Wednesday, May 27, 2026

ୱର୍କ ଫ୍ରମ ହୋମ କେତେ ସମ୍ଭବ?


 ୱର୍କ ଫ୍ରମ ହୋମ କେତେ ସମ୍ଭବ?
(ମୂଳ ଲେଖା)

-ବୃହସ୍ପତି ସାମଲ-

ମଧ୍ୟପ୍ରାଚ୍ୟ ଯୁଦ୍ଧ ବିଭୀଷିକାରୁ ସୃଷ୍ଟ ସଙ୍କଟର ସାମୟିକ ସମାଧାନ‌ ଉଦ୍ଦେଶ୍ୟରେ ବର୍ଷେ ପାଇଁ ସୁନା କିଣା, ବିଦେଶ ଭ୍ରମଣ ସ୍ଥଗିତ କରିବା‌ ସହ ଇନ୍ଧନ ସଞ୍ଚୟ ଓ “ୱର୍କ ଫ୍ରମ ହୋମ” ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟତମ ଆହ୍ୱାନ ପରେ କିଛି ରାଜ୍ୟ ସରକାର ହଠାତ୍ ରୋଷ୍ଟର ଡ୍ୟୁଟି ଓ ଘରୁ କାମ ବ୍ୟବସ୍ଥା ଲାଗୁ କରିବାକୁ ଆରମ୍ଭ କରିଛନ୍ତି। ସେଥିରେ ତ୍ରିପୁରା ସରକାରଙ୍କ ଆଦେଶ ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିଛି। ତ୍ରିପୁରା ସରକାର ଗ୍ରୁପ ‘ସି’ ଓ ‘ଡି’ କର୍ମଚାରୀଙ୍କ ୫୦ ଶତାଂଶଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶ ସପ୍ତାହକୁ ଦୁଇଦିନ “ୱର୍କ ଫ୍ରମ ହୋମ” ପରାମର୍ଶ ଦେଇଛି। ମହାରାଷ୍ଟ୍ର ଅନଲାଇନ୍ ବୈଠକ ଉପରେ ଜୋର ଦେଉଛି। ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ମଧ୍ୟ ବିଭିନ୍ନ ପ୍ରକାରର ଅର୍ଥସଞ୍ଚୟ ନିର୍ଦ୍ଦେଶ ଜାରି କରିଛନ୍ତି। ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କ ସରକାରୀ ଗାଡ଼ି ବାହିନୀକୁ ୫୦% କମାଇବାର ଖବର ଅଛି। ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଓ ଶୁକ୍ରବାର ସହ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଦିନର ଶୁଣାଣିକୁ ସମ୍ପୂର୍ଣ୍ଣ ଭିଡିଓ କନଫରେନ୍ସ ମାଧ୍ୟମରେ କରିବା ଏବଂ ବିଚାରପତିମାନଙ୍କ ମଧ୍ୟରେ କାରପୁଲିଂ ବ୍ୟବସ୍ଥା ଆରମ୍ଭ କରିବାର ନିଷ୍ପତ୍ତି ନେଇଛି। ଏପରିକି ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଉଦାହରଣ ସୃଷ୍ଟି କରି ନିଜ ମୋଟରକେଡ୍‌ର ଆକାର ହ୍ରାସ କରିଛନ୍ତି ଏବଂ ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟବହାର ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ଆଜି ୧୪୦ କୋଟି ଲୋକଙ୍କ ଦେଶ। ଏହି ଦେଶର ପ୍ରାୟ ୬୫ ଶତାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରନ୍ତି। ସେମାନଙ୍କ ଦୈନନ୍ଦିନ ଜୀବନର ଅନେକ ଆବଶ୍ୟକୀୟ କାର୍ଯ୍ୟାବଳୀ ସରକାରୀ କାର୍ଯ୍ୟାଳୟ ସହ ଘନିଷ୍ଠ ଭାବେ ସଂପୃକ୍ତ। ବ୍ଲକ କାର୍ଯ୍ୟାଳୟ, ତହସିଲ, ଆର୍‌ଆଇ ଅଫିସ, ପଞ୍ଚାୟତ, ହସ୍ପିଟାଲ, ବ୍ୟାଙ୍କ, ଡାକଘର, ପୋଲିସ ଥାନା, ବିଦ୍ୟୁତ ଓ ଜଳ ଯୋଗାଣ କାର୍ଯ୍ୟାଳୟ—ଏହି ସବୁ ହେଉଛି ସାଧାରଣ ଲୋକଙ୍କ ଜୀବନର ଆଧାର। ଜଣେ ଚାଷୀ ଜମି ପଟ୍ଟା ପାଇଁ ତହସିଲ ଅଫିସକୁ ଯାଆନ୍ତି। ଜଣେ ବୃଦ୍ଧ ପେନସନ ପାଇଁ ବ୍ଲକ ଅଫିସକୁ ଯାଆନ୍ତି। ଜଣେ ଗରିବ ମହିଳା ରେସନ କାର୍ଡ ପାଇଁ ପଞ୍ଚାୟତ ଅଫିସକୁ ଯାଆନ୍ତି। ଏହି ସବୁ କାମ “ଫୋନ କଲ୍” କିମ୍ବା “ୱର୍କ ଫ୍ରମ ହୋମ” ଜରିଆରେ ହେବ ନାହିଁ। ତେଣୁ ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠୁଛି, “ୱର୍କ ଫ୍ରମ ହୋମ” ଭଳି ଆଦେଶ କ’ଣ ସତରେ ଭାରତର ପ୍ରକୃତ ପ୍ରଶାସନିକ ଓ ସାମାଜିକ ବାସ୍ତବତା ସହ ମେଳ ଖାଉଛି? ନା ଏଗୁଡ଼ିକ ମଧ୍ୟବିତ୍ତ ଓ ନିମ୍ନ-ମଧ୍ୟବିତ୍ତ ଜନସାଧାରଣଙ୍କ ଉପରେ ଚାପ ପ୍ରୟୋଗ ପାଇଁ କେବଳ କାଗଜକଲମର ଏକ ଔପଚାରିକ ଆହ୍ୱାନ? ପ୍ରକୃତପକ୍ଷେ ସାମ୍ପ୍ରତିକ ପରିସ୍ଥିତିରେ ଭାରତରେ “ୱର୍କ ଫ୍ରମ ହୋମ” ପଦ୍ଧତିକୁ ଆପଣେଇବା କେତେଦୂର ସମ୍ଭବ?

