Tuesday, August 9, 2022

ଘରୋଇକରଣ ପଞ୍ଝାରେ ଭାରତୀୟ ଡାକ

ଘରୋଇକରଣ ପଞ୍ଝାରେ ଭାରତୀୟ ଡାକ
ବୃହସ୍ପତି ସାମଲ
ସାଧାରଣ ସମ୍ପାଦକ
କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ
ଓଡିଶା ରାଜ୍ୟ ସମ୍ମନ୍ୱୟ ସମିତି
ମୋବାଇଲ ନଂ: ୯୪୩୭୦୨୨୬୬୯

ଡାକ ବିଭାଗର ଅସ୍ତିତ୍ୱ ରକ୍ଷା ସହ ୩୦ କୋଟି ସ୍ୱଳ୍ପ ସଞ୍ଚୟ ଯୋଜନା ଖାତାରେ ନିମ୍ନ ମଧ୍ୟବିତ୍ତ ବର୍ଗର ଜମାକାରୀଙ୍କ ଗଚ୍ଛିତ ପାଖାପାଖି ୧୩ ଲକ୍ଷ କୋଟି ଟଙ୍କାର ଧନରାଶିକୁ ସୁରକ୍ଷା ଦେବା ଡାକ କର୍ମଚାରୀଙ୍କର ଆଗାମୀ ୧୦.୦୮.୨୦୨୨ ଏକ ଦିବସୀୟ ଧର୍ମଘଟର ଲକ୍ଷ୍ୟ।

    ଆସନ୍ତାକାଲି ତା ୧୦.୦୮.୨୦୨୨ ସମସ୍ତ ଡାକ କର୍ମଚାରୀଙ୍କ ପାଇଁ ଏକ ଆହ୍ୱାନର ଦିନ। ଏକ କେନ୍ଦ୍ର ସରକାରୀ ସଂସ୍ଥା ଭାବେ ଡାକଘରର ଅସ୍ତିତ୍ଵ ତଥା କେନ୍ଦ୍ର ସରକାରୀ କର୍ମଚାରୀ ଭାବେ ଡାକ କର୍ମଚାରୀଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ସମସ୍ତେ ଏବେ ଏକ ଦୋଛକିରେ।
ଆଜିର ଦିନରେ ୧.୫୭ ଲକ୍ଷ ଡାକଘର ଦ୍ୱାରା ଗାଁ ଗହଳି, ନଇ ନାଳ,  ବଣ ପାହାଡ ଘେରା ଅପହଞ୍ଚ ଅଞ୍ଚଳଠାରୁ ଆରମ୍ଭ କରି ଅତ୍ୟାଧୁନିକ ସହର ଵଜାର ପର୍ଯ୍ୟନ୍ତ ଦୀର୍ଘ ୧୬୮ ବର୍ଷ ଧରି ନିରବଚ୍ଛିନ୍ନ ସେବା ସହ ଭାରତର ରାଜନୈତିକ, ସାମାଜିକ ତଥା ଅର୍ଥନୈତିକ ପୃଷ୍ଟଭୂମିକୁ ସୁଦୁଢ କରିଥିବା ବିଶ୍ୱର ସର୍ବଵୃହତ ଡାକ ସଂସ୍ଥା ଭାରତୀୟ ଡାକ ବିଭାଗ ଭଳି କେନ୍ଦ୍ର ସରକାରୀ ଅନୁଷ୍ଠାନ ଯେ ଦିନେ ଘରୋଇକରଣର ସାମନା କରିବ, ଏ କଥା କଳ୍ପନାତୀତ ଥିଲା। ହେଲେ, କଳେବର ନବୀକରଣ ଓ ସେବାର ଆଧୁନିକୀକରଣ ନାଁରେ କେନ୍ଦ୍ର ସରକାର ୨୦୧୪ରେ ପ୍ରାକ୍ତନ କ୍ଯାବିନେଟ ସଚିବ ଟି ଏସ ଆର ସୁବ୍ରମଣିୟମଙ୍କ ଅଧ୍ୟକ୍ଷତାରେ ଏକ ଟାକ୍ସ ଫୋର୍ସ କମିଟି ଗଠନ କଲେ ଯାହା ଭାରତୀୟ ଡାକ ବିଭାଗକୁ ଭାଗ ଭାଗ କରି  ଛ'ଟି କମ୍ପାନୀରେ  ପରିବର୍ତ୍ତନ କରିବା ପାଇଁ ସୁପାରିଶ କରି କ୍ରମାଗତ  ଉଦ୍ୟୋଗୀକରଣ ଜରିଆରେ ଡାକ ବିଭାଗର ଘରୋଇକରଣର ମୂଳଦୁଆ ପକେଇଲେ। ଜାତୀୟ ସ୍ୱଳ୍ପ ସଞ୍ଚୟ ଯୋଜନା ଅନ୍ତର୍ଭୁକ୍ତ ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ସମୁହ , ଡାକ ଜୀବନ ବୀମା ସହ ଗ୍ରାମୀଣ ଡାକ ଜୀବନ ବୀମା, ତୃତୀୟପକ୍ଷ ତରଫରୁ ପ୍ରଦତ୍ତ ସମସ୍ତ ଘରୋଇ ସେବା ସମୁହ, ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ସରକାରୀ ସେବା ପରିଚାଳନା ଓ ପାର୍ସଲ ଏବଂ ପ୍ୟାକେଟ ସେବାକୁ (ଇକମର୍ସ ସେବା ସମୁହ)   ଅଲଗା ଅଲଗା  ପାଞ୍ଚଟି ରଣନୀତିପୂର୍ଣ୍ଣ ବ୍ୟବସାୟିକ ପ୍ରତିଷ୍ଠାନ ହିସାବରେ ପରିଗଣିତ କରି  ଓ ଚିଠିପତ୍ର କାରବାରକୁ ରିହାତିଦରରେ ଚାଲୁ ରଖିବା ସହ ଭାରତୀୟ ଡାକଘର ଅଧିନୀୟମ, ୧୮୯୮ରେ ଆବଶ୍ୟକୀୟ ସଂଶୋଧନ କରିବାକୁ କମିଟି ପରାମର୍ଶ ଦେଲେ। କର୍ମଚାରୀ ପକ୍ଷର ତୀବ୍ର ବିରୋଧ ସତ୍ତ୍ବେ,  ଭାରତୀୟ କମ୍ପାନୀ ଅଧିନିୟମ, ୨୦୧୩ ଆଧାରରେ  ସେପ୍ଟେମ୍ବର ପହିଲା, ୨୦୧୮ରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ଼ (ଆଇପିପିବି) ନାମରେ ଭାରତୀୟ ଡାକ ବିଭାଗରେ ପ୍ରଥମ ରାଷ୍ଟ୍ରାୟତ ଉଦ୍ୟୋଗର ସୃଷ୍ଟି ହେଲା। 'ଆପକା ବ୍ୟାଙ୍କ, ଆପକେ ଦ୍ୱାର' ନାରା ସହ  ଡାକଘରର ବିଶାଳ ନେଟୱାର୍କ  ଜରିଆରେ ବିନା ଶୁଳ୍କରେ ଲୋକମାନଙ୍କ ଦୁଆର ମୁହଁରେ ଉତ୍କୃଷ୍ଟ ତଥା ଅତ୍ୟାଧୁନିକ ଡିଜିଟାଲ  ବ୍ୟାଙ୍କିଂ ସେବା ଯୋଗାଇଦେବାର ପ୍ରତିଶ୍ରୁତି  ସହ ପ୍ରାଥମିକ ପର୍ଯ୍ୟାୟରେ ୬୫୦ ଶାଖା ଓ ୩୨୫୦ ପ୍ରବେଶ କେନ୍ଦ୍ରରେ ଆଇପିପିବି ଆରମ୍ଭ ହେଲା। ସେବେଠାରୁ ଆଇପିପିବିର ପ୍ରଯୁକ୍ତିବିଦ୍ୟା ଓ ଡାକଘରର ବିଶାଳ ନେଟୱାର୍କ ମିଳିତ ଭାବରେ ଡାକଘରର ସମସ୍ତ ପାରମ୍ପରିକ ସ୍ୱଳ୍ପ ସଞ୍ଚୟ ଯୋଜନାସମୁହକୁ ଆଇପିପିବିର କିଛି ଡିଜିଟାଲ ସେବା ମାଧ୍ୟମରେ ଗ୍ରାହକଙ୍କ ପାଖରେ ପହଞ୍ଚାଇ ଆସୁଛନ୍ତି। ମାତ୍ର ଭାରତୀୟ ଡାକର ଉଦ୍ୟୋଗୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଡାକ ବିଭାଗ ଓ ଆଇପିପିବିର ଉପରୋକ୍ତ ମିଳିତ ପ୍ରୟାସରେ ବିରାମ ଲଗେଇ, ସ୍ୱଳ୍ପ ସଞ୍ଚୟ ଯୋଜନା ସହ ଡାକ ଜୀବନ ବୀମା ତଥା ଏ ଯାବତ ଡାକ ବିଭାଗ ଦ୍ୱାରା  ପ୍ରଦତ୍ତ ଅନ୍ୟ ସମସ୍ତ  ଆର୍ଥିକ ସେବାଗୁଡିକୁ  ସମ୍ପୂର୍ଣ୍ଣଭାବରେ ଆଇପିପିବିରେ ମିଶ୍ରଣ ପାଇଁ ୧୯ ଜାନୁୟାରୀ, ୨୦୨୨ରେ କ୍ୟାବିନେଟ ୫୭୮୫କୋଟି ଟଙ୍କାର ଅନୁମୋଦନ ପ୍ରଦାନ କଲେ ଯାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଡାକ ବିଭାଗ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି।

     ବର୍ତ୍ତମାନ ଡାକଘରେ ଉପଲବ୍ଧ ସ୍ୱଳ୍ପ ସଞ୍ଚୟ ଯୋଜନା ଆନୁଷ୍ଠାନିକ ଭାବେ ଯଦିଓ ଏପ୍ରିଲ ପହିଲା ୧୮୮୨ରେ ଆରମ୍ଭ ହୋଇଥିଲା, ଉଭୟ ବ୍ରିଟିଶ ଓ ଭାରତୀୟମାନଙ୍କ ସଞ୍ଚୟ ମନୋଭାବକୁ ପ୍ରୋତ୍ସାହିତ କରିବା ପାଇଁ ୧୮୩୩ ମସିହାରେ ଏହାର ମୂଳଦୁଆ ପଡିଥିଲା।  ଡାକଘର ସଞ୍ଚୟ ଖାତାରେ ସର୍ବୋଚ୍ଚ ଜମାରାଶି ପାଞ୍ଚଶହ ଟଙ୍କା ଓ ବାର୍ଷିକ ସୁଧହାର ୪% ସହ ୧୮୩୩ରେ କଲିକତା ଓ ବମ୍ବେର ଗୋଟିଏ ଗୋଟିଏ ଶାଖା ଏବଂ ୧୮୩୪ରେ ମାଡ୍ରାସର ଗୋଟିଏ ଶାଖରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ୧୬ ମେ ୧୮୭୦ରୁ ଜିଲ୍ଲା ସଞ୍ଚୟ ବ୍ୟାଙ୍କ ହିସାବରେ କଳେବର ବୃଦ୍ଧି ସହ ୧୮୮୨ରେ ଡାକଘର ସଞ୍ଚୟ ବ୍ୟାଙ୍କ ସହ ମିଶ୍ରଣ ହୋଇଥିଲା ଯାହା ଦ୍ୱାରା ୧୮୮୬-୮୭ ବେଳକୁ  ଡାକଘର ସଞ୍ଚୟ ବ୍ୟାଙ୍କର କ୍ଷମତା ୨,୧୯,୦୧୦ଟି ସଞ୍ଚୟ ଖାତା ସହ ମୋଟ ଜମାରାଶି ଟ.