ପ୍ରିୟ ସାଥୀଗଣ,
ସାଥୀ କେ ଜି ବୋଷ୍ ଚାରିଟେବୁଲ ଟ୍ରଷ୍ଟ , ବ୍ରହ୍ମପୁର ଆନୁକୁଲ୍ୟରେ ୧୦ ଅପ୍ରେଲ ୨୦୨୫ରେ ହିଲପାଟଣାସ୍ଥିତ ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ସେଣ୍ଟର ଠାରେ ଅଖିଳ ଭାରତ ପୋଷ୍ଟମ୍ୟାନ ଓ ଏମଟିଏସ୍ ସଂଘ ତରଫରୁ ପେନସନ, ବେତନ ଆୟୋଗ ଓ ଶ୍ରମ କୋଡକୁ ନେଇ ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ସାଥୀ କିରିଟି ପାଣିଗ୍ରାହୀ ଓ ସାଥୀ ଦେବବ୍ରତ ମହାନ୍ତିଙ୍କ ଯୁଗ୍ମ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ ଉଦଘାଟନ କରି ଡାକ କର୍ମଚାରୀ ରାଷ୍ଟ୍ରୀୟ ମହାସଂଘର ମହାସଚିବ ସାଥୀ ଜନାର୍ଦ୍ଦନ ମଜୁମଦାର କେନ୍ଦ୍ର ସରକାରଙ୍କ କର୍ମଚାରୀ ମାରଣନୀତିକୁ ତୀବ୍ର ସମାଲୋଚନା କରିବା ସହ ଭାରତୀୟ ଡାକ ବିଭାଗ ସହ ବିଭିନ୍ନ କେନ୍ଦ୍ର ସରକାରୀ ସଂସ୍ଥାକୁ ଘରୋଇକରଣ ପାଇଁ ନେଉଥିବା ସମସ୍ତ ପଦକ୍ଷେପକୁ ଦୃଢ ନିନ୍ଦା କରିଥିଲେ। ଡାକଘର ଅଧିନିୟମ ୨୦୨୩କୁ ତୁରନ୍ତ ପ୍ରତ୍ୟାହାର କରିବା, ଡାକଘରେ ଇଣ୍ଡିପେଣ୍ଡେଣ୍ଟ ଡେଲିଭରି ସେଣ୍ଟର, ପାର୍ସଲ ହବ ଇତ୍ୟାଦି ଖୋଲିବା, ଡାକଘର ସ୍ୱଳ୍ପ ସଞ୍ଚୟ ଯୋଜନାକୁ ଆଇପିପିବିରେ ମିଶ୍ରଣ କରିବାକୁ ଶ୍ରୀ ମଜୁମଦାର ଦୃଢ଼ ବିରୋଧ କରିଥିଲେ। ଅଖିଳ ଭାରତ ଡାକ ଓ ରେଳ ଡାକ ସେବା ପେନସନଭୋଗୀ ସଂଘ, ଓଡ଼ିଶା ରାଜ୍ୟ କମିଟିର ସାଧାରଣ ସମ୍ପାଦକ ସାଥୀ ରବିନ୍ଦ୍ରନାଥ ଧଳ ପେନସନ ଉପରେ କେନ୍ଦ୍ର ସରକାରଙ୍କ ଘନ ଘନ ଆକ୍ରମଣ ଏବଂ ବିତ୍ତ ଅଧିନିୟମ ୨୦୨୫ ଜରିଆରେ ପେନସନଭୋଗୀଙ୍କୁ ଭାଗ ଭାଗ କରିବାର ଅପଚେଷ୍ଟା ନୀତିକୁ ତୀବ୍ର ସମାଲୋଚନା କରିବା ସହ ପୁରୁଣା ପେନସନ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ଦାବି କରିଥିଲେ। ଅନ୍ୟତମ ବକ୍ତା ଭାବେ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡ଼ିଶା ରାଜ୍ୟ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ସାଥୀ ବୃହସ୍ପତି ସାମଲ କେନ୍ଦ୍ରୀୟ ବେତନ ଆୟୋଗ ଗଠନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ପ୍ରସ୍ତାବିତ ଅଷ୍ଟମ ବେତନ ଆୟୋଗର ତୁରନ୍ତ ଗଠନ ଓ ବିନା କୌଣସି ପାତରଅନ୍ତରରେ ଠିକ୍ ସମୟରେ ତାର ସୁପାରିଶକୁ ଲାଗୁ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସାଥୀ ଦେବବ୍ରତ ମହାନ୍ତି ଶ୍ରମ କୋଡ଼ ଲାଗୁ କରିବାନେଇ କେନ୍ଦ୍ର ସରକାରଙ୍କ ଚଞ୍ଚକତାକୁ ନିନ୍ଦା କରିବା ସହ ଶ୍ରମିକ ବିରୋଧୀ ଶ୍ରମ କୋଡ଼କୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଅନ୍ୟତମ ବକ୍ତା ଭାବେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ପୂର୍ବତନ ରାଜ୍ୟ ସମ୍ପାଦକ ସାଥୀ ନିର୍ମଳ ଚନ୍ଦ୍ର ସିଂ ଗ୍ରାମୀଣ ଡାକ ସେବକମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କୁ ପ୍ରସ୍ତାବିତ ଅଷ୍ଟମ ବେତନ ଆୟୋଗର ପରିସରଭୁକ୍ତ କରିବାକୁ ଦାବି କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଅଧିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା ଯୋଗଦେଇ ଡାକ ବିଭାଗର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଆଜିର ଡିଜିଟାଲ ଯୁଗରେ ଡାକ ବିଭାଗର ପ୍ରାଧାନ୍ୟ ଉପରେ ଆଲୋଚନା କରିଥିଲେ।
ଅନ୍ୟ ବକ୍ତା ମାନଙ୍କ ମଧ୍ୟରେ ସାଥୀ ପ୍ରତାପ ଚନ୍ଦ୍ର ଚୌଧୁରୀ, ଯୋଗେଶ ଚନ୍ଦ୍ର ସାହୁ, ପୂର୍ଣ୍ଣ ଚନ୍ଦ୍ର ମହାରଣା, ଲିଙ୍ଗରାଜ ସାହୁ, ଦିପ୍ତିରଞ୍ଜନ ମହାନ୍ତି, ରବିନାରାୟଣ ଚୌଧୁରୀ, ମହେଶ ସାହୁ ଓ ପ୍ରତିମା ପାତ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମକୁ ଅଖିଳ ଭାରତ ପୋଷ୍ଟମ୍ୟାନ ଓ ଏମଟିଏସ୍ ସଂଘର ସର୍ବଭାରତୀୟ ଉପସଭାପତି ତଥା ଓଡ଼ିଶା ପରିମଣ୍ଡଳର ସଭାପତି ସାଥୀ ଏମ୍ ସି ଏସ୍ ରାଓ ପରିଚାଳନା କରିଥିଲେ।
ସମ୍ମିଳନୀ ଶେଷରେ ଆକାଶଛୁଆଁ ଦରବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣରେ ଶ୍ରମ ସମ୍ମିଳନୀ ରାଜିନାମାର ଉଲଂଘନ, ପେନସନ ଓ ବେତନ ଆୟୋଗ ସୁପାରିଶ ଲାଗୁରେ ଘୋର ପାତରଅନ୍ତର, ଶ୍ରମ ଆଇନ ଉଚ୍ଛେଦ କରି ଶ୍ରମ କୋଡର ଏକତରଫା ଲାଗୁ ଇତ୍ୟାଦି ଅନ୍ୟାୟ ବିରୋଧରେ ଆଗାମୀ ଦିନରେ ୨୦ ମଇ ୨୦୨୫ରେ ଶ୍ରମିକ ସଂଗଠନ ଓ ସ୍ୱାଧୀନ ମହାସଂଘମାନଙ୍କ ଦ୍ଵାରା ଆୟୋଜିତ ହେବାକୁ ଯାଉଥିବା ମହାସଂଗ୍ରାମରେ ଦଳ ମତ ନିର୍ବିଶେଷରେ ସାମିଲ ହେବାକୁ ଏକ ପ୍ରସ୍ତାବ ଗୃହିତ ହୋଇଥିଲା।
ଶେଷରେ, ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ, ବ୍ରହ୍ମପୁର ମଣ୍ଡଳର ସମ୍ପାଦକ ସାଥୀ ଶିବାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।