Thursday, February 9, 2023

ନୂଆ-ପୁରୁଣା ପେନସନ ଯୋଜନା ଓ କର୍ମଚାରୀଙ୍କ ପ୍ରତିବାଦ

 ପ୍ରିୟ ସାଥୀଗଣ,

ଆପଣମାନେ ସମ୍ପୂର୍ଣ୍ଣ ଅବଗତ ଯେ ଯେଉଁ ସମୟରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ବା National Joint Council of Action (NJCA) ଅନ୍ତର୍ଭୁକ୍ତ ରେଳବାଇ କର୍ମଚାରୀ ସହ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ସମଗ୍ର ଭାରତ ବର୍ଷର ରାଜ୍ୟ ସରକାରୀ କର୍ମଚାରୀ ସହ  ଶିକ୍ଷକମାନେ ନୂତନ ପେନସନ ଯୋଜନା ବାତିଲ ସହ ପୁରାତନ ପେନସନ ଯୋଜନାର ପୁନଃ ପ୍ରଚଳନ ପାଇଁ ଏକ ମିଳିତ ମଞ୍ଚ 'ଜଏଣ୍ଟ ଫୋରମ ଫର୍ ରେଷ୍ଟୋରେସନ ଅଫ୍ ଓଲ୍ଡ ପେନସନ ସ୍କିମ୍' (JFROPS) ଗଠିତ କରି ଜିଲ୍ଲା ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମଗୁଡିକର ସଫଳ ରୁପାୟନ ପାଇଁ ଅଣ୍ଟା ଭିଡୁଛନ୍ତି,  ସେହିଭଳି ଏକ ସ୍ପର୍ଶକାତର ମୂହୁର୍ତ୍ତରେ ପୁରାତନ ପେନସନ ଯୋଜନାର ପୁନଃ ପ୍ରଚଳନ ଏକ ନିର୍ବାଚନୀ ଚାଲ ଓ ସରକାରଙ୍କ ଉପରେ ଏକ  ଆର୍ଥିକ ବୋଝ ଭାବେ ଅଭିହିତ କରି ଗଣମାଧ୍ୟମରେ ବିଭିନ୍ନ ପ୍ରଚାର ପ୍ରସାର ଚାଲିଛି। ଉଦାହରଣ ସ୍ୱରୁପ, ୨୩ ଜାନୁଆରୀ ୨୦୨୩ରେ ସମାଜରେ ପ୍ରକାଶିତ ଶ୍ରୀଯୁକ୍ତ ନଳିନୀକାନ୍ତ ଧଳଙ୍କ ଲେଖା "ସାର୍ବଜନୀନ ପେନସନ ନୀତି ଆବଶ୍ୟକ" ଓ ୯ ଫେବୃୟାରୀ ୨୦୨୩ର ସମାଜ ସମ୍ପାଦକୀୟ 'ନୂଆ-ପୁରୁଣା ପେନସନ' ପୁରୁଣା ପେନସନ ଯୋଜନାର ପୁନଃପ୍ରଚଳନକୁ ନିରୁତ୍ସାହିତ କରୁଛି। ସମସ୍ତ କର୍ମଚାରୀଙ୍କ ତରଫରୁ ମୋର ପ୍ରତିବାଦ ରହୁଛି। କେତେବେଳେ ପ୍ରକାଶିତ ହେଉଛି ତ କେତେବେଳେ ନାହିଁ। ଆପଣମାନଙ୍କ ଅବଗତି ନିମନ୍ତେ ଗତକାଲିର ସମାଜ ସମ୍ପାଦକୀୟ, ମୋ ଲିଖିତ ପ୍ରତିବାଦ ଓ ପ୍ରକାଶିତ ପ୍ରତିବାଦକୁ ପୋଷ୍ଟିଂ କରୁଛି। 

ନୂତନ ପେନସନ ଯୋଜନାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଉଦ୍ଦିଷ୍ଟ କର୍ମଚାରୀମାନଙ୍କର ମିଳିତ କାର୍ଯ୍ୟକ୍ରମ,  ଲେଖାଲେଖି ଓ ପ୍ରତିବାଦ ସମୂହକୁ ଆମରି ସ୍ତରରେ ସାମାଜିକ ଗଣମାଧ୍ୟମ ଜରିଆରେ ବହୁଳଭାବେ ପ୍ରସାରିତ କରି ଏକ ଜାଗରଣ ସୃଷ୍ଟି କରିବାକୁ ଯେତିକି ଆନ୍ତରିକତା ଲୋଡା, ତାହା ପରିଲକ୍ଷିତ ହେଉନାହିଁ। ଆଗକୁ ବହୁ କାର୍ଯ୍ୟକ୍ରମ କରିବାକୁ ଅଛି। ସମସ୍ତଙ୍କର ସହଯୋଗ ଏକାନ୍ତ କାମ୍ୟ।