୪,୨୫୫ ଙ୍କାରେ ପହଞ୍ଚିଥିଲା। ପରେ ପରେ  ଅକ୍ଟୋବର ପହିଲା ୧୮୯୬ରେ କଲିକତା, ବମ୍ବେ ଓ ମାଡ୍ରାସର ଆଞ୍ଚଳିକ ସଞ୍ଚୟ ବ୍ୟାଙ୍କ ଓ ପ୍ରେସିଡେନ୍ସି ବ୍ୟାଙ୍କଗୁଡିକର ଡାକଘର ସଞ୍ଚୟ ବ୍ୟାଙ୍କ ସହ ମିଶ୍ରଣ ହେଲା ଏବଂ ଦୁଇ ଦୁଇଟି ବିଶ୍ବ ଯୁଦ୍ଧର ସାମୟିକ ଅସୁବିଧାସବୁକୁ ସାମନା କରି  ମଧ୍ୟ ଉଭୟ ସହରୀ ଓ ଗ୍ରାମୀଣ ଜନତାଙ୍କର ଜମା ପୁଞ୍ଜିକୁ ସୁରକ୍ଷା ଦେଇ ଡାକଘର ସଞ୍ଚୟ ବ୍ୟାଙ୍କ ଭାରତର ସର୍ବବୃହତ ବ୍ୟାଙ୍କ ହିସାବରେ ଜନପ୍ରିୟତା ହାସଲ କରି ଇତିହାସ ରଚିଲା। ଟଙ୍କା ଜମା ଓ ଉଠାଣର ସିମୀତ ସୁବିଧା ସହ ମିତବ୍ୟୟିତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରାରମ୍ଭରୁ କାର୍ଯ୍ୟ କରୁଥିବା ଡାକଘର ସଞ୍ଚୟ ବ୍ୟାଙ୍କ ଧୀରେ ଧୀରେ ଏକ ବିରାଟ ସଂସାଧନର ମାଧ୍ୟମ ସାଜି ଶହଶହ କୋଟି ଟଙ୍କାରେ ଭାରତୀୟ ରାଜକୋଷକୁ ଦୃଢିଭୁତ କରିବା ସହ ପ୍ରାକ ସ୍ୱାଧୀନତା କାଳରୁ ସମସ୍ତ ଯୋଜନା ପରିଯୋଜନାରେ ଭାଗୀଦାର ହେଇ ୩୧.୦୩.୨୦୨୧ ସୁଦ୍ଧା ୨୯,୦୩,୮୭,୭୬୭ ସଂଖ୍ୟକ ସଞ୍ଚୟ ଖାତାରେ  ୧୨,୫୩,୬୩୩.୫୨ କୋଟି ଟଙ୍କା ଜମାରାଶି ଠୁଳ  କରିପାରିଛି। ଭାରତୀୟ ଡାକ ବିଭାଗ ତା'ର ମୋଟ ଆୟର ୬୪% କେବଳ ସ୍ୱଳ୍ପ ସଞ୍ଚୟ ଯୋଜନାରୁ ହିଁ ପାଇଥାଏ।


ଉଚ୍ଚତର ସୁଧହାର ସହ ସ୍ୱଳ୍ପ ସଞ୍ଚୟ ବ୍ୟାଙ୍କ ଉଭୟ ଧନୀକ ଓ ଗରିବ ଶ୍ରେଣୀର ଜମାକାରୀଙ୍କୁ ସୁହାଇଲା ଭଳି ବିଭିନ୍ନ ଆକର୍ଷଣୀୟ ଯୋଜନା ଚାଲୁ ରଖିଛି। ଡାକଘର ସଞ୍ଚୟ ବ୍ୟାଙ୍କରେ ବାର୍ଷିକ ୪%, ୧,୨ ଏବଂ ୩ ବର୍ଷୀୟ ଟର୍ମ ଡିପୋଜିଟରେ ୫.୫%, ୫ ବର୍ଷୀୟ ଟର୍ମ ଡିପୋଜିଟରେ ୬.୭%, ୫ ବର୍ଷୀୟ ରେକରିଂ, ମାସିକ ଆୟ ଯୋଜନା, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାତୀୟ ସଞ୍ଚୟ ସାର୍ଟିଫିକେଟ, କିଷାନ ବିକାଶ ପତ୍ର, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ସୁକନ୍ୟା ସମୃଦ୍ଧି ଖାତାରେ ବାର୍ଷିକ ଯଥାକ୍ରମେ ୫.୮%, ୬.୬%, ୭.୪%, ୬.୮%, ୬.୯%, ୭.୧ ଓ ୭.