Friday, June 7, 2024

ଶ୍ରମ ଏକ ବସ୍ତୁ ନୁହେଁ

ଶ୍ରମ ଏକ ବସ୍ତୁ ନୁହେଁ

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର

        ଆନ୍ତର୍ଜାତୀୟ ଅର୍ଥନୈତିକ ଯୋଜନା ସହ ମାନବୀୟ ଅଧିକାରକୁ ସାମାଜିକ ନୀତିରେ କେନ୍ଦ୍ରୀକୃତ କରିବା ପାଇଁ ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ (ଇଣ୍ଟରନେସନାଲ ଲେବର ଅର୍ଗାନାଇଜେସନ ବା ଆଇଏଲଓ) ୧୦ ମଇ ୧୯୪୪ରେ ଆମେରିକାର ଫିଲାଡେଲଫିଆ ଠାରେ ଆୟୋଜିତ ଏହାର ଛବିଶତମ ସମ୍ମିଳନୀରେ ନିଜର ଚିରାଚରିତ ଉଦ୍ଦେଶ୍ୟାବଳୀର ପୁନଃ ପ୍ରାରମ୍ଭ କରି ବିଶ୍ୱ ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତିରେ ନୂତନ  ବାସ୍ତବତା ଓ ପ୍ରତିଶ୍ରୁତି ସହ ସମଗ୍ର ପୃଥିବୀକୁ ଏକ ସମ୍ଭାବନାମୟ ଉତ୍କର୍ଷତା ଆଡ଼କୁ ଆଗେଇ ନେବାକୁ ଯେଉଁ ଘୋଷଣାନାମା ଗ୍ରହଣ କରିଥିଲେ ତାହା ୧୯୪୬ର ମଣ୍ଟ୍ରିଲ ସାଧାରଣ ସମ୍ମିଳନୀରେ ଆଇଏଲଓର ସଂଶୋଧିତ ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଗଣିତ ହେଲା। ଉପରୋକ୍ତ ଘୋଷଣାନାମା ନିମ୍ନୋକ୍ତ କେତୋଟି ପ୍ରମୁଖ ସିଦ୍ଧାନ୍ତ ଉପରେ ପର୍ଯ୍ୟବେସିତ ଥିଲା। ଯଥା, (୧) ଶ୍ରମ ଏକ ବସ୍ତୁ ନୁହେଁ, (୨) ନିରନ୍ତର ପ୍ରଗତି ପାଇଁ ଅଭିବ୍ୟକ୍ତି ଓ ସଂଘର ସ୍ୱତନ୍ତ୍ରତା, (୩) କୌଣସି ଏକ ସ୍ଥାନରେ ଦାରିଦ୍ର୍ୟ ପ୍ରତ୍ୟେକ ସ୍ଥାନରେ ସମୃଦ୍ଧି ପାଇଁ ଏକ ବିପଦ, (୪) ଅଭାବ ବିରୁଦ୍ଧରେ ଲଢିବା ଓ ସମୂହ କଲ୍ୟାଣର ଉନ୍ନତି ନିମନ୍ତେ ସରକାରଙ୍କ ସହ ସମାନ ମର୍ଯ୍ୟାଦାରେ ଶ୍ରମିକ ଓ ନିଯୁକ୍ତିଦାତାଙ୍କ ମୁକ୍ତ ଆଲୋଚନା ଓ ଗଣତାନ୍ତ୍ରିକ ନିଷ୍ପତ୍ତି ପାଇଁ କ୍ରମାଗତ ଆନ୍ତର୍ଜାତୀୟ ପ୍ରଚେଷ୍ଟାର ଆବଶ୍ୟକତା ଏବଂ (୫) ଜାତି, ଧର୍ମ ଓ ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ମଣିଷର ଆର୍ଥିକ ସୁରକ୍ଷା ଓ ସମାନ ସୁଯୋଗ ସହ ସମ୍ମାନ ଓ ସ୍ୱାଧୀନ ଭାବେ ନିଜର ଭୌତିକ ଓ ଆଧ୍ୟାତ୍ମିକ କଲ୍ୟାଣର ଅଧିକାର। ଭାରତ ସରକାର ଶ୍ରମିକ ସପକ୍ଷବାଦୀ ମୋଟ ୪୪ଟି ଶ୍ରମ ନିୟମରୁ ୧୫ଟିର ସମ୍ପୂର୍ଣ୍ଣ ଉଛେଦ ସହ ବାକି ୨୯ଟି ଆଇନକୁ ନିଯୁକ୍ତିଦାତା ସପକ୍ଷବାଦୀ ୪ଗୋଟି ଶ୍ରମ କୋଡରେ ପରିଣତ କରି ଶ୍ରମିକଙ୍କ ସ୍ୱାର୍ଥର ବିପରୀତରେ ଲାଗୁ କରିବାକୁ ପ୍ରସ୍ତୁତ ହେଉଥିବାବେଳେ, ଆଇଏଲଓର ଉପରୋକ୍ତ ଘୋଷଣାନାମା, ବିଶେଷ ଭାବେ ଶ୍ରମ ଯେ ଏକ ବସ୍ତୁ ବା ପଣ୍ୟ ଦ୍ରବ୍ୟ ନୁହେଁ, ଏ ବିଷୟରେ ଦୀର୍ଘ ଆଠ ଦଶନ୍ଧି ପରେ ବି ଆଲୋଚନା କରିବା ବେଶ୍ ପ୍ରାସଙ୍ଗିକ ମନେହୁଏ।

