ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ବର
ନିକଟରେ ପ୍ରକାଶିତ ମର୍ସର–ସିଏଫଏ ଇନଷ୍ଟିଟ୍ୟୁଟ୍ ଗ୍ଲୋବାଲ ପେନସନ ଇଣ୍ଡେକ୍ସ ୨୦୨୫, ଭାରତର ଅତ୍ୟନ୍ତ ଦୁର୍ବଳ ଓ ଅସୁସ୍ଥ ପେନସନ ପ୍ରଣାଳୀ ଉପରେ ଏକ ଦୃଢ଼ ଆଲୋକପାତ କରିବା ସହ ତୁର୍କୀ , ଫିଲିପାଇନ୍ସ, ଥାଇଲ୍ୟାଣ୍ଡ ଓ ଆର୍ଜେଣ୍ଟିନା ସହ ଭାରତକୁ ସବୁଠୁ ନିକୃଷ୍ଟ ପ୍ରଦର୍ଶକାରୀ ପାଞ୍ଚଟି ଦେଶ ମଧ୍ୟରେ ସ୍ଥାନିତ କରିଛି। ଏହି ରିପୋର୍ଟ ଅନୁଯାୟୀ ବୟସ୍କ ନାଗରିକଙ୍କ ଆର୍ଥିକ ନିରାପତ୍ତା ବିଷୟରେ ଦେଶ ଏକ ଭୟାବହ ଅସମନ୍ୱୟ ପରିସ୍ଥିତିରେ ରହିଛି। ପୂର୍ବ ବର୍ଷର ୪୪ ଅଙ୍କରୁ ଟିକିଏ ତଳକୁ ଖସି ଭାରତ ୪୩.୮ଅଙ୍କ (ଯାହା ବିଶ୍ୱର ହାରାହାରି ଅଙ୍କ ୬୪.୫ରୁ ଯଥେଷ୍ଟ କମ୍) ସହ ବିଶ୍ୱର ସବୁଠୁ ନିମ୍ନ ଶ୍ରେଣୀରେ, ଅର୍ଥାତ “ଡି” ଶ୍ରେଣୀରେ ସ୍ଥାନିତ ହୋଇଛି। ସିଙ୍ଗାପୁର୍, ହଙ୍କଙ୍ଗ୍ ଓ ମାଲେସିଆ ଭଳି ଏସିଆର ଅନ୍ୟ ଦେଶଗୁଡ଼ିକ ଯେଉଁଠି ୮୦.୮, ୭୦.୬ ଓ ୬୦.୬ ଅଙ୍କ ପାଇଛନ୍ତି, ସେହି ତୁଳନାରେ ଭାରତ ବହୁତ ପଛରେ ରହିଛି। ‘ପର୍ଯ୍ୟାପ୍ତତା’ (୪୦%), ‘ ସ୍ଥାୟିତ୍ୱ’ (୩୫%) ଏବଂ ‘ସାଧୁତା’ (୨୫%) ଭଳି ତିନୋଟି ପରିମାପକ ଉପରେ ଆଧାରିତ ମୂଲ୍ୟାଙ୍କନ ଭାରତୀୟ ପେନସନ ବ୍ୟବସ୍ଥାର ସମସ୍ତ ପାରିପାର୍ଶ୍ବିକ ପ୍ରଣାଳୀକୁ ପ୍ରଭାବିତ କରୁଥିବା ଗଭୀର ସଂରଚନାତ୍ମକ ଦୋଷ ଦୁର୍ବଳତା ଓ ଶାସନଗତ ଅପାରଗତାକୁ ପ୍ରକାଶ କରିଛି ।
ପୃଥିବୀର ବାଉନଟି ଦେଶରେ ବାସ କରୁଥିବା ବିଶ୍ୱର ସମୁଦାୟ ଜନସଂଖ୍ୟାର ପ୍ରାୟ ପଞ୍ଚଷଠି ଶତାଂଶକୁ ନେଇ ଗ୍ଲୋବାଲ ପେନସନ ଇଣ୍ଡେକ୍ସ ୨୦୨୫ ଏହି ମୂଲ୍ୟାୟନ କରିଛି ଯେଉଁଥିରେ ଭାରତର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ‘ପର୍ଯ୍ୟାପ୍ତତା’ ପରିମାପକ, ଯାହା ବୟସ୍କ ନାଗରିକମାନଙ୍କର ଉପଯୁକ୍ତ ଜୀବନଯାପନ ପାଇଁ ଆବଶ୍ୟକ ପଡୁଥିବା ପ୍ରକୃତ ସେବାନିବୃତ୍ତ ଆୟର ପରିମାଣକୁ ନିର୍ଦ୍ଧାରିତ କରେ, ସେଥିରେ ଭାରତ ମାତ୍ର ୩୪.୭ ଅଙ୍କ ପାଇ ନିମ୍ନତମ “ଇ” ଶ୍ରେଣୀରେ ରହିଛି, ଯାହା ପ୍ରକାଶ କରେ ଯେ ଅଧିକାଂଶ ଅବସରପ୍ରାପ୍ତ ନାଗରିକ ଯଥେଷ୍ଟ ଆୟ ବିନା ବଞ୍ଚିବାକୁ ବାଧ୍ୟ । ସେହିଭଳି ’ସ୍ଥାୟିତ୍ୱ’ ପରିମାପକରେ ୪୩.୮ ଅଙ୍କ ସହିତ ଭାରତ “ଡି” ଶ୍ରେଣୀରେ ରହିଛି, ଯାହା ସ୍ପଷ୍ଟ କରୁଛି ଯେ ଭାରତର ପେନସନ ଅର୍ଥନୀତି ଆଗାମୀ ଜନସଂଖ୍ୟା ବୃଦ୍ଧି ଓ ଆର୍ଥିକ ଚାପକୁ ସାମ୍ନା କରିବାରେ ଅସମର୍ଥ । ଅଧିକନ୍ତୁ ‘ସାଧୁତା’ ପରିମାପକରେ ୫୮.୪ ଅଙ୍କ ସହ ଭାରତ “ସି” ଶ୍ରେଣୀରେ ଥିଲେ ମଧ୍ୟ ପ୍ରଶାସନିକ ସ୍ୱଚ୍ଛତା ଓ ନିୟମନ ସମ୍ପର୍କରେ ଦୃଢ଼ତାର ଅଭାବକୁ ସ୍ପଷ୍ଟ କରିଛି ।
ଏହାର ବିପରୀତ ଭାବେ, ମଜଭୁତ ଓ ସ୍ଥାୟୀ ପେନସନ ବ୍ୟବସ୍ଥା ପାଇଁ ନେଦରଲ୍ୟାଣ୍ଡ୍ସ (୮୫.୪), ଆଇସଲ୍ୟାଣ୍ଡ (୮୪.୦), ଡେନମାର୍କ (୮୨.୩), ସିଙ୍ଗାପୁର (୮୦.୮) ଓ ଇସ୍ରାଏଲ (୮୦.୩) ଭଳି ଦେଶଗୁଡ଼ିକ ଚଳିତ ବର୍ଷର ଶ୍ରେଷ୍ଠ ପ୍ରଦର୍ଶନକାରୀ ଦେଶ ଭାବରେ “ଏ” ଶ୍ରେଣୀରେ ଥିବା ସହିତ ସମତୁଲ ହାରାହାରି ସୁବିଧା ଓ ଦୀର୍ଘକାଳୀନ ଅର୍ଥନୈତିକ ସୁସ୍ଥିତି ସହ ଜନସାଧାରଣଙ୍କ ଭରସା ଜିତିବାରେ ସମର୍ଥ ହୋଇଛନ୍ତି । କିନ୍ତୁ ଅନ୍ୟପକ୍ଷରେ ଭାରତର ପେନସନ ବ୍ୟବସ୍ଥା ଏକ ସୀମିତ ନିର୍ଦ୍ଧାରିତ ଲାଭ ଯୋଜନା ଓ ଖଣ୍ଡିତ ନିର୍ଦ୍ଧାରିତ ଅବଦାନ ପ୍ରଣାଳୀର ମିଶ୍ରଣ। ଭାରତରେ ଏମ୍ପ୍ଲୋୟିଜ୍ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ୍), ଏମ୍ପ୍ଲୋୟିଜ୍ ପେନସନ ସ୍କିମ (ଇପିଏସ୍) ଓ ସେହିଭଳି କିଛି ବୃତ୍ତିଗତ ସାମାଜିକ ସୁରକ୍ଷା ଯୋଜନା ଏକ ଅସମତୁଲ ସଂରଚନା ସୃଷ୍ଟି କରି ବୟସ୍କ ନାଗରିକଙ୍କୁ ସାର୍ବଜନୀନ ତଥା ପର୍ଯ୍ୟାପ୍ତ ସୁରକ୍ଷା ଦେବାରେ ବିଫଳ । ରିପୋର୍ଟ ଅନୁଯାୟୀ ଭାରତର ମୋଟ ଶ୍ରମିକ ଶ୍ରେଣୀର ୯୦% ନିୟୋଜିତ ଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ପାଖରେ ନିହାତି ସ୍ୱଳ୍ପ ଅଥବା କୌଣସି ନିୟମିତ ପେନସନ ସୁବିଧା ନାହିଁ ।
ଭାରତରେ ପେନସନ ଯୋଜନାର ଅସଫଳତା ମୂଳରେ ତିନୋଟି ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ପ୍ରଥମତଃ, ଅସଂଗଠିତ କ୍ଷେତ୍ରରେ ନିଯୁକ୍ତ ଲୋକଙ୍କ ମଧ୍ୟରେ ପେନସନ ସୁବିଧା ଅତ୍ୟନ୍ତ ସୀମିତ। ତଥ୍ୟ ଅନୁଯାୟୀ, ଭାରତରେ ବର୍ତ୍ତମାନ କେବଳ ୨୯% ବୟସ୍କ ନାଗରିକ ପେନସନ ପାଉଛନ୍ତି । ଦ୍ବିତୀୟତଃ, ଦେଶର ଅର୍ଥନୈତିକ ବାଧ୍ୟବାଧକତା, ଯାହା କ୍ରମାଗତ ଦାବି ସତ୍ତ୍ୱେ ମଧ୍ୟ ସର୍ବନିମ୍ନ ସାର୍ବଜନୀନ ପେନସନ ଯୋଜନା ଲାଗୁ କରିବା ନେଇ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରୁଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନଙ୍କ ମତ ହେଲା ଯେ ସିଙ୍ଗାପୁର ଯେମିତି ନିଜର ପେନସନ୍ ବ୍ୟବସ୍ଥାକୁ “ସି” ଶ୍ରେଣୀରୁ “ଏ” ଶ୍ରେଣୀକୁ ଉର୍ଣ୍ଣୀତ କରେଇବାକୁ ଦୀର୍ଘ ୧୬ ବର୍ଷ ଧରି ପର୍ଯ୍ୟାୟଭିତ୍ତିକ ଅର୍ଥନୈତିକ ସାବଧାନତା ଅବଲମ୍ବନ କରିଥିଲା, ଭାରତକୁ ସେହିଭଳି ସୂତ୍ର ଆପଣେଇବାର ଆବଶ୍ୟକତା ରହିଛି। ତୃତୀୟତଃ, ମୂଲ୍ୟବୃଦ୍ଧି ଓ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ସହିତ ଉଚିତ୍ ମୂଲ୍ୟସୂଚୀ ସମନ୍ୱୟର ଅଭାବ ଯୋଗୁଁ ପେନସନ ମୂଲ୍ୟର କ୍ରମାଗତ ଅବନତି ପର୍ଯ୍ୟାପ୍ତତାର ହ୍ରାସକୁ ପ୍ରମାଣିତ କରୁଛି।
ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଭାରତ ଏକ ସଙ୍କଟମୟ ପରିସ୍ଥିତି ଆଡ଼କୁ ଅଗ୍ରଗତି କରୁଛି। । ଭାରତ ଏଜିଂ ରିପୋର୍ଟ ୨୦୨୩ ଅନୁସାରେ ଏବେ ଭାରତର ଜନସଂଖ୍ୟାର ୧୦%ରୁ ଅଧିକ ୬୦ ବର୍ଷ ବୟସରୁ ଉର୍ଦ୍ଧରେ ଯାହା ୨୦୫୦ ସୁଦ୍ଧା ଦୁଇଗୁଣା (୨୦%) ହୋଇ ୩୪.୭ କୋଟିରେ ପହଞ୍ଚିବ। ପାରିବାରିକ ସହାୟତା ଓ ସହାନୁଭୂତି ହ୍ରାସ ତଥା ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ମହଙ୍ଗା ହେଉଥିବା ସମୟରେ ପେନସନ ନିରାପତ୍ତାର ଅଭାବ ଯୋଗୁଁ ବୟସ୍କମାନେ ଉଭୟ ଆର୍ଥିକ ଓ ସାମାଜିକ ଦୃଷ୍ଟିକୋଣରୁ ଅସୁରକ୍ଷିତ ମନେ କରୁଛନ୍ତି। ଏହି ପରିସ୍ଥିତି କେବଳ ଏକ ଆର୍ଥିକ ଯୋଜନାର ପ୍ରଶ୍ନ ନୁହେଁ, ବରଂ ଏକ ସାମାଜିକ ନ୍ୟାୟ ଓ ନୀତିଗତ ଦାୟିତ୍ୱର ପ୍ରଶ୍ନ । ଯଦି ଭାରତ ସୁସ୍ଥ ଓ ଶକ୍ତିଶାଳୀ ପେନସନ ବ୍ୟବସ୍ଥା ପ୍ରଚଳନ କରିବାରେ ଅସମର୍ଥ ରହେ, ତେବେ ଖୁବ ଶୀଘ୍ର ଏହା ନିଃସନ୍ଦେହରେ ଏକ “ବୟସ୍କ ଗରିବ” ମାନଙ୍କ ଦେଶରେ ପରିଣତ ହେବ ।
ଆନ୍ତର୍ଜାତୀୟ ଦୃଷ୍ଟିକୋଣରୁ ଭାରତର ଏ ନିଷ୍କ୍ରିୟତାକୁ ସହଜରେ ଏଡେଇ ଦିଆଯାଇପାରିବ। “ସେଣ୍ଟ୍ରାଲ ପ୍ରୋଭିଡେଣ୍ଟ ଫଣ୍ଡ” ଜରିଆରେ ସିଙ୍ଗାପୁରର ପେନସନ ବ୍ୟବସ୍ଥାର ରୁପାନ୍ତରଣ ଏହାର ଏକ ବଡ ଉଦାହରଣ। ଏକ ଅନିବାର୍ଯ୍ୟ ଓ ସମ୍ପୂର୍ଣ୍ଣ ଅଂଶଦାନ ଭିତ୍ତିକ ପ୍ରଣାଳୀରେ ଅବସର, ସ୍ୱାସ୍ଥ୍ୟ ଓ ଆବାସ ଭଳି ତିନୋଟି ମୂଳ ସୁରକ୍ଷାକୁ ସୁନିଶ୍ଚିତ କରି ସାର୍ବଜନୀନ ଅଂଶଗ୍ରହଣ, ସଠିକ ନିବେଶ ନୀତି ଓ ସୁନିଶ୍ଚିତ ଫେରସ୍ତ ଯୋଜନା ଭିତ୍ତିରେ ସିଙ୍ଗାପୁର ଆଜି ବିଶ୍ୱର ଶୀର୍ଷ ସ୍ଥାନରେ । ସେହିଭଳି ଭାବେ ନେଦରଲ୍ୟାଣ୍ଡ ଓ ଡେନମାର୍କ ଶକ୍ତିଶାଳୀ ସରକାରୀ-ବେସରକାରୀ ସମନ୍ୱୟ, ବାଧ୍ୟତାମୂଳକ ସଞ୍ଚୟ ଏବଂ ମୂଦ୍ରାସ୍ଫୀତି ଓ ଜୀବନ ପ୍ରତ୍ୟାଶାକୁ ପ୍ରତିଫଳିତ କରୁଥିବା ନିୟମିତ ସମଯୋଜନ ମାଧ୍ୟମରେ ଉଚ୍ଚତମ ପେନସନ ପର୍ଯ୍ୟାପ୍ତତାକୁ ରଖିପାରିଛନ୍ତି ।
