Wednesday, March 25, 2026

ଉପେକ୍ଷିତ ବୃଦ୍ଧାବସ୍ଥା

 


ଉପେକ୍ଷିତ ବୃଦ୍ଧାବସ୍ଥା

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର 

“ବାହାରେ ହସେ ମୁଁ ଭିତରେ କାନ୍ଦେ, ଏହି ମୋର ପରିଚୟ, ମରିସାରିକି ମୁଁ ତଥାପି କରିବି ବଞ୍ଚିବାର ଅଭିନୟ” - ଏହା କେଉଁ ନାଟକ ଅଥବା ଚଳଚ୍ଚିତ୍ରର ସଂଳାପ ନୁହେଁ, ବରଂ ଥରଥର ଗଳାରେ, ଛଳଛଳ ଆଖିରେ, କୋହଭରା ହୃଦୟରେ ନିଜ ପରିବାର ଓ ସନ୍ତାନସନ୍ତତିଙ୍କ ଦ୍ୱାରା ବୟସର ସାୟାହ୍ନରେ ଅଲୋଡ଼ା ହୋଇ ବୃଦ୍ଧାଶ୍ରମରେ କାଳ କାଟୁଥିବା ଜଣେ ବୟସ୍କ ବାପାର ଅବଶୋଷ ଓ କରୁଣ ଅଭିବ୍ୟକ୍ତି ଯାହା ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ। ଲେଖକ ନିଜେ ଏଇ ନିକଟରେ ଏକ ଘରୋଇ ଡାକ୍ତରଖାନାରେ ନିଜ ବନ୍ଧୁଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବା ଅବସରରେ ମଧ୍ୟ କିଛି ତିକ୍ତ ଅନୁଭୂତି ସାଉଁଟିଛନ୍ତି। ଆଇସିୟୁ ବେଡରେ ମୃତ୍ୟୁ ସହ ଅହରହ ସଂଗ୍ରାମ କରୁଥିବା ବୁଢାବାପାଟି ପାଖରେ ନା ପୁଅଝିଅ ନା ସେଇ ଲୋକମାନେ ଯାହାଙ୍କ ମଙ୍ଗଳ‌ ପାଇଁ ଏ ବନ୍ଧୁ ତାଙ୍କ ଜୀବନକୁ ନିଃସ୍ୱାର୍ଥପର ଭାବେ ଉତ୍ସର୍ଗୀକୃତ କରିଥିଲେ, କେହି ନଥିଲେ। ଇଏ କେବଳ‌ ଏଇ ଗୋଟିଏ ଦୁଇଟି ଘଟଣା ନୁହେଁ। ବୃଦ୍ଧ ମାତାପିତା ଓ ବୟସ୍କ ଗୁରୁଜନମାନେ ଘୋର‌ ଅବହେଳା ଓ ନିର୍ଯାତନାର ଶିକାର ହେଉଥିବା ଏବେ ଗଣମାଧ୍ୟମର ପ୍ରମୁଖ ଖବର‌ ପ୍ରାୟ। ଏ ବିଡ଼ମ୍ବନା କାହିଁକି? ସାମ୍ପ୍ରତିକ ପରିସ୍ଥିତିରେ ବୟସ୍କ ନାଗରିକମାନେ ଅବହେଳିତ ଓ ଉପେକ୍ଷିତ କାହିଁକି? ସମାଜ, ନା ସରକାର ନା ସନ୍ତାନସନ୍ତତି, କିଏ ଏଥିପାଇଁ ଦାୟୀ।? ଏଭଳି ‌ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ ଟିକିଏ ତଥ୍ୟ ଉପରେ ଆଖି ପକେଇଦେବା ଉଚିତ। 

