ବେତନ ଆୟୋଗ ନିକଟରେ ଦାବି
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ନଭେମ୍ବର ୨୦୨୫ରୁ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ବିଭିନ୍ନ ବ୍ୟକ୍ତିବିଶେଷ ଏବଂ କର୍ମଚାରୀ ସଂଘ, ମହାସଂଘ ଓ ପରିସଂଘ ସେମାନଙ୍କର ଦାବିପତ୍ର ନିର୍ଦ୍ଧାରିତ ଶେଷ ଦିବସ ୧୫ ଜୁନ୍ ୨୦୨୬ ସୁଦ୍ଧା ଦାଖଲ କରିଛନ୍ତି। ଏବେ ଆୟୋଗ ବିଭିନ୍ନ ସହରରେ ସେମାନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ସେସବୁକୁ ତର୍ଜମା କରୁଛନ୍ତି। ଆଗାମୀ ଜୁଲାଇ ୬ ଓ ୭ ତାରିଖରେ ଆୟୋଗ ଭୁବନେଶ୍ୱର ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ତରଫରୁ ରାଷ୍ଟ୍ରୀୟ ପରିଷଦ ଜେସିଏମ କର୍ମଚାରୀ ପକ୍ଷ ଭାରତର ଅର୍ଥନୈତିକ ବାସ୍ତବତା ଓ ସାମ୍ବିଧାନିକ ନୀତି ଆଧାରରେ ଦାଖଲ କରିଥିବା ଏକ ବ୍ୟାପକ, ନ୍ୟାୟିକ ତଥା ଯୁକ୍ତିଯୁକ୍ତ ଦାବିପତ୍ରର ଆଲୋଚନା ଜରୁରୀ।
ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ଦାବିମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସର୍ବନିମ୍ନ ବେତନ ନିର୍ଦ୍ଧାରଣ ଯାହା ପୂର୍ବର ସାତଟି ଆୟୋଗଙ୍କ ନିକଟରେ ହୋଇଥିବା ଦାବି ଠାରୁ ଅଲଗା। ଡଃ. ଆକ୍ରଏଡଙ୍କ ସୂତ୍ର ଅନୁସାରେ ସର୍ବନିମ୍ନ ବେତନ ନିର୍ଦ୍ଧାରଣ ପାଇଁ ଗୋଟିଏ ପରିବାରର ସଂଜ୍ଞା ତିନି ଉପଭୋଗ ଏକକରେ ନିର୍ଦ୍ଦିଷ୍ଟ ଥିଲା ଯାହା ଆଜିର ସାମାଜିକ ବାସ୍ତବତା ସହ ସମନ୍ୱୟ ରଖୁ ନଥିବାରୁ ନିର୍ଭରଶୀଳ ପିତାମାତାଙ୍କୁ ମିଶେଇ ପାଞ୍ଚ ଉପଭୋଗ ଏକକ ବିଶିଷ୍ଟ ପରିବାରକୁ ଆଧାର କରାଯିବା ଉପରେ କର୍ମଚାରୀ ପକ୍ଷ ଗୁରୁତ୍ୱାରୋପ କରିଛି। ସଂଶୋଧିତ ପୋଷଣ ମାନଦଣ୍ଡ, ଘରଭଡ଼ା, ଶିକ୍ଷା, ସ୍ୱାସ୍ଥ୍ୟସେବା, ଡିଜିଟାଲ ଖର୍ଚ୍ଚ ଓ ଅନ୍ୟାନ୍ୟ ଆବଶ୍ୟକ ବ୍ୟୟକୁ ଧ୍ୟାନରେ ରଖି ଜେସିଏମ୍ କର୍ମଚାରୀ ପକ୍ଷ ବର୍ତ୍ତମାନର ୧୮,୦୦୦ ଟଙ୍କା ସର୍ବନିମ୍ନ ବେତନ ଉପରେ ୩.୮୩୩ ଫିଟମେଣ୍ଟ ଫ୍ୟାକ୍ଟର ପ୍ରୟୋଗ କରି ସର୍ବନିମ୍ନ ବେତନ ୬୯,୦୦୦ ଟଙ୍କାରେ ନିର୍ଦ୍ଧାରଣ କରିବାକୁ ପ୍ରସ୍ତାବ ଦେଇଛି। ଅଧିକନ୍ତୁ, କର୍ମଚାରୀ ପକ୍ଷ ମତରେ ପାଞ୍ଚ ଉପଭୋଗ ଏକକ ବିଶିଷ୍ଟ ପରିବାର ପାଇଁ ପ୍ରକୃତ ଜୀବିକା ନିର୍ବାହ ଯୋଗ୍ୟ ବେତନ ବା ଲିଭିଙ୍ଗ ୱେଜ୍ ପ୍ରାୟ ୧,୧୫,୦୦୦ ଟଙ୍କା ହେବା ଉଚିତ। କର୍ମଚାରୀମାନଙ୍କ ମତରେ ଏହାକୁ ବୋଝ ବୋଲି ଦେଖାଯିବା ଉଚିତ ନୁହେଁ, କାରଣ ଉଚ୍ଚ ବେତନ କ୍ରୟକ୍ଷମତା ବଢ଼ାଏ, ଚାହିଦା ବଢ଼ାଏ, ଉତ୍ପାଦନ ବୃଦ୍ଧି କରେ ଏବଂ ଶେଷରେ ସରକାରଙ୍କ କର ଆୟକୁ ମଧ୍ୟ ବୃଦ୍ଧି କରେ। ଏହାବାଦ୍, କର୍ମଚାରୀମାନେ ବିଭିନ୍ନ ପେ-ଲେଭେଲର ମିଶ୍ରଣ, ସର୍ବନିମ୍ନ ଓ ସର୍ବାଧିକ ବେତନ ମଧ୍ୟରେ ଅନୁପାତକୁ ୧:୧୨ ମଧ୍ୟରେ ସୀମିତ କରିବା ଏବଂ ବାର୍ଷିକ ଇନକ୍ରିମେଣ୍ଟକୁ ୩ରୁ ୬%କୁ ବଢ଼ାଇବାକୁ ମଧ୍ୟ ଦାବି କରିଛନ୍ତି।
ଭତ୍ତା ପ୍ରସଙ୍ଗ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। ଘରଭଡ଼ାର ଅତ୍ୟଧିକ ବୃଦ୍ଧିକୁ ଦୃଷ୍ଟିରେ ରଖି X ଶ୍ରେଣୀ ସହର ପାଇଁ ୪୦%, Y ଶ୍ରେଣୀ ସହର ପାଇଁ ୩୫% ଏବଂ Z ଶ୍ରେଣୀ ସହର ପାଇଁ ୩୦% ଘରଭଡ଼ା ଭତ୍ତା ଦାବି କରାଯାଇଛି। ପରିବହନ ଭତ୍ତା, ଦୈନିକ ଭତ୍ତା, ହସ୍ପିଟାଲ ରୋଗୀ ସେବା ଭତ୍ତା, ୟୁନିଫର୍ମ ଭତ୍ତା ସମେତ ଅନେକ ଭତ୍ତାକୁ ତିନିଗୁଣ ବୃଦ୍ଧି କରିବାର ପ୍ରସ୍ତାବ ଦିଆଯାଇଛି। ବିଶେଷ ଭାବରେ ରେଳବାଇ, ପ୍ରତିରକ୍ଷା ଶିଳ୍ପ, ହସ୍ପିଟାଲ, ପରୀକ୍ଷାଗାର, ଅଗ୍ନିଶମ ସେବା, ପରିମଳ ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପ୍ରତି ମାସରେ ଅତି କମରେ ୧୦,୦୦୦ ଟଙ୍କା ବିପଦ ଓ କଷ୍ଟସାଧ୍ୟତା ଭତ୍ତା ଦାବି କରାଯାଇଛି।
କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଦାବି ଉଠିଛି। ସାମୟିକ ଛୁଟିକୁ ପୂର୍ବଭଳି ୧୨ ଦିନକୁ ବୃଦ୍ଧି, ଅର୍ଜିତ ଛୁଟିରେ ସର୍ବୋଚ୍ଚ ସୀମାକୁ ୩୦୦ରୁ ୬୦୦ ଦିନକୁ ବୃଦ୍ଧି, ୨୦ ବର୍ଷ ଚାକିରୀ ପରେ ଅର୍ଜିତ ଛୁଟିର ୫୦% ଏନକ୍ୟାସମେଣ୍ଟ ସୁବିଧା, ଦୁଇଟି ଜୀବିତ ସନ୍ତାନର ସର୍ତ୍ତକୁ କୋହଳକରି ପୋଷ୍ୟସନ୍ତାନ ଗ୍ରହଣ ସହ ପ୍ରସୂତିକାଳୀନ ଛୁଟିକୁ ୨୪୦ ଦିନକୁ ବୃଦ୍ଧି, ସେହିଭଳି ପିତୃତ୍ୱ ଛୁଟିକୁ ୪୫ ଦିନକୁ ବୃଦ୍ଧି, ଶିଶୁର ବୟସ ସୀମାକୁ ୧୮ରୁ ୨୫ ବୃଦ୍ଧି କରି ଶିଶୁ ପ୍ରଯତ୍ନ ଛୁଟି ପାଇଁ ଥିବା ଦୁଇଟି ଜୀବିତ ସନ୍ତାନର ସର୍ତ୍ତକୁ ଉଠେଇ ଦେବା ପାଇଁ ଦାବି ହେବା ସହ ପ୍ରତ୍ୟେକ ମହିଳା କର୍ମଚାରୀଙ୍କୁ ମାସକୁ ତିନି ଦିନ ଋତୁସ୍ରାବ ଛୁଟିର ପ୍ରାବଧାନ କରିବାକୁ ଆୟୋଗଙ୍କୁ ଏଥର ନୂତନ ଭାବେ ନିବେଦନ କରାଯାଇଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରଟି ହେଉଛି ସବୁଠାରୁ ଅଧିକ ଭାବପ୍ରବଣ ଓ ସମ୍ବେଦନଶୀଳ ପ୍ରସଙ୍ଗ। କର୍ମଚାରୀ ସଂଗଠନଗୁଡ଼ିକ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା ବା ସିଜିଏଚ୍ଏସ୍ର ବ୍ୟାପକ ସମ୍ପ୍ରସାରଣ ଦାବି କରିଛନ୍ତି। ବର୍ତ୍ତମାନ ସିଜିଏଚ୍ଏସ୍ କେବଳ ୮୧ଟି ସହରରେ କାର୍ଯ୍ୟକ୍ଷମ ଥିବାବେଳେ ଏହାକୁ ଅତି କମରେ ୧୫୦ଟି ସହରକୁ ଏବଂ ସଂସଦୀୟ ସ୍ଥାୟୀ କମିଟିର ସୁପାରିଶ୍ ଆଧାରରେ ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟକୁ ବିସ୍ତାର କରାଯିବା ଉଚିତ ବୋଲି ଦାବି ହୋଇଛି।
ଏହି ପରିପ୍ରେକ୍ଷୀରେ, ପେନସନଭୋଗୀମାନଙ୍କ ସମସ୍ୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପେନସନ କେବଳ ଏକ ଆର୍ଥିକ ସୁବିଧା ନୁହେଁ, ବରଂ ବୃଦ୍ଧାବସ୍ଥାରେ ସାମାଜିକ ସୁରକ୍ଷାର ମୂଳ ଆଧାର। ଉଭୟ ଜାତୀୟ ପେନସନ ଯୋଜନା (ଏନପିଏସ୍) ଓ ଏକୀକୃତ ପେନସନ ଯୋଜନା (ୟୁପିଏସ୍) ଅବସରକାଳୀନ ସାମାଜିକ ସୁରକ୍ଷାକୁ ବଜାର ନିର୍ଭରଶୀଳ ଅନିଶ୍ଚିତତାରେ ପରିଣତ କରିଦେଇଥିବାରୁ, ପୁରୁଣା ପେନସନ ଯୋଜନାର (ଓପିଏସ୍)) ପୁନଃ ପ୍ରଚଳନ ଦାବି ସମଗ୍ର ଦେଶରେ ଏକ ଜନଆନ୍ଦୋଳନର ରୂପ ନେଇଛି। ଏନପିଏସ୍ ଅଧୀନରେ ଥିବା ୨୬ ଲକ୍ଷରୁ ଅଧିକ କର୍ମଚାରୀଙ୍କ ମଧ୍ୟରୁ ଏଯାବତ୍ ମାତ୍ର ୧.୨୨ ଲକ୍ଷ କର୍ମଚାରୀ, ଅର୍ଥାତ୍ ପ୍ରାୟ ୪.