Tuesday, February 21, 2023

ଖାଇଲା ବେଳକୁ ସାତପୁଅର ମା.....

ଖାଇଲା ବେଳକୁ ସାତପୁଅର ମା.....

ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତି, ଭୁବନେଶ୍ୱର

ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନମାନଙ୍କ ଦ୍ୱାରା ସର୍ବନିମ୍ନ ମଜୁରି ଓ ପେନସନ ନିର୍ଦ୍ଧାରଣ ତଥା ୨୦୦୪ ଜାନୁୟାରୀ ପହିଲାରୁ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିବା ନୂତନ ପେନସନ ଯୋଜନାକୁ ବାତିଲ କରି ପୁରୁଣା ପେନସନ ଯୋଜନାର ପୁନଃ ପ୍ରଚଳନ ପାଇଁ ଦାବି ଏବେ ସାରା ଭାରତବର୍ଷରେ ଜୋରଦାର ହେଉଛି। ୨୦୦୪ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ନୂତନ ପେନସନ ଯୋଜନା ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ପୁରାତନ ପେନସନ ଯୋଜନାକୁ ଫେରିବା ପାଇଁ ବିଜ୍ଞପ୍ତି ଜାରି କରିବା ପରେ କର୍ମଚାରୀ ମହଲରେ ଅନେକ ଆଶାର ସଞ୍ଚାର ହୋଇଥିବାରୁ ପେନସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ତୁରନ୍ତ ରଦ୍ଦ କରିବାକୁ ୮ ଡିସେମ୍ବର ୨୦୨୨,  ୭ ଓ ୨୧ ଜାନୁୟାରୀ ୨୦୨୩ରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ବା National Joint Council of Action (NJCA) ଅନ୍ତର୍ଭୁକ୍ତ ରେଳବାଇ ସହ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ସହ ଭାରତବର୍ଷର ସମସ୍ତ ରାଜ୍ୟ ସରକାରୀ କର୍ମଚାରୀମାନେ ନୂଆଦିଲ୍ଲୀରେ ତିନୋଟି ମିଳିତ ବୈଠକ କରି ପୁରୁଣା ପେନସନ ଯୋଜନାର ପୁନଃପ୍ରଚଳନ ପାଇଁ ଏକ ମିଳିତ ମଞ୍ଚ (Joint Forum for Restoration of Old Pension Scheme ବା JFROPS) ଜରିଆରେ ସାରା ଦେଶର ଶ୍ରମିକ ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ସର୍ବସମ୍ମତି