ସୌଜନ୍ୟ : ପ୍ରଜାବାର୍ତ୍ତା, ୧୦ ସେପ୍ଟେମ୍ବର, ୨୦୨୩
ମାର୍ ମାର୍ କର୍ମଚାରୀଙ୍କୁ ମାର୍
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ୱର
ଇମେଲ: bsamalbbsr@gmail.com
ମୋବାଇଲ : ୯୪୩୭୦୨୨୬୬୯
ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ୬ ଜୁଲାଇ ୨୦୨୩ରେ ସର୍ବଭାରତୀୟ ସେବା (ମୃତ୍ୟୁ ସହ ସେବାନିବୃତ ଲାଭ) ସଂଶୋଧନ ନିୟମାବଳୀ ୨୦୨୩ ପାଇଁ ଜାରି କରିଥିବା ବିଜ୍ଞପ୍ତିର ଧାରା - ୩ରେ ସଲଗ୍ନ ସାଧାରଣ ସର୍ତ୍ତାବଳୀଗୁଡିକୁ ନେଇ ବର୍ତ୍ତମାନ ଅଧିକାଂଶ ସେବାନିବୃତ୍ତ ଅଧିକାରୀଗଣ ଦ୍ୱନ୍ଦରେ। ନୂତନ ନିୟମାନୁସାରେ, ଚାକିରୀକାଳ ଭିତରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରୁ ଦୁରେଇରହିବା ପାଇଁ ସର୍ବଭାରତୀୟ ସେବା (ଆଚରଣ) ନିୟମାବଳୀ ୧୯୬୮ର ସମସ୍ତ ସର୍ତ୍ତାବଳୀଗୁଡିକୁ ମାନିବାକୁ ବାଧ୍ୟ ଥିବା ଅଧିକାରୀଗଣ ସେବାନିବୃତ୍ତି ପରେ ଯଦି କୌଣସି ଗମ୍ଭୀର ଅପରାଧ ବା ଅସଦାଚରଣରେ ଲିପ୍ତ ଥିବାର ଅଭିଯୋଗ ଆସେ ବା ପ୍ରମାଣିତ ହୁଏ, ତେବେ କେନ୍ଦ୍ର ସରକାର ସମ୍ପୃକ୍ତ ପେନସନଭୋଗୀଙ୍କର ପେନସନକୁ ଆଂଶିକ ବା ପୂର୍ଣ୍ଣମାତ୍ରାରେ କିଛି ସମୟ ପାଇଁ କିମ୍ବା ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇପାରିବେ। ଅବଶ୍ୟ, ୧୦ ଅଗଷ୍ଟ ୨୦୨୩ରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ସଫେଇ ଦେବାକୁ ଯାଇ କହିଛନ୍ତି ଯେ ଏହି ସର୍ତ୍ତାବଳୀ ୧୯୫୮ର ମୂଳ ନିୟମରେ ଥିଲା। ତାହେଲେ, ପ୍ରଶ୍ନ ଉଠେ, ଆଉ ସଂଶୋଧନର ଆବଶ୍ୟକତା କ'ଣ ଥିଲା? ୧୯୫୮ର ମୂଳ ନିୟମର ଧାରା ୩ରେ ମାତ୍ର ତିନୋଟି ଉପଧାରା ଥିଲା ବେଳେ, ୨୦୨୩ର ସଂଶୋଧିତ ନିୟମରେ ଆଠଟି ଉପଧାରା ଯୋଡାଯାଇ ଆହୁରି କଡାକଡି କରାଯାଇଛି। ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ ଏହା କେବଳ ଇଣ୍ଟେଲିଜେନ୍ସ ଓ ସୁରକ୍ଷା ବିଭାଗ ସହ ଯୋଡି ହୋଇଥିବା ଅଧିକାରୀଙ୍କୁ ଲାଗୁହେବ। କିନ୍ତୁ, ଏବେ ଯାହା କିଛି ନିର୍ଦ୍ଦିଷ୍ଟ ବିଭାଗର ସର୍ବଭାରତୀୟ ଅଧିକାରୀଙ୍କ ପାଇଁ ଲାଗୁହେଇଛି, ପରବର୍ତ୍ତୀ ସମୟରେ ଏହା ଯେ କେନ୍ଦ୍ରର ଅନ୍ୟ ବର୍ଗର ସବୁ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ନହେବ ଏବଂ ପର୍ଯ୍ୟାୟକ୍ରମେ ତାକୁ ରାଜ୍ୟ ସରକାର ଓ ରାଷ୍ଟ୍ରାୟତ ଉଦ୍ୟୋଗମାନେ ଯେ ଲାଗୁ ନକରିବେ, କିଏ କହିବ। ସେବାନିବୃତ୍ତ ଅଧିକାରୀ ଓ କର୍ମଚାରୀଗଣ ଏବେ ଘୋର ଆଶଙ୍କା ଭିତରେ। ପୁରୁଣା ପେନସନ ଯୋଜନାକୁ ବାତିଲ କରି ୨୦୦୪ରୁ ଜାତୀୟ ପେନସନ ଯୋଜନା ଲାଗୁ କରିଥିବା ସରକାର ପେନସନକୁ ଧୀରେ ଧୀରେ ସମ୍ପୂର୍ଣ୍ଣ ବନ୍ଦ କରିଦେବା ପାଇଁ ଏକ ନୂତନ ଅଭିସନ୍ଧି ରଚନା କରୁନାହାନ୍ତି ତ?
ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶ ବିଶେଷ ଭାବେ ୨୨ ଡିସେମ୍ବର ୨୦୦୩ର ଏକ କାର୍ଯ୍ୟକାରୀ ଆଦେଶ ବଳରେ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁୟାରୀ ପହିଲା ୨୦୦୪ରୁ ଓପିଏସ ବାତିଲ ହୋଇ ଏନପିଏସର ପ୍ରଚଳନ ହେଲା। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସରେ ଶେଷ ଦରମାର ୫୦% ପେନସନ ଆକାରରେ ମିଳୁଥିଲା ବେଳେ ଏନପିଏସରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ। ଏନପିଏସ ଉପଭୋକ୍ତାମାନେ ସରକାରୀ ଚାକିରୀରୁ ଅବସର ନେଇ ପରିବାର ପ୍ରତିପୋଷଣ ଏବେ ଦିନ ମଜୁରିଆ ଭାବେ ସମୟ କାଟୁଛନ୍ତି। କିଏ ପରିବା ବିକୁଛି ତ କିଏ ପାନ ଦୋକାନ ଖଣ୍ଡେ କରି ଚଳୁଛି। କେହି କେହି ସ୍ୱାଭିମାନୀ ଆତ୍ମହତ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ଏଭଳି ପରିସ୍ଥିତିରେ, କର୍ମଚାରୀମାନେ ନିଜର ଭବିଷ୍ୟତ ଉଜୁଡିଯିବା ଆଶଙ୍କାରେ ଏନପିଏସ ଉଚ୍ଛେଦ ଆନ୍ଦୋଳନକୁ ତୀବ୍ରତର କରିବାରେ ଲାଗିପଡିଛନ୍ତି। ୧୦ ଅଗଷ୍ଟ ୨୦୨୩ରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ଲକ୍ଷରୁ ଉର୍ଦ୍ଧ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଏକ ବିଶାଳ ଶୋଭାଯାତ୍ରା ଓ ଧାରଣା