ନିଯୁକ୍ତି ମେଳାର ବାସ୍ତବତା
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡ଼ିଶା ରାଜ୍ୟ ସମନ୍ୱୟ ସମିତି, ଭୁବନେଶ୍ଵର
ଏବେ ବର୍ଷର ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ବାରମ୍ବାର ଆୟୋଜିତ ରୋଜଗାର ମେଳା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଥମ ଥର ପାଇଁ ୨୨ ଅକ୍ଟୋବର ୨୦୨୨ରେ ଆରମ୍ଭ ହୋଇଥଲା। ପ୍ରଧାନମନ୍ତ୍ରୀ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଶୁଭେଚ୍ଛା ଓ ଶୁଭକାମନା ଜଣାଇ କହିଥିଲେ ଯେ, “ଆଜି ହେଉଛି ସେହି ଦିନ, ଯାହା ରୋଜଗାର ମେଳା ରୂପରେ ଗତ ୮ ବର୍ଷ ଧରି ଦେଶରେ ରୋଜଗାର ଏବଂ ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ଚାଲିଥିବା ଅଭିଯାନ ଗୁଡିକରେ ଏକ ନୂତନ ଅଧ୍ୟାୟ। ସ୍ୱାଧୀନତାର ୭୫ ବର୍ଷକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହି କାର୍ଯ୍ୟକ୍ରମ ଅଧୀନରେ ୭୫,୦୦୦ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଆମେ ସ୍ଥିର କରିଲୁ ଯେ ଗୋଟିଏ ଥର ନିଯୁକ୍ତି ପତ୍ର ପ୍ରଦାନ କରିବାର ଏକ ପରମ୍ପରା ଆରମ୍ଭ ହେବା ଉଚିତ, ଯାହା ଦ୍ୱାରା ବିଭାଗ ଗୁଡିକରେ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ସମାପ୍ତ କରିବାର ସାମୂହିକ ସ୍ୱଭାବ ବିକାଶିତ ହେବ।”
ଏହି ପରିପ୍ରେକ୍ଷୀରେ, ଭାରତୀୟ ଡାକ ବିଭାଗର ଜଣେ ପ୍ରାକ୍ତନ କର୍ମଚାରୀ ଭାବେ ଲେଖକଙ୍କର ନିଜସ୍ଵ ଅଭିଜ୍ଞତା ହେଲା ବହୁ ପୂର୍ବରୁ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗଦାନ କରିସାରିଥିବା ଇନ୍ସପେକ୍ଟର, ଷ୍ଟେନୋଗ୍ରାଫର, ପୋଷ୍ଟାଲ ଆସିଷ୍ଟାଣ୍ଟ, ସର୍ଟିଂ ଆସିଷ୍ଟାଣ୍ଟ ଏବଂ ଗ୍ରାମୀଣ ଡାକସେବକମାନଙ୍କୁ ବ୍ୟକ୍ତିଗତ ଭାବରେ ଏହି ସ୍ୱତନ୍ତ୍ର ଉତ୍ସବକୁ ନିମନ୍ତ୍ରିତ କରି ମୂଖ୍ୟ ଅତିଥିଙ୍କ ଦ୍ୱାରା ସିଧାସଳଖ ନିଯୁକ୍ତିପତ୍ର ପ୍ରଦାନ ମଧ୍ୟ କରାଗଲା। ଅର୍ଥାତ, କୌଣସି ନୂତନ ଯୋଗ୍ୟ ପ୍ରାର୍ଥୀଙ୍କୁ ନୁହେଁ, ବରଂ କର୍ମଚାରୀମାନଙ୍କୁ ଏକ ବହୁ ଆଡମ୍ବର ପ୍ରକ୍ରିୟାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଫୁଲ ଓ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ଏକ ସଭା ମଞ୍ଚରେ ରୋଜଗାର ମେଳା ନାଁରେ ଆଉଥରେ ନିଯୁକ୍ତି ପତ୍ର ବଣ୍ଟନ କରି ଏଭଳି ପ୍ରଚାରପ୍ରସାର କରାଗଲା ଯେଭଳି ସରକାର ତାଙ୍କ ପୂର୍ବ ନିର୍ବାଚନ ପ୍ରତିଶ୍ରୁତି ରଖିବାକୁ ଶତଚେଷ୍ଟିତ। ଭାରତୀୟ ଡାକର ୧୬୮ ବର୍ଷର ଇତିହାସରେ ଏହା ସର୍ବପ୍ରଥମ ଘଟଣା ହେଉଥିବାରୁ ଏହାକୁ "ମିଶନ ରିକ୍ରୁଟମେଣ୍ଟ, ପ୍ରଥମ ଜାତୀୟ ଘଟଣା" ହିସାବରେ ମଧ୍ୟ ଅଭିହିତ କରାଗଲା। ଏହା ଭିତରେ ଦୁଇ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇସାରିଲାଣି। ହେଲେ କୌଣସି ବିଭାଗରେ ନୂତନ ପଦବୀ ସୃଷ୍ଟି ହେଉନାହିଁ କିମ୍ବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ଖାଲି ପଡିଥିବା ପଦବୀମାନ ପୂରଣ ହେଉନାହିଁ। ନିୟମିତ ପଦବୀ ଜାଗାରେ ସାମୟିକ ଓ ଚୁକ୍ତିଭିତ୍ତିକ କର୍ମଚାରୀ ନିର୍ଦ୍ଧାରିତ ବେତନ ଠାରୁ ସ୍ୱଳ୍ପ ମଜୁରୀରେ ଦିନରାତି ଖଟୁଛନ୍ତି ସିନା, ସେମାନଙ୍କୁ ନିୟମିତ କରି ନିଯୁକ୍ତି ପତ୍ର ବଣ୍ଟନ କରିବାର ଆନ୍ତରିକତା କୌଣସି ସରକାର ପାଖରେ ନାହିଁ। ବରଂ ନିଯୁକ୍ତିକୁ ସଂକୁଚିତ କରି ଅଧିକାଂଶ କାମକୁ ଆଉଟସୋର୍ସିଂ କରାଯାଉଛି। ସାରା ଦେଶରେ କାର୍ଯ୍ୟରତ ଅନ୍ୟୁନ ୨୫ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା, ୧୦ ଲକ୍ଷ ଆଶା କର୍ମୀ, ୧୪ ଲକ୍ଷ ଆୟୁଷ ଡାକ୍ତର ତଥା ଲକ୍ଷ ଲକ୍ଷ ଭିନ୍ନ ଭିନ୍ନ ବର୍ଗର ଶିକ୍ଷକ ଓ ଅଧ୍ୟାପକ ଭଳି ବହୁ କ୍ୟାଡ଼ରର କର୍ମଚାରୀଙ୍କ ଅବସ୍ଥା ଅତିବ ଶୋଚନୀୟ ଯାହାଙ୍କ ପାଇଁ ନିୟମିତ ନିଯୁକ୍ତି ପତ୍ର ଅତି ଆବଶ୍ୟକ।
ସପ୍ତମ ବେତନ ଆୟୋଗ ୨୦୧୫ରେ ତାଙ୍କର ରିପୋର୍ଟ ପ୍ରଦାନ କଲାବେଳେ ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ସାତ ଲକ୍ଷରୁ ଅଧିକ ନିୟମିତ ପଦବୀ ଖାଲି ପଡିଥିଲା ବୋଲି ଉଲ୍ଲେଖ କରିଥିଲେ, ଯାହା ଏବେ ବଢି ବଢି ଏଗାର ଲକ୍ଷ ଟପିଲାଣି। ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ଲୋକସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୧୫୬୯ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ସରକାରୀ ଦପ୍ତରରେ ଖାଲି ପଡିଥିବା ପଦବୀ ଉପରେ ନିର୍ଦ୍ଦିଷ୍ଟ ତଥ୍ୟ ଉପସ୍ଥାପନ ପାଇଁ ପଚରାଯାଇଥିବା ପ୍ରଶ୍ନକୁ ସହଜରେ ଏଡେଇ ଯାଇ କେବଳ ରୋଜଗାର ମେଳା ମାଧ୍ୟମରେ ଖାଲି ପଡିଥିବା ପଦବୀଗୁଡିକୁ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ପୁରଣ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶନାମା ଜାରି କରାଯାଉଛି ବୋଲି ମାନ୍ୟବର କେନ୍ଦ୍ର କାର୍ମୀକ, ସାଧାରଣ ଅଭିଯୋଗ ଓ ପେନସନ୍ ରାଷ୍ଟ୍ର ମନ୍ତ୍ରୀ ଡଃ. ଜିତେନ୍ଦ୍ର ସିଂ ୩୧ ଜୁଲାଇ ୨୦୨୪ରେ ଉତ୍ତର ରଖିଥିଲେ। ଖାଲି ପଡିଥିବା ପଦବୀ ସଂଖ୍ୟା କିମ୍ବା ବିଗତ ଦଶନ୍ଧିରେ କେତେ ନିଯୁକ୍ତି ପାଇଛନ୍ତି ସେବାବଦରେ କୌଣସି ଉତ୍ତର ମିଳିଲା ନାହିଁ।
କାର୍ମୀକ ଓ ପ୍ରଶିକ୍ଷଣ ବିଭାଗର ତଥ୍ୟାନୁଯାୟୀ ୧ ମାର୍ଚ୍ଚ ୨୦୨୧ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅଧିନରେ ମଞ୍ଜୁରୀପ୍ରାପ୍ତ ମୋଟ ୪୦,୩୫,୨୦୩ ପଦବୀରୁ କାର୍ଯ୍ୟରତ କର୍ମଚାରୀଙ୍କ ସଂଖ୍ୟା ଥିଲା ୩୦,୫୫,୮୭୩। ଖାଲି ପଡିଥିବା ପଦବୀଗୁଡ଼ିକ ମଧ୍ୟରେ ମୂଖ୍ୟତଃ ରେଳବାଇର କେବଳ ୨,୯୩,୯୪୩, ନିରାପତ୍ତା ବିଭାଗ (ବେସାମରିକ)ର ୨,୬୪,୭୦୭ ଏବଂ ଗୃହ ବିଭାଗର ୧,୪୩,୫୩୬। ମାର୍ଚ୍ଚ ୨୦୨୩ ସୁଦ୍ଧା ସମସ୍ତ କେନ୍ଦ୍ର ସରକାରୀ ଦପ୍ତରରେ ୨୪% ବେସାମରିକ ପଦବୀ ଖାଲି ଥିଲା। ଏଥିମଧ୍ୟରୁ ତୃତୀୟ ଶ୍ରେଣୀ (ଅଣଗେଜେଟେଡ୍) ପଦବୀ ୩୩% ଏବଂ ଦ୍ୱିତୀୟ ଶ୍ରେଣୀ (ଗେଜେଟେଡ୍) ପଦବୀ ୧୬%। ତାବାଦ, ଲକ୍ଷ ଲକ୍ଷ ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ମଧ୍ୟ ଅଛନ୍ତି। ଅଧିକନ୍ତୁ, କେନ୍ଦ୍ର ସରକାର ତାଙ୍କର ଘରୋଇକରଣ ଓ ଉଦ୍ୟୋଗୀକରଣ ନୀତିକୁ କ୍ଷୀପ୍ରତର କରିବା ପାଇଁ ଡାଉନସାଇଜିଂ ଓ ଆଉଟସୋର୍ସିଂ ନାଁ'ରେ ଦିନକୁ ଦିନ ପଦବୀ ସଂଖ୍ୟା ସଂକୁଚିତ କରିଚାଲିଛନ୍ତି। ସବୁଠାରୁ ଦୁଃଖର ବିଷୟ ହେଲା ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ କହୁଥିବା ସରକାର କେବଳ କେନ୍ଦ୍ର ସରକାରୀ ଦପ୍ତରରେ ଖାଲି ପଡିଥିବା ୧୧ ଲକ୍ଷରୁ ଉର୍ଦ୍ଧ ପଦବୀକୁ ପୁରଣ କରିବାକୁ କେନ୍ଦ୍ରୀୟ ବଜେଟ ୨୦୨୫ରେ କୌଣସି ଠୋସ ପଦକ୍ଷେପ ନନେଇ କୋଟିକୋଟି ବେକାର