ସମୟ ବଦଳେ, ସଂଘର୍ଷ ନୁହେଁ
ଇତିହାସର ନଦୀ ବହୁଛି ଯୁଗ ଯୁଗ ଧରି, କେବଳ ତାହାର ତଟ ବଦଳୁଛି, ବଦଳୁଛନ୍ତି ତଟରେ ଠିଆ ହୋଇଥିବା ମଣିଷମାନେ। ହେଲେ ସଂଘର୍ଷର ସ୍ରୋତ କେବେ ଶୁଖିଯାଇନାହିଁ। ସବୁ ଯୁଗରେ ରହିଛନ୍ତି ଦୁଇଟି ପକ୍ଷ। ଗୋଟିଏ କ୍ଷମତାର ଅହଂକାରରେ ମତ୍ତ, ଅନ୍ୟଟି ବିବେକର ଦୀପଶିଖା ଧରି ଅନ୍ଧକାର ସହ ଲଢ଼ିବାକୁ ପ୍ରସ୍ତୁତ। ଯେଉଁଠି ହିରଣ୍ୟକଶିପୁ, ସେଇଠି ପ୍ରହଲ୍ଲାଦର ଅଟଳ ବିଶ୍ୱାସ; ଯେଉଁଠି ରାବଣର ଅହଂକାର, ସେଇଠି ଶ୍ରୀରାମଙ୍କ ଧର୍ମପଥ; ଯେଉଁଠି କଂସର ଅତ୍ୟାଚାର, ସେଇଠି ଶ୍ରୀକୃଷ୍ଣଙ୍କ ପ୍ରତିରୋଧର ବଂଶୀସ୍ୱର। ଅନ୍ୟାୟ ଯେତେବେଳେ ପାହାଡ଼ ହୋଇ ଠିଆ ହୁଏ, ପ୍ରତିବାଦ ସେତେବେଳେ ଝରଣା ହୋଇ ବାଟ କାଟେ। ଦମନ ଯେତେବେଳେ ଲୁହାର ପ୍ରାଚୀର ଗଢ଼େ, ସାହସ ସେତେବେଳେ ହାତୁଡ଼ି ହୋଇ ତାହାକୁ ଭାଙ୍ଗେ। ଶାସକ ଶାସନ କରିବେ, ଦମନର ଜାଲ ବୁଣିବେ। ସଂଗ୍ରାମୀ ମଣିଷ ସେହି ଜାଲ ଛିଣ୍ଡାଇବେ, ସତ୍ୟ ଓ ନ୍ୟାୟର ପଥରେ ଆଗେଇବେ, ପ୍ରୟୋଜନେ ରକ୍ତ ଦେବେ, ବଳିଦାନ ଦେବେ, ଆଉ ଦିନେ ପରିବର୍ତ୍ତନର ଇତିହାସ ଲେଖିବେ। ଏଇ ତ ସମୟର ଖେଳ, ଏଇ ତ ଇତିହାସର ଅନ୍ତର୍ନିହିତ ଦର୍ଶନ।
ସମୟ ବଦଳେ, ମୁହଁ ବଦଳେ, ପତାକା ବଦଳେ, ସିଂହାସନ ବଦଳେ; କିନ୍ତୁ ସତ୍ୟ ଓ ଅନ୍ୟାୟର ଦ୍ୱନ୍ଦ୍ୱ ଯୁଗରୁ ଯୁଗକୁ ନୂଆ ରୂପ ନେଇ ସେହି ଏକା ପ୍ରଶ୍ନ ଉଠାଏ— ମଣିଷ କାହା ପାଖରେ ଠିଆ ହେବ? କ୍ଷମତା ପାଖରେ, ନା ବିବେକ ପାଖରେ? ଭୟ ପାଖରେ, ନା ସାହସ ପାଖରେ? ଅନ୍ୟାୟର ଛାୟାରେ, ନା ନ୍ୟାୟର ଆଲୋକରେ? ଶାସନ ଆସିବ, ଶାସନ ଯିବ; ଶାସକ ବଦଳିବେ, ସିଂହାସନ ଇତିହାସ ହେବ। କ୍ଷମତାର ମୁକୁଟ ଦିନେ ଧୂଳିରେ ମିଶିବ, ଅହଂକାରର ପ୍ରାସାଦ କାଳର କରାଳ ଗର୍ଭରେ ହଜିଯିବ। କାରଣ ସମୟ ହେଉଛି ସବୁଠାରୁ ନିର୍ମମ ବିଚାରକ, ଇତିହାସ ହେଉଛି ତାହାର ନିରବ ସାକ୍ଷୀ। ଆଜି ଯିଏ ଶାସନର ଶୀର୍ଷରେ, କାଲି ସେ ହୋଇପାରେ ଇତିହାସର ଗୋଟିଏ ପୃଷ୍ଠା; ଆଜି ଯିଏ ରାସ୍ତାରେ ଠିଆ ହୋଇ ପ୍ରଶ୍ନ କରୁଛି, କାଲି ସେ ହୋଇପାରେ ପରିବର୍ତ୍ତନର ଏକ ନୂଆ ଅଧ୍ୟାୟ।
ତେଣୁ କ୍ଷମତାକୁ ନେଇ ଏତେ ଅହଂକାର କାହିଁକି? କ୍ଷମତା ତ ଜୁଆର ପରି। ଆଜି ଉଛୁଳି ଉଠେ, କାଲି ଭଟ୍ଟାରେ ହଜିଯାଏ। କିନ୍ତୁ ମଣିଷର କର୍ମ, ତାହାର ଆଦର୍ଶ, ତାହାର ସଂଘର୍ଷ ଓ ବଳିଦାନ ସମୟର ବାଲୁକାରାଶିରେ ଅଲିଭା ପଦଚିହ୍ନ ହୋଇ ରହିଯାଏ। କେହି କହିବେ—ଚୁପ୍ ରୁହ! କେହି କହିବେ—ଏହା ପ୍ରଶ୍ନ କରିବାର ସମୟ ନୁହେଁ! କେହି ଭୟ ଦେଖାଇବେ, କେହି ଉପହାସ କରିବେ, କେହି ସତ୍ୟର କଣ୍ଠରେ ନିରବତାର ଶିକୁଳି ପକାଇବେ। ହେଲେ ମନେ ରଖିବାକୁ ହେବ ଯେ ଯେଉଁଦିନ ପ୍ରଶ୍ନ ମରିଯାଏ, ସେଦିନ ଗଣତନ୍ତ୍ରର ଆତ୍ମା ଆହତ ହୁଏ। ଯେଉଁଦିନ ବିବେକ ନିରବ ହୁଏ, ସେଦିନ ଅନ୍ୟାୟର ସିଂହାସନ ଆହୁରି ମଜବୁତ ହୁଏ।
ତେଣୁ ପ୍ରଶ୍ନ କରିବା, ସତ୍ୟ କହିବା, ଅନ୍ୟାୟର ଆଖିରେ ଆଖି ମିଶାଇ ପ୍ରତିବାଦ କରିବା ଜରୁରୀ। କିନ୍ତୁ ଘୃଣାର ଅଗ୍ନି ନୁହେଁ, ବିବେକର ଆଲୋକ ଧରି; ହିଂସାର ଖଡ଼୍ଗ ନୁହେଁ, ସାହସର ଢାଲ ଧରି; ମିଥ୍ୟାର କୁହୁଡ଼ି ନୁହେଁ, ତଥ୍ୟର ସୂର୍ଯ୍ୟ ଧରି। ପ୍ରହଲ୍ଲାଦଙ୍କ ପରି ବିଶ୍ୱାସରେ ଅଟଳ ରହି, ଶ୍ରୀରାମଙ୍କ ପରି ଧର୍ମପଥରେ ଅବିଚଳ ରହି, ଶ୍ରୀକୃଷ୍ଣଙ୍କ ପରି ପରିସ୍ଥିତିର ଜଟିଳତା ଭିତରେ ବୁଦ୍ଧି, କୌଶଳ ଓ ସତ୍ୟର ସନ୍ଧାନ କରି। କାରଣ ସଂଘର୍ଷ କେବଳ ଶକ୍ତିର ଲଢ଼େଇ ନୁହେଁ, ଏହା ବିବେକ ଓ ବିବେକହୀନତାର ଲଢ଼େଇ; କେବଳ ବିଜୟର ଆକାଂକ୍ଷା ନୁହେଁ, ଏହା ମଣିଷର ମର୍ଯ୍ୟାଦା ରକ୍ଷାର ସଂକଳ୍ପ।
ଆଜି ଯେଉଁମାନେ ରାସ୍ତାରେ, ଯେଉଁମାନେ ଆନ୍ଦୋଳନରେ, ଯେଉଁମାନେ ନିଜ ଅଧିକାର ପାଇଁ ଶାସନର ପ୍ରାଚୀର ଆଗରେ ସ୍ୱର ଉଠାଉଛନ୍ତି, ହୁଏତ ସେମାନଙ୍କୁ ଉପହାସ କରାଯିବ, ସେମାନଙ୍କ ସ୍ୱପ୍ନକୁ ଅବାସ୍ତବ କୁହାଯିବ, ସେମାନଙ୍କ ସ୍ୱରକୁ ଭିଡ଼ର କୋଳାହଳ କହି ଅଣଦେଖା କରିଦିଆଯିବ। କିନ୍ତୁ ଇତିହାସ କହେ ପରିବର୍ତ୍ତନ କେବେ ନିରବ ଭିଡ଼ର ଗର୍ଭରୁ ଆପେ ଆପେ ଜନ୍ମ ନେଇନାହିଁ; ତାହାର ପ୍ରଥମ ଅଙ୍କୁର ଫୁଟିଛି କେତେକ ସାହସୀ ହୃଦୟରେ, ତାହାର ପ୍ରଥମ ସ୍ୱର ଉଠିଛି କେତେକ ନିର୍ଭୀକ କଣ୍ଠରେ। ବିପ୍ଳବର ବୀଜ ଯେତେବେଳେ ମାଟି ତଳେ ଶୋଇଥାଏ, ତାହାକୁ ଦେଖି କେହି ଭବିଷ୍ୟତର ବୃକ୍ଷକୁ ଚିହ୍ନିପାରେ ନାହିଁ। କିନ୍ତୁ ମାଟି ଫାଡ଼ି ଥରେ ଅଙ୍କୁର ବାହାରିଲେ, ଝଡ଼ ଓ ବର୍ଷା ମଧ୍ୟ ତାହାର ବୃଦ୍ଧିକୁ ସବୁଦିନ ପାଇଁ ଅଟକାଇ ପାରନ୍ତି ନାହିଁ।
ସେହିପରି ଇତିହାସ କେବଳ ସିଂହାସନରେ ବସିଥିବା ମଣିଷଙ୍କ କାହାଣୀ ନୁହେଁ; ଏହା ସିଂହାସନକୁ ପ୍ରଶ୍ନ କରିଥିବା ସାହସୀ ମଣିଷଙ୍କ ଗାଥା ମଧ୍ୟ। ଇତିହାସ ମନେ ରଖେ ସେହି ମଣିଷକୁ, ଯିଏ କ୍ଷମତାର ଆଖିରେ ଆଖି ରଖି କହିଥିଲା ଯେ ସେ ଭୟ କରେନାହିଁ। ମନେ ରଖେ ସେହି ପାଦଚିହ୍ନକୁ, ଯାହା ଝଡ଼ର ଭୟରେ ପଛକୁ ଫେରିନଥିଲା; ସେହି କଣ୍ଠସ୍ୱରକୁ, ଯାହାକୁ ଚୁପ୍ କରିବାକୁ ଅନେକ ଅପଚେଷ୍ଟା ହୋଇଥିଲା, କିନ୍ତୁ ଯାହାର ପ୍ରତିଧ୍ୱନି ପିଢ଼ି ପରେ ପିଢ଼ି ଗୁଞ୍ଜରିତ ହୋଇଥିଲା। ତେଣୁ ସଂଘର୍ଷ ପଥରେ ଏକା ହୋଇଯିବା, ପରାଜିତ ହେବା ନୁହେଁ। ତାଳି ନ ମିଳିଲେ ସତ୍ୟକୁ ନଛାଡ଼ି, ଭିଡ଼ ନ ମିଳିଲେ ବିବେକକୁ ବିକ୍ରି ନକରି, ପଥରେ କଣ୍ଟା ଥିଲେ ଲକ୍ଷ୍ୟପଥରୁ ବିଚ୍ୟୁତ ନହୋଇ ଆଗକୁ ବଢ଼ିବାକୁ ହେବ। କାରଣ ଇତିହାସର ଅନେକ ବଡ଼ ପରିବର୍ତ୍ତନ ଆରମ୍ଭ ହୋଇଥିଲା ଏକାକୀ ମଣିଷର ସଂକଳ୍ପରୁ। ଯେମିତି ଗୋଟିଏ ଦୀପଶିଖା ଅନେକ ଦିନର ଅନ୍ଧକାରକୁ ଆହ୍ୱାନ କରେ, ସେମିତି ଗୋଟିଏ ନିର୍ଭୀକ ସ୍ୱର ହଜାର ହଜାର ଶୋଇଥିବା ବିବେକକୁ ଜାଗ୍ରତ କରିପାରେ।
