Thursday, June 13, 2024

ପେନସନ ସମସ୍ୟା: ରାଜନୈତିକ ନା ଅର୍ଥନୈତିକ?

ପେନସନ ସମସ୍ୟା: ରାଜନୈତିକ ନା ଅର୍ଥନୈତିକ?

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର

   ଘଟଣାକ୍ରମ :   

           ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ୨୨ ଡିସେମ୍ବର ୨୦୦୩ର ଏକ ଅଧ୍ୟାଦେଶ ବଳରେ ପୁରାତନ ପେନସନ ଯୋଜନା(ଓପିଏସ)କୁ ବାତିଲ କରି କେନ୍ଦ୍ରୀୟ  ବେସାମରିକ ସେବା (ପେନସନ) ନିୟମ ୧୯୭୨ ଅଧିନସ୍ଥ ସାମ୍ବିଧାନିକ ପ୍ରାବଧାନକୁ ହଟେଇଦେଲେ ଏବଂ ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ନୂତନ ପେନସନ ଯୋଜନା ଅଥବା ଜାତୀୟ ପେନସନ ଯୋଜନା (ଏନପିଏସ)କୁ ପ୍ରଚଳନ କଲେ ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାରମାନେ ଆପଣେଇଲେ। ୨୦୦୪ରୁ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନପିଏସ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ବିଗତ ବର୍ଷମାନଙ୍କରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସକୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରିକରିଥିଲେ ମଧ୍ୟ ରେଳବାଇ କର୍ମଚାରୀ ମହାସଂଘ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ, ଅଖିଳ ଭାରତ ଶିକ୍ଷକ ମହାସଂଘ ଏବଂ ପାରାମିଲିଟାରୀ ପେନସନର୍ସ ଆସୋସିଏସନ ଆଦିକୁ ନେଇ ସର୍ବଭାରତୀୟ ସ୍ତରରେ ଗଠିତ  ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ଅଧିନସ୍ଥ 'ଜଏଣ୍ଟ ଫୋରମ ଫର୍ ରେଷ୍ଟୋରେସନ ଅଫ୍ ଓଲ୍ଡ ପେନସନ ସ୍କିମ୍' (ଜେଏଫଆରଓପିଏସ) ଭଳି ଏକ ମିଳିତ ମଞ୍ଚ ଦ୍ୱାରା ଏନପିଏସର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ଓପିଏସର ପୁନଃ ପ୍ରଚଳନ ଦାବି ନେଇ କର୍ମଚାରୀଙ୍କର ସଂଗଠିତ ଆନ୍ଦୋଳନ ଉଗ୍ର ରୁପ ନେଇ ବିଭିନ୍ନ ପର୍ଯ୍ୟାୟରେ ଭାରତର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବାରୁ ଏନପିଏସର ଉଚ୍ଛେଦ କଥାକୁ ଏଡେଇ ଯାଇ ଏଥିରେ କିଛିଟା ପରିବର୍ତ୍ତନ ଆଣିବା ସକାଶେ କେନ୍ଦ୍ର ସରକାର ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୨୦୨୩ରେ ଏକ ପେନସନ କମିଟି ଗଠନ କଲେ ।  ପେନସନ କମିଟି ସହ କର୍ମଚାରୀ ପକ୍ଷର ଦୁଇ ଦୁଇ ଥର ବୈଠକ ବସିଲା ପରେ କୋୖଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ୧୯ ମାର୍ଚ୍ଚରେ ନୋଟିସ ଦେଇ ମେଁ ପହିଲା ୨୦୨୪ରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟକୁ ଓହ୍ଲାଇବାକୁ ଜେଏଫଆରଓପିଏସ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରେଇବା ପରେ କର୍ମଚାରୀ ପକ୍ଷର ସମସ୍ତ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି ଏବଂ ଖୁବ୍ ଶୀଘ୍ର ସରକାର ଏସଂକ୍ରାନ୍ତରେ ବିଦ୍ଧିବଧ ନିଷ୍ପତ୍ତି ନେବେ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବାରୁ ବର୍ତ୍ତମାନ ପାଇଁ ଅନ୍ତତଃ ଧର୍ମଘଟକୁ କିଛି ଦିନ ସକାଶେ ସ୍ଥଗିତ ରଖାଯାଇଛି।

ଆନ୍ଦୋଳନ କାହିଁକି?

         ପ୍ରଥମତଃ, ପେନସନ କାହାରି ଦାନ ବା ଦୟା ନୁହେଁ, ବରଂ  ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଅନୁମୋଦିତ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ନୂତନ ପେନସନ ଯୋଜନାର ପ୍ରଚଳନ  ଡି ଏସ ନାକରା ବନାମ କେନ୍ଦ୍ର ସରକାରଙ୍କ କେସରେ ପେନସନ ସମ୍ବନ୍ଧୀୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୧୭ ଡିସେମ୍ବର ୧୯୮୨ର ନିମ୍ନୋକ୍ତ ଐତିହାସିକ ରାୟକୁ ଏକ ବିଦ୍ରୁପ ତଥା କର୍ମଚାରୀଙ୍କର ସାମ୍ବିଧାନିକ ଅଧିକାରର ପରିପନ୍ଥୀ । "Pension is neither a bounty, nor a matter of grace depending upon the sweet will of the employer, nor an ex-gratia payment. It is a payment for the past services rendered. It is a social welfare measure rendering socio-economic justice to those who in the heyday of their life ceaselessly toiled for the employer on an assurance that in their old age they would not be left in the lurch". ଦ୍ୱିତୀୟତଃ, ପ୍ରାରମ୍ଭରୁ ଏନପିଏସ ଉପରେ କର୍ମଚାରୀ ପକ୍ଷ ସହ ବାରମ୍ବାର ଆଲୋଚନା ପରେ ଶେଷରେ ଜଏଣ୍ଟ କନସଲଟେଟିଭ ମେସିନାରୀ ଜାତୀୟ ପରିଷଦର ୧୪ ଡିସେମ୍ବର ୨୦୦୭ର ଷ୍ଟାଣ୍ଡିଂ କମିଟି ବୈଠକରେ କେନ୍ଦ୍ର ସରକାର ଏକ ଲିଖିତ ପ୍ରତିଶ୍ରୁତି ଦେଇ କହିଥିଲେ,"For the employees who have entered with effect from 01.01.2004 are not likely to be worse off vis-a-vis the current pension system in force, as the replacement rate would match to the present one. Thus, NPS is a win-win situation for the employees and the Govt."  କିନ୍ତୁ ଏବେ ଯେତେବେଳେ ଏନପିଏସ ଉପଭୋକ୍ତାମାନେ ଅବସରନେବା ଆରମ୍ଭ କଲେ, ସେତେବେଳେ ଜଣାପଡିଲା ଯେ  ପ୍ରତିଶ୍ରୁତିରୁ ବାସ୍ତବତା ପ୍ରକୃତରେ ବହୁ ଦୁରରେ। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। 

ରାଜନୀତି ବନାମ ଅର୍ଥନୀତି:

