Sunday, December 22, 2024

ସନ୍ଦେହ ଘେରରେ ୟୁପିଏସ୍

 


ସନ୍ଦେହ ଘେରରେ ୟୁପିଏସ୍ 

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର 

ମୋବାଇଲ: ୯୪୩୭୦୨୨୬୬୯

      କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକର ସମର୍ଥନ ଓ ଭାଗିଦାରୀରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନଜେସିଏ) ଭଳି ଏକ ବୃହତକାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳବାଇ କର୍ମଚାରୀ ମହାସଂଘ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ ଅନୁବନ୍ଧିତ ଅନ୍ୟୁନ  ୧୨୬ଟି ସଂଘ ଓ ମହାସଂଘ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ, ଅଖିଳ ଭାରତ ଶିକ୍ଷକ ମହାସଂଘ ଏବଂ ଅନ୍ୟାନ୍ୟ ବହୁ ସଂଘ, ମହାସଂଘ ପକ୍ଷରୁ ୨୦୦୪ରୁ ପ୍ରଚଳିତ ନୂତନ ପେନସନ ଯୋଜନା (ଏନପିଏସ)ର ସମ୍ପୂର୍ଣ୍ଣ ଉଚ୍ଛେଦ ସହ ପୁରାତନ ପେନସନ ଯୋଜନା (ଓପିଏସ୍)ର ପୁନଃ ‌ପ୍ରଚଳନ ପାଇଁ ଦୀର୍ଘ  ୨୦ ବର୍ଷ ଧରି ଯେଉଁ ନିରବଚ୍ଛିନ୍ନ ସଂଗ୍ରାମ ଚାଲିଥିଲା ତାହା ଯେ ଏକୀକୃତ ପେନସନ ଯୋଜନା (ୟୁନିଫାଏଡ୍ ପେନସନ ସ୍କିମ୍ ବା ୟୁପିଏସ୍) ନାମରେ ହଠାତ୍ ପରିବର୍ତ୍ତିତ ହେଇଯିବ, କେହି କେବେ ଚିନ୍ତା କରିନଥିଲେ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟେଇ ୨୪ ଅଗଷ୍ଟ ୨୦୨୪ରେ କେନ୍ଦ୍ର କ୍ୟାବିନେଟ ଓପିଏସ୍ ଓ ଏନପିଏସ୍ ବଦଳରେ ୟୁପିଏସ୍ ନାମରେ ଏକ ନୂଆ ପେନସନ ଯୋଜନାକୁ ମଂଜୁରୀ ପ୍ରଦାନ‌ କରି ପତ୍ର ସୂଚନା କାର୍ଯ୍ୟାଳୟର ଏକ ପ୍ରେସ ଇସ୍ତାହାର ଜରିଆରେ ଘଟଣାକୁ ସାର୍ବଜନୀନ କଲେ। ନାହିଁ ମାମୁଁ ଠାରୁ କ’ଣା ମାମୁଁ ଭଲ ନ୍ୟାୟରେ‌ କିଛି ନେତୃମଣ୍ଡଳୀ ଓ ସଂଗଠନ ଏହାକୁ ସ୍ବାଗତ କରିଥିଲାବେଳେ, କିଛି ମିଶ୍ର ପ୍ରତିକ୍ରିୟା ରଖିଲେ ଏବଂ ବହୁ କର୍ମଚାରୀ ଓ ଶ୍ରମିକ ସଂଗଠନ ଏହାକୁ ନାପସନ୍ଦ କରି ନିଜ ନିଜର ପ୍ରେସ ଇସ୍ତାହାର ଜାରି କରିବା ସହ ଓପିଏସ୍ ପୁନଃ ପ୍ରଚଳନ ଦାବିକୁ ଦୋହୋରେଇଲେ ମଧ୍ୟ। 


