Monday, February 2, 2026

ଆଇନ ବନାମ ସଂହିତା

 


ଆଇନ ବନାମ ସଂହିତା

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର 

ଆଇନ ସମ୍ବନ୍ଧୀୟ ଆଲୋଚନାରେ ‘ଆଇନ’ ଓ ‘ସଂହିତା’ ଶବ୍ଦ ଦୁଇଟିକୁ ପ୍ରାୟ ସମାନ ଅର୍ଥରେ ବ୍ୟବହାର କରାଯାଉଥିଲେ ମଧ୍ୟ ନ୍ୟାୟଶାସ୍ତ୍ର ଦୃଷ୍ଟିରୁ ଏହି ଦୁଇଟି ଧାରଣା ମଧ୍ୟରେ ଅନେକ ମୌଳିକ ଓ ଗଭୀର ପାର୍ଥକ୍ୟ ରହିଛି ଯାହା ଦେଶର ଶାସନ ପ୍ରଣାଳୀ ଓ ସାମାଜିକ ନ୍ୟାୟ ପ୍ରକ୍ରିୟା ଉପରେ ଦୀର୍ଘକାଳୀନ ପ୍ରଭାବ ପକେଇଥାଏ। ଏହି ପାର୍ଥକ୍ୟଟି ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ, ଯେତେବେଳେ ଭାରତ ଭଳି ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ଏକ ସୁରକ୍ଷାମୂଳକ ଓ କଲ୍ୟାଣମୁଖୀ ଶ୍ରମ ଆଇନ ବ୍ୟବସ୍ଥାରୁ ଚାରୋଟି ଶ୍ରମ ସଂହିତା ଆଧାରିତ ଏକ ସଂକଳିତ ବ୍ୟବସ୍ଥା ଆଡ଼କୁ ଗତି କରେ ।

ପାରମ୍ପରିକ ଅର୍ଥରେ ‘ଆଇନ’ ଏକ ବିସ୍ତୃତ, ଗତିଶୀଳ ଓ ଜୀବନ୍ତ ଧାରଣା। ପୃଥିବୀର ବିଭିନ୍ନ ଆଇନ୍‌ ବିଶାରଦ ଏହାକୁ ଭିନ୍ନ ଭିନ୍ନ ଭାବେ ପରିଭାଷିତ କରିଥିଲେ ମଧ୍ୟ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଆଇନ ବିଶାରଦ ତଥା ସୁଇଜରଲ୍ୟାଣ୍ଡ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ବିଚାରପତି ସାର୍ ଜନ୍ ଉଇଲିୟମ ସାଲମଣ୍ଡଙ୍କ ପ୍ରସିଦ୍ଧ ପରିଭାଷା ଅନୁଯାୟୀ, ଆଇନ ହେଉଛି “ନ୍ୟାୟ ପରିଚାଳନାରେ ରାଜ୍ୟ ଦ୍ୱାରା ସ୍ୱୀକୃତ ଓ ପ୍ରୟୋଗ ହେଉଥିବା ନୀତିମାନଙ୍କର ସମାହାର”। ଭାରତର ସୁପ୍ରିମକୋର୍ଟ ଷ୍ଟେଟ ଅଫ୍ ମାଡ୍ରାସ ବନାମ ଭି. ଜି. ରୋ (୧୯୫୨) ମାମଲାରେ ସ୍ପଷ୍ଟ କରିଥିଲେ ଯେ ଆଇନ କେବଳ କିଛି ନିୟମର ସମାହାର ନୁହେଁ, ବରଂ ସାମ୍ବିଧାନିକ ମୂଲ୍ୟବୋଧ ଆଧାରରେ ବ୍ୟକ୍ତିଗତ ସ୍ୱାଧୀନତା ଓ ସାମାଜିକ ଶୃଙ୍ଖଳା ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଏକ ପ୍ରଣାଳୀ। ଏପରିଭାବେ, ସମ୍ବିଧାନ, ସଂସଦୀୟ ଆଇନ, ନ୍ୟାୟିକ ପୂର୍ବଦୃଷ୍ଟାନ୍ତ, ପରମ୍ପରା, ରୀତିନୀତି ଓ ପ୍ରାକୃତିକ ନ୍ୟାୟର ସିଦ୍ଧାନ୍ତ ସମୂହ ଆଇନର ପରିସରଭୁକ୍ତ।

