୍ତରଦାୟୀତ୍ୱ  ନଥିବା ରାଜନୈତିକ ସମର୍ଥକଙ୍କୁ ନେଇ ଅନାଦେୟ ଋଣର ଆପୋଷ ସମାଧାନ ଉପରେ  ବ୍ୟାକିଂ ବୋର୍ଡ ନିଷ୍ପତ୍ତିର ସ୍ୱଚ୍ଛତା ସନ୍ଦେହ ଘେରରେ ରହିବା ସ୍ୱାଭାବିକ।
      
       ସଂକ୍ଷେପରେ କହିବାକୁ ଗଲେ, କୌଣସି ଋଣର ସୁଧ, କିସ୍ତି କିମ୍ବା ମୂଳଧନର ପରିଶୋଧ  ୯୦ ଦିନରୁ ଅଧିକ ବିଳମ୍ବିତ ହେଲେ ତାକୁ ଅନାଦେୟ ଋଣ ବା ଇଂରାଜୀରେ ନନ୍-ପରଫରମିଂ ଆସେଟ (ଏନପିଏ) କିମ୍ବା ବ୍ୟାଡ୍ ଲୋନ କୁହାଯାଏ। ଭାରତରେ ଅନାଦେୟ ଋଣ ମୋଟ ଋଣର ପ୍ରାୟ ୧୦ ପ୍ରତିଶତ। ପରିବର୍ତ୍ତିତ ଓ ଅଚିହ୍ନା ସମ୍ପତ୍ତିକୁ ମିଶାଇଲେ ଏହା ୧୫ରୁ ୨୦ ପ୍ରତିଶତ ହେବ। ଅନାଦେୟ ଋଣ ବୃଦ୍ଧିର ମୂଖ୍ୟ କାରଣଗୁଡିକ ମଧ୍ୟରେ ଅସମ୍ବଧିତ ବ୍ୟବସାୟରେ ପାଣ୍ଠିର ବିବିଧୀକରଣ, ନୈତିକତା, କଠିନ ପରଶ୍ରମ ଓ ତତ୍ପରତାର ଅଭାବ, ବ୍ଯବସାୟିକ ବାତାବରଣ ଓ ନିୟମାବଳୀରେ ଆକସ୍ମିକ ପରିବର୍ତ୍ତନ ଯୋଗୁଁ କ୍ଷତି, ଆଞ୍ଚଳିକ, ଜାତୀୟ ଅଥବା ଆନ୍ତର୍ଜାତୀୟ ଅର୍ଥନୈତିକ ସଙ୍କଟ, ସାଧାରଣ ଅର୍ଥନୈତିକ ଅଥବା ନିର୍ଦ୍ଦିଷ୍ଟ ଔଦ୍ୟୋଗିକ ଅଞ୍ଚଳରେ ମାନ୍ଦାବସ୍ଥା, ଔଦ୍ୟୋଗିକ କୁଶାସନ ଓ କୁପରିଚାଳନା, ନିର୍ଦ୍ଦିଷ୍ଟ ଔଦ୍ୟୋଗିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ବନ୍ଦିତା, ସାମାଜିକ, ରାଜନୈତିକ, ସାଂସ୍କୃତିକ ତଥା ପରିବେଶ ଜନିତ କାରଣରୁ ଭୂମି ଅଧିଗ୍ରହଣରେ ଅହେତୁକ ବିଳମ୍ବତା, ଋଣ ପ୍ରଦାନରେ ସ୍ୱଚ୍ଛତାର ଅଭାବ ଏବଂ ବନ୍ୟା, ବାତ୍ୟା, ମହାମାରୀ, ଭୂମିକମ୍ପ ତଥା ସୁନାମୀ ଭଳି ଦୈବ ଦୁର୍ବିପାକ ଆଦି ପ୍ରମୁଖ।ଅନାଦେୟ ଋଣ ବ୍ୟାଙ୍କର ନିଟ୍ ଲାଭକୁ ପ୍ରଭାବିତ କରୁଥିବାରୁ ବ୍ୟାଙ୍କମାନେ ବାଧ୍ୟବାଧକତାରେ ଚାପରେ ରହି ଲାଭାନ୍ତରର ସୁପରିଚାଳନା ପାଇଁ ଋଣ ସୁଧ ହାର ବୃଦ୍ଧି କରନ୍ତି ଏବଂ ଭଲ ଭଲ ପ୍ରୋଜେକ୍ଟରୁ ନିମ୍ନମାନର ପ୍ରୋଜେକ୍ଟଆଡକୁ ପାଣ୍ଠି ସଞ୍ଚାଳିତ କରିନିଅନ୍ତି। ଫଳରେ, ବୃହତ୍ତର ଜାତୀୟ ଅର୍ଥନୀତି ବାଧାପ୍ରାପ୍ତ ହୁଏ। ପୁଞ୍ଜିନିବେଶ ଅଟକିଯିବା ହେତୁ ବେରୋଜଗାରୀ ପ୍ରୋତ୍ସାହିତ ହେବାର ସମ୍ଭାବନା ବଢିଯାଏ। ଦିନକୁ ଦିନ ଅନାଦେୟ ଋଣର ମାତ୍ରା ବୃଦ୍ଧି ଯୋଗୁଁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକର ଖରାପ ଅବସ୍ଥାର ସମ୍ମୁଖୀନ ହୁଅନ୍ତି। ଫଳରେ, ସେମାନଙ୍କର ଅଂଶୀଦାରମାନଙ୍କୁ ଅର୍ଥାତ ପରୋକ୍ଷରେ ଭାରତ ସରକାରଙ୍କୁ କମ୍ ଲାଭାଂଶ ପ୍ରଦାନ କରିଥାନ୍ତି ଯାହା ସିଧାସଳଖ ସାମାଜିକ ତଥା ଭିତ୍ତିଭୂମି ଅନ୍ତନିର୍ମାଣ ଯୋଜନାଗୁଡିକର ଉନ୍ନତିରେ ବାଧା ସୃଷ୍ଟି କରି  ସର୍ବୋପରି ରାଜନୈତିକ ଗତିବିଧିକୁ ମଧ୍ୟ ପ୍ରଭାବିତ କରିଥାଏ। ଅଧିକନ୍ତୁ, ଏହି ଅନାଦେୟ ଋଣ ପାଇଁ ବଢି ବଢି ଯାଉଥିବା ଅପରାଧୀକ ଓ ଆଇନଗତ ମାମଲା ଯୋଗୁଁ ଦେଶର ବିଚାରାଳୟଗୁଡିକ ମଧ୍ୟ ଚାପରେ ରହିବାକୁ ବାଧ୍ୟ ହୁଅନ୍ତି ଯାହା ସାଧାରଣ ଜନତା ପାଇଁ ନ୍ୟାୟିକ ପ୍ରକ୍ରିୟାକୁ ଯଥେଷ୍ଟ ଶିଥିଳ କରେ।

         ଆରବିଆଇର ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୨୧ - ୨୦୨୨ ସୁଦ୍ଧା ଗତ ଛଅ ବର୍ଷ ମଧ୍ୟରେ ଭାରତର ରାଷ୍ଟ୍ରାୟତ ଓ ବ୍ୟବସାୟୀକ ବ୍ୟାଙ୍କଗୁଡିକ ଯଥାକ୍ରମେ ୮,୧୬,୪୨୧ କୋଟି ଓ ୧୧,୧୭,୮୮୩ କୋଟି, ଅର୍ଥାତ ମୋଟ  ୧୯,୩୪,୩୦୪ କୋଟି ଟଙ୍କାର ଅନାଦେୟ ଋଣ ଖାରଜ କରିଛନ୍ତି। ଏଥି ମଧ୍ୟରୁ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଋଣ ନେଇଥିବା ଇଛାକୃତ ଋଣ ଖିଲାପକାରୀଙ୍କ ସଂଖ୍ୟା ୩୦ ଜୁନ ୨୦୨୨ ସୁଦ୍ଧା ରାଷ୍ଟ୍ରାୟତ ବ୍ୟାଙ୍କରେ ୧୨୪୩୮ ଥିବାବେଳେ, ଘରୋଇ ବ୍ୟାଙ୍କରେ ୨୪୪୭ ଯାହା ୩୦ ଜୁନ ୨୦୧୭ରେ ଯଥାକ୍ରମେ ୮୦୪୫ ଓ ୧୬୧୬ ଥିଲା। ଅର୍ଥାତ, ଇଛାକୃତ ଋଣ ଖିଲାପକାରୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି ଯାହା ଭାରତୀୟ ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ। ୧୫ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଜୟ ମାଲ୍ୟା, ନୀରବ ମୋଦୀ, ମେହୁଲ ଚୋକ୍ସୀ ଭଳି ଇଛାକୃତ ଖିଲାପକାରୀଙ୍କଠାରୁ ୧୯୩୧୨.