Wednesday, September 18, 2024

ଓପିଏସରୁ ୟୁପିଏସ୍ ଏବଂ ବିଜେପି ଓ କଂଗ୍ରେସ


ଓପିଏସରୁ ୟୁପିଏସ୍ ଏବଂ ବିଜେପି ଓ କଂଗ୍ରେସ 

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର 

       ସବୁ କଳ୍ପନାଜଳ୍ପନାର ଅନ୍ତ ଘଟେଇ ୨୪ ଅଗଷ୍ଟ ୨୦୨୪ରେ କେନ୍ଦ୍ର କ୍ୟାବିନେଟ ପୁରୁଣା ପେନସନ ଯୋଜନା (ଓପିଏସ୍) ଓ ଜାତୀୟ ପେନସନ ଯୋଜନା (ଏନପିଏସ୍) ବଦଳରେ ଏକୀକୃତ ପେନସନ ଯୋଜନା (ୟୁନିଫାଏଡ୍ ପେନସନ ସ୍କିମ୍ ବା ୟୁପିଏସ୍) ନାମରେ ଏକ ନୂଆ ପେନସନ ଯୋଜନାକୁ ମଂଜୁରୀ ପ୍ରଦାନ‌ କରିଛନ୍ତି। ପ୍ରାରମ୍ଭିକ ତଥ୍ୟରୁ ମୋଟାମୋଟି ଯାହା ଜଣା ପଡ଼ୁଛି, ୟୁପିଏସ୍‌ରେ ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନ୍‌ସନ୍‌, ସୁନିଶ୍ଚିତ ସର୍ବନିମ୍ନ ପେନସନ୍‌, ମୁଦ୍ରାସ୍ଫିତୀ ଅନୁରୂପ ପେନ୍‌ସନ୍‌ ନିର୍ଦ୍ଧାରଣ ଓ ଅବସର ପରେ ଗ୍ରାଚୁଇଟି ବ୍ୟତୀତ ଏକକାଳୀନ ରାଶି ଇତ୍ୟାଦି ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ରହିଛି।୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମାର ୫୦% ମିଳିବ । ଏହି ବେତନ ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧି ଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ସେବା ଅବଧି କ୍ଷେତ୍ରରେ ଆନୁପାତିକ ଭାବେ ମିଳିବ। ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନ୍‌ସନ୍‌ର ୬୦% ହାରରେ ପାରିବାରିକ ପେନସନ୍‌ ମିଳିବ। ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ପେନସନ ସୁନିଶ୍ଚିତ। ସୁନିଶ୍ଚିତ ପେନ୍‌ସନ୍‌, ସୁନିଶ୍ଚିତ ପାରିବାରିକ ପେନସନ୍‌ ଓ ସୁନିଶ୍ଚିତ ସର୍ବନିମ୍ନ ପେନ୍‌ସନ୍‌ ଉପରେ ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତାର ପ୍ରାବଧାନ ମଧ୍ୟ ୟୁପିଏସରେ ରହିଛି। ଏହା ବାଦ୍, ଅବସର ପରେ ଗ୍ରାଚୁଇଟି ବ୍ୟତୀତ ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକ (ବେତନ+ଡିଏ)ର ଏକ ଦଶାଂଶ ଏକକାଳୀନ ରାଶି ମଧ୍ୟ ଉପଲବ୍ଧ ହେବ ଏବଂ ଏହି ରାଶି କାରଣରୁ ସୁନିଶ୍ଚିତ ପେନ୍‌ସନ୍‌ର ପରିମାଣ କମ୍‌ ହେବ ନାହିଁ ।

       ୨୦୦୪ରୁ ପ୍ରଚଳିତ ଏହି ଏନପିଏସର ସମ୍ପୂର୍ଣ୍ଣ  ମୂଳୋତ୍ପାଟନ କରି  ଓପିଏସର ପୁନଃ ‌ପ୍ରଚଳନ କରିବା ପାଇଁ  ସରକାରଙ୍କ ପାଖରେ କର୍ମଚାରୀ ପକ୍ଷର ଦାବି ରହିଥିଲା। ୨୦୦୪ରୁ ୨୦୨୪, ଦୀର୍ଘ ୨୦ ବର୍ଷର ସଂଘର୍ଷ କିଛି କମ୍‌ କଥା ନୁହେଁ। ବିଶେଷ ଭାବେ, ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନଜେସିଏ) ଭଳି ଏକ ବୃହତକାୟ ମିଳିତ ମଞ୍ଚ ଅଧୀନରେ ଭାରତବର୍ଷର ରେଳବାଇ ସହ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଏବଂ ଶିକ୍ଷକମାନଙ୍କ ୨୦୨୩ର ବର୍ଷ ତମାମ ସଂଘର୍ଷ ପେନସନ କମିଟି ବସେଇବା ସହ କର୍ମଚାରୀ ପକ୍ଷ ସହ ଏକାଧିକବାର ଆଲୋଚନା ପାଇଁଁ କେନ୍ଦ୍ର ସରକାରଙ୍କୁ ଏକରକମ ବାଧ୍ୟ କରିଥିଲା ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ। କିନ୍ତୁ ସରକାର ଏନପିଏସକୁ ପରିବର୍ତ୍ତିତ କରି ପୁରାତନ ପେନସନ ଯୋଜନା ଭଳି ମୂଳ ଦରମାର ୫୦% ପେନସନ ଦେବା ପାଇଁ ୟୁପିଏସରେ କହିଥିଲେ ବି ଅନେକ କିଛି କଥା ଅସ୍ପଷ୍ଟ ରହିଛି। ରାଜପତ୍ର ବିଜ୍ଞପ୍ତି ପରେ ଭଲମନ୍ଦ ଆହୁରି ସ୍ପଷ୍ଟ ଜଣାପଡିବ। ତଥାପି ବର୍ତ୍ତମାନ ପାଇଁ, ନାହିଁ ମାମୁଁ ଠାରୁ କ’ଣା ମାମୁଁ ଭଲ ନ୍ୟାୟରେ‌ କିଛି ନେତୃମଣ୍ଡଳୀ ଓ ସଂଗଠନ ଏହାକୁ ସ୍ବାଗତ କରୁଥିଲାବେଳେ, କିଛି ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ଏବଂ ଅନେକ କର୍ମଚାରୀ ଓ ଶ୍ରମିକ ସଂଗଠନଗୁଡ଼ିକ ଏହାକୁ ନାପସନ୍ଦ କରି ନିଜ ନିଜର ପ୍ରେସ ଇସ୍ତାହାର ଜାରି କରିବା ସହ ଓପିଏସ୍ ଦାବିକୁ ଦୋହୋରେଇଛନ୍ତି। ଏହି ପ୍ରସଙ୍ଗରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଟିପ୍ପଣୀ “ୟୁପିଏସ୍ କେନ୍ଦ୍ର ସରକାରଙ୍କ ୟୁଟର୍ଣ୍ଣ ପେନସନ୍ ସ୍କିମ” ଉପରେ ଆଲୋଚନା କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। 