ଯୁବକଯୁବତୀଙ୍କୁ ନିରାଶ କରିଛନ୍ତି। କ୍ରୟ ଶକ୍ତିର ଅଭାବ ସହ ଜନସଂଖ୍ୟାର ଏକ ବୃହତ ଅଂଶ ଆଜି ବ୍ୟାପକ ବେରୋଜଗାର ଓ ମଜୁରୀ ହ୍ରାସ ଭଳି ସମସ୍ୟାରେ ଜର୍ଜରିତ ଥିବାବେଳେ ଚଳିତ ବଜେଟ ସେସବୁର ସମାଧାନ ପାଇଁ କୌଣସି ପଦକ୍ଷେପ ନନେବା ସରକାରଙ୍କ ତଥାକଥିତ ନିଯୁକ୍ତି ମେଳା ଆୟୋଜନ ପ୍ରତି ଏକ କ୍ରୁର ଉପହାସ। ଅର୍ଥନୈତିକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତରେ ଶ୍ରମିକମାନଙ୍କୁ ମିଳୁଥିବା ମଜୁରୀର ସ୍ତର ମହାମାରୀ ପୂର୍ବର ସ୍ତର ଠାରୁ କମ୍ ରହିଛି ଏବଂ ଲୋକଙ୍କ କ୍ରୟ କ୍ଷମତା ହ୍ରାସ ଯୋଗୁଁ ଦେଶର ମୋଟ ଚାହିଦାରେ ସଂକୋଚନ ଘଟି ଅଭିବୃଦ୍ଧି ହାର ମଧ୍ୟ ହ୍ରାସ ପାଇଛି। ତେଣୁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇଁ ଚଳିତ ବଜେଟ ନୀରବ। ଅଧିକନ୍ତୁ ଜାତୀୟ ମନିଟାଇଜେସନ ପାଇପଲାଇନ ଜରିଆରେ ଅତ୍ୟନ୍ତ ଆକ୍ରମଣାତ୍ମକ ଭାବେ ଘରୋଇକରଣ ନୀତିକୁ ପ୍ରୋତ୍ସାହିତ କରାଯାଇଛି ଯାହା ନକାରାତ୍ମକ ଭାବେ ନିଯୁକ୍ତି କ୍ଷେତ୍ରକୁ ପ୍ରଭାବିତ କରିବ।
୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବାବେଳେ ବର୍ଷକୁ ଦୁଇକୋଟି ଚାକିରୀର ପ୍ରତିଶ୍ରୁତି ଦେଇ କ୍ଷମତା ଦଖଲ କରିଥିଲେ। ଦୀର୍ଘ ଦଶ ବର୍ଷର ଶାସନକାଳରେ ବେକାରୀ ସମସ୍ୟାର ସମଧାନ ଦିଗରେ କେନ୍ଦ୍ର ସରକାର କେତେଦୁର ସଫଳ ହେଇଛନ୍ତି, ତାହା ସର୍ବଜନ ବିଦିତ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସହ ଭାରତର ହାରାହାରି ବେକାରୀ ହାର ୨୦୧୪ରେ ୫.୪୪%ରୁ ବଢିବଢି ୨୦୨୪ରେ (ସେପ୍ଟେମ୍ବର) ୭.୮% ରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଓଡିଶାର ଅବସ୍ଥା ମଧ୍ୟ ଅତିବ ଶୋଚନୀୟ। ତଥ୍ୟାନୁଯାୟୀ, ୨୦୦୪ରେ ତୃଣମୂଳ ସ୍ତରରୁ ୭୫% ପଦବୀ ଉଚ୍ଛେଦ ହେବା ପରେ ଓଡ଼ିଶା ସରକାରଙ୍କ ମୋଟ ୩,୯୯,୬୬୬ ମଞ୍ଜୁରୀ ପ୍ରାପ୍ତ ପଦବୀରୁ ୧,୩୨,୪୫୯ ପଦବୀ ଦୀର୍ଘ ଦିନ ଧରି ଖାଲି ପଡିଥିବା ସତ୍ତ୍ୱେ, ସେପ୍ଟେମ୍ବର ୨୦୨୪ରେ ମାତ୍ର ୨୨୦୦୦ ଓ ଡିସେମ୍ବର ୨୦୨୪ରେ ମାତ୍ର ୩୭୬ ଜଣଙ୍କୁ ରୋଜଗାର ମେଳା ଜରିଆରେ ନିଯୁକ୍ତି ପତ୍ର ବାଣ୍ଟିବା ଅଗଣିତ ବେକାର ଯୁବକଯୁବତୀଙ୍କ ପ୍ରତି ଏକ କ୍ରୁର ଉପହାସ।
ପ୍ରଶ୍ନ ଉଠେ, ଯଦି ବେକାର ଯୁବକଯୁବତୀଙ୍କ ଥଇଥାନ ପାଇଁ ସରକାରଙ୍କ ବ୍ୟଗ୍ରତା ଓ ଆନ୍ତରିକତାରେ ରୋଜଗାର ମେଳାମାନ ବାରମ୍ବାର ଆୟୋଜିତ ହେଉଛି, ତେବେ ଏତେସଂଖ୍ୟକ କିଂକର୍ତ୍ତବ୍ୟବିମୁଢ ବେକାର ଯୁବକଯୁବତୀ ସରକାରୀ ଚାକିରୀ ପାଇବାର ପ୍ରତିଶ୍ରୁତିରେ ବିଭିନ୍ନ ଘରୋଇ ସଂସ୍ଥାମାନଙ୍କର ଦ୍ୱାରା କେମିତି ଓ କାହିଁକି ଠକେଇର ଶିକାର ହେଉଛନ୍ତି? ତଥ୍ୟାନୁଯାୟୀ ୨୦୨୦ରୁ ୨୦୨୩ ମଧ୍ୟରେ ହୋଇଥିବା ମୋଟ ସାଇବର ଅପରାଧର ୧୫% ଠକେଇ ନିଯୁକ୍ତି ସଂକ୍ରାନ୍ତୀୟ ଯାହାର ଶୀକାର ମୂଖ୍ୟତଃ ୨୧ରୁ ୩୦ ବର୍ଷର ପିଲାମାନେ ହୋଇଥାନ୍ତି ଏବଂ ଏଇ ଠକେଇର ପରିମାଣ ଦଶ ହଜାରରୁ ପଚାର ହଜାର ଟଙ୍କା ଏବଂ ସ୍ଥଳ ବିଶେଷରେ ଲକ୍ଷାଧିକ ମଧ୍ୟ ହୋଇଥାଏ। ଭାରତ ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରାଳୟ ୨୦୨୩-୨୪ରେ ୧୫ରୁ ୨୯ ବର୍ଷର ଯୁବକଯୁବତୀଙ୍କ ମଧ୍ୟରେ ବେକାରୀ ହାର ୧୦.୨% ବୋଲି ଆକଳନ କରିଛି।
ମେଳା ଆୟୋଜନ ମାଧ୍ୟମରେ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ଯଦି ଲକ୍ଷ ଲକ୍ଷ ସାମୟିକ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରି ନିଯୁକ୍ତି ପତ୍ର ବାଣ୍ଟି ପାରନ୍ତେ ଏବଂ ନୂତନ ପଦବୀ ସୃଷ୍ଟି କରି ସିଧାସଳଖ ନିଯୁକ୍ତି ଦେଇପାରନ୍ତେ ତେବେ ଯାଇ ନିଯୁକ୍ତି ମେଳାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବା ସହ କୋଟିକୋଟି ବେକାର ଯୁବକଯୁବତୀ ଚାକିରୀ ପାଇଁ ଠକେଇର ଶିକାର ହେବାରୁ ରକ୍ଷା ପାଇଁ ପାରନ୍ତେ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ନିଯୁକ୍ତି ମେଳା ଆୟୋଜନ ନାଁରେ ସରକାରୀ ଅର୍ଥକୁ ଅଯଥାରେ ବରବାଦ ନକରି ଏଭଳି ପ୍ରହସନକୁ ତୁରନ୍ତ ବନ୍ଦ୍ କରିବା ଆବଶ୍ୟକ। ନୂତନ ପଦବୀ ସୃଷ୍ଟି ସହ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ଦିଗରେ ତ୍ୱରିତ ପଦକ୍ଷେପ ନେଇ ନିଯୁକ୍ତି ପତ୍ର ସବୁ ଡାକ ଯୋଗେ ପ୍ରେରଣ କଲେ ରାଜକୋଷକୁ ଫାଇଦା ହେବା ସହ ସରକାରଙ୍କ ସୁନାମ ବଢିବା ସଙ୍ଗେସଙ୍ଗେ ତଥାକଥିତ ଆତ୍ମନିର୍ଭର ଭାରତର ପ୍ରଚାରପ୍ରସାର ଆପେଆପେ ହେବ।
*****
No comments:
Post a Comment