କ୍ରମେ ୨୦୨୩ ପାଇଁ ବର୍ଷସାରାର ଏକ ଆନ୍ଦୋଳନାତ୍ମକ ଚିଠା ପ୍ରସ୍ତୁତ କରିଛନ୍ତି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ,  ପ୍ରଥମ ଦଫାରେ ୧୦ ଫେବୃୟାରୀ ରୁ ୨୦ ଫେବୃୟାରୀ ୨୦୨୩ ଭିତରେ ନୂତନ ପେନସନ ଯୋଜନାର ଉପଭୋକ୍ତାଙ୍କ ସହ ସମସ୍ତ କର୍ମଚାରୀ, ପୁରୁଣା ପେନସନଭୋଗୀ, ପରିବାର ପେନସନଭୋଗୀ ଓ ସେମାନଙ୍କର ପରିବାର ସଦସ୍ୟଙ୍କୁ ନେଇ  ଦେଶବ୍ୟାପୀ ଏକ ଦସ୍ତଖତ ଅଭିଯାନ କରାଯାଇ ଭାରତର ମହାମହିମ ରାଷ୍ଟ୍ରପତିଙ୍କୁ ପଠେଇବାର ଥିଲା। କିନ୍ତୁ ଯାହା ହୃହୟଙ୍ଗମ ହେଲା, ଦେଶବ୍ୟାପୀ ଏଭଳି ଏକ ଦସ୍ତଖତ ଅଭିଯାନରେ ସମସ୍ତଙ୍କର ବିଶେଷଭାବେ ନୂତନ ପେନସନ ଯୋଜନାର ଉପଭୋକ୍ତା ଯେଉଁମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ଥିଲା ସେମାନଙ୍କର  ଶତ ପ୍ରତିଶତ ସ୍ୱତଃସ୍ଫୂର୍ତ୍ତ ତଥା ଆନ୍ତରିକ ଯୋଗଦାନ ରହିଲା ନାହିଁ। ପୁରୁଣା ପେନସନ ଯୋଜନା ଅନ୍ତର୍ଭୁକ୍ତ କିଛି ବରିଷ୍ଠ ଓ ଅବସରପ୍ରାପ୍ତ କର୍ମଚାରୀ ଦସ୍ତଖତ ଅଭିଯାନରେ ଯଦିଓ ପ୍ରତ୍ୟକ୍ଷ ଭାବେ ଜଡ଼ିତ ରହିଲେ,  ପିଡାରୁ ମୁକ୍ତି ପାଇଁ ପ୍ରକୃତ ପିଡୀତଙ୍କ ଆଗ୍ରହ ଆଶାନୁରୂପ ପରିଲକ୍ଷିତ ହେଲାନାହିଁ। ବରଂ 'ମୁଁ କାନ୍ଦୁଥାଏ ତୋ'ରି ପାଇଁ, ହେଲେ ତୋ ଆଖିରେ ଟୋପେ ଲୁହ ଯେ ନାହିଁ' ଭଳିଆ ଅନୁଭବ ହେଲା। ଅନ୍ୟ ପକ୍ଷରେ ସମସ୍ତ ଶ୍ରମିକ କର୍ମଚାରୀ ସଂଗଠନଗୁଡିକ ମଧ୍ୟ କେନ୍ଦ୍ରୀୟ ସଂଗଠନର ନିର୍ଦ୍ଦେଶାବଳୀକୁ ତୃଣମୂଳ ସ୍ତରରେ ଠିକ ଠିକ ରୁପାୟନ କରିବାରେ ବିଭିନ୍ନ କାରଣରୁ ଅସମର୍ଥ ରହିଲେ। ଏଭଳି ଆଂଶିକ ଅଭିଯାନ ଅସଫଳ ହେବା ସ୍ୱାଭାବିକ।

ପ୍ରଥମତଃ, ବର୍ତ୍ତମାନ ସମୟରେ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଆପଣାଉଥିବା ଶ୍ରମିକ, କୃଷକ, କର୍ମଚାରୀ ତଥା ଛାତ୍ର ସଂଗଠନଗୁଡିକର ଆଦର୍ଶଗତ ଭିନ୍ନତା ଏତେ ଅଧିକ ଯେ, ଉଦ୍ଦେଶ୍ୟ ଏକ ଥିଲେ ବି ସ୍ୱାଧୀନ ସଂଗଠନ ଓ ନିର୍ଦ୍ଦିଷ୍ଟ ରାଜନୈତିକ ଦଳମାନଙ୍କର ଆଦର୍ଶରେ ଅନୁପ୍ରାଣିତ ଓ ଅନୁବନ୍ଧିତ ସଂଗଠନମାନେ ଗୋଟିଏ ଛତା ତଳେ ଏକାଠି ହୋଇ ହେଇପାରୁନାହାନ୍ତି। ଉଦାହରଣ ଛଳରେ  କର୍ମଚାରୀ ସଂଗଠନମାନଙ୍କର କଥା ଆଲୋଚନା କରିବାକୁ ଯାଇ ଯଦି ବିଶ୍ୱର ସର୍ବବୃହତ ଡାକସଂସ୍ଥା ଭାରତୀୟ ଡାକ କଥା କୁହାଯାଏ, ତେବେ ଏହି ବିଭାଗରେ ସ୍ୱାଧୀନ ମହାସଂଘ ନ୍ୟାସନାଲ ଫେଡେରେସନ ଅଫ ପୋଷ୍ଟାଲ ଏମ୍ଲଇଜ (ଏନଏଫପିଇ) ଓ  ଶ୍ରମିକ ସଂଗଠନ ଆଇଏନଟିୟୁସି ଅନୁବନ୍ଧିତ ଫେଡେରେସନ ଅଫ ନ୍ୟାସନାଲ ପୋଷ୍ଟାଲ ଅର୍ଗାନାଇଜେସନ୍ସ (ଏଫଏନପିଓ) ନାମରେ ଦୁଇଟି ମାନ୍ୟତା ପ୍ରାପ୍ତ ମହାସଂଘ ଏବଂ ଶ୍ରମିକ ସଂଗଠନ ବିଏମଏସ ଅନୁବନ୍ଧିତ ଭାରତୀୟ ପୋଷ୍ଟାଲ ଏମ୍ଲଇଜ ଫେଡେରେସନ (ବିପିଇଏଫ) ନାମରେ ଏକ ଅଣମାନ୍ଯତାପ୍ରାପ୍ତ ମହାସଂଘ କାର୍ଯ୍ୟରତ। ଏହି ତିନୋଟି ମହାସଂଘମାନଙ୍କ ଅଧୀନରେ ସାମୟିକ କର୍ମଚାରୀ, ଗ୍ରାମୀଣ ଡାକ ସେବକ, ଚତୁର୍ଥଶ୍ରେଣୀ, ତୃତୀୟଶ୍ରେଣୀ, ପ୍ରଶାସନିକ କର୍ମଚାରୀ, ଲେଖା କର୍ମଚାରୀ, ନିରୀକ୍ଷକ, ପ୍ରଶାସନିକ ଅଧିକାରୀ, ଲେଖା ଅଧିକାରୀ, ସିଭିଲ ଓ ଇଲେକ୍ଟ୍ରିକାଲ ଇଂଜିନିୟର୍ସ, ଗେଜେଟେଡ ଓ ଅଣଗେଜେଟେଡ୍ ଭଳି ଅନ୍ୟୁନ୍ୟ ତିରିଶ ପାଖାପାଖି କ୍ୟାଡରଭିତ୍ତିକ ଛୋଟବଡ ସଂଘ କାର୍ଯ୍ୟରତ। ଗୋଟିଏ ବିଭାଗର ସାଧାରଣ ସମସ୍ୟା, ଏଇ ଯେମିତି ନୂତନ ପେନସନ ଯୋଜନା ଉଚ୍ଛେଦ, ଠିକାଦାରୀ, ଆଉଟସୋର୍ସିଂ, ଘରୋଇକରଣ ବନ୍ଦ, ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ, ସର୍ବନିମ୍ନ ବେତନ ଓ ମହଙ୍ଗା ଭତ୍ତା ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ଇତ୍ୟାଦି ସବୁ କ୍ୟାଡରର କର୍ମଚାରୀଙ୍କ ପାଇଁ ଏକ ହୋଇଥିଲା ବେଳେ କ୍ୟାଡରଭିତ୍ତିକ ସାଂଗଠନିକ ବାଧ୍ୟବାଧକତା  ତଥା ସ୍ୱାଧୀନ ଓ ରାଜନୈତିକ ଚିନ୍ତାଧାରାରେ ଭିନ୍ନତା