Saturday, September 30, 2023

ସତର ଦଶନ୍ଧିରେ ଭାରତୀୟ ଡାକ


ସତର ଦଶନ୍ଧିରେ ଭାରତୀୟ ଡାକ

ବୃହସ୍ପତି ସାମଲ

ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ଇମେଲ: bsamalbbsr@gmail.com
ମୋବାଇଲ : ୯୪୩୭୦୨୨୬୬୯

     ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ୧୭୨୭ରେ ସ୍ଥାପିତ ଭାରତର ପ୍ରଥମ ଡାକଘରୁ କାର୍ଯ୍ୟ ଆରମ୍ଭ କରି ୧୭୭୪ରେ କଲିକତା ପ୍ରଧାନ ଡାକଘର,  ୧୭୮୬ରେ ମାଡ୍ରାସ (ଚେନ୍ନାଇ) ପ୍ରଧାନ ଡାକଘର,  ୧୭୯୪ରେ ବମ୍ବେ (ମୁମ୍ବାଇ) ପ୍ରଧାନ ଡାକଘର ଏବଂ ୧୮୦୦ରେ ବାଙ୍ଗାଲୋର (ବେଙ୍ଗାଲୁରୁ) ପ୍ରଧାନ ଡାକଘର ଜରିଆରେ ନିଜର କାର୍ଯ୍ୟ ପରିସରକୁ ଧିରେ ଧିରେ ବୃଦ୍ଧି କରି ମାତ୍ର ୭୦୦ ଡାକଘରକୁ ନେଇ ଭାରତର ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସିଙ୍କ  ପ୍ରଚେଷ୍ଟାରେ ୧ ଅକ୍ଟୋବର ୧୮୫୪ରେ ଡାକଘର ଅଧିନିୟମ, ୧୮୫୪ର ଘୋଷଣା କ୍ରମେ ଭାରତୀୟ ଡାକର ଆନୁଷ୍ଠାନିକ ଭିତ୍ତିଭୂମି ସୃଷ୍ଟି କରିଥିବା ବିଶ୍ବର ଏହି ସର୍ବବୃହତ ଡାକସଂସ୍ଥାର ମୋଟ ଡାକଘର ୧୯୪୭ରେ ଭାରତର ସ୍ୱାଧୀନତା ପ୍ରାପ୍ତି ବେଳକୁ ୨୩୩୪୪ରେ ପହଞ୍ଚି ସାରିଥିଲା। ସେବେଠାରୁ ଭାରତର ରାଜନୈତିକ, ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ସହ ଆଜିର ଦିନରେ ମୋଟ  ୧୫୯୨୫୧ (୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା) ଡାକଘର ସହ ଡାକଘର ପିଛା ହାରାହାରି ୨୦.୬୪ ବର୍ଗ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳର ୮୬୨୭ ଜଣ ନାଗରିକଙ୍କୁ (ଗ୍ରାମାଞ୍ଚଳରେ ୬୨୨୯ ଓ ସହରାଞ୍ଚଳରେ ୩୧୨୪୨) ସଫଳତା ପୂର୍ବକ ସେବା ପ୍ରଦାନ କରିପାରୁଛି। ୧ ଅକ୍ଟୋବର ୨୦୨୩ରେ ୧୭୦ ବର୍ଷରେ ପଦାର୍ପଣ କରୁଥିବା ଏହି ଭାରତୀୟ ଡାକ ବେଙ୍ଗାଲୁରୁରେ ଭାରତର ପ୍ରଥମ ୩ଡି ମୂଦ୍ରିତ ଡାକଘର (କେମ୍ବ୍ରିଜ ଲେଆଉଟ୍ ପୋଷ୍ଟ ଅଫିସ) ନିର୍ମାଣ କରି  ୧୮ ଅଗଷ୍ଟ ୨୦୨୩ରେ ତା'ର ଦୀର୍ଘ ୧୭ ଦଶନ୍ଧିର ଗୌରବମୟ ପ୍ରଗତିରେ ଏକ ନୂଆ ଫର୍ଦ୍ଦ ଯୋଡିବାରେ ସଫଳତା ହାସଲ କରିଛି।

