Monday, May 5, 2025
Saturday, May 3, 2025
State Level Convention organized by Confederation Odisha CoC concluded successfully with unanimous resolution to participate enmasse in the forthcoming Nationwide General Strike on 20th May 2025
Friday, May 2, 2025
Secretary General, Confederation, CHQ, New Delhi arrives today (2nd May 2025) in Bhubaneswar to address tomorrow's (3rd May 2025, 10 AM) State Level Convention
Wednesday, April 30, 2025
ଶ୍ରମିକ ଦିବସ ଓ ଶ୍ରମ ସହିଂତା
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର
ମୋବାଇଲ: ୯୪୩୭୦୨୨୬୬୯
ଇଂରେଜ ଶାସନ କାଳରୁ ଆଜିଯାଏଁ କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଅଧିନିୟମରୁ ୧୫ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି ୪ଟି ଶ୍ରମ ସହିଂତାରେ ପରିଣତ କରିସାରିଛନ୍ତି। ସିଧାସଳଖ ଉଚ୍ଛେଦ ହୋଇଥିବା ଅଧିନିୟମଗୁଡିକ ମଧ୍ୟରେ କର୍ମଚାରୀ ଦାୟିତ୍ଵ ଅଧିନିୟମ ୧୯୩୮, ସାପ୍ତାହିକ ଛୁଟି ଅଧିନିୟମ ୧୯୪୨, ଶିକ୍ଷାନବିସ ଅଧିନିୟମ ୧୯୬୧ ଏବଂ ବିଡ଼ି, ସିନେମା ଶ୍ରମିକ ସହ ଅଭ୍ର, ଲୁହାପଥର, ମାଙ୍ଗାନିଜ, କ୍ରୋମ୍, ଚୂନପଥର ଖଣି ଶ୍ରମିକ କଲ୍ୟାଣ ନିଧି ଓ ଉପକର ଅଧିନିୟମ ସମୂହ ଇତ୍ୟାଦି ପ୍ରମୁଖ। ବାକି ୨୯ଟି ଅଧିନିୟମରୁ, ମଜୁରୀ ପ୍ରଦାନ ଅଧିନିୟମ ୧୯୩୬, ସର୍ବନିମ୍ନ ମଜୁରୀ ଅଧିନିୟମ ୧୯୪୮, ବୋନସ୍ ପ୍ରଦାନ ଅଧିନିୟମ ୧୯୬୫ ଓ ସମାନ ମଜୁରୀ ପ୍ରଦାନ ଅଧିନିୟମ ୧୯୭୬ ଭଳି ଚାରୋଟି ଅଧିନିୟମକୁ ‘ମଜୁରୀ ସହିଂତା ୨୦୧୯’ରେ ବିଲୀନ କରାଯାଇଥିବାବେଳେ, ଟ୍ରେଡ୍ ୟୁନିଅନ ଅଧିନିୟମ ୧୯୨୬, ଔଦ୍ୟୋଗିକ ବିବାଦ ଅଧିନିୟମ ୧୯୪୭ ଏବଂ ଔଦ୍ୟୋଗିକ ନିଯୁକ୍ତି ଅଧିନିୟମ ୧୯୪୬ ଭଳି ତିନୋଟି ଅଧିନିୟମକୁ ନେଇ ‘ଔଦ୍ୟୋଗିକ ସମ୍ପର୍କ ସଂହିତା ୨୦୨୦’ ଗୃହିତ ହୋଇଛି। ସେହିଭଳି କର୍ମଚାରୀ କ୍ଷତିପୂରଣ ଅଧିନିୟମ ୧୯୨୩, କର୍ମଚାରୀ ରାଜ୍ୟ ବୀମା ଅଧିନିୟମ ୧୯୪୮, କର୍ମଚାରୀ ଭବିଷ୍ୟନିଧି ଓ ବିବିଧ ବ୍ୟବସ୍ଥା ଅଧିନିୟମ ୧୯୫୨, ରୋଜଗାର କାର୍ଯ୍ୟାଳୟ (ବାଧ୍ୟତାମୂଳକ ଖାଲିସ୍ଥାନ ଅଧିସୂଚନା) ଅଧିନିୟମ ୧୯୫୯, ମାତୃତ୍ଵ ସୁବିଧା ଅଧିନିୟମ ୧୯୬୧, ଗ୍ରାଚୁଇଟି ପ୍ରଦାନ ଅଧିନିୟମ ୧୯୭୨, ଚଳଚ୍ଚିତ୍ର ଶ୍ରମିକ କଲ୍ୟାଣ ପାଣ୍ଠି ଅଧିନିୟମ ୧୯୮୧, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଉପକର ଅଧିନିୟମ ୧୯୯୬ ଓ ଅସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ଅଧିନିୟମ ୨୦୦୮ଭଳି ନଅଟି ଅଧିନିୟମକୁ ‘ସାମାଜିକ ସୁରକ୍ଷା ସଂହିତା ୨୦୨୦’ର ପରିସରଭୁକ୍ତ କରାଯାଇଥିବାବେଳେ, କାରଖାନା ଅଧିନିୟମ ୧୯୪୮, ଖଣି ଅଧିନିୟମ ୧୯୫୨, ପୋତାଶ୍ରୟ ଶ୍ରମିକ (ସୁରକ୍ଷା, ସ୍ୱାସ୍ଥ୍ୟ ଓ କଲ୍ୟାଣ) ଅଧିନିୟମ ୧୯୮୬, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ଅଧିନିୟମ ୧୯୯୬, ଉଦ୍ୟାନ ଶ୍ରମ ଅଧିନିୟମ ୧୯୫୧, ଠିକା ଶ୍ରମ ( ନିୟନ୍ତ୍ରଣ ଓ ଉଚ୍ଛେଦ) ଅଧିନିୟମ ୧୯୭୦, ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ଅଧିନିୟମ ୧୯୭୯, ଶ୍ରମଜୀବୀ ପତ୍ରକାର ଓ ଅନ୍ୟ ସମାଚାରପତ୍ର କର୍ମଚାରୀ (ସେବା ସର୍ତ୍ତାବଳୀ) ଓ ବିବିଧ ବ୍ୟବସ୍ଥା ଅଧିନିୟମ ୧୯୫୫, ଶ୍ରମଜୀବୀ ପତ୍ରକାର (ମଜୁରୀ ଦର ନିର୍ଦ୍ଧାରଣ) ଅଧିନିୟମ ୧୯୫୮, ମୋଟର ପରିବହନ ଶ୍ରମିକ ଅଧିନିୟମ ୧୯୬୧, ବିକ୍ରୟ ଉନ୍ନୟନ କର୍ମଚାରୀ (ସେବା ସର୍ତ୍ତାବଳୀ) ଅଧିନିୟମ ୧୯୭୬, ବିଡ଼ି ଓ ସିଗାର ଶ୍ରମିକ (ନିଯୁକ୍ତିର ସ୍ଥିତି) ଅଧିନିୟମ ୧୯୬୬ ଏବଂ ଚଳଚ୍ଚିତ୍ର କର୍ମଚାରୀ ଓ ଚଳଚ୍ଚିତ୍ର-ମଞ୍ଚ କର୍ମଚାରୀ (ନିଯୁକ୍ତି ନିୟନ୍ତ୍ରଣ) ଅଧିନିୟମ ୧୯୮୧ ଭଳି ତେରଟି ଅଧିନିୟମକୁ କେନ୍ଦ୍ର ସରକାର ‘ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳୀ ସଂହିତା ୨୦୨୦’ରେ ଅନ୍ତର୍ଭୁକ୍ତ କରିଛନ୍ତି।
ଉପରୋକ୍ତ ଉଚ୍ଛେଦ ଓ ମିଶ୍ରଣକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଅନୁମେୟ ହୁଏ ଯେ ଉଚ୍ଛେଦ ହୋଇଥିବା ତଥା ବିଶେଷ ଭାବେ ମଜୁରୀ ସଂହିତା ଓ ଔଦ୍ୟୋଗିକ ସମ୍ପର୍କ ସଂହିତାରେ ସନ୍ନିବେଶିତ ହୋଇଥିବା ଅଧିକାଂଶ ଅଧିନିୟମ ଇଂରେଜ ଶାସନ ଅଥବା ସ୍ୱାଧୀନତା ପ୍ରାପ୍ତି ସମୟର। ଅର୍ଥାତ, ଶ୍ରମିକ ଶ୍ରେଣୀ ଇଂରେଜ ଶାସକ ତଥା ସେ ସମୟର ପୁଞ୍ଜିବାଦୀ ଶୋଷଣ ଓ ଅନ୍ୟାୟ ବିରୁଦ୍ଧରେ ‘ଦୁନିଆର ଶ୍ରମିକ ଏକ ହୁଅ’ର ନାରା ସହ ଦଶନ୍ଧି ଦଶନ୍ଧି ଧରି କ୍ରମାଗତ ସଂଗଠିତ ସଂଘର୍ଷ ଦ୍ଵାରା ଆଇନତଃ ନିଜର ସୁରକ୍ଷା ଓ ମଙ୍ଗଳ ପାଇଁ ଯେଉଁ ସବୁ ଅଧିକାର ହାସଲ କରିଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ସମ୍ବିଧାନ ତଥା ଉଚ୍ଚତମ ନ୍ୟାୟାଳୟ ଯାହାକୁ ମାନ୍ୟତା ପ୍ରଦାନ କରିଥିଲେ, ସ୍ୱାଧୀନ ଭାରତରେ ଆଜିର ସରକାର ଚାଲାକି କରି ଗଣତାନ୍ତ୍ରିକ ଉପାୟରେ ସଂସଦର ସାହାଯ୍ୟ ନେଇ ସମସ୍ତ ଅଧିନିୟମକୁ ସଂହିତାରେ ପରିଣତ କରି କେବଳ ଶ୍ରମିକ ଶ୍ରେଣୀର ସ୍ୱାର୍ଥ ଓ ବିଶ୍ୱାସକୁ ଯେ ଆଘାତପ୍ରାପ୍ତ କରିଛନ୍ତି, ତାହା ନୁହେଁ, ବରଂ ପୁଞ୍ଜିବାଦକୁ ପୁନଃ ପ୍ରୋତ୍ସାହିତ କରି ସବୁମତେ ଶ୍ରମିକ ଶୋଷଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାର ସମସ୍ତ ଦ୍ୱାର ଉନ୍ମୁକ୍ତ କରିଛନ୍ତି। ବିଶ୍ୱ ଶ୍ରମିକ ଦିବସ ଅବସରରେ ସଂକ୍ଷିପ୍ତରେ ଶ୍ରମ ସଂହିତାଗୁଡିକର ଶ୍ରମିକ ବିରୋଧୀ ଦିଗଗୁଡିକ ଆଲୋଚନା କଲେ ହୃଦବୋଧ ହେବ ଯେ ଶ୍ରମ ଅଧିନିୟମ ବଦଳରେ କେନ୍ଦ୍ର ସରକାରଙ୍କ ଦ୍ବାରା ଶ୍ରମ ସଂହିତାର ପ୍ରସ୍ତାବିତ ପ୍ରଚଳନ ସ୍ୱାଧୀନ ଭାରତରେ ଶ୍ରମିକମାନଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରତି ଗଣତନ୍ତ୍ରର ଏକ କ୍ରୁର ଅଟହାସ୍ୟ।
ପ୍ରଥମତଃ, ମାଲିକ ଶ୍ରେଣୀର ଲୁକ୍କାୟିତ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ଯାଇ ମଜୁରୀ ସଂହିତାରେ ଶ୍ରମିକ ଓ କର୍ମଚାରୀଙ୍କ ସଂଜ୍ଞା ଭିନ୍ନ ଭିନ୍ନ ଭାବେ ବର୍ଣ୍ଣନା କରାଯାଇଅଛି। ଉଦାହରଣ ସ୍ଵରୁପ, ଧାରା ୨(କେ)ରେ ଉଲ୍ଲେଖ କର୍ମଚାରୀଙ୍କ ସଂଜ୍ଞା ମଧ୍ୟରେ କାର୍ଯ୍ୟରତ ସାମ୍ବାଦିକ, ସମ୍ବାଦପତ୍ର କର୍ମଚାରୀ ତଥା ବିକ୍ରୟ ଉନ୍ନୟନ କର୍ମଚାରୀମାନେ ବାଦ ପଡିଥିଲାବେଳେ, ସେମାନଙ୍କୁ ଧାରା ୨(ଜେଡ୍)ରେ ଥିବା ଶ୍ରମିକ ସଂଜ୍ଞା ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି ମଜୁରୀ ପ୍ରଦାନ ସହ ସଂପୃକ୍ତ ସଂହିତାର ତୃତୀୟ ପରିଚ୍ଛେଦରେ ଶ୍ରମିକ ଶବ୍ଦ ହିଁ ନାହିଁ, ଯାହାଦ୍ଵାରା ସଂହିତାରେ ଭୁଲ୍ ତର୍ଜମା କରି ମାଲିକ ଓ ନିଯୁକ୍ତି ଦାତାମାନେ ବାଛବିଚାର କରିପାରିବେ। ସେହିପରି ସଂହିତାର ଧାରା ୨ (ୱାଇ)ରେ ଅନ୍ୟାନ୍ୟ ସମସ୍ତ ଭତ୍ତାକୁ ବାଦ୍ ଦେଇ କେବଳ ମୂଳ ଦରମା, ମହଙ୍ଗା ଭତ୍ତା ଓ ପାଉଥିବା ଭତ୍ତାକୁ ନେଇ ମଜୁରୀର ସଂଜ୍ଞାକୁ ସଙ୍କୁଚିତ କରାଯାଇଥିବାବେଳେ ସର୍ବନିମ୍ନ ମଜୁରୀର ସଂଜ୍ଞା କି ମାନଦଣ୍ଡ ସ୍ଥିର କରାଯାଇନାହିଁ। ସେହିଭଳି ଦୈନିକ କାର୍ଯ୍ୟ ସମୟକୁ ସରକାରଙ୍କ ଉପରେ ଛାଡ଼ି ଦିଆଯାଇଛି। ମଜୁରୀ ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ପରାମର୍ଶଦାତା ବୋର୍ଡରେ କର୍ମଚାରୀ, ମାଲିକ ଓ ସ୍ୱାଧୀନ ବ୍ୟକ୍ତି ବିଶେଷ ଯଦିଓ ଏକ ତୃତୀୟାଂଶ ଭାବେ ରହିବେ, ସେମାନେ କେବଳ ଆଲୋଚନା ହିଁ କରିବେ। ବୋର୍ଡର ସୁପାରିଶ୍ ମାନିବାକୁ ସରକାର ବାଧ୍ୟ ନୁହନ୍ତି। ଅନୁରୂପଭାବେ ସଂହିତାରେ ଶ୍ରମିକମାନଙ୍କୁ ବୋନସର ପ୍ରତିଶ୍ରୁତି ଦେବା ବଦଳରେ ସେମାନଙ୍କୁ ବୋନସରୁ ବଞ୍ଚିତ କରିବା ପାଇଁ ଗୁରୁତ୍ବ ଦିଆଯାଇଛି।