ଯୋଗୁଁ ଏଇ ତିନୋଟି ମହାସଂଘ ଡାକ ବିଭାଗର ସମସ୍ତ କର୍ମଚାରୀଙ୍କୁ ଗୋଟିଏ ମିଳିତ ମଞ୍ଚରେ ଏକତ୍ରିତ କରି  ସମୂହ ସ୍ୱାର୍ଥ ପାଇଁ ଆନ୍ଦୋଳନ କରିପାରୁନାହାନ୍ତି। ଅଧିକନ୍ତୁ, ଯେ କୌଣସି ସଂଗ୍ରାମର ସଫଳତାରୁ ଅଧିକ ଲାଭ ପାଉଥିବା ପ୍ରଶାସନିକ ଅଧିକାରୀମାନେ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବାଧା ସୃଷ୍ଟି କରିଥାନ୍ତି। ଫଳରେ ଏକକ ଭାବେ ସ୍ୱାଧୀନ ମହାସଂଘ ଏନଏଫପିଇର ଆଂଶିକ ଆନ୍ଦୋଳନ ସନ୍ତୋଷଜନକ ସଫଳତା ହାସଲ କରିପାରୁ ନାହିଁ। ରେଳବାଇ ସହ କେନ୍ଦ୍ରର ଅନ୍ୟାନ୍ୟ ବିଭାଗ, ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକ ତଥା ଛାତ୍ର ସଂଗଠନଗୁଡିକ ଏହି ମୂଖ୍ୟ ସମସ୍ୟାର ଶିକାର। ଇଂରେଜମାନେ ସିନା ଚାଲିଗଲେ, ହେଲେ ଆମେ ସମସ୍ତେ ତାଙ୍କରି 'ଡିଭାଇଡ ଆଣ୍ଡ ରୁଲ' ପଲିସିର ପଞ୍ଝାରେ ଏବେ ବି  କବଳିତ। ସମୂହ ସ୍ୱାର୍ଥର ସୁରକ୍ଷା ପାଇଁ 'ମଇଁଷି ଶିଙ୍ଗ ଫଟା, ଜୁଝିଲା ବେଳକୁ ଗୋଟା' ନୀତି ନ ଆପଣେଇବା ଯୋଗୁଁ ସମସ୍ୟା ସମଧାନ ବିଳମ୍ବିତ ହେଉଛି।

ଦ୍ୱିତୀୟତଃ, ପରାଧୀନ ଭାରତରେ ଯେତେବେଳେ ଧାରଣା, ଧର୍ମଘଟ ଆୟୋଜନ କରି ଆନ୍ଦୋଳନ କରିବା ଏକ ଦଣ୍ଡନୀୟ ଅପରାଧ ଥିଲା, ସେ ସମୟରେ ନିଜ ଜୀବନକୁ ବାଜି ଲଗେଇ ସାଧାରଣ ଜନତା, ଶ୍ରମିକ, କୃଷକ ଓ କର୍ମଚାରୀମାନେ ଦେଶ ଓ ଦଶର କଲ୍ୟାଣ ପାଇଁ ହାସଲ କରିଥିବା ବିଭିନ୍ନ ସୁଖ ସୁବିଧାର ଅନ୍ତରାଳରେ ଯେଉଁ ଲୋମହର୍ଷଣକାରି ସଂଘର୍ଷ ଓ ବଳିଦାନର କଥା ଲୁଚି ରହିଛି, ଏବର ଯୁବଗୋଷ୍ଠୀ ତାର  ଗୁରୁତ୍ୱ ଉପଲବ୍ଧି କରିପାରୁଛନ୍ତି ବୋଲି ମନେ ହୁଏନା। ସ୍ୱାଧୀନତା ପ୍ରାପ୍ତି ପରର ଘଟଣା ମଧ୍ୟ ସେହିଭଳି। ସର୍ବନିମ୍ନ ମଜୁରି, ଯାତାୟାତ ଭତ୍ତା, ମହଙ୍ଗା ଭତ୍ତା, ଆର୍ଥିକ ଅଗ୍ରୀମ, ବୋନସ, ଛୁଟି, ନିର୍ଦ୍ଦିଷ୍ଟ କାର୍ଯ୍ୟ ସମୟ ଭଳି ସମସ୍ତ ସୁବିଧା ସୁଯୋଗ ହାସଲ ପଛରେ ଗୋଟିଏ ଗୋଟିଏ କଠିନ ସଂଘର୍ଷର ବଳିଷ୍ଠ କାହାଣୀ ଲୁକ୍କାୟିତ, ଏକଥା ସେମାନେ ହୃଦୟଙ୍ଗମ କରିପାରୁନାହାନ୍ତି। ଶ୍ରମିକ କର୍ମଚାରୀମାନେ ଉପଭୋଗ କରୁଥିବା ସମସ୍ତ ସୁବିଧା ସୁଯୋଗ କାହାରି ଦାନ ବା ଦୟା ନୁହେଁ, ବରଂ ସେମାନଙ୍କର ଅଦମନୀୟ ସଂଘର୍ଷର ଫଳାଫଳ। ଉଦାହରଣସ୍ୱରୂପ, ସର୍ବନିମ୍ନ ଆବଶ୍ୟକ ମଜୁରି, ମୂଳ ଦରମାରେ ମହଙ୍ଗା ଭତ୍ତା ମିଶ୍ରଣ,  ମୂଲ୍ୟବୃଦ୍ଧିର ନିଷ୍ପ୍ରଭାବିକରଣ ଆଦି ଦାବି ନେଇ ୧୯ ସେପ୍ଟେମ୍ବର ୧୯୬୮ର କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର ଏକ ଦିବସୀୟ ସର୍ବଭାରତୀୟ ଧର୍ମଘଟ ଡାକରାରେ ତତ୍କାଳୀନ ସରକାର ଧର୍ମଘଟରେ ସାମିଲ ହୋଇଥିବା ୧୭ ଜଣ କର୍ମଚାରୀଙ୍କୁ ପୋଲିସ ଓ ମିଲିଟାରୀ ଫୋର୍ସଙ୍କ  ଦ୍ଵାରା ଲାଠି ଓ ଗୁଳି ମାଡ ସହ ଟ୍ରେନ ଚଢେଇ ମାରିଦେଲେ, ପାଖାପାଖି ୧୨ ହଜାର କର୍ମଚାରୀଙ୍କୁ କାରାଗାରରେ ବନ୍ଦୀ କଲେ, ୪୦ ହଜାର  କର୍ମଚାରୀଙ୍କୁ ନିଲମ୍ବନ କଲେ ଓ ୬୪ ହଜାର କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ନୋଟିସ ଜାରି କଲେ ଏବଂ ସର୍ବୋପରି  ଆନ୍ଦୋଳନ କରୁଥିବା ଡାକ ତାର କର୍ମଚାରୀ ରାଷ୍ଟ୍ରୀୟ ମହାସଂଘ (ଏନଏଫପିଟିଇ ଯାହା ଡାକ ଓ ତାର ଦୁଇଟି ଅଲଗା ଅଲଗା ବିଭାଗ ହେଲାପରେ ଏନଏଫପିଇ ଓ ଏନଏଫଟିଇ ନାମରେ ପରିଚିତ)ର ମାନ୍ୟତା ପ୍ରତ୍ୟାହାର କରିନେଲେ। ଧର୍ମଘଟର ସୁଫଳ ଯଦିଓ ତୁରନ୍ତ ମିଳି ନଥିଲା, ଏହି ଆନ୍ଦୋଳନ ପରେ ନିଯୁକ୍ତି ପାଇଥିବା ତୃତୀୟ କେନ୍ଦ୍ରୀୟ ବେତନ ଆୟୋଗ ଦାବିଗୁଡିକୁ ଗୁରୁତ୍ୱର ସହ ବିଚାର କରିଥିଲେ। ଆଜିର ଯୁବପିଢିଙ୍କୁ ଏସବୁ କାହାଣୀ ଭଳି ଲାଗିଲେ ବି ଏ କଥା ବୁଝିବାକୁ ହେବ ଯେ କୌଣସି ସଂଗ୍ରାମ କେବେ ବିଫଳ ହୁଏନି।

