ସ୍ୱତଃସ୍ଫୂର୍ତ୍ତ ସଂଗ୍ରାମର ଆବଶ୍ୟକତା
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ଇମେଲ: bsamalbbsr@gmail.com
ମୋବାଇଲ : ୯୪୩୭୦୨୨୬୬
କୁହାଯାଏ ଜୀବନର ଅନ୍ୟ ନାମ ସଂଗ୍ରାମ। ଆବଶ୍ୟକତାକୁ ଚାହିଁ ଏହା ଜୀବନର ଏକ ସ୍ୱତଃସ୍ଫୂର୍ତ୍ତ ଧାବମାନ ପ୍ରକ୍ରିୟା ଯାହା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଆଗକୁ ଅଗ୍ରସର ହେବାକୁ ସାମର୍ଥ୍ୟ ଯୋଗାଇଥାଏ। ସଂଗ୍ରାମ ବିନା ଆଗକୁ ବଢିବା, ସଫଳତା ପାଇବା, କିଛି ପରିବର୍ତ୍ତନ ଆଣିବା ଅସମ୍ଭବ। ଖାଲି ମଣିଷ ସମାଜ ନୁହେଁ, କୀଟପତଙ୍ଗ, ତରୁଲତା, ପଶୁପକ୍ଷୀ ସମସ୍ତେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷରତ। ନିର୍ଜୀବ ଝରଣାଟିଏ ବି କଠିନ ପାହାଡର ବୁକୁ ଫଟେଇ ପୃଥିବୀର ସୂର୍ଯ୍ୟାଲୋକ ଦେଖିବାଠାରୁ ମହାସାଗରରେ ଲୀନ ହେବା ପର୍ଯ୍ୟନ୍ତ ନିଜ ଚଲା ପଥରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଏ। ଜୀବନ ବଞ୍ଚିବା ଏତେ ସହଜ ନୁହେଁ। ନିଘଞ୍ଚ ଜଙ୍ଗଲରେ କ୍ଷୁଦ୍ର ପାଦପଟିଏ ବି ସୂର୍ଯ୍ୟାଲୋକ ପାଇଁ ବୃହଦକାୟ ବୃକ୍ଷରାଜି ସହ ସଂଘର୍ଷ କରେ। ଶିକାରୀ ଶିକାର ପାଇଁ ତ ଶିକାର ଜୀବନ ବଞ୍ଚେଇବା ପାଇଁ ଅହରହ ଧାବମାନ। ଅର୍ଥାତ, ଜୀବନ ଅଛି, ତ ସଂଗ୍ରାମ ଅଛି, ଯାହା ଆୟୋଜିତ କି ପ୍ରାୟୋଜିତ ନୁହେଁ, ବରଂ ସ୍ୱତଃପ୍ରବୃତ୍ତ।
ଏବେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଇଂରେଜ ହୁକୁମତର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱାଧୀନତା ଆନ୍ଦୋଳନର ବହ୍ନି ଯେଭଳି ସ୍ୱତଃପ୍ରବୃତ୍ତ ଭାବେ ପ୍ରଜ୍ବଳିତ ହୋଇଥିଲା, ସେସବୁକୁ ଏ ଅମୃତବେଳାର ନାଗରିକମାନଙ୍କୁ, ବିଶେଷଭାବେ ଦେଶର ଭବିଷ୍ୟତ କର୍ଣ୍ଣଧାର ଆମ ଯୁବ ପିଢିକୁ ଠିକ ଠିକ ବୁଝିବାକୁ ହେବ। ବାପୁଜୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ ହେଉ କି ନେତାଜୀଙ୍କ ଆଜାଦ ହିନ୍ଦ ଫୌଜ, ସ୍ୱତଃପ୍ରବୃତ୍ତ ଯୋଗଦାନ କରି ଦେଶମାତୃକା ପାଇଁ କାରାବରଣ କରିବା କିମ୍ବା ମୃତ୍ୟୁବରଣ କରିବା ଏକ ଗର୍ବ ଓ ଗୌରବର କଥା ଥିଲା। ସତ୍ୟାଗ୍ରହ ମାଧ୍ୟମରେ ଅହିଂସାର ପଥ ଆପଣେଇ ହେଉ କିମ୍ବା ଯେସାକୁ ତେଷା ନୀତିରେ 'ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି' ଡାକରାରେ ଦେଶବାସୀ ସ୍ୱତଃ ଯୋଡି ହୋଇଥିଲେ ସ୍ୱାଧୀନତା ପ୍ରାପ୍ତିର ଏକାନ୍ତ ଲକ୍ଷ୍ୟରେ। ଆନ୍ଦୋଳନର ପଥ ଓ ପନ୍ଥା ଅଲଗା ଅଲଗା ଥିଲେ ବି ପରାଧୀନତାର ଶିକୁଳି ଛିଡେଇ ଅସହ୍ୟ ଦୁଃଖ, ଯନ୍ତ୍ରଣା, ଶୋଷଣ ଓ ଅତ୍ୟାଚାରରୁ ମୁକ୍ତି ପାଇଁ ଗୋଟିଏ ଲକ୍ଷ୍ୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଯୋଗଦାନ ଥିଲା ସ୍ୱତଃସ୍ଫୂର୍ତ୍ତ। କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ପରବର୍ତ୍ତୀ ସମୟରେ ନାଗରିକମାନଙ୍କର ମଙ୍ଗଳ ନିମିତ୍ତ ଜାତିବାଦ, ଧର୍ମ ବିଦ୍ୱେଷ, କୁସଂସ୍କାର, ରକ୍ଷଣଶୀଳ ସାମାଜିକ ବିଧିବ୍ଯବସ୍ଥା, ପୁଞ୍ଜିବାଦ, ସାମ୍ବିଧାନିକ ଅଧିକାର ଇତ୍ୟାଦି ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଅନେକ ଆନ୍ଦୋଳନ ସଫଳତାର ସହ ସଂଗଠିତ ହୋଇଛି। ନ୍ୟାୟ ମଧ୍ୟ ମିଳିଛି। ହେଲେ ସମୟ କ୍ରମେ ଆନ୍ଦୋଳନର ପରିଭାଷା ସହ ପଥ ଓ ପନ୍ଥା ସବୁ ବଦଳି ଯାଉଥିବା ବେଳେ, ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଏକକ ଆନ୍ଦୋଳନ କରିବା ବିଭିନ୍ନ କାରଣରୁ ଏବେ ଆଉ ସମ୍ଭବ ହେଉନାହିଁ।
ପ୍ରଥମତଃ, ବର୍ତ୍ତମାନ ସମୟରେ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଆପଣାଉଥିବା ଶ୍ରମିକ, କୃଷକ, କର୍ମଚାରୀ ତଥା ଛାତ୍ର ସଂଗଠନଗୁଡିକର ଆଦର୍ଶଗତ ଭିନ୍ନତା ଏତେ ଅଧିକ ଯେ, ଉଦ୍ଦେଶ୍ୟ ଏକ ଥିଲେ ବି ସ୍ୱାଧୀନ ସଂଗଠନ ଓ ନିର୍ଦ୍ଦିଷ୍ଟ ରାଜନୈତିକ ଦଳମାନଙ୍କର ଆଦର୍ଶରେ ଅନୁପ୍ରାଣିତ ଓ ଅନୁବନ୍ଧିତ ସଂଗଠନମାନେ ଗୋଟିଏ ଛତା ତଳେ ଏକାଠି ହୋଇ ହେଇପାରୁନାହାନ୍ତି। ଅଧିକନ୍ତୁ, ଯେ କୌଣସି ସଂଗ୍ରାମର ସଫଳତାରୁ ଅଧିକ ଲାଭ ପାଉଥିବା ପ୍ରଶାସନିକ ଅଧିକାରୀମାନେ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବାଧା ସୃଷ୍ଟି କରିଥାନ୍ତି। ଇଂରେଜମାନେ ସିନା ଚାଲିଗଲେ, ହେଲେ ଆମେ ସମସ୍ତେ ତାଙ୍କରି 'ଡିଭାଇଡ ଆଣ୍ଡ ରୁଲ' ପଲିସିର ପଞ୍ଝାରେ ଏବେ ବି କବଳିତ। ସମୂହ ସ୍ୱାର୍ଥର ସୁରକ୍ଷା ପାଇଁ 'ମଇଁଷି ଶିଙ୍ଗ ଫଟା, ଜୁଝିଲା ବେଳକୁ ଗୋଟା' ନୀତି ନଆପଣେଇବା ଯୋଗୁଁ ସମସ୍ୟା ସମଧାନ ବିଳମ୍ବିତ ହେଉଛି।
ଦ୍ୱିତୀୟତଃ, ପରାଧୀନ ଭାରତରେ ଯେତେବେଳେ ଧାରଣା, ଧର୍ମଘଟ ଆୟୋଜନ କରି ଆନ୍ଦୋଳନ କରିବା ଏକ ଦଣ୍ଡନୀୟ ଅପରାଧ ଥିଲା, ସେ ସମୟରେ ନିଜ ଜୀବନକୁ ବାଜି ଲଗେଇ ସାଧାରଣ ଜନତା, ଶ୍ରମିକ, କୃଷକ ଓ କର୍ମଚାରୀମାନେ ଦେଶ ଓ ଦଶର କଲ୍ୟାଣ ପାଇଁ ହାସଲ କରିଥିବା ବିଭିନ୍ନ ସୁଖ ସୁବିଧାର ଅନ୍ତରାଳରେ ଯେଉଁ ଲୋମହର୍ଷଣକାରି ସଂଘର୍ଷ ଓ ବଳିଦାନର କଥା ଲୁଚି ରହିଛି, ଏବର ଯୁବଗୋଷ୍ଠୀ ତାର ଗୁରୁତ୍ୱ ଉପଲବ୍ଧି କରିପାରୁଛନ୍ତି ବୋଲି ମନେ ହୁଏନା। ସ୍ୱାଧୀନତା ପ୍ରାପ୍ତି ପରର ଘଟଣା ମଧ୍ୟ ସେହିଭଳି। ଶ୍ରମିକ ଓ କର୍ମଚାରୀଙ୍କ କଥା କହିଲେ, ସର୍ବନିମ୍ନ ମଜୁରି, ଯାତାୟାତ ଭତ୍ତା, ମହଙ୍ଗା ଭତ୍ତା, ଆର୍ଥିକ ଅଗ୍ରୀମ, ବୋନସ, ଛୁଟି, ନିର୍ଦ୍ଦିଷ୍ଟ କାର୍ଯ୍ୟ ସମୟ ଭଳି ସମସ୍ତ ସୁବିଧା ସୁଯୋଗ ହାସଲ ପଛରେ ଗୋଟିଏ ଗୋଟିଏ କଠିନ ସଂଘର୍ଷର ବଳିଷ୍ଠ କାହାଣୀ ଲୁକ୍କାୟିତ, ଏକଥା ସେମାନେ ହୃଦୟଙ୍ଗମ କରିପାରୁନାହାନ୍ତି। ଶ୍ରମିକ କର୍ମଚାରୀମାନେ ଉପଭୋଗ କରୁଥିବା ସମସ୍ତ ସୁବିଧା ସୁଯୋଗ କାହାରି ଦାନ ବା ଦୟା ନୁହେଁ, ବରଂ ସେମାନଙ୍କର ଅଦମନୀୟ ସଂଘର୍ଷର ଫଳାଫଳ। ଉଦାହରଣସ୍ୱରୂପ, ସର୍ବନିମ୍ନ ଆବଶ୍ୟକ ମଜୁରି, ମୂଳ ଦରମାରେ ମହଙ୍ଗା ଭତ୍ତା ମିଶ୍ରଣ, ମୂଲ୍ୟବୃଦ୍ଧିର ନିଷ୍ପ୍ରଭାବିକରଣ ଆଦି ଦାବି ନେଇ ୧୯ ସେପ୍ଟେମ୍ବର ୧୯୬୮ର କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ଏକ ଦିବସୀୟ ସର୍ବଭାରତୀୟ ଧର୍ମଘଟ ଡାକରାରେ ତତ୍କାଳୀନ ସରକାର ଧର୍ମଘଟରେ ସାମିଲ ହୋଇଥିବା ୧୭ ଜଣ କର୍ମଚାରୀଙ୍କୁ ପୋଲିସ ଓ ମିଲିଟାରୀ ଫୋର୍ସଙ୍କ ଦ୍ଵାରା ଲାଠି ଓ ଗୁଳି ମାଡ ସହ ଟ୍ରେନ ଚଢେଇ ମାରିଦେଲେ, ପାଖାପାଖି ୧୨ ହଜାର କର୍ମଚାରୀଙ୍କୁ କାରାଗାରରେ ବନ୍ଦୀ କଲେ, ୪୦ ହଜାର କର୍ମଚାରୀଙ୍କୁ ନିଲମ୍ବନ କଲେ ଓ ୬୪ ହଜାର କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ନୋଟିସ ଜାରି କଲେ ଏବଂ ସର୍ବୋପରି ଆନ୍ଦୋଳନ କରୁଥିବା ଡାକ ତାର କର୍ମଚାରୀ ରାଷ୍ଟ୍ରୀୟ ମହାସଂଘ (ଏନଏଫପିଟିଇ ଯାହା ଡାକ ଓ ତାର ଦୁଇଟି ଅଲଗା ଅଲଗା ବିଭାଗ ହେଲାପରେ ଏନଏଫପିଇ ଓ ଏନଏଫଟିଇ ନାମରେ ପରିଚିତ)ର ମାନ୍ୟତା ପ୍ରତ୍ୟାହାର କରିନେଲେ। ଧର୍ମଘଟର ସୁଫଳ ଯଦିଓ ତୁରନ୍ତ ମିଳି ନଥିଲା, ଏହି ଆନ୍ଦୋଳନ ପରେ ୧୯୭୦ରେ ନିଯୁକ୍ତି ପାଇଥିବା ତୃତୀୟ କେନ୍ଦ୍ରୀୟ ବେତନ ଆୟୋଗ ଦାବିଗୁଡିକୁ ଗୁରୁତ୍ୱର ସହ ବିଚାର କରିଥିଲେ। ଆଜିର ଯୁବପିଢିଙ୍କୁ ଏସବୁ କାହାଣୀ ଭଳି ଲାଗିଲେ ବି ଏ କଥା ବୁଝିବାକୁ ହେବ ଯେ କୌଣସି ସଂଗ୍ରାମ କେବେ ବିଫଳ ହୁଏନି।
ତୃତୀୟତଃ, ନିର୍ଭୟ ହୋଇ ନିଜର ହକ ଓ ସାମ୍ବିଧାନିକ ଅଧିକାର ପାଇଁ ଲଢିବା ଏକ ମାନସିକତା ଯାହା ଅନେକଙ୍କ କ୍ଷେତ୍ରରେ ଏବେ ପରିଲକ୍ଷିତ ହେଉନାହିଁ। ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧ୍ବରେ ରହି ସାମଗ୍ରିକ ଉନ୍ନତି ନିମିତ୍ତ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ନିରନ୍ତର ଚେଷ୍ଟିତ କିଛି ବିରଳ ବ୍ୟକ୍ତି ବିଶେଷ, ଯେଉଁମାନେ କିଛି କରିପାରନ୍ତି କରନ୍ତି, ଯେଉଁମାନେ କହିପାରନ୍ତି କହନ୍ତି, ଆଉ ଯେଉଁମାନେ ଲେଖିପାରନ୍ତି ଲେଖନ୍ତି। କିନ୍ତୁ ଯେଉଁମାନେ ନା କିଛି କରିପାରନ୍ତି, ନା କହିପାରନ୍ତି, ନା ଲେଖିପାରନ୍ତି, ସେମାନଙ୍କର