Tuesday, December 31, 2024

ଇଂରାଜୀ ନବବର୍ଷ ୨୦୨୫ର ହାର୍ଦ୍ଦିକ ଅଭିନନ୍ଦନ ଓ ଆନ୍ତରିକ ଶୁଭେଚ୍ଛା।

 


ପ୍ରିୟ ବନ୍ଧୁଗଣ, 

      ନମସ୍କାର। ଆଉ କେଇ ମୂହୂର୍ତ୍ତ ପରେ  ୨୦୨୪କୁ ବିଦାୟ ଦେଇ ଇଂରାଜୀ ନବବର୍ଷ  ୨୦୨୫କୁ ବଡ ଧୁମଧାମରେ ସ୍ବାଗତ କରିବାକୁ ବିଶ୍ୱବାସୀ ପ୍ରସ୍ତୁତ। ଓଡ଼ିଶା ଓ ଭାରତ ସମେତ ସାରା ବିଶ୍ୱ ଉତ୍ସବ ମୁଖର। ଅସ୍ମିତା କଥା କେବଳ ଭାଷଣରେ। ହେଲେ, ‘ବେଲ ପାଚିଲେ କାଉର କି ଲାଭ’ ନ୍ୟାୟରେ ବିଚରା ଶ୍ରମିକ, କୃଷକ, କର୍ମଚାରୀଙ୍କର ବା କି ନୂଆବର୍ଷ? ପେଟ ପୋଡ଼ି ଯାଉଛି। ଅନେକ ଦିନର ଦାବି ସବୁ ଅଣଦେଖା ହେଇ ରହିଗଲା। ବିଶେଷ ଭାବେ କର୍ମଚାରୀଙ୍କ ପୁରୁଣା ପେନସନ ଦାବି କେମିତି ଏକ ଭିନ୍ନ ମୋଡ଼ ନେଇଗଲା ଏଇ ୨୦୨୪ରେ। ୨୦୨୩ର ନିରବଚ୍ଛିନ୍ନ ସଂଗ୍ରାମ ଏମିତି ନୀରବି ଯିବ, ଜଣେ କର୍ମଚାରୀ ପ୍ରତିନିଧି ହିସାବରେ ଏହି ସଂଗ୍ରାମରେ ଆରମ୍ଭରୁ ଓତଃପ୍ରୋତ ଭାବେ ଜଡ଼ିତ ଥାଇ ମଧ୍ୟ ମୋ କଳ୍ପନା ବାହାରେ ଥିଲା। ସଂଗ୍ରାମ, ସଂଗ୍ରାମୀ ଓ ନେତୃତ୍ବକୁ ନେଇ ମୋ ମନରେ ଅନେକ ବ୍ୟଥା । 

      ସେହି ପରିପ୍ରେକ୍ଷୀରେ, ନିମ୍ନରେ ମୋର ବର୍ଷ ଶେଷର କବିତା “ପେନସନ ଗାଥା ଓ ବ୍ୟଥା”।

        ଚାଲନ୍ତୁ ବିଦାୟୀ ବର୍ଷର ଏହି ଶେଷ ମୂହୂର୍ତ୍ତରେ ଟିକେ ଆତ୍ମସମୀକ୍ଷା କରିନେବା। ଭାରତର ଜଣେ ଦାୟିତ୍ବସମ୍ପର୍ଣ୍ଣ  ନାଗରିକ ହିସାବରେ ଦେଶ ଓ ଦଶର ଉନ୍ନତିରେ ଆମର କି କି ଯୋଗଦାନ କରିବାର  ଥିଲା ଆଉ ଆମେ ସେଥିରେ କେତେ ସଫଳ ହେଇଛନ୍ତି? ନିଜ ନିଜର କର୍ମକ୍ଷେତ୍ର  ଓ ପରିବାର  ପ୍ରତି ଥିବା ଉତ୍ତରଦାୟୀତ୍ବକୁ ଠିକ ଠିକ ନିଭାଇବାରେ କିଭଳି ପ୍ରୟାସ କରିଛନ୍ତି? ଠିକ୍ ହେବ, ଯଦି ବିଫଳତାରୁ ଶିକ୍ଷା ଲାଭ କରି ସଫଳତା ଆଡକୁ ଅଗ୍ରସର ପ୍ରତ୍ୟେକ ପଦକ୍ଷେପକୁ ଆହୁରି ମଜବୁତ କରିବାକୁ ଆନ୍ତରିକ ପ୍ରଯତ୍ନ କରିବା।