        ଏନପିଏସ ଉଚ୍ଛେଦ ପ୍ରସଙ୍ଗ ୨୦୦୪ରୁ ଆରମ୍ଭ ହେଇ ୨୦ବର୍ଷରେ ପଦାର୍ପଣ କରି ଚାରି ଚାରିଟି ସରକାରର ସାମନା କଲାଣି।  ତଥାପି ସଂଘର୍ଷ ଚାଲିଛି। ଏବେ ଯେଉଁ କେତୋଟି କଂଗ୍ରେସ ଶାସିତ ରାଜ୍ୟ ଓପିଏସକୁ ଫେରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବା ଦେଉଛନ୍ତି, କେନ୍ଦ୍ରରେ ଯେତେବେଳେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେହି କଂଗ୍ରେସ ନେତୃତ୍ବାଧୀନ ସରକାର ଚାଲିଥିଲା, ସେମାନେ ଏନପିଏସ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନନେଇ ବରଂ ୨୦୦୪ରେ ଏକ ବିଲ୍ ଆଣି ୨୦୧୩ରେ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁକରେଇ ଏନପିଏସର ଚେରକୁ ମଜଭୁତ କରେଇଲେ। ନିକଟ ଅତୀତରେ ଓପିଏସକୁ ଫେରିଥିବା ରାଜ୍ୟ ସରକାରମାନେ ୨୦୦୪ରୁ ଏଯାବତ ଏନପିଏସ ଉପଭୋକ୍ତାଙ୍କ ଜମାରାଶିକୁ ଫେରେଇ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲାପରେ ଉପରୋକ୍ତ ଅଧିନିୟମରେ ସେଭଳି କୌଣସି ପ୍ରାବଧାନ ନାହଁ କହି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଆଡେଇ ଯାଇଛନ୍ତି। ୨୦୧୩ର ଅଧିନିୟମ ଉଚ୍ଛେଦ ନହେଲେ ଏନପିଏସ ଉପଭୋକ୍ତାଙ୍କୁ ପ୍ରକୃତ ନ୍ୟାୟ ମିଳିବା ଅସମ୍ଭବ। ଅଧିନିୟମ ଉଚ୍ଛେଦ କ୍ଷମତା କେନ୍ଦ୍ର ହାତରେ। ଏଭଳି ପରିସ୍ଥିତିରେ ଓପିଏସକୁ ଫେରିବା ପାଇଁ ରାଜ୍ୟ ସରକାରମାନଙ୍କ ପ୍ରୟାସ ଓ ପ୍ରତିଶ୍ରୁତି ଏନପିଏସ ଉପଭୋକ୍ତାଙ୍କ ସହ ଏକ ରାଜନୈତିକ ଖେଳ କହିଲେ ଅତ୍ୟୁକ୍ତି ହେବନାହିଁ। ଓପିଏସ ଓ ଏନପିଏସର ଉର୍ଦ୍ଧକୁ ଯାଇ ଆନ୍ଧ୍ର ପ୍ରଦେଶ ସରକାର ଏକ ଗ୍ୟାରେଣ୍ଟେଡ ପେନସନ ସ୍କିମ୍(ଜିପିଏସ୍)ର ପ୍ରଚଳନ କରିଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କ କର୍ମଚାରୀଙ୍କ ପାଇଁ ଏକ ସଂଶୋଧିତ ନୂଆ ପେନସନ ଯୋଜନା ଲାଗୁ କରେଇଛନ୍ତି। ଏପର୍ଯ୍ୟନ୍ତ ତାମିଲନାଡୁ ଓ ପଶ୍ଚିମ ବଙ୍ଗ ସରକାର ପୂର୍ବ ଭଳି ଓପିଏସରେ ଅଛନ୍ତି। ସାମରିକ କର୍ମଚାରୀଙ୍କ ପାଇଁ ଓଆରଓପି (ୱାନ ରାଙ୍କ ୱାନ ପେନସନ)ର ପ୍ରାବଧାନ ଥିବାବେଳେ ଇପିଏଫ୍ ପେନସନରମାନେ ସର୍ବନିମ୍ନ ପେନସନ ପାଇଁ ସଂଘର୍ଷରତ। ଓଡିଶା ଭଳି ରାଜ୍ୟରେ କେତୋଟି ନିର୍ଦ୍ଦିଷ୍ଟ ବର୍ଗର କର୍ମଚାରୀଙ୍କ ପାଇଁ ଆଦୌ ପେନସନର ପ୍ରାବଧାନ ହିଁ ନାହିଁ। ଏପରି ସ୍ଥଳେ ଅଣସଂଗଠିତ କ୍ଷେତ୍ରରେ କାମକରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ବ୍ୟଥା ବର୍ଣ୍ଣନାତୀତ। କିନ୍ତୁ ଏସବୁର ଉର୍ଦ୍ଧରେ, ୨୦୦୪ ପରର ନିର୍ବାଚିତ ଜନପ୍ରତିନିଧିମାନେ ଏନପିଏସ ପରିସରଭୁକ୍ତ ନହେବା ଏକ ରାଜନୈତିକ ଅଭିସନ୍ଧିର ସ୍ପଷ୍ଟ ପ୍ରମାଣପତ୍ର। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ପାଇଁ ବ୍ୟଗ୍ରତା ପ୍ରକାଶ କରୁଥିବା ଜନନାୟକମାନେ ଗୋଟିଏ ଦେଶ ଗୋଟିଏ ପେନସନ କଥା ଚିନ୍ତା ନକରିବା ଘୋର ପରିତାପର ବିଷୟ।

             ବିଗତ ୨୦ ବର୍ଷ ଭିତରେ ଉଭୟ ଓପିଏସ ଓ ଏନପିଏସକୁ ନେଇ ଅନେକ ବାଦବିବାଦ, ଯୁକ୍ତିତର୍କ ହୋଇଛି, ହେଉଛି ମଧ୍ୟ। କିଛି କିଛି ବୁଦ୍ଧିଜୀବୀ, ଅର୍ଥନୀତିଜ୍ଞ ଓ ଅର୍ଥନୈତିକ ପରାମର୍ଶଦାତାମାନେ ଉପରୋକ୍ତ ରାଜ୍ୟ ସରକାରଙ୍କ ଦ୍ବାରା ଓପିଏସର ପୁନଃ ପ୍ରଚଳନକୁ ଖରାପ ରାଜନୀତି ବୋଲି ଅଭିହିତ କରି ଏହା ସରକାରଙ୍କ ପାଇଁ ଖରାପ ଅର୍ଥନୀତି ବୋଲି ମତପୋଷଣ କରୁଛନ୍ତି। ଯୁକ୍ତି ହେଲା, ବିଶେଷ ସୁବିଧାପ୍ରାପ୍ତ ବର୍ଗରେ ରହୁଥିବା ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରସରକାରୀ କର୍ମଚାରୀ ଓ ପେନସନର ମିଶି ମୋଟ ଜନସଂଖ୍ୟାର ପାଖାପାଖି ୩% ହେବେ। ଏତେ ନଗଣ୍ୟଙ୍କୁ ପେନସନ ଭଳି ଏକ ଅତିରିକ୍ତ ଲାଭ ପ୍ରଦାନ କରି ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିବା କୋଟିକୋଟି ଜନସାଧାରଣଙ୍କୁ ଅଣଦେଖା କରିବା ଏକ ଜନମଙ୍ଗଳ ରାଷ୍ଟ୍ର ପାଇଁ ଉଚିତ ନୁହେଁ। କ୍ଷୁଧାରୁ ମୁକ୍ତି ପାଇଁ ଆଜିର ଦିନରେ ଭାରତ ତା'ର ୮୦ କୋଟି ନାଗରିକଙ୍କୁ ୨୦୨୮ ପର୍ଯ୍ୟନ୍ତ ମାଗଣା ରାସନ୍ ଯୋଗେଇଦେବାକୁ ପ୍ରତିଶ୍ରୁତିବଦ୍ଧ ଥିଲାବେଳେ ସବୁ ବର୍ଗର ଶ୍ରମିକଙ୍କ ପାଇଁ ସର୍ବନିମ୍ନ ନ'ହଜାର ଟଙ୍କା ପେନସନ ଧାର୍ଯ୍ୟ ସହ ସରକାରୀ କର୍ମଚାରୀଙ୍କୁ ଓପିଏସ ଭିତରକୁ ଫେରେଇ ନେବା ଅର୍ଥନୀତି ପାଇଁ ଏକ ବିରାଟ ବୋଝ। ଏହା ବୋଧହୁଏ ପାଞ୍ଚ ଟ୍ରିଲିୟନ ଅର୍ଥନୀତିର ସ୍ୱପ୍ନରେ ବାଧକ ସାଜି ପାରେ।  ଅବଶ୍ୟ କିଛି ବୁଦ୍ଧିଜୀବୀ ଓ ଅର୍ଥନୀତିଜ୍ଞ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଭଳି ଜିପିଏସକୁ ଆପଣେଇବା ପାଇଁ ମତ ବ୍ୟକ୍ତ କରୁଛନ୍ତି। ସେମାନଙ୍କ ମତରେ ସରକାର ବରଂ କର୍ମଚାରୀଙ୍କଠାରୁ ୧୦% ନିଅନ୍ତୁ, ହେଲେ ଅବସର ପରେ ମାସିକ ପେନସନକୁ ନିଶ୍ଚିତ କରନ୍ତୁ।