୨୦ କୋଟି ଟଙ୍କାର ସମ୍ପତ୍ତି ଜବଦ କରି ୧୫୧୧୩ କୋଟି ଟଙ୍କା ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକୁ ପ୍ରତ୍ୟାର୍ପଣ କରିଛନ୍ତି। ସେହି ତୁଳନାରେ ବ୍ୟବସାୟିକ ବ୍ୟାଙ୍କଗୁଡିକ ଏହି ସମୟ ଭିତରେ ଖାରଜ କରିଥିବା ଋଣରୁ ମାତ୍ର ୧୩୨୦୩୬ କୋଟି ଟଙ୍କା ଆଦାୟ କରିପାରିଛନ୍ତି।  ଅତଏବ, ବିଗତ ଛଅ ବର୍ଷ ମଧ୍ୟରେ ଖାରଜ ହୋଇଥିବା  ମୋଟ ୧୯,୩୪,୩୦୪ କୋଟି ଟଙ୍କାର ଅନାଦେୟ ଋଣରୁ ମାତ୍ର ୧,୪୭,୧୪୯ କୋଟି ଟଙ୍କା (୭.୬୦%) ଅସୁଲି ହୋଇ ପାରିଛି ଯାହା ଖୁବ ନୈରାଶ୍ୟଜନକ।  ଯାହା ଉପଲବ୍ଧି ହୁଏ, ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ନିଆଯାଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସେଭଳି ଦୃଶ୍ୟମାନ ଓ ଉତ୍ସାହପ୍ରଦ ନୁହେଁ।

        ବର୍ତ୍ତମାନ ପ୍ରଶ୍ନ ଉଠୁଛି ଆପୋଷ ବୁଝାମଣା ଭିତ୍ତିରେ ନିର୍ଦ୍ଧାରିତ ଋଣ ରାଶି ପଇଠ ହେଲା ପରେ ସୁଧ ଏବଂ ମୂଳଧନ ବାବଦକୁ ଖିଲାପକାରୀ ଯେଉଁ ରିହାତି ପାଇଲେ, ତାହା ଖାରଜ ହେବ ନା ସମ୍ପୂର୍ଣ୍ଣ ଭାବେ ଛାଡ କରିଦିଆଯିବ ? ଯଦି ସମ୍ପୂର୍ଣ୍ଣ ଭାବେ ଛାଡ କରିଦିଆଯାଏ, ତେବେ ସେହି ପରିମାଣ ଅର୍ଥର ବୋଝ କିଏ ବହନ କରିବ - ନିର୍ଦ୍ଦିଷ୍ଟ ବ୍ୟାଙ୍କ, କେନ୍ଦ୍ର ସରକାର ନା ସାଧାରଣ ଟିକସ ଦାତା? ସ୍ପଷ୍ଟ ଉତ୍ତର ରଖି ଏତିକି କହିହେବ ଯେ ଏହି ଅନାଦେୟ ରିହାତିର ବୋଝ ସିଧାସଳଖ ସାଧାରଣ ନାଗରିକ ଓ ଟିକସଦାତାଙ୍କ ଉପରେ ପଡିବା ସ୍ୱାଭାବିକ।  ୩୧ ମାର୍ଚ୍ଚ ୨୦୧୪ ସୁଦ୍ଧା ଭାରତର ମୋଟ ଋଣ ପରିମାଣ ୫୫.