ସବୁ ଲଢ଼େଇ ତୁରନ୍ତ ଜିତାଯାଏ ନାହିଁ, ସବୁ ସତ୍ୟ ତୁରନ୍ତ ସ୍ୱୀକୃତ ହୁଏ ନାହିଁ; କେତେକ ସତ୍ୟକୁ ସମୟର ଅଗ୍ନିପରୀକ୍ଷା ଦେବାକୁ ପଡ଼େ, କେତେକ ବିଜୟ ପାଇଁ ପିଢ଼ି ପରେ ପିଢ଼ି ସଂଘର୍ଷର ମଶାଲ ବହିବାକୁ ପଡ଼େ। ତଥାପି ମଣିଷର ମର୍ଯ୍ୟାଦା ପାଇଁ ହୋଇଥିବା ଲଢ଼େଇ, ନ୍ୟାୟ ପାଇଁ ଉଠିଥିବା ସ୍ୱର, ଅନ୍ୟାୟ ବିରୋଧରେ ହୋଇଥିବା ପ୍ରତିବାଦ କେବେ ସମ୍ପୂର୍ଣ୍ଣ ବୃଥା ଯାଏ ନାହିଁ। ହୁଏତ ତାହାର ଫଳ ତୁରନ୍ତ ମିଳେନାହିଁ, ହୁଏତ ତାହାର ଫୁଲ ଅନ୍ୟ କେହି ଦେଖେ; କିନ୍ତୁ ସଂଘର୍ଷରେ ବୁଣାଯାଇଥିବା ବୀଜ କୌଣସି ନା କୌଣସି ବସନ୍ତରେ ଅଙ୍କୁରିତ ହୁଏ। ଗନ୍ତବ୍ୟର ମହତ୍ତ୍ୱ, ପଥର ସହଜତାରେ ନୁହେଁ, ସଂକଳ୍ପର ଦୃଢ଼ତାରେ ନିହିତ। ଅନ୍ୟାୟକୁ ବିରୋଧ କରିବାର ମୂଲ୍ୟ ଅଛି, ସତ୍ୟ ପାଇଁ ଠିଆ ହେବାର ଯନ୍ତ୍ରଣା ଅଛି। ଯିଏ ଅତ୍ୟାଚାରୀକୁ ପ୍ରଶ୍ନ କରେ, ସେ ଅପବାଦର ଶର ଓ ନିନ୍ଦାର ପଥର ସହେ। ଯିଏ ଅନ୍ୟାୟର ପ୍ରାଚୀର ଭାଙ୍ଗିବାକୁ ଯାଏ, ତାହାର ମୁଣ୍ଡରେ ଅଭିଯୋଗର ମୁକୁଟ ପିନ୍ଧାଯାଏ। ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି, ଗାନ୍ଧୀ ଓ ନେହେରୁ ମଧ୍ୟ ସମାଲୋଚନାରୁ ଊର୍ଦ୍ଧ୍ୱରେ ନଥିଲେ, ଏବେ ନାହାନ୍ତି ମଧ୍ୟ। ଏହା ହିଁ ପୁରାଣର ଶିକ୍ଷା, ଏହା ହିଁ ଇତିହାସର ଅନୁଭବ। କେହି ବ୍ୟକ୍ତି ଯୁଗର ବିଚାରରୁ ଊର୍ଦ୍ଧ୍ୱରେ ନୁହେଁ, କୌଣସି କ୍ଷମତା ସମୟର ବିଚାରରୁ ଊର୍ଦ୍ଧ୍ୱରେ ନୁହେଁ।
ପାଣିରେ ପାଦ ରଖିଲେ ଓଦା ହେବାକୁ ପଡ଼େ, ନିଆଁକୁ ସ୍ପର୍ଶ କଲେ ତାପ ସହିବାକୁ ପଡ଼େ; ସେମିତି ଅନ୍ୟାୟର ଅଗ୍ନିରେ ପ୍ରତିରୋଧର ମଶାଲ ଜାଳିଲେ ତାହାର ତାପ ମଧ୍ୟ ସହିବାକୁ ପଡ଼େ। ଏହାହିଁ ଜୀବନର କଠୋର ସତ୍ୟ, ଏହାହିଁ ସଂଘର୍ଷର