ଆୟୋଜନ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏସଂକ୍ରାନ୍ତରେ ଏକ ଦାବିପତ୍ର ପ୍ରଦାନ କରି ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଲାଇବାକୁ ସୂଚିତ କରିଛନ୍ତି। ଅଧିକନ୍ତୁ, ସର୍ବନିମ୍ନ ମଜୁରି ବୃଦ୍ଧି ଓ ଅଷ୍ଟମ ବେତନ ଆୟୋଗ ଗଠନ କର୍ମଚାରୀମାନଙ୍କର ଏକ ଯଥାର୍ଥ ଦାବି ରହିଥିଲେ ମଧ୍ୟ, ସରକାର ସେଥିପ୍ରତି ଘୋର ଉଦାସୀନ। ଦେଶର ଜନ ପ୍ରତିନିଧିମାନେ ମାତ୍ର ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ପୁରୁଣା ପେନସନ ଯୋଜନା ଆଧାରରେ ଏକାଧିକ ପେନସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ ଚାକିରୀ କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଜଣେ ବିଧାୟକ, ସାଂସଦ ଅଥବା ମନ୍ତ୍ରୀଙ୍କର ବିୟୋଗ ଘଟିଲେ, ଯୋଗ୍ୟତା ଥାଉ କି ନଥାଉ ଏବେ ତାଙ୍କ ସ୍ତ୍ରୀ ଅବା ପୁଅ ଝିଅଙ୍କୁ ଲଢିବା ପାଇଁ ତୁରନ୍ତ ଟିକେଟ ମିଳିବା ଥୟ। ଖାଲି ଥିବା ପଦ ପୁରଣ ପାଇଁ ଛଅ ମାସ ଭିତରେ ନିର୍ବାଚନ। କିନ୍ତୁ ଚାକିରୀରେ ଥାଇ ମୃତ୍ୟୁହେଲେ ପରିବାରର ଯୋଗ୍ୟ ବ୍ୟକ୍ତିଙ୍କୁ ଅନୁକମ୍ପାମୂଳକ ଚାକିରୀ ପ୍ରଦାନ କରିବାରେ ପାଞ୍ଚ ପ୍ରତିଶତ ସିଲିଂ ସହ ଅନେକ ନୀତିନିୟମ ଓ ଅହେତୁକ ବିଳମ୍ବ। ସରକାରୀ ଦପ୍ତରରେ ଖାଲି ପଡିଥିବା ଲକ୍ଷ ଲକ୍ଷ ପଦ ପୁରଣ ପାଇଁ ବର୍ଷ ବର୍ଷ ଧରି କୌଣସି ତତ୍ପରତା ନାହିଁ।
ନିୟମତଃ ଦିନକୁ ଆଠଘଣ୍ଟା କାମକରିବାକୁ ଥିବା କର୍ମଚାରୀଟିଏ ସାମ୍ପ୍ରତିକ ପରିସ୍ଥିତିରେ ବାରଘଣ୍ଟାରୁ ଉର୍ଦ୍ଧ ସମୟ କାମକରିବାକୁ ବାଧ୍ୟ ହେଉଛି। ଦେଶର ଜନସଂଖ୍ୟା ବଢି ୧୪୩ କୋଟିରେ ପହଞ୍ଚିଥିବା ବେଳେ, ୧୯୮୩ରୁ ନୂତନ ପଦବୀ ସୃଷ୍ଟି ବନ୍ଦ ହେବା, ଉଭୟ କେନ୍ଦ୍ର, ରାଜ୍ୟ ଓ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକରେ ଖାଲି ପଡିଥିବା ଲକ୍ଷ ଲକ୍ଷ ପଦବୀ ପୁରଣ ନହେବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଏହାର ପ୍ରମୁଖ କାରଣ ଯେଉଁଥି ପାଇଁ କର୍ମଚାରୀ ନୁହେଁ ବରଂ ସରକାରଙ୍କ ଦୁର୍ବଳ ନୀତି ଦାୟୀ। ସପ୍ତମ ବେତନ ଆୟୋଗ ୨୦୧୫ରେ ତାଙ୍କର ରିପୋର୍ଟ ପ୍ରଦାନ କଲାବେଳେ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ସାତ ଲକ୍ଷରୁ ଅଧିକ ନିୟମିତ ପଦବୀ ଖାଲି ପଡିଥିଲା ବୋଲି ଉଲ୍ଲେଖ କରିଥିଲେ ଯାହା ଏବେ ବଢି ବଢି ୧୫ ଲକ୍ଷ ଟପିଲାଣି। କେବଳ ଭାରତୀୟ ରେଳ ବିଭାଗରେ ତିନି ଲକ୍ଷରୁ ଉର୍ଦ୍ଧ ପଦବୀ ଖାଲି। ତାବାଦ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଅଧିନରେ ଲକ୍ଷ ଲକ୍ଷ ଚୁକ୍ତିଭିତ୍ତିକ, ସାମୟିକ ତଥା ଠିକା କର୍ମଚାରୀ ଓ ବିଶ୍ୱର ସର୍ବ ବୃହତ ଡାକ ସଂସ୍ଥା ଭାରତୀୟ ଡାକର ୩ଲକ୍ଷ ଗ୍ରାମୀଣ ଡାକ ସେବକ ନିୟମିତ ହେବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷାରତ। ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ନର୍ସ, ବିଚାରାଳୟରେ ଆବଶ୍ୟକ ସଂଖ୍ୟକ ବିଚାରପତି, ଥାନାଗୁଡିକରେ ଆବଶ୍ୟକ ସଂଖ୍ୟକ ପୁଲିସବଳ ନରହିଲେ ଶିକ୍ଷା ସ୍ୱାସ୍ଥ୍ୟସେବା, ନ୍ୟାୟ ବ୍ୟବସ୍ଥା ଓ ଦେଶରେ ଶାନ୍ତି ଶୃଙ୍ଖଳା ରକ୍ଷାର ମାନ ବୃଦ୍ଧି ହେବ କେମିତି? କେନ୍ଦ୍ର ସରକାର ତାଙ୍କର ଘରୋଇକରଣ ଓ ଉଦ୍ୟୋଗୀକରଣ ନୀତିକୁ କ୍ଷୀପ୍ରତର କରିବା ପାଇଁ ଡାଉନସାଇଜିଂ ଓ ଆଉଟସୋର୍ସିଂ ନାଁ'ରେ ଦିନକୁ ଦିନ ଏକ ପକ୍ଷରେ ପଦବୀ ସଂଖ୍ୟା ସଂକୁଚିତ କରିଚାଲିଥିବା ବେଳେ, ସେବା ପ୍ରଦାନରେ ସାମାନ୍ୟ ବିଚ୍ୟୁତି ଘଟିଲେ ସାଧାରଣରେ କର୍ମଚାରୀଙ୍କୁ ଦୋଷାରୋପ କରାଯାଏ ସିନା, ନିର୍ବାଚନ ଇସ୍ତାହାରରେ ଏ ସଂକ୍ରାନ୍ତରେ ବଡ ବଡ ପ୍ରତିଶ୍ରୁତି ଦେଇ କ୍ଷମତା ହାତେଇଥିବା ସରକାରଙ୍କୁ ନୁହେଁ।
ଦେଶ ପ୍ରତି କୌଣସି ବିପଦ ସୃଷ୍ଟି ହେଲେ ସାମରିକ ସେବାରେ ଥିବା ସୈନିକଟିଏ ଠାରୁ ବେସାମରିକ ସେବାରେ ଥିବା ଚତୁର୍ଥଶ୍ରେଣୀ କର୍ମଚାରୀଟିଏର ଆବଶ୍ୟକତା ପଡିଥାଏ। କୋଭିଡ୍ ମହାମାରୀ ସମୟରେ ବର୍ଷ ବର୍ଷ ଧରି ସେହିଭଳି ପରିସ୍ଥିତି ଥିଲା। ସାଧାରଣ ଜନତା ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟ, ସୁଖସ୍ୱାଛନ୍ଦ୍ୟକୁ ପ୍ରଧାନ୍ୟ ଦେଇ ଲକଡାଉନ ଓ ସଟଡାଉନ ସମୟରେ ଘରେ ସୁରକ୍ଷିତ ରହିଥିଲା ବେଳେ ପୁଲିସ, ସୈନିକ, ଡାକ୍ତର, ରେଳବାଇ, ଡାକ, ତାର, ବ୍ୟାଙ୍କ, ଜୀବନବୀମା, ପାଣି, ବିଜୁଳି ଆଦି ବିଭାଗର କର୍ମଚାରୀମାନେ ଜୀବନକୁ ବାଜି ଲଗେଇ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ଧରି ଅହର୍ନିଶି ନିରବଚ୍ଛିନ୍ନ ସେବା ଯୋଗାଇ ଦେଇଥିଲେ। କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଯେ ସରକାର ଅତି ନିର୍ଦ୍ଦୟ ଭାବେ ସେହି କର୍ମଚାରୀମାନଙ୍କର ଗୋଟିଏ ଦିନର ଦରମା ସହ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ଦୀର୍ଘ ୧୮ ମାସର ମହଙ୍ଗା ଭତ୍ତାକୁ ଜବରଦସ୍ତ ବନ୍ଦ କରିଦେଲେ। ଦେଶର ବଡ ବଡ ବିପତ୍ତି ସମୟରେ କର୍ମଚାରୀମାନଙ୍କର ଦିନେ ଦୁଇଦିନର ଦରମା କଟିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଏଥିପାଇଁ ସେମାନେ ସାମାନ୍ୟ ପ୍ରଶଂସାର ପାତ୍ର ହୋଇନଥିବା ବେଳେ ନିଜ ହକ ପାଇଁ ଦାବି କଲେ ସରକାର ବିଭିନ୍ନ ଆଳ ଦେଖେଇ ଆଡେଇଯିବା ଏକ ସାଧାରଣ ଘଟଣା।
ବେଡି ଉପରେ କୋରଡା ଭଳି କର୍ମଚାରୀଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ ଉଦ୍ଦିଷ୍ଟ ସମୁଦାୟ ୪୪ଟି ଶ୍ରମ ଆଇନରୁ ୧୫ଟିକୁ ସଂପୂର୍ଣ୍ଣ ଉଚ୍ଛେଦ କରି ବାକି ୨୯ଟି ଅଧିନିୟମକୁ କେନ୍ଦ୍ର ସରକାର ନିଯୁକ୍ତିଦାତାଙ୍କୁ ସୁହାଇଲା ଭଳି ୪ଟି ଶ୍ରମ କୋଡରେ ପରିଣତ କରିଛନ୍ତି। ଶ୍ରମ କୋଡ ଲାଗୁହେଲେ କିଛି ନିର୍ଦ୍ଦିଷ୍ଟ ଉଦ୍ୟୋଗପତିଙ୍କୁ ସୁହାଇବ ସିନା, ନିରବଚ୍ଛିନ୍ନ ସଂଘର୍ଷ ଦ୍ୱାରା ପ୍ରାପ୍ତ ଦୈନିକ ନିର୍ଦ୍ଦିଷ୍ଟ ୮ ଘଣ୍ଟା କାର୍ଯ୍ୟର ସମୟ ସୀମା, ସର୍ବନିମ୍ନ ଓ ସମାନ କାମକୁ ସମାନ ମଜୁରି, ବୋନସ, ମହଙ୍ଗା ଭତ୍ତା, ଗସ୍ତ ଖର୍ଚ୍ଚ ଓ ଅନ୍ୟାନ୍ୟ ଆର୍ଥିକ ସୁବିଧାର ମାନ ନିର୍ଦ୍ଧାରଣ, ସାମୟିକ ଓ ଅର୍ଜିତ ଛୁଟି, ସାପ୍ତାହିକ କାର୍ଯ୍ୟ ଦିବସ, କାର୍ଯ୍ୟସ୍ଥଳୀରେ ସ୍ୱାସ୍ଥ୍ୟ ଓ ଜୀବନର ନିରାପତ୍ତା ଇତ୍ୟାଦି ସହ ଶ୍ରମିକ ସଂଗଠନର ହକ୍ ପାଇଁ କଥାବାର୍ତ୍ତାର ଅଧିକାର ସଙ୍କଟାପନ୍ନ ହେବ ଯେଉଁଥି ପାଇଁ ଭାରତର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ସହ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଘ, ମହାସଂଘ ଓ ପରିସଂଘମାନେ ସଂଘର୍ଷରତ ଥିଲେ ବି କୌଣସି ସୁଫଳ ମିଳୁନି।
ଏହିଭଳି ବିଭିନ୍ନ କର୍ମଚାରୀ ମାରଣନୀତି ଆପଣାଇ ପର୍ଯ୍ୟାୟକ୍ରମେ କର୍ମଚାରୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ସରକାର ଏବେ ଅବସର ପରେ ବି ସ୍ୱାଧୀନ ଭାବେ ବଞ୍ଚିବାକୁ ନଦେବାର ଯୋଜନା ପ୍ରସ୍ତୁତରେ ବ୍ୟସ୍ତ। କର୍ମଚାରୀ ମାରଣନୀତିର ଚିଠା ଢେର ଲମ୍ବା। ଏମାନେ କହିବେ କାହାକୁ, ଶୁଣିବ କିଏ? ଏଠି ତ ବାଡ କ୍ଷେତ ଖାଉଛି। ନିଜେ ପୁରୁଣା ପେନସନ ନେଇ କ୍ଷମତା ଉପଭୋଗ କରୁଥିବା ରାଜନେତା ନିଜ କର୍ମଚାରୀଙ୍କୁ ପୁରୁଣା ପେନସନ ଦେବା ପାଇଁ ନାରାଜ। କି ବିଚିତ୍ର ନୀତି ସତେ! ଭାରତର ପ୍ରତ୍ୟେକ ପାଞ୍ଚଜଣ ଆୟକରଦାତାଙ୍କ ମଧ୍ୟରେ ରହୁଥିବା ଜଣେ ସରକାରୀ କର୍ମଚାରୀର ଜୀବନ ଏବେ ଖୁବ ଦୁର୍ବିସହ। ୨୦୧୩-୧୪ ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ସମସ୍ତ ଆୟକରଦାତାଙ୍କ ସଂଖ୍ୟା ୨.୪ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ କେବଳ କର୍ମଚାରୀ ଓ ପେନସନଭୋଗୀଙ୍କ ସଂଖ୍ୟା ୪.୫ ପ୍ରତିଶତ ବୃଦ୍ଧିପାଇଛି। ଦେଶଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କର୍ମଚାରୀ ଓ ପେନସନଭୋଗୀମାନଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବ ସର୍ବାଦୌ ବର୍ଜନୀୟ। ଚାକିରୀକାଳର ଯନ୍ତ୍ରବତ ଜୀବନ ଜଞ୍ଜାଳରୁ ଅବସର ନେଲା ପରେ ଦେଶର ଏହି ବରିଷ୍ଠ ନାଗରିକମାନଙ୍କୁ ପୁନର୍ବାର ଆଚରଣ ବିଧିର ଭୟ ଦେଖାଇ ହନ୍ତସନ୍ତ କରିବା ଏବଂ ସେମାନଙ୍କର ସ୍ୱାଧୀନ ଅଭିବ୍ୟକ୍ତି ଉପରେ ଅଙ୍କୁଶ ଲଗେଇବା ଏକ ଜନମଙ୍ଗଳ ରାଷ୍ଟ୍ର ପକ୍ଷରେ ଆଦୌ ଶୋଭନୀୟ ନୁହେଁ।
*********
No comments:
Post a Comment