ଆପଣମାନେ ଅବଗତ ଅଛନ୍ତି ଯେ କେନ୍ଦ୍ର ସରକାର ୧୬ ଜାନୁଆରୀ ୨୦୨୫ରୁ ଅଷ୍ଟମ ବେତନ ଆୟୋଗ ଗଠନର ଘୋଷଣା କରି ଆୟୋଗଙ୍କ ପ୍ରସ୍ତାବିତ ସର୍ତ୍ତାବଳୀ ନିର୍ଦ୍ଧାରଣ ପାଇଁ କର୍ମଚାରୀ ପକ୍ଷରୁ ମତାମତ ଲୋଡି ୧୦ ଫେବୃଆରୀରେ ଏକ ବୈଠକ ମଧ୍ୟ କରି ସାରିଛନ୍ତି। ସର୍ତ୍ତାବଳୀର ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ, ୨୫ ମାର୍ଚ୍ଚ ୨୦୨୫ରେ ବିତ୍ତ ବିଧେୟକ / ଅଧିନିୟମ ୨୦୨୫ ଜରିଆରେ କେନ୍ଦ୍ର ସରକାର ବେତନ ଆୟୋଗର ସୁପାରିଶ କର୍ମଚାରୀଙ୍କର ଅବସର ଗ୍ରହଣ ଦିବସକୁ ନେଇ ଲାଗୁ କରିବାକୁ ଏକ ପାତରଅନ୍ତର ନୀତି ଅବଲମ୍ବନ କରିବାକୁ ଚାହୁଁଛନ୍ତି। ଏବେ ଶ୍ରମିକ-କର୍ମଚାରୀ ଓ ପେନସନଭୋଗୀଙ୍କ ମଧ୍ୟରେ କେବଳ ସେଇ କଥା ହିଁ ଆଲୋଚନା ତଥା ବିରୋଧର ମୂଖ୍ୟ ବିଷୟବସ୍ତୁ।
ଏହି ପରିପ୍ରେକ୍ଷୀରେ ପ୍ରଥମ ବେତନ ଆୟୋଗରୁ ଏଯାବତ ବିଭିନ୍ନ ବେତନ ଆୟୋଗମାନଙ୍କର ସୁପାରିଶକୁ ନେଇ କୋଟିକୋଟି ଶ୍ରମିକ, କର୍ମଚାରୀ ଓ ପେନସନଭୋଗୀଙ୍କ ଭାଗ୍ୟଭବିଷ୍ୟ ସହ ଜୋଡି ହୋଇ ରହିଥିବା କିଛି ମୂଖ୍ୟ ତଥା ରୋଚକ ତଥ୍ୟ ଆଧାରରେ ପ୍ରସ୍ତୁତ ମୋର ଏକ ଦୀର୍ଘ ଲେଖା “ବେତନ ଆୟୋଗ: କିଛି କଥା, କିଛି ବ୍ୟଥା”କୁ #ନୂଆଦୁନିଆ ସାପ୍ତାହିକ ତାଙ୍କର ୭ରୁ ୧୩ ଅପ୍ରେଲ ୨୦୨୫ ସଂଖ୍ୟାରେ ସ୍ଥାନିତ କରିଥିବାରୁ, ନୂଆଦୁନିଆର ସମ୍ପାଦକ ଓ ସମ୍ପାଦନା ମଣ୍ଡଳୀର ସମସ୍ତ କର୍ମକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ।
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ବେତନ ଆୟୋଗ: କିଛି କଥା, କିଛି ବ୍ୟଥା
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ବେତନ ସଂଶୋଧନ ପାଇଁ ପ୍ରାୟ ପ୍ରତି ଦଶ ବର୍ଷରେ କେନ୍ଦ୍ରୀୟ ବେତନ ଆୟୋଗ ଗଠିତ ହୋଇଥାଏ ଏବଂ ଆୟୋଗଙ୍କ ସୁପାରିଶ ଅନୁସାରେ ଭାରତ ସରକାର କ୍ୟାବିନେଟ ଅନୁମୋଦନ କ୍ରମେ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବା ସହ ବେତନ ଓ ଭତ୍ତାର ବୃଦ୍ଧି ନିମିତ୍ତ ନିଷ୍ପତ୍ତି ନିଅନ୍ତି ଯାହା ପରବର୍ତ୍ତୀ ସମୟରେ ରାଜ୍ୟ ସରକାରମାନେ କାର୍ଯ୍ୟକାରୀ କରିଥାନ୍ତି। କିନ୍ତୁ ଅନେକ ସମୟରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଭାରତର ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ମଇ ୧୯୪୬ରେ ନିଯୁକ୍ତ ପ୍ରଥମ ବେତନ ଆୟୋଗର ସୁପାରିଶ ମଇ ୧୯୪୭ରେ ଲାଗୁ ହେବାର ଦଶ ବର୍ଷ ପରେ ଅଗଷ୍ଟ ୧୯୫୭ରେ ଦ୍ୱିତୀୟ ବେତନ ଆୟୋଗ ବସିଥିଲା। ଯଦି ଏହିଭଳି ପ୍ରତି ଦଶ ବର୍ଷ ଅନ୍ତରରେ ଠିକ ଠିକ ବେତନ ଆୟୋଗଙ୍କ ନିଯୁକ୍ତି ଓ ସୁପାରିଶ ଲାଗୁ ହେଇଥାନ୍ତା, ତାହେଲେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଜାନୁୟାରୀ ୨୦୧୬ ପରିବର୍ତ୍ତେ ୨୦୦୭ରୁ ଓ ଅଷ୍ଟମ ବେତନ ଆୟୋଗର ସୁପାରିଶ ୨୦୧୭ରୁ ଲାଗୁ ହେଇସାରିଥାନ୍ତା। କିନ୍ତୁ ଦ୍ୱିତୀୟ ବେତନ ଆୟୋଗ ତାଙ୍କର ସୁପାରିଶ ଅଗଷ୍ଟ ୧୯୫୯ରେ ଦାଖଲ କରିବାର ପ୍ରାୟ ୧୧ ବର୍ଷ ପରେ ଅର୍ଥାତ ଏପ୍ରିଲ ୧୯୭୦ରେ ତୃତୀୟ ବେତନ ଆୟୋଗଙ୍କ ନିଯୁକ୍ତି ହେଲା ଯାହା ମାର୍ଚ୍ଚ ୧୯୭୩ରେ ସରକାରଙ୍କୁ ତାଙ୍କର ସୁପାରିଶ ଦାଖଲ କରିଥିଲେ। ୧୯୮୩ରେ ଗଠିତ ଚତୁର୍ଥ ବେତନ ଆୟୋଗ ତାଙ୍କ ସୁପାରିଶ ୧୯୮୬ରେ ଦାଖଲ କଲେ। କେନ୍ଦ୍ର ସରକାର ଏହି ସୁପାରିଶକୁ ପିଛିଲା ଭାବେ ଜାନୁୟାରୀ ୧୯୮୩ରୁ ଲାଗୁ ନକରି ୧୯୮୬ରୁ ଲାଗୁକଲେ।
ପରବର୍ତ୍ତୀ ସମୟରେ, ପଞ୍ଚମ, ଷଷ୍ଠ ଓ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଠିକ ଠିକ ଦଶ ବର୍ଷ ଅନ୍ତରରେ ଯଥାକ୍ରମେ ଜାନୁୟାରୀ ୧୯୯୬, ୨୦୦୬ ଓ ୨୦୧୬ରୁ ଲାଗୁହେଲା। ତେଣୁ ବିଶେଷ ଭାବରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ବେତନ ଆୟୋଗଙ୍କ ନିଯୁକ୍ତି ଓ ସୁପାରିଶ ଲାଗୁ କରିବାରେ ସରକାରଙ୍କ ଇଛାକୃତ ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଭାରତ ବର୍ଷର କୋଟିକୋଟି କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ୨୦୧୭ରୁ ଦୀର୍ଘ ୭ ବର୍ଷ ଧରି ଅଷ୍ଟମ ବେତନ ଆୟୋଗର ସୁପାରିଶରୁ ବଞ୍ଚିତ ଅଛନ୍ତି। ଦ୍ଵିତୀୟରେ, ସପ୍ତମ ବେତନ ଆୟୋଗ, ଯାହାଙ୍କ ସୁପାରିଶ ଜାନୁଆରୀ ପହିଲା ୨୦୧୬ରୁ ଲାଗୁ ହୋଇଥିଲା ତାହା ପ୍ରାୟ ଦୁଇ ବର୍ଷ ପୂର୍ବରୁ ୨୮ ଫେବୃଆରୀ ୨୦୧୪ରେ ଗଠିତ ହୋଇଥିଲା। ଦଶ ବର୍ଷର ଅବଧିକୁ ହିଁସାବ କଲେ ଅଷ୍ଟମ ବେତନ ଆୟୋଗର ସୁପାରିଶ ଜାନୁଆରୀ ପହିଲା ୨୦୨୬ରୁ ଲାଗୁ ହେବ। ଅପରପକ୍ଷେ, ବେତନ ଆୟୋଗ ସରକାରଙ୍କୁ ତାଙ୍କର ବିବରଣୀ ଦାଖଲ କରିବାକୁ ଅନ୍ୟୁନ ଦୁଇ ବର୍ଷ ସମୟ ନେଇଥାନ୍ତି ଏବଂ ସରକାରଙ୍କୁ ସୁପାରିଶ ସମୂହ ବିଚାର କରି ଅନୁମୋଦନ କରିବା ପାଇଁ ତିନିରୁ ଛଅ ମାସ ସମୟ ଲାଗିଯାଏ। ସେହି ଦୃଷ୍ଟିରୁ ବିଚାର କଲେ ଅଷ୍ଟମ ବେତନ ଆୟୋଗର ଆଗୁଆ ଗଠନ ଉପରେ କର୍ମଚାରୀ ପକ୍ଷରୁ ବାରମ୍ବାର ଅନୁରୋଧ ପରେ ସରକାର ତାଙ୍କର ନକାରାତ୍ମକ ମନୋବୃତ୍ତିକୁ ସଂସଦରେ ବହୁବାର ପ୍ରତିପାଦିତ କରିଥିଲେ।
ଏଠି କହିରଖିବା ଉଚିତ ହେବ ଯେ "ସରକାର କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ବେତନ, ଭତ୍ତା ଓ ପେନସନ ସଂଶୋଧନ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନ ନକରିବାକୁ ବିଚାର କରୁଛନ୍ତି କି?" ବୋଲି ରାଜ୍ୟସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୧୮୦୭ର ଜବାବରେ ଉତ୍ତର ରଖି ତତ୍କାଳୀନ ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ୨ ଅଗଷ୍ଟ ୨୦୨୨ରେ ମନା କରିଥିଲେ ଯାହାକୁ ବିରୋଧକରି ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ଅନ୍ତର୍ଗତ ରେଳବାଇ ଓ ନିରାପତ୍ତା କର୍ମଚାରୀ, ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନେ ୨୦୨୩ରେ ବର୍ଷ ତମାମ ପୁରୁଣା ପେନସନର ପୁନଃ ପ୍ରଚଳନ ସହ ଅଷ୍ଟମ ବେତନ ଆୟୋଗର ଗଠନ ଓ ଅନ୍ୟାନ୍ୟ ଦାବି ପାଇଁ ପାର୍ଲିଆମେଣ୍ଟ ଘେରାଉ ସହ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ ମଧ୍ୟ ସରକାର ତାଙ୍କ ଜିଦିରେ ଅଟଳ ରହିଥିଲେ। ପୁନର୍ବାର “ଅଭୁତପୂର୍ବ ମୁଦ୍ରାସ୍ଫୀତିର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭାରତ ସରକାର ଫେବୃଆରୀ ୨୦୨୫ ବଜେଟରେ ଅଷ୍ଟମ ବେତନ ଆୟୋଗ ଗଠନ ସମ୍ପର୍କିତ ଘୋଷଣା କରିବାକୁ ସକ୍ରିୟ ଭାବେ ବିଚାର କରୁଛନ୍ତି କି?” - ୩ ଡିସେମ୍ବର ୨୦୨୪ରେ ରାଜ୍ୟସଭାର ଏହି ଅଣତାରକା ପ୍ରଶ୍ନ ସଂଖ୍ୟା ୮୪୦ର ଉତ୍ତର ରଖି ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ବର୍ତ୍ତମାନ ସେଭଳି କୋୖଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ନାହିଁ ବୋଲି କହିଥିଲେ। “କେନ୍ଦ୍ର ସରକାରଙ୍କ ବିତ୍ତିୟ ସ୍ଥିତି କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ଅନୁମତି ପ୍ରଦାନ କରୁନାହିଁ କି?” - ସେହି ପ୍ରଶ୍ନର ଦ୍ୱିତୀୟ ଭାଗରେ ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ‘ସେଭଳି ପ୍ରଶ୍ନ ଉଠୁନାହିଁ’ ନାହିଁ ବୋଲି ମଧ୍ୟ ଉତ୍ତର ରଖିଥିଲେ। ଅର୍ଥାତ ବେତନ ଆୟୋଗ ଗଠନ ଓ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ରାଜକୋଷୀୟ ବାଧା ବନ୍ଧନ କିଛି ନାହଁ। ଉପରୋକ୍ତ ଉତ୍ତରର ଜବାବରେ କର୍ମଚାରୀ ପକ୍ଷ ଜାତୀୟ ପରିଷଦ ତରଫରୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କୁ ତୁରନ୍ତ ସେହି ୩ ଡିସେମ୍ବର ୨୦୨୪ରେ ଅଷ୍ଟମ ବେତନ ଆୟୋଗ ଗଠନର ଯଥାର୍ଥତା ଉପରେ ଗୁରୁତ୍ୱାରୋପ କରି ଚିଠି ଲେଖାଗଲା।
ଅଷ୍ଟମ ବେତନ ଆୟୋଗ ଗଠନକୁ ବାରମ୍ବାର ଟାଳି ଦେଉଥିବା କେନ୍ଦ୍ର ସରକାର ହଠାତ୍ ୧୬ ଜାନୁଆରୀ ୨୦୨୫ରେ ବେତନ ଆୟୋଗ ଗଠନକୁ ନେଇ ବିନା କ୍ୟାବିନେଟ ଅନୁମୋଦନରେ ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ଘୋଷଣା କଲେ। କେନ୍ଦ୍ର ସରକାରଙ୍କ ତରଫରୁ ମାନ୍ୟବର କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଘୋଷଣା କରି କହିଲେ, “କ୍ୟାବିନେଟରେ ନଥିଲେ ମଧ୍ୟ ଆପଣମାନଙ୍କ ସୂଚନା ପାଇଁ ଏ କଥା କହିବା ପାଇଁ ଚାହେଁ କି ମାନନୀୟ ପ୍ରଧାନମନ୍ତ୍ରୀ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି।” ଏ ଭିତରେ ଖବରଟି ଚାରିଆଡ଼େ ନିଆଁ ଭଳି ମାଡ଼ି ଯାଇଥିଲେ ବି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ୟାବିନେଟ କିମ୍ବା ଅର୍ଥ ମନ୍ତ୍ରାଳୟ ତରଫରୁ କୌଣସି ଆନୁଷ୍ଠାନିକ ପ୍ରେସ ଇସ୍ତାହାର ଏପର୍ଯ୍ୟନ୍ତ ଜାରି କରାଯାଇନାହିଁ। କିନ୍ତୁ ତା ସତ୍ତ୍ଵେ ବି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅଷ୍ଟମ ବେତନ ଆୟୋଗ ଗଠନ ପୂର୍ବରୁ ତା'ର ପ୍ରସ୍ତାବିତ ସର୍ତ୍ତାବଳୀ ଉପରେ ମତାମତ ରଖିବା ପାଇଁଁ କର୍ମଚାରୀ ପକ୍ଷକୁ ୨୩ ଜାନୁଆରୀ ୨୦୨୫ରେ ଅନୁରୋଧ କଲାପରେ, କର୍ମଚାରୀ ପକ୍ଷ ତା'ର ମତାମତ ୩ ଫେବୃଆରୀ ୨୦୨୫ରେ ଦାଖଲ କରିଛି ଏବଂ ୧୦ ଫେବୃଆରୀ ୨୦୨୫ରେ କାର୍ମୀକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ କର୍ମଚାରୀ ପକ୍ଷ ସହ ପ୍ରଶାସନିକ ପକ୍ଷର ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନ ସମ୍ପୁର୍ଣ୍ଣ ସର୍ତ୍ତାବଳୀ ସହ ଅଷ୍ଟମ ବେତନ ଆୟୋଗ ଗଠନ ସମ୍ପର୍କିତ ରାଜପତ୍ର ବିଜ୍ଞପ୍ତି ପ୍ରକାଶନକୁ ଅପେକ୍ଷା। ଏହି ପରିପ୍ରେକ୍ଷୀରେ କୋଟିକୋଟି ଶ୍ରମିକ, କର୍ମଚାରୀ ଓ ପେନସନଭୋଗୀଙ୍କ ଭାଗ୍ୟଭବିଷ୍ୟ ସହ ଜୋଡି ହୋଇ ରହିଥିବା ବେତନ ଆୟୋଗମାନଙ୍କର ଗଠନ ଓ କାର୍ଯ୍ୟକାରିତା ସଂପର୍କରେ କିଛି ମୌଳିକ ତଥ୍ୟ ଆଲୋଚନା କରିବା ଉଚିତ୍ ମନେହୁଏ।
ସମ୍ବିଧାନ ପ୍ରଣୟନର ଯଥେଷ୍ଟ ପୂର୍ବରୁ କର୍ମଚାରୀଙ୍କର ବଞ୍ଚିବାର ମୌଳିକ ଅଧିକାରକୁ ସମ୍ମାନ ଜଣେଇ ସର୍ବନିମ୍ନ ବେତନପ୍ରଦାନ ନିମନ୍ତେ ୧୯୪୬ ମଇ ମାସରେ ଶ୍ରୀନିବାସ ବରଦାଚାରିଆଙ୍କ ଅଧ୍ୟକ୍ଷତାରେ ଗଠିତ ହୁଏ ପ୍ରଥମ ବେତନ ଆୟୋଗ ଯିଏ ସବୁଠୁ ତଳ ସ୍ତରରେ କାମକରୁଥିବା କର୍ମଚାରୀକୁ ସର୍ବନିମ୍ନ ମଜୁରୀ ପ୍ରଦାନ ନିମିତ୍ତ ସୁପାରିଶ କରିବା ସହ କାର୍ଯ୍ୟାବସ୍ଥା ଓ ଶିକ୍ଷାଗତ ଯୋଗ୍ୟତାକୁ ପ୍ରାଧାନ୍ୟ ଦେଇଥିଲେ। ଅଗଷ୍ଟ ୧୯୫୭ରେ ଶ୍ରୀଯୁକ୍ତ ଜଗନ୍ନାଥ ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ଦ୍ୱିତୀୟ ବେତନ ଆୟୋଗ ଏବଂ ଏପ୍ରିଲ ୧୯୭୦ରେ ରଘୁବୀର ଦୟାଲଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ତୃତୀୟ ବେତନ ଆୟୋଗ। କର୍ମଚାରୀଙ୍କୁ ଆତ୍ମସନ୍ତୋଷରେ ବାନ୍ଧି ରଖିବାର ଅଭିପ୍ରାୟରେ ବେତନ ଗଠନରେ ଅନ୍ତର୍ନିବେଶକରଣ, ବ୍ୟାପକତା ଓ ପର୍ଯ୍ୟାପ୍ତତାକୁ ପ୍ରାଧାନ୍ୟ ଦେଇ ମାର୍ଚ୍ଚ ୧୯୭୩ରେ ତାଙ୍କର ସୁପାରିଶ ଦାଖଲ କଲେ ଅଧ୍ୟକ୍ଷ ରଘୁବିର ଦୟାଲ । ଜୁନ୍ ୧୯୮୩ ମସିହାରେ ପିଏନ୍ ସିଂଘଲଙ୍କ ଅଧ୍ୟକ୍ଷତାରେ ଗଠିତ ଚତୁର୍ଥ ବେତନ ଆୟୋଗ ନୂତନ ଭାବରେ ୫୧ଟି ପେ-ସ୍କେଲ ସହ ୩ଟି ପର୍ଯ୍ୟାୟରେ ୪ ବର୍ଷରେ ତାଙ୍କର ସୁପାରିଶ ଦାଖଲ କଲେ। ୧୯୯୪ରେ ବିଚାରପତି ଏସ୍ଆର ପାଣ୍ଡିଆନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ପଞ୍ଚମ ବେତନ ଆୟୋଗ । ସମୁଦାୟ ପେ-ସ୍କେଲକୁ ୩୪ରେ ସୀମିତ ରଖି ସେହି ସମୟରେ ଖାଲିଥିବା ଅନ୍ୟୁନ ୩,୫୦,୦୦୦ ପଦବୀକୁ ପୂରଣ ନକରିବା ପାଇଁ ଏବଂ କର୍ମଚାରୀ ସଂଖ୍ୟାକୁ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ପଞ୍ଚମ ବେତନ ଆୟୋଗ ସୁପାରିଶ କଲେ ଯାହାକି କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘର ତୀବ୍ର ବିରୋଧ ଯୋଗୁଁ ସମ୍ଭବ ହୋଇ ନଥିଲା । ୨୦୦୬ରେ ବିଚାରପତି ବି.ଏନ୍, ଶ୍ରୀକୃଷ୍ଣଙ୍କ ଅଧ୍ୟକ୍ଷତାରେ ଗଠିତ ଷଷ୍ଟ ବେତନ ଆୟୋଗ ୨୩.୩.୨୦୦୮ରେ ତାଙ୍କର ବହୁ ଚର୍ଚ୍ଚିତ ସୁପାରିଶ ସରକାରଙ୍କୁ ପ୍ରଦାନ କଲେ ଯାହାର ଅନୁମୋଦନ ପିଛିଲା ଭାବେ ଜାନୁଆରୀ ପହିଲା ୨୦୦୬ରୁ ଲାଗୁ ହେଲା। ଫେବୃଆରୀ ୨୦୧୪ରେ ବିଚାରପତି ଅଶୋକ କୁମାର ମାଥୁରଙ୍କ ଅଧ୍ୟକ୍ଷତାରେ ଗଠିତ ସପ୍ତମ ବେତନ ଆୟୋଗ ୧୯.୧୧.୨୦୧୫ରେ ତାଙ୍କର ସୁପାରିଶ ସରକାରଙ୍କୁ ପ୍ରଦାନ କଲେ ଯାହା କ୍ୟାବିନେଟ ଅନୁମୋଦନ ପରେ ଜାନୁଆରୀ ପହିଲା ୨୦୧୬ରୁ ଲାଗୁ ହେଲା।
ବେତନ ଆୟୋଗମାନେ ସେମାନଙ୍କର ସୁପାରିଶ ସରକାରଙ୍କୁ ଦାଖଲ କରିବାର ପର ମୁହୂର୍ତ୍ତ ଠାରୁ ଅନୁମୋଦନ ଲାଗୁ ହେବା ପର୍ଯ୍ୟନ୍ତ ସାରା ଦେଶରେ ଚହଳ ପଡିଯାଏ। ସତେ ଯେମିତି କେନ୍ଦ୍ର ସରକାରୀ କର୍ମଚାରୀମାନେ ରାଜକୋଷକୁ ସମ୍ପୂର୍ଣ ଶୂନ୍ୟ କରିଦେବେ । ଗଣମାଧ୍ୟମ, ଜନସାଧାରଣ ସମସ୍ତେ ଚଳଚଞ୍ଚଳ ହୋଇ ଯାଆନ୍ତି। ସରକାରୀ କର୍ମଚାରୀଟିଏ ବି ଏ ଦେଶର ନାଗରିକ ଏବଂ ସରକାରଙ୍କ ଠାରୁ ସର୍ବନିମ୍ନ ସୁବିଧା ସୁଯୋଗ ଆଶା କରିବା ଯଥାର୍ଥ, ଏ କଥାକୁ ସମସ୍ତେ ଭୁଲିଯାଇ ବିଭିନ୍ନ ସମାଲୋଚନା କରନ୍ତି। ଏଇ ଯେମିତି ଅଷ୍ଟମ ବେତନ ଆୟୋଗ ଗଠନର ମାତ୍ର ଘୋଷଣାନାମାକୁ ନେଇ ଏବେ ଅନେକେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ନକାରାତ୍ମକ ମନ୍ତବ୍ୟ ଦେବା ଆରମ୍ଭ କରିଦେଲେଣି। ଯେମିତି କି ରାଜକୋଷକୁ କ୍ଷତି ପହଞ୍ଚାଇବା ପାଇଁ କେବଳ କର୍ମଚାରୀଙ୍କ ବେତନ ଓ ପେନସନ ଦାୟୀ, ଯାହା ସରକାରଙ୍କ ତରଫରୁ ୩ ଡିସେମ୍ବର ୨୦୨୪ରେ ରାଜ୍ୟସଭାର ଅଣତାରକା ପ୍ରଶ୍ନ ସଂଖ୍ୟା ୮୪୦ର ଉତ୍ତରରେ ଆଦୌ ନୁହେଁ। ଅନ୍ୟପକ୍ଷରେ ବେତନ ଆୟୋଗଙ୍କ ସୁପାରିଶ ପରେ ବି କର୍ମଚାରୀମାନଙ୍କର ଅସନ୍ତୋଷ କମେ ନାହିଁ। କାରଣ କ’ଣ ହେଇପାରେ? ପ୍ରକୃତ ତଥ୍ୟ ଓ ସତ୍ୟାସତ୍ୟ ଆଲୋଚନା ହେବା ବିଧେୟ। ଆଲୋଚନାକୁ ଟିକେ ନାତିଦୀର୍ଘ କରିବା ପାଇଁ ଆମେ ଷଷ୍ଠ ବେତନ ଆୟୋଗରୁ ଆରମ୍ଭ କରିବା।
ସମ୍ପୂର୍ଣ୍ଣ ଘରୋଇକରଣ, ଉଦାରୀକରଣ ଏବଂ ଜଗତୀକରଣର ଭିତ୍ତିଭୂମି ଉପରେ ପର୍ଯ୍ୟବେଶିତ ଷଷ୍ଠ ବେତନ ଆୟୋଗଙ୍କ ସୁପାରିଶ, ପୂର୍ବର ୩୪ଟି ବେତନ ହାରକୁ କମାଇ ନୂତନ ଭାବେ ଚାରିଗୋଟି ପେ-ବ୍ୟାଣ୍ଡ (ପେ-ବ୍ୟାଣ୍ଡ ୧, ୨, ୩ ଓ ୪) ଭିତ୍ତିରେ ସମୁଦାୟ ବେତନ ହାରକୁ ୨୦ଟିରେ ସୀମିତ ରଖିଲେ । ନୂତନ ବେତନ ପ୍ରଣାଳୀ ପ୍ରଚଳନ ଆଳରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତିକୁ ବାତିଲ କରିବା, ସର୍ବନିମ୍ନ ମଜୁରୀ ନିଦ୍ଧାରଣ କରିବାରେ ଏକଚାଟିଆ ମନୋବୃତ୍ତି ଆପଣେଇବା, ବେତନ ଗଠନ ପ୍ରଣାଳୀର ଅନୁଲମ୍ବ ଓ ଉଲମ୍ବ ସମ୍ପର୍କକୁ ଛିନ୍ନ କରିବା, ସର୍ବନିମ୍ନ ଓ ସର୍ବୋଚ୍ଚ ବେତନର ଆନୁପାତିକ ହାରକୁ ବୃଦ୍ଧି କରିବା ଆଦି ଅନେକ ଜନବିରୋଧୀ ଓ ପଶ୍ଚାତଗାମୀ ପଦକ୍ଷେପରେ ଭରପୁର ଷଷ୍ଠ ବେତନ ଆୟୋଗଙ୍କ ସୁପାରିଶ। ଏଠି କହି ରଖିବା ଉଚିତ ହେବ ଯେ ବେତନ ସଂଶୋଧନ ପାଇଁ ଯେତେଥର ଆୟୋଗମାନ ଗଠିତ ହୋଇଛି, ପଞ୍ଚଦଶ ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀରେ ଗୃହୀତ ସୂତ୍ର ଆଧାରରେ ଆବଶ୍ୟକ ମୁତାବକ ସର୍ବନିମ୍ନ ବେତନ ନିର୍ଦ୍ଧାରଣ ପାଇଁ ଦାବି ହୋଇ ଆସୁଛି। ୨୦୦୬ ମସିହାରେ ଆଗାମୀ ୧୦ ବର୍ଷର ମୁଦ୍ରାସ୍ଫୀତିକୁ ଆଖିରେ ରଖି ଏବଂ ୨୫ ପ୍ରତିଶତ ଅତିରିକ୍ତ ବୃଦ୍ଧି ପାଇଁ ଉଚ୍ଚତମ ନ୍ୟାୟାଳୟର ଅନୁମୋଦନ ଓ ଅନ୍ୟାନ୍ୟ ଘରୋଇ ଆବଶ୍ୟକତା ପାଇଁ ଅତିରିକ୍ତ ୧୦ ପ୍ରତିଶତ ବୃଦ୍ଧିକୁ ବିଚାରକୁ ନେଇ ହିସାବ କଲେ ତିନି ଉପଭୋକ୍ତା ବିଶିଷ୍ଟ ଗୋଟିଏ ପରିବାର ପାଇଁ ସର୍ବନିମ୍ନ ମାସିକ ଖର୍ଚ୍ଚ ୯୭୩୦ ଟଙ୍କା ନିର୍ଦ୍ଧାରିତ ହୁଏ। ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ପକ୍ଷ ସର୍ବନିମ୍ନ ମାସିକ ଦଶହଜାର ଟଙ୍କା ଦାବି କରିଥିଲେ ଯାହାକୁ ଷଷ୍ଠ ବେତନ ଆୟୋଗ ପ୍ରତ୍ୟାଖ୍ୟାନ କଲେ। ସେହିଭଳି ସରକାରଙ୍କ ବେତନ ପ୍ରଦାନରେ ଅକ୍ଷମତାକୁ ବିଚାରକୁ ନେଇ ପଞ୍ଚମ ବେତନ ଆୟୋଗ କର୍ମଚାରୀମାନଙ୍କର ଆବଶ୍ୟକ ସର୍ବନିମ୍ନ ବେତନ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ ହେଁ ବିକଳ୍ପ ସ୍ୱରୂପ ବିଗତ ଦଶବର୍ଷର ନେଟ ଜାତୀୟ ଉତ୍ପାଦର ହାରାହାରି ଅଭିବୃଦ୍ଧିକୁ ବିଚାରକୁ ନେଇ ୨୦୦୩ ମସିହାରୁ ଷଷ୍ଠ ବେତନ ଆୟୋଗ ଗଠନ ପାଇଁ ପରାମର୍ଶ ଦେଇଥିଲେ । ୨୦୦୩ ପୂର୍ବ ଦଶନ୍ଧିରେ ହାରାହାରୀ ନେଟ୍ ଜାତୀୟ ଉତ୍ପାଦ ହାର ୫୬.୨ ପ୍ରତିଶତ ଥିଲା । ଷଷ୍ଠ ବେତନ ଆୟୋଗ ଯଦି ଏହି ନିୟମ ପାଳନ କରିଥାନ୍ତେ ତେବେ ସର୍ବନିମ୍ନ ଦରମା ୭୪୦୦ ଟଙ୍କା ହୋଇଥାନ୍ତା । କିନ୍ତୁ ଷଷ୍ଠ ବେତନ ଆୟୋଗ ମନଇଚ୍ଛା କଟାକଟି କରି ଟ.୫୪୭୮.୫୦ରେ ସୀମିତ ରଖିବା ପରେ କର୍ମଚାରୀ ଅସନ୍ତୋଷ ବଢିବାରୁ ସରକାର ସର୍ବନିମ୍ନ ବେତନକୁ ଟ୭୦୦୦.୦୦କୁ ପରିବର୍ତ୍ତିତ କଲେ।