ତୃତୀୟତଃ, ନିର୍ଭୟ ହୋଇ ନିଜର ହକ ଓ ସାମ୍ବିଧାନିକ ଅଧିକାର ପାଇଁ ଲଢିବା ଏକ ମାନସିକତା ଯାହା  ଅନେକଙ୍କ କ୍ଷେତ୍ରରେ ଏବେ ପରିଲକ୍ଷିତ ହେଉନାହିଁ। ବ୍ୟକ୍ତିଗତ ସ୍ୱାର୍ଥରୁ ଉର୍ଦ୍ଧ୍ବରେ ରହି ସାମଗ୍ରିକ ଉନ୍ନତି ନିମିତ୍ତ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ନିରନ୍ତର ଚେଷ୍ଟିତ କିଛି ବିରଳ ବ୍ୟକ୍ତି ବିଶେଷ, ଯେଉଁମାନେ କିଛି କରିପାରନ୍ତି କରନ୍ତି,  ଯେଉଁମାନେ କହିପାରନ୍ତି  କହନ୍ତି, ଆଉ ଯେଉଁମାନେ ଲେଖିପାରନ୍ତି ଲେଖନ୍ତି। କିନ୍ତୁ ଯେଉଁମାନେ ନା କିଛି କରିପାରନ୍ତି, ନା କହିପାରନ୍ତି, ନା ଲେଖିପାରନ୍ତି, ସେମାନଙ୍କର ନିସର୍ତ୍ତ ଯୋଗଦାନ, ମାନସିକ ଓ ଆର୍ଥିକ ସହଯୋଗ ଯେ କୌଣସି ସଂଗ୍ରାମର ଗତିପଥକୁ ସଫଳତା ଆଡକୁ ତ୍ୱରାନ୍ୱିତ କରେ। ହେଲେ ଆଜିକାଲି ଭିକ ନ ଦେଇ ଥାଳ ଭାଙ୍ଗିବା ଲୋକ ଅନେକ। ଫଳ ଖାଇବେ, ହେଲେ ଗଛ ଲଗେଇବେ ନାହିଁ କିମ୍ବା ଯେଉଁମାନେ ଲଗେଇବେ ତାଙ୍କୁ ସହଯୋଗ ବି କରିବେ ନାହିଁ। ଖାଇଲା ବେଳକୁ ସାତପୁଅର ମା, ହୁଳହୁଳି ଦେଲାବେଳକୁ ଜିଭରେ ଘା। ପ୍ରତ୍ୟକ୍ଷ ସହଯୋଗ ଓ ଯୋଗଦାନ ନ ଥାଇ, ସଂଗ୍ରାମର ଇତିହାସ ଓ ସଂଗ୍ରାମୀଙ୍କ ବଳିଦାନ କଥା ନ ଜାଣି, ନେତୃତ୍ୱକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାରେ ଅନେକ ସୁବିଧାବାଦୀ ସିଦ୍ଧହସ୍ତ। ତଥାପି, ଲକ୍ଷ୍ୟ ହାସଲ ପାଇଁ ସେମାନଙ୍କୁ ବୁଝେଇବାକୁ ପଡେ, ସେମାନଙ୍କ ଅନାସକ୍ତି ସତ୍ତ୍ୱେ ତାଙ୍କୁ ସଂଗ୍ରାମରେ ସାମିଲ କରାଯାଏ। ଶ୍ରମିକ କର୍ମଚାରୀ ସଂଗଠନଠାରୁ ଆରମ୍ଭ କରି ରାଜନୈତିକ ଦଳ ପର୍ଯ୍ୟନ୍ତ, ସବୁ ଧାରଣା, ଶୋଭାଯାତ୍ରା, ଧର୍ମଘଟକୁ ଆୟୋଜିତ ବା ପ୍ରାୟୋଜିତ କରିବା ଆଜିକାଲି ଏକ ସାଧାରଣ ଘଟଣା ହେଇଗଲାଣି। ସ୍ୱତପ୍ରବୃତ୍ତ ଯୋଗଦାନ ବହୁ ବିରଳ। ବିକ୍ଷୋଭ ପ୍ରଦର୍ଶନରେ ସାମିଲ ଅନେକ କର୍ମୀ ବିକ୍ଷୋଭର କାରଣ ବିଷୟରେ ନିହାତି ଅଜ୍ଞ ଥା'ନ୍ତି ଯେହେତୁ ସେମାନେ ସ୍ୱତଃ ଆସି ନଥାନ୍ତି, ବରଂ ସେମାନଙ୍କୁ ଅଣାଯାଇଥାଏ। ସାଉଁଟିଲା କାଣ୍ଡ କି ଯୁଦ୍ଧକୁ ପାଏ?