ଦ୍ୱିତୀୟରେ, ଔଦ୍ୟୋଗିକ ସମ୍ପର୍କ ସଂହିତାରେ ନିଯୁକ୍ତିର ସଂଜ୍ଞା ପରିବର୍ତ୍ତନ କରି ସରକାର ଶ୍ରମିକମାନଙ୍କ ଅଧିକାରକୁ ଖର୍ବ କରିବା ସହ ମାଲିକମାନେ ସେମାନଙ୍କୁ ନିରଙ୍କୁଶ ଭାବେ ଶୋଷଣ କରିବାର ପଥ ପ୍ରଶସ୍ତ ଓ ପରିଷ୍କାର କରିଛନ୍ତି। ସଂହିତାରେ ନିଯୁକ୍ତିକୁ ଅସ୍ଥାୟୀ, କ୍ଷଣସ୍ଥାୟୀ ଓ ଠିକାକରଣ କରାଯାଇଛି। ଔଦ୍ୟୋଗିକ ବିବାଦ ଅଧିନିୟମର ଧାରା ୨୫ (ଏଫ୍) ଅନୁଯାୟୀ ଜଣେ ଶ୍ରମିକ ୨୪୦ ଦିନରୁ ଅଧିକ କାମ କରିଥିଲେ ମାସକ ପୂର୍ବରୁ ନୋଟିସ୍ ନଚେତ୍ ମାସକର ଦରମା ଓ ନିର୍ଦ୍ଧାରିତ କ୍ଷତିପୂରଣ ପାଇଁ ମାଲିକକୁ ବାଧ୍ୟ କରିପାରୁଥିଲା। କିନ୍ତୁ ଔଦ୍ୟୋଗିକ ସମ୍ପର୍କ ସଂହିତା ବିନା ନୋଟିସ୍ କିମ୍ବା କ୍ଷତିପୂରଣରେ ଶ୍ରମିକଙ୍କୁ ବିଦା କରିବାର ନିରଙ୍କୁଶ କ୍ଷମତା ମାଲିକଙ୍କୁ ପ୍ରଦାନ କରିଛି। କୌଣସି ଶିଳ୍ପାନୁଷ୍ଠାନରେ ଏକ ଶହରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିଲେ, ଛଟେଇ କିମ୍ବା କାରଖାନାକୁ ବନ୍ଦ କରିବାକୁ ଔଦ୍ୟୋଗିକ ବିବାଦ ଅଧିନିୟମ ଅନୁସାରେ ସରକାରଙ୍କ ଠାରୁ ନବେ ଦିନ ପୂର୍ବରୁ ଅନୁମତି ଆଣିବାକୁ ପଡୁଥିଲା। ହେଲେ ଏବେ ଔଦ୍ୟୋଗିକ ସମ୍ପର୍କ ସଂହିତାରେ ଏହି ସଂଖ୍ୟା ତିନିଶହକୁ ବୃଦ୍ଧି କରାଯାଇଥିବା ବେଳେ, ସଂସଦର ଅନୁମୋଦନ ଓ ଆଇନର ସଂଶୋଧନ ବିନା ସରକାରଙ୍କ ଦ୍ଵାରା ଏକ ବିଜ୍ଞପ୍ତି ଜରିଆରେ ତିନିଶହରୁ ଅଧିକକୁ ମଧ୍ୟ ବୃଦ୍ଧି କରାଯାଇ ପାରିବ। ଆକଳନ ଅନୁଯାୟୀ, ଏହାଦ୍ବାରା ଦେଶର ୭୦% ଶିଳ୍ପାନୁଷ୍ଠାନ ଓ ୭୪% ଶ୍ରମିକ କ୍ଷତିଗ୍ରସ୍ତ ହେବେ। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଟ୍ରେଡ୍ ୟୁନିଅନ ଅଧିନିୟମ ୧୯୨୬ର ବିଚାରଧାରାକୁ ନଷ୍ଟ କରି ଏହି ସଂହିତା ଟ୍ରେଡ୍ ୟୁନିଅନ ପଞ୍ଜିକରଣ ଓ ପରିଚାଳନାରେ ଶ୍ରମିକମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି। ପ୍ରଚଳିତ ଆଇନକୁ ମୋଡ଼ି ମକଚି ଶ୍ରମିକ ସଂଗଠନମାନଙ୍କର ମୂଲଚାଲ କ୍ଷମତାକୁ ସଙ୍କୁଚିତ କରାଯିବା ସହ ସେମାନଙ୍କର ଧର୍ମଘଟ କରିବାର ଅଧିକାର ଉପରେ ନିଷେଧାଦେଶ ଜାରି କରାଯାଇଛି।
ତୃତୀୟରେ, ସାମାଜିକ ନିରାପତ୍ତା ସଂହିତା କୌଣସି ନୂତନ ସାମାଜିକ ସୁରକ୍ଷା ପ୍ରଦାନ କରିନାହିଁ କିମ୍ବା କୌଣସି ନୂତନ ବ୍ୟବସ୍ଥା ଦ୍ୱାରା ଏହାର ପରିସରକୁ ବ୍ୟାପକ କରିନାହିଁ। ବିଡ଼ି, ସିନେମା ଶ୍ରମିକ ସହ ଅଭ୍ର, ଲୁହାପଥର, ମାଙ୍ଗାନିଜ, କ୍ରୋମ୍, ଚୂନପଥର ଓ ଡୋଲୋମାଇଟ୍ ଖଣି ଶ୍ରମିକ କଲ୍ୟାଣ ନିଧି ଓ ଉପକର ଅଧିନିୟମକୁ ସଂହିତା ପ୍ରଚଳନ ଦ୍ୱାରା କେନ୍ଦ୍ର ସରକାର ଉଚ୍ଛେଦ କଲାପରେ ଏହି କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ କୌଣସି ନିର୍ଦ୍ଧିଷ୍ଟ ପାଣ୍ଠିର ବ୍ୟବସ୍ଥା କରାଯାଇନାହିଁ। କର୍ମଚାରୀ ଭବିଷ୍ୟନିଧି ଓ କର୍ମଚାରୀ ରାଜ୍ୟ ବୀମା ଆଇନରେ ଥିବା ସର୍ବନିମ୍ନ ସଂଖ୍ୟା ଯାହାକି ଯଥାକ୍ରମେ ୨୦ ଓ ୧୦ ରହିଛି, ସଂହିତାରେ ତା'ର କୌଣସି ପରିବର୍ତ୍ତନ ହୋଇନଥିବାରୁ ଅଧିକ ଶ୍ରମିକ ଏହାର ପରିସରଭୁକ୍ତ ହେବାରୁ ବଞ୍ଚିତ ହେବେ। କର୍ମଚାରୀ ଭବିଷ୍ୟନିଧି ଯୋଜନାରେ ଥିବା ଦେୟ ହାରରେ ପରିବର୍ତ୍ତନ (ମାଲିକମାନଙ୍କର ଦେୟ ୧୨%ରୁ ୧୦% ହ୍ରାସ), ମାଲିକମାନଙ୍କୁ ସୁହେଇଲା ଭଳି ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ପାଇଁ ସରକାର ନିଜ ହାତକୁ କ୍ଷମତା ନେବା ସହ ସାମ୍ବିଧାନିକ ତ୍ରିପାକ୍ଷିକ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ସଂଜ୍ଞା, ଗଠନ ପ୍ରଣାଳୀ ଓ ଦାୟିତ୍ୱବୋଧକୁ ଦୁର୍ବଳ କରାଯାଇ କେବଳ ଏକ ସୁପାରିଶକାରି ସଂସ୍ଥାରେ ପରିଣତ କରାଯିବା ଦ୍ୱାରା ଭବିଷ୍ୟନିଧି ଯୋଜନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାର ଚକ୍ରାନ୍ତ ଅତି ସ୍ପଷ୍ଟ। ସମାନ କଥା ମଧ୍ୟ କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ପରିଲକ୍ଷିତ। ସଂହିତା ଅନୁଯାୟୀ ଶ୍ରମିକମାନଙ୍କ ଦେୟ ୧.୭୫%ରୁ ୦.୭୫%କୁ ଏବଂ ମାଲିକମାନଙ୍କ ଦେୟ ୪.୭୫%ରୁ ୩.୨୫%କୁ ହ୍ରାସ ହେବା ଦ୍ୱାରା ପୂର୍ବରୁ ଉପଲବ୍ଧ ଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ବାଧାପ୍ରାପ୍ତ ହେବାରେ ସମ୍ଭାବନା ରହିଛି। ସବୁଠାରୁ ବଡ କ୍ଷୋଭ ଓ ପରିତାପର ବିଷୟ ହେଲା ଆଶା, ଅଙ୍ଗନବାଡ଼ି, ପାଚିକା, ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପରେ ଥିବା ଶିକ୍ଷକ ଓ ଅଣଶିକ୍ଷକ ଭଳି ସ୍କିମ୍ ଶ୍ରମିକମାନେ ଏଯାଏଁ କର୍ମଚାରୀ ଭବିଷ୍ୟନିଧି ଓ ରାଜ୍ୟ ବୀମା ଯୋଜନାର ସୁବିଧା ପାଉ ନଥିବା ବେଳେ, ସାମାଜିକ ସୁରକ୍ଷା ସଂହିତା ସେବାବଦରେ ନୀରବ।
ଶେଷରେ ‘ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳୀ ସଂହିତା’ ପ୍ରଚଳନ ଯୋଗୁଁ ପୂର୍ବରୁ ୧୩ଟି ଅଧିନିୟମରୁ ପ୍ରାପ୍ତ ଅନେକ ସୁବିଧା ସୁଯୋଗରୁ ବହୁ ଶ୍ରମିକ ବାଦ୍ ପଡିବେ। ବିଶେଷ ଭାବେ ଅସଂଗଠିତ କ୍ଷେତ୍ର, ନିର୍ମାଣ, ଠିକା, ଦାଦନ, ପରିବହନ, ବିଡ଼ି ଓ ସିଗାର ଶ୍ରମିକ ଏବଂ ବହୁସଂଖ୍ୟକ ସାମ୍ବାଦିକ କ୍ଷତିଗ୍ରସ୍ତ ହେବେ। ସଂହିତାରେ ଶ୍ରମିକ ଓ କର୍ମଚାରୀଙ୍କ ସଂଜ୍ଞା ଏକ ଭ୍ରମାତ୍ମକ ଢଙ୍ଗରେ ବାଖ୍ୟା କରାଯାଇଛି। ପଞ୍ଚମ ଓ ଷଷ୍ଠ ଅଧ୍ୟାୟରେ କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ, ନିରାପତ୍ତା, କଲ୍ୟାଣ ଓ କାର୍ଯ୍ୟ ସର୍ତ୍ତାବଳୀ ଉଲ୍ଲେଖ ଥିବାବେଳେ, ସପ୍ତମ ଅଧ୍ୟାୟରେ ଶ୍ରମିକମାନଙ୍କର କାର୍ଯ୍ୟ ସମୟ, ସାପ୍ତାହିକ ଛୁଟି, ସବେତନ ଛୁଟି ଇତ୍ୟାଦି କଥା କୁହାଯାଇଥିବାରୁ କେଉଁ ସୁବିଧା କାହା ପାଇଁ ଲାଗୁ ହେବ, ତାହା ଦ୍ୱନ୍ଦ ସୃଷ୍ଟି କରୁଛି। ବିଦ୍ୟୁତ ପରିଚାଳିତ କୌଣସି କାରଖାନାରେ ୨୦ ଜଣରୁ ଅଧିକ ଶ୍ରମିକ କାମ କରୁଥିଲେ, ତାହା ଏହି ସଂହିତାର ପରିସରଭୁକ୍ତ ହୋଇପାରିବ। ଅର୍ଥାତ, ଏହାଦ୍ବାରା ଆମ ଦେଶର ବିଦ୍ୟୁତ ପରିଚାଳିତ ହେଉ ନଥିବା କାରଖାନାର ୪୦% ଶ୍ରମିକ ସଂହିତା ପରିସରବାହାରେ ରହିବାକୁ ବାଧ୍ୟ ହେବେ। ୨୦ରୁ ଉର୍ଦ୍ଧ ଶ୍ରମିକ ନିଯୁକ୍ତ କଲେ ଠିକାଦାରଙ୍କୁ ଶ୍ରମ କାର୍ଯ୍ୟାଳାୟରୁ ଅନୁମତି ନେବାର ଆବଶ୍ୟକ ଥିଲା ବେଳେ ଏବେ ଏହି ସଂଖ୍ୟାକୁ ୫୦କୁ ବୃଦ୍ଧି କରାଯାଇଥିବାରୁ ଶ୍ରମିକମାନେ ଅଧିକ ଶୋଷିତ ହେବେ। ଆଜିର ଦିନରେ ଭାରତବର୍ଷର ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକରେ ୫୦%ରୁ ଅଧିକ ଓ ଘରୋଇ ଉଦ୍ୟୋଗରେ ୭୦%ରୁ ଅଧିକ କାର୍ଯ୍ୟରତ ଠିକା ଶ୍ରମିକ ଏହି ସଂହିତା ପ୍ରଚଳନ ଦ୍ୱାରା କେବେ ସ୍ଥାୟୀ କର୍ମଚାରୀର ମାନ୍ୟତା ଦାବି କରିପାରିବେ ନାହଁ। ୫୦୦ରୁ କମ୍ ଶ୍ରମିକ କାମ କରୁଥିବା କାରଖାନାରେ ନିରାପତ୍ତା କମିଟି ଓ ଅଧିକାରୀ ରହିବେ ନାହିଁ ଯାହାଦ୍ଵାରା ୯୦% କାରଖାନାର ଶ୍ରମିକ ଏଥିରୁ ବାଦ୍ ପଡିବେ। ୨୫୦ରୁ କମ୍ ଶ୍ରମିକ କାମ କରୁଥିବା କାରଖାନାରେ ମଙ୍ଗଳ ଅଧିକାରୀ ରହିବେ ନାହିଁ କି ୧୦୦ରୁ କମ୍ ଶ୍ରମିକ କାମ କରୁଥିବା କାରଖାନାରେ କ୍ୟାଣ୍ଟିନ୍ ବ୍ୟବସ୍ଥା ରହିବ ନାହିଁ। ସେହିଭଳି, ୫୦ରୁ କମ୍ ଶ୍ରମିକ କାମ କରୁଥିବା କାରଖାନାରେ କ୍ରେଚ୍, ଖାଇବା ଗୃହ ଓ ବିଶ୍ରାମ ଗୃହ ରହିବ ନାହିଁ।