ଅଧିକନ୍ତୁ, କର୍ମଚାରୀମାନଙ୍କର ସ୍ଵାର୍ଥରକ୍ଷା ପାଇଁ ଦ୍ଵିତୀୟ ବେତନ ଆୟୋଗ ଯେଉଁ ସୋପାନ ଭିତ୍ତିକ ବେତନ ନିଦ୍ଧାରଣ ପଦ୍ଧତି ଆପଣେଇଥିଲେ, ପରବର୍ତ୍ତୀ ବେତନ ଆୟୋଗଙ୍କ ନିକଟରେ ସେହି ପଦ୍ଧତିରେ ବେତନ ନିର୍ଦ୍ଧାରଣ ପାଇଁ ଦାବି ହୋଇ ଆସୁଥିଲେ ହେଁ ତାହା ପ୍ରତ୍ୟାଖ୍ୟାତ ହୋଇଛି । ୧୯୮୬ ମସିହାରେ ଚତୁର୍ଥ ବେତନ ଆୟୋଗର ସୁପାରିଶ ଲାଗୁ ହେବା ବେଳକୁ ବରିଷ୍ଠ କର୍ମଚାରୀଙ୍କ ପ୍ରତି ଯଥେଷ୍ଟ ଅନ୍ୟାୟ ହୋଇ ସାରିଥିଲା । କିନ୍ତୁ ଅତ୍ୟଧିକ ଆର୍ଥିକ ବୋଝର ଦ୍ୱାହି ଦେଇ ପଞ୍ଚମ ବେତନ ଆୟୋଗ ୧୯୯୭ରେ ଯଦିଓ ପ୍ରାଥମିକ ସ୍ତରରେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ବିକଳ୍ପ ସ୍ୱରୂପ ସାର୍ବଜନୀନ ଭାବେ ପ୍ରତ୍ୟକ ବେତନ ପର୍ଯ୍ୟାୟକୁ ୩.୨୫ ଗୁଣକୁ ବୃଦ୍ଧି କରିବା ପାଇଁ ସୁପାରିଶ କଲେ । ବେତନ ପର୍ଯ୍ୟାୟରେ ସାମ୍ୟତା ଆଣିବା ପାଇଁ ଅସଂଶୋଧିତ ମୂଳ ଦରମାର ୫୦% ମିଶ୍ରଣ ଦାବିକୁ ୧୯୯୭ ମସିହାରେ ମନ୍ତ୍ରୀସ୍ତରୀୟ ବୈଠକ ୪୦% ମିଶ୍ରଣ ପାଇଁ ନିଷ୍ପଇଁ ନେଲେ। ଏହି ଚୁକ୍ତିନାମା ଆଧାରରେ କର୍ମଚାରୀ ପକ୍ଷ ବେତନ ଆୟୋଗଙ୍କ ନିକଟରେ ୪୦% ବେତନ ବୃଦ୍ଧି ପାଇଁ ଦାବି କଲେ। କିନ୍ତୁ ଅତି କମ୍ରେ ବେତନ ବୃଦ୍ଧିକୁ ୨.୬୨୫ ଗୁଣରେ ସୀମିତ ରଖିବାକୁ ଷଷ୍ଠ ବେତନ ଆୟୋଗ ଯେଉଁ ପ୍ରତ୍ୟୟ ସୂତ୍ରିତ କଲେ ତାହା ପ୍ରକୃତରେ ପେ-ବ୍ୟାଣ୍ଡ ୧ ଓ ୨ରେ ସ୍ଥାନିତ ଚତୁର୍ଥ ଓ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୧.୮୬ରେ ଧାର୍ଯ୍ୟ ହୋଇଥିବାବେଳେ ପେ-ବ୍ୟାଣ୍ଡ ୩ରେ ସ୍ଥାନିତ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୨.୬୨୫ ଗୁଣ ହେଲା, ଯାହାକି ପୁନଶ୍ଚ ବେତନ ସଂଶୋଧନରେ ଆୟୋଗଙ୍କ ପାତର ଅନ୍ତର ନୀତିକୁ ସ୍ପଷ୍ଟ କଲା । ଏତଦ୍ଭିନ୍ନ ପେ-ବ୍ୟାଣ୍ଡ ୪ରେ ଗ୍ରେଡ଼ ପେ ଅସଂଶୋଧିତ ବେତନ ହାରର ସର୍ବୋଚ୍ଚ ସୀମାର ୫୦% ହିସାବ ହୋଇଥିବାବେଳେ, ପେ-ବ୍ୟାଣ୍ଡ ୧, ୨ ଓ ୩ରେ ୪୦% ହିସାବ ହୋଇଥିବାରୁ ଷଷ୍ଟ ବେତନ ଆୟୋଗଙ୍କ ସୁପାରିଶରେ ବେତନ ବୃଦ୍ଧି ଶତକଡା ୨୩ ରୁ ୮୬ ପର୍ଯ୍ୟନ୍ତ ବିଭେଦ ସୃଷ୍ଟି କଲା ।
ପ୍ରତ୍ୟେକ ବେତନ ଆୟୋଗ ବେତନ ସଂଶୋଧନ ସହ ଭତ୍ତା ସଂଶୋଧନ ପାଇଁ ମଧ୍ୟ ସୁପାରିଶ କରିଥାନ୍ତି । କିନ୍ତୁ ଚତୁର୍ଥ ବେତନ ଆୟୋଗ ବେତନ ବୃଦ୍ଧିକୁ ୦୧.୦୧.୧୯୮୬ରୁ ଲାଗୁ କରି ଭତ୍ତା ସମୂହକୁ ପରବର୍ତ୍ତୀ ତାରିଖରୁ ଲାଗୁ କରିବା ପାଇଁ ଯେତେବେଳେ ସୁପାରିଶ କଲେ ତାହା ଜେସିଏମ୍ ଜାତୀୟ ପରିଷଦରେ ଆଲୋଚନା ପରେ ମଧ୍ୟସ୍ଥତା ମଣ୍ଡଳ ଉଭୟ ବେତନ ଓ ଭତ୍ତା ବୃଦ୍ଧିକୁ ୦୧.୦୧.୧୯୮୬ରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଲେ ଏବଂ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶକୁ ୧୯୯୦ରେ ଯଥାରୀତି ଲାଗୁ କଲେ। ପଞ୍ଚମ ବେତନ ଆୟୋଗ ମଧ୍ୟ ସେହିଭଳି ଭିନ୍ନ ଭିନ୍ନ ତାରିଖ ସୁପାରିଶ କରିଥିବାରୁ ମଧ୍ୟସ୍ଥତା ମଣ୍ଡଳ ଘରଭଡ଼ା ଭତ୍ତା ଆଦିକୁ ଅସଂଶୋଧିତ ହାରରେ କିନ୍ତୁ ସଂଶୋଧିତ ବେତନରେ ଦେବା ପାଇଁ ନିର୍ଦ୍ଦେଶ ଦେଲେ ଯାହାକି ଏପର୍ଯ୍ୟନ୍ତ ଲାଗୁ ହୋଇପାରିଲା ନାହିଁ। ପଞ୍ଚମ ବେତନ ଆୟୋଗଙ୍କ ସୁପାରିଶ ମୁତାବକ ଯଦି ଷଷ୍ଠ ବେତନ ଆୟୋଗ ୨୦୦୩ ମସିହାରୁ ବସିଥାନ୍ତା, ତେବେ ସମସ୍ତ କର୍ମଚାରୀ ନିର୍ଦ୍ଧାରିତ ୦୧.୦୧.୨୦୦୬ରୁ ସଂଶୋଧିତ ବେତନ ଓ ଭତ୍ତା ପାଇଥାନ୍ତେ। କିନ୍ତୁ ସରକାରଙ୍କ କାଳକ୍ଷେପଣ ନୀତି ଯୋଗୁଁ ତାହା ସମ୍ଭବ ହେଲା ନାହିଁ ।
ବେତନର ବାସ୍ତବିକ ମୂଲ୍ୟକ୍ଷରଣର କ୍ଷତି ପୂର୍ତ୍ତି ପାଇଁ ମହଙ୍ଗା ଭତ୍ତାକୁ ମୂଳ ଦରମାରେ ମିଶ୍ରଣ ବେତନ ସଂଶୋଧନର ଅନ୍ୟ ଏକ ଦିଗ। ଦ୍ଵିତୀୟ ବେତନ ଆୟୋଗଙ୍କ ପରବର୍ତ୍ତୀ ସମୟରେ ଏହା ପ୍ରଥମେ ଗାଡଗିଲ କମିଟି ନିକଟରେ ଉପସ୍ଥାପିତ କରାଯାଇଥିଲା। ଯେବେ ସୂଚକାଙ୍କ ୨୭୨ ପଏଣ୍ଟ ଟପିଯାଏ ଅର୍ଥାତ ବେତନ ସଂଶୋଧନ ପାଇଁ ଗ୍ରହଣ କରାଯାଇଥିବା ଆଧାର ସୂଚକାଙ୍କରୁ ୭୨ ପଏଣ୍ଟ ଉର୍ଦ୍ଧକୁ ଚାଲିଯାଏ, ଏକା ପ୍ରକାର ମିଶ୍ରଣ ପାଇଁ ତୃତୀୟ ବେତନ ଆୟୋଗ ମଧ୍ୟ ସୁପାରିଶ କରିଥିଲେ। ଅନ୍ୟ ଅର୍ଥରେ ୩୬% ଟପିଗଲେ ତୃତୀୟ ବେତନ ଆୟୋଗ ମିଶ୍ରଣ ଚାହୁଁଥିଲେ। କେସିଏମ୍ ଜାତୀୟ ପରିଷଦ ଆରମ୍ଭରେ ୬୦% ମହଙ୍ଗା ଉତ୍ତାର ମିଶ୍ରଣ କରିବା ଏବଂ ପରେ ଯେତେବେଳେ ଚତୁର୍ଥ ବେତନ ଆୟୋଗ ଗଠିତ ହେଲା ତାହା ପୂର୍ବରୁ ମହଙ୍ଗା ଭତ୍ତା ମିଶ୍ରଣ ଉପରେ ସରକାର ସହମତ ହେଲେ। ମହଙ୍ଗା ଭତ୍ତା କ୍ଷତି ପୂର୍ତ୍ତି ୫୦%ରୁ ଅଧିକ ହେଲେ ତାକୁ ମୂଳ ବେତନରେ ମିଶ୍ରଣ କରି ମୋଟ ପରିମାଣକୁ ସମସ୍ତ ଭତ୍ତାର ଗଣନା ପାଇଁ ବେତନ ରୂପେ ଗ୍ରହଣ କରିବାକୁ ପଞ୍ଚମ ବେତନ ଆୟୋଗ ସୁପାରିଶ କଲେ। ତେଣୁ ଷଷ୍ଠ ବେତନ ଆୟୋଗ ଗଠନ ପୂର୍ବରୁ ୫୦% ମହଙ୍ଗା ଭତ୍ତା ମୂଳ ବେତନ ସହ ମିଶ୍ରଣ କରାଯାଇଥିଲା। କିନ୍ତୁ ପରିତାପର ବିଷୟ ଏହି ଯେ ୦୧.