       ଇଂରାଜୀ ନବବର୍ଷ  ୨୦୨୫ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ।  ଶ୍ରମିକ, କୃଷକ, କର୍ମଚାରୀଙ୍କର ହକ୍ ଓ ଭାରତର ସମ୍ବିଧାନ ଏବଂ ଗଣତନ୍ତ୍ରର  ସୁରକ୍ଷା  ପାଇଁ ମିଳିତ ସଂଗ୍ରାମ ଆହୁରି ତ୍ୱରାନ୍ୱିତ ହେଉ। ବିଶ୍ବରୁ ଆତଙ୍କବାଦ ଓ ଯୁଦ୍ଧର  ବିଭୀଷିକା ଦୁର ହେଉ। ସମସ୍ତଙ୍କ  ହୃଦୟରେ ପ୍ରେମ ଓ କରୁଣା ଜାଗ୍ରତ  ହୋଇ ବିଶ୍ବରେ ସତ୍ଯ, ଶାନ୍ତି, ଦୟା ଓ କ୍ଷମା ପ୍ରତିଷ୍ଠା ହେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ବିଶ୍ବବାସୀ ସୁଖ ଓ ଶାନ୍ତିରେ କାଳାତିପାତ କରନ୍ତୁ। 

  ଇଂରାଜୀ ନବବର୍ଷ  ୨୦୨୫ର ହାର୍ଦ୍ଦିକ ଅଭିନନ୍ଦନ  ଓ ଆନ୍ତରିକ ଶୁଭେଚ୍ଛା।

              🌹🌹🙏🙏💕🙏🙏💕🙏🙏🌹🌹

                   ପେନସନ ଗାଥା ଓ ବ୍ୟଥା

ବୃହସ୍ପତି ସାମଲ 

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ 

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର 

             - ୧ -

ଶୈଶବ କୈଶୋର କଟିଯାଏ ସବୁ

ନିଜେ ଯୋଗ୍ୟ ହେବା ପାଇଁ,

କେତେ ଧାଁଦୌଡ କେତେ ହନ୍ତସନ୍ତ 

ଚାକିରୀ ଖଣ୍ଡିଏ ପାଇଁ।

ସର୍ବନିମ୍ନ ଶିକ୍ଷାଗତର ଯୋଗ୍ୟତା 

ବୟସ‌ବି ନିର୍ଦ୍ଧାରିତ,

ଲେଖା ଓ ମୌଖିକ ପରୀକ୍ଷା ସହିତ

ଲୋଡା‌ବି ଉତ୍ତମ ସ୍ୱାସ୍ଥ୍ୟ।

ମିଳିଯାଏ ଯଦି ଚାକିରୀ ଖଣ୍ଡିଏ 

ଯୋଗ୍ୟ ପ୍ରମାଣିତ ପରେ,

ଯୁବା ବୟସଟା କଟିଯାଏ ପୁରା 

ଦେଶମାତୃକା ସେବାରେ।

ରାଜକାର୍ଯ୍ୟ ସହ ପରିବାର ବୋଝ 

ସାମାଜିକ ଦାୟିତ୍ଵରେ,

ମୁଣ୍ଡେଇ ମୁଣ୍ଡେଇ ବୟସ ସରଇ

ବଳ‌ବି ହଟଇ ଧିରେ।

ଅବସର‌ ପରେ କେମିତି କଟିବ

କର୍ମଚାରୀର ଜୀବନ,

ସାମାଜିକ ସହ ସ୍ୱାସ୍ଥ୍ୟର ସୁରକ୍ଷା

ରହିବ ତା ସ୍ୱାଭିମାନ ।

ଦେଶ ବିଦେଶରେ ଶ୍ରମିକ ଶ୍ରେଣୀର 

ତୀବ୍ର ହେଲା ଆନ୍ଦୋଳନ,

ସ୍ଥିରିକୃତ ହେଲା ଅବସର ପରେ

ମାସିକିଆ ପେନସନ।

ଶ୍ରମ ସମ୍ମିଳନୀ ଆଇନ୍ କାନୁନ୍ 