     ଏହା‌ ଭିତରେ ପ୍ରେସ ଇସ୍ତାହାର ଜାରି ହେବାର ଚାରିମାସ ସମୟ ଅତିକ୍ରାନ୍ତ ହେବାକୁ ବସିଥିଲେ ବି ଆମୂଳଚୁଳ ସଞ୍ଚାଳନ ଓ ଲେଖାଙ୍କନ ପ୍ରକ୍ରିୟା ସହ ଆବଶ୍ୟକୀୟ ରାଜପତ୍ର ବିଜ୍ଞପ୍ତି ସରକାରଙ୍କ ତରଫରୁ ଏଯାଏଁ ପ୍ରକାଶ ପାଇଲା ନାହିଁ ଯାହା ୟୁପିଏସର ସଠିକ କାର୍ଯ୍ୟକାରିତାକୁ ନେଇ ଅଯଥା ସନ୍ଦେହ ସୃଷ୍ଟି କରୁଛି। କହିବା ବାହୁଲ୍ୟ ଯେ ନୀତିନିୟମ ପରିବର୍ତ୍ତନ କ୍ଷେତ୍ରରେ ଭାରତ ସରକାରଙ୍କ ରାଜପତ୍ର ବିଜ୍ଞପ୍ତି ଏକ ଆବଶ୍ୟକୀୟ ତଥା ସାର୍ବଜନୀନ ନ୍ୟାୟିକ ଦସ୍ତାବିଜ। ସାଧାରଣ ବିଜ୍ଞପ୍ତିଗୁଡିକ ପ୍ରତି  ସପ୍ତାହରେ ଏକ ନିର୍ଦ୍ଧିଷ୍ଟ ଦିନରେ ପ୍ରକାଶିତ ହେଉଥିବା ବେଳେ ଅସାଧାରଣ ବିଜ୍ଞପ୍ତିଗୁଡିକ ଘଟଣାର ପ୍ରାଧାନ୍ୟକୁ ଉପଲବ୍ଧି କରି ପ୍ରତ୍ୟେକ ଦିନ ପ୍ରକାଶିତ ହୁଏ। ତେଣୁ ୟୁପିଏସ୍ ସଂକ୍ରାନ୍ତରେ ରାଜପତ୍ର ବିଜ୍ଞପ୍ତି ତତକ୍ଷଣାତ୍ ପ୍ରକାଶିତ ହେବାର ଥିଲା। ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶନର ଏହି ଅହେତୁକ ବିଳମ୍ବତା ଏକ ନକାରାତ୍ମକ ଦିଗକୁ ସ୍ପଷ୍ଟ ଇଙ୍ଗିତ କରୁଛି।


      ପେନସନ ‌ସଂକ୍ରାନ୍ତରେ ସର୍ବଭାରତୀୟ ସ୍ତରରେ ନିରବଚ୍ଛିନ୍ନ ସଂଗ୍ରାମ ଗଢିତୋଳି ଏନଜେସିଏ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଓ କ୍ୟାବିନେଟ ସଚିବଙ୍କୁ ପର୍ଯ୍ୟାୟକ୍ରମେ ଦାବିପତ୍ର ଦିଆଯାଇଥିଲେ ବି ଏନପିଏସର ଉଚ୍ଛେଦ କଥାକୁ ଏଡେଇ ଯାଇ କିଛିଟା ପରିବର୍ତ୍ତନ ଆଣିବା ସକାଶେ କେନ୍ଦ୍ର ସରକାର ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଏପ୍ରିଲ  ୨୦୨୩ରେ ଏକ ପେନସନ କମିଟି ଗଠନ କଲେ । ପେନସନ କମିଟି ସହ କର୍ମଚାରୀ ପକ୍ଷର ବାରମ୍ବାର ବୈଠକ ବସିଲା ପରେ କୋୖଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ୧୯ ମାର୍ଚ୍ଚରେ ନୋଟିସ ଦେଇ ମଇ ପହିଲା ୨୦୨୪ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟକୁ ଓହ୍ଲାଇବାକୁ ଏନଜେସିଏ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରେଇବା ପରେ କର୍ମଚାରୀ ପକ୍ଷର ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି ଏବଂ ଖୁବ୍ ଶୀଘ୍ର ସରକାର ଏସଂକ୍ରାନ୍ତରେ ବିଦ୍ଧିବଧ ନିଷ୍ପତ୍ତି ନେବେ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବାରୁ ଧର୍ମଘଟକୁ  ସ୍ଥଗିତ ରଖାଗଲା। ହେଲେ ଓପିଏସର ପୁନଃ ପ୍ରଚଳନ ବଦଳରେ ସରକାରଙ୍କ ୟୁପିଏସ ଘୋଷଣାନାମା କୋଟିକୋଟି କର୍ମଚାରୀ ଓ‌ ପେନସନଭୋଗୀଙ୍କ ପିଠିରେ ଛୁରୀକା ଘାତ ସଦୃଶ ହୃଦବୋଧ ହେଲା।