ଏହାର ବିପରୀତରେ ‘ସଂହିତା’ ହେଉଛି ଏକ ବିଶେଷ ଆଇନ ନିର୍ମାଣ ପ୍ରଣାଳୀ। ହେନେରି କାମ୍ପବେଲ୍ ବ୍ଲାକଙ୍କ ଆଇନ ଅଭିଧାନ ଅନୁସାରେ, ‘ସଂହିତା’ ହେଉଛି “କୌଣସି ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧୀୟ ଆଇନ, ନିୟମ ଓ ବିଧିମାନଙ୍କର ଏକ ସୁସଂଗଠିତ, ସଂଗୃହୀତ ଓ ପୁନଃସଂରଚିତ ରୂପ”। ସୁପ୍ରିମକୋର୍ଟ ଆର୍‌ ଏସ୍ ନାୟକ ବନାମ ଏ ଆର୍ ଆନ୍ତୁଲେ (୧୯୮୪) ମାମଲାରେ କହିଥିଲେ ଯେ ‘ସଂହିତା’ ହେଉଛି କୌଣସି ବିଷୟରେ ଆଇନର ଏକ ସମ୍ପୂର୍ଣ୍ଣ ଓ ସାର୍ବଜନୀନ ଘୋଷଣା, ଯାହା ପୂର୍ବରୁ ଥିବା ବିକ୍ଷିପ୍ତ ଆଇନଗୁଡ଼ିକୁ ପ୍ରତିସ୍ଥାପିତ କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ଆଇନ ଯେଉଁଠି ଗତିଶୀଳ ଓ ବହୁମୂଳକ, ‘ସଂହିତା’ ସେଠି ସଂପୂର୍ଣ୍ଣ ଭାବରେ ଆଇନ ନିର୍ମାଣ ଭିତ୍ତିକ, ଗଠନାତ୍ମକ ଓ ଅପେକ୍ଷାକୃତ ଭିନ୍ନ।

ନ୍ୟାୟିକ ରାୟଗୁଡ଼ିକ ଏହି ପାର୍ଥକ୍ୟକୁ ସ୍ପଷ୍ଟ କରିଥାଏ। ଜୋସେଫ୍ ସାଇନ୍ ବନାମ ଭାରତ ସରକାର (୨୦୧୮) ମାମଲାରେ ସୁପ୍ରିମକୋର୍ଟ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୭କୁ ଅଣସାମ୍ବିଧାନିକ ଘୋଷଣା କରି କହିଥିଲେ ଯେ, କୌଣସି ‘ସଂହିତା’ ଯେତେ ସଂପୂର୍ଣ୍ଣ ହେଉନା କାହିଁକି, ତାହା ସାମ୍ବିଧାନିକ ନୈତିକତା ଓ ମୌଳିକ ଅଧିକାର ଉପରେ ପ୍ରାଧାନ୍ୟ ପାଇପାରିବ ନାହିଁ। ଏଥିରୁ ପୁନର୍ବାର ସ୍ପଷ୍ଟ ହୁଏ ଯେ ସଂହିତାଗୁଡିକ କେବେ ମଧ୍ୟ ସମ୍ବିଧାନ ଓ ନ୍ୟାୟିକ ବ୍ୟାଖ୍ୟାରୁ ଉର୍ଦ୍ଧରେ ନୁହେଁ। ସେହିପରି, ଭାରତ ବ୍ୟାଙ୍କ ଲିମିଟେଡ୍ ବନାମ ଏମ୍ଲଇଜ୍ (୧୯୫୦) ମାମଲାରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ ଯେ ଶ୍ରମ ନ୍ୟାୟଶାସ୍ତ୍ର କେବଳ ଆଇନ ନିର୍ମାଣ ଦ୍ୱାରା ନୁହେଁ, ବରଂ ସାମାଜିକ ନ୍ୟାୟର ସିଦ୍ଧାନ୍ତ ଆଧାରରେ ନ୍ୟାୟିକ ରାୟ ମାଧ୍ୟମରେ ବିକଶିତ ହୋଇଛି।