  ଅନ୍ତଃରାଷ୍ଟ୍ରୀୟ ଜନସଂଖ୍ୟା ବିଜ୍ଞାନ ସଂସ୍ଥାନ ଓ ଜାତିସଂଘ ଜନସଂଖ୍ୟା କୋଷ (ଆଇଆଇପିଏସ୍ ଓ ୟୁଏନପିଏଫ୍) ତରଫରୁ ଇଣ୍ଡିଆ ଏଜିଂ ରିପୋର୍ଟ ୨୦୨୩ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ବୟସ୍କ ଲୋକଙ୍କ ସଂଖ୍ୟା ଅତ୍ୟନ୍ତ ଦ୍ରୁତ ଗତିରେ ବଢ଼ିଚାଲିଛି। ୨୦୨୨ରେ ଯାହା (୬୦ ବର୍ଷରୁ ଅଧିକ) ୧୪.୯ କୋଟି ଥିଲା (ମୋଟ ଜନସଂଖ୍ୟର ୧୦.୫%), ଉପରୋକ୍ତ ରିପୋର୍ଟ ଅନୁଯାୟୀ ତାହା ୨୦୩୬ ସୁଦ୍ଧା ୧୫%, ୨୦୫୦ ସୁଦ୍ଧା ୨୦.୮% (୩୪.୭ କୋଟି) ଓ ୨୧୦୦ ସୁଦ୍ଧା ୩୬% ବୃଦ୍ଧି ପାଇ ୫୫ କୋଟିରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି। ୨୦୨୨ରୁ ୨୦୫୦ ମଧ୍ୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟାରେ ୨୭୯% ବୃଦ୍ଧି ଘଟିବ ଯାହାର‌ ଏକ ବୃହତ ଅଂଶ ବିଧବା ଓ ଅତ୍ୟନ୍ତ ନିର୍ଭରଶୀଳ ମହିଳାମାନେ ହେବେ। ୬୦ ବର୍ଷ ଅତିକ୍ରାନ୍ତ କରିଥିବା ପୁରୁଷଟିଏ ଆହୁରି ୧୮.୩ ବର୍ଷ ଓ ମହିଳାଟିଏ ୧୯ ବର୍ଷ ଅଧିକ ବଞ୍ଚିବ ବୋଲି ରିପୋର୍ଟରେ କୁହାଯାଇଛି। ତଥ୍ୟ ଅନୁଯାୟୀ, ଭାରତରେ ୧୮.୭% ବୟସ୍କଙ୍କ କୌଣସି ରୋଜଗାର ନଥିବା ବେଳେ, ୪୦%ଙ୍କ ରୋଜଗାର ଅତି ନଗଣ୍ୟ। ୪୭% ବୟସ୍କ, ପରିବାର ଉପରେ ନିର୍ଭରଶୀଳ ରହୁଥିବା ବେଳେ, ୩୪% ପେନସନ୍ ଉପରେ ନିର୍ଭର କରି ଜୀବନ ଅତିବାହିତ କରନ୍ତି। ୨୩% ବୟସ୍କ ଏକାଧିକ ସ୍ଥାୟୀ ରୋଗରେ ପୀଡିତ ଥିବା ବେଳେ, ୨୪% ସ୍ୱାଧୀନ ଭାବେ ନିଜର ଦୈନନ୍ଦିନ ନିତ୍ୟକର୍ମ କରିବାକୁ ଅକ୍ଷମ। ଦାରିଦ୍ର୍ୟ, ସ୍ୱାସ୍ଥ୍ୟଗତ ସମସ୍ୟା ଓ ନିଃସଙ୍ଗ ଜୀବନକୁ ନେଇ ୩୦%ରୁ ୫୦% ବୟସ୍କ ମାନସିକ ଅବସାଦଗ୍ରସ୍ତ ଥିବାର ପରିଲକ୍ଷିତ ହୁଏ। ସବୁଠାରୁ କ୍ଷୋଭ ଓ ପରିତାପର‌ କଥା ହେଉଛି ୨୫% ବୟସ୍କ ନିଜ ପରିବାର‌ ଲୋକ ଓ ସମ୍ପର୍କୀୟଙ୍କ ଦ୍ୱାରା ନିର୍ଯାତନାର ଶୀକାର‌ ହୋଇଥାନ୍ତି। ତଥ୍ୟାନୁଯାୟୀ, ୪୩.୮% ଘଟଣାରେ ପୁଅମାନେ, ୨୭.୮% ଘଟଣାରେ ବୋହୂମାନେ ଏବଂ ୧୪.୨% ଘଟଣାରେ ଝିଅମାନେ ନିଜ ନିଜର ବୟସ୍କ ମାତାପିତା କି ଶାଶୁଶଶୁରଙ୍କୁ ନିର୍ଯାତନା ଦେଇଥାନ୍ତି। ୧୬% ବୟସ୍କ ମହିଳା ନିର୍ଯ୍ୟାତନାର ଶୀକାର ହେଉଥିବାବେଳେ, ୩୩% ଘଟଣାରେ ନିଜ ପୁଅ ମୂଖ୍ୟ ଖଳନାୟକ ସାଜିଥାଏ। ୪୫.୬% ଘଟଣାରେ ବୟସ୍କମାନେ ଅପମାନିତ ହୋଇଥାନ୍ତି, ୨୩.୧% ଘଟଣାରେ ମାଡଗାଳି ସହ ଶାରୀରିକ ନିର୍ଯାତନାର ଶିକାର ହୋଇଥାନ୍ତି, ୫୧% ଘଟଣାରେ ବୟସ୍କ ମହିଳାମାନେ ଅବହେଳିତ ହୋଇଥାନ୍ତି ଓ ୨୫% ଘଟଣାରେ ଆର୍ଥିକ ନିର୍ଯାତନାର ଶିକାର ହୋଇଥାନ୍ତି। ଏଇଥିପାଇଁ ଏବେ ଭାରତ ସରକାରଙ୍କ ଅଟଳ ବୟୋ ଅଭ୍ୟୁଦୟ ଯୋଜନା ଅଧୀନରେ ୬୯୬ଟି ବୃଦ୍ଧାଶ୍ରମ ସହ ସମଗ୍ର ଦେଶରେ ଘରୋଇ ଓ ଏନଜିଓମାନଙ୍କ ଦ୍ୱାରା ପରିଚାଳିତ ଅନ୍ୟୁନ ୫୮୪୯ଟି (ଓଡ଼ିଶାରେ ୨୦୭) ବୃଦ୍ଧାଶ୍ରମ ଲକ୍ଷାଧିକ ଅନ୍ତେବାସୀଙ୍କୁ ନେଇ କାର୍ଯ୍ୟକ୍ଷମ। 

ଅବଶ୍ୟ ଏକଥା ସତ ଯେ ସବୁ ପୁଅବୋହୂ, ଝିଅଜ୍ୱାଇଁ କିମ୍ବା ବନ୍ଧୁ ପରିବାର ଏକାଭଳି ନୁହଁନ୍ତି। ଅନେକେ ନିଜ ମାତାପିତାଙ୍କୁ ଯଥାଯୋଗ୍ୟ ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଛନ୍ତି। ଉପରୋକ୍ତ ଘଟଣାରେ, ବନ୍ଧୁଙ୍କ ପୁଅଝିଅ ସିନା ନଥିଲେ, ହେଲେ ବୋହୂଟି ଯଥାସମ୍ଭବ ନିଜ ଶ୍ୱଶୁର ‌ପ୍ରତି ତା’ର‌ କର୍ତ୍ତବ୍ୟ ନିଭେଇବାର‌ ନିଷ୍ଠା ନିଜେ ଲେଖକ ଅନୁଭବ କରିଥିଲେ। ଏହି‌ ପରିପ୍ରେକ୍ଷୀରେ ତେଲେଙ୍ଗାନା ସରକାରଙ୍କ ନିକଟରେ ଘୋଷିତ ପଦକ୍ଷେପ ବିଚାରଯୋଗ୍ୟ। ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡି ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର ଏକ ଏମିତି ଆଇନ ଆଣିବା ବିଷୟରେ ବିଚାର କରୁଛନ୍ତି, ଯାହା ଦ୍ୱାରା ନିଜ ବୃଦ୍ଧ ମାତାପିତାଙ୍କୁ ଅବହେଳା କରୁଥିବା ସରକାରୀ କର୍ମଚାରୀଙ୍କ ବେତନରୁ ୧୦ ପ୍ରତିଶତ ରାଶି କାଟି ସେହି ଟଙ୍କାକୁ ସିଧାସଳଖ ମାତାପିତାଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ହେଲେ ଯେଉଁ ପୁଅଝିଅମାନେ ସରକାରୀ ଚାକିରୀ କରିନଥିବେ, ସେମାନଙ୍କ ‌ମାତାପିତାଙ୍କୁ ସରକାର କେମିତି ନ୍ୟାୟ ‌ପ୍ରଦାନ‌ କରିବେ? ଠିକ୍ ଅଛି, ଚାକିରୀଆ ପୁଅଝିଅଙ୍କ କଥା ଏବେ ବିଚାରକୁ ନିଆଯାଉ। କିନ୍ତୁ ତା ପୂର୍ବରୁ ସରକାରଙ୍କୁ ‌ଏଇଠି ଗୋଟିଏ ପ୍ରଶ୍ନ - ମାତାପିତାଙ୍କୁ ଅବହେଳା କଲେ ଯଦି ବେତନ କାଟ ହେବ, ତେବେ କର୍ମଚାରୀର ସର୍ବନିମ୍ନ ବେତନ ନିର୍ଦ୍ଧାରଣ ବେଳେ ପରିବାରର ସଂଜ୍ଞା ନିରୂପଣରୁ ସରକାର ମାତାପିତାଙ୍କୁ ବାଦ ଦେଇଛନ୍ତି କେମିତି? 