ପେନସନ୍ ବ୍ୟବସ୍ଥାରେ ଭାରତର ଅବନତି ଏକ ଅକସ୍ମାତ ଘଟଣା ନୁହେଁ, ବରଂ ନୀତିର ନିରନ୍ତର ଅବହେଳା, ଖଣ୍ଡିତ କାର୍ଯ୍ୟାନ୍ୱୟନ ଏବଂ ସମନ୍ୱିତ ଦୀର୍ଘକାଳୀନ ଦୃଷ୍ଟିକୋଣ ଅଭାବର କୁପରିଣାମ। ସରକାରୀ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଓ ଅଟଳ ପେନସନ ଯୋଜନା ଭଳି ସରକାରୀ ଯୋଜନା ଗୁଡିକରେ ଅସଂଗଠିତ କ୍ଷେତ୍ରର ଅଳ୍ପ କିଛି କର୍ମଚାରୀ ଯୋଡ଼ି ହୋଇଥିବାବେଳେ, ବୃଦ୍ଧାବସ୍ଥାରେ ସମ୍ମାନର ସହ ବଞ୍ଚିବା ପାଇଁ ସେମାନଙ୍କ ଅଂଶଦାନ ଓ ପେନସନ ରାଶି ଅତ୍ୟନ୍ତ ଅଳ୍ପ । ଅଧିକନ୍ତୁ ଅନେକ ବେସରକାରୀ କର୍ମଚାରୀ ନିଜ ଇପିଏଫ୍ ଟଙ୍କାକୁ ଚାକିରୀ କାଳ ଭିତରେ ଉଠାଇ ନେଇ ଅବସରକାଳୀନ ନିରାପତ୍ତାର ପ୍ରକୃତ ଉଦ୍ଦେଶ୍ୟକୁ ନଷ୍ଟ କରୁଛନ୍ତି ।
ଏହି ସଂକଟରୁ ମୁକ୍ତି ପାଇବା ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ତଥା ସଂସ୍ଥାଗତ ସୁଧାର ଓ ପୁନର୍ଗଠନ ଆବଶ୍ୟକ। ଏହି କ୍ରମରେ ବୟସ୍କ ଦରିଦ୍ରଙ୍କ ପାଇଁ ପେନସନର ଏକ ନ୍ୟୁନତମ ସୀମା ପ୍ରଣୟନ କରାଯିବା ଆବଶ୍ୟକ, ଯାହା ବୃଦ୍ଧାବସ୍ଥାରେ ଦାରିଦ୍ର୍ୟରୁ ରକ୍ଷା କରିପାରିବ। ରାଜ୍ୟ ସହାୟତା ଦ୍ୱାରା ପ୍ରେରିତ ଅଭିନବ ସୂକ୍ଷ୍ମ ସହଯୋଗ ଯୋଜନା ମାଧ୍ୟମରେ ଅସଂଗଠିତ ଶ୍ରମିକମାନଙ୍କୁ ଅଧିକରୁ ଅଧିକ ପେନସନ ପରିସରଭୁକ୍ତ କରିବାର ଆବଶ୍ୟକତା ମଧ୍ୟ ରହିଛି। ପେନସନ ଲାଭଗୁଡିକୁ କେବଳ ପେନସନ ପାଇଁ ସୁରକ୍ଷିତ ରଖି ନ୍ୟୁନତମ ପ୍ରବେଶ ବୟସ ନିର୍ଦ୍ଧାରଣ ଜରିଆରେ ଆଗୁଆ ଉଠାଣ ନିରୁତ୍ସାହିତ ହେବା ଉଚିତ। ପିଏଫଆରଡିଏ ଅଧୀନରେ ନିୟମାନୁସୂଚନାକୁ ସୁଦୃଢ କରିବା ଏବଂ ପେନସନ ତହବିଲକୁ ସାବଧାନତାର ସହ ଭିନ୍ନ ଭିନ୍ନ କ୍ଷେତ୍ରରେ ନିବେଶ ପାଇଁ ଅନୁମତି ଦେବା ଦ୍ୱାରା ଉଭୟ ଭବିଷ୍ୟତର ଲାଭ ଓ ସ୍ଥିରତାକୁ ବୃଦ୍ଧି କରାଯାଇପାରିବ। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା ଆର୍ଥିକ ସାକ୍ଷରତା ଓ ସେବାନିବୃତ୍ତି ପରିକଳ୍ପନା ପାଇଁ ଏକ ରାଷ୍ଟ୍ରବ୍ୟାପୀ ସଚେତନତା ଅଭିଯାନ ଆବଶ୍ୟକ, ଯାହା ଦୀର୍ଘକାଳୀନ ସଞ୍ଚୟକୁ ପରିବାରର ଏକ ସାଧାରଣ ଅଭ୍ୟାସରେ ପରିଣତ କରିପାରିବ।
ମର୍ସର୍ ଇଣ୍ଡେକ୍ସରେ ଭାରତର ୪୩.୮ ଅଙ୍କ ପାଇବା କେବଳ ଏକ ସଂଖ୍ୟାତ୍ମକ ମାପକ ନୁହେଁ, ବରଂ ଭାରତୀୟ ସମାଜ ତାର ବୟସ୍କ ନାଗରିକଙ୍କ ପ୍ରତି କିପରି ସମ୍ମାନ ଓ ବ୍ୟବହାର ପ୍ରଦର୍ଶନ କରୁଛି, ତାହାର ଏକ ନିଛକ ପ୍ରତିବିମ୍ବ। ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସଠିକ ଭାବେ ଦର୍ଶାଇଛନ୍ତି ଯେ ପେନସନ ଏକ ଦାନ କିମ୍ବା ଅନୁକମ୍ପାମୂଳକ ସହାୟତା ରାଶି ନୁହେଁ, ବରଂ ନାଗରିକଟିଏ ନିଜର ଯୌବନ କାଳରେ ବର୍ଷ ବର୍ଷ ଧରି ସମାଜ ଓ ସରକାରଙ୍କୁ ଦେଇଥିବା ପରିସେବା ବଦଳରେ ଏହା ତାର ଉପାର୍ଜିତ ସାମ୍ବିଧାନିକ ଅଧିକାର। ଯେଉଁ ରାଷ୍ଟ୍ର ଏକ ବିଶ୍ୱସ୍ତରୀୟ ଆର୍ଥିକ ଶକ୍ତି ହେବାକୁ ଚାହୁଁଛି, ତାର ନାଗରିକମାନେ ସମ୍ମାନ ଓ ସୁରକ୍ଷା ବିନା ବୟସର ସାୟାହ୍ନରେ ଅସୁରକ୍ଷିତ ରହିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ତେଣୁ, ଭାରତୀୟ ପେନସନ ବ୍ୟବସ୍ଥାରେ ସୁଧାର ପ୍ରଶାସନିକ ସଂଶୋଧନର ଉର୍ଦ୍ଧରେ ଉଭୟ ମାନସିକ ଓ ସାମାଜିକ ଆବଶ୍ୟକତା ଭାବେ ଦେଖାଯିବା ଦରକାର। ପେନସନକୁ ଏକ ସୁବିଧା ଭାବରେ ନଦେଖି ଅଧିକାର ଭାବରେ ଦେଖିଲେ ହିଁ, ଭାରତ “ଡି” ଶ୍ରେଣୀରୁ ପର୍ଯ୍ୟାପ୍ତତା, ସ୍ଥାୟିତ୍ୱ ଓ ସାଧୁତାରେ “ଏ” ଶ୍ରେଣୀକୁ ସହଜରେ ପହଞ୍ଚି ପାରିବ। ପେନସନ ସୁରକ୍ଷା କେବଳ ଜଣେ ବୟସ୍କଙ୍କ ପ୍ରଶ୍ନ ନୁହେଁ, ଏହା ଭାରତର ସାମାଜିକ ଆତ୍ମା ଓ ମାନବୀୟ ମର୍ଯ୍ୟାଦାର ପରୀକ୍ଷା ।
*****

No comments:
Post a Comment