     ପ୍ରାରମ୍ଭିକ ତଥ୍ୟାନୁଯାୟୀ  ୟୁପିଏସ୍‌ରେ ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନ୍‌ସନ୍‌, ସୁନିଶ୍ଚିତ ସର୍ବନିମ୍ନ ପେନସନ୍‌, ମୁଦ୍ରାସ୍ଫିତୀ ଅନୁରୂପ ପେନ୍‌ସନ୍‌ ନିର୍ଦ୍ଧାରଣ ଓ ଅବସର ପରେ ଗ୍ରାଚୁଇଟି ବ୍ୟତୀତ ଏକକାଳୀନ ରାଶି ଇତ୍ୟାଦି ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ରହିଛି। ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମାର ୫୦% ମିଳିବ। ଏହି ବେତନ ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ସେବା ଅବଧି କ୍ଷେତ୍ରରେ ଆନୁପାତିକ ଭାବେ ମିଳିବ। ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍‌ସନ୍‌ର ୬୦% ହାରରେ ପାରିବାରିକ ପେନସନ୍‌ ମିଳିବ। ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ପେନସନ ସୁନିଶ୍ଚିତ। ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନସନ୍‌ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍‌ ଉପରେ ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ଭଳି ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତାର ପ୍ରାବଧାନ ମଧ୍ୟ ୟୁପିଏସରେ ରହିଛି। ଏହା ବାଦ୍, ଅବସର ପରେ ଗ୍ରାଚୁଇଟି ବ୍ୟତୀତ ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକ (ବେତନ+ଡିଏ)ର ଏକ ଦଶାଂଶ ଏକକାଳୀନ ରାଶି ମଧ୍ୟ ଉପଲବ୍ଧ ହେବ ଏବଂ ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନ୍‌ର ପରିମାଣ କମ୍‌ ହେବ ନାହିଁ। ପ୍ରକାଶିତ ତଥ୍ୟାନୁଯାୟୀ ୟୁପିଏସ୍, ଓପିଏସର ସଠିକ ବିକଳ୍ପ ନୁହେଁ। କର୍ମଚାରୀ ପକ୍ଷରୁ ଓପିଏସ୍ ଭଳି ଶେଷ ଦରମାର ୫୦% ସୁନିଶ୍ଚିତ ପେନସନ ପାଇଁ ଯେଉଁ ଦାବି ହୋଇଥିଲା ତାହା ଯଦିଓ ସରକାର ଗ୍ରହଣ କରିଛନ୍ତି, ଏନପିଏସ୍ ଭଳି ଏହା ଦେୟଯୁକ୍ତ ରହିଛି । ଓପିଏସରେ ଶେଷ ଦଶମାସର ହାରାହାରି ଦରମା ଅଥବା ଅବସର ମାସର ଦରମାର ୫୦%ରୁ ଯେଉଁଟି କର୍ମଚାରୀ ପାଇଁ ଲାଭଦାୟକ ହେଉଥିଲା, ତାହା ଗ୍ରହଣୀୟ ଥିଲା। କିନ୍ତୁ ୟୁପିଏରେ କେବଳ ଶେଷ ୧୨ ମାସର ହାରାହାରି ଦରମା କଥା କୁହାଯାଇଛି ଯାହା ଅଧିକାଂଶଙ୍କ କ୍ଷେତ୍ରରେ ଆତ୍ମଘାତୀ ହୋଇପାରେ। ପୁରା ପେନସନ ପାଇବା ପାଇଁ ସର୍ବନିମ୍ନ ୨୫ବର୍ଷର ଚାକିରୀ ଅବଧି ପୂର୍ବ ବେତନ ଆୟୋଗଙ୍କ ସୁପାରିଶର ବିରୁଦ୍ଧାଚରଣ କରୁଛି। ଅବସରପ୍ରାପ୍ତ କର୍ମଚାରୀର ଯଦି ୬୭ ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଏ, ତେବେ ଓପିଏସରେ  ପାରିବାରିକ ପେନସନ ସେହିଭଳି ୫୦% ରହି ୬୭ ବର୍ଷ ପରେ ୩୦% ହେଉଥିଲା। କିନ୍ତୁ ୟୁପିଏସରେ ପ୍ରାରମ୍ଭରୁ ୩୦% (୬୦%ର ୫୦%)। ଏନପିଏସର କର୍ପସ ପାଣ୍ଠିରୁ ଯେଉଁ ଉଠାଣ ବ୍ୟବସ୍ଥା ଥିଲା, ୟୁପିଏସ୍ ସେବାବଦରେ ନୀରବ। ତଥାପି, ସରକାରଙ୍କ ଦ୍ୱାରା ଯାହାବି ସାର୍ବଜନୀନ ହୋଇଛି କାର୍ଯ୍ୟକାରିତା ପାଇଁ ଏକ ରାଜପତ୍ର ବିଜ୍ଞପ୍ତି ଏକାନ୍ତ ଅପରିହାର୍ଯ୍ୟ।