ଉପରୋକ୍ତ ଧାରଣାତ୍ମକ ପୃଷ୍ଠଭୂମିରେ ଭାରତର ସାମ୍ପ୍ରତିକ ଶ୍ରମ ଆଇନ ସଂସ୍କାରକୁ ଭାରତର ପ୍ରମୁଖ ଶ୍ରମିକ ଓ କର୍ମଚାରୀ ସଂଗଠନଗୁଡ଼ିକ ଆରମ୍ଭରୁ ବିରୋଧ କରିଆସିଛନ୍ତି। ପୂର୍ବରୁ ଭାରତର ଶ୍ରମ ଆଇନଗୁଡ଼ିକ କେବଳ ନିୟାମକ ଉପକରଣ ନୁହେଁ, ବରଂ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯, ୨୧, ୨୩ ଓ ରାଜ୍ୟନୀତି ନିର୍ଦ୍ଦେଶକ ସିଦ୍ଧାନ୍ତମାନଙ୍କ (ଡିରେକ୍ଟିଭ୍ ପ୍ରିନ୍ସପୁଲ୍ସ ଅଫ୍ ଷ୍ଟେଟ ପଲିସି) ମାଧ୍ୟମରେ ପ୍ରତିବିମ୍ବିତ ସାମାଜିକ ଓ ଆର୍ଥିକ ନ୍ୟାୟ ପ୍ରତିବଦ୍ଧତାର ପ୍ରତୀକ ଥିଲା ଏବଂ ଦଶକ ଦଶକ ଧରି ଶ୍ରମିକ ଆନ୍ଦୋଳନ, ନ୍ୟାୟିକ ବିକାଶ ତଥା ଶ୍ରମିକ, ନିୟୋଜକ ଓ ରାଜ୍ୟର ତ୍ରିପକ୍ଷୀୟ ସହମତିର ଫଳ ଥିଲା। ୨୯ଟି ଶ୍ରମ ଆଇନକୁ ଚାରିଟି ଶ୍ରମ ସଂହିତାରେ ସଂକଳନ କରାଯିବାକୁ ଯଦିଓ ସରଳୀକରଣ, ସମାନତା ଓ କାର୍ଯ୍ୟ ସମ୍ପନ୍ନ କରିବାର ସହଜତା ବୋଲି ସରକାରଙ୍କ ପକ୍ଷରୁ ଯୁକ୍ତି ହେବା ସହ ସମର୍ଥନ କରାଯାଇଛି, ବାସ୍ତବରେ କିନ୍ତୁ ଏହି ସଂହିତାକରଣ ଏକ ନିରପେକ୍ଷ ସଂଗଠନାତ୍ମକ ପ୍ରକ୍ରିୟା ନୁହେଁ, ବରଂ ଏହା ମୌଳିକ ଅଧିକାର, କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ଓ କ୍ଷମତା ସମତୁଲ୍ୟତାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି, ଯାହାର ଅଧିକାଂଶ ପ୍ରଭାବ ଶ୍ରମିକମାନଙ୍କ ପାଇଁ କ୍ଷତିକାରକ। ଶ୍ରମ ଅଧିନିୟମ ବଦଳରେ କେନ୍ଦ୍ର ସରକାର ଶ୍ରମ ସଂହିତାର ପ୍ରଚଳନ ପାଇଁ ୨୧ ନଭେମ୍ବର ୨୦୨୫ରେ ରାଜପତ୍ର ବିଜ୍ଞପ୍ତି ଜାରି କରିଥିବା ବେଳେ ଭାରତବର୍ଷର ଶ୍ରମିକ ଓ କର୍ମଚାରୀ ସଂଗଠନଗୁଡ଼ିକ ସେମାନଙ୍କର ପୂର୍ବ ବିରୋଧାଭାଷକୁ ଆହୁରି ତୀବ୍ରତର କରି ଆଗାମୀ ୧୨ ଫେବୃଆରୀ ୨୦୨୬ରେ ଏକ ସର୍ବଭାରତୀୟ ସାଧାରଣ ଧର୍ମଘଟ ପାଇଁ ଡାକରା ଦେଇଛନ୍ତି। 