ଉଚ୍ଚତମ ନ୍ୟାୟାଳୟ,

ଅନୁମୋଦନର ମୋହର ଲଗେଇ 

ପେନସନ କଲେ ଥୟ।

ସାହାରା ସାଜିଲା ପେନସନ ଗଣ୍ଡାକ 

ପରିଣତ ବୟସର,

ଦୟା ବା ଦକ୍ଷିଣା ନୁହଁଇ ତ ଏହା

ଗଣତାନ୍ତ୍ରିକ ଅଧିକାର।

               -  ୨ -

ସରକାର ବଦଳି ଶାସନ ବଦଳେ 

ଜନତାର ହିତ ପାଇଁ,

କର୍ମଚାରୀ ସ୍ୱାର୍ଥ ବଳି ପଡ଼ିଗଲା

ସର୍କାର ବଦଳି ଯାଇ।

ନୂଆ ଅର୍ଥନୀତି ଆପଣେଇ ନେଲେ

ମିଶି ବେଜେପି କଂଗ୍ରେସ,

ପେନସନ ନୀତି ବଦଳେଇ କଲେ

କର୍ମଚାରୀ ‌ସର୍ବନାଶ। 

ଦୁଇହଜାର ଚା’ରିରୁ ନୂତନ ପେନସନ 

ଯୋଜନାଟି ଲାଗୁହେଲା,

ଦେୟମୁକ୍ତ ଯେଉଁ ପେନସନ ଥିଲା 

ଦେୟଯୁକ୍ତ ହୋଇଗଲା।

ତୀବ୍ର ହେଲା କର୍ମଚାରୀଙ୍କ ବିରୋଧ

କମ୍ପିଲା ଦିଲ୍ଲୀ ଦରବାର,

ପୁରୁଣା ପେନସନ ପୁଣି ଲାଗୁ ହେଉ

ଦାବି ହେଲା ଜୋରଦାର।

ସର୍ବନିମ୍ନ ପେନସନର ବ୍ୟବସ୍ଥା 

ସବୁ ନାଗରିକ ପାଇଁ,

ଯିଏ ଯେଉଁ କ୍ଷେତ୍ରେ କର୍ମରତ ଥାଉ

ସର୍କାରୀ ଅବା ଘରୋଇ।

ବିଧାୟକ ମନ୍ତ୍ରୀ ସାଂସଦ ପାଇବେ

ସେଇ ପୁରୁଣା ପେନସନ,

କର୍ମଚାରୀ କଥା ଉଠିଲା ବେଳକୁ

କାହିଁ ପାଇଁ ଭିନ୍ନଭିନ୍ନ।

ଇପିଏଫ୍ ସହ ରାଷ୍ଟ୍ରାୟତ ସଂସ୍ଥା

ଅସଂଗଠିତ ଶ୍ରମିକ,

କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ

ତେଜିଲେ ଦେଶଟାଯାକ।

କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ 

ଶିକ୍ଷକ ପେନସନଭୋଗୀ,

ଏକ ଦେଶ ଏକ ପେନସନ ପାଇଁ  

ସଭିଏଁ ଉଠିଲେ ଜାଗି।

               - ୩ -

ସରକାର ଖେଳିଲେ ନିର୍ବାଚନୀ ଚାଲ୍

ପେନସନ କମିଟି କରି,

ନୂଆ ପେନସନର ଉନ୍ନତିକରଣେ

ଇସ୍ତାହାର କଲେ ଜାରି।

କର୍ମଚାରୀ ପକ୍ଷ ଡାକିଣ ବୈଠକ

ରଖିଲେ ତାଙ୍କ ଜବାବ,

ପୁରୁଣା ପେନସନ ଆଉ ମିଳିବନି

ନୂଆର ଉନ୍ନତି ହେବ।

ବିରୋଧ କରିଣ କର୍ମଚାରୀ ପକ୍ଷ

ତ୍ୟାଗ କଲେ ସେ ବୈଠକ,

ପୁରୁଣା ପେନସନ କେବଳ ଦରକାର

କହିଦେଲେ ରୋକ୍ ଠୋକ୍।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ 