ସର୍ବନିମ୍ନ ମଜୁରୀ ଆଇନ ୧୯୪୮ରେ (ବର୍ତ୍ତମାନ ମଜୁରୀ ସଂହିତା ୨୦୧୯) ବେତନର ପରିମାଣ ନିର୍ଣ୍ଣୟ ପାଇଁ ସ୍ପଷ୍ଟ ଆଇନଗତ ମାନଦଣ୍ଡ ନଥିବାରୁ ଜୁଲାଇ ୧୯୫୭ରେ ଅନୁଷ୍ଠିତ ୧୫ତମ ଭାରତୀୟ ଶ୍ରମ ସମ୍ମେଳନ ଭାରତରେ ଆବଶ୍ୟକତା ଆଧାରିତ ସର୍ବନିମ୍ନ ବେତନର ମୌଳିକ ଢାଞ୍ଚା ନିର୍ଦ୍ଧାରଣ କରି ପୁରୁଷ କର୍ମଚାରୀକୁ ୧, ପତ୍ନୀକୁ ୦.୮ ଏବଂ ସେମାନଙ୍କର ଦୁଇ ସନ୍ତାନକୁ ପ୍ରତ୍ୟେକ ୦.୬ ଏକକ ଭାବେ ଗଣନା କରି ଗୋଟିଏ ସାଧାରଣ ପରିବାର ସଂଜ୍ଞା ତିନୋଟି ଉପଭୋକ୍ତା ଏକକରେ ନିର୍ଦ୍ଧାରଣ କରିବା ପାଇଁ ମତାମତ ରଖିବା ସହ ପାଞ୍ଚଟି ମାନଦଣ୍ଡ ପ୍ରସ୍ତୁତ କରିଥିଲା। ଏହି ଗଣନାରୁ ବେତନ ଉପାର୍ଜନକାରୀଙ୍କ ମାତାପିତା ସ୍ପଷ୍ଟ ଉପେକ୍ଷିତ ରହିଲେ ଯାହା ଦଶକ ଦଶକ ଧରି ଅବିଚଳିତ ରହିଲା। ୧୯୯୨ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ବେତନ ନିର୍ଦ୍ଧାରଣ ପ୍ରଣାଳୀକୁ ଅଧିକ ମାନବୀୟ କରିବାକୁ ଚେଷ୍ଟା କରି ଶିଶୁମାନଙ୍କ ଶିକ୍ଷା, ଚିକିତ୍ସା ଆବଶ୍ୟକତା, ପର୍ବପର୍ବାଣୀ ଓ ଅନୁଷ୍ଠାନ ସହିତ ନ୍ୟୁନତମ ମନୋରଞ୍ଜନ, ଏବଂ ବୃଦ୍ଧାବସ୍ଥା ଓ ବିବାହ ଭଳି ଆପାତକାଳୀନ ଖର୍ଚ୍ଚ ସମୂହକୁ ମୋଟ ସର୍ବନିମ୍ନ ବେତନର ୨୫% ହିସାବରେ ଅତିରିକ୍ତ ଉପାଦାନ ଭାବେ ସମ୍ମିଳିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଏସବୁକୁ କେବଳ ବେତନ ଉପାର୍ଜନକାରୀଙ୍କ ଏକକ ପରିବାର ପର୍ଯ୍ୟନ୍ତ ସୀମିତ ରଖି ମାତାପିତାଙ୍କୁ ଔପଚାରିକ ଆବଶ୍ୟକତା ଗଣନାରୁ ବାହାରେ ରଖିଲେ। ଗୁରୁତ୍ୱପୂର୍ଣ୍ଣ ଭାବେ, ଏହି ପ୍ରସଙ୍ଗଟି ଏବେ ଜାତୀୟ ସ୍ତରରେ ଆଲୋଚିତ ହେଉଛି। ୩ ଫେବୃଆରୀ ୨୦୨୫ରେ ଲିଖିତ ଭାବେ ଏବଂ ୧୦ ଫେବୃଆରୀ ୨୦୨୫ରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗର ସର୍ତ୍ତାବଳୀ ସମ୍ପର୍କିତ ଆଲୋଚନା ସମୟରେ, କର୍ମଚାରୀ ପକ୍ଷ ଜାତୀୟ ପରିଷଦ ତରଫରୁ ଔପଚାରିକ ଭାବେ ମାତା ଓ ପିତା ଉଭୟଙ୍କୁ ଗୋଟିଏ ଗୋଟିଏ ଉପଭୋକ୍ତା ଏକକ ଭାବେ ବିଚାର କରିବା ସହ କର୍ମଚାରୀର ପରିବାରକୁ ପୁରୁଣା ତିନି ଉପଭୋକ୍ତା ଏକକ ବଦଳରେ ପାଞ୍ଚ ଉପଭୋକ୍ତା ଏକକ ଢଞ୍ଚାରେ ପରିବର୍ତ୍ତନ କରି ସର୍ବନିମ୍ନ ବେତନ ନିର୍ଦ୍ଧାରଣ ସୂତ୍ରକୁ ସଂଶୋଧନ କରିବା ପାଇଁ ଦାବି ଉଠିଛି। ଯଦି ମାତାପିତାଙ୍କୁ ଆଇନଗତ, ନୀତିଗତ ଓ ସାମାଜିକ ଭାବେ ନିର୍ଭରଶୀଳ ଭାବେ ସ୍ୱୀକାର କରାଯାଏ, ତେବେ ସେମାନଙ୍କୁ ଅର୍ଥନୈତିକ ଭାବେ ମଧ୍ୟ ସ୍ୱୀକାର କରିବାର ଆବଶ୍ୟକତା ରହିଛି।