ଲିଖିତ ପ୍ରତିବାଦ

ପୁରୁଣା ପେନସନ ଯୋଜନାର ପୁନଃ ପ୍ରଚଳନ ନିର୍ବାଚନୀ ଚାଲ ବା ଆର୍ଥିକ ବୋଝ ନୁହେଁ

ମହାଶୟ,

୯ ଫେବୃୟାରୀ ୨୦୨୩ର ସମ୍ପାଦକୀୟ 'ନୂଆ-ପୁରୁଣା ପେନସନ' ରେ ପେନସନ ସରକାରଙ୍କ ଉପରେ ଏକ ଆର୍ଥିକ ବୋଝ ବୋଲି ଅଭିହିତ କଲାବେଳେ, ଡି ଏସ ନାକରା ବନାମ କେନ୍ଦ୍ର ସରକାରଙ୍କ କେସରେ ପେନସନ ସମ୍ବନ୍ଧୀୟ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ୧୭ ଡିସେମ୍ବର ୧୯୮୨ର ନିମ୍ନୋକ୍ତ ଐତିହାସିକ ରାୟକୁ ଅଣଦେଖା ହେଲା ଭଳି ଲାଗିଲା। "Pension is neither a bounty, nor a matter of grace depending upon the sweet will of the employer, nor an ex-gratia payment. It is a payment for the past services rendered. It is a social welfare measure rendering socio-economic justice to those who in the heyday of their life ceaselessly toiled for the employer on an assurance that in their old age they would not be left in the lurch". 

 ଦ୍ୱିତୀୟତଃ,  ପୁରୁଣା ଯୋଜନାରେ କର୍ମଚାରୀଙ୍କର କୌଣସି ଦେୟ ନ ଥାଇ, ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ନୂତନ ଯୋଜନାରେ କର୍ମଚାରୀଙ୍କ ଦରମାର ୧୦ ପ୍ରତିଶତ ଓ ନିଯୁକ୍ତିଦାତାଙ୍କ ତରଫରୁ ୧୪ ପ୍ରତିଶତ ପ୍ରତ୍ୟେକ ମାସ ଭରଣା କରାଯାଉଥିଲେ ବି, ସର୍ବନିମ୍ନ ପେନସନର କୌଣସି ପ୍ରତିଶ୍ରୁତି ନ ଥାଇ ମାସିକ ପେନସନ ପାଖାପାଖି ୮%ରେ ସୀମିତ ରହୁଛି ଯାହା ପରିଣତ ବୟସରେ କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ଆର୍ଥିକ ବୋଝ ଆଳରେ କର୍ମଚାରୀଙ୍କର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିବା ଆଦୌ ନ୍ୟାୟୋଚିତ ନୁହେଁ।

ତୃତୀୟତଃ, ସରକାରୀ କର୍ମଚାରୀଙ୍କ ପେନସନ ଖର୍ଚ୍ଚ ହିସାବକୁ ନେଲାବେଳେ, ପୁରୁଣା ପେନସନ ଯୋଜନାରେ ଜନ ପ୍ରତିନିଧିମାନେ ପାଉଥିବା ଏକାଧିକ ପେନସନ କିମ୍ବା କିଛି ମୁଷ୍ଟିମେୟ କର୍ପୋରେଟ ସଂସ୍ଥାକୁ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ଟିକସ ଓ ଋଣ ବାବଦରେ ଛାଡ କରିବା କଥା ଉପରେ ହିସାବ କଲେ, ବର୍ଷକୁ ଏ ବାବଦରେ ସରକାର ଟିକସ ଦାତାଙ୍କର ଯେତିକି ଅର୍ଥ ବରବାଦ କରୁଛନ୍ତି, କର୍ମଚାରୀଙ୍କ ପେନସନ ଖର୍ଚ୍ଚ ତାଠାରୁ ବହୁତ କମରେ ଭରଣା ହେଇ ପାରିବ। 

 ନୂତନ ପେନସନ ଯୋଜନା ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର  ରାଜ୍ୟ ସରକାରମାନେ ପୁରାତନ ପେନସନ ଯୋଜନାକୁ ଫେରିବା ପାଇଁ ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି, ତାହା କୌଣସି ନିର୍ବାଚନୀ ଚାଲ ନୁହେଁ, ବରଂ ୨୦୦୪ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନଙ୍କର ମିଳିତ ତଥା ନିରବଚ୍ଛିନ୍ନ ସଂଘର୍ଷର ଫଳ।

ସ୍ୱାଚ୍ଛତା ଓ ନିରପେକ୍ଷତା ପାଇଁ  ଦୀର୍ଘ ୪୫ ବର୍ଷରୁ ଅଧିକ ସମୟ ଧରି ମୁଁ ସମାଜର ଏକ ନିୟମିତ ଗ୍ରାହକ ଓ ପାଠକ। ଆପଣଙ୍କ ସମ୍ପାଦକୀୟର ବିରୁଦ୍ଧାଚରଣ କରୁଥିଲେ ବି ଗଣମାଧ୍ୟମ, ସର୍ବୋପରି ସମାଜର ସ୍ୱଚ୍ଛତା ପ୍ରତିପାଦିତ ପାଇଁ, ମୋର ଏ ପ୍ରତିବାଦକୁ 'ସମାଜ'ରେ ସ୍ଥାନିତ କରିବେ ବୋଲି ଆଶା।

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତି, ଭୁବନେଶ୍ୱର

ମୋବାଇଲ ନଂ: ୯୪୩୭୦୨୨୬୬୯

ଇମେଲ:bsamalbbsr@gmail.com




No comments:

Post a Comment