Monday, November 3, 2025

ବେତନ ଆୟୋଗ ସର୍ତ୍ତାବଳୀ


ବେତନ ଆୟୋଗ ସର୍ତ୍ତାବଳୀ

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ 

କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ

ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ବର

ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟେଇ ୨୮ ଅକ୍ଟୋବର ୨୦୨୫ରେ ପ୍ରସ୍ତାବିତ ଅଷ୍ଟମ ବେତନ‌ ଆୟୋଗର ସନ୍ଦର୍ଭ ସର୍ତ୍ତାବଳୀ (ଟର୍ମ୍ସ ଅଫ୍ ରେଫରେନ୍ସ) ଯଦିଓ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପାଇଲା, ଏଥିରେ ସନ୍ନିବେଶିତ ସର୍ତ୍ତାବଳୀ ପୂର୍ବ ବେତନ ଆୟୋଗ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବେତନ, ଭତ୍ତା, ପେନସନ୍ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଇତ୍ୟାଦିକୁ‌ ନେଇ ଯେଉଁ ଯେଉଁ କେନ୍ଦ୍ର ସରକାରୀ ଅନୁଷ୍ଠାନ ସମୂହକୁ ନିଜର ଅନୁଧ୍ୟାନ ପରିସରଭୁକ୍ତ କରିବା କଥା, ସର୍ତ୍ତାବଳୀରେ ସେସବୁ ସ୍ଥାନିତ ନହୋଇ ଦେଶର ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିତ୍ତୀୟ ସତର୍କତା ଅବଲମ୍ବନ ପୂର୍ବକ ୧୮ ମାସ ଭିତରେ ନିଜର ବିବରଣୀ ଦାଖଲ କରିବାକୁ ସରକାର ପ୍ରେସ୍ ବିଜ୍ଞପ୍ତି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି। 

      ଏହି‌ ପରିପ୍ରେକ୍ଷୀରେ ଏଠି କହିରଖିବା ଉଚିତ ହେବ ଯେ ରାଜ୍ୟସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୮୭୦ -“କେନ୍ଦ୍ର ସରକାରଙ୍କ ବିତ୍ତିୟ ସ୍ଥିତି କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ଅନୁମତି ପ୍ରଦାନ‌ କରୁନାହିଁ କି?”ର ଉତ୍ତରରେ ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ୩ ଡିସେମ୍ବର ୨୦୨୪ରେ ‘ସେଭଳି ପ୍ରଶ୍ନ ଉଠୁନାହିଁ’ ନାହିଁ ବୋଲି କହିଥିଲେ। ଅର୍ଥାତ ବେତନ ଆୟୋଗ ଗଠନ ଓ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ରାଜକୋଷୀୟ ବାଧା ବନ୍ଧନ କିଛି ନଥିଲା ବା ନାହଁ। ଉପରୋକ୍ତ ଉତ୍ତରର ଜବାବରେ କର୍ମଚାରୀ ପକ୍ଷ ଜାତୀୟ ପରିଷଦ ତରଫରୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବଙ୍କୁ ତୁରନ୍ତ ସେହି ୩ ଡିସେମ୍ବର ୨୦୨୪ରେ ଅଷ୍ଟମ ବେତନ ଆୟୋଗ ଗଠନର ଯଥାର୍ଥତା ଉପରେ ଗୁରୁତ୍ୱାରୋପ କରି ଚିଠି ଲେଖାଗଲା ଏବଂ ଅଷ୍ଟମ ବେତନ ଆୟୋଗ ଗଠନକୁ ବାରମ୍ବାର ଟାଳି ଦେଉଥିବା କେନ୍ଦ୍ର ସରକାର ହଠାତ୍ ୧୬ ଜାନୁଆରୀ ୨୦୨୫ରେ ବେତନ ଆୟୋଗ ଗଠନକୁ ନେଇ ବିନା କ୍ୟାବିନେଟ ଅନୁମୋଦନରେ ତଥା କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି ବିନା ଏକ ଖବରଦାତା ସମ୍ମିଳନୀ ମାଧ୍ୟମରେ ମାନ୍ୟବର କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ଵାରା ଘୋଷଣା କଲେ।