ଅଧିକନ୍ତୁ, ସରକାରୀ ଚାକିରୀଆମାନଙ୍କ ଅବସ୍ଥା ଏବେ ବେଶ୍ ସଙ୍କଟାପନ୍ନ। ବିଗତ ଦୁଇ ଦଶନ୍ଧି ଧରି ପେନସନ ଉପରେ ଘନଘନ ଆକ୍ରମଣ। ପୁରୁଣା ପେନସନ ଯୋଜନାରେ ଶେଷ ଦରମାର‌ ୫୦% ପେନସନ ପାଇଁ ନିଜେ ଭଲରେ ବଞ୍ଚିବା ସହ ନିଜ ବୟସ୍କ ମାତାପିତାଙ୍କୁ ଭଲରେ ‌ରଖିବାକୁ ସକ୍ଷମ ଥିବା ସରକାରୀ କର୍ମଚାରୀର ପେନସନକୁ ସରକାର ଜାତୀୟ ପେନସନ ଯୋଜନା ନାଁରେ ୨୦୦୪ରୁ ବନ୍ଦ କଲେ। ପୁନଶ୍ଚ ବିତ୍ତ ବିଧେୟକ ୨୦୨୫ ଜରିଆରେ ବୟସ୍କ ପେନସନଭୋଗୀଙ୍କ ମଧ୍ୟରେ ଏକ ପାତରଅନ୍ତର ସୃଷ୍ଟି କରି କେନ୍ଦ୍ରୀୟ ବେତନ ଆୟୋଗ ସୁପାରିଶ ଲାଗୁ କରିବାର ତାରିଖ ଏବଂ ସେଇ ତାରିଖ ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନସନ୍ ସଂଶୋଧନର ଅଧିକାର ନିଜ ହାତକୁ ନେଇଛନ୍ତି। ଅର୍ଥାତ ନୂଆ ବିତ୍ତ ବିଧେୟକ ୨୦୨୫ ଅନୁସାରେ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କ ପେନସନ୍ ସଂଶୋଧିତ ହେବାର ସମ୍ଭାବନା କମ୍। ମୋଟ୍ ୬୧% ପେନସନଭୋଗୀ ନିଜ ନାତିନାତୁଣୀଙ୍କ ଦାୟିତ୍ଵ ସମ୍ଭାଳୁଥିବା ଏବଂ ୩୩%ରୁ ଅଧିକ ପେନସନଭୋଗୀ ସମ୍ପୂର୍ଣ୍ଣ ପରିବାରର ବୋଝ ଉଠାଉଥିବା ବେଳେ, ସରକାରଙ୍କର ଏ ପାତରଅନ୍ତର ନୀତି ସମ୍ବିଧାନର ଧାରା ୧୪ ପ୍ରତି ଏକ କ୍ରୁର ଅଟହାସ୍ୟ ତଥା ବୟସ୍କ ପେନସନଭୋଗୀଙ୍କ ପ୍ରତି ଚରମ ଅବହେଳା। ଅଧିକାଂଶ ବୃଦ୍ଧ ପେନସନଭୋଗୀ ମାତାପିତାମାନେ ଅବହେଳିତ ହେଉଥିବା ବେଳେ, ପେନସନ ନରହିଲେ ସେମାନଙ୍କ ଅବସ୍ଥା ଯାହା‌ହେବ ତାହା ସହଜରେ ଅନୁମେୟ। ଅଧିକନ୍ତୁ, ନଭେମ୍ବର ୨୦୨୫ରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ସର୍ତ୍ତାବଳୀର ରାଜପତ୍ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମଧ୍ୟ ସର୍ବନିମ୍ନ ବେତନ ନିର୍ଦ୍ଧାରଣ ସୂତ୍ରର ସଂଶୋଧନ ଦାବିକୁ କର୍ମଚାରୀ ପକ୍ଷ ଦୋହରାଇଛନ୍ତି। ମୌଳିକ ବେତନ ନିର୍ଦ୍ଧାରଣ ସୂତ୍ରକୁ ସଂଶୋଧନ ନକରି, ତେଲେଙ୍ଗାନା ସରକାରଙ୍କ ଦଣ୍ଡାତ୍ମକ ଦରମାକାଟ ପ୍ରକ୍ରିୟା ଆଇନଗତ ଆହ୍ୱାନର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ଉପରେ କେନ୍ଦ୍ର ସରକାର, ବେତନ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ଓ ସାମ୍ବିଧାନିକ ସଂସ୍ଥାମାନେ ଏକତ୍ରିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଯେହେତୁ ରାଜ୍ୟ ସରକାରମାନେ ପାରମ୍ପରିକ ଭାବେ କେନ୍ଦ୍ରୀୟ ବେତନ ଆୟୋଗ ସୁପାରିଶକୁ ଅନୁସରଣ କରନ୍ତି, ଏହି ସମୟରେ ନିଆଯାଉଥିବା ସିଦ୍ଧାନ୍ତଗୁଡ଼ିକ ଆସନ୍ତା ଦଶକ ପାଇଁ ଲକ୍ଷାଧିକ ପରିବାରର ବୃଦ୍ଧ ମାତାପିତାଙ୍କ ଆର୍ଥିକ ମର୍ଯ୍ୟାଦାକୁ ନିଶ୍ଚୟ ସାକାର କରିବ। 