ଆଜି ଦେଶର ସରକାରୀ ବ୍ୟବସ୍ଥା ଭୟଙ୍କର କର୍ମଚାରୀ ଅଭାବରେ ଭିତରେ ଚାଲୁଛି। ସଂସଦରେ କେନ୍ଦ୍ର ସରକାରଙ୍କ ନିଜସ୍ୱ ସର୍ବଶେଷ ତଥ୍ୟ ଅନୁଯାୟୀ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ଅନ୍ୟୁନ ଦଶ‌ ଲକ୍ଷରୁ ଅଧିକ ପଦବୀ ଖାଲି। ମୂଖ୍ୟତଃ, ଡିଫେନ୍ସ ସିଭିଲିଆନ ସଂସ୍ଥାରେ ୧୦୯୮୬୮, ଭାରତୀୟ ରେଳବାଇରେ ପ୍ରାୟ ୮୮,୩୦୦, ଭାରତୀୟ ଡାକ ବିଭାଗରେ ଅନ୍ୟୁନ ୪୦୦୦୦, ପ୍ରଶାସନିକ ସ୍ତରରେ (ଆଇଏଏସ୍, ଆଇପିଏସ୍ ଓ ଆଇଏଫଏସ୍ ମିଶାଇ) ୨,୮୩୪, ଇସ୍ରୋରେ ୩୬୯୫ ଓ ଶ୍ରମ ମନ୍ତ୍ରାଳୟରେ ୨୪୦୦୦ରୁ ଉର୍ଦ୍ଧ ପଦ ଖାଲି। ରାଜ୍ୟ ସରକାରମାନଙ୍କ ଅବସ୍ଥା ଆହୁରି ‌ଗୁରୁତର। ଉଦାହରଣସ୍ୱରୂପ, କର୍ଣ୍ଣାଟକ ସରକାରଙ୍କ ତଥ୍ୟ ଅନୁଯାୟୀ ୪୩ଟି ବିଭାଗରେ ୨.୭ ଲକ୍ଷ ପଦ ଖାଲି। ସେଥିରୁ ଶିକ୍ଷା ବିଭାଗରେ ୭୦,୦୦୦ ଓ ସ୍ୱାସ୍ଥ୍ୟ ବିଭାଗରେ ୩୭,୦୦୦ ପଦ ଖାଲି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥିତି ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ। ରାଜ୍ୟ ସରକାରଙ୍କ ନିଜସ୍ୱ ତଥ୍ୟ ଅନୁଯାୟୀ ୪୧ଟି ବିଭାଗରେ ପ୍ରାୟ ୯୬,୧୨୭ଟି ଏଣ୍ଟ୍ରି-ଲେଭେଲ୍ ସରକାରୀ ପଦ ଖାଲି ପଡ଼ିରହିଛି। ଏହି ପଦଗୁଡ଼ିକ ୩,୯୨,୩୭୭ ଅନୁମୋଦିତ ପଦବୀ ମଧ୍ୟରୁ ଖାଲି ରହିଛି। ସବୁଠାରୁ ଅଧିକ ଖାଲି ପଦ ରହିଛି ସ୍କୁଲ ଓ ଗଣଶିକ୍ଷା ବିଭାଗରେ, ଯେଉଁଠାରେ ୨୨,୪୩୯ଟି ପଦ ଖାଲି ରହିଛି। ସ୍ୱାସ୍ଥ୍ୟ ବିଭାଗର ସ୍ଥିତି ଆଉ ଅଧିକ ଗୁରୁତର। ଓଡ଼ିଶା ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ରାଜ୍ୟରେ ୧୫,୭୭୪ଟି ଅନୁମୋଦିତ ଡାକ୍ତର ପଦ ମଧ୍ୟରୁ ୯,୫୦୩ଟି ପଦ ଖାଲି ରହିଛି, ଅର୍ଥାତ୍ ପ୍ରାୟ ୬୦ ଶତାଂଶ ଡାକ୍ତର ପଦ ଖାଲି। ବର୍ତ୍ତମାନ କେବଳ ୬,୨୭୧ ଡାକ୍ତର ରାଜ୍ୟର ସରକାରୀ ହସ୍ପିଟାଲରେ କାମ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ମାନକ ଅନୁଯାୟୀ ପ୍ରତି ୧୦୦୦ ଲୋକ ପାଇଁ ଜଣେ ଡାକ୍ତର ଦରକାର ଥିବାବେଳେ ଓଡ଼ିଶାରେ ଏହି ଅନୁପାତ ୧:୧୭୩୫ ରହିଛି। ଗ୍ରାମୀଣ ଓ ଜିଲ୍ଲା ହସ୍ପିଟାଲଗୁଡ଼ିକର ସ୍ଥିତି ତ ଆଉ ଭୟଙ୍କର। 