       ପରେପରେ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅଷ୍ଟମ ବେତନ ଆୟୋଗ ଗଠନ ପୂର୍ବରୁ ତା'ର ପ୍ରସ୍ତାବିତ ସର୍ତ୍ତାବଳୀ ଉପରେ ମତାମତ ରଖିବା ପାଇଁଁ କର୍ମଚାରୀ ପକ୍ଷକୁ ୨୩ ଜାନୁଆରୀ ୨୦୨୫ରେ ଅନୁରୋଧ କଲାପରେ, କର୍ମଚାରୀ ପକ୍ଷ ତା'ର ମତାମତ ୩ ଫେବୃଆରୀ ୨୦୨୫ରେ ଦାଖଲ କଲା ଏବଂ ୧୦ ଫେବୃଆରୀ ୨୦୨୫ରେ କାର୍ମୀକ ଓ ପ୍ରଶିକ୍ଷଣ ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ କର୍ମଚାରୀ ପକ୍ଷ ସହ ପ୍ରଶାସନିକ ପକ୍ଷର ଏ ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହେଲା। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ଔଦ୍ୟୋଗିକ ଓ ଅଣ ଔଦ୍ୟୋଗିକ, ସର୍ବଭାରତୀୟ ସେବା, ସାମରିକ ଓ ଅର୍ଦ୍ଧ ସାମରିକ ବଳ, କେନ୍ଦ୍ରଶାସିତ ଅଞ୍ଚଳ, ଭାରତୀୟ ଲେଖା ଓ ହିସାବ ବିଭାଗ, ଉଚ୍ଚତମ ନ୍ୟାୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଭଳି ନିୟାମକ ସଂସ୍ଥା ତଥା କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ସ୍ୱୟଂଶାସିତ ସଂସ୍ଥାର କର୍ମଚାରୀମାନଙ୍କ ସହ ଭାରତୀୟ ଡାକ ବିଭାଗରେ କାର୍ଯ୍ୟରତ ଗ୍ରାମୀଣ ଡାକ ସେବକଙ୍କର ବେତନ, ଭତ୍ତା ତଥା ଅବସରକାଳୀନ ସମସ୍ତ ଆର୍ଥିକ ଲାଭର ବିଚାର କରିବାକୁ ବେତନ ଆୟୋଗକୁ ନିର୍ଦ୍ଦେଶ ଦେଇ ସର୍ତ୍ତାବଳୀ ପ୍ରସ୍ତୁତ କରିବାକୁ କର୍ମଚାରୀ ପକ୍ଷର ନିବେଦନ ରହିଲା, ଯାହା ପୂର୍ବ ବେତନ ଆୟୋଗମାନଙ୍କର ସର୍ତ୍ତାବଳୀରେ ସାଧାରଣତଃ ସ୍ଥାନିତ ହୁଏ ବା ହୋଇଛି। ଏତଦବ୍ୟତୀତ, ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ଗୋଟିଏ ପରିବାରକୁ ପୂର୍ବଭଳି ତିନି ଉପଭୋକ୍ତା ଏକକ ଭାବେ ପରିଗଣିତ ନକରି ୨୦୧୯ରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ କରିଥିବା ୩.୬ ଉପଭୋକ୍ତା ଏକକକୁ ବିଚାରକୁ ନେବା, ସପ୍ତମ ବେତନ ଆୟୋଗର ସମସ୍ତ ଅସଙ୍ଗତିର ସମାଧାନ ସହ କିଛି ଅବ୍ୟବହାର୍ଯ୍ୟ ପେସ୍କେଲର ମିଶ୍ରଣ (ଯେମିତିକି ପେ ଲେଭଲ୍ ୧ ସହ ୨ର, ୩ ସହ ୪ର ଓ ୫ ସହ ୬ର), ଚାକିରୀ କାଳ ଭିତରେ ସର୍ବନିମ୍ନ ୫ଟି ପଦୋନ୍ନତି, ପେନସନ୍‌ କମ୍ୟୁଟେସନର ମୂଲ୍ୟ ୧୫ ବର୍ଷ ବଦଳରେ ୧୨ ବର୍ଷରେ ପୁନରୁଦ୍ଧାର, ପାର୍ଲ୍ୟାମେଣ୍ଟାରି ଷ୍ଟାଣ୍ଡିଂ କମିଟିର ଅନୁମୋଦନ ମୁତାବକ ପ୍ରତି ୫ ବର୍ଷରେ ପେନସନ୍ ବୃଦ୍ଧି ତଥା ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଉତ୍କୃଷ୍ଟମାନର ତୁରନ୍ତ ସ୍ୱାସ୍ଥ୍ୟ ସେବା ପାଇଁ କ୍ୟାସଲେସ୍ ସୁବିଧା ପ୍ରଦାନ, ପୁରୁଣା ପେନସନ ଯୋଜନାର ପୁନରୁତ୍ଥାନ ଭଳି ଅନେକ କଥା ସର୍ତ୍ତାବଳୀରେ ସ୍ଥାନିତ କରିବାକୁ କର୍ମଚାରୀ ପକ୍ଷର ନିବେଦନକୁ ସହୃଦୟତାର ସହ ବିଚାର କରିବାକୁ ଉପରୋକ୍ତ ବୈଠକରେ ପ୍ରତିଶ୍ରୁତି ମିଳିଥିଲା। ଅଧିକନ୍ତୁ, ୨୯ ମାର୍ଚ୍ଚ ୨୦୨୫ରେ ପ୍ରକାଶିତ ବିତ୍ତ ଅଧିନିୟମ ୨୦୨୫ ଜରିଆରେ ବେତନ ଆୟୋଗ ସୁପାରିଶ ଲାଗୁ କରିବାର ତାରିଖ ଧାର୍ଯ୍ୟ କରିବା ସହ ସୁପାରିଶ ଲାଗୁ ହେବା ପୂର୍ବରୁ ଅବସର ନେଇଥିବା କର୍ମଚାରୀଙ୍କର ପେନସନ ସଂଶୋଧନକୁ ନେଇ ସରକାରଙ୍କ ଇଛାଧିନ କ୍ଷମତାର ଅପବ୍ୟବହାର ହେବନାହିଁ ବୋଲି ଅଷ୍ଟମ ବେତନ ଆୟୋଗର ସର୍ତ୍ତାବଳୀରେ ଉଲ୍ଲେଖ କରିବାକୁ କର୍ମଚାରୀ ପକ୍ଷ ମଧ୍ୟ ଚିଠି ଲେଖିଥିଲେ।

       କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପୟ‌ ବିଷୟ ଏହିକି ୨୮ ଅକ୍ଟୋବରରେ ପ୍ରକାଶିତ ଉପରୋକ୍ତ ପ୍ରେସ୍‌ ବିଜ୍ଞପ୍ତିରେ ଏସବୁ କିଛି ନାହିଁ। ପ୍ରତିବଦଳରେ, ଦେଶର ଆର୍ଥିକ ପରିସ୍ଥିତି ଓ ବିତ୍ତୀୟ ସଂଜମତା, କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସମ୍ବଳର ଆବଶ୍ୟକତା, ଅଣଅନୁଦାନମୂଳକ ପେନସନ ଯୋଜନାଗୁଡ଼ିକର ଅନାର୍ଥିକ ଖର୍ଚ୍ଚ, ରାଜ୍ୟ ସରକାରଙ୍କ ଉପରେ ଅନୁମୋଦନରେ ଚାପ ତଥା ରାଷ୍ଟ୍ରାୟତ ଏବଂ ଘରୋଇ କର୍ମଚାରୀଙ୍କ ସାମ୍ପ୍ରତିକ କାର୍ଯ୍ୟ ଓ ବେତନ ପ୍ରଣାଳୀ ଭଳି ୫ଗୋଟି ଦିଗକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ଅଷ୍ଟମ ବେତନ ଆୟୋଗ ୧୮ ମାସ ଭିତରେ ତାଙ୍କର ବିବରଣୀ ଦାଖଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୋଟ ଉପରେ ଦେଖିବାକୁ ଗଲେ ସରକାର ଦେଶର ଅର୍ଥନୈତିକ ପରିସ୍ଥିତିର‌ ଆଳ ଦେଖେଇ ବିତ୍ତୀୟ ସତର୍କତା ଅବଲମ୍ବନ ପୂର୍ବକ ସୁପାରିଶ ଦାଖଲ କରିବାକୁ ବେତନ ଆୟୋଗକୁ ସିଧାସଳଖ ନିର୍ଦ୍ଦେଶ ଦେଇଛନ୍ତି, ଯାହାର‌ ପରିଣାମ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ। ଅର୍ଥାତ୍, ଆରମ୍ଭରୁ ସରକାର ବେତନ ଆୟୋଗ ଉପରେ ପ୍ରତ୍ୟକ୍ଷ ଚାପ ସୃଷ୍ଟି କରିଛନ୍ତି ଯାହା ଆୟୋଗଙ୍କୁ ସ୍ୱାଧୀନ ଭାବେ କାମ କରିବାରୁ ବଞ୍ଚିତ କରିବ।