ପ୍ରଥମତଃ, ମାଲିକ ଶ୍ରେଣୀର ଲୁକ୍କାୟିତ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ଯାଇ ମଜୁରୀ ସଂହିତାରେ ଶ୍ରମିକ ଓ‌ କର୍ମଚାରୀଙ୍କ ସଂଜ୍ଞା ଭିନ୍ନ ଭିନ୍ନ ଭାବେ ବର୍ଣ୍ଣନା କରାଯାଇଥିବାବେଳେ ମଜୁରୀର ସଂଜ୍ଞାକୁ ସଙ୍କୁଚିତ ତଥା ସର୍ବନିମ୍ନ ମଜୁରୀର ସଂଜ୍ଞା କି ମାନଦଣ୍ଡ ସ୍ଥିର‌ କରାଯାଇନାହିଁ। ସେହିଭଳି ଦୈନିକ କାର୍ଯ୍ୟ ସମୟକୁ ସରକାରଙ୍କ ଉପରେ ଛାଡ଼ି ଦିଆଯାଇଛି। ମଜୁରୀ ନିର୍ଦ୍ଧାରଣ ପାଇଁ ଉଦ୍ଦିଷ୍ଟ ପରାମର୍ଶଦାତା ବୋର୍ଡରେ କର୍ମଚାରୀ, ମାଲିକ ଓ ସ୍ୱାଧୀନ ବ୍ୟକ୍ତି ବିଶେଷ ଯଦିଓ ଏକ ତୃତୀୟାଂଶ ଭାବେ ରହିବେ, ସେମାନେ କେବଳ ଆଲୋଚନା ହିଁ କରିବେ। ବୋର୍ଡର ସୁପାରିଶ୍ ମାନିବାକୁ ସରକାର‌ ବାଧ୍ୟ ନୁହନ୍ତି। ଅନୁରୂପଭାବେ ସଂହିତାରେ ଶ୍ରମିକମାନଙ୍କୁ ବୋନସର ପ୍ରତିଶ୍ରୁତି ଦେବା ବଦଳରେ ସେମାନଙ୍କୁ ବୋନସରୁ ବଞ୍ଚିତ କରିବା ପାଇଁ ଗୁରୁତ୍ବ ଦିଆଯାଇଛି। ପିପୁଲ୍ସ ୟୁନିଅନ ଫର ଡିମୋକ୍ରାଟିକ ରାଇଟ୍ସ ବନାମ ଭାରତ ସରକାର (୧୯୮୨) ମାମଲାରେ ସୁପ୍ରିମକୋର୍ଟ ନ୍ୟୂନତମ ମଜୁରୀଠାରୁ କମ୍‌ ଦରମାକୁ ବାଧ୍ୟତାମୂଳକ ଶ୍ରମ ବୋଲି ଘୋଷଣା କରିଥିଲେ, କିନ୍ତୁ ନୂଆ ସଂହିତାର ସୁବିଧାବାଦୀ ନିରୀକ୍ଷଣ ପ୍ରଣାଳୀ ଏହି ନୀତିକୁ ଦୁର୍ବଳ କରୁଛି।