ଏହା କେବଳ ଗୋଟିଏ ଦୁଇଟି ରାଜ୍ୟର ଚିତ୍ର। ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ସମାନ ଅବସ୍ଥା। ଏପରି ଭୟଙ୍କର କର୍ମଚାରୀ ଅଭାବ ମଧ୍ୟରେ ଯଦି ରୋଷ୍ଟର ଡ୍ୟୁଟି ନାମରେ ୫୦ ଶତାଂଶ କର୍ମଚାରୀଙ୍କୁ ଘରେ ବସାଇ ଦିଆଯାଏ, ତେବେ ବ୍ଲକ, ତହସିଲ, ହସ୍ପିଟାଲ, ସ୍କୁଲ, ପୋଲିସ ଥାନା, ବିଦ୍ୟୁତ ଓ ଜଳ ଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଯିବ। ଏହା ଯେ କେବଳ ପ୍ରଶାସନିକ ଅବ୍ୟବସ୍ଥା ସୃଷ୍ଟି କରିବ, ସେକଥା ନୁହେଁ, ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିବ। ୫୦ ଶତାଂଶ କର୍ମଚାରୀଙ୍କୁ ନେଇ ରୋଗୀଙ୍କ ଚିକିତ୍ସା କିପରି ହେବ? ଯଦି ପୋଲିସ କର୍ମଚାରୀମାନେ “ୱର୍କ ଫ୍ରମ ହୋମ” କରିବେ, ତେବେ ଆଇନ ଶୃଙ୍ଖଳା କିଏ ସମ୍ଭାଳିବ? ବିଦ୍ୟୁତ ବିଭାଗରେ ଯଦି ଲାଇନ୍‌ମ୍ୟାନ୍‌ମାନେ ଘରେ ବସିବେ, ଟ୍ରାନ୍ସଫର୍ମର ଜଳିଗଲେ କିଏ ମରାମତି କରିବ? ଜଳ ଯୋଗାଣ ବିଭାଗର କର୍ମଚାରୀମାନେ ଯଦି “ଅନଲାଇନ୍” ରହିବେ, ପାଇପ ଫାଟିଗଲେ କାମ କେମିତି ହେବ? ଡାକ କର୍ମଚାରୀମାନେ ଯଦି ଘରେ ରହିବେ, ତେବେ ଚିଠିପତ୍ର, ପାର୍ସଲ, ମନିଅର୍ଡର ଆବଣ୍ଟନ କିଏ କରିବ? ବ୍ୟାଙ୍କ କର୍ମଚାରୀମାନେ ଯଦି ଘରୁ କାମ କରିବେ, ତେବେ ଟଙ୍କା ଡିପୋଜିଟ୍ ଓ ଉଠାଣ ନିଶ୍ଚିତ ଭାବେ ବାଧାପ୍ରାପ୍ତ ହେବ। କିଛିଟା ପ୍ରଶାସନିକ କାର୍ଯ୍ୟାଳୟକୁ ୫୦% କର୍ମଚାରୀଙ୍କ ଦ୍ୱାରା ରୋଷ୍ଟର ଡ୍ୟୁଟିରେ କାର୍ଯ୍ୟକ୍ଷମ କରେଇଲେ “ୱର୍କ ଫ୍ରମ ହୋମ”ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବନାହିଁ। ଉଦାହରଣସ୍ୱରୂପ, ୮୯୦୦ରୁ ଉର୍ଦ୍ଧ ଡାକଘର ଥିବା ଓଡ଼ିଶା ଡାକ ପରିମଣ୍ଡଳରେ ମୂଖ୍ୟ ମହାଡାକପାଳ, ଆଞ୍ଚଳିକ ଓ ଡାକ ଲେଖା କାର୍ଯ୍ୟାଳୟ ସହ ଷ୍ଟୋର୍ସ ଡିପୋ, ପ୍ରଶିକ୍ଷଣ କେନ୍ଦ୍ର ଓ ମଣ୍ଡଳ କାର୍ଯ୍ୟାଳୟଗୁଡିକୁ‌ ମିଶାଇ ମାତ୍ର ୩୧ଟି ପ୍ରଶାସନିକ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥାପନକୁ ୫୦% କମେଇଲେ, “ୱର୍କ ଫ୍ରମ ହୋମ” ପ୍ରଭାବଶୂନ୍ୟ ହେବା ସହ ଡାକବିଭାଗ ଭୀଷଣ କର୍ମଚାରୀ ସଙ୍କଟ ଭିତରେ ଗତି କରୁଥିବା ବେଳେ ବାକି ୫୦% କର୍ମଚାରୀ ଅତ୍ୟଧିକ ଚାପର ସମ୍ମୁଖୀନ ହେବା ସ୍ୱଭାବିକ।