ତେଣୁ ସାମଗ୍ରିକ ଭାବେ ଦେଖିଲେ, ଶ୍ରମ ଆଇନ ବଦଳରେ ଶ୍ରମ ସଂହିତା ପ୍ରଚଳନ ହେଲେ ଶ୍ରମିକମାନେ ବହୁବିଧ ସୁବିଧା ପାଇବେ ବୋଲି ଏକ ଅପପ୍ରଚାର ଚାଲିଛି ମାତ୍ର। ସଂହିତାଗୁଡିକ କାର୍ଯ୍ୟକାରୀ ହେଲେ କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତି ନିଯୁକ୍ତିଦାତାଙ୍କୁ ସୁହାଇବ ସିନା, ନିରବଚ୍ଛିନ୍ନ ସଂଘର୍ଷ ଦ୍ୱାରା ପ୍ରାପ୍ତ ଦୈନିକ ନିର୍ଦ୍ଦିଷ୍ଟ ୮ ଘଣ୍ଟା କାର୍ଯ୍ୟ ସମୟ ସୀମା, ସର୍ବନିମ୍ନ ଓ ସମାନ କାମକୁ ସମାନ ମଜୁରୀ, ବୋନସ, ମହଙ୍ଗା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାର ମାନ ନିର୍ଦ୍ଧାରଣ, ସାମୟିକ ଓ ଅର୍ଜିତ ଛୁଟି, ସାପ୍ତାହିକ କାର୍ଯ୍ୟ ଦିବସ, କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟ ଓ ଜୀବନର ନିରାପତ୍ତା ଇତ୍ୟାଦି ସହ ଶ୍ରମିକ ସଂଗଠନର ହକ୍ ପାଇଁ କଥାବାର୍ତ୍ତାର ଅଧିକାର ସଙ୍କଟାପନ୍ନ ହେବ। ତେଣୁ ଚାରୋଟି ଶ୍ରମ ସଂହିତାର ଉଚ୍ଛେଦ ପାଇଁ ଭାରତର ପ୍ରମୁଖ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବହୁ ସ୍ୱାଧୀନ ମହାସଂଘମାନେ ୨୦ ମଇ ୨୦୨୫ରେ ଏକ ସର୍ବଭାରତୀୟ ସାଧାରଣ ଧର୍ମଘଟ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅଣ୍ଟା ଭିଡୁଥିବା ବେଳେ, ସମ୍ପୂର୍ଣ୍ଣ ସହନଶୀଳତାର ସହ ଆପୋଷ ଆଲୋଚନା ପାଇଁ ସରକାର ଆଗେଇ ଆସିବା ଏକାନ୍ତ ଅପରିହାର୍ଯ୍ୟ।
*****
Message from Secretary General, Confederation CHQ
Dear Comrades,
On behalf of the National Secretariat of Confederation of Central Government Employees and Worker's, I convey Warm Revolutionary Greetings to all , on the eve of May Day . It is requested to all the affiliates and state CoCs to observe the International Labour Day in a befitting manner involving entirety of the membership.
As per the Decision taken in National Executive Committee Meeting, communicated through the Circular dated 22.4.25 , Notice for the one day nationwide strike is to be served on 1st/2nd May. CHQ of Confederation had served the strike notice to the Cabinet Secretary, today by email as well as by Post . General Secretary/Secretary General of all the affiliated Associations/ Federations are requested to kindly serve the strike notice to their respective Head of Departments timely , and also instruct their field unit's to do the same at their office's. Utilise these three weeks time effectively for intensive campaigning for the strike, reach to the unreached member's, educate them , motivate them to participate in the nationwide one day strike on 20th May 25 and make it a grand success.
With Regards,
SBY
Tuesday, April 29, 2025
ବୟସ୍କଙ୍କ ବିଡମ୍ବନା
ବୟସ୍କଙ୍କ ବିଡମ୍ବନା
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର
ସଂସ୍କୃତରେ କୁହାଯାଇଛି “ଅଭିବାଦନଶୀଳସ୍ୟ ନିତ୍ୟଂ ବୃଦ୍ଧୋପସେବିନଃ, ଚତ୍ବାରି ତସ୍ୟ ବର୍ଦ୍ଧନନ୍ତ୍ୟେ ଆୟୁର୍ବିଦ୍ୟା ଯଶୋ ବଳମ୍।” ଅର୍ଥାତ, ଯେଉଁ ବ୍ୟକ୍ତି ସଦାସର୍ବଦା ଅଭିବାଦନ ପୂର୍ବକ ବୟସ୍କଙ୍କ ସେବା କରିଥାଏ, ତା'ର ଆୟୁ, ବିଦ୍ୟା, ଯଶ ଓ ବଳ ବୃଦ୍ଧି ଘଟିଥାଏ। ହେଲେ ଆଜିର କଟୁ ସତ୍ୟ ଓ ବିଡମ୍ବନା ଏହି ଯେ ଉଭୟ ସରକାର ଓ ସାମ୍ପ୍ରତିକ ଯୁବପିଢି ଭାରତୀୟ ଅସ୍ମିତାର ମୂଳମନ୍ତ୍ରକୁ ଅଣଦେଖା କରି ମାତାପିତା ଓ ବୟସ୍କଙ୍କ ପ୍ରତି ଯେଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ଗୋଟିଏ ପଟେ ସରକାରଙ୍କର ଦେଶର ବୟସ୍କ ନାଗରିକଙ୍କ ପ୍ରତି ଦିନକୁଦିନ ବୈମାତୃକ ମନୋଭାବ ବଢି ବଢି ଯାଉଥିବା ବେଳେ, ଆଜିର ଯୁବସମାଜ ଯୌଥ ପରିବାରରୁ ମୁହଁ ଫେରେଇ ଏକକ ପରିବାରକୁ ପସନ୍ଦ କରୁଥିବାରୁ ବୃଦ୍ଧ ମାତାପିତା ଓ ବୟସ୍କ ଗୁରୁଜନମାନେ ଘୋର ଅବହେଳା ଓ ନିର୍ଯାତନାର ଶିକାର ହେଉଛନ୍ତି।
ତଥ୍ୟ ଅନୁଯାୟୀ, ଭାରତରେ ୧୮.୭% ବୟସ୍କଙ୍କ କୌଣସି ରୋଜଗାର ନଥିବା ବେଳେ, ୪୦%ଙ୍କ ରୋଜଗାର ଅତି ନଗଣ୍ୟ। ୪୭% ବୟସ୍କ, ପରିବାର ଉପରେ ନିର୍ଭରଶୀଳ ରହୁଥିବା ବେଳେ, ୩୪% ପେନସନ୍ ଉପରେ ନିର୍ଭର କରି ଜୀବନ ଅତିବାହିତ କରନ୍ତି। ୨୩% ବୟସ୍କ ଏକାଧିକ ସ୍ଥାୟୀ ରୋଗରେ ପୀଡିତ ଥିବା ବେଳେ, ୨୪% ସ୍ୱାଧୀନ ଭାବେ ନିଜର ଦୈନନ୍ଦିନ ନିତ୍ୟକର୍ମ କରିବାକୁ ଅକ୍ଷମ। ଦାରିଦ୍ର୍ୟ, ସ୍ୱାସ୍ଥ୍ୟଗତ ସମସ୍ୟା ଓ ନିଃସଙ୍ଗ ଜୀବନକୁ ନେଇ ୩୦%ରୁ ୫୦% ବୟସ୍କ ମାନସିକ ଅବସାଦଗ୍ରସ୍ତ ଥିବାର ପରିଲକ୍ଷିତ ହୁଏ। ସବୁଠାରୁ କ୍ଷୋଭ ଓ ପରିତାପର କଥା ହେଉଛି ୨୫% ବୟସ୍କ ନିଜ ପରିବାର ଲୋକ ଓ ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଥାନ୍ତି। ତଥ୍ୟାନୁଯାୟୀ, ୪୩.୮% ଘଟଣାରେ ପୁଅମାନେ, ୨୭.୮% ଘଟଣାରେ ବୋହୂମାନେ ଏବଂ ୧୪.୨% ଘଟଣାରେ ଝିଅମାନେ ନିଜ ନିଜର ବୟସ୍କ ମାତାପିତା କି ଶାଶୁଶଶୁରଙ୍କୁ ନିର୍ଯାତନା ଦେଇଥାନ୍ତି। ୧୬% ବୟସ୍କ ମହିଳା ନିର୍ଯ୍ୟାତନାର ଶୀକାର ହେଉଥିବାବେଳେ, ୩୩% ଘଟଣାରେ ନିଜ ପୁଅ ମୂଖ୍ୟ ଖଳନାୟକ ସାଜିଥାଏ। ୪୫.୬% ଘଟଣାରେ ବୟସ୍କମାନେ ଅପମାନିତ ହୋଇଥାନ୍ତି, ୨୩.୧% ଘଟଣାରେ ମାଡଗାଳି ସହ ଶାରୀରିକ ନିର୍ଯାତନାର ଶିକାର ହୋଇଥାନ୍ତି, ୫୧% ଘଟଣାରେ ବୟସ୍କ ମହିଳାମାନେ ଅବହେଳିତ ହୋଇଥାନ୍ତି ଓ ୨୫% ଘଟଣାରେ ଆର୍ଥିକ ନିର୍ଯାତନାର ଶିକାର ହୋଇଥାନ୍ତି।
ସମ୍ବିଧାନର ଧାରା ୨୧ ବୟସ୍କଙ୍କ ସହ ସବୁ ନାଗରିକଙ୍କ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନର ଅଧିକାରକୁ ସୁନିଶ୍ଚିତ କରୁଥିବା ବେଳେ, ଧାରା ୧୪ ସମାନତାର ଅଧିକାର ପ୍ରଦାନ ପୂର୍ବକ ବୟସ୍କ ନାଗରିକମାନଙ୍କୁ କୌଣସି ପାତରଅନ୍ତର ବିନା ବଞ୍ଚିବାର କ୍ଷମତା ପ୍ରଦାନ କରିଛି। ଧାରା ୨୩ କୌଣସି ପ୍ରକାର ଶୋଷଣ ବିରୁଦ୍ଧରେ ଅଧିକାର ପ୍ରଦାନ କରିବା ସହ କାହା ଇଛା ବିରୁଦ୍ଧରେ କୌଣସି କାମ କରେଇବାକୁ ଅବୈଧ ଘୋଷଣା କରେ। ସେହିଭଳି ରାଜ୍ୟର ନୀତି ନିର୍ଦ୍ଦେଶକ ସିଦ୍ଧାନ୍ତ (ଡିରେକ୍ଟିଭ୍ ପ୍ରିନ୍ସସିପୁଲ୍ସ ଅଫ ଷ୍ଟେଟ ପଲିସି) ଆଇନତଃ ବାଧ୍ୟତାମୂଳକ ନହେଲେ ବି ଧାରା - ୪୧ ଓ ୪୬ରେ ବୟସ୍କଙ୍କ ସହ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କ ପାଇଁ ଆର୍ଥିକ ଅଭିବୃଦ୍ଧିର ଅଧିକାର ସୁନିଶ୍ଚିତ କରେ। ଧାରା ୪୭ ନାଗରିକଙ୍କ ପୋଷଣ ଓ ଜୀବନ ସ୍ତରରେ ବୃଦ୍ଧି ସହ ସାର୍ବଜନୀନ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଉପରେ ଗୁରୁତ୍ୱାରୋପ କରେ ଯାହା ବୟସ୍କ ନାଗରିକଙ୍କ ପାଇଁ ଅପରିହାର୍ଯ୍ୟ। ହେଲେ ସାମ୍ପ୍ରତିକ ପରିସ୍ଥିତିରେ ଏସବୁ ପ୍ରାବଧାନ କେବଳ ପୋଥି ବାଇଗଣ ଭଳି ଲାଗେ। ପୃଥିବୀର ଅନେକ ଉନ୍ନତ ଦେଶ ବୟସ୍କଙ୍କ ସାମାଜିକ ସୁରକ୍ଷା ପାଇଁ ତତ୍ପରତା ପ୍ରକାଶ କରୁଥିଲା ବେଳେ ଭାରତ ବିକାଶର ନାଁ ନେଇ ବୟସ୍କଙ୍କୁ ଘୋର ଅବହେଳା ପ୍ରଦର୍ଶନ କରୁଛି। ଜର୍ମାନୀ, ଫ୍ରାନ୍ସ, ଜାପାନ ଓ କାନାଡା ଭଳି ରାଷ୍ଟ୍ର ବୟସ୍କଙ୍କ ଆର୍ଥିକ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଉଦାହରଣ ସ୍ୱରୂପ, ସାଧାରଣ ପେନସନ୍ ବାବଦରେ ଜର୍ମାନୀ ମୋଟ୍ ଘରୋଇ ଉତ୍ପାଦର ୧୦.