ଦ୍ୱିତୀୟରେ, ଔଦ୍ୟୋଗିକ ସମ୍ପର୍କ ସଂହିତାରେ ନିଯୁକ୍ତିର‌ ସଂଜ୍ଞା ପରିବର୍ତ୍ତନ ‌କରି‌ ସରକାର ଶ୍ରମିକମାନଙ୍କ ଅଧିକାରକୁ ଖର୍ବ କରିବା ସହ ମାଲିକମାନେ ସେମାନଙ୍କୁ ନିରଙ୍କୁଶ ଭାବେ ଶୋଷଣ କରିବାର ପଥ ପ୍ରଶସ୍ତ ଓ ପରିଷ୍କାର କରିଛନ୍ତି। ସଂହିତାରେ ନିଯୁକ୍ତିକୁ ଅସ୍ଥାୟୀ, କ୍ଷଣସ୍ଥାୟୀ ଓ ଠିକାକରଣ କରାଯାଇଛି। ବିନା ନୋଟିସ୍ କିମ୍ବା କ୍ଷତିପୂରଣରେ ଶ୍ରମିକଙ୍କୁ ବିଦା କରିବାର ନିରଙ୍କୁଶ କ୍ଷମତା ମାଲିକଙ୍କୁ ପ୍ରଦାନ‌ କରିଛି ଯାହା ଆକସ୍ମିକ ବେକାରୀ ସୃଷ୍ଟି କରିବ। ୱାର୍କମେନ ଅଫ ମୀନାକ୍ଷୀ ମିଲ୍ସ ବନାମ ମୀନାକ୍ଷୀ ମିଲ୍ସ ଲିମିଟେଡ଼ (୧୯୯୨) ମାମଲାରେ ଆକସ୍ମିକ ବେକାରି, ଜୀବିକା ଅଧିକାରକୁ ଆଘାତ କରିବାର‌ ଯେଉଁ ସାମ୍ବିଧାନିକ ସମ୍ବେଦନଶୀଳତା କଥା ସୁପ୍ରିମକୋର୍ଟ କହିଥିଲେ, ତାହା ଏହି ସଂହିତାରେ ନାହିଁ । ସବୁଠାରୁ‌ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ଟ୍ରେଡ୍ ୟୁନିଅନ ଅଧିନିୟମ ୧୯୨୬ର ବିଚାରଧାରାକୁ ନଷ୍ଟ କରି ଏହି ସଂହିତା ଟ୍ରେଡ୍ ୟୁନିଅନ ପଞ୍ଜିକରଣ ଓ‌ ପରିଚାଳନାରେ ଶ୍ରମିକମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି। ପ୍ରଚଳିତ ଆଇନକୁ ମୋଡ଼ି ମକଚି ଶ୍ରମିକ ସଂଗଠନମାନଙ୍କର ମୂଲଚାଲ କ୍ଷମତାକୁ ସଙ୍କୁଚିତ କରାଯିବା ସହ ସେମାନଙ୍କର ଧର୍ମଘଟ କରିବାର ଅଧିକାର‌ ଉପରେ ନିଷେଧାଦେଶ ଜାରି କରାଯାଇଛି। ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ଲଇଜ୍ ଆସୋସିଏସନ୍ ବନାମ ନାସନାଲ୍ ଇଣ୍ଡଷ୍ଟ୍ରିଆଲ ଟାଇବୁନାଲ (୧୯୬୨) ମାମଲାରେ ସୁପ୍ରିମକୋର୍ଟ ସଂଗଠନ ଅଧିକାରକୁ ଗଣତାନ୍ତ୍ରିକ ଶ୍ରମ ସମ୍ପର୍କର ଅବିଭାଜ୍ୟ ଅଂଶ ବୋଲି ମାନ୍ୟତା ଦେଇଥିଲେ ମଧ୍ୟ ନୂଆ ସଂହିତାଗୁଡ଼ିକ ଶିଳ୍ପ ସଂକ୍ରାନ୍ତୀୟ ବିବାଦଗୁଡିକୁ ଏକ ଆଲୋଚନାମୂଳକ ପ୍ରକ୍ରିୟା ନୁହେଁ, ବରଂ ଏକ ପ୍ରଶାସନିକ ଲକ୍ଷ୍ୟରେ ପରିଣତ କରିଛି।


ତୃତୀୟରେ, ଭାରତୀୟ ଜୀବନ ବୀମା ନିଗମ ବନାମ ଉପଭୋକ୍ତା ଶିକ୍ଷା ଓ ଗବେଷଣା କେନ୍ଦ୍ର (୧୯୯୫) ମାମଲାରେ ସୁପ୍ରିମକୋର୍ଟ ସାମାଜିକ ସୁରକ୍ଷାକୁ ଜୀବନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଘୋଷଣା କରିଥିଲେ ହେଁ ସାମାଜିକ ନିରାପତ୍ତା ସଂହିତା ୨୦୨୦ରେ ସେହି ଅଧିକାର କେବଳ ପ୍ରତୀକାତ୍ମକ ହୋଇଯାଇଛି। ମାଲିକମାନଙ୍କୁ ସୁହେଇଲା ଭଳି ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ପାଇଁ ସରକାର ନିଜ ହାତକୁ କ୍ଷମତା ନେବା ସହ ସାମ୍ବିଧାନିକ ତ୍ରିପାକ୍ଷିକ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ସଂଜ୍ଞା, ଗଠନ ପ୍ରଣାଳୀ ଓ ଦାୟିତ୍ୱବୋଧକୁ ଦୁର୍ବଳ କରାଯାଇ କେବଳ ଏକ ସୁପାରିଶକାରି ସଂସ୍ଥାରେ ପରିଣତ କରାଯିବା ଦ୍ୱାରା ଭବିଷ୍ୟନିଧି ଯୋଜନାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବାର ଚକ୍ରାନ୍ତ ଅତି ସ୍ପଷ୍ଟ। ସମାନ କଥା ମଧ୍ୟ କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ପରିଲକ୍ଷିତ। ଏମ୍ ସି ମେହେଟା ବନାମ ତାମିଲନାଡୁ ସରକାର (୧୯୯୬) ମାମଲାରେ ଶିଶୁ ଶ୍ରମ ନିରୋଧ ପାଇଁ କଠୋର କାର୍ଯ୍ୟାନ୍ୱୟନ ଆବଶ୍ୟକ ବୋଲି ସୁପ୍ରିମକୋର୍ଟ କହିଥିଲେ ମଧ୍ୟ ନୂଆ ସଂହିତା ସେହି ଆଭିମୁଖ୍ୟର ଅବମୂଲ୍ୟାୟନ କରୁଛି।


