ଶବ୍ଦର ଖେଳ, କର୍ମଚାରୀଙ୍କ କାଳ
ବୃହସ୍ପତି ସାମଲ
ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର -୭୫୮୦୨୧
ମୋବାଇଲ: ୯୪୩୭୦୨୨୬୬୯
(ସାଧାରଣ ସମ୍ପାଦକ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ, ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର)
ସରକାରୀ ଶାସନ ବ୍ୟବସ୍ଥାର ଇତିହାସରେ ଏମିତି କିଛି ମୁହୂର୍ତ୍ତ ଆସେ, ଯେତେବେଳେ ସବୁଠାରୁ ବଡ଼ ଓ ଭୟଙ୍କର ପରିବର୍ତ୍ତନମାନ ଘୋର ଗର୍ଜନ ସହ କୌଣସି ପୂର୍ବାଭାଷ ସହ ନଆସି, ନିରବରେ ଚୁପଚାପ କିଛି କିଛି ଶବ୍ଦ ମାଧ୍ୟମରେ ପ୍ରବେଶ କରେ। ଏକ ଚିର ପରିଚିତ ଯୋଜନାର ନାଁ ହେଉ କି ପଦପଦବୀର ଅଥବା ନିୟମକାନୁନର, ହଠାତ୍ ଅଦୃଶ୍ୟ ହୋଇ ତା’ ସ୍ଥାନରେ ଅନ୍ୟ ଏକ ନୂଆ ଶବ୍ଦ ଆସିଥାଏ। ସରକାରଙ୍କ ତରଫରୁ ଏହି ପରିବର୍ତ୍ତନକୁ କେତେବେଳେ ବୈଷୟିକ, କେତେବେଳେ ପ୍ରଶାସନିକ ତ ଆଉ କେତେବେଳେ ଔପଚାରିକ ବୋଲି କହି ବିନା ପ୍ରଶ୍ନରେ ଗ୍ରହଣ କରିବା ପାଇଁ କର୍ମଚାରୀଙ୍କ ଉପରେ ଲଦି ଦିଆଯାଏ। କିନ୍ତୁ ଶାସନର ଭାଷା ହେଉଛି ସେହି ମାଧ୍ୟମ, ଯାହା ଦ୍ୱାରା ରାଷ୍ଟ୍ର ଅଧିକାର, ସମ୍ପର୍କ ଓ ପ୍ରତିଷ୍ଠାନର ପରିଭାଷା ନିର୍ଦ୍ଧାରଣ କରେ। ତେଣୁ ଶାସନ ବ୍ୟବସ୍ଥାରେ ଶବ୍ଦଟିଏ ବଦଳିବାକୁ ଆରମ୍ଭ କଲେ, ଜନସାଧାରଣଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ଓ ପେନସନଭୋଗୀଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏସବୁ କାହିଁକି? ଏହାର ଉଦ୍ଦେଶ୍ୟ କ’ଣ? ଏବଂ ଶବ୍ଦ ବଦଳିବାର ଆଢୁଆଳରେ ଆଉ କିଛି ବଦଳାଇବାର ଉଦ୍ଦେଶ୍ୟ ଅଛି କି? ଉଦାହରଣ ଛଳରେ ସରକାରଙ୍କ ଦ୍ୱାରା ନିକଟରେ ଏହିଭଳି କିଛି ଚିର ପରିଚିତ ଶବ୍ଦର ଉଚ୍ଛେଦ ସହ ବିକଳ୍ପ ଭାବେ ନୂତନ ଶବ୍ଦର ପ୍ରଚଳନ ପାଇଁ ନିଆଯାଇଥିବା ପଦକ୍ଷେପକୁ ଆଲୋଚନା କରାଯାଇପାରେ।
କୋଟି କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମନରେ ଯେଉଁ ଶବ୍ଦ ସଂପ୍ରତି ଅନେକ ସଂଶୟ ସୃଷ୍ଟି କରିଛି ତାହା ହେଲା ‘ପେନସନ୍’ ବଦଳରେ ‘ପେଆଉଟ୍’ ଶବ୍ଦର ପ୍ରଚଳନ। ପିଢ଼ି ପରେ ପିଢ଼ି ଧରି ସରକାରୀ କର୍ମଚାରୀଙ୍କ ପାଇଁ ପେନସନ୍ କେବେବି କେବଳ ବ୍ୟାଙ୍କ ଖାତାକୁ ଜମା ହେଉଥିବା ଏକ ଅର୍ଥରାଶି ନୁହେଁ। ପେନସନ୍ ହେଉଛି ଜଣେ କର୍ମଚାରୀ ଜୀବନର ସେବା ଶେଷ କରିବା ପରେ ରାଷ୍ଟ୍ରର ତାଙ୍କ ପ୍ରତି ଏକ ନିରନ୍ତର ଦାୟିତ୍ୱର ପ୍ରତୀକ। ଏହା ସାମାଜିକ ସୁରକ୍ଷା, ବୃଦ୍ଧାବସ୍ଥାର ସମ୍ମାନ, ନିରନ୍ତର ଆୟ ଏବଂ ଭବିଷ୍ୟତର ଅନିଶ୍ଚିତତାରୁ ସୁରକ୍ଷାର ପ୍ରତୀକ। କିନ୍ତୁ ୟୁନିଫାଇଡ୍ ପେନସନ୍ ସ୍କିମ୍ (ୟୁପିଏସ୍) ସମ୍ପର୍କରେ ୨୪ ଅଗଷ୍ଟ ୨୦୨୪ର ପ୍ରେସ ଇସ୍ତାହାର ଜରିଆରେ ସରକାରଙ୍କ ପ୍ରାରମ୍ଭିକ ଘୋଷଣାରେ ଯେଉଁ ‘ନିଶ୍ଚିତ ପେନସନ୍’, ‘ନିଶ୍ଚିତ ପାରିବାରିକ ପେନସନ୍’ ଏବଂ ‘ନିଶ୍ଚିତ ସର୍ବନିମ୍ନ ପେନସନ୍’ ଭଳି ଶବ୍ଦ ବ୍ୟବହୃତ ହୋଇଥିଲା, ପରବର୍ତ୍ତୀ ସମୟରେ ୨୫ ଜାନୁଆରୀ ୨୦୨୫ର ରାଜପତ୍ର ବିଜ୍ଞପ୍ତି ପ୍ରକାଶନରେ ‘ପେନସନ’ ଶବ୍ଦ ଉଚ୍ଛେଦ ହୋଇ ‘ନିଶ୍ଚିତ ପେଆଉଟ୍’ ‘ନିଶ୍ଚିତ ପାରିବାରିକ ପେଆଉଟ୍’ ଏବଂ ‘ନିଶ୍ଚିତ ସର୍ବନିମ୍ନ ପେଆଉଟ୍’ ବୋଲି ପ୍ରକାଶିତ ହେଲା। ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହି ଶବ୍ଦର ପରିବର୍ତ୍ତନ କାହିଁକି? ଏହି ପାର୍ଥକ୍ୟ କେବଳ ଶବ୍ଦକୋଷର ବିଷୟବସ୍ତୁ ନୁହେଁ। ‘ପେନସନ୍’ ଏକ ଅଧିକାର ଏବଂ ନିରନ୍ତର ସାମାଜିକ ସୁରକ୍ଷା ସମ୍ପର୍କକୁ ବୁଝାଏ; ‘ପେଆଉଟ୍’ ହେଉଛି ଦିଆଯାଉଥିବା ଅର୍ଥରାଶି କିମ୍ବା ଅର୍ଥ ପ୍ରଦାନର ପ୍ରକ୍ରିୟା। ପେନସନଭୋଗୀ ହେଉଛନ୍ତି ଏକ ନିରନ୍ତର ଅବସରକାଳୀନ ଅଧିକାରର ଧାରକ। ଅନ୍ୟପଟେ ‘ପେଆଉଟ୍’ ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ଯୋଜନାର ନିୟମ ଅନୁଯାୟୀ ଗଣନା ହୋଇଥିବା ଏକ ଆର୍ଥିକ ପ୍ରଦାନର ଧାରଣା ଦେଇଥାଏ। ଏହା ପାରମ୍ପରିକ ନିର୍ଦ୍ଧାରିତ-ଲାଭ ପେନସନ୍ ଦର୍ଶନଠାରୁ ମୌଳିକ ଭାବରେ ଭିନ୍ନ। ତେଣୁ କର୍ମଚାରୀମାନଙ୍କର ଆଶଙ୍କା ହେବା ଅତି ସ୍ୱାଭାବିକ ଯେ ଏହି ଶବ୍ଦ ବଦଳାଇବା ମାଧ୍ୟମରେ କ’ଣ ଅବସରକାଳୀନ ସୁରକ୍ଷା ପ୍ରତି ଲୋକଙ୍କ ଧାରଣାକୁ ମଧ୍ୟ ବଦଳାଇବା ପାଇଁ ମାନସିକ ପ୍ରସ୍ତୁତି କରାଯାଉଛି କି? ଐତିହାସିକ ଭାବେ ଏକ ସୁସ୍ଥାପିତ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ କ୍ରମେ ଏକ ‘ଆର୍ଥିକ ଦେୟ’ର ଭାଷାରେ ପରିଣତ କରି ପରେ ସରକାର ପେନସନ ଯୋଜନାର ମୂଳୋତ୍ପାଟନ କରିବା ଲକ୍ଷରେ ଅଛନ୍ତି କି?
ଏବେ ଆସନ୍ତୁ ଆଉ ଏକ ସମାନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ, ‘ୟୁନିଅନ୍’ ଓ ‘ଆସୋସିଏସନ୍’ ବିଷୟରେ ଆଲୋଚନା କରିବା। ନିକଟ ଅତୀତରେ ସାଂଗଠନିକ ସଭ୍ୟପଦ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଭାରତୀୟ ଡାକ ବିଭାଗ ଏହାର ସମସ୍ତ ଆବେଦନ ଯୋଗ୍ୟ ୪୧ଟି ସଂଗଠନକୁ ସେମାନଙ୍କ ନାମରୁ ‘ୟୁନିଅନ’ ଶବ୍ଦ ହଟେଇ ନିଜ ନିଜର ସମ୍ବିଧାନ କିମ୍ବା ବାଇଲ’ର ସଂଶୋଧନ ମାଧ୍ୟମରେ ‘ଆସୋସିଏସନ’ ଶବ୍ଦ ଯୋଡ଼ିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସରକାର ଯୁକ୍ତି ଦେଇପାରନ୍ତି ଯେ ପ୍ରଚଳିତ ସ୍ୱୀକୃତି ବ୍ୟବସ୍ଥା ଅନୁଯାୟୀ ଏହି ପରିବର୍ତ୍ତନ ଆବଶ୍ୟକ। ନିଶ୍ଚୟ, ଏହି ପ୍ରଶାସନିକ ବ୍ୟାଖ୍ୟାକୁ ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ। କିନ୍ତୁ ଏହି ଦୁଇଟି ଶବ୍ଦର ଐତିହାସିକ ଓ ବ୍ୟବହାରିକ ପାର୍ଥକ୍ୟ ଢେର ଅଲଗା। ‘ୟୁନିଅନ୍’ ଶ୍ରମିକଙ୍କର ସାମୂହିକ ଆବଶ୍ୟକତାରୁ ଜନ୍ମ ନିଏ। ଏହା ଏକତା, ସାମୂହିକ ବାର୍ଗେନିଂ, ପ୍ରତିନିଧିତ୍ୱ ଏବଂ ଅନ୍ୟାୟ ବିରୋଧରେ ସଂଗଠିତ ପ୍ରତିରୋଧର ପ୍ରତୀକ। ଅନ୍ୟପଟେ ‘ଆସୋସିଏସନ୍’ ହେଉଛି ଏକ ବ୍ୟାପକ ଏବଂ ନିରପେକ୍ଷ ଶବ୍ଦ। ସାଂସ୍କୃତିକ, ବୃତ୍ତିଗତ, ସାମାଜିକ, ଦାତବ୍ୟ କିମ୍ବା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ମଧ୍ୟ ଆସୋସିଏସନ୍ ଗଠନ ହୋଇପାରେ। ‘ୟୁନିଅନ୍’ କେବଳ ଲୋକମାନଙ୍କର ଏକ ସମୂହ ସଂଗଠନ ନୁହେଁ; ଏହା ଶ୍ରମିକଙ୍କର ସାମୂହିକ ଶକ୍ତିର ଏକ ସଂଗଠିତ ଅସ୍ତ୍ର। ତେଣୁ ବିପଦ କେବଳ ‘ଆସୋସିଏସନ୍’ ଶବ୍ଦରେ ନୁହେଁ। ବିପଦ ହେଉଛି ନାମ ପରିବର୍ତ୍ତନ ସହିତ ସାମୂହିକ ଅଧିକାରକୁ ମଧ୍ୟ ଦୁର୍ବଳ କରିବାର ମାନସିକତା। ଆଜି ଭାରତୀୟ ଡାକ ବିଭାଗରୁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ କାଲି ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ଯେ ନପହଞ୍ଚିବ, କିଏ କହିବ। ଭାରତର ଶ୍ରମିକ ଶ୍ରେଣୀର ଇତିହାସ ଆମକୁ ଗୋଟିଏ ମୌଳିକ ସତ୍ୟ ଶିଖାଏ ଯେ ସାମୂହିକ ଶକ୍ତି କେବେବି ନିଯୁକ୍ତିଦାତାଙ୍କ ଦ୍ୱାରା ଉପହାର ଭାବେ ଦିଆଯାଇନାହିଁ; ଶ୍ରମିକମାନେ ନିଜ ସଂଗଠନ, ତ୍ୟାଗ ଓ ସଂଘର୍ଷ ମାଧ୍ୟମରେ ଏହାକୁ ଗଢ଼ିଛନ୍ତି। ଆଜିର ଅନେକ ଅଧିକାର ଆଲୋଚନା, ସ୍ମାରକପତ୍ର, ପ୍ରତିବାଦ, ଧର୍ମଘଟ, ଆଇନଗତ ଲଢ଼େଇ ଏବଂ ଅସଂଖ୍ୟ କର୍ମଚାରୀଙ୍କର ତ୍ୟାଗ ମାଧ୍ୟମରେ ଅର୍ଜିତ ହୋଇଛି। ତେଣୁ ସରକାର ଯଦି ‘ୟୁନିଅନ୍’ ଶବ୍ଦକୁ ବଦଳାଇବାକୁ ଚାହୁଁଛନ୍ତି, ତେବେ ଏହା ଭାବିବା ଉଚିତ ନୁହେଁ ଯେ କାଗଜରୁ ଏହି ଶବ୍ଦ ହଟାଇଦେଲେ ୟୁନିଅନ୍ ଆନ୍ଦୋଳନର ଇତିହାସ ଓ ଚେତନାକୁ ମଧ୍ୟ ହଟାଇ ଦିଆଯାଇ ପାରିବ। ସମ୍ବିଧାନରେ ଏକ ଶବ୍ଦ ବଦଳାଯାଇପାରେ; କିନ୍ତୁ ଶ୍ରମିକଙ୍କ ହୃଦୟରୁ ଏକତାର ଚେତନାକୁ ହଟାଇ ଦିଆଯାଇପାରିବ ନାହିଁ।