୦୧.୨୦୧୧ରେ ମହଙ୍ଗା ଭତ୍ତା ୫୧% ହୋଇଥିଲେ ମଧ୍ୟ ମୂଳ ଦରମାରେ ମିଶ୍ରଣ ପାଇଁ କର୍ମଚାରୀ ପକ୍ଷର ଦାବିକୁ ସରକାର କର୍ଣ୍ଣପାତ କଲେ ନାହିଁ ଏବଂ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ ଦାବିକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ । କର୍ମଚାରୀ ଅସନ୍ତୋଷର ତୀବ୍ରତା ଏବଂ ବାରମ୍ବାର ଧର୍ମଘଟରେ ବିବ୍ରତ ୟୁପିଏ-୨ ସରକାର ଶେଷ ମୁହୁର୍ତ୍ତରେ ଫେବୃଆରୀ ୨୦୧୪ରେ ସପ୍ତମ ବେତନ ଆୟୋଗ ଗଠିତ କଲେ ।
ଦେଶର ଏକ କୋଟିରୁ ଉର୍ଦ୍ଧ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଆଶା ଆକାଂକ୍ଷାକୁ ଧୂଳିସାତ କରି ସପ୍ତମ ବେତନ ଅୟୋଗ ୧୯ ନଭେମ୍ବର ୨୦୧୫ରେ କେନ୍ଦ୍ର ସରକାରଙ୍କୁ ଯେଉଁ ସୁପାରିଶ କଲେ ତାହା ସମସ୍ତ କର୍ମଚାରୀ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କଲା । ସର୍ବନିମ୍ନ ବେତନ ନିର୍ଦ୍ଧାରଣରେ ପଞ୍ଚଦଶ ଆନ୍ତର୍ଜାତିକ ଶ୍ରମ ସମ୍ମିଳନୀରେ ସର୍ବସମ୍ମତିକ୍ରମେ ଗୃହୀତ, ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ପ୍ରସ୍ତୁତ ଏବଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଦ୍ୱାରା ସ୍ଵୀକୃତିପ୍ରାପ୍ତ ଡା, ଆକ୍ରୋଏଡଙ୍କ ଗାଣିତିକ ସୂତ୍ରର ଅପପ୍ରୟୋଗ କରିବା, ୫୨ ପ୍ରକାର ଭତ୍ତାକୁ ଉଚ୍ଛେଦ କରିବା, ୩୬ ପ୍ରକାର ଭତ୍ତାକୁ ବେତନ ସହ ମିଶାଇବା, ଘରଭଡ଼ା ଭତ୍ତା ଭଳି ଏକ ଅତ୍ୟାବଶ୍ୟକ ସୁବିଧାକୁ ସଙ୍କୁଚିତ କରିବା, ଦୀର୍ଘ ଦଶବର୍ଷର ବ୍ୟବଧାନ ପରେ ବି ପଦୋନ୍ନତିରେ କୌଣସି ପରିବର୍ତ୍ତନ ନଆଣିବା, ବାର୍ଷିକ ଇନକ୍ରିମେଣ୍ଟ ଓ ପଦୋନ୍ନତି ପର ବେତନ ସଂଶୋଧନକୁ ସ୍ଥିର ରଖିବା, ସମଗ୍ର ଚାକିରି କାଳ ଭିତରେ ପୂର୍ବରୁ ଉପଲବ୍ଧ ୩ ଗୋଟି ଆର୍ଥିକ ଉନ୍ନତିକୁ ଅପରିବର୍ତ୍ତିତ ରଖିବା, ସାମୟିକ ଛୁଟି, ପ୍ରସୂତୀକାଳୀନ ଛୁଟି ଇତ୍ୟାଦିକୁ ପୂର୍ବଭଳି ସ୍ଥିର ରଖିବା, ଦ୍ଵିତୀୟ ବର୍ଷର ଶିଶୁ ପ୍ରଯତ୍ନ ଛୁଟି ପାଇଁ ଦରମାର ୨୦ ଶତାଂଶ ହ୍ରାସ କରିବା ଆଦି ସପ୍ତମ ବେତନ ଆୟୋଗଙ୍କ ସୁପାରିଶର କେତୋଟି ମୂଖ୍ୟ ନକାରାତ୍ମକ ଦିଗ କର୍ମଚାରୀଙ୍କ ଅସନ୍ତୋଷର ମୂଖ୍ୟ କାରଣ।
ପ୍ରତ୍ୟେକ ବେତନ ଆୟୋଗ ସରକାରଙ୍କୁ ପ୍ରଦାନ କରୁଥିବା ବିବରଣୀ ଓ ସୁପାରିଶରେ ତାଙ୍କ ପୂର୍ବ ଆୟୋଗଙ୍କ ବିବରଣୀର ସମ୍ୟକ ଆଲୋଚନା ସହ ପରବର୍ତ୍ତୀ ଆୟୋଗଙ୍କ ପାଇଁ କିଛି ମତାମତ ରଖିଥାନ୍ତି। ହେଲେ ସପ୍ତମ ବେତନ ଆୟୋଗ ଅଷ୍ଟମ ବେତନ ଆୟୋଗ ଗଠନ ଉପରେ କୌଣସି ସିଧାସଳଖ ଟିପ୍ପଣୀ ନରଖି ସରକାରଙ୍କୁ ତାଙ୍କର ବିବରଣୀ ପ୍ରଦାନ କଲାବେଳେ ଅନୁଛେଦ ୧.୨୨ରେ ପରବର୍ତ୍ତୀ ବେତନ ଆୟୋଗ ପାଇଁ ଦଶ ବର୍ଷର ଦୀର୍ଘ ସମୟ ଅବଧିକୁ ଅପେକ୍ଷା ନ କରି ମଝିରେ ମଝିରେ ଦରମା ସାରଣୀକୁ (ପେ ମାଟ୍ରିକ୍ସ) ସମୀକ୍ଷା କରିବାକୁ ମତାମତ ଦେଇଛନ୍ତି। ଏହି ସମୀକ୍ଷା ଭାରତୀୟ ଶ୍ରମ କାର୍ଯ୍ୟାଳୟ ଅନୁଯାୟୀ ଜଣେ ସାଧାରଣ ମଣିଷର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀସମୂହର ମୂଲ୍ୟ ପରିବର୍ତ୍ତନକୁ ନେଇ କରିବା ପରେ ଡ. ଆକ୍ରୋଏଡ ସୂତ୍ର ଆଧାରରେ ବେତନ ସଂଶୋଧନ କରିବାକୁ ସପ୍ତମ ବେତନ ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ହେଲେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଲାଗୁହେବାର ନଅ ବର୍ଷ ବିତିଯାଇଥିଲେ ବି କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କୌଣସି ସମୀକ୍ଷା କରିନାହାନ୍ତି। ଏ ପ୍ରସଙ୍ଗରେ ସରକାରଙ୍କ ଉତ୍ତର ହେଲା ସପ୍ତମ ବେତନ ଆୟୋଗର ସୁପାରିଶ ଲାଗୁକରିବା ପାଇଁ ଯେତେବେଳେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଲା, ଉପରୋକ୍ତ ସମୀକ୍ଷା କଥା ବିଚାରକୁ ନିଆଯାଇନଥିବାରୁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।
ଡ. ୱଲେସ ରୁଡେଲ ଆକ୍ରୋଏଡ, ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ପ୍ରଥମ ନିର୍ଦ୍ଦେଶକ ଜଣେ ଖ୍ୟାତନାମା ପୁଷ୍ଟିବିଜ୍ଞାନୀ ଯାହାଙ୍କ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ସୂତ୍ର କୌଣସି ଦେଶର ଜଣେ ସାଧାରଣ ମଣିଷର ଜୀବନଚର୍ଯ୍ୟାକୁ ପ୍ରଭାବିତ କରୁଥିବା ଆବଶ୍ୟକୀୟ ଖାଦ୍ୟ, ବସ୍ତ୍ର ତଥା ଅନ୍ୟାନ୍ୟ ସାମଗ୍ରୀର ଦରଦାମ ଉପରେ ପର୍ଯ୍ୟବେସିତ। ଏହି ସୂତ୍ର ୧୯୫୭ର ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀ ଦ୍ୱାରା ଆଦୃତ ଓ ଭାରତର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଅନୁମମୋଦିତ। ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ 'ସର୍ବନିମ୍ନ ମଜୁରୀ ଅଧିନିୟମ, ୧୯୪୮' ସ୍ୱୟ୍ଂ ସମ୍ପୂର୍ଣ୍ଣ ନଥିବା ହୃଦୟଙ୍ଗମ କରି ୧୯୫୭ରେ ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଜଣେ ମଣିଷର ସର୍ବନିମ୍ନ ଆବଶ୍ୟକତାକୁ ପୂର୍ଣ୍ଣ କରିବାର କ୍ଷମତା ରଖିବା ଜରୁରୀ ବୋଲି ମତ ଦେଇ ମଜୁରୀ ନିର୍ଦ୍ଧାରଣ କ୍ଷମତାଧିକାରୀଙ୍କ ପାଇଁ ପାଞ୍ଚଟି ମାର୍ଗଦର୍ଶିକା ବ୍ୟବସ୍ଥିତ କରିଥିଲେ। (୧) ପରିବାରର ସ୍ତ୍ରୀ, ପିଲାଛୁଆଙ୍କର ରୋଜଗାରକୁ ହିସାବକୁ ନନେଇ ଜଣେ ଶ୍ରମଜୀବୀ ପାଇଁ ତିନୋଟି ଉପଭୋକ୍ତା ଏକକ, (୨) ପ୍ରତ୍ୟେକ ବୟସ୍କ ପାଇଁ ଦୈନିକ ସର୍ବନିମ୍ନ ୨୭୦୦ କ୍ୟାଲୋରୀର ଆବଶ୍ୟକୀୟ ଖାଦ୍ୟ, (୩) ଚାରିଜଣ ସଦସ୍ୟ ବିଶିଷ୍ଟ ଏକ ପରିବାର ପାଇଁ ବର୍ଷକୁ ହାରାହାରି ୭୨ ଗଜ କପଡା, (୪) ସରକାରୀ ଆବାସ ଯୋଜନା ଅନୁଯାୟୀ ପ୍ରଦାନ କରାଯାଉଥିବା ସର୍ବନିମ୍ନ କ୍ଷେତ୍ରଫଳ ବିଶିଷ୍ଟ ଗୃହର ଆନୁପାତିକ ଘରଭଡା ଏବଂ (୫) ଉପରୋକ୍ତ ସମସ୍ତ ଖର୍ଚ୍ଚର ହିସାବ ସହ ଡ. ଆକ୍ରୋଏଡଙ୍କ ସୂତ୍ର ଆଧାରରେ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀ ଯାହା ହେଲା ତା'ର ୨୦ ପ୍ରତିଶତ ବିଜୁଳି, ତେଲ ଓ ଅନ୍ୟାନ୍ୟ ବିବିଧ ଦ୍ରବ୍ୟ ପାଇଁ ମୋଟ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ ମିଶ୍ରଣ। ପରବର୍ତ୍ତୀ ସମୟରେ ୧୯୯୨ରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଜୁରୀ ସଂରଚନାର ସାମାଜିକ ଓ ଅର୍ଥନୈତିକ ଦିଗଗୁଡିକୁ ସମୀକ୍ଷା କରି ପିଲାପିଲିଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିବାହ, ସାମାଜିକ ରୀତିନୀତି ଅନୁଯାୟୀ ବିଭିନ୍ନ ପର୍ବପର୍ବାଣି ପାଳନ ଓ ବୃଦ୍ଧାବସ୍ଥାରେ ଅପ୍ରତ୍ୟାଶିତ ଘଟଣା ଅଘଟଣ ପାଇଁ ମଜୁରୀ ବୃଦ୍ଧିର ଆବଶ୍ୟକତାକୁ ଉପଲବ୍ଧି କରି ଏହି ଅତିରିକ୍ତ ଉପାଦାନଗୁଡିକର ଖର୍ଚ୍ଚ ମେଣ୍ଟାଇବା ପାଇଁ ଉପରୋକ୍ତ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରୀର ୨୫ ପ୍ରତିଶତ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଲେ।
୧୯୫୭ରୁ ଆଦୃତ ଡ. ଆକ୍ରୋଏଡଙ୍କ ଉପରୋକ୍ତ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ସୂତ୍ରରେ ସମୟର ଆବଶ୍ୟକତାକୁ ଉପଲବ୍ଧି କରି ପରିବର୍ତ୍ତନ ଆଣିବା ସକାଶେ ଏଥରର ୧୦ ଫେବୃଆରୀ ୨୦୨୫ ବୈଠକରେ କର୍ମଚାରୀ ପକ୍ଷ ଦୃଢ଼ ଯୁକ୍ତି ବାଢିଛି। ପୁରୁଷ କର୍ମଚାରୀ, ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ଯଥାକ୍ରମେ ୧.୦, ୦.୮, ୦.୬ ଓ ୦.