ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ବର
କେନ୍ଦ୍ର ସରକାରଙ୍କ ଦ୍ଵାରା ୧୬ ଜାନୁଆରୀ ୨୦୨୫ରେ ଅଷ୍ଟମ ବେତନ ଆୟୋଗ ଗଠନର ଘୋଷଣାକୁ ଆଠ ମାସ ବିତିଯାଇଥିଲେ ବି, ବର୍ତ୍ତମାନ ସମ୍ପୁର୍ଣ୍ଣ ସର୍ତ୍ତାବଳୀ ସହ ରାଜପତ୍ର ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ, ୨୫ ମାର୍ଚ୍ଚ ୨୦୨୫ରେ କେନ୍ଦ୍ର ସରକାର ଆୟୋଗଙ୍କ ସୁପାରିଶକୁ ଲାଗୁ କରିବା ଉଦ୍ଦେଶ୍ୟରେ ବିତ୍ତ ବିଧେୟକ ୨୦୨୫ରେ କର୍ମଚାରୀଙ୍କ ଅବସର ତାରିଖକୁ ନେଇ ଏକ ପାତରଅନ୍ତର ନୀତି ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ବିତ୍ତ ବିଧେୟକ ୨୦୨୫ର ଅଂଶ ବିଶେଷ ଭାବେ କେନ୍ଦ୍ରୀୟ ବେସାମରିକ ସେବା (ପେନସନ୍) ନିୟମ ତଥା ଭାରତ ସରକାରଙ୍କ ସଞ୍ଚିତ ପାଣ୍ଠିରୁ ପେନସନ୍ ଦେୟ ବୈଧକରଣ ସମ୍ବନ୍ଧୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଭାରତର ସମସ୍ତ କର୍ମଚାରୀ ଓ ପେନସନଭୋଗୀମାନେ ଭୟଭୀତ ହେବା ସହ ପେନସନର ଭବିଷ୍ୟତ ସ୍ଵରୁପକୁ ନେଇ ଅନେକ ଆଶଙ୍କା ପ୍ରକଟ କରିଛନ୍ତି। ବୈଧକରଣର ଏହି ସିଦ୍ଧାନ୍ତ ଅନୁଯାୟୀ ପେନସନ୍ ନିୟମ ପ୍ରତି କୌଣସି ପୂର୍ବାଗ୍ରହ ବିନା କେନ୍ଦ୍ର ସରକାର ପେନସନଭୋଗୀଙ୍କ ଅବସର ଗ୍ରହଣ ତାରିଖକୁ ନେଇ ସେମାନଙ୍କ ଭିତରେ ଏକ ପ୍ରଭେଦ ସୃଷ୍ଟି କରି ପାରିବେ ଯାହା କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ସମୟରୁ ଆରମ୍ଭ ହେବ। ଏହି ବୈଧକରଣ ୧ ଜୁନ୍ ୧୯୭୨ରୁ ଲାଗୁ ହେବ ଯାହା ଦ୍ୱାରା ସମ୍ବିଧାନର ଅନୁଚ୍ଛେଦ ୩୦୯ ଆଧାରରେ ସମୟାନୁସାରେ ହୋଇଥିବା କେନ୍ଦ୍ରୀୟ ବେସାମରିକ ସେବା (ପେନସନ୍) ନିୟମ, ୧୯୭୨ ଓ ୨୦୨୧ ଏବଂ କେନ୍ଦ୍ରୀୟ ବେସାମରିକ ସେବା (ଅସାଧାରଣ ପେନସନ୍) ନିୟମ ୨୦୨୩ ଅନ୍ତର୍ଗତ ସମସ୍ତ ସଂଶୋଧିତ ନିୟମଗୁଡିକୁ ମାନ୍ୟତା ପ୍ରଦାନ କରିବ। ବେତନ ଆୟୋଗର ସୁପାରିଶ କେବେଠାରୁ ଲାଗୁ ହେବ, ଏଇ ବିଧେୟକ ଦ୍ବାରା କ୍ଷମତାପ୍ରାପ୍ତ କେନ୍ଦ୍ର ସରକାର ଏବେ ତାହା ମଧ୍ୟ ସ୍ଥିର କରିବେ।