ନିସର୍ତ୍ତ ଯୋଗଦାନ, ମାନସିକ ଓ ଆର୍ଥିକ ସହଯୋଗ ଯେ କୌଣସି ସଂଗ୍ରାମର ଗତିପଥକୁ ସଫଳତା ଆଡକୁ ତ୍ୱରାନ୍ୱିତ କରେ। ହେଲେ ଆଜିକାଲି ଭିକ ନ ଦେଇ ଥାଳ ଭାଙ୍ଗିବା ଲୋକ ଅନେକ। ଫଳ ଖାଇବେ, ହେଲେ ଗଛ ଲଗେଇବେ ନାହିଁ କିମ୍ବା ଯେଉଁମାନେ ଲଗେଇବେ ତାଙ୍କୁ ସହଯୋଗ ବି କରିବେ ନାହିଁ। ପ୍ରତ୍ୟକ୍ଷ ସହଯୋଗ ଓ ଯୋଗଦାନ ନ ଥାଇ, ସଂଗ୍ରାମର ଇତିହାସ ଓ ସଂଗ୍ରାମୀଙ୍କ ବଳିଦାନ କଥା ନ ଜାଣି, ନେତୃତ୍ୱକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ଅନେକ ସୁବିଧାବାଦୀ ସିଦ୍ଧହସ୍ତ। ତଥାପି, ଲକ୍ଷ୍ୟ ହାସଲ ପାଇଁ ସେମାନଙ୍କୁ ବୁଝେଇବାକୁ ପଡେ, ସେମାନଙ୍କ ଅନାସକ୍ତି ସତ୍ତ୍ୱେ ତାଙ୍କୁ ସଂଗ୍ରାମରେ ସାମିଲ କରାଯାଏ। ଶ୍ରମିକ କର୍ମଚାରୀ ସଂଗଠନଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ, ସବୁ ଧାରଣା, ଶୋଭାଯାତ୍ରା, ଧର୍ମଘଟକୁ ଆୟୋଜିତ ବା ପ୍ରାୟୋଜିତ କରିବା ଆଜିକାଲି ଏକ ସାଧାରଣ ଘଟଣା ହେଇଗଲାଣି। ସ୍ୱତପ୍ରବୃତ୍ତ ଯୋଗଦାନ ବହୁ ବିରଳ। ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଅନେକ କର୍ମୀ ବିକ୍ଷୋଭର କାରଣ ବିଷୟରେ ନିହାତି ଅଜ୍ଞ ଥା'ନ୍ତି ଯେହେତୁ ସେମାନେ ସ୍ୱତଃ ଆସି ନଥାନ୍ତି, ବରଂ ସେମାନଙ୍କୁ ଅଣାଯାଇଥାଏ। ସାଉଁଟିଲା କାଣ୍ଡ କି ଯୁଦ୍ଧକୁ ପାଏ?
କଥାରେ ଅଛି, ଗୋଟିକିଆ ପୁଅ ଖେଳେ ନାହିଁ କି ଖଣ୍ଡିକିଆ କାଠ ଜଳେ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକ, କର୍ମଚାରୀ ତଥା ନାଗରିକମାନଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାର କ୍ରମାଗତ କ୍ଷୁର୍ଣ୍ଣ ହେଉଥିଲା ବେଳେ, ଦଳମତ ନିର୍ବିଶେଷରେ ଏକ ମିଳିତ, ସ୍ୱତଃସ୍ଫୂର୍ତ୍ତ ତଥା ବଳିଷ୍ଠ ସଂଗ୍ରାମର ଆବଶ୍ୟକତା ରହିଛି। ଅନାସକ୍ତ ସଂଗ୍ରାମୀଙ୍କ ଦ୍ୱାରା ପ୍ରାୟୋଜିତ ସଂଗ୍ରାମ ମୂଲ୍ୟହୀନ।
********
No comments:
Post a Comment