         ସମ୍ପୂର୍ଣ୍ଣ ଘଟଣାର ଅୟମାରମ୍ଭ ହୁଏ ୨୨ ଡିସେମ୍ବର ୨୦୦୩ର ଏକ କାର୍ଯ୍ୟନିର୍ବାହୀ ଆଦେଶନାମାରୁ ଯାହା ବଳରେ ବିଜେପି ନେତୃତ୍ଵାଧୀନ ଅଟଳ ବିହାରୀ ବାଜପାୟୀଙ୍କ ସରକାର କୌଣସି ବିଲ୍ କିମ୍ବା ଅଧିନିୟମ ବିନା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୧୭ ଡିସେମ୍ବର ୧୯୮୨ର ରାୟକୁ (ଡି ଏସ୍ ନାକରା ବନାମ ଭାରତ ସରକାର) ବେଖାତିର କରି ପେନସନ ନିୟମାବଳୀ ଅଧିନସ୍ଥ କର୍ମଚାରୀଙ୍କର ସାମ୍ବିଧାନିକ ଅଧିକାର ଉପରେ ବଜ୍ର ପ୍ରହାର କଲେ ଏବଂ ଏକତରଫା ଭାବେ ଓପିଏସକୁ ଉଚ୍ଛେଦ କରି ଜାନୁଆରୀ ପହିଲା ୨୦୦୪ରୁ ଏନପିଏସ୍ ଲାଗୁ କଲେ। ମଇ ୨୦୦୪ରେ ବାଜପେୟୀ ସରକାରଙ୍କ ପତନବେଳକୁ କର୍ମଚାରୀଙ୍କର ତୀବ୍ର ବିରୋଧ ସତ୍ତ୍ୱେ ଏନପିଏସର କୌଣସି ସଠିକ୍ ନୀତି ନିର୍ଦ୍ଧାରଣ ହୋଇପାରିଲା ନାହିଁ। ୨୨ ମଇ ୨୦୦୪ରେ ଡ. ମନମୋହନ ସିଂଙ୍କ ପ୍ରଧାନମନ୍ତ୍ରୀତ୍ୱରେ କଂଗ୍ରେସ ନେତୃତ୍ଵାଧୀନ ଜାତୀୟ ପ୍ରଗତିଶୀଳ ମେଣ୍ଟ (ୟୁପିଏ-୧) ସରକାର ଗଠିତ ହେବାପରେ ୨୦୦୫ରେ ପେନସନ୍ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ବିଲ୍ ଯଦିଓ ସଂସଦରେ ଆଗତ ହେଲା, ବାମପନ୍ଥୀ  ସାଂସଦଙ୍କ ତୀବ୍ର ବିରୋଧ ଯୋଗୁଁ କଂଗ୍ରେସ ସରକାର ସଫଳ ହୋଇପାରିଲେ ନାହିଁ। ବାମପନ୍ଥୀ ଦଳମାନେ ୟୁପିଏ-୧ରୁ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରିନେବା ପରେ ମନମୋହନ ସିଂଙ୍କ ୟୁପିଏ-୨ ସରକାର ଅମଳରେ ୨୦୧୧ରେ ପୁନର୍ବାର ଏହି ବିଲ୍ ଆଗତ ହୋଇ ବିଜେପି ସାଂସଦଙ୍କ ସହମତିରେ ୧୯ ସେପ୍ଟେମ୍ବର ୨୦୧୩ରେ ଅଧିନିୟମରେ (ପିଏଫଆରଡିଏ) ପରିଣତ ହୋଇ ୧ ଫେବୃଆରୀ ୨୦୧୪ରେ ଲାଗୁ ହେଲା। ମଇ ୨୦୧୪ରେ ୟୁପିଏ ସରକାର କ୍ଷମତାରୁ ହଟିବା ପରେ ୨୬ ମଇ ୨୦୧୪ରୁ ଏଯାବତ୍ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ ବିଜେପି ନେତୃତ୍ଵାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନଡିଏ ସରକାର କ୍ଷମତାସୀନ। ଅର୍ଥାତ, ଏନପିଏସ୍ ବିରୋଧରେ କର୍ମଚାରୀଙ୍କର ଦୀର୍ଘ ୨୦ ବର୍ଷର ଯେଉଁ ନିରବଚ୍ଛିନ୍ନ ସଂଘର୍ଷ ରହିଛି, ତା’ରି ଭିତରେ ଉଭୟ କଂଗ୍ରେସ ଓ ବିଜେପି ଦଶ ବର୍ଷ ଲେଖାଏଁ ଶାସନରେ ଅଛନ୍ତି। ଜଣେ କର୍ମଚାରୀ ପ୍ରତିନିଧି ହିସାବରେ ଲେଖକ ମଧ୍ୟ ନିଜେ ଏଇ ୨୦ ବର୍ଷର ସଂଘର୍ଷରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ବିଜେପି ଅନ୍ୟାୟ ଭାବରେ ଏନପିଏସ୍ ପ୍ରଚଳନ କଲା। କଂଗ୍ରେସ ପ୍ରଥମେ ବିଲ୍ ଓ ପରେ ଅଧିନିୟମ ପ୍ରଣୟନ କରି ଏନପିଏସର ଚେରକୁ ଦୃଢ଼ୀଭୂତ କଲା ଯାହାଦ୍ଵାରା କଂଗ୍ରେସ ଉପରେ ସମୁଦାୟ ଦୋଷ ଲଦି ଦେଇ ଏନପିଏସକୁ ଚାଲୁ ରଖିବା ପାଇଁ ବିଜେପିକୁ ଅତି ସହଜ ହେଲା। ତେଣୁ କଂଗ୍ରେସର ଭଲେଇହେବା ଯେତିକି ହାସ୍ୟାସ୍ପଦ, ବିଜେପିର ମନମାନି ମଧ୍ୟ ସେତିକି କ୍ଷତିକାରକ। ଏନପିଏସ୍ ପ୍ରଚଳନ କରି କର୍ମଚାରୀଙ୍କୁ କ୍ଷତି ପହଞ୍ଚେଇବାରେ କେହି କାହାଠୁ କମ୍ ନୁହଁନ୍ତି। ୨୦୦୪ରୁ ୨୦୧୪ ଯାଏ ନିଜର ଦଶବର୍ଷ ଶାସନକାଳରେ କଂଗ୍ରେସ ଯଦି କର୍ମଚାରୀଙ୍କ ମଙ୍ଗଳ ସହ ଉଚ୍ଚତମ ନ୍ୟାୟାଳୟଙ୍କ ଉପରୋକ୍ତ ଐତିହାସିକ ରାୟ ଆଧାରରେ ପୁରୁଣା ପେନସନର  ଆବଶ୍ୟକତାକୁ ଉପଲବ୍ଧି କରିଥା’ନ୍ତା, ତେବେ କଥା ୟୁପିଏସ୍ ପର୍ଯ୍ୟନ୍ତ ଆସିନଥାନ୍ତା। ତେଣୁ ୟୁପିଏସର ‘ୟୁ’ ମୋଦି ସରକାରଙ୍କ ୟୁଟର୍ଣ୍ଣ କହିବା ଆଜିର ଦିନରେ କଂଗ୍ରେସ ପାଇଁ ଅତ୍ୟନ୍ତ ଅଶୋଭନୀୟ।