କୁହାଯାଏ ଜୀବନର ଅନ୍ୟ ନାମ ସଂଗ୍ରାମ। ଆବଶ୍ୟକତାକୁ ଚାହିଁ  ଏହା  ଜୀବନର ଏକ ସ୍ୱତଃସ୍ଫୂର୍ତ୍ତ ଧାବମାନ ପ୍ରକ୍ରିୟା ଯାହା ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଆଗକୁ ଅଗ୍ରସର ହେବାକୁ ସାମର୍ଥ୍ୟ ଯୋଗାଇଥାଏ। ସଂଗ୍ରାମ ବିନା ଆଗକୁ ବଢିବା, ସଫଳତା ପାଇବା, କିଛି ପରିବର୍ତ୍ତନ ଆଣିବା ଅସମ୍ଭବ। ଖାଲି ମଣିଷ ସମାଜ ନୁହେଁ, କୀଟପତଙ୍ଗ, ତରୁଲତା, ପଶୁପକ୍ଷୀ ସମସ୍ତେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷରତ। ନିର୍ଜୀବ ଝରଣାଟିଏ ବି କଠିନ ପାହାଡର ବୁକୁ ଫଟେଇ ପୃଥିବୀର ସୂର୍ଯ୍ୟାଲୋକ ଦେଖିବାଠାରୁ ମହାସାଗରରେ ଲୀନ ହେବା ପର୍ଯ୍ୟନ୍ତ ନିଜ ଚଲା ପଥରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୁଏ। ଜୀବନ ବଞ୍ଚିବା ଏତେ ସହଜ ନୁହେଁ। ନିଘଞ୍ଚ ଜଙ୍ଗଲରେ କ୍ଷୁଦ୍ର ପାଦପଟିଏ ବି ସୂର୍ଯ୍ୟାଲୋକ ପାଇଁ ବୃହଦକାୟ ବୃକ୍ଷରାଜି ସହ ସଂଘର୍ଷ କରେ। ଶିକାରୀ ଶିକାର ପାଇଁ ତ ଶିକାର ଜୀବନ ବଞ୍ଚେଇବା  ପାଇଁ ଅହରହ ଧାବମାନ। କେତେବେଳେ ବଞ୍ଚିବା ପାଇଁ ସଂଗ୍ରାମ ତ କେତେବେଳେ ନିଜର ପ୍ରାଧାନ୍ୟ ଜାହିର କରିବା ପାଇଁ ସଂଗ୍ରାମ। କେତେବେଳେ ଶୋଷଣ, ଅନ୍ୟାୟ, ଅତ୍ଯାଚାର ଓ ପରାଧୀନତାର ଶୃଙ୍ଖଳରୁ ମୁକ୍ତି ପାଇଁ ସଂଗ୍ରାମ ତ କେତେବେଳେ ନିଜର ଗଣତାନ୍ତ୍ରିକ ଅଧିକାର ଓ ସ୍ୱାଭିମାନର ସୁରକ୍ଷା ପାଇଁ ସଂଗ୍ରାମ। ଅର୍ଥାତ, ଜୀବନ ଅଛି, ତ ସଂଗ୍ରାମ ଅଛି, ଯାହା ଆୟୋଜିତ କି ପ୍ରାୟୋଜିତ ନୁହେଁ, ବରଂ ସ୍ୱତଃପ୍ରବୃତ୍ତ।

ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମିକ, କର୍ମଚାରୀ ତଥା ନାଗରିକମାନଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାର କ୍ରମାଗତ କ୍ଷୁର୍ଣ୍ଣ ହେଉଥିଲା ବେଳେ, ଦଳମତ ନିର୍ବିଶେଷରେ ଏକ ମିଳିତ, ସ୍ୱତଃସ୍ଫୂର୍ତ୍ତ  ତଥା ବଳିଷ୍ଠ ସଂଗ୍ରାମର ଆବଶ୍ୟକତା ରହିଛି। ଅନାସକ୍ତ ସଂଗ୍ରାମୀଙ୍କ ଦ୍ୱାରା ଆୟୋଜିତ ସଂଗ୍ରାମ ମୂଲ୍ୟହୀନ।  ବେଳହୁଁ ଯୁବପିଢ଼ି ବୁଝିଗଲେ ଭଲ।
************

ସୌଜନ୍ୟ : ଦୈନିକ ପର୍ଯ୍ୟବେକ୍ଷକ, ୨୨ ଫେବୃୟାରୀ, ୨୦୨୩

No comments:

Post a Comment