          ବିଶ୍ଵ ବ୍ୟାପି ଅର୍ଥନୈତିକ ଓ ବାଣିଜ୍ୟିକ ଆଳାପ ଆଲୋଚନା ଭିତରେ କେବଳ ଏକ ପଣ୍ୟ ଦ୍ରବ୍ୟ ହିସାବରେ ଶ୍ରମର ଅବଧାରଣ ଲଗାତାର ବିଳମ୍ବିତ କହିଲେ ଅତ୍ୟୁକ୍ତି ହେବନାହିଁ। ଶ୍ରମକୁ ଏକ ପଣ୍ୟ ଦ୍ରବ୍ୟ ଭଳି ନିମ୍ନ ଦୃଷ୍ଟିରେ ବିଚାର କରିବା ଦ୍ଵାରା ଏହାର ଅନ୍ତର୍ନିହିତ ମାନବୀୟ ଗାରିମା ଏବଂ କର୍ମ ସହ ଏହାର ଜଟିଳତା ଯଥେଷ୍ଟ କ୍ଷୁର୍ଣ୍ଣ ହୁଏ। ଯେତେବେଳେ ପାରମ୍ପରିକ ଅର୍ଥନୈତିକ ସିଦ୍ଧାନ୍ତସମୁହ ଶ୍ରମକୁ ଉତ୍ପାଦନର ଏକ ସହାୟକ ଭାବେ ବିବେଚନା କରେ, ସେତେବେଳେ ଏହା କହିବା ବହୁ ମାତ୍ରାରେ ସଠିକ ହେବ ଯେ ଶ୍ରମର ପ୍ରକୃତ ସଂଜ୍ଞା ପଣ୍ୟ ବିନିମୟର ଉର୍ଦ୍ଧରେ ବ୍ୟକ୍ତିଗତ ପରିଚୟ, ସାମାଜିକ ସମ୍ପର୍କ ଓ ପ୍ରଗତି ଭଳି ବହୁମୂଖୀ ପରିସର ଭିତରେ ଆବଦ୍ଧ। ମୂଳତଃ, ଶ୍ରମ ଏକ ଅର୍ଥନୈତିକ କାରବାର ନୁହେଁ, ବରଂ ଏକ ମୌଳିକ ମାନବୀୟ ଅଭିବ୍ୟକ୍ତି। ଏହା ବ୍ୟକ୍ତିଗତ କୌଶଳ, ପ୍ରତିଭା ଓ ଉଚ୍ଚାକାଂକ୍ଷାର ପ୍ରଦର୍ଶନ। ନିଜର ଚରିତ୍ର ଓ ଗୁଣବତ୍ତା ଭିତ୍ତିରେ ପ୍ରତ୍ୟେକ ବ୍ୟକ୍ତି ନିଜ କର୍ମରେ ଅଦ୍ୱିତୀୟ ଅଭିଜ୍ଞତା ଓ ଦକ୍ଷତା ପ୍ରତିପାଦିତ କରିଥାଏ। ଜଣେ ସାଧାରଣ ଚିତ୍ରକର ଠାରୁ ବିଶ୍ୱର ରହସ୍ୟ ଉନ୍ମୋଚନ କରୁଥିବା ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ପାଇଁ ନିଜ ଭିତରେ ଥିବା ସମ୍ଭାବନାକୁ ହୃଦୟଙ୍ଗମ କରି ସମାଜ ପ୍ରତି ଏକ ଅର୍ଥପୂର୍ଣ୍ଣ ସହଯୋଗ କରିବାରେ ଶ୍ରମ ଏକ ପ୍ରଶସ୍ତ ମାର୍ଗ। ଅଧିକନ୍ତୁ, ଶ୍ରମ ଅନେକ ସମୟରେ ବ୍ୟକ୍ତିଗତ ପୂର୍ତ୍ତି ଓ ଆତ୍ମବୋଧର ଉତ୍ସ ଭାବେ କାର୍ଯ୍ୟ କରେ। ରଚନାତ୍ମକ ପ୍ରୟାସ, ବୌଦ୍ଧିକ ଗତିବିଧି ଓ ନିଜସ୍ବ ବୃତ୍ତି ଜରିଆରେ ଜଣେ ବ୍ୟକ୍ତି ବିଶେଷ ନିଜସ୍ବ ଉପଲବ୍ଧି ଓ ପରିଚୟ ଲାଭକରେ ଯାହାଦ୍ଵାରା ତା’ର ଶ୍ରମ, ଆତ୍ମଅବଧାରଣା ଓ ଜୀବନ ସନ୍ତୁଷ୍ଟିର ଏକ ଆବଶ୍ୟକ ଅଂଶ ପାଲଟିଥାଏ। ତେଣୁ ଶ୍ରମକୁ ଏକ ବସ୍ତୁ ଭଳି ବିବେଚନା କଲେ ଆର୍ଥିକ କ୍ଷତିପୂରଣର ଉର୍ଦ୍ଧରେ ଥିବା ଏହାର ଅନ୍ତର୍ନିହିତ ମୂଲ୍ୟ ଅଣଦେଖା ହେବା ସ୍ୱାଭାବିକ।