     ଯଦିଓ ଚିଠିପତ୍ର ପ୍ରେରଣ ଓ ବିତରଣ ସହ ଟଙ୍କା ଦେଣନେଣ (ମନି ଅର୍ଡର) ଡାକଘରର ମୂଳ କାମ ଥିଲା, ସମୟ ଅନୁସାରେ ଦେଶବାସୀଙ୍କର ଆବଶ୍ୟକତାକୁ ଚାହିଁ ୧୮୮୨ରେ ଡାକଘର ସଞ୍ଚୟ ଯୋଜନା,  ୧୮୮୪ରେ ଡାକ ଜୀବନ ବୀମା, ୧୯୩୫ର ଭାରତୀୟ ପୋଷ୍ଟାଲ ଅର୍ଡର ଏବଂ ୧୯୫୯ରେ "ଅହର୍ନିଶି ସେବାମହେ" ଡାକରା ସହ ୧୯୮୬ର ସ୍ପିଡପୋଷ୍ଟ, ୧୯୯୪ରେ ଏକ୍ସପ୍ରେସ ପାର୍ସଲ, ୧୯୯୫ରେ ଗ୍ରାମୀଣ ଡାକ ଜୀବନ ବୀମା, ୨୦୦୬ରେ ଇପେମେଣ୍ଟ ସେବା  ଭଳି ବହୁ ନୂତନ ସେବା ଓ ଦ୍ରବ୍ଯ ମାଧ୍ୟମରେ ଡାକଘରର ସେବା ପରିସରକୁ ବୃଦ୍ଧି କରିବା ସହ ୨୦୦୮ରୁ ଆଧୁନିକୀକରଣ ଓ ୨୦୧୨ରୁ ସମ୍ପୂର୍ଣ୍ଣ କମ୍ପ୍ୟୁଟରୀକରଣ କରି ଗ୍ରାହକମାନଙ୍କୁ ଉତ୍ତମ ଓ ତ୍ୱରିତ ସେବା ପ୍ରଦାନ କରିବାକୁ ଯଥେଷ୍ଟ ଯତ୍ନବାନ। ଡାକ କାରବାର, ସଞ୍ଚୟ ଯୋଜନା ଓ ଜୀବନ ବୀମା ବ୍ୟତୀତ, ୨୦୦୭ରୁ ରେଳ ଯାତ୍ରୀ ପଞ୍ଜିକରଣ ବ୍ୟବସ୍ଥା, ୨୦୧୫ରୁ ଜୀବନ ପ୍ରମାଣ କେନ୍ଦ୍ର ଜରିଆରେ ପେନସନଭୋଗୀଙ୍କୁ ଡିଜିଟାଲ ଜୀବନ ପ୍ରମାଣ ପତ୍ର ପ୍ରଦାନ, ୨୦୧୬ରୁ ଗଙ୍ଗାଜଳ ବିକ୍ରି, ୨୦୧୭ରୁ ଡାକଘର ପାସପୋର୍ଟ ସେବା କେନ୍ଦ୍ର, ଆଧାର ସଂଶୋଧନ ଓ ପଞ୍ଜିକରଣ କେନ୍ଦ୍ର ଏବଂ ୨୦୨୦ରୁ ଡାକଘର ଗୋଟେ ସାଧାରଣ ସେବା କେନ୍ଦ୍ର ହିସାବରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ), ଶ୍ରମଯୋଗୀ ମନ-ଧନ ଯୋଜନା, ଲଘୁ ବ୍ୟାପାରୀ ମନ-ଧନ ଯୋଜନା, ଫସଲ ବୀମା ଯୋଜନା, ବିଜୁଳି, ପାଣି, ଗ୍ୟାସ ବିଲ ଓ ସାଧାରଣ ବୀମା ପ୍ରିମିୟମ ଅସୁଲି, ଟେଲିଫୋନ, ଡିଟିଏଚ, ଟାଟା ସ୍କାଏ ଭଳି ଟେଲିଭିଜନ କେବୁଲ ରିଚାର୍ଜ, ଉଡାଜାହାଜ, ରେଳ, ବସ ଟିକେଟ୍ ବୁକିଂ ଭଳି ଶହ ଶହ ସେବା ଯୋଗାଇ ଦେବାରେ ଆଜି ସକ୍ଷମ। ବିଜିନେସ ପୋଷ୍ଟ, ମେଡିଆ ପୋଷ୍ଟ, ମାଗାଜିନ ପୋଷ୍ଟ, ରିଟେଲ ପୋଷ୍ଟ, ଇପୋଷ୍ଟ, ଇପେମେଣ୍ଟ, ଇମନିଅର୍ଡର, ଭଳି ଯୋଜନାଗୁଡିକ ମାଧ୍ୟମରେ ଡାକଘର ବହୁବିଧ ସେବା ପ୍ରଦାନ କରିବା ସହ ଭାରତୀୟ ଡାକ, ଦର୍ପଣ (ଡିଜିଟାଲ ଆଡଭାନ୍ସମେଣ୍ଟ ଅଫ୍ ରୁରାଲ ପୋଷ୍ଟ ଅଫିସ ଫର୍ ଏ ନିଉ ଇଣ୍ଡିଆ) ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ୧୨୯୮୫୪ ଶାଖା ଡାକଘର ଜରିଆରେ ଜନସାଧାରଣଙ୍କୁ ଡିଜିଟାଲ ସେବା ଯୋଗାଇ ଦେଇ ପାରିଛି।

      ଆଜିର ଏ ଡିଜିଟାଲ ଦୁନିଆରେ ବିଶ୍ୱର ସର୍ବବୃହତ ଡାକ ସଂସ୍ଥାର ମାନ୍ୟତା ବଜାୟ ରଖିବା ସହ ଭାରତୀୟ ଡାକ ନାଗରିକଙ୍କର ଆବଶ୍ୟକତାକୁ ଚାହିଁ ଏହାର ପ୍ରତ୍ୟେକ ଦ୍ରବ୍ୟ ଓ ସେବାକୁ ପ୍ରତ୍ୟକ୍ଷ ଭାବରେ ଏକ ମାନବୀୟ ସ୍ପର୍ଶ ଦେଇ ମୂଲ୍ୟ ମୁତାବକ ସେବା ପ୍ରଦାନ ପାଇଁ ଡାକ ସେବାକୁ ଜନ ସେବାର ଆଖ୍ୟା ଦେଇଛି। ତଦନୁଯାୟୀ, ଏକ କ୍ରମବର୍ଦ୍ଧିଷ୍ଣୁ ପ୍ରକ୍ରିୟାରେ ଡାକଘର ତାର କାୟା ବୃଦ୍ଧି କରିଚାଲିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ବାମପନ୍ଥୀ ଉଗ୍ରବାଦ ଅଞ୍ଚଳରେ ୩୦୦୭ଟି ନୂଆ ଡାକଘର ଖୋଲା ଯାଇ ଡାକସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରଚେଷ୍ଟା କରାଯାଇଛି। ଏଠି କହି ରଖିବା ଉଚିତ ହେବ ଯେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ସମୁଦାୟ ୧୫୯୨୫୧ ଡାକଘର ଭିତରୁ ୨୫୧୧୦ଟି ବିଭାଗୀୟ ଡାକଘର ଏବଂ ୧୩୪୧୪୧ଟି ଶାଖା ଡାକଘର। ଏହି ୨୫୧୧୦ଟି ବିଭାଗୀୟ ଡାକଘର ମଧ୍ୟରୁ ମାତ୍ର ୪୫୮୦ଟି ଡାକଘର, ଡାକ ବିଭାଗର ନିଜସ୍ୱ ଗୃହରେ କାର୍ଯ୍ୟ କରୁଥିବା ବେଳେ, ୧୯୪୫୧ଟି ଡାକଘର ଭଡାଘରେ ଏବଂ ବାକି ୧୦୭୯ଟି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପ୍ରଦତ୍ତ ଭଡାମୁକ୍ତ ଘରମାନଙ୍କରେ କାର୍ଯ୍ୟ କରୁଛି। ୧୩୪୧୪୧ଟି ଶାଖା ଡାକଘର ଚାକିରୀର ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ ଶାଖା ଡାକପାଳ (ଯିଏ କି ଜଣେ ଗ୍ରାମୀଣ ଡାକ ସେବକ)ଙ୍କ ଦ୍ଵାରା ନିଜ ନିଜ ସୁବିଧା ଅନୁସାରେ ଯୋଗାଇ ଦିଆ ଯାଇଥାଏ। ତେଣୁ, ୧୫୯୨୫୧ ଡାକଘର ମଧ୍ୟରୁ, ବିଭାଗୀୟ ଗୃହରେ କାର୍ଯ୍ୟ କରୁଥିବା ମାତ୍ର ୪୫୮୦ (୨.୮୮%) ଡାକଘରକୁ ବାଦ ଦେଲେ ବାକି ୧୫୪୬୭୧ (୯୭.୧୨) ଡାକଘରର ଅନ୍ତନିର୍ମାଣ ଓ ଭିତ୍ତିଭୂମି ସଂରଚନା ନିହାତି ଦୁର୍ବଳ। ଗ୍ରାହକଙ୍କ ଆଶାନୁରୁପ ଆବଶ୍ୟକତା ପୁରଣ କରିବା ପାଇଁ ଏହି ଡାକଘରଗୁଡିକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ଆବଶ୍ୟକୀୟ ସ୍ଥାନ ଅଭାବରୁ ଅଧିକାଂଶ ଡାକଘରେ ନିର୍ଦ୍ଧାରିତ ପବ୍ଲିକ ସ୍ପେସ ନଥିବାରୁ ଗ୍ରାହକମାନେ ବସିବା କିମ୍ବା ଧାଡିରେ ଠିଆ ହୋଇ ଅପେକ୍ଷା କରିବାର ସୁବିଧା ନାହିଁ। ୨୫୧୧୦ ବିଭାଗୀୟ ଡାକଘର ମଧ୍ୟରୁ, ୮୦୮ଟି ମୂଖ୍ୟ ଓ ପ୍ରଧାନ ଡାକଘର ଏବଂ ବାକି ୨୪୩୦୨ ଉପ ଡାକଘର ଯାହାର ୯୦ପ୍ରତିଶତ ଜଣେ ଲେଖାଏଁ କର୍ମଚାରୀଙ୍କ ଦ୍ୱାରା ଚାଲିଛି। ତେଣୁ ଯେଉଁଠି ବା ଟିକେ ସୁବିଧା ଅଛି, ଜଣିଏ କର୍ମଚାରୀ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହେଉଥିବାରୁ ଗହଳି ଲାଗି ରହିବା ସହ ସେବା ପ୍ରଦାନ ବିଳମ୍ବିତ ହେବା ସ୍ୱାଭାବିକ। ଅଧିକନ୍ତୁ, ପାସପୋର୍ଟ ସେବା କେନ୍ଦ୍ର, ଆଧାର ପଞ୍ଜିକରଣ ଓ ସଂଶୋଧନ କେନ୍ଦ୍ର, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ, ପାର୍ସଲ ହବ୍ ଇତ୍ୟାଦି ଖୋଲିବାକୁ ଯାଇ ଅତିରିକ୍ତ ନିର୍ମାଣ କରିବା ବଦଳରେ, ବଡ ବଡ ଡାକଘରଗୁଡିକରେ ଗ୍ରାହକଙ୍କ ଚଳପ୍ରଚଳ ପାଇଁ ଯେଉଁ ଟିକେ ବଳକା ଜାଗା ଥିଲା, ତାକୁ ବ୍ୟବହାର କରିନେବାରୁ ତାହା ଆହୁରି ସଙ୍କୁଚିତ ହୋଇଗଲା।ପରିବର୍ତ୍ତିତ ବାତାବରଣରେ ଏୟାର କଣ୍ଡିସନର (ଏସି)  ଆଜି କାଲି ଆଉ ବିଳାସଯୋଗ୍ୟ ବସ୍ତୁ ହେଇ ନାହିଁ, ଏହା ଏବେ ଏକ ଆବଶ୍ୟକତା। କିନ୍ତୁ, କାଁଭାଁ କେତୋଟି ଡାକଘରକୁ ଛାଡିଦେଲେ, ୯୯ ପ୍ରତିଶତ ଡାକଘରେ ଏସି ତ ବହୁତ ଦୁରର କଥା, ଭଲ ପଙ୍ଖାଟିଏ ନାହିଁ। ଅଧିକାଂଶ ଡାକଘରେ କର୍ମଚାରୀମାନେ ଭଙ୍ଗା ଦଦରା ଚଉକି ମେଜରେ କାମ କରନ୍ତି। ରୋଗୀ, ମହିଳା ଅଥବା ବୟସ୍କ ନାଗରିକମାନଙ୍କୁ ବସେଇବା ପାଇଁ ନାଁ ଜାଗା ଥାଏ ନାଁ ଚଉକି ଥାଏ। ସେଇ ଗୋଟିଏ ଧାଡିରେ ନ ହେଲେ ବିଚରା ଡାକପାଳର ମେଜ ଚାରିପଟେ ସଭିଙ୍କର ଗହଳି।ଏପରି ସ୍ଥଳେ, ଗ୍ରାମୀଣ ଡାକ ସେବକଙ୍କ ଦ୍ବାରା ପ୍ରଦତ୍ତ ଶାଖା ଡାକଘରଗୁଡିକର ଅବସ୍ଥା ସହଜରେ ଅନୁମେୟ। ବିଶେଷ ସରକାରୀ ପ୍ରୋତ୍ସାହନ ବିନା, ଅନୁପଯୁକ୍ତ ଓ ଅଭାବୀ ଆସବାବପତ୍ର ଭିତରେ ଏଗୁଡିକ ପରିଚାଳିତ। ଏଭଳି ଅବ୍ୟବସ୍ଥା ଭିତରେ ଖରା, ବର୍ଷା, ଶୀତ, କାକରରେ ବ୍ୟସ୍ତ ବିବ୍ରତ ଜନସାଧାରଣ, ବିରକ୍ତିରେ ଡାକଘରୁ ମୁହଁ ଫେରେଇ ନେବା ସ୍ୱାଭାବିକ।