         ଶେଷରେ କର୍ମଚାରୀଙ୍କ ଲାଭକ୍ଷତି ଓ ମତମନ୍ତବ୍ୟର ଦିଗକୁ ଆଲୋଚନା କଲେ, ପ୍ରକାଶିତ ତଥ୍ୟାନୁଯାୟୀ ୟୁପିଏସ୍, ଓପିଏସର ସଠିକ ବିକଳ୍ପ ନୁହେଁ। କର୍ମଚାରୀ ପକ୍ଷରୁ ଓପିଏସ୍ ଭଳି ଶେଷ ଦରମାର ୫୦% ସୁନିଶ୍ଚିତ ପେନସନ ପାଇଁ ଯେଉଁ ଦାବି ହୋଇଥିଲା ତାହା ଯଦିଓ ସରକାର ଗ୍ରହଣ କରିଛନ୍ତି, ଏନପିଏସ୍ ଭଳି ଏହା ଦେୟଯୁକ୍ତ ରହିଛି ଯାହା ଉଚିତ୍ ହେଲାନାହିଁ। ଓପିଏସରେ ଶେଷ ଦଶମାସର ହାରାହାରି ଦରମା ଅଥବା ଅବସର ମାସର ଦରମାର ୫୦%ରୁ ଯେଉଁଟି କର୍ମଚାରୀ ପାଇଁ ଲାଭଦାୟକ ହେଉଥିଲା, ତାହା ଗ୍ରହଣୀୟ ଥିଲା। କିନ୍ତୁ ୟୁପିଏରେ କେବଳ ଶେଷ ୧୨ ମାସର ହାରାହାରି ଦରମା କଥା କୁହାଯାଇଛି ଯାହା ଅଧିକାଂଶଙ୍କ କ୍ଷେତ୍ରରେ ଆତ୍ମଘାତୀ ହୋଇପାରେ। ପୁରା ପେନସନ ପାଇବା ପାଇଁ ସର୍ବନିମ୍ନ ୨୫ବର୍ଷର ଚାକିରୀ ଅବଧି ପୂର୍ବ ବେତନ ଆୟୋଗଙ୍କ ସୁପାରିଶର ବିରୁଦ୍ଧାଚରଣ କରୁଛି। ଅବସରପ୍ରାପ୍ତ କର୍ମଚାରୀର ଯଦି ୬୭ ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଏ, ତେବେ ଓପିଏସରେ  ପାରିବାରିକ ପେନସନ ସେହିଭଳି ୫୦% ରହି ୬୭ ବର୍ଷ ପରେ ୩୦% ହେଉଥିଲା। କିନ୍ତୁ ୟୁପିଏସରେ ଆରମ୍ଭରୁ ୩୦% ( ୬୦%ର ୫୦%)। ଏନପିଏସର କର୍ପସ ପାଣ୍ଠିରୁ ଯେଉଁ ଉଠାଣ ବ୍ୟବସ୍ଥା ଥିଲା, ୟୁପିଏସ୍ ସେବାବଦରେ ନୀରବ। ୟୁପିଏସ୍ ଜରିଆରେ ସରକାର ନିଜସ୍ବ ୧୪% ଦେୟକୁ ୧୮.୫%କୁ ବୃଦ୍ଧି କରି ୩୧ ଜୁଲାଇ ୨୦୨୪ସୁଦ୍ଧା ୯୯,୭୭,୧୬୫ଜଣ ଉପଭୋକ୍ତାଙ୍କର ୧୦,୫୩,୮୫୦କୋଟି ଟଙ୍କାର ପେନସନ ଫଣ୍ଡକୁ ଆହୁରି ବଢେଇ ଫଟକା ବଜାରରେ ବିନିଯୋଗ କରି କର୍ମଚାରୀଙ୍କ  ସ୍ୱାର୍ଥକୁ ନୁହେଁ, ବରଂ ନବ୍ୟ ଉଦାରବାଦୀ ଅର୍ଥନୀତିକୁ କେବଳ ପ୍ରୋତ୍ସାହିତ କଲାଭଳି ପ୍ରତୀୟମାନ ହେଉଛି। ଏପ୍ରିଲ ପହିଲା ୨୦୨୫ରୁ ୟୁପିଏସକୁ ଲାଗୁ କରିବା ନେଇ ଅନେକ ସନ୍ଦେହ ସୃଷ୍ଟି ହେବା ସ୍ଵାଭାବିକ।

       ଅତଏବ, ଏହିଭଳି ଅନେକ ଆଶଙ୍କା ଭିତରେ ସରକାର ଜବରଦସ୍ତ କର୍ମଚାରୀଙ୍କ ଉପରେ ୟୁପିଏସକୁ ଲଦି ଦେଇଥିବା ବେଳେ କର୍ମଚାରୀଙ୍କ ଦୀର୍ଘ ୨୦ ବର୍ଷର ନିରବଚ୍ଛିନ୍ନ ସଂଘର୍ଷ ଆଂଶିକ ସଫଳତା ପାଇଛି। ସଂଘର୍ଷର ଶେଷ ନଥାଏ। କର୍ମଚାରୀ ଏକତା ଠିକ୍ ରହିଲେ ସମ୍ପୂର୍ଣ୍ଣ ଓପିଏସକୁ ଫେରେଇ ଆଣିବା କିଛି ଅସମ୍ଭବ ନୁହେଁ। 

*******

No comments:

Post a Comment