ଏହି ପରିପ୍ରେକ୍ଷୀରେ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଐତିହାସିକ ରାୟ (୧୭ ଡିସେମ୍ବର ୧୯୮୨, ଡି ଏସ୍ ନାକରା ବନାମ ଭାରତ ସରକାର)ର ପେନସନକୁ ନେଇ କହିଥିବା ତିନୋଟି ମୂଖ୍ୟ କଥା ପ୍ରଣିଧାନଯୋଗ୍ୟ। ପ୍ରଥମତଃ, ପେନସନ୍ ନିଯୁକ୍ତିଦାତାଙ୍କ ଏକ ଇଛାଧିନ ବ୍ୟାପାର କିମ୍ବା କୌଣସି ଦାନ, ଦୟା ବା ଅତିରିକ୍ତ ପ୍ରୋତ୍ସାହନ ରାଶି ନୁହେଁ। ଏହା କର୍ମଚାରୀର ନିଜ ଯୌବନ କାଳରେ କର୍ମଦାତାଙ୍କ ପାଇଁ ନିରନ୍ତର ପରିଶ୍ରମ ବଦଳରେ ବୃଦ୍ଧାବସ୍ଥା ପାଇଁ ଉଭୟ ଆର୍ଥିକ ଓ ସାମାଜିକ ସୁରକ୍ଷାର ଏକ ନିର୍ଭର ପ୍ରତିଶ୍ରୁତି ଓ କଲ୍ୟାଣମୂଳକ ପଦକ୍ଷେପ। ଦ୍ୱିତୀୟରେ, କୌଣସି ନିର୍ଦ୍ଦିଷ୍ଟ ତାରିଖକୁ ନେଇ ପେନସନଭୋଗୀମାନଙ୍କ ଭିତରେ ପାତରଅନ୍ତର ସୃଷ୍ଟି ସମ୍ବିଧାନର ଅନୁଛେଦ ୧୪ର ସିଧାସଳଖ ଉଲଂଘନ। ତୃତୀୟରେ, ଏକ ନିର୍ଦ୍ଦିଷ୍ଟ ପେନସନ ନିୟମ ପରିସରରେ ଆସୁଥିବା ସମସ୍ତ ପେନସନଭୋଗୀଙ୍କୁ ଅବସର ଦିବସର ଉର୍ଦ୍ଧରେ ଯେକୌଣସି ସଂଶୋଧିତ ନିୟମ ସମାନ ଭାବରେ ଲାଗୁ ହେବା ପାଇଁ ମଧ୍ୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ରହିଛି। ତେଣୁ ଏଥିରୁ ସ୍ପଷ୍ଟ ଅନୁମେୟ ଯେ କେନ୍ଦ୍ର ସରକାରଙ୍କର କେନ୍ଦ୍ରୀୟ ବେସାମରିକ ସେବା (ପେନସନ୍) ନିୟମରେ ପରିବର୍ତ୍ତନ ଆଣିବାକୁ କ୍ଷମତା ନଥିବାରୁ, ବିତ୍ତ ବିଧେୟକ ୨୦୨୫ରେ ପେନସନଭୋଗୀଙ୍କ ମଧ୍ୟରେ ଅବସର ତାରିଖକୁ ନେଇ ପାତରଅନ୍ତର ନୀତି ଆପଣେଇବାକୁ ଏଭଳି ବୈଧକରଣ ଆଣି ନିଜକୁ ନିଜେ କ୍ଷମତାପ୍ରାପ୍ତ କରେଇଛନ୍ତି। ପୁରୁଣା ପେନସନ ଯୋଜନା (ଓପିଏସ୍) ପରେ ଜାନୁଆରୀ ୨୦୦୪ରୁ ଜାତୀୟ ପେନସନ୍ ଯୋଜନା (ଏନପିଏସ୍) ଏବଂ ଅପ୍ରେଲ ୨୦୨୫ରୁ ଏକୀକୃତ ପେନସନ୍ ଯୋଜନା (ୟୁପିଏସ୍)କୁ ନେଇ ପେନସନଭୋଗୀମାନେ ପୂର୍ବରୁ ବିଭାଜିତ ହୋଇସାରିଥିଲା ବେଳେ ବିତ୍ତ ବିଧେୟକ ୨୦୨୫ ଆଳରେ ଅବସର ତାରିଖକୁ ନେଇ ପୁନଃ ବିଭାଜିତ ହେବା ସହ ପେନସନ ହ୍ରାସ ଓ ବୃଦ୍ଧିକୁ ଗ୍ରହଣ କରିବାକୁ କେହି ପ୍ରସ୍ତୁତ ନୁହନ୍ତି।
ପ୍ରସ୍ତାବିତ ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ନିୟମତଃ ଆସନ୍ତା ୧ ଜାନୁଆରୀ ୨୦୨୬ରୁ ଲାଗୁ ହେବା କଥା। କିନ୍ତୁ, ଯେହେତୁ ଆୟୋଗ ଏଯାଏଁ ଗଠିତ ହୋଇନାହିଁ ଏବଂ ପୂର୍ବ ଆୟୋଗମାନଙ୍କର କାର୍ଯ୍ୟ ପ୍ରଣାଳୀକୁ ଲକ୍ଷ୍ୟ କଲେ ଯାହା ଜଣାପଡେ ଆୟୋଗ ଗଠନ ହେବା ପରଠାରୁ କ୍ୟାବିନେଟ୍ ଅନୁମୋଦନ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଶେଷ ହେବାକୁ ଅନ୍ୟୁନ ଦୁଇ ବର୍ଷ ସମୟ ଦରକାର, ଏବେ କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ ଆଶଙ୍କା ଉପୁଜିବାର ପ୍ରଥମ କାରଣ ହେଲା ଯେ ବେତନ ଆୟୋଗଙ୍କ ସୁପାରିଶ ଜାନୁଆରୀ ୨୦୨୬ରୁ ଲାଗୁ ନହୋଇ ବିତ୍ତ ବିଧେୟକ ୨୦୨୫ ଦ୍ବାରା କ୍ଷମତାପ୍ରାପ୍ତ କେନ୍ଦ୍ର ସରକାର ହୁଏତ ସୁପାରିଶ ଦାଖଲ ଦିନଠାରୁ କିମ୍ବା କ୍ୟାବିନେଟ୍ ଅନୁମୋଦନ ଦିନଠାରୁ ଲାଗୁ କରିବାକୁ ନିଷ୍ପତ୍ତି ନେବେ ଯାହା ଦ୍ୱାରା ସେମାନେ ପାଖାପାଖି ଦୁଇବର୍ଷର ଆର୍ଥିକ କ୍ଷତି ସହିବା ପାଇଁ ବାଧ୍ୟ ହେବେ ଓ ଦ୍ୱିତୀୟ କାରଣ ହେଲା ଯଦି ଅବସର ତାରିଖକୁ ନେଇ ଉପରୋକ୍ତ ବିଜ୍ଞପ୍ତି ଅନୁଯାୟୀ ପେନସନଭୋଗୀଙ୍କୁ ଭାଗ ଭାଗ କରାଯାଏ, ତେବେ ଅନୁମୋଦନ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍ ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ମୁତାବକ ବୃଦ୍ଧି ନହୋଇ କେବଳ ଅନୁମୋଦନ ଲାଗୁ ହେବା ପରେ ଯେଉଁମାନେ ଅବସରନେବେ ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ।
ଏହି ପରିପ୍ରେକ୍ଷୀରେ, କର୍ମଚାରୀ ପକ୍ଷର ତୁରନ୍ତ ପ୍ରତିବାଦ ଯୋଗୁଁ କେନ୍ଦ୍ର ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ତରଫରୁ ସ୍ୱୀକୃତିପ୍ରାପ୍ତ ପେନସନ ସଂଘମାନଙ୍କ ସହିତ ୨୯ ମାର୍ଚ୍ଚ ୨୦୨୫ରେ ପେନସନ ବିଭାଗ ସଚିବ ଶ୍ରୀ ଭି. ଶ୍ରୀନିବାସଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ ବସି ଉତ୍ତର ଦିଆଗଲା ଯେ ଏହା କେବଳ ବର୍ତ୍ତମାନ ଥିବା ପେନସନ ନିୟମର ମାନ୍ୟକରଣ ଓ ଏହାଦ୍ୱାରା ପେନସନ ନିୟମରେ କୌଣସି ପ୍ରକାର ସଂଶୋଧନ କରାଯାଉନାହିଁ। ହେଲେ, ବିବାଦୀୟ ବୈଧକରଣ ନିୟମକୁ ତୁରନ୍ତ ପ୍ରତ୍ୟାହାର କରିବାର ଅନୁରୋଧକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଏ ବିଷୟରେ ଏକ ସ୍ପଷ୍ଟୀକରଣ ରଖି ବିଜ୍ଞପ୍ତି ଜାରି କରିବାକୁ ପେନସନଭୋଗୀ ସଂଘଗୁଡ଼ିକୁ ଉପରୋକ୍ତ ଆଭାସୀ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ ବି ବିଗତ ଛଅ ମାସ ଭିତରେ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ। ଅଧିକନ୍ତୁ, ରାଷକୋଷ ଉପରେ ଅସ୍ଥିରତା ସୃଷ୍ଟିର ଦ୍ୱାହି ଦେଇ ଓପିଏସର ପୁନଃ ପ୍ରଚଳନ ସମ୍ଭବ ନୁହେଁ ବୋଲି ୧୧ ଅଗଷ୍ଟ ୨୦୨୫ରେ ଲୋକସଭା ତାରକା ପ୍ରଶ୍ନ ସଂଖ୍ୟା ୩୦୮ର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଉକ୍ତି ସମସ୍ତ ପେନସନଭୋଗୀଙ୍କୁ ବ୍ୟଥିତ କରିଛି। ନିଜ ନିଜ ରାଜ୍ୟରେ ଓପିଏସର ପୁନଃ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିବା ଛତିଶଗଡ଼, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଓ ରାଜସ୍ଥାନ ସରକାରମାନେ ଏନପିଏସ୍ କର୍ପସ ପାଣ୍ଠିର ପ୍ରତ୍ୟାର୍ପଣ ପାଇଁ ଯଥାକ୍ରମେ ୨୨୪୯୯.୮୦, ୧୧୧୧୧.୯୩, ୧୪୩୬୮.୬୭, ୩୧୯୬୦.୪୩ ଓ ୫୯୮୮୪.୧୧ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ ମଧ୍ୟ, ପେନସନ୍ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମରେ ସେଭଳି କୌଣସି ପ୍ରାବଧାନ ନାହିଁ କହି କେନ୍ଦ୍ର ସରକାର ୧୧ ଅଗଷ୍ଟ ୨୦୨୫ରେ ଲୋକସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୩୪୫୪ର ଉତ୍ତର ରଖି ସିଧାସଳଖ ପ୍ରତ୍ୟାଖ୍ୟାନ କଲେ ଯାହା ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ଏକ ଶକ୍ତ ଧକ୍କା।
ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ, ଏବେ ପ୍ରଶ୍ନ ଉଠେ ଯଦି ଅଷ୍ଟମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ହେବା ଦିନଠାରୁ କର୍ମଚାରୀଙ୍କ ଅବସର ତାରିଖକୁ ନେଇ ପେନସନଭୋଗୀଙ୍କ ମଧ୍ୟରେ କୌଣସି ପାତରଅନ୍ତର ସୃଷ୍ଟି ହେବାର ନାହିଁ, ତେବେ ବିତ୍ତ ବିଧେୟକ ୨୦୨୫ର ଅଂଶ ବିଶେଷ ଭାବେ ଏଭଳି ବୈଧକରଣର କି ଆବଶ୍ୟକତା ଥିଲା? ସରକାରଙ୍କ ସ୍ପଷ୍ଟୀକରଣ ଓ ବିଜ୍ଞପ୍ତିକୁ ଅପେକ୍ଷା କରିବା ବ୍ୟତୀତ କର୍ମଚାରୀ ଓ ପେନସନଭୋଗୀଙ୍କର ଅନ୍ୟ କୌଣସି ଉପାୟ ନାହିଁ କିମ୍ବା ସେମାନଙ୍କ ସହ ପୂର୍ବରୁ ବାରମ୍ବାର ଯେଭଳି ଘଟଣାମାନ ଘଟିଛି, ସରକାର ଯେ ନିଜର ପ୍ରତିଶ୍ରୁତି ଠିକ୍ ଠାକ୍ ପାଳନ କରିବେ ସେ ବିଶ୍ୱାସ ବି ନାହିଁ। ଉଦାହରଣ ସ୍ୱରୂପ, ୨୪ ଅଗଷ୍ଟ ୨୦୨୪ର ପ୍ରେସ ଇସ୍ତାହାରରେ କେନ୍ଦ୍ର ସରକାର ୟୁପିଏସ୍ ଅଧିନରେ ସୁନିଶ୍ଚିତ ପେନ୍ସନ୍, ସୁନିଶ୍ଚିତ ପାରିବାରିକ ପେନ୍ସନ୍ ଓ ସୁନିଶ୍ଚିତ ସର୍ବନିମ୍ନ ପେନସନ୍ ଯୋଗେଇ ଦେବାକୁ କହି ୨୫ ଜାନୁଆରୀ ୨୦୨୫ର ରାଜପତ୍ର ବିଜ୍ଞପ୍ତିରେ ପେନସନ୍ ବଦଳରେ ପେଆଉଟ୍ ଶବ୍ଦ ବ୍ୟବହାର କର୍ମଚାରୀଙ୍କ ଉପରେ ଜୋରଜବରଦସ୍ତି ଏକ ଭିନ୍ନ ବ୍ୟବସ୍ଥା ଲଦି ଦେଇଛନ୍ତି। ଅର୍ଥାତ ୟୁପିଏସର ପ୍ରଚଳନ ଦ୍ଵାରା ପେନସନ ବ୍ୟବସ୍ଥା ଉଚ୍ଛେଦ ହୋଇ ଏବେ ପେଆଉଟ୍ ବ୍ୟବସ୍ଥାର ଅୟମାରମ୍ଭ ହେଲା ଯାହା ଏନପିଏସ୍ ଉପଭୋକ୍ତାମାନଙ୍କର ଏକ ଇଛାଧିନ ବ୍ୟାପାର। ୩୧ ଅଗଷ୍ଟ ୨୦୨୫ ସୁଦ୍ଧା ଅନ୍ୟୁନ ୨୩ ଲକ୍ଷ ଉପଭୋକ୍ତା ଏନପିଏସରୁ ୟୁପିଏସକୁ ଯିବାପାଇଁ ସରକାର ଆଶା ରଖିଥିଲେ ମଧ୍ୟ, ପେନସନର ସୁରକ୍ଷାରେ ଦ୍ୱନ୍ଦ ଓ ସଂଶୟ ଯୋଗୁଁ ମାତ୍ର ୩୧୫୫୫ ଜଣ (୧.୩୭%) ଲିଖିତ ଇଛାପତ୍ର ପ୍ରଦାନ କରିଛନ୍ତି, ଯେଉଁଥିପାଇଁ ସରକାର ଇଛାପତ୍ର ପ୍ରଦାନ କରିବାର ଶେଷ ତାରିଖକୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ସମ୍ପୂର୍ଣ୍ଣ ଚାକିରୀ କାଳରେ ମାତ୍ର ଥରୁଟିଏ ପେନସନ ଯୋଜନାରେ ଅଦଳବଦଳ କରିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି ଯାହା ପୂର୍ବରୁ ନିଷିଦ୍ଧ ଥିଲା।
ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏକ ନିର୍ବାଚିତ ସରକାର ନିଜେ ନିଜର ପ୍ରତିଶ୍ରୁତି ସହ ସାମ୍ବିଧାନିକ ବିଧିବ୍ୟବସ୍ଥାର ଉଲଂଘନ ଓ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଅବମାନନା କରିବା ଗଣତନ୍ତ୍ର ପ୍ରତି ଏକ କଠୋର ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ପେନସନ୍ ସଂଶୋଧନରେ ଏବଂ ବେତନ ଆୟୋଗଙ୍କ ସୁପାରିଶ ଲାଗୁରେ ବିତ୍ତ ବିଧେୟକ ୨୦୨୫କୁ ନେଇ ଏବେ ସରକାର କୋୖଣସି ପାତରଅନ୍ତର ନୀତି ରହିବ ନାହିଁ ବୋଲି ଯେଉଁ ସ୍ପଷ୍ଟୀକରଣ ଦେଇ ବିଜ୍ଞପ୍ତି ଜାରିକରିବା କଥା କହୁଛନ୍ତି, ଭବିଷ୍ୟତରେ ପେନସନର ସୁରକ୍ଷା ଦୃଷ୍ଟିରୁ ସେସବୁ ଅଷ୍ଟମ ବେତନ ଆୟୋଗର ନିର୍ଦ୍ଧାରିତ ସର୍ତ୍ତାବଳୀରେ ସ୍ଥାନିତ କରିବାକୁ କର୍ମଚାରୀ ପକ୍ଷରୁ ଦାବି ଜୋରଦାର ହେଉଛି।
******

No comments:
Post a Comment