ଏସଂକ୍ରାନ୍ତରେ ଅନ୍ୟ ଏକ ଉଦାହରଣ ହେଲା ଡାକ ବିଭାଗର ଶାଖା ଡାକଘରଗୁଡିକରେ କାମ କରୁଥିବା କର୍ମଚାରୀମାନେ ପ୍ରାରମ୍ଭରୁ ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଏଜେଣ୍ଟ (ଇଡିଏ ବା ଅତିରିକ୍ତ ବିଭାଗୀୟ ଏଜେଣ୍ଟ) ଭାବେ ବିବେଚିତ ହେଉଥିବାବେଳେ ୨୦୦୧ ମସିହାରେ ଏମାନଙ୍କ ପଦବୀକୁ ଇଡିଏ ବଦଳରେ ଗ୍ରାମୀଣ ଡାକ ସେବକ ବା ଜିଡିଏସ ଭାବେ ପରିବର୍ତ୍ତନ କରାଗଲା। ପଦବୀର ନାମ ପରିବର୍ତ୍ତନ ପରେ ସେସମୟରେ ନିଜର ଷ୍ଟାଟସ୍ ଓ ପେନସନ ଇତ୍ୟାଦିରେ ଅନେକ ପରିବର୍ତ୍ତନ ଆଶାକରି ଆନନ୍ଦରେ ଅଧୀର ହୋଇପଡିଥିବା ତିନିଲକ୍ଷରୁ ଅଧିକ ଜିଡିଏସଙ୍କ ଖୁସି ପାଣିଫୋଟକା ଭଳି ମିଳେଇଗଲା ଯେତେବେଳେ ନାମ ପରିବର୍ତ୍ତନର ପରବର୍ତ୍ତୀ ସମୟରେ ପୋଷ୍ଟ ଆଣ୍ଡ ଟେଲିଗ୍ରାଫ ଏକ୍ସଟ୍ରା ଡିପାର୍ଟମେଣ୍ଟାଲ ଏଜେଣ୍ଟ (କଣ୍ଡକ୍ଟ ଆଣ୍ଡ ସର୍ଭିସ୍) ରୁଲ୍ସ ୧୯୬୪ ନିୟମକୁ ବଦଳେଇ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ ଗ୍ରାମୀଣ ଡାକ ସେବକ (କଣ୍ଡକ୍ଟ ଆଣ୍ଡ ଏମ୍ଲଏମେଣ୍ଟ) ରୁଲ୍ସ ୨୦୦୧ ଏବଂ ପରେ ପରେ ତାହା ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ ଗ୍ରାମୀଣ ଡାକ ସେବକ (କଣ୍ଡକ୍ଟ ଆଣ୍ଡ ଏନଗେଜମେଣ୍ଟ) ରୁଲ୍ସ ୨୦୧୧ ଓ ୨୦୨୦କୁ ପରିବର୍ତ୍ତିତ ହୋଇ ସେମାନଙ୍କୁ ନିଯୁକ୍ତି (ଆପଏଣ୍ଟମେଣ୍ଟ) ବଦଳରେ ନିୟୋଜିତ (ଏନଗେଜମେଣ୍ଟ) କରାଗଲା ଏବଂ ସରକାରୀ ଶବ୍ଦ ଆପଏଣ୍ଟମେଣ୍ଟ, ଏମ୍ଲଏମେଣ୍ଟ ଓ ଏନଗେଜମେଣ୍ଟର ଭିତିରି ଖେଳ ଭିତରେ ଲକ୍ଷ ଲକ୍ଷ ଗ୍ରାମୀଣ ଡାକ ସେବକମାନଙ୍କର କେନ୍ଦ୍ର ସରକାରୀ କର୍ମଚାରୀର ମାନ୍ୟତା ପ୍ରାପ୍ତ କରିବାର ରାସ୍ତାକୁ ଏକ କୂଟନୈତିକ ତଥା ଗଣତାନ୍ତ୍ରିକ ଉପାୟରେ ସବୁଦିନ ପାଇଁ ବନ୍ଦ କରି ଦିଆଗଲା। ଶବ୍ଦର ଖେଳ ଭିତରେ ଏହିଭଳି ବିରୋଧାଭାସ କେବଳ ଏକ ପ୍ରଶାସନିକ ତ୍ରୁଟି ନୁହେଁ; ଏହା ଏକ ଗଭୀର ସାମାଜିକ ଅନ୍ୟାୟ ଯେଉଁଥିପାଇଁ ଆଜି ଏହି ଜିଡିଏସମାନେ ରାଜରାସ୍ତାକୁ ଓହ୍ଲାଇବକୁ ବାଧ୍ୟ ହେଉଛନ୍ତି।