     ଏହି ପରିପ୍ରେକ୍ଷୀରେ କର୍ମଚାରୀଙ୍କ ସ୍ୱାର୍ଥକୁ ନେଇ କେନ୍ଦ୍ର ସରକାର ପୂର୍ବରୁ ଭିଆଇଥିବା ଏହିଭଳି ଏକ ନକାରାତ୍ମକ ଘଟଣା ଏଠାରେ ଉଲ୍ଲେଖ କରିବା ଉଚିତ୍ ମନେହୁଏ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ‌ ଆୟୋଗ ସୁପାରିଶ କରିଥିବା ସର୍ବନିମ୍ନ ବେତନକୁ  ୧୮୦୦୦ରୁ  ୨୬୦୦୦କୁ ବୃଦ୍ଧି ଏବଂ ବେତନ ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ପାଇଁ ୧୧ ଜୁଲାଇ ୨୦୧୬ରୁ  ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ହେବ ବୋଲି କର୍ମଚାରୀମାନେ  ଏନଜେସିଏ  ତରଫରୁ  ଯେତେବେଳେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କଲେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ  ୬  ଜୁଲାଇ ୨୦୧୬ରେ ପ୍ରେସ୍ ଇସ୍ତାହାର ଜାରି କରି ଏକ ଉଚ୍ଚସ୍ତରୀୟ କମିଟି ଜରିଆରେ ପୁଙ୍ଖାନୁପୁଙ୍ଖ ଅନୁଶୀଳନ  ସହ ଚାରି ମାସ  ଭିତରେ ନିଷ୍ପତ୍ତି ନେବା ପାଇଁ ଘୋଷଣା କଲେ।  ଲିଖିତ ପ୍ରତିଶ୍ରୁତି ପାଇ  କର୍ମଚାରୀମାନେ ଆନ୍ଦୋଳନରୁ ଓହରିଯିବା ପରେ ସେସମୟର ଅର୍ଥମନ୍ତ୍ରୀ ୧୯ ଜୁଲାଇ ୨୦୧୬ରେ ରାଜ୍ୟସଭାର ପ୍ରଶ୍ନୋତ୍ତର କାଳରେ ଉତ୍ତର ରଖିଲେ  ଯେ ସେଭଳି କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ  ବିଚାରାଧୀନ  ନାହିଁ। ଇତିମଧ୍ୟରେ,  ୪ ମାସ  ଯାଇ  ୮  ବର୍ଷ ଅତିବାହିତ  ହେଇଯାଇଛି,  ଉଚ୍ଚସ୍ତରୀୟ  କମିଟି ଗଠନ ତ ଦୁରର କଥା, ଏଯାଏଁ ସରକାର କର୍ମଚାରୀଙ୍କର  କୌଣସି କଥା ଶୁଣିବା ଅବସ୍ଥାରେ ନାହାନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ୱେବସାଇଟରେ ୨୦୧୬ର ଉପରୋକ୍ତ ଇସ୍ତାହାର ଏଯାଏଁ ଉପଲବ୍ଧ ହେଉଥିଲେ ବି କେନ୍ଦ୍ର ସରକାର ତାଙ୍କ ଲିଖିତ ପ୍ରତିଶ୍ରୁତିରୁ ସମ୍ପୂର୍ଣ୍ଣ  ଓହରି ଯାଇଛନ୍ତି। ଗୋଟିଏ ଗଣତାନ୍ତ୍ରିକ ଦେଶରେ ଏକ ନିର୍ବାଚିତ ସରକାର ନିଜେ ନିଜର ଲିଖିତ ପ୍ରତିଶ୍ରୁତିକୁ ଅବମାନନା କରିବା ଗଣତନ୍ତ୍ର ପ୍ରତି ଏକ କଠୋର ଉପହାସ କହିଲେ ଅତ୍ୟୁକ୍ତି ହେବନାହିଁ। ତେଣୁ ସନ୍ଦେହ ଉପୁଜିବା ଅତି ସ୍ୱାଭାବିକ ଯେ ୟୁପିଏସ୍ ସଂକ୍ରାନ୍ତୀୟ ପତ୍ର ସୂଚନା କାର୍ଯ୍ୟାଳୟର ୨୪ ଅଗଷ୍ଟ  ୨୦୨୪ର ପ୍ରେସ ଇସ୍ତାହାର ସର୍ବନିମ୍ନ ମଜୁରୀ ବୃଦ୍ଧି ଭଳି ଘୋଷଣା ସର୍ବସ୍ବ ନୁହେଁ ତ? ରାଜପତ୍ର ବିଜ୍ଞପ୍ତି ପ୍ରକାଶନକୁ ବିଳମ୍ବିତ କରି ସରକାର ୟୁପିଏସ୍ କ୍ଷେତ୍ରରେ ସେହିଭଳି ଘଟଣାର ପୁନରାବୃତ୍ତି କରିବେ ନାହଁ ତ?

*****

No comments:

Post a Comment