୫%, ୟୁପିଏସକୁ ବିକଳ୍ପ ଭାବେ ଗ୍ରହଣ କରିବା କର୍ମଚାରୀମାନଙ୍କ ଅସନ୍ତୋଷର ସ୍ପଷ୍ଟ ପ୍ରତିଫଳନ ବୋଲି ଦାବି କରାଯାଇଛି। ପେନସନଭୋଗୀମାନେ ‘ଏକ ପଦବୀ, ଏକ ପେନସନ’ (ଓଆରଓପି)) ନୀତିକୁ ବେସାମରିକ ପେନସନଭୋଗୀଙ୍କ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରିବାକୁ ଦାବି କରିଛନ୍ତି। ସୁପ୍ରିମକୋର୍ଟଙ୍କ ଐତିହାସିକ ଡି.ଏସ୍. ନାକରା ରାୟ ଆଧାରରେ ସମସ୍ତ ପେନସନଭୋଗୀ ଏକ ସମାନ ଶ୍ରେଣୀର ଅଂଶ ବିଶେଷ ହୋଇଥିବାରୁ ସେମାନଙ୍କୁ ଅବସର ତାରିଖ ଆଧାରରେ ଭେଦଭାବ ନକରିବାକୁ ଦାବି ରହିଛି। ଏହା ସହିତ ପୂର୍ଣ୍ଣ ପେନସନକୁ ଶେଷ ପ୍ରାପ୍ତ ବେତନର ୫୦ରୁ ୬୭%କୁ ଏବଂ ପାରିବାରିକ ପେନସନକୁ ୩୦ରୁ ୫୦%କୁ ବୃଦ୍ଧି କରିବା ପାଇଁ ଦାବି ହୋଇଛି। ବୟସ ଭିତ୍ତିକ ପେନସନ ବୃଦ୍ଧି ପାଇଁ ମଧ୍ୟ ଏକ ପ୍ରଗତିଶୀଳ ଢାଞ୍ଚାରେ ୬୫, ୭୦, ୭୫ ୮୦, ୮୫ ଏବଂ ୯୦ ବର୍ଷ ବୟସରେ ଯଥାକ୍ରମେ ୭୦, ୭୫, ୮୦, ୮୫ , ୯୦ ଏବଂ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ପ୍ରସ୍ତାବିତ ହୋଇଛି। କମ୍ୟୁଟେଡ୍ ପେନସନ ପୁନଃସ୍ଥାପନ ଅବଧିକୁ ୧୫ ବର୍ଷରୁ ୧୧ ବର୍ଷକୁ ହ୍ରାସ କରିବା, ଅବସରକାଳୀନ ଗ୍ରାଚୁଇଟିର ସର୍ବାଧିକ ସୀମାକୁ ୨୫ ଲକ୍ଷରୁ ୭୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ତଥା ଏନପିଏସ୍ ଏବଂ ୟୁପିଏସ୍ ଅଧୀନରେ ଥିବା କର୍ମଚାରୀଙ୍କୁ ମଧ୍ୟ ସମାନ ସୁବିଧା ପ୍ରଦାନ କରିବାର ଦାବି ରହିଛି। ପେନସନଭୋଗୀମାନେ ଅତିରିକ୍ତ ଭାବରେ ଘରଭଡ଼ା ଭତ୍ତା, ଛୁଟି ଭ୍ରମଣ ସୁବିଧା, ଗୁରୁତର ରୋଗୀଙ୍କ ପାଇଁ ପରିଚର୍ଯ୍ୟା ଭତ୍ତା, ପେନସନ ଉପରେ ଆୟକର ଛାଡ଼, ବରିଷ୍ଠ ନାଗରିକଙ୍କ ପାଇଁ ରେଳ ରିହାତିର ପୁନଃପ୍ରଚଳନ ପାଇଁ ମଧ ଦାବି ଉପସ୍ଥାପିତ ହୋଇଛି।
କ୍ୟାଡର ପରିଚାଳନା ଓ ପଦୋନ୍ନତି ବ୍ୟବସ୍ଥା ମଧ୍ୟ କର୍ମଚାରୀମାନଙ୍କ ମୁଖ୍ୟ ଚିନ୍ତାର ବିଷୟ। ସେମାନେ ଦର୍ଶାଇଛନ୍ତି ଯେ ଅନେକ କ୍ୟାଡରରେ ଜଣେ କର୍ମଚାରୀ ସମଗ୍ର ସେବାକାଳରେ ତିନୋଟି ପଦୋନ୍ନତି ମଧ୍ୟ ପାଉନାହାନ୍ତି। ତେଣୁ ୩୦ ବର୍ଷର ସେବାକାଳରେ ଅତି କମରେ ପାଞ୍ଚଟି ପଦୋନ୍ନତି କିମ୍ବା ଆର୍ଥିକ ଉନ୍ନତିର ସୁନିଶ୍ଚିତ ବ୍ୟବସ୍ଥା ଦାବି କରାଯାଇଛି। ପ୍ରାୟ ୧୫ ଲକ୍ଷ ପଦବୀ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଖାଲି ପଡ଼ିଥିବା ଦାବି କରାଯାଇଛି। ଏହି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବା ଓ ସ୍ଥାୟୀ କାର୍ଯ୍ୟରେ ବାହ୍ୟ ସଂସ୍ଥା ମାଧ୍ୟମରେ ନିଯୁକ୍ତି ପ୍ରଥାକୁ ବନ୍ଦ କରିବା ପାଇଁ ଦାବି ହୋଇଛି। କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ପ୍ରସଙ୍ଗରେ କର୍ମଚାରୀ ସଂଗଠନମାନେ ଏକ ସନ୍ତୁଳିତ ଦୃଷ୍ଟିକୋଣ ଗ୍ରହଣ କରିଛନ୍ତି। ସେମାନେ କାର୍ଯ୍ୟଦକ୍ଷତା ଆଧାରିତ ପ୍ରୋତ୍ସାହନକୁ ସମର୍ଥନ କରୁଥିବା ବେଳେ ସ୍ପଷ୍ଟ କରିଛନ୍ତି ଯେ ଏହା ଏକ ଅତିରିକ୍ତ ପ୍ରେରଣା ଭାବେ ରହିବା ଉଚିତ। ସରକାରୀ କାର୍ଯ୍ୟ ମୂଳତଃ ଏକ ସାମୂହିକ ଓ ସହଯୋଗମୂଳକ ପ୍ରକ୍ରିୟା ହୋଇଥିବାରୁ କାର୍ଯ୍ୟଦକ୍ଷତା ମୂଲ୍ୟାୟନରେ ସ୍ୱଚ୍ଛତା, ନିରପେକ୍ଷତା ଓ ନ୍ୟାୟ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବୋନସ ହିସାବ ପାଇଁ ମାସିକ ୭,୦୦୦ ଟଙ୍କାର ଧାର୍ଯ୍ୟ ସୀମା ଆଜିର ଆର୍ଥିକ ବାସ୍ତବତା ସହ ସଙ୍ଗତିପୂର୍ଣ୍ଣ ନଥିବାରୁ ବୋନସକୁ କର୍ମଚାରୀଙ୍କ ପ୍ରକୃତ ବେତନ (ମୂଳ ବେତନ + ମହଙ୍ଗା ଭତ୍ତା) ଆଧାରରେ ହିସାବ କରିବା ଉଚିତ ବୋଲି ଦାବି କରାଯାଇଛି। ଏହା ସହିତ ଉତ୍ପାଦନ ସହ ଜଡ଼ିତ ବୋନସ (ପିଏଲବି) ପାଇଁ ଥିବା ସର୍ବୋଚ୍ଚ ସୀମାକୁ ମଧ୍ୟ ହଟାଇବାକୁ ଦାବି କରାଯାଇଛି।
ଭାରତ ସରକାରଙ୍କୁ ଏକ ଆଦର୍ଶ ନିଯୁକ୍ତିଦାତା ଭାବରେ ନିଜର ଭୂମିକା ପାଳନ କରିବାକୁ ଏହି ସମସ୍ତ ଦାବିର ମୂଳରେ ରହିଛି ଏକ ଗଭୀର ଦାର୍ଶନିକ ଓ ସାମ୍ବିଧାନିକ ପ୍ରଶ୍ନ। ଭାରତର ଅର୍ଥନୀତି ଯେଉଁ ପରିମାଣରେ ବୃଦ୍ଧି ପାଇଛି, କର୍ମଚାରୀ ଓ ଅବସରପ୍ରାପ୍ତ ନାଗରିକଙ୍କ ଜୀବନର ମାନ ସେହି ହାରରେ ଉନ୍ନତି ହୋଇନାହିଁ। ଆର୍ଥିକ ବର୍ଷ ୨୦୧୪-୧୫ରୁ ୨୦୨୫-୨୬ ମଧ୍ୟରେ ଭାରତର ଜିଡିପି ପ୍ରାୟ ୧୬୫% ଓ ମୋଟ କର ଆୟ ପ୍ରାୟ ୨୦୫% ବୃଦ୍ଧି ପାଇଥିଲେ ମଧ୍ୟ ବେତନ, ଭତ୍ତା ଓ ପେନସନ ବାବଦରେ ସରକାରଙ୍କ ବ୍ୟୟ ସମୁଦାୟ ବ୍ୟୟର ମାତ୍ର ୧୨ରୁ ୧୫%। ରାଷ୍ଟ୍ରୀୟ ପରିଷଦ ଜେସିଏମ କର୍ମଚାରୀ ପକ୍ଷର ମୂଳ ଯୁକ୍ତି ଅତି ସରଳ। ଯଦି ଭାରତ ପ୍ରାୟ ୪.