୬% ସୁଧହାର ଥିବାବେଳେ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ସୁକନ୍ୟା ସମୃଦ୍ଧି ଖାତାରେ ବାର୍ଷିକ ସର୍ବୋଚ୍ଚ ଜମା ଦେଢ ଲକ୍ଷ ସହ ମାସିକ ଆୟ ଯୋଜନା ଓ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାକୁ ଛାଡି ଅନ୍ୟ  ଯୋଜନାରେ ସର୍ବୋଚ୍ଚ ଜମାରାଶିର କୌଣସି ପ୍ରତିବନ୍ଧକ ନାହିଁ। ୫ ବର୍ଷୀୟ ଟର୍ମ ଡିପୋଜିଟ, ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ, ସୁକନ୍ୟା ସମୃଦ୍ଧି ଖାତା ଏବଂ ଜାତୀୟ ସଞ୍ଚୟ ସାର୍ଟିଫିକେଟର ଜମା ଉପରେ ଆୟକର ରିହାତିର ସୁବିଧା ମଧ୍ୟ ରହିଛି।

ଅନ୍ୟପକ୍ଷରେ, ବିଗତ ଚାରିବର୍ଷ ମଧ୍ୟରେ ନିଜ ପ୍ରତିଶ୍ରୁତିରୁ ଓହରି ଯାଇ ଆଇପିପିବି ତାର ସମସ୍ତ ଦେୟମୁକ୍ତ  ଡିଜିଟାଲ ସେବାକୁ ଦେୟଯୁକ୍ତ କରିସାରିଛି। ଏହା ଏକ ସ୍ୱୟଂସମ୍ପୂର୍ଣ୍ଣ ବ୍ୟାଙ୍କ ହୋଇ ନ ଥିବାରୁ ସର୍ବୋଚ୍ଚ ଜମାରାଶି ମାତ୍ର ଦୁଇ ଲକ୍ଷରେ ସୀମିତ ଥିବାବେଳେ, ଏକ ଲକ୍ଷ ଜମାରାଶି ପର୍ଯ୍ୟନ୍ତ ବାର୍ଷିକ ୨% ଓ ଏକ ଲକ୍ଷରୁ ଉର୍ଦ୍ଧ ଏବଂ ଦୁଇ ଲକ୍ଷ ପର୍ଯ୍ୟନ୍ତ ଜମାରାଶି ଉପରେ ମାତ୍ର ୨.୨୫% ସୁଧହାରର ପ୍ରାବଧାନ ରହିଛି। ମାସିକ ସର୍ବୋଚ୍ଚ ତିନୋଟି ଦେଣନେଣ ପରେ  ଟଙ୍କା ଜମା, ଟଙ୍କା ଉଠାଣ, ମିନି ଷ୍ଟେଟମେଣ୍ଟ ଆଦି ସହ ଦୁଆର ମୁହଁରେ ବ୍ୟାଙ୍କିଂ ସେବା (ଡୋର ଷ୍ଟେପ ବ୍ୟାଙ୍କିଂ) ପ୍ରଦାନ ପାଇଁ ଆଇପିପିବି ଜିଏସଟିକୁ ଛାଡି ପାଞ୍ଚ ଟଙ୍କାରୁ ପଚାଶ ଟଙ୍କା ପର୍ଯ୍ୟନ୍ତ ସେବା କର ଆଦାୟ କରୁଛି, ଯେଉଁଥି ପାଇଁ ବିନା ସେବା କରରେ ଏବଂ ଉଚ୍ଚ ସୁଧ ହାରରେ ସ୍ୱଳ୍ପ ସଞ୍ଚୟ ଯୋଜନାରୁ ବହୁବିଧ ଲାଭ ପାଉଥିବା ଡାକଘରର ମାନ୍ୟଗଣ୍ୟ ଗ୍ରାହକବନ୍ଧୁମାନେ ଆଇପିପିବିର ସେବା ପ୍ରତି ସେତେଟା ଉତ୍ସାହିତ ହେଉନାହାନ୍ତି। ଫଳରେ, ବିନା ଘରଭଡା ତଥା ମାଗଣା ବିଜୁଳି, ପାଣି ସହ ଡାକଘର ପରିସରରେ ଡାକ କର୍ମଚାରୀଙ୍କ ଦ୍ୱାରା  ସ୍ୱଳ୍ପ ସଞ୍ଚୟ ଯୋଜନା ଅନ୍ତର୍ଭୁକ୍ତ ଡାକଘରର ଗ୍ରାହକମାନଙ୍କୁ  କିଛିଟା ଡିଜିଟାଲ ସେବା ଯୋଗାଇବାକୁ ଯାଇ  ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଆଇପିପିବି ଭାରତୀୟ ଡାକ ବିଭାଗକୁ ୮୨୧ କୋଟି ଟଙ୍କାର କ୍ଷତି ପହଞ୍ଚାଇଛି।


ଏକ ପକ୍ଷରେ ବ୍ୟାଙ୍କଗୁଡିକର ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଭାରତ ସରକାର ବିଗତ ପାଞ୍ଚ ବର୍ଷରେ ଜାତୀୟକରଣ ବ୍ୟାଙ୍କଗୁଡିକର ସଂଖ୍ୟା ୨୭ରୁ ୧୨କୁ କମ କରିବା ଏବଂ କମର୍ସିଆଲ ବ୍ୟାଙ୍କ ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ବ୍ୟାଡ ଲୋନ ବାବଦକୁ ଯଥାକ୍ରମେ ୯,୯୧,୬୪୦ କୋଟି ଓ ୭,୨୭,୨୫୯ କୋଟି  ହିସାବରେ ମୋଟ ୧୭,୧୮,୮୯୯ କୋଟି ଟଙ୍କା ଛାଡ କରି (ରାଜ୍ୟସଭା ଅଣତାରକା ପ୍ରଶ୍ନ ସଂଖ୍ୟା ୧୮୩୨ ଉପରେ ତା ୦୨.୦୮.୨୦୨୨ରିଖରେ ମାନ୍ୟବର କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର) ଆୟକର ଦାତା ତଥା ଜନସାଧାରଣଙ୍କ ମୁଣ୍ଡରେ ଅଯଥା ଆର୍ଥିକ ବୋଝ ଲଦିଥିବା ବେଳେ ଆଇପିପିବି ଭଳି ଏକ କ୍ଷତିଗ୍ରସ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରେ। ଅଧିକନ୍ତୁ, କୌଣସି ବ୍ୟାଙ୍କ ଦେବାଳିଆ ଘୋଷିତ ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମାନୁଯାୟୀ ଜମାକାରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା କ୍ଷତିପୂରଣର ପ୍ରାବଧାନ ଥିବାବେଳେ,   ସ୍ୱଳ୍ପ ସଞ୍ଚୟ ଯୋଜନାର ଜମାରାଶି ଉପରେ ସେଭଳି ଆଶଙ୍କା ଏ ଯାବତ ନାହିଁ। ଏହି ପରିପ୍ରେକ୍ଷୀରେ ବହୁବିଧ ସେବା ସହ ୧୮୮୨ରୁ ସ୍ୱଳ୍ପ ସଞ୍ଚୟ ଯୋଜନା,  ୧୮୮୪ରୁ ସର୍ବନିମ୍ନ ପ୍ରିମିୟମ ବଦଳରେ ସର୍ବୋଚ୍ଚ ବୋନସ ପ୍ରଦାନ କରୁଥିବା ଡାକ ଜୀଵନ ବୀମା, ଭାରତୀୟ ଡାକଘର ଅଧିନିୟମ, ୧୮୫୪  ପରେପରେ ଡାକଘର ପ୍ରଦତ୍ତ ସମସ୍ତ ଆର୍ଥିକ ସେବାଗୁଡିକୁ କ୍ଷତିରେ ଚାଲୁଥିବା ଆଇପିପିବିରେ ମିଶ୍ରଣ କରିବା କେତେଦୁର ସମୀଚିନ ହେବ ଭାରତର ୧୪୦କୋଟି ଜନସାଧାରଣ ଚିନ୍ତା କରିବାର ସମୟ ଉପନୀତ। ଉପରୋକ୍ତ ପ୍ରସ୍ତାବିତ ମିଶ୍ରଣ  ଭାରତୀୟ ଡାକ ବିଭାଗର ଘରୋଇକରଣ କରି ଜନସାଧାରଣଙ୍କୁ ସ୍ୱଳ୍ପ ସଞ୍ଚୟ ଯୋଜନା ଅନ୍ତର୍ଗତ ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ କରିବ।

     ଭାରତବର୍ଷର ୧.୫୭ ଲକ୍ଷ ଡାକଘରେ ଉପଲବ୍ଧ ଜାତୀୟ ସ୍ୱଳ୍ପ ସଞ୍ଚୟ ଯୋଜନା ଅଧିନରେ ଅନ୍ୟୁନ ତିରିଶ କୋଟି ସ୍ୱଳ୍ପ ସଞ୍ଚୟ ଖାତାରେ ଗରିବ, ଖଟିଖିଆ ତଥା ଆର୍ଥିକ ଦୁର୍ବଳଶ୍ରେଣୀର ଜମାକାରୀଙ୍କର ଗଚ୍ଛିତ ଏବଂ ଭାରତୀୟ ଡାକ ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷିତ ବାର ଲକ୍ଷ କୋଟିରୁ ଉର୍ଦ୍ଧ ଜମା ପୁଞ୍ଜି କେନ୍ଦ୍ର ସରକାରଙ୍କ ଜିଦଖୋର ଘରୋଇକରଣ ମନୋଭାବ ଯୋଗୁଁ ବିପଦ ଭିତରକୁ ଠେଲି ହେଇଯିବାକୁ ବସିଛି। ଖାଲି ସେତିକି ନୁହେଁ, ଜାତୀୟ ସ୍ୱଳ୍ପ ସଞ୍ଚୟ ଯୋଜନାକୁ ପ୍ରୋତ୍ସାହିତ କରି ଘରେ ଘରେ ସଞ୍ଚୟ ଖାତା ଖୋଲେଇ ଜାତୀୟ ରାଜକୋଷକୁ ସୁଦୃଢ କରୁଥିବା ଲକ୍ଷାଧିକ ଲାଇସେନ୍ସପ୍ରାପ୍ତ ସ୍ୱଳ୍ପ ସଞ୍ଚୟ  ଏବଂ ମହିଳା ପ୍ରଧାନ କ୍ଷେତ୍ରୀୟ ବଚତ ଯୋଜନା ଏଜେଣ୍ଟ ଓ ସେମାନଙ୍କ ପରିବାରର ଭବିଷ୍ୟତ ମଧ୍ୟ ବିପଦରେ ପଡିବାକୁ ଯାଉଛି। ସରକାରଙ୍କର ଏହି ଜନବିରୋଧୀ ନୀତିକୁ ବିରୋଧ କରି ପାଞ୍ଚ ଲକ୍ଷରୁ ଉର୍ଦ୍ଧ ଡାକ କର୍ମଚାରୀ ଓ ଗ୍ରାମୀଣ ଡାକସେବକମାନେ ଆସନ୍ତା ୧୦ ଅଗଷ୍ଟ, ୨୦୨୨ରେ ଏକ ସର୍ବଭାରତୀୟ ଧର୍ମଘଟର ଡାକରା ଦେଇଛନ୍ତି।  ଆଗାମୀ ସର୍ବଭାରତୀୟ ଧର୍ମଘଟ କେବଳ ଡାକ କର୍ମଚାରୀଙ୍କର ନୁହେଁ, ବରଂ ଭାରତୀୟ ଡାକ ତଥା ଜାତୀୟ ସ୍ୱଳ୍ପ ସଞ୍ଚୟ ଯୋଜନାକୁ ଭଲ ପାଉଥିବା ସମସ୍ତ ସଚେତନ ଭାରତୀୟ ନାଗରିକଙ୍କର ଦାୟିତ୍ୱ। ଆସନ୍ତୁ, ସମସ୍ତେ ମିଳିମିଶି ଭାରତୀୟ ଡାକର ଘରୋଇକରଣ ବିରୋଧରେ ସ୍ୱର ଉତ୍ତୋଳନ କରିବା।
*******



No comments:

Post a Comment