ଶେଷରେ ‘ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟ ସର୍ତ୍ତାବଳୀ ସଂହିତା’ ପ୍ରଚଳନ ଯୋଗୁଁ ପୂର୍ବରୁ ୧୩ଟି ଅଧିନିୟମରୁ ପ୍ରାପ୍ତ ଅନେକ ସୁବିଧା ସୁଯୋଗରୁ ବହୁ ଶ୍ରମିକ ବାଦ୍ ପଡିବେ। ବିଶେଷ ଭାବେ ଅସଂଗଠିତ କ୍ଷେତ୍ର, ନିର୍ମାଣ, ଠିକା, ଦାଦନ, ପରିବହନ, ବିଡ଼ି ଓ ସିଗାର ଶ୍ରମିକ ଏବଂ ବହୁସଂଖ୍ୟକ ସାମ୍ବାଦିକ କ୍ଷତିଗ୍ରସ୍ତ ହେବେ। ବିଦ୍ୟୁତ ପରିଚାଳିତ କୌଣସି କାରଖାନାରେ ୨୦ ଜଣରୁ ଅଧିକ ଶ୍ରମିକ କାମ କରୁଥିଲେ, ତାହା ଏହି ସଂହିତାର ପରିସରଭୁକ୍ତ ହୋଇପାରିବ। ଅର୍ଥାତ, ଏହାଦ୍ବାରା ଆମ ଦେଶର ବିଦ୍ୟୁତ ପରିଚାଳିତ ହେଉ ନଥିବା କାରଖାନାର ୪୦% ଶ୍ରମିକ ସଂହିତା ପରିସର‌ବାହାରେ ରହିବାକୁ ବାଧ୍ୟ ହେବେ। ୨୦ରୁ ଉର୍ଦ୍ଧ ଶ୍ରମିକ ନିଯୁକ୍ତ କଲେ ଠିକାଦାରଙ୍କୁ ଶ୍ରମ କାର୍ଯ୍ୟାଳାୟରୁ ଅନୁମତି ନେବାର ଆବଶ୍ୟକ ଥିଲା ବେଳେ ଏବେ ଏହି ସଂଖ୍ୟାକୁ ୫୦କୁ ବୃଦ୍ଧି କରାଯାଇଥିବାରୁ ଶ୍ରମିକମାନେ ଅଧିକ ଶୋଷିତ ହେବେ। ଆଜିର ଦିନରେ ଭାରତବର୍ଷର ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକରେ ୫୦%ରୁ ଅଧିକ ଓ ଘରୋଇ ଉଦ୍ୟୋଗରେ ୭୦%ରୁ ଅଧିକ କାର୍ଯ୍ୟରତ ଠିକା ଶ୍ରମିକ ଏହି ସଂହିତା ପ୍ରଚଳନ ଦ୍ୱାରା କେବେ ସ୍ଥାୟୀ କର୍ମଚାରୀର ମାନ୍ୟତା ଦାବି କରିପାରିବେ ନାହଁ। ୫୦୦ରୁ କମ୍ ଶ୍ରମିକ କାମ କରୁଥିବା କାରଖାନାରେ ନିରାପତ୍ତା କମିଟି ଓ ଅଧିକାରୀ ରହିବେ ନାହିଁ ଯାହାଦ୍ଵାରା ୯୦% କାରଖାନାର ଶ୍ରମିକ ଏଥିରୁ ବାଦ୍ ପଡିବେ। ୨୫୦ରୁ କମ୍ ଶ୍ରମିକ କାମ କରୁଥିବା କାରଖାନାରେ ମଙ୍ଗଳ ଅଧିକାରୀ ରହିବେ ନାହିଁ କି ୧୦୦ରୁ କମ୍ ଶ୍ରମିକ କାମ କରୁଥିବା କାରଖାନାରେ କ୍ୟାଣ୍ଟିନ୍ ବ୍ୟବସ୍ଥା ରହିବ ନାହିଁ। ସେହିଭଳି, ୫୦ରୁ କମ୍ ଶ୍ରମିକ କାମ କରୁଥିବା କାରଖାନାରେ କ୍ରେଚ୍, ଖାଇବା ଗୃହ ଓ ବିଶ୍ରାମ ଗୃହ ରହିବ ନାହିଁ।