୩ ଟ୍ରିଲିୟନ ଡଲାର ଜିଡିପି ସହ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇପାରିଛି, ଯଦି ଗତ ଦଶ ବର୍ଷରେ ସରକାରୀ ଆୟ ବହୁଗୁଣ ବୃଦ୍ଧି ପାଇଛି, ତେବେ ସେହି ବିକାଶର ଫଳ ନୀତିକୁ କାର୍ଯ୍ୟକାରୀ କରୁଥିବା କର୍ମଚାରୀ ଓ ଦେଶର ପ୍ରଶାସନିକ ଭିତ୍ତିଭୂମିକୁ ସୁଦୃଢ କରିଥିବା ପେନସନଭୋଗୀମାନଙ୍କ ପାଖରେ ମଧ୍ୟ ପହଞ୍ଚିବା ଉଚିତ।
ଏହି ପରିସ୍ଥିତିରେ ଅଷ୍ଟମ ବେତନ ଆୟୋଗ ସମ୍ମୁଖରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଦେଶର ଆର୍ଥିକ ବିକାଶ କେବଳ ପରିସଂଖ୍ୟାନରେ ସୀମିତ ରହିବ, ନା ତାହା କର୍ମଚାରୀ ଓ ପେନସନଭୋଗୀଙ୍କ ଜୀବନରେ ମଧ୍ୟ ପ୍ରତିଫଳିତ ହେବ? ତେଣୁ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ କେବଳ ବେତନ ପୁନଃନିର୍ଦ୍ଧାରଣର ଏକ ପ୍ରଶାସନିକ ବ୍ୟବସ୍ଥା ଭାବେ ସ୍ମରଣୀୟ ହେବା ଉଚିତ ନୁହେଁ। ଏହା ଦେଶର କର୍ମଚାରୀଙ୍କ ପାଇଁ ମର୍ଯ୍ୟାଦା, ଅବସରପ୍ରାପ୍ତଙ୍କ ପାଇଁ ସୁରକ୍ଷା ଏବଂ ରାଷ୍ଟ୍ର ପ୍ରତି ସେବାର ମୂଲ୍ୟବୋଧ ଉପରେ ଆସ୍ଥା ପୁନଃସ୍ଥାପନ କରିବାର ଏକ ଐତିହାସିକ ଉପକରଣ ହେବା ଉଚିତ। କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏହା କେବଳ ବେତନ ଅଥବା ପେନସନଭୋଗୀମାନଙ୍କ ପାଇଁ ଏହା କେବଳ ପେନସନର ପ୍ରଶ୍ନ ନୁହେଁ। ଏହା ମର୍ଯ୍ୟାଦା, ନ୍ୟାୟ, ସାମାଜିକ ସୁରକ୍ଷା ଓ ଦେଶ ପ୍ରତି ଦଶନ୍ଧି ଦଶନ୍ଧି ଧରି ଦିଆଯାଇଥିବା ସେବାର ସ୍ୱୀକୃତିର ପ୍ରଶ୍ନ। ଯେପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ କର୍ମଚାରୀ ତାଙ୍କ ଶ୍ରମର ଯଥୋଚିତ ସମ୍ମାନ ଏବଂ ପ୍ରତ୍ୟେକ ପେନସନଭୋଗୀ ତାଙ୍କ ଜୀବନବ୍ୟାପୀ ସେବାର ନ୍ୟାୟସଙ୍ଗତ ସ୍ୱୀକୃତି ପାଇନାହାନ୍ତି, ସେପର୍ଯ୍ୟନ୍ତ ବିକଶିତ ଭାରତର ସ୍ୱପ୍ନ ସାକାର ହେବା ସମ୍ଭବ ନୁହେଁ।
*****

No comments:
Post a Comment