୩% ଓ ଫ୍ରାନ୍ସ ୧୩.୮% ଖର୍ଚ୍ଚ କରୁଥିବା ବେଳେ, ଭାରତ ମାତ୍ର ୧.୭% ଖର୍ଚ୍ଚ କରିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପ୍ରତି ଏକ ବ୍ୟବସ୍ଥାଗତ ଉଦାସୀନତା।
ଅନ୍ତଃରାଷ୍ଟ୍ରୀୟ ଜନସଂଖ୍ୟା ବିଜ୍ଞାନ ସଂସ୍ଥାନ ଓ ଜାତିସଂଘ ଜନସଂଖ୍ୟା କୋଷ (ଆଇଆଇପିଏସ୍ ଓ ୟୁଏନପିଏଫ୍) ତରଫରୁ ଇଣ୍ଡିଆ ଏଜିଂ ରିପୋର୍ଟ ୨୦୨୩ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ବୟସ୍କ ଲୋକଙ୍କ ସଂଖ୍ୟା ଅତ୍ୟନ୍ତ ଦ୍ରୁତ ଗତିରେ ବଢ଼ିଚାଲିଛି। ୨୦୨୨ରେ ଯାହା (୬୦ ବର୍ଷରୁ ଅଧିକ) ୧୪.୯ କୋଟି ଥିଲା (ମୋଟ ଜନସଂଖ୍ୟର ୧୦.୫%), ଉପରୋକ୍ତ ରିପୋର୍ଟ ଅନୁଯାୟୀ ତାହା ୨୦୩୬ ସୁଦ୍ଧା ୧୫%, ୨୦୫୦ ସୁଦ୍ଧା ୨୦.୮% (୩୪.୭ କୋଟି) ଓ ୨୧୦୦ ସୁଦ୍ଧା ୩୬% ବୃଦ୍ଧି ପାଇ ୫୫ କୋଟିରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୨ରୁ ୨୦୫୦ ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟାରେ ୨୭୯% ବୃଦ୍ଧି ଘଟିବ ଯାହାର ଏକ ବୃହତ ଅଂଶ ବିଧବା ଓ ଅତ୍ୟନ୍ତ ନିର୍ଭରଶୀଳ ମହିଳାମାନେ ହେବେ। ୬୦ ବର୍ଷ ଅତିକ୍ରାନ୍ତ କରିଥିବା ପୁରୁଷଟିଏ ଆହୁରି ୧୮.୩ ବର୍ଷ ଓ ମହିଳାଟିଏ ୧୯ ବର୍ଷ ଅଧିକ ବଞ୍ଚିବ ବୋଲି ରିପୋର୍ଟରେ କୁହାଯାଇଛି। ଏଭଳି ବୃଦ୍ଧିକୁ ଆଖିରେ ରଖି ବୟସ୍କମାନଙ୍କୁ ଏକ ସୁସ୍ଥ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ଜିଇଁବାର ସୁଯୋଗ ପ୍ରଦାନ କରିବାକୁ ଉଭୟ ସାମାଜିକ ଓ ଆର୍ଥିକ ନୀତିରେ ଅନୁକୂଳ ପରିବର୍ତ୍ତନ ଆଣିବା ରାଷ୍ଟ୍ରର ଗୁରୁଦାୟିତ୍ଵ ଥିଲାବେଳେ, ମହଜୁଦା ସରକାରଙ୍କ ଦେଶର ସମସ୍ତ ବୃଦ୍ଧବୃଦ୍ଧାଙ୍କ ପାଇଁ ଏକକ ବାର୍ଦ୍ଧକ୍ୟ ଭତ୍ତା ଓ ଏକକ ପେନସନ ବ୍ୟବସ୍ଥା ଆଣିବାରେ ଆନ୍ତରିକତାର ଅଭାବ, ବୟସ୍କଙ୍କ ପାଇଁ ଜାତୀୟ ନୀତି (୧୯୯୯) ତଥା ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ ୨୦୦୭ର ଦୁର୍ବଳ କାର୍ଯ୍ୟକାରିତା, ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ ସହ ସାରା ଦେଶରେ ଅବସରପ୍ରାପ୍ତ ବୟସ୍କ ପେନସନଭୋଗୀଙ୍କ ପ୍ରତି ପାତରଅନ୍ତର ନୀତି, ଜଣେ କର୍ମଚାରୀର ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କଲାବେଳେ ମାତାପିତାଙ୍କୁ ଉପେକ୍ଷା ଆଦି ଚିନ୍ତାର କାରଣ ସାଜିଛି।
ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି, ଗୋଟିଏ ଘଟଣା ଉତ୍ଥାପିତ କରି କୁହାଯାଇପାରେ କି ୨୫ ମାର୍ଚ୍ଚ ୨୦୨୫ରେ ଭାରତ ସରକାର ବିତ୍ତ ବିଧେୟକ ୨୦୨୫ ଜରିଆରେ ବୟସ୍କ ପେନସନଭୋଗୀଙ୍କ ମଧ୍ୟରେ ଏକ ପାତରଅନ୍ତର ସୃଷ୍ଟି କରି ସମ୍ବିଧାନର ଧାରା ୧୪କୁ ସିଧାସଳଖ ଉଲଂଘନ କରିଛନ୍ତି। ୧ ଜୁନ୍ ୧୯୭୨ରୁ କେନ୍ଦ୍ରୀୟ ବେସାମରିକ ସେବା (ପେନସନ) ରୁଲ୍ସ ୧୯୭୨ ଓ ୨୦୨୧ ଏବଂ ଅସାଧାରଣ (ପେନସନ୍) ରୁଲ୍ସ ୨୦୨୩କୁ ବୈଧକରଣ କରି କେନ୍ଦ୍ରୀୟ ବେତନ ଆୟୋଗ ସୁପାରିଶ ଲାଗୁ କରିବାର ତାରିଖ ଏବଂ ସେଇ ତାରିଖ ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନସନ୍ ସଂଶୋଧନର ଅଧିକାର ନିଜ ହାତକୁ ନେଇଛନ୍ତି। ଅର୍ଥାତ ନୂଆ ବିତ୍ତ ବିଧେୟକ ୨୦୨୫ ଅନୁସାରେ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍ ଆଉ ସଂଶୋଧିତ ହେବ ନାହିଁ। ମୋଟ୍ ୬୧% ପେନସନଭୋଗୀ ନିଜ ନାତିନାତୁଣୀଙ୍କ ଦାୟିତ୍ଵ ସମ୍ଭାଳୁଥିବାବେଳେ ଏବଂ ୩୩%ରୁ ଅଧିକ ପେନସନଭୋଗୀ ସମ୍ପୂର୍ଣ୍ଣ ପରିବାରର ବୋଝ ଉଠାଉଥିବା ବେଳେ, ସରକାରଙ୍କର ଏ ପାତରଅନ୍ତର ନୀତି ସମ୍ବିଧାନର ଧାରା ୧୪ ପ୍ରତି ଏକ କ୍ରୁର ଅଟହାସ୍ୟ ତଥା ବୟସ୍କ ପେନସନଭୋଗୀଙ୍କ ପ୍ରତି ଚରମ ଅବହେଳା।