୬ ଉପଭୋକ୍ତା ଏକକ ଭାବେ ନେଇ ଗୋଟିଏ ପରିବାରକୁ ୩ ଉପଭୋକ୍ତା ଏକକ ଭାବେ ଗ୍ରହଣ କରିଥିବା ଉପରୋକ୍ତ ସୂତ୍ର, କର୍ମଚାରୀଙ୍କ ମାତାପିତାଙ୍କୁ ହିସାବକୁ ନେଉ ନଥିବାରୁ, କର୍ମଚାରୀ ପକ୍ଷ ଦୁଃଖ ପ୍ରକାଶ କରିଛି। ବୃଦ୍ଧ ମାତାପିତାଙ୍କର ଭରଣପୋଷଣ ଜଣେ କର୍ମଚାରୀ ଅଥବା ସାଧାରଣ ନାଗରିକର ନୈତିକ ଓ ସାମ୍ବିଧାନିକ କର୍ତ୍ତବ୍ୟ ଯାହା ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ତଥା କଲ୍ୟାଣ ଅଧିନିୟମ ୨୦୨୨, ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୩ର ଧାରା ୧୨୫ ଆଦିରେ ସ୍ପଷ୍ଟ ଉଲ୍ଲେଖ। ଅଧିକନ୍ତୁ, କେନ୍ଦ୍ର ବେସାମରିକ ସେବା (ଆଚରଣ) ନିୟମ ଏବଂ ମେଡିକାଲ ଓ ଏଲଟିସି ନିୟମ ଗୁଡ଼ିକରେ ପରିବାରର ଯେଉଁ ସଂଜ୍ଞା ନିରୁପିତ ହୈଇଛି, ସେଥିରେ ନିର୍ଭରଶୀଳ ମାତାପିତାମାନେ ଅନ୍ତର୍ଭୁକ୍ତ। ତେଣୁ ବୃଦ୍ଧ ମାତାପିତାମାନେ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଉପରୋକ୍ତ ଆକ୍ରୋଏଡ୍ ସୂତ୍ର ଉଭୟଙ୍କୁ ଏକ ଏକ ଉପଭୋକ୍ତା ଏକକ, ଅର୍ଥାତ ମୋଟ୍ ୨ ଉପଭୋକ୍ତା ଏକକ ଭାବେ ଗ୍ରହଣ କରି ପୁରା ପରିବାରକୁ ୩ ପରିବର୍ତ୍ତେ ୫ ଉପଭୋକ୍ତା ଏକକ ଭାବେ ହିସାବ କରି ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାକୁ ଅଷ୍ଟମ ବେତନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାପାଇଁ କର୍ମଚାରୀ ପକ୍ଷ ଦାବି କରିଛି। ଦ୍ୱିତୀୟରେ କିଛି ଖାଦ୍ୟଦ୍ରବ୍ୟ ଓ କିଛି ଅଣଖାଦ୍ୟଦ୍ରବ୍ୟ ଉପରେ ପର୍ଯ୍ୟବେସିତ ସୂତ୍ରଟି ଖାଦ୍ୟ ପ୍ରସ୍ତୁତି ପାଇଁ ନିହାତି ଆବଶ୍ୟକ ଲୁଣ, ତେନ୍ତୁଳି, ମସଲା ଭଳି ପଦାର୍ଥଗୁଡିକୁ ହିସାବକୁ ନେଉନଥିବାରୁ ସେସବୁକୁ ଖାଦ୍ୟ ତାଲିକାରେ କ୍ୟାଲୋରୀ ନିର୍ଦ୍ଧାରଣ ପାଇଁ ଅନ୍ତର୍ଭୁକ୍ତ କରିବାକୁ କର୍ମଚାରୀ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ୧୯୫୭ ପରେ ଦୀର୍ଘ ୬୮ର ବ୍ୟବଧାନରେ ମଣିଷ ଜୀବନରେ ଅନେକ ପରିବର୍ତ୍ତନ ହେବା ସହ ଆଜିର ଡିଜିଟାଲ ଦୁନିଆରେ କାଲିର ବିଳାସପୂର୍ଣ୍ଣ ପଦାର୍ଥ ସବୁ ଏବେ ଜରୁରୀ ଆବଶ୍ୟକତାରେ ପରିଣତ ହେଇଯାଇଛି। ସାମାଜିକ ଚଳଣି ସହ ବ୍ୟୟବହୁଳ ଚିକିତ୍ସା ଖର୍ଚ୍ଚ ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ଜରୁରୀ କମ୍ପ୍ୟୁଟର, ଲାପଟପ୍, ମୋବାଇଲ, ମୋଟର ସାଇକେଲ ଇତ୍ୟାଦି ଖର୍ଚ୍ଚର ଆବଶ୍ୟକତାକୁ ସୂତ୍ରର ଅଣଖାଦ୍ୟଦ୍ରବ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରି କର୍ମଚାରୀଙ୍କୁ ଏକ ସମ୍ମାନସୂଚକ ଜୀବନଯାପନ ପାଇଁ ଆବଶ୍ୟକ ସର୍ବନିମ୍ନ ମଜୁରୀ ପ୍ରଦାନର ପ୍ରୟୋଜନୀୟତା ଉପରେ କର୍ମଚାରୀ ପକ୍ଷ ନିବେଦନ କରିଛି।
ପ୍ରଥମ ବେତନ ଆୟୋଗଙ୍କ ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ସର୍ବନିମ୍ନ ବେତନ ୫୫ ଟଙ୍କାରେ ଧାର୍ଯ୍ୟ ହୋଇଥିଲା ବେଳେ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ଆୟୋଗଙ୍କ ସୁପାରିଶ ମୁତାବକ ତାହା ଯଥାକ୍ରମେ ୮୦ ଟଙ୍କା, ୧୯୬ ଟଙ୍କା, ୭୫୦ ଟଙ୍କା, ୨୫୫୦ ଟଙ୍କା, ୭୦୦୦ ଟଙ୍କା ଓ ୧୮୦୦୦ ଟଙ୍କାରେ ସ୍ଥିରୀକୃତ ହୋଇଛି। ଭାରତ ସରକାର ଯଦି ଡ. ଆକ୍ରୋଏଡଙ୍କ ସୂତ୍ର, ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀର ନିର୍ଦ୍ଧାରଣ ଏବଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଠିକ୍ ଠିକ୍ ଅନୁସରଣ କରିଥାନ୍ତେ, ତାହେଲେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶରେ ସର୍ବନିମ୍ନ ମଜୁରୀ ୧୮୦୦୦ ପରିବର୍ତ୍ତେ ୨୬୦୦୦ ଟଙ୍କା ହୋଇଥାନ୍ତା।
ରାଜ୍ୟସଭାରେ ସରକାରଙ୍କ ସର୍ବଶେଷ ଉତ୍ତର ଅନୁସାରେ ଯେହେତୁ କର୍ମଚାରୀଙ୍କ ବେତନ ବୃଦ୍ଧିରେ କୌଣସି ରାଜକୋଷୀୟ ବାଧାବନ୍ଧନ ନାହିଁ, ନିଜର ପୂର୍ବ ତୃଟି ସୁଧାରିବାକୁ କୌଣସି ଆଳ ନଦେଖେଇ ଏବଂ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୁରନ୍ତ ୫ ଉପଭୋକ୍ତା ଏକକକୁ ନେଇ ଡ. ଆକ୍ରୋଏଡଙ୍କ ପ୍ରସ୍ତାବିତ ପରିବର୍ତ୍ତିତ ସୂତ୍ର, ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀର ନିର୍ଦ୍ଧାରଣ ଏବଂ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଆଧାରରେ ସର୍ବନିମ୍ନ ମଜୁରୀ ଓ ବେତନ ସଂଶୋଧନ ପାଇଁ ଅଷ୍ଟମ ବେତନ ଆୟୋଗ ଗଠନର ସର୍ତ୍ତାବଳୀରେ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଜରୁରୀ ଯାହା ଫଳରେ ଆୟୋଗ ମୁକ୍ତ ଭାବରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବାର ସୁଯୋଗ ପାଇବେ ଏବଂ ପୂର୍ବ ଆୟୋଗମାନଙ୍କର ତୃଟି ସୁଧାରିବାକୁ ସକ୍ଷମ ହେବେ।
*****