୮୭ ଲକ୍ଷ କୋଟି ଥିଲା ବେଳେ ଗତ ୯ ବର୍ଷ ମଧ୍ୟରେ, ଅର୍ଥାତ ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ୯୯.୪୪ ଲକ୍ଷ କୋଟି ବଢି ଆଜିର ଦିନରେ ଭାରତ ସରକାରଙ୍କ ମୋଟ ଋଣର ପରିମାଣ ୧୫୫.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଅତଏବ, ଏହି ସମୟ ମଧ୍ୟରେ ଭାରତରେ ମୁଣ୍ଡ ପିଛା ଋଣ ଭାର ୨.୫୩ ଗୁଣ ବୃଦ୍ଧି ହେଇ ୪୩୧୨୪ ରୁ ୧,୦୯,୩୭୩ ଟଙ୍କା ହୋଇଛି । ଅର୍ଥନୀତିର ଜଟିଳ ଅଙ୍କ ଜାଣି ନଥିବା ଭାରତର ଜଣେ ସାଧାରଣ ନାଗରିକ ଅଯଥାରେ ୧,୦୯,୩୭୩ ଟଙ୍କା ଋଣର ବୋଝ ମୁଣ୍ଡେଇ ସମୟ କାଟୁଛି। ତା'ବାଦ, ବୋଝ ଉପରେ ନଳିତା ବିଡା ଭଳି ଅନାଦେୟ ଋଣର ଦାଉ। ଗରୀବ, ଖଟିଖିଆ ସାଧାରଣ ମଣିଷଟିଏ ବଞ୍ଚିବ କେମିତି? ଆଇଏମଏଫ ୨୦୨୨ର ରିପୋର୍ଟ ମୁତାବକ ଭାରତର ମୋଟ ଘରୋଇ ଉତ୍ପାଦର ୮୩ ପ୍ରତିଶତ ଋଣ। ଆପୋଷ ବୁଝାମଣାରେ ଖିଲାପକାରୀଙ୍କୁ ରିହାତି ପ୍ରଦାନ ସହ  ଅନାଦେୟ ଋଣର ଏକକାଳୀନ ହିସାବନିକାଶ  ପରୋକ୍ଷରେ ଦେଶର ଋଣ ବୃଦ୍ଧିରେ ସହାୟକ ହେବ ଯାହା ସିଧାସଳଖ ଭାବେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ନାଗରିକଙ୍କୁ ପ୍ରଭାବିତ କରିବ।

କେନ୍ଦ୍ର ସରକାର ଓ ଆରବିଆଇଙ୍କ ନୀତି ଏତେ ଦୁର୍ବଳ ହେବା ଉଚିତ ନୁହେଁ ଯାହା ଦ୍ୱାରା ଗରିବଙ୍କ ମୁଣ୍ଡ ଉପରେ ବନ୍ଧୁକ ରଖି ଶେଷରେ ଇଛାକୃତ ଋଣ ଖିଲାପକାରୀ ପଳାତକ ଓ ପ୍ରବଞ୍ଚକମାନଙ୍କ ସହ ସନ୍ଧି କରିବାକୁ ହେବ।  ଏହା ସିଧାସଳଖ ସାଧାରଣ ନାଗରିକର ସ୍ୱାର୍ଥ ଓ ସମ୍ବିଧାନ ବିରୋଧୀ। ତେଣୁ କୋଟି  କୋଟି ସାଧାରଣ ଭାରତୀୟ ନାଗରିକଙ୍କୁ ନ୍ୟାୟ ଦେବାକୁ ହେଲେ ଉଭୟ ଭାରତ ସରକାର ଓ ଆରବିଆଇ ଋଣ ଖିଲାପକାରୀଙ୍କ ସହ ଆପୋଷ ବୁଝାମଣାରୁ ଦୁରେଇ ଋଣ ପ୍ରଦାନରେ ସ୍ୱଚ୍ଛତା ସହ ଋଣ ଆଦାୟ ଜନିତ ନିୟମକୁ କଡାକଡି ପାଳନ କରନ୍ତୁ।
******
     

No comments:

Post a Comment