ଗାଣିତିକ ସ୍ଥିତି:

         ଓପିଏସରେ କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନଥିଲା ବେଳେ,  ଏନପିଏସରେ କର୍ମଚାରୀଙ୍କ ମାସିକ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ତରଫରୁ ଦେୟ ୧୪%। ଏହି ୨୪% ରାଶି ପେନସନ ଫଣ୍ଡ ରେଗୁଲେଟରି ଡେଭଲପମେଣ୍ଟ ଅଥରିଟି (ପିଏଫଆରଡିଏ)ଙ୍କ ଅଧୀନରେ ଜମା ରହୁଛି। ୩୧ ଡିସେମ୍ବର ୨୦୨୩ ସୁଦ୍ଧା ମୋଟ ସଂଗୃହିତ ଜମା (ଏନପିଏସ ଓ ଅଟଳ ପେନସନ ଯୋଜନା) ୧୦.୯ ଲକ୍ଷ କୋଟି ଯାହା ମାର୍ଚ୍ଚ ୨୦୨୪ ଶେଷ ବେଳକୁ ୧୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ପିଏଫଆରଡିଏଙ୍କ ତରଫରୁ ଆକଳନ କରାଯାଇଛି। ୬ ଜାନୁଆରୀ ୨୦୨୪ରେ ବିଜିନେସ୍ ଟୁଡେରେ ପ୍ରକାଶିତ ଅଧ୍ୟକ୍ଷଙ୍କ ଏକ ତଥ୍ୟ ଅନୁଯାୟୀ ଏହି ଜମାରୁ ୧୭% ଇକ୍ୟୁଟିରେ ଓ ବାକି ରାଶି ପ୍ରାୟତଃ ସରକାରୀ ସିକୁରିଟିରେ ବିନିଯୋଗ ହେଉଛି। ପ୍ରାରମ୍ଭରୁ ଇକ୍ୟୁଟିରୁ ହାରାହାରି ୧୩.୩ % ବାର୍ଷିକ  ଆୟ ହେଉଥିବା  ବେଳେ କେବଳ ୨୦୨୩ରେ ୨୪% ମିଳିଛି। ଏନପିଏସ ପ୍ରଚଳିତ ହେବା ଦିନରୁ ମୋଟ ବିନିଯୋଗରୁ ହାରାହାରି ବାର୍ଷିକ ଆୟ ୯.୫% ରହୁଛି। ଅତଏବ, କର୍ମଚାରୀଙ୍କ ଦେୟ (୧୦%), ସରକାର ବା ନିଯୁକ୍ତିଦାତାଙ୍କ ଦେୟ (୧୪%) ଓ ଫଣ୍ଡ ବିନିଯୋଗରୁ ଆୟ (୯.୫%)କୁ ହିସାବକୁ ନେଲେ  ଜଣେ କର୍ମଚାରୀକୁ ଶେଷ ଦରମାର ୩୩.୫% ମାସିକ ପେନସନ ଆକାରରେ ଦେବା ପାଇଁ ଏ ଯାବତ୍ କୌଣସି ଅସୁବିଧା ନାହଁ। ଏହା ସତ୍ତ୍ୱେ ବି ଓପିଏସରେ ଶେଷ ଦରମାର ୫୦% ପେନସନ ରାଶି ନିଶ୍ଚିତ ଥିଲାବେଳେ, ଏନପିଏସରେ ସରକାର ଏହାକୁ ନିଶ୍ଚିତ ନକରିବା ବିଡ଼ମ୍ବନାର ବିଷୟ। କେନ୍ଦ୍ର ସରକାରଙ୍କ ୨୦୨୨-୨୩ ବଜେଟ ହିସାବରେ ଓପିଏସ ବାବଦ ଦେୟ ୨.୦୭ ଲକ୍ଷ କୋଟି ଟଙ୍କା। ଆରବିଆଇର ତଥ୍ୟ ଅନୁସାରେ ଆର୍ଥିକ ବର୍ଷ ୨୦୨୧ - ୨୦୨୨ ସୁଦ୍ଧା ଗତ ଛଅ ବର୍ଷ ମଧ୍ୟରେ ଭାରତର ରାଷ୍ଟ୍ରାୟତ ଓ ବ୍ୟବସାୟିକ ବ୍ୟାଙ୍କଗୁଡିକ ଯଥାକ୍ରମେ ୮,୧୬,୪୨୧ କୋଟି ଓ ୧୧,୧୭,୮୮୩ କୋଟି, ଅର୍ଥାତ ମୋଟ  ୧୯,୩୪,୩୦୪ କୋଟି ଟଙ୍କାର ଅନାଦେୟ ଋଣ ଖାରଜ କରିଛନ୍ତି। ଅର୍ଥାତ, ସରକାର ବର୍ଷକୁ ୩ ଲକ୍ଷ କୋଟିରୁ ଉର୍ଦ୍ଧ ରାଶି ଖାରଜ କରିବାର କ୍ଷମତା ରଖୁଥିବା ବେଳେ, ସରକାରୀ କର୍ମଚାରୀଙ୍କୁ ଓପିଏସ ପ୍ରଦାନ କରିବା ଅର୍ଥନୀତି ପାଇଁ ବିପଦ ବୋଲି ଅଭିହିତ କରିବା ଆଦୋୖ ଯୁକ୍ତିଯୁକ୍ତ ମନେହୁଏନା।