ସେହିଭଳି ଷଷ୍ଠ ବେତନ ଆୟୋଗଙ୍କ ସୁପାରିଶ କ୍ରମେ କେନ୍ଦ୍ର ସରକାରୀ ଦପ୍ତରଗୁଡିକର ଗ୍ରୁପ-ଡି ବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମଲ୍ଟି ଟାସ୍କିଂ ଷ୍ଟାଫ୍ ବା ଏମଟିଏସ୍ ନାମରେ ନାମିତ କରି ଅଗଷ୍ଟ ୨୦୦୮ରୁ ସେମାନଙ୍କୁ ତୃତୀୟ ଶ୍ରେଣୀ ପାହ୍ୟା ପ୍ରଦାନ କରାଗଲା। ଫଳରେ ନୂତନ ପଦବୀର (ଏମଟିଏସ୍) ନାମକୁ ଯୁକ୍ତିଯୁକ୍ତ କରିବା ପାଇଁ, ସେମାନଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ପରିସରକୁ ଅଯଥା ବୃଦ୍ଧି କରି ସେମାନଙ୍କ ଉପରେ ଅଧିକ କାର୍ଯ୍ୟଭାର ଲଦିଦିଆଗଲା। ଏପରିକି ସେମାନଙ୍କୁ ଆବଶ୍ୟକ ଭାବେ ଯେକୌଣସି କାର୍ଯ୍ୟରେ ଇଚ୍ଛାମୁତାବକ ନିୟୋଜିତ କରିବା ପାଇଁ ମଧ୍ୟ ବିଭାଗୀୟ ମୂଖ୍ୟମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଗଲା। ସେମିତି ଅଣବୈଷୟିକ ଡାକ ସହାୟକମାନଙ୍କୁ ସିଷ୍ଟମ ଆଡମିନିଷ୍ରେଟର ଭାବେ ବୈଷୟିକ କାର୍ଯ୍ୟରେ ଜବରଦସ୍ତ ନିୟୋଜିତ କରି ଦିନରାତି ଖଟେଇବା ଓ ପରିବର୍ତ୍ତେ କ୍ୟାଡ଼ର ମାନ୍ୟତା ପ୍ରଦାନ ସହ ବୈଷୟିକ ବେତନ ଦାବିକୁ ଅଗ୍ରାହ୍ୟ କରିବା ସେହିଭଳି ପଦବୀର କେବଳ ନାମ ପରିବର୍ତ୍ତନ ଓ ଶୋଷଣର ଆଉ ଏକ ନଗ୍ନ ଉଦାହରଣ। କିଛି ଶବ୍ଦ ଓ ପଦପଦବୀର ନାମ ପରିବର୍ତ୍ତନ ଆଳରେ ଶୋଷଣ ଓ ଅତ୍ୟାଚାରର ଏହିଭଳି ଉଦାହରଣ ଅନେକ।
ବାସ୍ତବରେ, ଏହି ଶବ୍ଦ ପରିବର୍ତ୍ତନ ମାଧ୍ୟମରେ ଏକ ଗଭୀର ଧାରଣାଗତ ସାମଞ୍ଜସ୍ୟ ଦେଖାଯାଏ। ‘ପେନସନ୍’, ପେଆଉଟ୍’କୁ ପରିବର୍ତ୍ତିତ ହେଲାବେଳେ ଏକ ନ୍ୟାଯ୍ୟ ଅଧିକାର କେବଳ ସାମାନ୍ୟ ଅର୍ଥ ପ୍ରଦାନ ଦିଗକୁ ନେଇଯାଏ। ସେହିଭଳି ‘ୟୁନିଅନ୍’ ଓ ‘ଆସୋସିଏସନ୍’ ସମ୍ଭାବ୍ୟ ଭାବରେ ଭାଷାକୁ ସାମୂହିକ ଶକ୍ତିରୁ କେବଳ ସଂଗଠନାତ୍ମକ ପରିଚୟ ଦିଗକୁ ନେଇଯାଇପାରେ ଯେମିତି ‘ଇଡିଏ’ ଜିଡିଏସକୁ ପରିବର୍ତ୍ତିତ ହୋଇ ଆଜି ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତିରୁ ସାମୟିକ ନିୟୋଜନ ଆଡ଼କୁ ଠେଲିଦେଇଛି ଏବଂ ଗ୍ରୁପ୍-ଡିରୁ ପରିବର୍ତ୍ତିତ ହୋଇଥିବା ଏମଟିଏସ୍ ପଦବୀ ଅଧିକ ଶୋଷଣର କାରଣ ହେଇଛି। ଅର୍ଥାତ୍, ସରକାରୀ ବ୍ୟବସ୍ଥାରେ ଯେତେବେଳେ ବି ଶବ୍ଦଟିଏ ପରିବର୍ତ୍ତିତ ହେଇଛି, ସେତେବେଳେ ବ୍ୟକ୍ତିବିଶେଷଙ୍କ ଠାରୁ ସଂଗଠନ ଯାଏ କେବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ତେଣୁ ସରକାର ଏହି ଶବ୍ଦ ପରିବର୍ତ୍ତନର ଉଦ୍ଦେଶ୍ୟ ସମ୍ପର୍କରେ ସିଧାସଳଖ ଭାବରେ ସନ୍ଦେହ ଦୂର କରିବା ଉଚିତ। ଯଦି କୌଣସି ଗୁପ୍ତ ଉଦ୍ଦେଶ୍ୟ ନାହିଁ, ତେବେ ନିଶ୍ଚିତ ଆଶ୍ୱାସନ ଦେବାରେ ସରକାରଙ୍କର କୌଣସି ଦ୍ୱିଧା ରହିବା ଉଚିତ ନୁହେଁ। ସ୍ୱଚ୍ଛତା ହେଉଛି ସନ୍ଦେହର ସବୁଠାରୁ ସରଳ ଉତ୍ତର। କର୍ମଚାରୀ ଓ ପେନସନଭୋଗୀମାନେ ସଂସ୍କାରର ବିରୋଧୀ ନୁହନ୍ତି। ସେମାନେ ବିରୋଧ କରନ୍ତି ଆଲୋଚନା ବିନା ସଂସ୍କାରକୁ, ବ୍ୟାଖ୍ୟା ବିନା ନାମ ପରିବର୍ତ୍ତନକୁ ଏବଂ ପ୍ରଶାସନିକ ଭାଷା ମାଧ୍ୟମରେ ଦଶକ ଦଶକ ଧରି ଅର୍ଜିତ ଅଧିକାର ସମ୍ପର୍କରେ ଅନିଶ୍ଚିତତା ସୃଷ୍ଟିକୁ। ସରକାର ତାଙ୍କ ନିୟମରେ ଶବ୍ଦ ବଦଳାଇ ପାରନ୍ତି, ଇତିହାସକୁ ନୁହେଁ। କାଗଜରେ ଅଧିକାରର ନାମ ବଦଳାଯାଇପାରେ; କିନ୍ତୁ ନିରବତାରେ ସେହି ଅଧିକାରକୁ ସମର୍ପଣ କରାଯିବ ନାହିଁ। ତେଣୁ ଆଇନ ଯଦି ଶବ୍ଦ ବଦଳାଇବାକୁ କହେ, ଶବ୍ଦ ବଦଳାନ୍ତୁ; କିନ୍ତୁ ଭାରତର କର୍ମଚାରୀ ଓ ପେନସନଭୋଗୀଙ୍କର ଅଧିକାର, ସମ୍ମାନ ଓ ସାମୂହିକ ଶକ୍ତିକୁ ବଦଳାନ୍ତୁ ନାହିଁ।
*****

No comments:
Post a Comment