      ଦେଶର‌ ଅର୍ଥନୈତିକ ପରିସ୍ଥିତି ବେତନ ଆୟୋଗର ସୁପାରିଶ ପାଇଁ ଏକ ବାଧା ନୁହେଁ ବୋଲି ରାଜ୍ୟସଭାରେ ଉତ୍ତର ରଖିଥିବା ସରକାର ଏକ ଭିନ୍ନ ଦୃଷ୍ଟିଭଙ୍ଗୀରେ ଆୟୋଗଙ୍କ ସର୍ତ୍ତାବଳୀ ପ୍ରସ୍ତୁତ କରିଛନ୍ତି ଯାହା ବିଗତ ଆୟୋଗଗୁଡିକର ସର୍ତ୍ତାବଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। କର୍ପୋରେଟ ଜଗତକୁ ଲକ୍ଷ ଲକ୍ଷ କୋଟିର ଋଣ ଓ ଟିକସ ଛାଡ କରିବା, କର୍ପୋରେଟ ଟିକସ ହ୍ରାସ କରିବା, ବିଭିନ୍ନ ଆଳ‌ ଦେଖାଇ କର୍ପୋରେଟ ଜଗତକୁ ଭିନ୍ନ ଭିନ୍ନ ରିହାତି ଓ ଅନୁଦାନ ଉପଲବ୍ଧ କରେଇବା ସହ ୮୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ମାଗଣା ରାସନ ଦେବା ସତ୍ତ୍ୱେ ପାଞ୍ଚ ଟ୍ରିଲିଅନ ଡଲାର ସହ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଡିଣ୍ଡିମ ପିଟୁଥିବା ଭାରତ ସରକାର, କର୍ମଚାରୀ ଓ ପେନସନଭୋଗୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ଟାଳଟୁଳ ନୀତି ଗ୍ରହଣ କରିବା ଆଦୌ ଯୁକ୍ତିଯୁକ୍ତ ମନେହୁଏନା। ତେଣୁ କର୍ମଚାରୀ ପକ୍ଷର ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରି ପ୍ରକାଶିତ ହୋଇଥିବା ସର୍ତ୍ତାବଳୀ କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଭୋଗୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବର ଏକ ନିଛକ ପ୍ରତିଫଳନ।