 ଏହା କେବଳ ସଂଖ୍ୟା, ପ୍ରତିଶତ କିମ୍ବା ବେତନ ମାପଦଣ୍ଡର କଥା ନୁହେଁ। ଏହା ବୟସର ସାୟାହ୍ନରେ ଅନେକ ରୋଗର ଘର ସାଜିଥିବା ବୃଦ୍ଧ ମାତାପିତାଙ୍କ ଅବଶ ଶରୀରର ସେହି ଚାଲିପାରୁନଥିବା ପାଦ, ନଇଁ ପଡ଼ିଥିବା ଅଣ୍ଟା, ଥରୁଥିବା ହାତ, ଝାପସା ଦିଶୁଥିବା ଆଖି, ଠିକ୍ ଶୁଣୁନଥିବା କାନ ଯାହାସବୁ ଦିନେ ନିଜ ପରିବାର‌ ସହ ଦେଶ ଓ ଦଶର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା, ସେମାନଙ୍କୁ ତାଙ୍କ ଯଥାଯଥ ସମ୍ମାନ ଫେରାଇଦେବାର କଥା। ବୃଦ୍ଧାବସ୍ଥା ସନ୍ତାନକୁ ପାଳିଥିବାର ଏକ ଶାସ୍ତି ଭାବେ ପରିଣତ ନ ହେଉ। ଯେଉଁ ସମାଜ ନିଜ ବୃଦ୍ଧ ମାତାପିତାଙ୍କୁ ମର୍ଯ୍ୟାଦା ପାଇଁ ଭିକ୍ଷା ମାଗିବାକୁ ବାଧ୍ୟ କରେ, ସେ ସମାଜ ନିଜର ନୀତିଗତ ଦିଗଦର୍ଶନ ହରାଏ। ଏବେ ସମୟ ଆସିଛି ସରକାର ପ୍ରତୀକାତ୍ମକ କଲ୍ୟାଣରୁ ଆଗକୁ ବଢ଼ି ବୃଦ୍ଧ ମାତାପିତାଙ୍କ ଅବହେଳାର ଗଠନାତ୍ମକ ମୂଳକାରଣକୁ ଠିକ୍‌ କରନ୍ତୁ। ବେତନ ନିର୍ଦ୍ଧାରଣ ସୂତ୍ରର ପୁନଃସଂଶୋଧନ, ଭରଣପୋଷଣ ଆଇନର କଠୋର କାର୍ଯ୍ୟାନୁଷ୍ଠାନ, ଏବଂ ଅର୍ଥନୈତିକ ନୀତିରେ “ପରିବାର” ସଂଜ୍ଞାର ପୁନଃନିର୍ଦ୍ଧାରଣ ସମୟର ଜରୁରୀ ଆବଶ୍ୟକତା। ବୃଦ୍ଧ ମାତାପିତା କର୍ମଚାରୀଙ୍କ ନୈତିକ ଓ ଆଇନଗତ ଦାୟିତ୍ୱ ଭିତରେ ପ୍ରତିବିମ୍ବିତ ହେଇ ମର୍ଯ୍ୟାଦାର ସହ ବୃଦ୍ଧାବସ୍ଥା ଅତିବାହିତ କରନ୍ତୁ। 

*****


No comments:

Post a Comment