କୋଭିଡ୍ ସମୟରେ ଦେଶ ଏହି ସତ୍ୟକୁ ନିଜ ଆଖିରେ ଦେଖିଥିଲା। ଯେତେବେଳେ ସମଗ୍ର ଦେଶ ଘରେ ବନ୍ଦ ଥିଲା, ସେତେବେଳେ ଡାକ କର୍ମଚାରୀମାନେ ଘରକୁ ଘର ଓ ଗ୍ରାମକୁ ଗ୍ରାମ ଚିଠିପତ୍ର, ପାର୍ସଲ, ମନିଅର୍ଡର ପହଞ୍ଚାଇଥିଲେ। ବ୍ୟାଙ୍କ କର୍ମଚାରୀମାନେ ଦିନରାତି କାମ କରିଥିଲେ। ପୋଲିସ ରାସ୍ତାରେ ଥିଲା। ଡାକ୍ତର ଓ ନର୍ସ ହସ୍ପିଟାଲରେ ରହିଥିଲେ। ବିଦ୍ୟୁତ ଓ ଜଳ ଯୋଗାଣ କର୍ମଚାରୀମାନେ ନିରନ୍ତର କାମରେ ଥିଲେ। ସେତେବେଳେ ସେମାନଙ୍କୁ କୌଣସି “ୱର୍କ ଫ୍ରମ ହୋମ” ମିଳିନଥିଲା। ସେମାନଙ୍କ କର୍ମନିଷ୍ଠା ଓ ତ୍ୟାଗରେ ଦେଶ ଚାଲିଥିଲା। ସବୁଠାରୁ ବଡ଼ ବାସ୍ତବତା ହେଉଛି, ଭାରତ ଏବେ ମଧ୍ୟ “ୱର୍କ ଫ୍ରମ ହୋମ” ପାଇଁ ପ୍ରସ୍ତୁତ ନୁହେଁ। ଦେଶର ଅନେକ ସରକାରୀ କାର୍ଯ୍ୟାଳୟ ଏବେ ମଧ୍ୟ ସମ୍ପୂର୍ଣ୍ଣ ଡିଜିଟାଲ ହୋଇନାହିଁ। ଫାଇଲ ଏବେ ମଧ୍ୟ ହାତେ ହାତେ ଚାଲୁଛି। ଗ୍ରାମାଞ୍ଚଳରେ ନିରବିଚ୍ଛିନ୍ନ ବ୍ରଡ୍‌ବ୍ୟାଣ୍ଡ ସୁବିଧା ନାହିଁ। ଅନେକ କର୍ମଚାରୀଙ୍କ ପାଖରେ ଲାପଟପ, ସୁରକ୍ଷିତ ଡାଟା ସିଷ୍ଟମ କିମ୍ବା ସାଇବର ସୁରକ୍ଷା ଢାଞ୍ଚା ନାହିଁ। ତ୍ରିପୁରା ସମ୍ପର୍କିତ ଆଲୋଚନାରେ ମଧ୍ୟ ଲୋକମାନେ ଇଣ୍ଟରନେଟ ଓ ବିଦ୍ୟୁତ ଅସ୍ଥିରତା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ହଁ, ଆଇଟି ଓ ସଫ୍ଟୱେର କ୍ଷେତ୍ରରେ “ୱର୍କ ଫ୍ରମ ହୋମ” ସମ୍ଭବ। ଭାରତର ଏହି କ୍ଷେତ୍ରରେ ପ୍ରାୟ ୫.