ଦାବିପତ୍ର ଦେଇଦେଲେ,

ମନ୍ତ୍ରୀମଣ୍ଡଳୀୟ ସଚିବଙ୍କ ସହ 

ବିତ୍ତ ମନ୍ତ୍ରୀ ବି ଜାଣିଲେ।

ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ପାଇଁ 

ଚେତାବନୀ ଦିଆଗଲା,

ତାରିଖ ରହିଲା ଦୁଇହଜାର ଚବିଶ 

ମଇ ମାସର ପହିଲା।

ତୁରନ୍ତ ବୈଠକ ଡାକିଣ ସରକାର

ପୁଣି ଦୋହରେଇଲେ,

କର୍ମଚାରୀ ହିତେ ସବୁକିଛି ଦାବି

ବୁଝିବେ ବୋଲି କହିଲେ।

କର୍ମଚାରୀ ପକ୍ଷର ସର୍ବୋଚ୍ଚ ନେତା

ପୁଣି ଭରସା କଲେ,

ହେବନାହିଁ ଆଉ ଧର୍ମଘଟ ବୋଲି

ଜବାବ ତାଙ୍କ ରଖିଲେ।

ଭୁଲିଲେ ସରକାର ତାଙ୍କ ପ୍ରତିଶ୍ରୁତି 

ପୁରୁଣା ପେନସନ ନାହିଁ,

ୟୁପିଏସ୍ ନାମରେ ନୂଆ ଯୋଜନାଟେ 

ଆଣିଲେ କର୍ମଚାରୀ ପାଇଁ।

                 - ୪ -

ଦୁଇ ଦଶନ୍ଧିର ପେନସନ ଆନ୍ଦୋଳନ

ପାଣିଚିଆ ହେଇଗଲା,

ସର୍ବନିମ୍ନ ମଜୁରୀ ବୃଦ୍ଧି ପ୍ରସଙ୍ଗରେ

ଆଗରୁ ବି ହୋଇଥିଲା।

ପୁରୁଣା ପେନସନ କେବଳ ଦରକାର

ଯିଏ ଦିନେ କହୁଥିଲେ,

ୟୁପିଏସକୁ ଭଲ ବୋଲି କହି 

ବୟାନ ବାଜି‌ବି କଲେ।

ମୂଖିଆ ବୋଲିଣ ଯାହାକୁ ମାନିଲେ

ସବୁ ସଂଗଠନଗଣ,

ଦୁଇ‌ଦୁଇ ଥର ଧୋକା ଖାଇଗଲେ

ତାଙ୍କୁ ଭରସା କରିଣ।

ୟୁପିଏସ ନୁହେଁକି ଜାତୀୟ ପେନସନ୍

କେହି ନୁହେଁ ଉପକାରୀ,

ସଠିକ କେବଳ ପୁରୁଣା‌ ପେନସନ୍ 

ବୁଝିବା ହେଉଛି ଡେରି।

ଦୁଇହଜାର ଚବିଶ ସରିଗଲା ପଛେ

ଦ୍ବନ୍ଦରେ କର୍ମୀ ଓ ନେତା,

ଆଗକୁ କି କି ନିଷ୍ପତ୍ତି ହୋଇବ

ମିଳିଲାନି ଟିକେ ପତ୍ତା।

ସମସ୍ତଙ୍କ ପାଇଁ ସବୁ ଶୁଭ ହେଉ

ଦୁଇହଜାର ପଚିଶରେ,

ନୂଆ‌ ଉନ୍ମାଦନା ଭରିଉଠୁ ସବୁ

ଦେଶବାସୀଙ୍କ ହୃଦରେ।

ଅନ୍ୟାୟ ଅନୀତି ବିରୁଦ୍ଧରେ ସ୍ବର

ଆହୁରି ଶାଣିତ ହେଉ,

ନତୁଟୁ‌ କାହାରି‌ ବିଶ୍ୱାସ ଭରସା 

ସତ୍ୟର ଜୟ ହେଉ।

କୃଷକ ଶ୍ରମିକ ସୈନିକ ସଭିଙ୍କୁ

ମିଳିଯାଉ ତାଙ୍କ ହକ,

ସୁରକ୍ଷିତ ରହୁ ଆମ ଗଣତନ୍ତ୍ର 

ନବୁଡୁ କାହାରି ଭେକ।

*****

No comments:

Post a Comment