     ବ୍ୟକ୍ତି ବିଶେଷର ଉର୍ଦ୍ଧରେ ଶ୍ରମ ମଧ୍ୟ ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଓ ଗୋଷ୍ଠୀ ଭିତରେ ସାମାଜିକ ସମ୍ପର୍କ ଓ ସଂହତି ବିକାଶରେ ସହାୟକ ହୁଏ। ଶ୍ରମିକର କାର୍ଯ୍ୟସ୍ଥଳ ସାମାଜିକ ବାର୍ତ୍ତାଳାପର ଏକ ନାଭିକ୍ଷେତ୍ର ଭଳି କାମକରେ ଯେଉଁଠି ବ୍ୟକ୍ତିଗଣ ସହଯୋଗୀତା ଓ ସହଭାଗିତାରେ ଭାବର ଆଦାନପ୍ରଦାନ କରି ସହକର୍ମୀଙ୍କ ସହ ଏକ ଅତୁଟ ବନ୍ଧନରେ ଛନ୍ଦିହୁଅନ୍ତି। ସାମୁହିକ ପ୍ରୟାସ ଦ୍ୱାରା ଶ୍ରମିକମାନେ ନିଜ ନିଜ ଭିତରେ ଏକ ଆପଣାପଣ ଓ ସହାବସ୍ଥାନ ସୃଷ୍ଟି କରି ସାମାଜିକ ପୁଞ୍ଜି ବିକାଶରେ ସହାୟକ ହୁଅନ୍ତି। ଆବଶ୍ୟକୀୟ ସେବା ଯୋଗାଇ, ଦ୍ରବ୍ୟ ଉତ୍ପାଦନ କରି କିମ୍ବା ପରୋପକାରୀ ପ୍ରୟାସ ଦ୍ବାରା, ଶ୍ରମିକ ଜନକଲ୍ୟାଣର ଏକ ପରିବାହକ ଭାବେ କାର୍ଯ୍ୟ କରେ। ଶ୍ରମିକମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଓ ନିର୍ଭରଶୀଳତା ଶ୍ରମକୁ ଏକ କ୍ଷୁଦ୍ର ପଣ୍ୟ ଦ୍ରବ୍ୟର ଉର୍ଦ୍ଧରେ ସାମୁହିକ ଉତ୍କର୍ଷତାର ଅନୁଭୂତ କରାଏ।  