      ଦିନେ ଏକଚାଟିଆ କାରବାର ଚଳାଇଥିବା ଡାକ ଦେଣନେଣ ପାଇଁ ଘରୋଇ କୋରିୟର ସଂସ୍ଥା, ସଞ୍ଚୟ ଯୋଜନା ପାଇଁ ବ୍ୟାଙ୍କ ଓ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାନ ଏବଂ ଜୀବନବୀମା ପାଇଁ ଭାରତୀୟ ଜୀବନବୀମା ନିଗମ ସହ ଅନେକ ଘରୋଇ ସଂସ୍ଥା ଏବେ ଭାରତୀୟ ଡାକର ପ୍ରତିଯୋଗୀ ଯେଉଁମାନେ ଗ୍ରାହକଙ୍କୁ ସନ୍ତୁଷ୍ଟ କଲାଭଳି ପରିବେଷ୍ଟନିକୁ ପ୍ରାଥମିକତା ଦେଇଥାନ୍ତି। ଏଭଳି ପରିସ୍ଥିତିରେ କେବଳ ଗୋଟିଏ ୩ଡି ମୂଦ୍ରିତ ଡାକଘର ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। ଭାରତୀୟ ଡାକର ୪୫୭ଟି ମଣ୍ଡଳରେ ଅନେକ ଜାଗା ଡାକ ବିଭାଗ ନାଁରେ ପଞ୍ଜିକୃତ ଯାହା ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବାହାର ଲୋକଙ୍କ ଦ୍ୱାରା ଜବରଦଖଲରେ ରହିଛି। ସେଗୁଡ଼ିକୁ ନିଜ ଅକ୍ତିଆରକୁ ଆଣି ତୁରନ୍ତ ବିଭାଗୀୟ ଡାକଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ଓ ଡାକ ବିଭାଗ ଯତ୍ନବାନ ହେବା ଉଚିତ। ପ୍ରକାଶିତ ବିବରଣୀ ଅନୁଯାୟୀ, ୧୦୨୧ ବର୍ଗଫୁଟର ଉପରୋକ୍ତ ୩ଡି ମୂଦ୍ରିତ ଡାକଘର ମାତ୍ର ୪୩ ଦିନରେ ମୋଟ ୨୩ ଲକ୍ଷ ଟଙ୍କା ବିନିମୟରେ ତିଆରି ହେଇପାରିଛି ଯାହା ପାରମ୍ପରିକ ଢଙ୍ଗରେ କରିଥିଲେ ୬-୮ମାସ ସମୟ ଲାଗିଥାନ୍ତା ଏବଂ ୩୦-୪୦ ପ୍ରତିଶତ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାନ୍ତା। ନିର୍ମାଣ କ୍ଷେତ୍ରରେ ଡାକ ବିଭାଗ ଏଭଳି ଜ୍ଞାନକୌଶଳ ଆପଣେଇବା ଅତି ଶୁଭଙ୍କର। ତେଣୁ, ପ୍ରଗତି ପଥକୁ ପ୍ରଶସ୍ତ ଓ ଅପ୍ରତିହତ କରିବାକୁ ବ୍ୟବସାୟ ବୃଦ୍ଧି ପାଇଁ ପ୍ରଯତ୍ନ ଡାକ ବିଭାଗ ମହଜୁଦା ଗ୍ରାହକମାନଙ୍କୁ ବାନ୍ଧି ରଖିବା ସହ ନୂତନ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସେବାର ମାନ ବୃଦ୍ଧି ସହ ଡାକଘରର ଭିତ୍ତି ସଂରଚନା ଓ ପରିବେଷ୍ଟନିକୁ ଆକର୍ଷଣୀୟ କରିବା କରିବା ନିହାତି ଜରୁରୀ। ଭାରତୀୟ ଜନଜୀବନ ସହ ଭାରତୀୟ ଡାକର ସମ୍ପର୍କ ଆହୁରି ନିବିଡ ହେଉ, ଜନ୍ମ ଦିନରେ ଏହି ଶୁଭକାମନା।
******

No comments:

Post a Comment