    ଅଷ୍ଟମ ବେତନ ଆୟୋଗ ଘଟଣାବଳୀର ସମୟ ସମ୍ପର୍କରେ ମଧ୍ୟ ଅନେକ ପ୍ରଶ୍ନ ଉଠୁଛି। ୧୬ ଜାନୁଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, କ୍ୟାବିନେଟ୍ ସଚିବାଳୟ କିମ୍ବା ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରେସ ବିଜ୍ଞପ୍ତି ବିନା ଏହାର ଘୋଷଣା ହେଲା, ଠିକ୍ ଦିଲ୍ଲୀ ନିର୍ବାଚନ ପୂର୍ବରୁ। ଏବେ ଏହାର ସର୍ତ୍ତାବଳୀ ପ୍ରକାଶିତ ହେଲା ୨୮ ଅକ୍ଟୋବର ୨୦୨୫ରେ, ଯାହା ସୁବିଧାଜନକ ଭାବରେ ବିହାର ବିଧାନସଭା ନିର୍ବାଚନ ଓ ଦେଶର ଅନ୍ୟାନ୍ୟ ଉପନିର୍ବାଚନର ଠିକ୍ ପୂର୍ବରୁ। ଏହାକୁ ସାଧାରଣ ସଂଯୋଗ ଭାବରେ ଅସ୍ଵୀକାର କରିବା କଷ୍ଟକର। ଆୟୋଗ ଯଦି ଠିକ୍ ଠିକ୍ ୧୮ ମାସରେ ରିପୋର୍ଟ ପ୍ରସ୍ତୁତ କରନ୍ତି ତେବେ ଦାଖଲ କଲାବେଳକୁ ମଇ ୨୦୨୭ ହେବ। କିନ୍ତୁ, ଅଭିଜ୍ଞତା କହେ ଅଧିକାଂଶ ବେଳେ ଆୟୋଗଙ୍କ କାର୍ଯ୍ୟକାଳ‌ ପ୍ରାୟତଃ ବୃଦ୍ଧି ହୁଏ। ତଦନୁସାରେ ୨୦୨୭ର ଶେଷ ପର୍ଯ୍ୟାୟରେ ରିପୋର୍ଟ ଦାଖଲକୁ ସହଜରେ ହିମାଚଳ ପ୍ରଦେଶ (ନଭେମ୍ବର ୨୦୨୭) ଓ ଗୁଜୁରାଟ (ଡିସେମ୍ବର ୨୦୨୭) ନିର୍ବାଚନ ପର୍ଯ୍ୟନ୍ତ ଟାଳି ଦେବାର ସମ୍ଭାବନା ଅଧିକ। ଏହାବାଦ୍ ରିପୋର୍ଟ ଉପରେ ସରକାରଙ୍କ ନିଜସ୍ଵ ତର୍ଜମା, କ୍ୟାବିନେଟ୍ ଓ ଅର୍ଥ ବିଭାଗର‌ ଅନୁମୋଦନ ପାଇବାକୁ ହୁଏତ ସର୍ବନିମ୍ନ ଛଅମାସ ସମୟ ଲାଗିପାରେ ଯେତେବେଳେକୁ ୨୦୨୮ର ବଜେଟ୍ ଉପସ୍ଥାପନ ସମୟ ସହ ତ୍ରିପୁରା , ନାଗାଲାଣ୍ଡ, ମେଘାଳୟ ଓ ତାପଛକୁ ପଛ କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ, ରାଜସ୍ଥାନ ଓ ତେଲେଙ୍ଗାନା ରାଜ୍ୟର ନିର୍ବାଚନ ସମୟ ଆସିଯିବ। କିଛି ‌ନିର୍ବାଚନ‌ ପୂର୍ବରୁ ରିପୋର୍ଟ ‌ଦାଖଲ, କିଛି ନିର୍ବାଚନ ପୂର୍ବରୁ କ୍ୟାବିନେଟ୍ ଓ ଅର୍ଥ ବିଭାଗର ଅନୁମୋଦନ ଓ କିଛି ନିର୍ବାଚନ ପୂର୍ବରୁ ଅନୁମୋଦନକୁ ଲାଗୁ କରିବାକୁ ନେଇ ରାଜପତ୍ର ବିଜ୍ଞପ୍ତି ପ୍ରକାଶନ ଜରିଆରେ ଶାସକ ଦଳ ସପକ୍ଷରେ ରାଜନୈତିକ ଉଷ୍ମତା ସୃଷ୍ଟି କରି ୨୦୨୯ର ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ର ସରକାର ପଥ ପରିଷ୍କାର କରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଯେତେବେଳେ ବେତନ ଆୟୋଗଗୁଡ଼ିକ ସଂସ୍କାରର ସଂସାଧନ ନହୋଇ ରାଜନୈତିକ ହାତବାରିସୀ ହୁଅନ୍ତି, ସେତେବେଳେ ଶାସନର ନିଜସ୍ୱ ସ୍ୱଚ୍ଛତା ଓ ବିଶ୍ୱସନୀୟତା ହ୍ରାସ ପାଏ। ସରକାରୀ କର୍ମଚାରୀ ଓ ପେନ୍ସନଧାରୀ ଦେଶର ସବୁଠାରୁ ସଚେତନ ଶ୍ରେଣୀ — ସେମାନେ ସମୟର ରାଜନୈତିକ ନାଟକକୁ ଭଲ ଭାବରେ ବୁଝନ୍ତି। ଯେଉଁ ସରକାର ପ୍ରଶାସନିକ ପଦକ୍ଷେପକୁ ନିର୍ବାଚନୀ ଦୃଶ୍ୟପଟ ପାଇଁ ବ୍ୟବହାର କରେ ଏବଂ ସେହି ପଦକ୍ଷେପର ଅସଲି ଅର୍ଥକୁ ଅନର୍ଥ କରେ, ସେ ସରକାର ବିଶ୍ୱାସଭାଜନ ହେବାର ନୈତିକ ଅଧିକାର ହରାଇ ଦେଇଥାଏ।