ଅନିବାର୍ଯ୍ୟ ମୂଲ୍ୟ। କିନ୍ତୁ ରାତି ଯେତେ ଦୀର୍ଘ ହେଉ, ପୂର୍ବାକାଶରେ ପ୍ରଭାତର ସମ୍ଭାବନା ମରିଯାଏ ନାହିଁ। ଝଡ଼ ଯେତେ ପ୍ରବଳ ହେଉ, ଦିଗନ୍ତରେ ନୂଆ ସୂର୍ଯ୍ୟୋଦୟର ଆଶା ଲିଭିଯାଏ ନାହିଁ। କାରଣ ସମୟ ଭଳି ଇତିହାସ ଗୋଟିଏ ସ୍ଥାନରେ ଅଟକି ରହେନାହିଁ। ସମୟ କଡ଼ ଲେଉଟାଏ। ପୁରୁଣା ବ୍ୟବସ୍ଥାର ଭଗ୍ନାବଶେଷ ଉପରେ ନୂଆ ସମ୍ଭାବନାର ଅଙ୍କୁର ଫୁଟେ। ଏହା ହିଁ ପରିବର୍ତ୍ତନର ନିୟମ। ଏହା ହିଁ ଇତିହାସର ଅମୋଘ ସଙ୍କେତ। ସମୟ ଚାଲିଯିବ, ଯୁଗ ବଦଳିଯିବ, ଶାସକ ବଦଳିବେ, ପତାକାର ରଙ୍ଗ ବଦଳିଯିବ, ଇତିହାସର ପୃଷ୍ଠାରେ ନୂଆ ନାମ ଲେଖାଯିବ। କିନ୍ତୁ ସଂଘର୍ଷର ଚିରନ୍ତନ ଧାରା କେବେ ଅଟକିବ ନାହିଁ। ଯେଉଁଠି ଅନ୍ୟାୟ, ସେଠି ପ୍ରତିରୋଧ; ଯେଉଁଠି ଦମନ, ସେଠି ପ୍ରତିବାଦ; ଯେଉଁଠି ଅସତ୍ୟ, ସେଠି ସତ୍ୟର ସନ୍ଧାନ; ଯେଉଁଠି ଭୟ, ସେଠି ସାହସର ଜନ୍ମ; ଯେଉଁଠି ମଣିଷର ମର୍ଯ୍ୟାଦା ଲୁଣ୍ଠିତ, ସେଇଠି ମୁକ୍ତିର ଆକାଂକ୍ଷା ଜାଗ୍ରତ। କାରଣ ସଂଘର୍ଷ କୌଣସି ଗୋଟିଏ ଯୁଗର ସମ୍ପତ୍ତି ନୁହେଁ, କୌଣସି ଗୋଟିଏ ବ୍ୟକ୍ତିର ପରିଚୟ ନୁହେଁ। ଏହା ମଣିଷର ଆତ୍ମମର୍ଯ୍ୟାଦାର ଅନ୍ୟ ନାମ। ଏହା ନ୍ୟାୟ ପାଇଁ ଧକ୍ଧକ୍ କରୁଥିବା ହୃଦୟର ସ୍ପନ୍ଦନ। କାରଣ, କେବେବି ସତ୍ୟର ଆହ୍ୱାନ ବଦଳେ ନାହିଁ, ନ୍ୟାୟର ଆକାଂକ୍ଷା ମଉଳିଯାଏ ନାହିଁ କିମ୍ବା ସଂଘର୍ଷର ମଶାଲ ଲିଭିଯାଏ ନାହିଁ। ଯେପର୍ଯ୍ୟନ୍ତ ଅନ୍ୟାୟ ରହିବ, ସେପର୍ଯ୍ୟନ୍ତ ପ୍ରତିରୋଧ ରହିବ। ଯେପର୍ଯ୍ୟନ୍ତ ଦମନ ରହିବ, ସେପର୍ଯ୍ୟନ୍ତ ପ୍ରତିବାଦ ରହିବ। ଯେପର୍ଯ୍ୟନ୍ତ ମଣିଷର ବିବେକ ଜାଗ୍ରତ ରହିବ, ସେପର୍ଯ୍ୟନ୍ତ ସଂଘର୍ଷର ଇତିହାସ ଲେଖା ହେଉଥିବ। ସମୟ ବଦଳେ, ସଂଘର୍ଷ ନୁହେଁ ଏବଂ ଏହାହିଁ ମଣିଷ ସଭ୍ୟତାର ଚିରନ୍ତନ ସତ୍ୟ।
*****

No comments:
Post a Comment