ଉପସଂହାର:

       ବିଧାନସଭା ଓ ସାଂସଦରେ ଲୋକପ୍ରତିିନିଧିମାନେ ଜନସାଧାରଣଙ୍କ ପାଇଁ ବିଧିବିଧାନ ପ୍ରସ୍ତୁତ କଲାବେଳେ ନିଜକୁ ସାଧାରଣ ନାଗରିକଙ୍କଠାରୁ ଉର୍ଦ୍ଧରେ ରଖି ପାତରଅନ୍ତର ନୀତି ଆପଣେଇବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ। ନିଜ ପାଇଁ ଓପିଏସକୁ ବାଛି, କର୍ମଚାରୀଙ୍କ ପାଇଁ ଏନପିଏସର ବନ୍ଦୋବସ୍ତ କରିବା ଅତ୍ୟନ୍ତ ନିନ୍ଦନୀୟ। ୨୦୨୪ ସାଧାରଣ ନିର୍ବାଚନ ଆରମ୍ଭ ହୋଇସାରିଥିଲା ବେଳେ କେବଳ ବାମପନ୍ଥୀ ରାଜନୈତିକ ଦଳକୁ ଛାଡ଼ିଦେଲେ, ଓପିଏସ ସମ୍ପର୍କରେ ଅନ୍ୟ ସମସ୍ତ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ନୀରବ। ଓପିଏସର ପୁନଃ ପ୍ରଚଳନ ଏକ ଅର୍ଥନୈତିକ ସମସ୍ୟା ଆଦୌ ନୁହେଁ। କେବଳ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କୁ ସର୍ବନିମ୍ନ ମାସିକ ନ'ହଜାର ଟଙ୍କାର ପେନସନ ସୁବିଧା ସହ ପୁରାତନ ପେନସନର ପୁନଃ ପ୍ରଚଳନ ପାଇଁ ଆଗାମୀ ନୂତନ ସରକାର ଏକ ବିଧିବଦ୍ଧ ନିଷ୍ପତ୍ତି ନେବା ଜରୁରୀ ଅଟେ।

******

No comments:

Post a Comment