     ଯେହେତୁ, ଗୋଟିଏପଟେ ଆୟୋଗଙ୍କ ଅନୁମୋଦନର କାର୍ଯ୍ୟକାରିତା ବିତ୍ତ ଅଧିନିୟମ ୨୦୨୫ ମୁତାବକ ଏବେ ସରକାରଙ୍କ ଇଛାଧିନ ଅଧିକାର ଏବଂ ସର୍ତ୍ତାବଳୀରେ ସରକାର ଆର୍ଥିକ ସଂଜମତାକୁ ପ୍ରାଧାନ୍ୟ ଦେଇଛନ୍ତି, ତେଣୁ ପିଛିଲା ଭାବେ ଜାନୁଆରୀ ୨୦୨୬ରୁ ତାହା ଲାଗୁ ହେବାର ସମ୍ଭାବନା କ୍ଷୀଣ।‌ ଏହାଦ୍ୱାରା, କର୍ମଚାରୀ ଓ ପେନସନଭୋଗୀମାନେ ଅନ୍ୟୁନ ଦୁଇ‌ ବର୍ଷର ଆର୍ଥିକ କ୍ଷତି ସହିବାକୁ ବାଧ୍ୟ ହୋଇପାରନ୍ତି। ଯେତେବେଳେ ଆର୍ଥିକ ସଂଯମତାକୁ ଚୟନମୂଳକ ଭାବରେ ଲାଗୁ କରାଯାଏ, ସେତେବେଳେ ଏହା ଆର୍ଥିକ ଅନ୍ୟାୟର ରୂପ ନିଏ। ଯଦି ସରକାର ସତରେ “ସାମୁହିକ ଉନ୍ନତି” ଉପରେ ବିଶ୍ୱାସ କରନ୍ତି, ତେବେ ତୁରନ୍ତ ସର୍ତ୍ତାବଳୀର ପୁନଃବିଚାର କରିବା ଉଚିତ। ବେତନ ଆୟୋଗର କାମ କେବଳ ଖର୍ଚ୍ଚ ହିସାବ ନୁହେଁ, କର୍ମଚାରୀଙ୍କ ଅବଦାନକୁ ସ୍ୱୀକାର କରିବା ମଧ୍ୟ। ଏହା ପୂର୍ବ ଆୟୋଗମାନଙ୍କ ମାନବିକ ଓ ପ୍ରଗତିଶୀଳ ଆବଶ୍ୟକତାକୁ ପୁନର୍ଜୀବନ ଦେବା ଉଚିତ, ଯେଉଁଠି କର୍ମଚାରୀମାନେ କେବଳ ଆର୍ଥିକ ବୋଝ ଭାବେ ପରିଗଣିତ ନହୋଇ ଦେଶର ଉନ୍ନତି ଓ‌ ପ୍ରଗତିରେ ସହଭାଗୀ ହୋଇ ରହିଛନ୍ତି। ଆର୍ଥିକ ସଂଯମତାର ଉପଦେଶ ଦେଇ ବିଭେଦ ସୃଷ୍ଟି ‌କରିବା କେବଳ ନୀତିହୀନତାର ପରିଚୟ। “ଆର୍ଥିକ ସଂଯମତା” ଅର୍ଥ “ଆର୍ଥିକ କଠୋରତା” ନୁହେଁ। ଯଦି ସରକାର ସତରେ “ସବକା ସାଥ୍, ସବକା ବିକାସ୍”ରେ ବିଶ୍ୱାସ କରନ୍ତି, ତେବେ ସେ ପ୍ରଥମେ ସେହିମାନଙ୍କ ସାଙ୍ଗେ ଦଣ୍ଡାୟମାନ ହେବା ଉଚିତ ଯେଉଁମାନେ ଦେଶ ସେବାରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ଦେଶର କର୍ମଚାରୀ ଓ ପେନସନଭୋଗୀ ଦୟା ନୁହେଁ, ନ୍ୟାୟ ଚାହାଁନ୍ତି। ଭାରତ ଯେତେବେଳେ ନିଜର ଅର୍ଥନୈତିକ ସ୍ଵପ୍ନ ହାସଲ ଦିଗରେ ଦ୍ରୁତ ଅଗ୍ରସର ହେଉଛି, ସେତେବେଳେ ଏହା ନିଜ ସେବକମାନଙ୍କର ସମ୍ମାନ ଉପରେ ପାଦ ଦେଇ ଆଗକୁ ବଢ଼ିବା ଉଚିତ ନୁହେଁ। 

****

No comments:

Post a Comment