ସାମଗ୍ରୀକ ଭାବେ, ଶ୍ରମ ଆଇନରୁ ଶ୍ରମ ସଂହିତାକୁ ଏହି ପରିବର୍ତ୍ତନ ଏକ ଗଭୀର ଧାରଣାତ୍ମକ ପରିବର୍ତ୍ତନକୁ ପ୍ରତିବିମ୍ବିତ କରେ। ଆଇନର ଲକ୍ଷ୍ୟ ଯଦି ସାମାଜିକ ନ୍ୟାୟ ହୁଏ, ତେବେ ସଂହିତାଗୁଡ଼ିକ ସେହି ଲକ୍ଷ୍ୟରୁ ଦୂରେଇଯାଇଛି। ଶ୍ରମ ଆଇନ ବଦଳରେ ଶ୍ରମ ସଂହିତା ପ୍ରଚଳନ ହେଲେ କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତି ନିଯୁକ୍ତିଦାତାଙ୍କୁ ସୁହାଇବ ସିନା, ନିରବଚ୍ଛିନ୍ନ ସଂଘର୍ଷ ଦ୍ୱାରା ପ୍ରାପ୍ତ ଦୈନିକ ନିର୍ଦ୍ଦିଷ୍ଟ ୮ ଘଣ୍ଟା କାର୍ଯ୍ୟ ସମୟ ସୀମା, ସର୍ବନିମ୍ନ ଓ ସମାନ କାମକୁ ସମାନ ମଜୁରୀ, ବୋନସ, ମହଙ୍ଗା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାର ମାନ ନିର୍ଦ୍ଧାରଣ, ସାମୟିକ ଓ ଅର୍ଜିତ ଛୁଟି, ସାପ୍ତାହିକ କାର୍ଯ୍ୟ ଦିବସ, କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟ ଓ ଜୀବନର ନିରାପତ୍ତା ଇତ୍ୟାଦି ସହ ଶ୍ରମିକ ସଂଗଠନର ହକ୍ ପାଇଁ କଥାବାର୍ତ୍ତାର ଅଧିକାର ସଙ୍କଟାପନ୍ନ ହେବ। ତେଣୁ ଚାରୋଟି ଶ୍ରମ ସଂହିତାର ଉଚ୍ଛେଦ ପାଇଁ ଭାରତର ପ୍ରମୁଖ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ବହୁ ସ୍ୱାଧୀନ ମହାସଂଘମାନେ ୧୨ ଫେବୃଆରୀ ୨୦୨୬ରେ ଏକ ସର୍ବଭାରତୀୟ ସାଧାରଣ ଧର୍ମଘଟ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଅଣ୍ଟା ଭିଡୁଥିବା ବେଳେ, ସମ୍ପୂର୍ଣ୍ଣ ସହନଶୀଳତାର ସହ ଆପୋଷ ଆଲୋଚନା ପାଇଁ ସରକାର ଆଗେଇ ଆସିବା ଏକାନ୍ତ ଅପରିହାର୍ଯ୍ୟ।

*****

No comments:

Post a Comment