        ଶ୍ରମକୁ ଏକ ବସ୍ତୁ ଭାବେ ବିବେଚନା ନକରିବାର ମୂଖ୍ୟ କାରଣ ହେଉଛି ଶ୍ରମିକର ଅନ୍ତର୍ନିହିତ ସମ୍ମାନ ଓ ଅଧିକାର। ଶ୍ରମ ଇଛା ମୁତାବକ କିଣାବିକା ଭଳି ଏକ ପରିବର୍ତ୍ତନୀୟ ସଂସାଧନ ନୁହେଁ, ବରଂ ଏହା  ବ୍ୟକ୍ତିର ସ୍ୱାୟତ୍ତତା, ସୁସ୍ଥତା ଓ ଉଚିତ ଉପଚାରକୁ ସମ୍ମାନ ଜଣାଏ। ଶ୍ରମିକର ଅଧିକାର ଅକ୍ଷୁର୍ଣ୍ଣ ରହିଲେ, ସୁରକ୍ଷିତ କାର୍ଯ୍ୟାବସ୍ଥା, ଉଚିତ ମଜୁରୀ ଓ ସମାନ  ସୁଯୋଗାଦିରେ ଉନ୍ନତି ହେବ। ଅଧିକନ୍ତୁ, ଏକ ବସ୍ତୁ ଦୃଷ୍ଟିରେ ଦେଖିଲେ ଏହା ଶ୍ରମ ବଜାରରେ ଶୋଷଣକାରୀ ପ୍ରଥା ଓ ଅସମାନତାକୁ ପ୍ରୋତ୍ସାହିତ କରିବ। ଏକ ସାଧାରଣ ମିଠା ଦୋକାନରୁ ଅନିଶ୍ଚିତ ରୋଜଗାର ବ୍ୟବସ୍ଥା ଯାଏ ଶ୍ରମକୁ ଏକ ବସ୍ତୁ ଭାବେ ଗଣନା କଲେ ଏହା ମାନବୀୟ ମୂଲ୍ୟବୋଧ ଓ ଶ୍ରମିକଙ୍କ ଅଧିକାରର ଅବମୂଲ୍ୟାୟନ ହେବ। ତେଣୁ ଶ୍ରମିକର ସମ୍ମାନ ଓ ଅଧିକାରକୁ ସୁରକ୍ଷା ଦେବାକୁ, ଶ୍ରମର ବହୁମୂଖୀ ଚରିତ୍ରକୁ ଗ୍ରହଣ କରିବାକୁ ହେବ ଏବଂ ଏହାକୁ ଏକ ବସ୍ତୁ ଭଳି ବିଚାର କରିବାର ଚିନ୍ତାଧାରାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ। 
         କୁହାଯାଏ, ଶ୍ରମିକ ଦେଶ ଗଢେ।  ଛୁଞ୍ଚିରୁ ଉଡାଜାହାଜ ସହ ରାଷ୍ଟ୍ର ନିର୍ମାଣ ଏବଂ ରାଷ୍ଟ୍ର, ପରିବେଶ ଓ ଜଳବାୟୁର ସୁରକ୍ଷା ଠାରୁ ଆରମ୍ଭ କରି ମାନବ କଲ୍ୟାଣର ପ୍ରତ୍ୟେକଟି କାର୍ଯ୍ୟରେ ଶ୍ରମିକର ଅବଦାନ ଅପରିହାର୍ଯ୍ୟ ଓ ଅତୁଳନୀୟ। ଦେଶ ଗଠନରେ କୃଷକ ଓ ନିର୍ମାଣ ଶ୍ରମିକ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ଦପ୍ତରର ସାଧାରଣ କର୍ମଚାରୀଟିଏରେ ଭୂମିକା ଅତି ବଳିଷ୍ଠ। ଶ୍ରମିକର ସହଯୋଗ  ବିନା ଗୋଟିଏ  ରାଷ୍ଟ୍ର ଆଗକୁ ପାଦ ବଢେଇବା ଅସମ୍ଭବ। ତେଣୁ, ‘ଶ୍ରମିକ ଭାଇରେ ଲାଗିପଡ଼, ଶ୍ରମ ଠାରୁ କିଛି ନାହଁ ବଡ’ ଭଳି ଉପରଠାଉରିଆ ରାଜନୈତିକ ନାରାବାଜି ଦେଇ ସେମାନଙ୍କୁ ପରୋକ୍ଷରେ ଶୋଷଣ କଲେ, ଏ ସମାଜ, ଏ ରାଷ୍ଟ୍ର, ରହିବତ? ଶ୍ରମ ଓ ଶ୍ରମିକଙ୍କୁ ଏକ ପଣ୍ୟ ଦ୍ରବ୍ୟ ଭାବେ ନିମ୍ନ ଦୃଷ୍ଟିରେ ଦେଖିଲେ ସାମୁହିକ କ୍ଷତି ଅବଶ୍ୟମ୍ଭାବୀ। ଭାରତର ପ୍ରସ୍ତାବିତ ଶ୍ରମ କୋଡ଼ ସେହିଭଳି ଏକ ଅନିଶ୍ଚିତତା ଭିତରେ। ତେଣୁ, ସଂକୀର୍ଣ୍ଣ ଅର୍ଥନୈତିକ ଆଦର୍ଶରୁ ଉର୍ଦ୍ଧକୁ ଯାଇ, ଏକ ସମ୍ମିଳିତ, ଯଥାର୍ଥ  ଓ ନ୍ୟାୟସଙ୍ଗତ ମାନବ ସମାଜର ନିର୍ମାଣ ନିମିତ୍ତ ଶ୍ରମର ଏକ ସାମଗ୍ରିକ ଆକଳନ ଅତ୍ୟାବଶ୍ୟକ। ଭାରତର ଶ୍ରମିକ ସଂଗଠନମାନଙ୍କ ସହ ଏବାବଦରେ ସରକାରଙ୍କର ପର୍ଯ୍ୟାପ୍ତ ଆଲୋଚନା ହିଁ ସଠିକ ମାର୍ଗଦର୍ଶନ କରିବାରେ ସହାୟକ ହେବ। ଅତଏବ, ସମଗ୍ର ଶ୍ରମିକ ଶ୍ରେଣୀ ଓ ସମାଜର ମଙ୍ଗଳ ପାଇଁ ଭାରତ ସରକାର ଫିଲାଡେଲଫିଆ ଘୋଷଣାନାମାର ମହତ୍ତ୍ୱକୁ ହୃଦୟଙ୍ଗମ କରି ଶ୍ରମ ଆଇନ ପରିବର୍ତ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ନିଯୁକ୍ତିଦାତା ସପକ୍ଷବାଦୀ ଶ୍ରମ କୋଡ଼ ଲାଗୁ କରିବାରୁ ବିରତ ରହିବେ ବୋଲି ଆଶା ଓ ବିଶ୍ବାସ।

*****

No comments:

Post a Comment