ସେହିଭଳି, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ 'ସର୍ବନିମ୍ନ ମଜୁରୀ ଅଧିନିୟମ, ୧୯୪୮' ସ୍ୱୟ୍ଂ ସମ୍ପୂର୍ଣ୍ଣ ନଥିବା ହୃଦୟଙ୍ଗମ କରି ୧୯୫୭ରେ ୧୫ଶ ଭାରତୀୟ ଶ୍ରମ ସମ୍ମିଳନୀ ଯେଉଁ ପାଞ୍ଚଟି ମାର୍ଗଦର୍ଶିକା ବ୍ୟବସ୍ଥିତ କରିଥିଲେ ତା’ଭିତରେ ଡ. ୱଲେସ ରୁଡେଲ ଆକ୍ରୋଏଡଙ୍କ ସୂତ୍ର ଆଧାରରେ ପୁରୁଷ କର୍ମଚାରୀ, ତାଙ୍କ ସ୍ତ୍ରୀ ଓ ଦୁଇଟି ପିଲାଙ୍କୁ ଯଥାକ୍ରମେ ୧.୦, ୦.୮, ୦.୬ ଓ ୦.୬ ଉପଭୋକ୍ତା ଏକକ ଭାବେ ନେଇ ଗୋଟିଏ ପରିବାରକୁ ୩ ଉପଭୋକ୍ତା ଏକକ ଭାବେ ଗ୍ରହଣ କରାଯାଇଥିଲା ଯେଉଁଥିରେ କର୍ମଚାରୀଙ୍କ ବୃଦ୍ଧ ମାତାପିତା ସରକାରୀ ଭାବେ ପରିବାରର ସଂଜ୍ଞା ବାହାରେ ରହୁଥିଲେ। ଏ ଆମ ସରକାରୀ ବ୍ୟବସ୍ଥାର ବିଡମ୍ବନା ନୁହେଁ ତ ଆଉ କ’ଣ? ବୃଦ୍ଧ ମାତାପିତାଙ୍କର ଭରଣପୋଷଣ ଜଣେ କର୍ମଚାରୀ ଅଥବା ସାଧାରଣ ନାଗରିକର ନୈତିକ ଓ ସାମ୍ବିଧାନିକ କର୍ତ୍ତବ୍ୟ ଯାହା ମାତାପିତା ଏବଂ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ତଥା କଲ୍ୟାଣ ଅଧିନିୟମ ୨୦୦୭, ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୩ର ଧାରା ୧୨୫ ଆଦିରେ ସ୍ପଷ୍ଟ ଉଲ୍ଲେଖ। ଅଧିକନ୍ତୁ, କେନ୍ଦ୍ର ବେସାମରିକ ସେବା (ଆଚରଣ) ନିୟମ ଏବଂ ମେଡିକାଲ ଓ ଏଲଟିସି ନିୟମ ଗୁଡ଼ିକରେ ପରିବାରର ଯେଉଁ ସଂଜ୍ଞା ନିରୁପିତ ହୋଇଛି, ସେଥିରେ ନିର୍ଭରଶୀଳ ମାତାପିତାମାନେ ଅନ୍ତର୍ଭୁକ୍ତ। ତେଣୁ ବୃଦ୍ଧ ମାତାପିତାମାନେ ପରିବାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ଉପରୋକ୍ତ ଆକ୍ରୋଏଡ୍ ସୂତ୍ର ଉଭୟଙ୍କୁ ଏକ ଏକ ଉପଭୋକ୍ତା ଏକକ, ଅର୍ଥାତ ମୋଟ୍ ୨ ଉପଭୋକ୍ତା ଏକକ ଭାବେ ଗ୍ରହଣ କରି ପୁରା ପରିବାରକୁ ୩ ପରିବର୍ତ୍ତେ ୫ ଉପଭୋକ୍ତା ଏକକ ଭାବେ ହିସାବ କରି ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାକୁ ସରକାର ଯଦି ପ୍ରସ୍ତାବିତ ଅଷ୍ଟମ ବେତନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇପାରନ୍ତେ, ତେବେ ବୟସ୍କଙ୍କୁ ପ୍ରକୃତ ନ୍ୟାୟ ମିଳିପାରନ୍ତା। ଏଥିପାଇଁ ସରକାରଙ୍କ ଆନ୍ତରିକତା ଜରୁରୀ।
ଅଧିକନ୍ତୁ, ବୟସ୍କ ନାଗରିକଙ୍କ ପାଇଁ ସରକାରଙ୍କ ତରଫରୁ ଯାହାବି ଯୋଜନା ଓ ପ୍ରୋତ୍ସାହନ ରହିଛି, ଅଧିକାଂଶ ସେ ବାବଦରେ ଅଜ୍ଞ। ଉଦାହରଣ ସ୍ଵରୁପ, ୪୫% ବୟସ୍କଙ୍କୁ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ୍ ଯୋଜନା ବିଷୟରେ ଓ ୫୬%ଙ୍କୁ ବିଧବା ପେନସନ୍ ଯୋଜନା ବିଷୟରେ ଜଣା ନଥିବା ବେଳେ, ଏସବୁ ବିଷୟରେ ଜାଣିଥିବା ବୟସ୍କଙ୍କ ମଧ୍ୟରୁ ମାତ୍ର ୩୦% ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ୍ ଯୋଜନା ଓ ୨୪% ବିଧବା ପେନସନ୍ ଯୋଜନାର ଲାଭ ପାଇଥାନ୍ତି। ଏ ବାବଦରେ ସେମାନଙ୍କୁ ସଚେତନ କରେଇବାର ଗୁରୁଦାୟିତ୍ଵ ପ୍ରତ୍ୟେକ ବ୍ୟକ୍ତି ବିଶେଷ, ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ରହିଛି। ସର୍ବୋପରି, ଆଜିର ସନ୍ତାନ ସନ୍ତତିମାନେ “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ” କିମ୍ବା ”ପିତା ଧର୍ମଃ ପିତା ସ୍ୱର୍ଗଃ ପିତାହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ” ଖାଲି କଥାରେ କହିଲେ ହେବନାହିଁ, କାର୍ଯ୍ୟରେ ଦେଖେଇଲେ ସମାଜରେ ପ୍ରତ୍ୟେକ ବୟୋଜ୍ୟେଷ୍ଠ ବ୍ୟକ୍ତି ସମ୍ମାନର ସହ ସୁସ୍ଥ ଜୀବନ ଅତିବାହିତ କରିପାରିବେ।
******









.jpg)










.jpg)




