୮ ମିଲିୟନ୍ କର୍ମଚାରୀ କାମ କରୁଛନ୍ତି। ସେମାନେ ପ୍ରଶିକ୍ଷିତ, ସୁସଜ୍ଜିତ ଓ ଡିଜିଟାଲ ପରିବେଶରେ କାମ କରନ୍ତି। ଯଦି ସରକାର ଚାହିଁଥାନ୍ତେ, ତେବେ ସେହି କ୍ଷେତ୍ରର ଅଧ୍ୟକ୍ଷ ବା ସିଇଓମାନଙ୍କୁ ସିଧାସଳଖ ନିର୍ଦ୍ଦେଶ ଦେଇପାରିଥାନ୍ତେ। କିନ୍ତୁ ସମଗ୍ର ଦେଶର ପ୍ରଶାସନକୁ ଗୋଟିଏ ଛାଞ୍ଚରେ ରଖିବା ଅବିବେକୀୟ। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ପାଇଁ କୌଣସି ସର୍ବଭାରତୀୟ ବାଧ୍ୟତାମୂଳକ “ୱର୍କ ଫ୍ରମ ହୋମ” ଆଦେଶ ଜାରି କରିନାହାଁନ୍ତି। ଏହା ପ୍ରମାଣ କରୁଛି ଯେ ନୀତିର କୌଣସି ସୁସଂଗଠିତ ରୂପରେଖ ନାହିଁ। ପ୍ରଥମେ ରାଜ୍ୟମାନଙ୍କ ମୁଖ୍ୟ ସଚିବଙ୍କଠାରୁ ବିସ୍ତୃତ ରିପୋର୍ଟ ନିଆଯିବା ଦରକାର ଥିଲା। କେଉଁ ବିଭାଗରେ “ୱର୍କ ଫ୍ରମ ହୋମ” ସମ୍ଭବ, କେଉଁଠି ନୁହେଁ, କେଉଁଠି ଡିଜିଟାଲ ଢାଞ୍ଚା ଅଛି, ସେ ସବୁର ଅଧ୍ୟୟନ ଆବଶ୍ୟକ ଥିଲା। ସରକାର ଖାଲି ପଦ ପୂରଣ କରନ୍ତୁ। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସମ୍ପୂର୍ଣ୍ଣ ଡିଜିଟାଲ କରନ୍ତୁ। କର୍ମଚାରୀମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ଉପକରଣ ଯୋଗାନ୍ତୁ। ତା’ପରେ “ୱର୍କ ଫ୍ରମ ହୋମ” ଭଳି ନୀତି ଆଣନ୍ତୁ। ନହେଲେ ଏହା ଜନସେବା ବ୍ୟବସ୍ଥାକୁ ପଙ୍ଗୁ କରିଦେବ ଏବଂ ଲୋକଙ୍କ ବିଶ୍ୱାସକୁ ଭାଙ୍ଗିଦେବ। ଦେଶକୁ ଆହ୍ୱାନ ଦେବା ସହଜ। କିନ୍ତୁ ଦେଶର ତୃଣମୂଳ ସ୍ତରର ବାସ୍ତବତାକୁ ବୁଝିବା କଠିନ। ଆଜି ସେହିଭଳି ଏକ କଠିନ ସତ୍ୟ ଭାରତ ସମ୍ମୁଖରେ ଦଣ୍ଡାୟମାନ। 

*****


No comments:

Post a Comment